T.Durga Prasad Rao

Tragedy

5.0  

T.Durga Prasad Rao

Tragedy

ବର୍ଷା ବେଦନା

ବର୍ଷା ବେଦନା

6 mins
717





ଟେବୁଲ୍ ଉପରେ ଫାଇଲ୍ ଅନେକ। ହେଲେ ସାନ୍ତନୁର ଆଜି କାମରେ ମନ ନାହିଁ। ସକାଳ ପହରୁ ବର୍ଷାର ଝିପି ଝିପି ସ୍ୱନ ତାକୁ ସମ୍ପୂର୍ଣ୍ଣ ଆନମନା କରି ରଖିଛି। ଯେନତେନ କିଛି ଜରୁରୀ ଫାଇଲ୍.ରେ ଶେଷ ସ୍ପର୍ଶ ଦେଇ ସାନ୍ତନୁ ନିଜ ସିଟ୍.ରୁ ଉଠି ଝରକା ପାଖରେ ଆସି ଠିଆ ହେଲା। ବାହାରେ ଆଷାଢ଼ର ପହିଲି ମୌସୁମୀ ବର୍ଷା। ବର୍ଷୁଛି ତୁହାଇ ତୁହାଇ। କ୍ୟାବିନ୍.ର ଝରକା କାଚ, ଦେବଦାରୁ ଗଛ, ପିଚୁ ଓ କଂକ୍ରିଟ୍ ରାସ୍ତା, ଘାସଗାଲିଚା, ଗେଟ୍ ନିକଟର ରେଜିଷ୍ଟ୍ରେସନ୍ କାଉଣ୍ଟରର ଟିଣଛାତ, ଧୂସର ମାଟି ସବୁକିଛି ଭିଜି ଚାଲିଛନ୍ତି ବିନା ଓଜର ଆପତ୍ତିରେ। ଆଉ ତା ସାଙ୍ଗରେ ଭିଜି ଚାଲିଛି ସାନ୍ତନୁର ମନ ତାର ବିନା ଅନୁମତିରେ।


ଏଇଟା ସାନ୍ତନୁ ପାଇଁ କିଛି ନୂଆ କଥା ନ ଥିଲା। ତା ବିନା ଅନୁମତିରେ ବର୍ଷାର ପ୍ରତିଟି ବୁନ୍ଦା ଭେଦିଯାଏ ତାର କଲିଜା ଥରାଇ ତାର ପ୍ରତିଟି ରକ୍ତ କୋଷିକାରେ ଏକ ନୂତନ ଯନ୍ତ୍ରଣାର ସ୍ୱାଦ ଦେଇ। ସେ ଯନ୍ତ୍ରଣାର ସ୍ୱାଦ ସାନ୍ତନୁର କାମ୍ୟ। ସତେ କି ସେ ଅପେକ୍ଷାରତ ପ୍ରତିଥର ସେଇ ଯନ୍ତ୍ରଣାରେ ଜର୍ଜରିତ ହେବାକୁ, ତାର କଲିଜାକୁ ଖିନ୍ ଭିନ୍ କରିବାକୁ, ମସ୍ତିଷ୍କର ତନ୍ତ୍ରୀଗୁଡ଼ିକୁ ଛିଣ୍ଡାଇ ଏକାକାର କରିଦେବାକୁ। ଅସହ୍ୟ ହେବା ଯାଏଁ ସେ ସହିବାକୁ ଚାହେଁ ସେ ଯନ୍ତ୍ରଣା। ଧୈର୍ଯ୍ୟର ସୀମାଠାରୁ ଅଧିକ ଆଲିଙ୍ଗନ କରିବାକୁ ଚାହେଁ ସେ ଯନ୍ତ୍ରଣା। ଯନ୍ତ୍ରଣା ବିନା ଜୀବନ ତାର ରସଶୂନ୍ୟ। ଯନ୍ତ୍ରଣାର ଯେ ଉତ୍ସ, ସଞ୍ଚିତା, ସେ କିନ୍ତୁ ସାନ୍ତନୁ ପାଖରେ ନାହିଁ।

