Satyabati Swain

Tragedy

4  

Satyabati Swain

Tragedy

ଛାତ କଇଁ

ଛାତ କଇଁ

6 mins
319


ଯାତ୍ରା ପ୍ରଚାର ଗାଡିରୁ ଭାସି ଆସୁଥିଲା ପ୍ରତିଧ୍ବନିତ କରି ଦେଖନ୍ତୁ  ଆଜିର... ଆଜିର... ସାମାଜିକ ନାଟକ ସିନ୍ଦୁର କାନ୍ଦୁଛି ଟିକିଲି ପାଇଁ, ବିଧବା ପିନ୍ଧୁଛି ଶଙ୍ଖା ସିନ୍ଦୁର ଇତ୍ୟାଦି।ଆଜି ହିଁ ଦେଖନ୍ତୁ ଏବଂ ଭରପୁର ମଜା ନିଅନ୍ତୁ ଦର୍ଶକ ବନ୍ଧୁ ।

ଧୂଳି ଉଡେଇ ଯାତ୍ରା ପ୍ରଚାର ଗାଡିଟି ଦୌଡୁଥିଲା ସହର ତଳି ଆମ ଗାଁ 'ସାବଧାନ ପୁର' ରାସ୍ତାରେ।ଗାଡ଼ି ପଛେ ପଛେ ଗୋଟିଏ ହାତରେ ପେଣ୍ଟ ଟେକି ମୋ ସହିତ ଆଉ କେତୋଟି ପିଲା  ଦୌଡୁଥିଲେ।ଗାଡି ଵାଲା ରଙ୍ଗ ବେରଙ୍ଗ ପାମ୍ପଲେଟ୍ ଫିଙ୍ଗିବେ ଆଉ ଆମେ ପବନରେ ଉଡୁଥିବା ସେଇ କାଗଜ ଗୁଡାକୁ ଧରିବୁ ବୋଲି।ଇଏ କଣ କମ୍ କଥା କି ! ସେଇ କାଗଜ ଯେମିତି ଆମ ପାଇଁ ମହଣ ମହଣ ଅସରନ୍ତି ଅବ୍ୟକ୍ତ ଖୁସିର ଠିକଣା ଥିଲା ସେ ବେଳେ।

ସିଙ୍ଘାଣି ବୋହି ପଡୁଥିଲା ଦୌଡ଼ୁ ଦୌଡ଼ୁ।ଅତି ଖୁସି ହୋଇ ନାଟକ ଛପା ରଙ୍ଗୀନ କାଗଜଟି ଦୁଇ ହାତରେ ଶୁନ୍ୟରୁ ଧରୁ ଧରୁ ପେଣ୍ଟ ଖସି ପଡୁଥିଲା ପାଦ ଯାଏ। ପୁଣି ପେଣ୍ଟ ଟାକୁ ଟେକି ଆଣି ଚାଲୁଥିଲା ଦୌଡା।ସିଙ୍ଘାଣିକୁ ସୁଡୁ କରି ନାକରୁ ପାଟି ଦେଇ ତଣ୍ଟି ଭିତରକୁ ଶୋଷି ନେଉଥିଲି ମୁଁ। ସିଧିଆ ଡାହାଣ ହାତ ପାପୁଲିରେ ତା ବୋହି ଆସୁଥିବା ସିଙ୍ଘାଣିକୁ ଗାଲ ଯାଏ ବୋଳି ପେଣ୍ଟରେ ହାତ ପୋଛି ଦେଉଥିଲା।ସିଙ୍ଘାଣି ଶୁଖି ମୋ ଜେଜେଙ୍କ ପାଚିଲା ନିଶର ଭ୍ରମ ସୃଷ୍ଟି କରିଥିଲା ସିଧିଆ ନାକ ତଳ। ନହକା ପାତିଆ ବୁଲୁ ଦୌଡ଼ୁ ଦୌଡୁ ପଡି ଯାଇ କାନ୍ଦୁଥିଲା ଭେଁ।ଏଥିପାଇଁ କାହାର ପର୍ବାଏ ନାହିଁ।ପାମ୍ପଲେଟ୍ ପାଇବାର ଅଛି ନା ? ଗାଡି ଆମ ଗାଁ ଛକ ପାରି ହୋଇ ଆଖିରୁ ଦୂର ହୋଇଯିବା ଯାଏ ଆମେ ଅପେକ୍ଷା କରି ଠିଆ ହୋଇ ରହୁଥିଲୁ କାଳେ ପୁଣି ଫେରିବ ଆମ ଗାଁ ଭିତର ଦେଇ।

