Krupasindhu Mishra

Inspirational

2  

Krupasindhu Mishra

Inspirational

ବୟସର ଦୋଷ

ବୟସର ଦୋଷ

2 mins
1.4K


ବୟସର ଦୋଷ

କୃପାସିନ୍ଧୁ ମିଶ୍ର

          ଚଷମା କାଚଟାକୁ ଆଉଥରେ ରୁମାଲରେ ପୋଛି ଚାହିଁଲେ ନୀଳାମ୍ବର ବାବୁ । ତଥାପି ସେଇମିତି ଜାଲଜାଲୁଆ ଦେଖାଯାଉଛି । ମୋତିଆବିନ୍ଦୁ ହେଲାଣି କି କ'ଣ ? ନିରକୁ କହିଲେ ଆଖି ଡାକ୍ତରଙ୍କୁ ଦେଖାଇ ଆଣନ୍ତା । ହେଲେ ତାକୁ ବେଳ କାହିଁ ? ବୋହୂକୁ କହିଲେ, "ଆରେ ମା, ପାୱାର ବଦଳିଗଲାଣି କି କ'ଣ ? ଖବରକାଗଜର ଅକ୍ଷରଗୁଡାକ ଭଲ ଦେଖାଯାଉନି ।" ବୋହୂ ମାଳା ପାଖକୁ ଆସିଲା । ଚଷମାଟା ଆଉଥରେ ତା' ଶାଢ଼ୀକାନିରେ ପୋଛି ଦେଇଦେଲା । କହିଲା, "ଏବେ ଦେଖିଲେ !" "ନୀଳାମ୍ବର ବାବୁ ବୋହୂର ମନ ରଖିବାକୁ ଆଉଥରେ ଚଷମା ପିନ୍ଧି ଖବରକାଗଜଟା ହାତକୁ ନେଲେ । କହିଲେ, "ନା, ସେଇମିତି ଜାଲଜାଲୁଆ ଦେଖାଯାଉଛି ।” ମାଳା କହିଲା, "ଇଏ ଆସନ୍ତୁ, ଆଖି ଡାକ୍ତରଙ୍କ ପାଖକୁ ନେଇଯିବେ ।”  

          ଆଠଦିନ ଚାଲିଗଲା । କଥାଟା କିଛି ବଡକଥା ନୁହେଁ । ନୀଳାମ୍ବର ବାବୁ ଚଳେଇନେଉଥାନ୍ତି । ସକାଳୁ ମର୍ନିଙ୍ଗ୍ ୱାକ୍ ରେ ଯାଆନ୍ତି, ସେଠି ତାଙ୍କ ବୟସର ଆଉସବୁ ଲୋକଙ୍କ ସାଙ୍ଗରେ କିଛିକିଛି ଯୋଗ କରନ୍ତି । ସମସ୍ତେ ମିଶି ହାଃ ହାଃ କରି ହସନ୍ତି ଜୋର୍ ରେ ।  ହସର ମାତ୍ରା ଅନୁପାତରେ ତାଙ୍କର ପାଟି ଅଧିକ ମେଲା ହେଲା ଭଳିଆ ଲାଗେ । ମାନୁର ମା' ଗଲା ପରଠୁଁ, ଅର୍ଥାତ୍ ଶବ୍ଦ ସେତେ ଜୋର୍ ବାହାରେ ନାହିଁ । ତଥାପି ହସିବାକୁ ପଡିବ, ସେଥିପାଇଁ ସେ ହସନ୍ତି । ଚଷମା ଆଉ ହସ ଭିତରେ କିଛି ସମ୍ପର୍କ ନଥିଲା । କିନ୍ତୁ ଚଷମାଟା କାମ କରିବା ବନ୍ଦ ହୋଇଯିବା ପରେ ତାଙ୍କୁ ହସିଲାବେଳେ କ'ଣ ଗୋଟାଏ ଅଟକିଗଲା ଭଳି ଲାଗେ ।