ଡୋର୍ ନକ୍ ହେଲା। ସାନ୍ତନୁର ଚକ୍ଷୁଦ୍ୱୟ ଝରକା ସେପାଖରୁ ଫେରି କାଚ ଡୋର୍ ଉପରେ ନିବଦ୍ଧ ହେଲା।

- ୟେସ୍ କମ୍ ଇନ୍।

କ୍ୟାବିନ୍ ଭିତରକୁ ପଶି ଆସିଲା ମାଳା ଆଉ କିଛି ଫାଇଲ୍ ନେଇ। ମାଳା ସାନ୍ତନୁର ସେକ୍ରେଟାରୀ। ଟେବୁଲ୍ ଉପରେ ଫାଇଲ୍ ସହ ଦିବସର କାର୍ଯ୍ୟସାରଣୀର ସ୍ଳିପ୍.ଟିଏ ସାନ୍ତନୁ ସମ୍ମୁଖରେ ଥୋଇ ଦେଇ ଚାଲିଗଲା। ସ୍ଳିପ୍ ଉପରେ ଲାଲ୍ ଲାଲ୍ ଅକ୍ଷରରେ ଆଜିର ତାରିଖ ଦେଖି ଥରି ଉଠିଲା ସାନ୍ତନୁ। ଛାତିଟା ତାର ଜୋର୍ ସୋର୍.ରେ ସ୍ପନ୍ଦିତ ହେବାକୁ ଲାଗିଲା। ନିଶ୍ୱାସ ପ୍ରଶ୍ୱାସ ପ୍ରଖର ହେବାକୁ ଲାଗିଲା। ବୋତଲ ଉଠାଇ ଢ଼କ ଢ଼କ କରି କିଛି ପାଣି ଉଦରସ୍ଥ କଲା ପରେ ବେଲ୍ ମାରିଲା ଆଟେଣ୍ଡାଣ୍ଟ୍ ଉଦ୍ଦେଶ୍ୟରେ। ସିଟ୍.ରୁ ଉଠିବାକୁ ଚେଷ୍ଟା କଲା। ହେଲେ ପାଦ ତାର ଚଟାଣ ଉପରେ ସନ୍ତୁଳନ ରକ୍ଷା କରିବାକୁ ଅସମର୍ଥ ହେଉଥିଲେ। ଆଟେଣ୍ଡାଣ୍ଟ୍ ସାନ୍ତନୁର ଅବସ୍ଥା ଦେଖି ଦୌଡ଼ି ଯାଇ ଡାକି ଆଣିଲା ମାଳାକୁ। ବଡ଼ କଷ୍ଟରେ ମାଳା ଉପରକୁ ସ୍ଳିପ୍ ଫୋପାଡ଼ି ଦେଇ ଡୋର୍ ଆଡ଼କୁ ଅଗ୍ରସର ହେଲା ସାନ୍ତନୁ। ସ୍ଳିପ୍ ଉପରେ ଆଖି ବୁଲେଇ ମାଳା ବୁଝି ପାରିଲା ତାର ଭୁଲ୍।

