STORYMIRROR

Nityananda Nandi

Tragedy

3  

Nityananda Nandi

Tragedy

ଛ ତିରିଶ ଲୋକାଲ

ଛ ତିରିଶ ଲୋକାଲ

6 mins
39



"ଆଉ କେତେଦିନ ରହିବେ ତମ ବାପା ?" 

ଧିରେ କୁହ ! ବାପା ଶୁଣି ଦେବେ ଯେ ! ସଙ୍ଗୀତାଙ୍କ ହାତ ପାପୁଲି ଅଚାନକ ଅରିଜିତ ଙ୍କ ମୁହଁ ଉପରେ..ସ୍ୱାଭାବିକ !! କଥାଟି ଛୋଟ ହେଲେ ବି କୋଠାରଘାତ କରେ, ବିଚଳିତ ହୁଏ ମନର ପ୍ରତିଟି ତନ୍ତୁ ଯେତେ ଯାହା ହେଲେ ବାପା ତ !

****

ସବୁଦିନ ପରି ନିତ୍ୟକର୍ମ ସାରି ଚା ପିଇଲେ ବାପା। ସୋରିଷ ତେଲରେ ପୁରି ଛଣାର ବାସ୍ନା ପାଇଲେ ବାପା କହନ୍ତି ସଙ୍ଗୀତା, କାହିଁକି କେଜାଣି, ବହୁତ ଭୋକ ଲାଗିଲାଣି ଆଜି। ଅତି ଦୁର୍ବଳତା ବାପାଙ୍କର ପୁରି ତରକାରୀ ପାଇଁ ।

ଆଜି ବି ସେ ବାପାଙ୍କୁ ଜଳ ଖିଆରେ ମନ ପସନ୍ଦର ପୁରି , ଆଳୁ ତରକାରୀ ପରଷି ଦେଲେ। ସେତେ ଖୁସି କିନ୍ତୁ ନ ଥିଲେ ସେ...।

ଚୋର ମନ ଗଣ୍ଠିରେ ବାପା ଅରିଜିତର କଥାଟିକୁ ଆଉ ଶୁଣି ନେଲେ କି। ସିଧା ଯାଇ ବାପାଙ୍କୁ ପଚାରିବା ବି ସମ୍ଭବ ନୁହେଁ !!


ବାଲକୋନିରେ ଅଧା ଘଣ୍ଟା ବସି ହରିହରନ ଙ୍କ କିଛି ଗଜଲ ଶୁଣନ୍ତି ସଙ୍ଗୀତା, ସବୁଦିନ ଠିକ ଅରିଜିତ ଅଫିସ ଯିବା ପରେ। ଜଳଖିଆ ସରିବା ପରେ ବାପା ପୁରୁଣା ବହି ଥାକରୁ ଦଶ ବର୍ଷ ତଳର ଜହ୍ନମାମୁଁ ଖୋଜି ଖୋଜି ପଢନ୍ତି। ସବୁବେଳେ କିଛି ଗୋଟାଏ ପଢ଼ିବା ବାପାଙ୍କର ଅଭ୍ୟାସ।

ଆଜି ବି ସଙ୍ଗୀତା ଆସି ବସିଲେ ବାଲକୋନିରେ, ଠିକ ସବୁଦିନ ପରି। ଝର୍କା ଦେଇ ବାପାଙ୍କ କୋଠରୀ ଭିତରକୁ ଅନେଇଲେ ସଙ୍ଗୀତା। ବାପା କାହିଁକି କେଜାଣି ଉପରକୁ ମୁହଁ କରି ଶୋଇଛନ୍ତି। ଅନ୍ୟମନସ୍କ ଲାଗୁଥିଲେ ବାପା । ହାତରେ ଆଜି ଜହ୍ନମାମୁଁ ବହି ନାହିଁ କିମ୍ବା ମନରେ ସେମିତି ପ୍ରଫୁଲ୍ଲତା ନାହିଁ !!