କାଗଜ ଧରି ଫେରୁଥିଲୁ।ଠାକୁର ମଣ୍ଡପ ଉପରେ ବସି କାଗଜ ଗଣି ଏ ଏ ଏ ମୋର ତିନିଟା, ମୋର ଚାରିଟା ହେଉଥିଲୁ ହାତରେ ଉଡେଇ ଉଡେଇ। ବୁଲୁଟା ଓଠ ନେଫେଡେଇ ମୁହଁ ଆମ୍ବିଳା କରି କହୁଥିଲା, ମୋର ନା...ଇଁ। ମୋତେ ଗୋଟେ ଦିଅ ।

ହେ ଏଁ ଆମେ ଏତେ କଷ୍ଟ କରି ଆଣିଛୁ ତୋତେ କାଇଁ ଦେବୁ ବା। ଯା ଖାଇ ପିଇ ତଗଡା ହଅ। ଆର ଥରକୁ ଆସିଲେ ତୁ ବି ଦୋୖଡିବୁ ଓ ବହୁତ କାଗଜ ପାଇବୁ। ବୁଲୁ କାନ୍ଦ କାନ୍ଦ ହୋଇ କହୁଥିଲା, ହଉ ନ ଦିଅ ମୋ ବାପା କଟକି କୋଳି, ବଡ଼ ବଡ଼ ସେଓ, ଆଚାର ଓ ଚକୋଲେଟ ଆଣିଲେ ତୁମକୁ ଦେବି ନାହିଁ ଯେ। ସତରେ ତ ବୁଲୁ ବାପାକଟକରେ ଚାକିରି କରିଛନ୍ତି।ଯେତେବେଳେ ଆସନ୍ତି ଭଲ ଭଲ ଜିନିଷ ଆଣନ୍ତି। ବୁଲୁ ସବୁବେଳେ ଫଳ ମୂଳ ଖାଏ।ହେଲେ ତା ଚେହେରା ଆମ ପଖାଳ ଆଳୁ ଚକଟା ଖିଆ ପିଲା ସଂଗେ ସମାନ ହୁଏ ନାହିଁ। ସୁଦୁ ରୋଗୀଣାଟା। ସତକୁ ସତ ତା ବାପା ଯାହା ଆଣିଲେ ଆମକୁ ଯଦି ନ ଦିଏ ? ସିଧିଆ ଭାରି ଚଳାଖ କୁହେ, ଦେବୁ ! ତୁ ଏତେଟା କାଗଜ ଆଣିଛୁ ବୁଲୁକୁ ଗୋଟିଏ ଦେଇ ଦେ। ସେ ବା  ଆମ ସାଙ୍ଗ ? 