- ସରି ସାର୍। ଆଇ ଆମ୍ ଏକ୍ସ୍.ଟ୍ରିମ୍.ଲି ସରି। ଆକ୍ଚୁଆଲି ଆଇ ଜଷ୍ଟ କୁଡ୍ ନଟ୍ ରିକଲ୍ ଦି ଡେଟ୍।

ସାନ୍ତନୁ ଭଙ୍ଗା ଭଙ୍ଗା ସ୍ୱରରେ କହିଲା, ଇଟ୍.ସ୍ ଓକେ। ପ୍ଳିଜ୍ ଡ୍ରପ୍ ମି ଆଟ୍ ମାଇ ହୋମ୍। ମାଳାର କାନ୍ଧରେ ହାତ ଭରା ଦେଇ ସାନ୍ତନୁ ଓହ୍ଲାଇଲା ତଳକୁ। କାର୍.ର ସାମ୍ନା ଡୋର୍ ଖୋଲି ସାନ୍ତନୁକୁ ବସାଇ ଦେଇ ଡ୍ରାଇଭିଂ ସିଟ୍.ରେ ନିଜେ ବସିଲା ମାଳା। ଈଶାରାରେ ଟିକିଏ ରହିବାକୁ କହି ଗ୍ଳୋଭ୍ ବକ୍ସ୍.ରୁ ହ୍ୱିସ୍କି ବୋତଲ ବାହାର କରି ଦୁଇ ଢୋକ ପିଇ ନେଲା ସାନ୍ତନୁ। ଟିକିଏ ଆଶ୍ୱସ୍ତି ଅନୁଭବ ହେଉଥିଲା।

- ୟେସ୍, ଚାଲ।

ରାସ୍ତାରେ ଆଉ ଦୁଇ ଢ଼ୋକ ଉଦରସ୍ଥ କରି ଖାଲି ବୋତଲଟିକୁ ଝରକା ଦେଇ ଦୂରକୁ ଫୋପାଡ଼ି ଦେଲା ସାନ୍ତନୁ। ହୃତ୍.ସ୍ପନ୍ଦନ ତାର ଠିକ୍ ଅବସ୍ଥାକୁ ଫେରି ଆସୁଥିଲା ଧିରେ ଧିରେ।

- ସାର୍ ଘର ଆସିଗଲା ...

- ଆଁ... ଘର? କିଏ ଅଛି ମୋର ଘରେ?

- କିନ୍ତୁ ଆପଣ ତ କହିଲେ ଘରେ ଡ୍ରପ୍ କରିଦେବାକୁ ...

- ହଁ, କହିଥିବି, କହିଥିବି ... ନିରବ ହୋଇଗଲା ସାନ୍ତନୁ। କିଛି ସମୟ ଷ୍ଟାର୍ଟ ବନ୍ଦ କରି ଗାଡ଼ି ସ୍ଥିର ରଖିଲା ମାଳା।

- ଓହ୍ଲେଇବେ ସାର୍?

- ଉଁ... ହଠାତ୍ ନିଦରୁ ଉଠିଲା ପରି ସାନ୍ତନୁ କହିଲା, ସେଇଠିକି ଚାଲ...

- କୋଉଠିକି ସାର୍?

ମନେ ପକାଇଲା ପରି ସାନ୍ତନୁ କହିଲା, ସେଇଠିକି... ସହର ଶେଷ... କେନାଲ୍ ପାଖ ...

- ସଞ୍ଚିତା ମ୍ୟାମ୍?

- ଆଁ... ସଞ୍ଚିତା... ୟେସ୍ ସଞ୍ଚିତା... ଓଃ... ଅନ୍ୟମନସ୍କ ହୋଇ ପଡ଼ୁଥିଲା ସାନ୍ତନୁ। ଆଜି ଭାବନା ତାର ଥଳକୂଳ ମାନୁନି। ହ୍ୱିସ୍କି ବି ଶେଷ ହୋଇଗଲା। ଗ୍ଳୋଭ୍ ବକ୍ସ୍.ରେ ହାତ ମାରିଲା ସାନ୍ତନୁ। ଏଥରକୁ ମିଶାଇ ଛଅଥର ହେଲାଣି। ହେଲେ ଆଉ ବୋତଲ ଥିଲେ ତ ପାଇବ? ବାହାରେ ବର୍ଷା ଥମୁନି। ଥମୁନି ସାନ୍ତନୁର ଯନ୍ତ୍ରଣା।