ଆଶା ହିଁ ରାସ୍ତା ଦେଖାଏ ଜୀବନର ପ୍ରତିଟି ଘଡିସନ୍ଧି ମୁହୂର୍ତ୍ତରେ, ଆଶଙ୍କା ରାସ୍ତାକୁ ଅବରୋଧ କରେ।


ସଙ୍ଗୀତା ଆଜି ଆଉ ଗଜଲ୍ ଶୁଣିବାକୁ ପସନ୍ଦ କଲେନି। ବାପାଙ୍କ ମନରେ ଟିକିଏ ଦୁଃଖ ସଙ୍ଗୀତାକୁ ବିବ୍ରତ କରାଏ। ମୋବାଇଲକୁ ଟି ପୟ ଉପରେ ରଖି ଦେଇ ଆକାଶ ଆଡେ ଅନେଇ ଭାବନା ରାଇଜରେ ବୁଡି ଗଲେ କିଛି ମୁହୂର୍ତ୍ତ ପାଇଁ ସଙ୍ଗୀତା।


ପ୍ରଥମ କି ଦ୍ଵିତୀୟ ଶ୍ରେଣୀରେ ମୁଁ ପଢୁଥାଏ। ବାପା ମୋତେ କାନ୍ଧରେ ବସେଇ ତିନି ମାଇଲ ଦୂର ଗାଆଁ ହାଟ କୁ ନେଇ ଯାଇଥିଲେ। ମୋ କୁନି କୁନି ପାଦକୁ କଷ୍ଟ ହେବ ବୋଲି ଆଦୌ ଚାଲିବାକୁ ଦେଲେ ନାହିଁ ସେ। ଶବ୍ଦ ହୀନ ନିସ୍ତବ୍ଧତା କିଛି ନ କହି ଅନେକ କିଛି କହି ଯାଏ। ବାପାଙ୍କ ଅଦୃଶ୍ୟ ସ୍ନେହ ବି ଠିକ୍ ସେମିତି, ଅନେକ କିଛି କହି ଯାଉଥିଲା ମୋ କାନ ପାଖରେ। ବୁଝି ପାରୁଥିଲି କେତେ ଭଲ ପାଆନ୍ତି ସେ ମୋତେ...।

ହଠାତ୍ କଲେକ୍ଟରଙ୍କ କାର ପହଞ୍ଚିଲା ହାଟରେ। କଲେକ୍ଟରଙ୍କ ଗାଡ଼ିକୁ ଦେଖିବା ପାଇଁ ଲୋକେ ଦୌଡ଼ି ଆସିଲେ ହାଟ ଭିତରୁ। ବାପା ବି ଯାଇ ଛିଡା ହେଲେ ଭିଡ଼ ଭିତରେ। ଗହଳି କମିଯିବାର ସୁଯୋଗ ନେଇ ବାପା କଲେକ୍ଟରଙ୍କୁ ହାତ ଯୋଡ଼ି କହିଲେ, ସାର୍ ! ମୋ ଝିଅକୁ ଟିକିଏ କାରରେ ବସେଇ ଦିଅନ୍ତେ ନି। ଭାରି ଖୁସି ହେବ ସେ। କେତେ ସରଳ ଥିଲେ ମୋ ବାପା ! ମୋର ସ୍ପଷ୍ଟ ଭାବେ ମନେ ଅଛି, କଲେକ୍ଟର ହସି ଦେଇ ମୋତେ କୋଳରେ ବସେଇଲେ ଡ୍ରାଇଭରକୁ କହିଲେ ଗୋଟାଏ ରାଉଣ୍ଡ ହାଟ ଚାରିପାଖେ ବୁଲେଇ ଦେ।

କାର ଭିତରୁ ଓହ୍ଲାଇବା ପରେ ବାପାଙ୍କ ଆଖିରେ ଆନନ୍ଦାଶ୍ରୁ ଦେଖି ବିଚଳିତ ହୋଇ ପଡ଼ିଥିଲି ମୁଁ। ଝିଅର ଖୁସି ପାଇଁ ବାପା ମାନେ ସବୁ କିଛି ଭୁଲିଯାଆନ୍ତି। ମୋ ଖୁସି ପାଇଁ କଲେକ୍ଟରଙ୍କୁ ହାତ ଯୋଡ଼ି ଅନୁରୋଧ କରିବାକୁ ସେଦିନ ଟିକିଏ ବି ପଛଘୁଞ୍ଚା ଦେଇ ନ ଥିଲେ ମୋ ବାପା।

