ବସ୍ତ୍ର ହରଣ
ବସ୍ତ୍ର ହରଣ
ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ତହସିଲର ଛୋଟ ଗାଆଁଟିଏ ଅଷ୍ଟପୁରା । ଓଡିଶା ମାନଚିତ୍ରରେ କୌଣସି ଐତିହାସିକ ନାମ ବହନ କରୁନଥିବା ଗାଆଁଟିଏ । ନିମ୍ନ ମଧ୍ୟବିତ୍ତ ପରିବାରର ଦୁଇ ସାଙ୍ଗ ଲିଜା ଓ ପୂଜା । ଗାଆଁ ବିଦ୍ୟାଳୟରେ ପ୍ରାଥମିକ ଓ ଉଚ୍ଚମାଧ୍ୟମିକ ଶିକ୍ଷା ସମାପ୍ତ କରି ଦୁହେଁ କପ୍ତିପଦା କଲେଜରେ ଅଧ୍ୟୟନରତ । ଗୁଗଲର ଯୁଗରେ, ଏକବିଂଶ ଶତାବ୍ଦୀରେ ଝିଅଟିର ପୁରୁଷବନ୍ଧୁଟିଏ ନଥିଲେ କୁଆଡେ ଗାଉଁଲି ମଫ । ଆଜିକାଲିର ସାହିତ୍ୟରେ ସମୟ ବିତେଇବା, କରୋନା ପାଇଁ ସମୟ ଅତିବାହିତ କରିବା ସାହିତ୍ୟିକ ପରି, ପ୍ରେମ ପାଇଁ ବି ଝିଅଙ୍କର ସମୟ ବିତେଇବା (ଟାଇମପାସ୍) ପ୍ରେମିକଟେ କୁଆଡେ ନିତାନ୍ତ ଜରୁରୀ । ଏକଥା ମୁଁ କହୁ ନାହିଁ, ଲିଜା କହୁଥିଲା ସାଙ୍ଗ ପୂଜାକୁ । ପୂଜା କହିଲା ଆଲୋ ପାଗଳୀ, ତୁ ପାଠ ପଢିବାକୁ ଆସିଛୁ ନା ଏସବୁ ସହରୀ ଝିଅଙ୍କ ବିଷୟରେ ଗବେଷଣା କରିବାକୁ । ଲିଜା କହିଲା ନା ଲୋ ପୂଜା ଆମେ ତ ଗରିବ ଘରର ଝିଅ, ଆମକୁ କଣ ମିଳିବ ଏ ସବୁରୁ । ହେଲେ ସେଇ ଯେଉଁ ଭୁବନେଶ୍ୱରର ଝିଅଟା କାଲି କଲେଜକୁ ଆସିଛି ସେ ହିଁ ତା ପୁରୁଷ ବନ୍ଧୁ କଥା କହୁଥିଲା । ତେଣୁ ତତେ ଏ ସବୁ କହିଲି ।
ପୂଜା ତାଗିଦ୍ କଲା ଲିଜାକୁ, ଏସବୁ ବାଜେ କଥା ଛାଡି ପାଠରେ ଧ୍ୟାନ ଦେ । ଏଥର ମାସିକ ପରୀକ୍ଷାରେ ତୋର ବିଜ୍ଞାନରେ ପାଞ୍ଚ ନମ୍ୱର ଅଛି । ପାଠ ନ ପଢିଲେ ଫେଲ ହେବୁ ଓ ତୋ ବା' ତତେ ଆମ ଗାଆଁ ଚିକୁଆ ହାତରେ ଟେକିଦେବ । ତୋର ପୁରୁଷ ବନ୍ଧୁ ସୁଆଗ ଛାଡିଯିବ । ଆମକୁ ପାଠ ପଢି ଘର ସମ୍ଭାଳିବାକୁ ହେବ ।
ରଙ୍ଗୀନ ସ୍ୱପ୍ନରେ ବିଭୋର ହେଉ ହେଉ କେତେବେଳେ ଲିଜା ଯୁକ୍ତ ଦୁଇ ବିଜ୍ଞାନରେ ଅକୃତକାର୍ଯ୍ୟ ହୋଇଗଲା ଜାଣିପାରିଲା ନାହିଁ । ପାଠପଢାରେ ଡୋରି ବାନ୍ଧି ଅଷ୍ଟପୁରା ଫେରିଲା ଲିଜା । ହେଲେ ପୂଜା.....!