ସଞ୍ଚିତା। ନାଁ ନୁହେଁ, ସତେ କି ଅଙ୍କା ବଙ୍କା କଳ କଳ ଛଳ ଛଳ ନଈଟିଏ। ନୀଳ ଆକାଶରେ ଧୋବ ଫର ଫର ଭାସମାନ ମେଘଖଣ୍ଡଟିଏ। ଯାହାର ପ୍ରବହମାନରେ କୌଣସି ସୀମାରେଖା ନାହିଁ। ଯାହାର ନମନୀୟତା, କୋମଳତାର କୌଣସି ତୁଳନା ନାହିଁ। ସଞ୍ଚିତା ସାନ୍ତନୁର କମ୍ପାନୀରେ ଜଣେ କର୍ମଚାରୀ। ସବୁ କର୍ମଚାରୀଙ୍କ ପରି ସେ ମଧ୍ୟ ସାନ୍ତନୁ ପାଇଁ ସାଧାରଣ। ହେଲେ ଏମିତି ଏକ କୋହଲା ବର୍ଷା ରାତିରେ ହଠାତ୍ ଦିନେ ତା ଘର ଭିତରକୁ ପଶିଯାଇ ସେ ପାଲଟି ଯାଇଥିଲା ଅସାଧାରଣ।

- ସାର୍, ପ୍ଳିଜ୍ ହେଲ୍ପ ମି ସାର୍। ତିନି ଜଣ ବଦମାସ୍ ମୋ ପଛରେ। ଆଉ ଟିକେ ଆଗକୁ ଯାଇ ପାରିଲେ ମୁଁ ମୋ ବାନ୍ଧବୀ ଘରେ ପହଞ୍ଚି ଯାଇ ପାରିବି। ହେଲେ ସମ୍ଭବ ନୁହେଁ। ସେମାନେ ମୋର ଖୁବ୍ ନିକଟତର। ମୋତେ ଡ଼ର ମାଡ଼ିବାରୁ ମୁଁ ବାଧ୍ୟ ହୋଇ ଆପଣଙ୍କ ଘର ଭିତରକୁ ପଶି ଆସିଲି।

ସାନ୍ତନୁ ଆପାଦମସ୍ତକ ଚାହିଁଲା ସଞ୍ଚିତା ଆଡ଼େ। ଓଦା ସର ସର ପୋଷାକ ଚିପି ହେଇଯାଇଛି ଦେହ ସାଙ୍ଗରେ। ଆଖିରେ ବ୍ୟସ୍ତତାଭରା ଭୟାତୁର ଚାହାଣୀ। ଅଙ୍ଗ ଅବୟବରେ ଇତସ୍ତତଃ ଭାବ।

- ସାର୍ ଆପଣ ମୋତେ ଚିହ୍ନି ପାରିଲେ ତ? ସଞ୍ଚିତା, ଆପଣଙ୍କ ଅଫିସ୍ କର୍ମଚାରୀ, ଆଡ୍.ଭାଟାଇଜିଂ ସେକ୍ସନ୍?

- ଓ, ହଁ, ମିସ୍ ସଞ୍ଚିତା। 2006 ବ୍ୟାଚ୍, ରାଇଟ୍?

ସଞ୍ଚିତା ମୁଣ୍ଡ ହଲାଇଲା।

- ତମେ ତ ପୁରା ଓଦା ହୋଇଯାଇଛ ମିସ୍।

- ନୋ ୱରି ସାର୍। ଟିକିଏ ରହି ବର୍ଷା କମିଲେ ଚାଲିଯିବି।

- ଯଦି ସେ ବଦମାସ୍ ମାନେ ପୁଣି ଦେଖା ହୁଅନ୍ତି?