ସେଇଦିନ ଅନୁଭବ କଲି ଏ ଦୁନିଆରେ ମା'ଙ୍କ ପରେ ବାପା ଗୋଟାଏ ଅଦ୍ଭୂତ ଶବ୍ଦ ! ଶବ୍ଦଟି କେତେ ସୁନ୍ଦର, କେତେ ଶାଶ୍ଵତ, କେତେ ସ୍ୱର୍ଗୀୟ। ଆଉ ବୁଝିଲି, ବାପା ସାଥିରେ ଥିଲେ ସବୁକିଛି ହାତ ପାଆନ୍ତାରେ ଥାଏ, ଜୀବନଟା ସହଜ ଲାଗେ।


ବାପାଙ୍କ ଦେହ ଖରାପ ଜାଣିଲେ ମୁଁ ବିବ୍ରତ ହୋଇପଡେ ବୋଲି ସବୁବେଳେ କଷ୍ଟକୁ ଛୁପେଇ ଦିଅନ୍ତି, ବୋଉ ବାପାଙ୍କ ଭଲ ମନ୍ଦ ବୁଝୁ ନ ଥିଲା। ସବୁବେଳେ କାମରେ ବ୍ୟସ୍ତ ରହେ ବୋଉ। ଦିନକର ଘଟଣା, ଡିଜିଟାଲ ଥର୍ମୋମିଟର ହାତରେ ଧରି ଟେମ୍ପରେଚର୍ ଦେଖୁ ଥାଆନ୍ତି। ମୋତେ ଦେଖି କପ୍ ବୋର୍ଡରେ ଲୁଚେଇ ଦେଲେ ଥର୍ମୋମିଟର ଟିକୁ। ପଚାରିଲି ବାପା ! କେତେ ଜ୍ଵର ଅଛି ? ବାପା କହିଲେ , ନର୍ମାଲ । କପବୋର୍ଡ ରୁ ଥର୍ମୋ ମିଟର ଆଣି ଦେଖିଲି, ୧୦୨। ମୋ ଆଖିରେ ଲୁହ ଭରି ଆସିଲା। ବାପା ମୁହଁ ବୁଲେଇନେଲେ। ଜଣେ ଆଦର୍ଶ ଶିକ୍ଷକ ଏମିତି ଛୋଟ ଛୋଟ ମିଛ କହିଲେ କିଛି ଭୁଲ ନୁହେଁ ବୋଲି ସେଇଦିନ ବୁଝିଲି। ସ୍ନେହ, ମମତାର ମୋହ ମଣିଷକୁ ଭ୍ରଷ୍ଟ ବନେଇ ଦିଏ, ସ୍ୱାଭାବିକ। ନଚେତ୍ ଜଣେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ମିଛର ସାହାରା ନେଲେ କାହିଁକି ? ନିଜକୁ ଅନେକ ପ୍ରଶ୍ନ ପଚାରି ବି ଆଜି ପର୍ଯ୍ୟନ୍ତ ଉତ୍ତର ପାଇନି, ଏମିତି କାହିଁକି ହୁଏ ?


କଲେଜ ରେ ପଢୁଥିବା ସମୟରେ ବୋଉ ଚାଲିଗଲେ। ବାପା ଆଉ ମୁଁ। ସବୁବେଳେ ବାପାଙ୍କ ସହ ଉଠା ବସା କରୁ କରୁ ନିଜକୁ ପରିପକ୍ୱ ମନେ କଲି ଅଳ୍ପ ବୟସରୁ। ଜୀବନକୁ ଧୀରେ ଧୀରେ ବୁଝିବାକୁ ଆରମ୍ଭ କଲି।

ବାପାଙ୍କ ସାଥିରେ ଗପୁ ଗପୁ ଥରେ କହିଥିଲି ବାପା ! ଗୋଟେ କଥା କହିବି ରଖିବ ନା। ବାପା ମୋତେ ଅନ୍ଧ ଭାବରେ ଭଲ ପାଉଥିଲେ। କିଛି ନ ବୁଝି ନ ଶୁଝି କହିଲେ ସଙ୍ଗୀତା ! ହଁ, ମନା କରିବାର ପ୍ରଶ୍ନ ଉଠୁନି କହ !!