ଭଲ ପାଠ ପଢି ଆଗକୁ ବଢିବାରେ ଲାଗିଲା ।
ସମୟର ସ୍ରୋତସ୍ୱିନୀ ଗଙ୍ଗାର ପ୍ରବାହରେ, ସମୟ ଓ ପରିସ୍ଥିତିର ଆହ୍ୱାନରେ ଲିଜାକୁ ଚାକିରୀ ପାଇଁ ତା ମାମୁଁ ଘରକୁ ପଠାଇଦେଲା ଲିଜାର ବାପା । ଚାରି ବର୍ଷ ପରେ ଅଷ୍ଟପୁରା ଗାଆଁର ସବୁଠାରୁ ଉଚ୍ଚଶିକ୍ଷିତା ହୋଇ ଗର୍ବରେ ଗାଆଁକୁ ଫେରିଲା ପୂଜା । ଅର୍ଦ୍ଧ ଭଗ୍ନ ଘର, ଡିବିରିର ମିଞ୍ଜି ମିଞ୍ଜି ଆଲୁଅରେ ଚାଳଛପର ପଟୁ ଗୃହ ମଧ୍ୟକୁ ପ୍ରବେଶ କରୁଥିବା ଜହ୍ନର ଢୋଛନାରେ ଭାବୁଥିଲା ଚାରି ବର୍ଷର ପରିବର୍ତ୍ତନ । ଯୁକ୍ତ ଦୁଇ ଫେଲ ସାଙ୍ଗ ଲିଜାର ଶଙ୍ଖମରମର ମାର୍ବଲ ଘର, ଆଉ ଉଚ୍ଚଶିକ୍ଷିତା ହୋଇ ସେ କଣ ପାଇଲା ? ଓଲଟି ବାପାମାଆଙ୍କ ଉପରେ ବୋଝ । ଛୋଟଜାତିରେ ତା ସମାସ୍କନ୍ଦ ପଢୁଆ ପୁଅ ବି ମିଳିବା ମୁସ୍କିଲ ।
ଗାଆଁ ସାରା ପାଇଁ ଉଦାହରଣ ସାଜିଥିଲେ ଦୁଇ ସାଙ୍ଗ । ଜଣେ ଯୁକ୍ତ ଦୁଇରେ ଅକୃତକାର୍ଯ୍ୟ ହୋଇ ଲକ୍ଷପତି, ଆଉ ଜଣେ ଉଚ୍ଚଶିକ୍ଷିତା ହୋଇ ଦାଣ୍ଡର ଭିକାରୀ । ଶରତଋତୁ ପାର୍ବଣର ଋତୁ । ଗାଆଁ ପୋଖରୀହିଡରେ ଜଗତଜନନୀଙ୍କ ସ୍ୱାଗତ ପାଇଁ କାଶତଣ୍ଡୀର ସମ୍ଭାର ।
ଗାଆଁସାରା ଟାହିଟାପରା । ପୂଜାକୁ ଦେଖେଇ ଗାଆଁ ସାରା କୁହନ୍ତି ହେଇରେ ପାଠୋଇ ଆସିଲା, ଜିଲ୍ଲାପାଳ ହେବ । ଅପାଠୋଇ ହେଲେ କଣ ହେଲା, ଲିଜାଟା ପୁଅ ପରି ଘରକୁ ସାହାଯ୍ଯ କଲା ଆଉ ଏ ପୂଜା....? ପାଠ ପଢି ବା' କୁ ଭିକ୍ଷାଥାଳି ଧରେଇବ । କାନରେ ହାତ ଦେଲେ ବି ଗାଆଁ ଲୋକଙ୍କ ଟାହିଟାପରା ତା ମନରେ ଘର କରିସାରିଥିଲା । ମନେମନେ ସ୍ଥିରକଲା ପୂଜା, ନା ଏଥର ଲିଜା ଗାଆଁକୁ ଆସିଲେ ତା ସାଙ୍ଗରେ ସହରକୁ ଯାଇ ତା ପରି ଚାକିରୀ କରିବ । ତା ସାଙ୍ଗ ତାକୁ ନିଶ୍ଚୟ ସାହାଯ୍ୟ କରିବ ।