ମୁଁ ଏତେ ଛନ୍ଦ ମନ୍ଦ ବୁଝି ପାରେ ନାହିଁ। ମୋ ତିନିଟାରୁ ବୁଲୁକୁ ଗୋଟିଏ ଦେଇ ଦିଏ। ସେ ମୋ କାନ୍ଧରେ ହାତ ପକେଇ କୁହେ ମୋ ବାପା ଏଥର ଆସିଲେ ତୋତେ ସବୁ ଜିନିଷ ଅଧିକା ଦେବି। ମୁଁ କୁହେ,  " ମୋର ସବୁ ଜିନିଷ ନୁହେଁ କେବଳ ଖଟା ଦେବୁ। " କେଜାଣି ଏ ଖଟା ପିଲାଦିନେ ମିଠା କି ସେଓ ଠାରୁ କାଇଁକି ଭଲ ଲାଗେ ଅଧିକ ? ଆମ୍ବୁଲ ଚାଟି ଠାକରା ଫୁଟେଇବା ମଜା କିଛି ନିଆରା। ନୁହେଁ କି ? କଞ୍ଚା ଲଙ୍କା ଦେଇ ଟଭା  ଚକଟା ପାଣି ବାସ୍ନା କି ଓ ସ୍ୱାଦ ଚମତ୍କାର !  ସେଇ ଖଟା ଲୋଭରେ ତିନୋଟି କାଗଜରୁ ବୁଲୁ କୁ ଗୋଟେ ଦେଇ ଦିଏ। ଆଉ ମୋଟେ ଦୁଇଟି ରୁହେ ମୋର। ସେଇ ଦୁଇଟିରୁ ଲିଲି ନ ମାଗିଲେ ବି ଯାଚି କରି କାହିଁକି ଗୋଟିଏ ଦିଏ ? 

ଲିଲିକୁ ଜାଣିଛ ? ସେ ଆମ ଗାଁ ର ବଡ଼ ଲୋକ ଶ୍ରୀମନ୍ତ ଦାଶଙ୍କ ଝିଅ। ମୋଠାରୁ ବର୍ଷେ କି ଦି ବର୍ଷ ସାନ ହେବ। ଯାତ୍ରା ପ୍ରଚାର ଗାଡି ଗଲା ବେଳେ ସେ ବି ଆମ ସହ ଗାଡି ପଛେ ଦୌଡ଼ିବାକୁ ଚାହେଁ। କିନ୍ତୁ ତା ମାଆ ତାକୁ ଟାଣି ନେଇ ଘରେ ବନ୍ଦ କରି ଦିଅନ୍ତି। ଆମେ ଫେରିବା ଯାଏ ସେ ଝର୍କା ରେଲିଂ ଧରି ସେମିତି ଠିଆ ହୋଇ ଥାଏ ମନ ମାରି। ତା ଶୁଖିଲା ମୁହଁ ଦେଖିଲେ ମୋତେ କଷ୍ଟ ଲାଗେ । ସେ ଆମେ ଫେରିବା ଯାଏ ସେମିତି ଝର୍କା ପାଖେ କାହିଁକି ଠିଆ ହୋଇ ଥାଏ ? କଣ ସେ ମୋତେ ଅପେକ୍ଷା କରିଥାଏ ନା ସେଇ ରଙ୍ଗୀନ ଛପା କାଗଜକୁ ? 


ମୁଁ ଝର୍କା ପାଖକୁ ଯାଇ କୁହେ ନେ ତୋ ପାଇଁ ସେ ଗାଡି ଵାଲା ଗୋଟେ ଦେଇଛି। ଆଃ କି ହସ ଖେଳେ ତା ମୁହଁରେ ! ତା ହଳଦିଆ ଦେହକୁ, ଝାମ୍ପୁଲା ବାଳ କେରାକ ଘୋଡେଇ ପକାଇ ଥାଏ ତାର ଗୋଟିଏ ଆଖି।ଚମତ୍କାର ମାନେ ସେ ହସିଦେଲେ। ବାହାର ଦୁନିଆଁ, ସାଙ୍ଗ ସାଥି ତାକୁ ଖୁବ୍ ଆନନ୍ଦ ଦିଅନ୍ତି।କିନ୍ତୁ ବଡ଼ଲୋକୀ ଆବଦ କାଇଦା ତାର ଶୈଶବର ଖୁସିକୁ ଦଳି ଚକଟି ପକାନ୍ତି। ଗରିବ ଗୁରୁବା ପିଲାଙ୍କ ସାଙ୍ଗେ ମିଶିଲେ ସେ କାଳେ ଛୋଟ ବୁଦ୍ଧି ଶିଖି ଖରାପ ହୋଇଯିବ ବୋଲି ତା ଘର ଲୋକେ କୁହନ୍ତି। ଏଇ ଗରିବ ଲୋକମାନେ କଣ ସତରେ ଏତେ ଛୋଟ ? ଏତେ ଖରାପ ? ତାଙ୍କର କଣ ପ୍ରକୃତରେ ଛୋଟ ବୁଦ୍ଧି ? ମୋ ପିଲା ମନ ଏ ପ୍ରଶ୍ନରେ ଭାରି ଛନ୍ଦି ହୁଏ।ଇଏ କି ବଡ଼ଲୋକୀ ଜୀବନ ? ଖେଳିବ ନାହିଁ,ସାଙ୍ଗ ହେବ ନାହିଁ।ସବୁବେଳେ ଘରଟାରେ ବନ୍ଦୀ ? ଭଲ ହୋଇଛି ମୋ ବାପା ଲିଲି ବାପା ପରି ଏତେ ବଡ଼ ଲୋକ ନୁହଁନ୍ତି। ନଲେ ମୁଁ ବି ବନ୍ଦୀ ଜୀବନ ଜୀଇଁଥାନ୍ତି। ହେ ଛାଡ଼ ମ କିଏ ସେ ବଡ଼ଲୋକୀଙ୍କୁ ପଚାରୁଛି ।ମୋ ବାପା ଆମ ବିଲରେ ଖଟନ୍ତି। ବିଭିନ୍ନ ଫସଲ କରି ଆମେ ଚଳୁ । ସ୍ୱାଧୀନ ପକ୍ଷୀ ଆମେ।