ସଞ୍ଚିତା ଚାହିଁଲା ଘଡ଼ିଏ ସାନ୍ତନୁ ମୁହଁକୁ। ତାପରେ ଟିପୟ ଉପରେ ଥଣ୍ଡା ପାଗରୁ ବର୍ତ୍ତିବା ପାଇଁ ସାନ୍ତନୁ ସଜାଡ଼ିଥିବା ପେଗ୍.ରୁ କିଛି ଉତ୍ତାରିନେଲା ନିଜ କଣ୍ଠଦେଇ ଉଦରକୁ।

- ଭେରି ଥାର୍ଷ୍ଟି। ସାର୍ ଇଫ୍ ୟୁ ଡୋଣ୍ଚ୍ ମାଇଣ୍ଡ୍, ମୋତେ ଛାଡ଼ି ଦେବେକି ମୋ ବାନ୍ଧବୀ ଘରେ? କହିଦେଇ ଗ୍ଳାସ୍ ର ଅବଶିଷ୍ଟ ପାନୀୟକୁ ଗଳାଧଃକରଣ କରୁ କରୁ ପୁଣି ପଚାରିଲା – ଏଇଟା ୱାଇନ୍ ନୁହଁ ତ ସାର୍? କିଛି ଅଲଗା ଅଲଗା ବାସୁଛି?

ସାନ୍ତନୁ ମନେ ମନେ ସ୍ୱଗତୋକ୍ତି କଲା - ଗୋ ଅନ୍, ପିଇ ସାରିଲଣି ଯେତେବେଳେ... ଏବେ ୱାଇନ୍ ହେଉ କି ସରବତ୍ କଣ ଅଛି ସେଥିରେ? ହେଲେ ବାହାରକୁ କହିଲା - ନୋ, ନୋ ନଟ୍ ଏଟ୍ ଅଲ୍।

ସଞ୍ଚିତାର ମୁଣ୍ଡ ଝିମ୍ ଝିମ୍ କରିବା ଆରମ୍ଭ କରି ଦେଇଥିଲା। ତାକୁ ସବୁ ଝାପ୍.ସା ଝାପ୍.ସା ଦିଶୁଥିଲା। ସେ ସାନ୍ତନୁର ଅନୁମତିକୁ ଅପେକ୍ଷା ନ କରି ଧୀର ପଦରେ ଯାଇ ଓଦା ସର ସର ଦେହରେ ସୋଫା ଉପରେ ବସି ପଡ଼ିଲା। ସଞ୍ଚିତାର ପତାଦ୍ୱୟ ଓଜନିଆ ହୋଇ ଆସୁଥିଲା। ସେ ନିଶାଗ୍ରସ୍ତ ଭାବରେ ହସିକି କହିଲା - ଇଟ୍.ସ୍ ୱା..ଇ..ନ୍ ସାର୍, ବଟ୍ ଭେରି ସୁଦିଂ ଓଭର୍ ଫିୟର୍।

ସେ ରାତି ସଞ୍ଚିତା ପହଞ୍ଚି ପାରିଲା ନାହିଁ ମାତ୍ର ପାଞ୍ଚଶ ମିଟର ଦୂର ତାର ବାନ୍ଧବୀ ଘରେ। ନିଜେ ସାନ୍ତନୁ ବାଧ୍ୟ ହୋଇଥିଲା ତାର ଓଦା ଲୁଗା ବଦଳାଇ ତାକୁ ତା ନିଜର ସାର୍ଟ୍ ପ୍ୟାଣ୍ଟ୍ ପିନ୍ଧାଇ ଦେଇ ଶଯ୍ୟାରେ ଶୁଆଇ ଦେବାକୁ। ସକାଳେ ନିଜକୁ ଲକ୍ଷ୍ୟ କରି ସଞ୍ଚିତା ହତଚକିତ ହୋଇ ଯାଇଥିଲା। ସନ୍ଦେହ କରିଥିଲା ସାନ୍ତନୁକୁ। ହେଲେ ପ୍ରତ୍ୟୁତ୍ତରରେ କେବଳ ମୁରୁକି ମୁରୁକି ହସିଥିଲା ସାନ୍ତନୁ। ସାନ୍ତନୁର ହାବଭାବରୁ ସଞ୍ଚିତା ଧୀରେ ଧୀରେ ଫେରି ପାଇଥିଲା ତାର ଅପହୃତ ବିଶ୍ୱାସ। ଆଉ ସାନ୍ତନୁ ହାତ ଯୋଡ଼ି ଦେଇଥିଲା ସେଇ ଅଜଣା ଦୁର୍ବୃତ୍ତମାନଙ୍କ ଉଦ୍ଦେଶ୍ୟରେ ଯେଉଁମାନେ ସଞ୍ଚିତା ପରି ତରୁଣୀଟିଏକୁ ତା ଜୀବନ ପରିସର ଭିତରେ ପ୍ରବେଶ କରାଇ ପାରିଛନ୍ତି। ତା ପରଠାରୁ ପଛକୁ ଫେରି ଚାହିଁ ନାହାଁନ୍ତି ସାନ୍ତନୁ ଓ ସଞ୍ଚିତା।