ଦଶହରା କିଛିଦିନ ବାକିଥାଏ । ଦାମୀ କାରରେ ପହଞ୍ଚିଗଲା ଲିଜା । ସିଧା ଓହ୍ଲେଇଲା ପ୍ରିୟ ସାଙ୍ଗ ପୂଜା ଘରେ । ପୂଜା ଆଁ କରି ଅନେଇଥିଲା ଭୁବନେଶ୍ୱରଫେରନ୍ତା ସାଙ୍ଗ ଲିଜାକୁ । ଅତ୍ୟାଧୁନିକ ବେଶଭୂଷା । ସ୍ୱଳ୍ପ ବସ୍ତ୍ର ପରିହିତା ସାଙ୍ଗ ଲିଜାର ଶରୀରରେ ସ୍ୱର୍ଣ୍ଣାଳଙ୍କାର ଛାଉଣୀ । ଲୋଭେଇଗଲା ପୂଜା । କହିଉଠିଲା, ଏ ଲିଜା, ସୁଖଦୁଃଖ, କଥାବାର୍ତ୍ତାର ଆବଶ୍ୟକତା ନାହିଁ । ତୋ ମାମୁଁଙ୍କୁ କହି ଏ ଗରିବ ସାଙ୍ଗକୁ ତୋ ପରି ଚାକିରୀରେ ନିୟୋଜିତ କରାଇଦେବୁ ନାହିଁ କି ? ଲିଜା କିଛି କହିବାକୁ ଚାହୁଁଥିଲା, କିନ୍ତୁ ବନ୍ଧୁତ୍ୱର ଦ୍ୱାହି ଓ ରାଣ ଦେଇ ଲିଜା ପାଟିରେ ତାଲା ଦେଲା ପୂଜା ।
ଲିଜା କହିଲା ଠିକ୍ ଅଛି, ମୁଁ ଆଜି ହିଁ ଫେରିଯିବି ଭୁବନେଶ୍ୱର । ତୁ ପ୍ରସ୍ତୁତ ହୋଇଯାଆ । ଯଦି ଭଲ ଲାଗିବ ମୋପରି ଚାକିରୀ କରିବୁ ନଚେତ ଫେରି ଆସିବୁ । ଫେରିବାର ପ୍ରଶ୍ନ ନାହିଁ । ମୁଁ ବି ତୋପରି ଧନାଢ୍ୟ ହେବାକୁ ଚାହେଁ ତା ବି ସ୍ୱଳ୍ପସମୟରେ ।
ଅପରାହ୍ନରେ ଭୁବନେଶ୍ୱର ଅଭିମୁଖେ ବାହାରିଗଲେ ଦୁଇ ସାଙ୍ଗ । ରାସ୍ତା ସାରା ଲିଜା କିଛି କହିବାକୁ ଚାହିଁଲେ ଚୁପ୍ କରାଇଦେଉଥିଲା ପୂଜା । ତାର କାରଣ ଥିଲା, ପୂଜାର ଭୟ ଥିଲା କାଳେ ଲିଜା ତାକୁ ରିକ୍ତ ହସ୍ତରେ ଗାଆଁକୁ ଫେରାଇଦେବ । ପହଞ୍ଚିଗଲେ ରଙ୍ଗୀନ ସହର ଭୁବନେଶ୍ୱରରେ ଦୁହେଁ । ଲିଜାର ଘର ଦେଖି ହତଚକିତ ହୋଇଗଲା ପୂଜା।
ହୋଟେଲରୁ ଖାଇବା ବରାଦ କରିଥିଲା ଲିଜା । ଦୁଇସାଙ୍ଗ ଖୁସିରେ ଖାଇବାପର୍ବ ଶେଷ କଲେ । ଲିଜା କହିଲା, ଏ ପୂଜା ତୁ ଥକି ଯାଇଛୁ ଶୋଇପଡ । ପୂଜା କହିଲା, ବୋକି ଏତେ ଚାକଚକ୍ୟରେ ମୋତେ ନିଦ କୁଆଡୁ ହେବ ? ତଥାପି