କିନ୍ତୁ ଲିଲି ମୋତେ ଏତେ ଭଲ ଲାଗେ କାହିଁକି ? କେହି ମାଗିଲେ କାଗଜ ଦିଏନି ଅଥଚ ଲିଲି ନ ମାଗିଲେ ବି ତାକୁ ଯାଚି କରି କାଗଜ ଦିଏ କଣ ପାଇଁ? ଦିଏ ତ ଦିଏ ସେ ଦେବାରେ ଏତେ ଆନନ୍ଦ ମୋତେ ଛୁଏଁ କାହିଁକି ? ସାଙ୍ଗମାନେ କୁହନ୍ତି ଦେବୁଟା ଦେହର ମଳି ଟିକେ କାହାକୁ ଦେବନି। ହେଲେ ଲିଲିକୁ ମୋର ସବୁ ପସନ୍ଦ ଜିନିଷ ଦେଇ ଦେବାକୁ ମନ କୁହେ ! ମୋ ପସନ୍ଦ କଣ ଜାଣନ୍ତି ? କାଗଜରେ ଏରୋପ୍ଲେନ, ଦିନରାତି, ପଦ୍ମଫୁଲ, ବନ୍ଧୁକ , ଡଙ୍ଗା, ଗୁଡ଼ି ,ପ୍ୟାଣ୍ଟ ସାର୍ଟ କରେ। ଆହୁରି କାଗଜ ଭିଜେଇ ସୁନ୍ଦର ସୁନ୍ଦର କଣ୍ଢେଇ  କରି ପାରେ ବି। ସାର୍ ମୋ ହାତ ତିଆରି କାଜଗ ଜିନିଷ ନେଇ ଆମ ସ୍କୁଲରେ ସାଇତି ରଖିଛନ୍ତି। ଉପର ଅଫିସର ଆସିଲେ ମୋ ହାତର ଯାଦୁ ଦେଖାନ୍ତି।ଅଫିସର ଖୁସି ହୋଇ ମୋତେ ସାବାସ୍ କୁହନ୍ତି। ଏଇ ସାବାସ୍ ଶବ୍ଦଟି ମୋ କୁମ୍ପି ଟଙ୍କା ଠାରୁ ବି ଅଧିକ ମୂଲ୍ୟବାନ ଲାଗେ ମୋତେ । ଲିଲି ମୋଠୁ ଛପା କାଗଜଟି ନେଇ ଭାଙ୍ଗି ଭୁଙ୍ଗି ତା ହାତରେ ରେଲିଂ ସହ ମୁଠେଇ ଧରେ । କାଳେ ତା ମାଆ ଜାଣିବ ମୋଠୁ କାଗଜ ନେଇଛି ବୋଲି । ହେଲା ଏବେ ମୁଁ କାଳିଆ ଭୁଷୁଣ୍ଡା ଟାଏ। ମୋତେ ଛୁଇଁଲେ ଗୋରୀ ଲିଲି କଣ କାଳିଆ ହୋଇଯିବ ? ନା ସେମାନେ ଗରିବ ହୋଇଯିବେ ? ଏମିତି କଣ କାହିଁକି ପ୍ରଶ୍ନ ଭଉଁରୀରେ ପଡି ପଡି କେତେବେଳେ ସପ୍ତମ ପାସ୍ ହୋଇଗଲା।ହାଇ ସ୍କୁଲରେ ସବୁଠାରୁ ପ୍ରିୟ ଛାତ୍ର ମୋହର ମୋ ଦେହରେ ବାଜିଲା। ଲିଲି କିନ୍ତୁ ସହରରେ ରହି ପଢୁଥିଲା। କାଁ ଭାଁ ଗାଁ କୁ ଆସେ । ତାଙ୍କର ଏବେ ଦୁଇ ମହଲା କୋଠା। ଆମେ ବି କିଛି କମ୍ ରେ ନାହୁଁ। ମୋ ବାପା କଠିନ ପରିଶ୍ରମ କରି ଚାରି ବଖରା କୋଠା ଘର କରିଛନ୍ତି ।ତାଙ୍କ ଛାତ ଉପରୁ କେବେ କଦବା ଲିଲି ଆମ ଛାତ ଉପରକୁ ଦେଖାଯାଏ।ଜାଣିଛ ଲିଲିଟା ଏବେ ପୁରା ସତେଜ ସୁନ୍ଦର ପୋଖରୀ ଫୁଟା ସକାଳ କଇଁ ଫୁଲ ପରି ଦିଶେ । ତଫାତ ଏତିକି କଇଁ ଫୁଲ ପୋଖରୀରେ ଫୁଟେ ଲିଲି ଫୁଟେ ତାଙ୍କ ଛାତ ଉପରେ।ମୁଁ ସିଧିଆକୁ ଦେଖେଇ କୁହେ ହେଇ ଦେଖ " ଛାତ କଇଁ " । ମୋତେ ଦେଖିଲେ ପିଲାଦିନ ପରି ସେ ହସେ ନାହିଁ। ସେ ସହରୀ ସହରୀ ବାସେ।