>ବାହାଘର ସରିବା ପରେ ତମେ ମୋ ସାଥିରେ ରହିବ ସବୁଦିନ ପାଇଁ..।

ବାପା ଚୁପ୍ ହୋଇଗଲେ କିଛି କ୍ଷଣ ପାଇଁ !! କହିଲେ ତୋ ବାହାଘର ପରେ ମୋ ଭିତରେ ଆଉ କଣ ଜୀବନ ଥିବ ଯେ ମୁଁ ତୋ ସହିତ ଯାଇ ପାରିବି। ତୋ ବୋଉ ଯିବା ପରେ ମୁଁ ଅଧାରୁ ଅଧିକ ମରି ସାରିଛି ସଙ୍ଗୀତା। ତୁ ଶାଶୁ ଘରକୁ ଯିବାପରେ ମୁଁ ସମ୍ଭବତଃ ଶବଟିଏ ପାଲଟି ଯାଇଥିବି !

ଜଳୁଥିବା ମୃତ ଶରୀରରେ ଦୁଇଟି ଅଙ୍ଗାର ଅଧିକ ପକେଇ ଦେଲେ ଯେମିତି କିଛି ଫରକ୍ ପଡେନି, ଠିକ୍ ସେମିତି ଦୁଇ ମଗ୍ ପାଣି ଢାଳିଲେ ମୃତ କେବେ ଜୀବନ୍ତ ହୁଏନି ସଙ୍ଗୀତା ! ଜୀବନର ଏମିତି ସମୟ ଆସେ ଯେତେବେଳେ ପାପ ପୁଣ୍ୟ ସବୁକିଛି ଅର୍ଥହୀନ। ତୁ ଜାଣିନୁ "ବିବାହ ପରେ ଜୀବନଟା ଅନେକ ବଦଳି ଯାଏ"।

ଜୀବନଟା ଚେସ୍ ବୋର୍ଡ ପରି ଚୌଶଠି ଘର ଭିତରେ ଖେଳଟିଏ। ଗୋଟାଏ ଭୁଲ ସିଦ୍ଧାନ୍ତ ନଷ୍ଟ ଭ୍ରଷ୍ଟ କରିଦିଏ ଜୀବନକୁ। ତୋର ଏବେ ବୁଝିବା ବୟସ ହୋଇନି ସଙ୍ଗୀତା, ତୋତେ ସେ ଭୁଲ କରିବାକୁ ଦେବିନି, ବାହାଘର ପର ଜୀବନଟା ଠିକ୍ ସେଇ ଚେସ ବୋର୍ଡ ପରି। ହାତେ ମାପି ଚାଖଣ୍ଡେ ଚାଲିବାକୁ ହେବ। ବାହାଘର ପରେ ତୁ ନିଶ୍ଚୟ ବୁଝିବୁ ।


"ନା, ମୁଁ କିଛି ଶୁଣିବି ନାହିଁ ତମେ ମୋ ସାଥିରେ ରହିବ। ବୋଉ ବଞ୍ଚିଥିଲେ ମୁଁ କେବେ ଏ ପ୍ରସ୍ତାବ ରଖି ନ ଥାଆନ୍ତି "। ସଙ୍ଗୀତା ଅଟଳ ରହିଲେ ନିଜ ଜିଦରେ ।

*****

ପୁଣି ଥରେ ଝର୍କା ଦେଇ ଅନେଇଲେ ସଙ୍ଗୀତା। ବାପା ଲୁଙ୍ଗି, ଗେଞ୍ଜୀ, ଗାମୁଛା ଭାଙ୍ଗ କରି ରଖିଥାନ୍ତି ଟେବୁଲ୍ ଉପରେ। ଏମିତି ସବୁଦିନ ସଞ୍ଜ ହେଲେ ନିଜ ଜିନିଷ ପତ୍ର କପ୍ ବୋର୍ଡ ଭିତରେ ଭାଙ୍ଗି ରଖନ୍ତି। ଆଜି କିନ୍ତୁ ଏ ଅସମୟରେ କାହିଁକି ?