ଚେଷ୍ଟା କରିବି । ହଠାତ୍ କବାଟ ଠକ୍ ଠକ୍ ହେଲା । କବାଟ ଖୋଲି ସ୍ୱାଗତ କଲା ଲିଜା । ଅର୍ଦ୍ଧବୟସ୍କ ବାବୁ ଜଣେ ପ୍ରବେଶ କଲେ । ଲିଜା ଦୁହିଁଙ୍କର ପରିଚୟ କରାଇଦେଲା । ବାବୁଜଣକ ପୋଲିସ ଅଧିକାରୀ । ପୂଜାକୁ ଶୋଇବାକୁ କହି ଲିଜା ବାବୁଜଣକୁ ତା କୋଠରୀକୁ ନେଇ ଚାଲିଗଲା । ଝାପସା ନିଦ ପୂଜା ଆଖିରେ । କିଛି କ୍ଷଣ ପରେ ଲିଜାର ଚିତ୍କାର ଶୁଣାଗଲା । ନିଦ ହଜିଗଲା ପୂଜାର । ରାତିସାରା ବଭିନ୍ନ କିସମର ଲୋକଙ୍କ ଆଗମନ ଓ ଲିଜାର କରୁଣ ଚିତ୍କାର ଭିତରେ ନିଦ ହଜିଗଲା ପୂଜାର । ଲିଜାର ଚାକିରୀର ଅନୁମାନ ଲଗେଇସାରିଥିଲା ପୂଜା ।
ପାହାନ୍ତା ପହର । ଲିଜା ପ୍ରବେଶ କଲା ପୂଜା କୋଠରୀରେ । ଆଁ କରି ସକାଳ ପରି ଅନେଇ ରହିଥିଲା ପୂଜା । ସକାଳର ଦାମୀ ଲିପଷ୍ଟିକ ଦିଆ ଓଠରେ ରକ୍ତର ଲିପଷ୍ଟିକ । ସକାଳର ଦାମୀ ଶାଢୀ ସ୍ଥାନରେ ବିବସ୍ତ୍ର ଶରୀର । ସକାଳର ମିଷ୍ଟଭାଷୀ ସାଙ୍ଗ ଲିଜା ସ୍ଥାନରେ ମଦ୍ୟପ ଲାଜନିନ ବାଈ ।
ଶରୀର ସାରା କ୍ଷତ । ସମ୍ପୂର୍ଣ୍ଣ ଉଲଗ୍ନ ଶରୀର । ହାତରେ ବିଡାବିଡା ଟଙ୍କା । ଆଖିରେ ବୁନ୍ଦାବୁନ୍ଦା ଅଶ୍ରୁ । ପାଖରେ ବସିଗଲା ଲିଜା ଓ କହିଲା ଦେଖିଲୁ ମୋ ଚାକିରୀ ? ବାରମ୍ବାର କହିବାକୁ ଚେଷ୍ଟା କଲି ହେଲେ ତୁ ରାଣ ଦେଇ ଚୁପ୍ କରାଇଦେଲୁ ।
ପୂଜା କାନ୍ଦିକାନ୍ଦି କହିଲା ,ସାଙ୍ଗ ଏ ରାସ୍ତା କାହିଁକି ବାଛିଲୁ ?ଲିଜା କହିଲା କିଏ କଣ ଖୁସିରେ ଏସବୁ କରେ ? ମାମୁଁ କହି ଅର୍ଥାଭାବରୁ ବା' ମୋତେ ଦଲାଲ ହାତରେ ଟେକି ଦେଲା । ରଙ୍ଗୀନ ସହର ଇଏ । ଚେଇଁ ଶୋଇଥାଏ, କଡ ଲେଉଟାଏ । ରାତ୍ରିର ଅନ୍ଧକାରରେ ନିଜକୁ ରଙ୍ଗିନ କରନ୍ତି ଭଦ୍ରମୁଖା ବାବୁମାନେ ଅର୍ଥ ବିନିମୟରେ । ସ୍ପଷ୍ଟ ଦିବାଲୋକରେ ଦୂର୍ଗାଙ୍କୁ ବସ୍ତ୍ର ପିନ୍ଧାଉଥିବା ଶିକ୍ଷିତ, ଭଦ୍ର ବାବୁମାନେ ରାତିରେ ଦୂର୍ଗାଙ୍କୁ କରନ୍ତି ବିବସନା । ନାରୀ ନିର୍ଯ୍ୟାତନା, ନାରୀ ସୁରକ୍ଷା ଉପରେ ଓଜସ୍ଵିନୀ ବତ୍କୃତା ଦେଉଥିବା ବାବୁମାନେ ବେଲ୍ଟର ପ୍ରହାରରେ ନିଶାର୍ଦ୍ଧ ରାତ୍ରିରେ ନାରୀର ଉଲଗ୍ନ ଶରୀର ଉପଭୋଗରେ ପ୍ରତିପାଦିତ କରନ୍ତି ବତ୍କୃତାର ଯଥାର୍ଥତା ।
ଭୋ ଭୋ କାନ୍ଦି ଲିଜାକୁ ଗାଆଁକୁ ଫେରିଯିବାକୁ ଅନୁରୋଧ କରୁଥିଲା ପୂଜା । କରୁଣ ଚାହାଣୀରେ ମଳିନ ହସ ହସି ଲିଜା କହୁଥିଲା ସାଙ୍ଗଲୋ ! ମୁଁ ପତିତ ଫୁଲ, ଆଉ ଏ ଜନ୍ମରେ ଠାକୁରଙ୍କ ଲାଗି ହୋଇପାରିବିନି । ଗୋଟିଏ ଅନୁରୋଧ ରଖିବୁ ? ହଁ ଭରିଲା ପୂଜା । ହାତରେ ବିଡାଏ ଟଙ୍କା ଧରାଇଦେଇ ଲିଜାକହିଲା ଏ ଟଙ୍କା ନେଇ ଗାଆଁକୁ ଚାଲିଯାଆ । କିଛି ବ୍ୟବସାୟ କରିବୁ । ମୁଁ ଜାଣେ ତୁ ସ୍ୱାଭିମାନୀ । ବ୍ୟବସାୟରୁ ଅର୍ଜିତ ଅର୍ଥରେ ମୋ ଋଣ ଶୁଝି ଦେବୁ । ଆଉ କିଛି କ୍ଷଣ ଏଇଠି ରହିଲେ ତୋରି ବି ବସ୍ତ୍ରହରଣ ଅନିବାର୍ଯ୍ୟ ।
ପୂଜା ବାହାରିଆସିଲା ରଙ୍ଗୀନ ସହରର ଚାକଚକ୍ୟ ଛାଡି । କାନ୍ଦିକାନ୍ଦି କହୁଥିଲା, ହେ କାମୁକ ଭଦ୍ରମୁଖା ମନୁଷ୍ୟ ! ତୁମେପରା ଭଗବାନଙ୍କ ସର୍ବଶ୍ରେଷ୍ଠ ସର୍ଜନା । ନାରୀ ନୁହେଁ ଅବଳା, ଦୁର୍ବଳା । ନାରୀ ନୁହେଁ କ୍ରୀଡନକ । ଲିଜାର ପରିସ୍ଥିତି ପାଇଁ ଦାୟୀ ତମେମାନେ । ହେଲେ ମନେ ରଖ ସେହି ଲିଜା ଦିନେ ଦୂର୍ଗା ହୋଇ କାମରୂପି ମହିଷାସୁରମାନଙ୍କର ବଦ୍ଧ କରିବ । ବେଳ ଥାଉଥାଉ ସୁଧୁରିଯାଅ । ବସ୍ ପହଞ୍ଚିଯାଇଥିଲା ଅଷ୍ଟପୁରା । ବସ୍ ରୁ ଓହ୍ଲାଇ ଅଷ୍ଟଭୂଜାଙ୍କୁ ଅନ୍ୟାୟ ବିରୁଦ୍ଧରେ ଲଢିବାକୁ ଶକ୍ତି ଭିକ୍ଷା କରୁଥିଲା ପୂଜା...... ।।