ମୁଁ ଆମ ଛାତ ଉପରୁ ଡାକ ପକାଏ ଲିଲି ଏ ଲିଲି କେଉଁ ଦିନ ଆସିଲୁ ? ସେ ମୋ ଡାକ ଶୁଣି ହସିବା ପରିବର୍ତ୍ତେ କୁହେ ଅଭଦ୍ର । ଅଭଦ୍ର ! ସାଙ୍ଗକୁ ସାଙ୍ଗ ଡାକିଲେ ଅଭଦ୍ର ହୁଏ ? ଅଭଦ୍ର ଶବ୍ଦଟା ଗୋଟେ ଖରାପ ଶବ୍ଦ ବୋଲି ମୁଁ ଜାଣେ। ମୋ ସାଙ୍ଗ ସାଥି ,ସ୍କୁଲ, ଆମ ଆଖ ପାଖ ଗାଁ ରେ ମୋର କେତେ ସୁନାମ।ଭଲ ବ୍ୟବହାର, ପରିଶ୍ରମୀ ପିଲା ସାଙ୍ଗକୁ କାଗଜ ଭିଜେଇ କିସମ କିସମର ମୂର୍ତ୍ତି କରି ଏବେ ଦୁଇ ପଇସା ରୋଜଗାର କରୁଛି ବୋଲି ସମସ୍ତେ ମୋତେ ଆଦର କରନ୍ତି।। ଅତି ଭଲ ନ ପଢିଲେ ବି ଗଧ ନୁହେଁ । ମୋ ବାପା ଙ୍କୁ ବିଲ କାମରେ ସାହାଯ୍ୟ କରୁଛି । ଅନ୍ୟ ପିଲା ମାନଙ୍କୁ ତାଙ୍କ ବାପା ମାଆ କୁହନ୍ତି, ଦେଖିଲୁ ଦେବୁକୁ। ତାକୁ କୁହନ୍ତି ପୁଅ। ବାପା ସହ ଭାଇ ପରି ଲାଗି ଗଲାଣି। ବିଲ ବାଡ଼ି କାମରେ ଏତେ ବକଟେ ଛୁଆକୁ କିଏ ପାରିବ ? ଭଗବାନ ପୁଣି କି କଳା ଦେଇଛନ୍ତି ଦେଖୁନ। ଚିରା କାଗଜରୁ କି ସୁନ୍ଦର ମୂର୍ତ୍ତି ଗଢୁଛି ?

ହେଲେ ଲିଲି ମୋତେ ଅଭଦ୍ର କହିଲା କାହିଁକି ? କୈଶୋର ଶେଷ ଓ ଆଦ୍ୟ ଯୌବନର ପାହାଚରେ ଠିଆ ହୋଇ ଭାବୁଥିଲି ଲିଲି ବି ବଡ଼ଲୋକୀ ଖୋଳପା ପିନ୍ଧି ସାରିଲାଣି।ସେ ଆଉ ରେଲିଂ ଧରି ଯାତ୍ରା ପାମ୍ପଲେଟ୍ ପାଇଁ ଝର୍କା ପାଖେ ଠିଆ ହେବା ଝିଅ ହୋଇ ନାହିଁ। ମନେ ମନେ ଭାବେ ଧେତ୍ ମୁଁ ବଡ଼ ହେଉଥିଲି କାହିଁକି ଯେ । ସବୁଠୁ ବଡ଼ ଦୁଃଖ ହୁଏ ଯେ ଆଗ ପରି ସେ ଯାତ୍ରା ପ୍ରଚାର ଗାଡି ଆଉ ଆମ ଗାଁ କୁ ଆସୁନାହିଁ। ଆସୁଥିଲେ ଅବା ପାମ୍ପଲେଟଟି ଆଣି ଲିଲିକୁ ଦିଅନ୍ତି।ସେ ହସନ୍ତା ମୋତେ ଖୁସି ଲାଗନ୍ତା। ମୁଁ ବି ପେଣ୍ଟ ଖସି ପଡୁଥିବା ସେଇ ଦେବୁ ହୋଇ ନାହିଁ।ଛାଆଣ୍ଡିଆ ଟୋକାଟିଏ ହୋଇ ଯାଇଛି ଏହା ଭିତରେ। ସିଧିଆ କୁହେ ମୁଁ କାଳେ  ଦକ୍ଷିଣ ଭାରତ  ହିରୋ ପରି ଦେଖାଯାଉଛି ।ସତରେ ମୁଁ ହିରୋ ପରି ଲାଗୁଛି ଭାବି ଦର୍ପଣରେ ନିଜକୁ ଦେଖିଲା ବେଳେ ମୋ ମୁହଁ ପରିବର୍ତ୍ତେ ଲିଲି ମୁହଁ ଦିଶେ ! ତା ସହ ମୋ କାନରେ ଶୁଭିଯାଏ ଅଭଦ୍ର। ବେଶୀ ବେଶୀ ଲିଲି ମୋର ମନେ ପଡେ ମୋ ଯୁବ ଆତ୍ମାକୁ କଲବଲ କରି।ମନ ଝୁରେ ପିଲାଦିନର ଝର୍କା ରେଲିଙ୍ଗ ଧରି ଠିଆ ହୋଇଥିବା ଲିିିଲିକୁ ।ହେଲେ ସେ କଣ ପୋଖରୀ ପାଣି ପଙ୍କରେ ଫୁଟା କଇଁ ହୋଇଛି ! ସେ ପରା ଏବେ କଂକ୍ରୀଟ ଜଙ୍ଗଲର ସହର ଫୁଟା ଛାତ କଇଁ !


Rate this content
Log in

Similar oriya story from Tragedy