ସଙ୍ଗୀତାଙ୍କ ମନରେ ଦକା ପଶିଲା। ଯଦି ଅରିଜିତଙ୍କ କଥାଟି ସେ ଶୁଣି ନ ଥିବେ !! ପଚାରିଲେ ସବୁ ଅଡ଼ୁଆ ହୋଇଯିବ ବୋଲି ବାପାଙ୍କୁ କିଛି ନ ପଚାରି ଚୁପ୍ ରହିଲେ ସଙ୍ଗୀତା।

ବାପାଙ୍କ ମନ ରଖିବା ପାଇଁ ତାଙ୍କ ମନ ପସନ୍ଦର ପୋଇ ଚିଙ୍ଗୁଡ଼ି, ଚୂନା ମାଛ ଭଜା, ଭଜା ମୁଗ ଡାଲି, ଜହ୍ନି ପୋସ୍ତ ତରକାରୀ, ରସୁଣ କଞ୍ଚାଲଙ୍କା ଦେଇ ବଡ଼ି ଚୁରା ବନେଇଲେ ସଙ୍ଗୀତା। ବାପା ଖୁସିରେ ଖାଇଲେ ସବୁ କିଛି। 

ଖାଇବା ପରେ ସଙ୍ଗୀତା ସହିତ ବସି ବାପା ଏତେ ଗପିଲେ ଯେ ରାତି ଆଠଟା ହୋଇଗଲା ଜଣା ପଡିଲାନି। ସଙ୍ଗୀତା ର ଜନ୍ମ ରୁ ଆରମ୍ଭ କରି ସଙ୍ଗୀତା ର ବିବାହ ପର୍ଯ୍ୟନ୍ତ ସବୁ କଥା ଆଉ ଥରେ। ସବୁ କିଛି ଅସାଧାରଣ ଲାଗୁଥିଲା ସଙ୍ଗୀତା ଙ୍କୁ। 


***

ଅରିଜିତ ଫେରିବା ଆଗରୁ ସବୁଦିନ ପରି କ୍ଷୀର ପିଇ ବାପା ଶୋଇ ବାକୁ ଗଲେ। ଭୋର ପାଞ୍ଚ ଟା। ହଠାତ୍ କାହିଁକି ସଙ୍ଗୀତାର ନିଦ ଭାଙ୍ଗିଗଲା। ସିଧା ଉଠି ଆସିଲା ବାପାଙ୍କୁ ଦେଖିବା ପାଇଁ। ବାପା ବିଛଣା ଉପରେ ନାହାନ୍ତି। ସଙ୍ଗୀତାର ମୁଣ୍ଡ କାମ କଲାନି, କପ ବୋର୍ଡ ଖୋଲି ଦେଖିଲେ ନା ଏଆର ବେଗ ଅଛି ନା ବାପାଙ୍କ ଜିନିଷ ପତ୍ର। କପ ବୋର୍ଡରେ ଗୋଟାଏ ଚିଠି ତା ଉପରେ ପାନ ଟିଏ ରଖି ବାପା ଚାଲି ଯାଇଥିଲେ ନିଜ ଗାଆଁକୁ।

ସଙ୍ଗୀତା !

"ତୋ ଘରେ ଗୋଟାଏ ମାସ ଗୋଟାଏ ଯୁଗ ପରି ଲାଗିଲା। ତୋତେ କଥା ଦେଇଥିଲି ବୋଲି ତୋ ଘରେ ଏତେ ଦିନ ରହିଲି, ନଚେତ୍ ଝିଅ ଘରେ କେହି କଣ ରହେ ! ହଁ, ସାଧା ପାନଟିଏ ତୋ ହାତକୁ ନ ବଢେଇବା ପର୍ଯ୍ୟନ୍ତ ପିଲା ଦିନରୁ ଆଜି ପର୍ଯ୍ୟନ୍ତ ମୋ ପାନ ସଜ ପାଖରେ ତୁ ଛିଡା ହୋଇ ରହୁ। ତୋ ପାଇଁ ଆଜି ବି ପାନଟିଏ ରଖି ଯାଉଛି ଖାଇବୁ। ସବୁ ଅନିଶ୍ଚିତତା ଭିତରେ ଆଉ କେବେ ଭେଟ ହେବ ତୋତେ ମୁଁ ପାନ ବନେଇ ଦେଇ ପାରିବି କି ନା, କିଏ ଜାଣିଛି ।

ଜାଣିଛୁ ସଙ୍ଗୀତା, ଜୀବନଟା କିଛି ନୁହେଁ ଅଧା ସତ ଅଧା ମିଛର ମିଶ୍ରଣ। ଆଉ କିଛି ଅପ୍ରିୟ ସତ ଥାଏ ତାକୁ କେନ୍ଦ୍ର କରି ଜୀବନ ତା ରାସ୍ତା ଖୋଜିନିଏ। କଥାଟି ବୁଝିବା ପାଇଁ ଜଟିଳ ହେଲେ ବି ଧୀରେ ଧୀରେ ବୁଝି ହୁଏ, ତୁ ବି ପାରିବୁ !