          ସେଦିନ ଗୋଟାଏ ସାଇକଲବାଲା ତାଙ୍କ ଦେହରେ ଘଷିହେଇ ଚାଲିଗଲା । ଗଲାବେଳେ ତାଙ୍କର ବୟସ ଆଉ ଦୃଷ୍ଟିଶକ୍ତି ଦୁଇଟାକୁ ତାଚ୍ଛଲ୍ୟ କରି ଦିଇଟା ଶବ୍ଦ ବି ପିଟିଦେଇଗଲା । ବଡକଷ୍ଟରେ ପଡିଯାଉଯାଉ ଅଟକିଗଲେ ନୀଳାମ୍ବର ବାବୁ । ହାତଟା ହେଣ୍ଡଲ ରେ ବାଜି ଛିଡିଗଲା । ଘରେ ପହଞ୍ଚି କାହାକୁ କିଛି ନକହି ତୁଳାରେ ଟିକିଏ ଡେଟଲ ନେଇ ଲଗେଇଦେଲେ ସେ ଛିଡିଯାଇଥିବା କ୍ଷତ ସ୍ଥାନରେ । ମାନୁ ମା' ଥିଲେ ବ୍ୟସ୍ତ ହୋଇଥାନ୍ତା । ମାଳା ଦେଖିଥିଲେ ବିରକ୍ତ ହୋଇଥାନ୍ତା । ଆଉଥରେ ଚଷମା କିମ୍ବା ଆଖି ପରୀକ୍ଷା କଥା କହିବାକୁ ତାଙ୍କୁ ଅଭିମାନର ରେଖାଟିଏ ଡେଇଁବାକୁ ପଡୁଥିଲା; କିନ୍ତୁ ସେ ଡେଇଁପାରୁ ନଥିଲେ । ସେ ଖବରକାଗଜ ପଢ଼ା ଛାଡିଦେଇଥିଲେ, ମାଳା ସେତକ ତ ନିହାତି ଲକ୍ଷ୍ୟ କରିବା କଥା । ସେ ଯଦି ନିଜ ଆଡୁ କିଛି ଅନୁଭବ ନକରୁଛି, କହିବା ଦରକାର ନାହିଁ । ବୟସ ଅଧିକ ହୋଇଗଲେ ଏମିତି ସବୁ ଦୋଷ ବାହାରେ ବୋଲି ତାଙ୍କ ସାଙ୍ଗ ହରିବାବୁଙ୍କୁ ତାଙ୍କ ପୁଅ କହୁଥିଲା । ସେ ନିଜ ରୋଗର ଅର୍ଥାତ୍ ଅଭିମାନର ବିଶ୍ଳେଷଣ ନିଜେ କରିବାକୁ ଚେଷ୍ଟା କଲେ । ଯେଉଁଦିନ ସେ ଛୋଟପିଲାଟା ଫିଙ୍ଗିଥିବା ବଲ୍ ଟା ତାଙ୍କ ମୁହଁରେ ବାଜିଗଲା ଆଉ ସେ ପଡିଗଲେ ଏବଂ ହରିବାବୁ ଓ ପତିବାବୁ ତାଙ୍କୁ ସାଙ୍ଗରେ ଆଣି ଘରେ ଛାଡିଦେଇ ଗଲେ, ସେଦିନ ମାନୁ ଜାଣିଲା ଯେ ତା ବାପାଙ୍କ ଦୃଷ୍ଟିଶକ୍ତି କମିଗଲାଣି । ତାଗିଦା କରି କହିଲା, "ତମକୁ କମ୍ ଦେଖାଯାଉଛି, ତମେ ମୋତେ କହିନାହଁ କାହିଁକି ? ମାଳାକୁ ତ କହିପାରିଥାନ୍ତ ? ଅଯଥା ଏତେ କଷ୍ଟ ପାଇଲ, ବୟସ ହେଲେ ଏମିତି ସବୁ ଦୋଷ ବାହାରେ ।" ନୀଳାମ୍ବର ବାବୁ ଚୁପ୍ ରହିଲେ । ତା'ପରଦିନ ପତିବାବୁ ଆସି ସାଂଗରେ ନେଇଗଲେ ପାର୍କକୁ । ସେଦିନ ନୀଳାମ୍ବର ବାବୁ ପାଟି କମ୍ ମେଲା କରି ବି ବେଶ୍ ଜୋର୍ ହସୁଥିଲେ, ତାଙ୍କ ହସ ସରୁ ନଥିଲା ଅନ୍ୟମାନଙ୍କର ହସ ସରିବା ପରେ ବି । ଅନ୍ୟମାନେ ତାଙ୍କ ଅଧିକ ହସର ନିଦାନ ବାହାର କଲେ, "ଏଇଟା ବୟସର ଦୋଷ ।" 

******

 


Rate this content
Log in

Similar oriya story from Inspirational