ସଞ୍ଚିତାର ବଡ଼ ଦୁର୍ବଳତା ହେଲା ବର୍ଷା। ଲଘୁ ଝିପି ଝିପି ବର୍ଷାରେ ସ୍ୱାସ୍ଥ୍ୟକୁ ଭୃକ୍ଷେପ ନ କରି ମନଭରି ଭିଜିବାକୁ ଭଲପାଏ ସଞ୍ଚିତା। ହାତ ଦୁଇଟିକୁ ପ୍ରସାରିତ କରି ଉପରକୁ ଚାହିଁ ଗୋଲ୍ ଗୋଲ୍ ଘୂରେ। ପାଟି ଆଁ କରି ବର୍ଷା ବୁନ୍ଦାକୁ ଜିଭର ସ୍ପର୍ଶ ଦେଇ ଆଖିପତାକୁ ମୁଦି ଦିଏ ଏକ ଅଦ୍ଭୁତ ଶିହରଣରେ। ସଞ୍ଚିତାର ସେ ଖୁସିର ମୁହୂର୍ତ୍ତ, ଇନ୍ଦ୍ରିୟମାନଙ୍କ ପୁଲକର ମୁଦ୍ରାସବୁକୁ ସାନ୍ତନୁ ଅତି ନିକଟରୁ ଦେଖେ, ଉତ୍ତାରି ଦିଏ ନିଜ ଡିଜିଟାଲ୍ କ୍ୟାମେରାରେ ବିଭିନ୍ନ ଆଙ୍ଗେଲ୍.ରୁ।

ସେଇ ବର୍ଷା ଯେ ସଞ୍ଚିତା ଜୀବନରେ ଦିନେ ମୃତ୍ୟୁ ଦୂତ ହୋଇ ପହଞ୍ଚିଯିବ, ଏକଥା ନା ସଞ୍ଚିତା ନା ସାନ୍ତନୁ କେବେ କଳ୍ପନାରେ ଭାବିଥିଲେ। ସେଦିନ ଛୁଟିଦିନ। ଅଫିସ୍.ର ସବୁ କର୍ମଚାରୀଙ୍କୁ ନେଇ ଏକ ଛୋଟକାଟିଆ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲା ସାନ୍ତନୁ। ଯେଉଁଠି ସମସ୍ତଙ୍କ ସାମ୍ନାରେ ଏକ ଅଭିନବ କାଇଦାରେ ପ୍ରପୋଜ୍ କରିଥିଲା ସଞ୍ଚିତାକୁ ନିଜର ଜୀବନ ସଙ୍ଗୀନୀ ରୂପେ ପାଇବା ପାଇଁ। ସଞ୍ଚିତାର ଖୁସି କହିଲେ ନ ସରେ। ସମସ୍ତଙ୍କର ସ୍ନେହ, ସଦିଚ୍ଛା, ଆଶୀର୍ବାଦ ସାଉଁଟି ଘରକୁ ଫେରିବା ସମୟରେ ହଠାତ୍ ମଝିରାସ୍ତାରେ ବର୍ଷା ଆରମ୍ଭ ହୋଇଗଲା। ସେମାନଙ୍କ ନୂଆ ଜୀବନର ପ୍ରାରମ୍ଭରେ ବର୍ଷାର ସଙ୍କେତକୁ ସାନ୍ତନୁ ଶୁଭଙ୍କର ମନେ କଲା। ଏଣେ ସଞ୍ଚିତାର ମନ ଉଚ୍ଚାଟ। ଶରୀର ତାର ବର୍ଷାରେ ଭିଜିବାକୁ ଆକୁଳ। କୌଣସି ମତେ ନିଜକୁ ଆୟତ୍ତରେ ରଖି ପାରୁନାହିଁ ସଞ୍ଚିତା।