ସ୍ବପ୍ନ ହିଁ ମୂଲ୍ୟବାନ ଜୀବନରେ ବହୁତ୍ ସ୍ବପ୍ନ ଦେଖିବୁ ସଙ୍ଗୀତା।

କିଛି ସ୍ବପ୍ନ ସତ ବି ହୁଏ...

ସେଆଡେ ଏଲଆଇସି ପ୍ରିମିୟମ, ପେନସନ ଆକାଉଣ୍ଟ୍ ରିନିୱାଲ୍ ବୋଉର ଶ୍ରାଦ୍ଧ, ଗାଆଁ ସତସଙ୍ଗ କେତେ କଣ ବାକି ପଡ଼ିଛି। ତୋତେ କହିଥିଲେ ତୁ କଣ ମୋତେ ଯିବାକୁ ଦେଇ ଥାଆନ୍ତୁ ? ଅରିଜିତଙ୍କ ମନରେ କେବେ ବି ଦୁଃଖ ଦେବୁନି। ସେ ହିଁ ତୋ ଜୀବନରେ ସବୁକିଛି। ଆସନ୍ତା ବର୍ଷ ସାବିତ୍ରୀକୁ ଆସିବି। ଅତିବେଶୀରେ ଦିନେ କି ଦୁଇ ଦିନ ରହିବି। ବେଶୀ ଜିଦ୍ କରିବୁନି ସଙ୍ଗୀତା। ତୋ ବୋଉର ଶ୍ରାଦ୍ଧ ଆଉ ତିନି ମାସ ପରେ। ଫୋନ୍ କରିବି, ଅରିଜିତଙ୍କୁ ନେଇ ଆସିବୁ । ଛ ତିରିଶ ଲୋକାଲ ଧରି ଯିବାକୁ ହେବ ଆସୁଛି ସଙ୍ଗୀତା।"


ଅରିଜିତଙ୍କ ସେଇ କଥା ଟି "ଆଉ କେତେଦିନ ରହିବେ ତମ ବାପା ?" ମର୍ମାହତ କରୁଥିଲା ସଙ୍ଗୀତାଙ୍କୁ। ବାପା ବୋଧହୁଏ ଶୁଣି ନେଇଥିଲେ କଥାଟିକୁ ।

ବାଲକୋନୀକୁ ଆସି ଷ୍ଟେସନ ଆଡ଼କୁ ଅନେଇଲେ ସଙ୍ଗୀତା ।

ସକାଳ ଛ ତିରିଶ ଲୋକାଲ ଟି ଛୁକ୍ ଛୁକ୍ କରି ଷ୍ଟେସନ ଛାଡି ଆଗକୁ ଯାଉଥିଲା, ଆଖିରୁ ଦୁଇଟୋପା ଲୁହ ନିଗିଡ଼ି ଆସି ବାଲକୋନୀ ରେଲିଂ ଦେଇ ଭୂଇଁକୁ ସ୍ପର୍ଶ କରୁଥିଲା ଧୀରେ ଧୀରେ।

ବାପାଙ୍କ ଗୋଟାଏ କଥା ବାର ବାର ପ୍ରତିଧ୍ଵନିତ ହେଉଥିଲା ମନ ଭିତରେ "ବିବାହ ପରେ ଜୀବନଟା ସମ୍ପୂର୍ଣ୍ଣ ଅଲଗା ସଙ୍ଗୀତା, ଏତେ ସ୍ଵାଧୀନତା ନ ଥାଏ ହାତେ ମାପି ଚାଖଣ୍ଡେ ଚାଲିବାକୁ ହୁଏ.."।

ଛ ତିରିଶ ଲୋକାଲଟି ଧୀରେ ଧୀରେ ଅଦୃଶ୍ୟ ହୋଇ ଯାଉଥିଲା ସଙ୍ଗୀତାଙ୍କ ଆଖି ଆଗରେ... ।



Rate this content
Log in

Similar oriya story from Tragedy