- ପ୍ଳିଜ୍, ପ୍ଳିଜ୍, ପ୍ଳିଜ୍ ରଖନା ଗାଡ଼ି। ସଞ୍ଚିତାର ଅନୁନୟଭରା ସ୍ୱର।

- ଏ ମଝି ରାସ୍ତାଟାରେ ଭିଜିବ ନା କଣ।

- ନା, ତମେ ମୋତେ ଆକଟ କରନି, ପ୍ଳିଜ୍। ମାତ୍ର ପାଞ୍ଚମିନିଟ୍।

ସାନ୍ତନୁ କାର୍.ଟିକୁ ରାସ୍ତା ପାର୍ଶ୍ୱରେ ନେଇ ଠିଆ କରେଇଛି କି ନା ସଞ୍ଚିତା ଡୋର୍ ଖୋଲି ରାସ୍ତା ଉପରେ। ତାକୁ ଆଉ କିଛି ଦିଶୁନଥିଲା। ସେ କେବଳ ଉପରକୁ ମୁହଁ କରି ବର୍ଷାଧାରକୁ ଚାହିଁଛି ଆଉ ହାତ ଉଠାଇ ଗୋଲ୍ ଗୋଲ୍ ଘୁରୁଛି।

- ସଞ୍ଚିତା ବି କେର୍.ଫୁଲ୍। ଭେହିକଲ୍.ସ୍ ଆର୍ କମିଙ୍ଗ୍।

ହେଲେ କିଛି ବି ଶୁଭୁନାହିଁ ସଞ୍ଚିତାକୁ। ସାନ୍ତନୁ କ୍ୟାମେରା ଉଠାଇ ଆସିବା ଭିତରେ ଦ୍ରୁତ ବେଗରେ କାର୍.ଟିଏ ଆସି ପିଟି ହୋଇଗଲା ସଞ୍ଚିତା ଦେହରେ। ବାସ୍, ସବୁ ଶେଷ।

- ୱି ହାଭ୍ ରିଚଡ଼୍ ସାର୍। ମାଳା ଗାଡ଼ିଟିକୁ ଶ୍ମଶାନର ପାଚେରୀକୁ ଲଗେଇ ପାର୍କିଂ କରୁ କରୁ କହିଲା।

- ଆଁ... ହଁ... । ସାନ୍ତନୁ ଭାବନା ରାଇଜରୁ ଫେରିଲା।

ବର୍ଷା ତଥାପି ଛାଡ଼ି ନ ଥାଏ। ଆକାଶରେ ମେଘ ସେମିତି ଓହଳି ରହିଛି ମାର ବେକ ଧରି ଅଝଟ ଶିଶୁଟିଏ ଓହଳିଲା ପରି। ସେଇ ମେଘ ଭିତରେ ଦିଶୁଛି କାହାର ଥମ୍ ଥମ୍ ଭରା ମୁହଁ। ସାନ୍ତନୁ ଆଣ୍ଠୁମାଡ଼ି ବସିଲା ସଞ୍ଚିତାର ସମାଧି ନିକଟରେ।



Rate this content
Log in

Similar oriya story from Tragedy