ବରଫ ଝଡ଼ (p- 28)
ବରଫ ଝଡ଼ (p- 28)
ଓଃ କି ବରଫ ଝଡ଼ !
ଏ ବରଫ ଝଡ ହେଲେ ମୋ ଛାତି ଥରି ଉଠେ। ଭୟରେ ତଣ୍ଟି ଶୁଖିଯାଏ । ନିଃଶ୍ବାସ ଏଣେ ତେଣେ ପଶି ବେଜାଏ କଷ୍ଟ ଦିଅନ୍ତି।
କୌଣସି ସୂଚନା ନଥାଇ ଥିବ ଥିବ ହୋଇଯିବ ବରଫ ଝଡ଼ । ଘର ଗେଟ୍ ପାଖରେ ହେଉ ହେଉ ଅଚାନକ ହେଲା ମାତ୍ରାଧିକ ଏ ଝଡ଼ । ତରବରରେ ଘର ଭିତରକୁ ଯିବାକୁ ଚାହିଁଲାରୁ ଗେଟ୍ ତାଲା କେଉଁ ଶୀଘ୍ର ଖୋଲୁଛି ଯେ ! ଓ ଭଗବାନ ତାଲା ଟା ଖୋଲ ତ। ବରଫ ମାଡ଼ରେ ଦେହ ମୁଣ୍ଡ କୋଲ ମାରି ଯାଉଥାଏ।ସହଜେ ଶୀତ ଋତୁକୁ ତାପମାତ୍ରା ପୁରା କମ୍ । ଆଉ ଗୋଟିଏ ମିନିଟ ଏ ବରଫ ଛେଚା ଖାଇଲେ ମୋ ପ୍ରାଣଟି ଚାଲିଯିବ ବୋଧେ। ତାଲାରେ ବରଫ ଜମି ଯାଇଛି । ବାଡେଇ ବାଡେଇ ଶେଷରେ ତାଲାଟି ଖୋଲିଲା।ପାଞ୍ଚ ମିନିଟ ହେଲାଣି ତାଲାଟି ଖୋଲୁ ନଥିଲା ହୋ।
ଘର ଭିତରକୁ ପଶି ଯାଇ ଆଗ ପୋଷାକ ପତ୍ର ଓହ୍ଲେଇ ଦେଲି। ଗ୍ୟାସ୍ ରେ ଗରମ ପାଣି ବସେଇ ଦେଲି।। ଦେହର ଥରିବା ବନ୍ଦ ହେଉ ନ ଥାଏ। ନିଆଁ ଟିକେ ଲଗେଇ ଦେଲି ହାତ ଗୋଡ଼ ସେକିବା ପାଇଁ।ବ୍ଲାକ କଫି ଟିକେ କରି ପିଇ ଦେଇ ରେଜେଇ ତଳେ ପଶିଗଲି।ଏମିତି ବରଫ ଝଡ଼ ଆଗରୁ ଥରେ ହୋଇଥିଲା। ସେ ଝଡ଼ରେ ଆମ ଜୀବନରେ ଝଡ଼ଟିଏ ବୁହାଇ କରିଦେଇଥିଲା ନିରବ। ଆଜି ପୁଣି ସେମିତି ଝଡ଼ ମୋତେ ଭିଷଣ ଭୟ ଦେଉଥିଲା। ଯା ହେଉ ଅଧ ଘଣ୍ଟାରୁ ଅଧିକ ଝଡ଼ଟି ହୋଇ ବନ୍ଦ ହୋଇଗଲା।
ଅଳ୍ପ ଝରକା ଟିକେ ଖୋଲିଲି।ମୋ ଝରକା ଆଗରେ ପାର୍କଟିଏ। ସମ୍ପୂର୍ଣ ବରଫ ଆଚ୍ଛାଦିତ ପାର୍କ। ଲୋକେ ଏଠାକୁ ସ୍କେଟିଂ ଅଭ୍ୟାସ କରିବାକୁ ଆସନ୍ତି।ପିଲାମାନେ ସ୍କେଟିଂ ରେ ଖୁବ୍ ମଜା କରନ୍ତି । ମୋ ମିଷ୍ଟର ସ୍ୟାଣ୍ଡି ଙ୍କର ମୋଠାରୁ ଚାରି ଘଣ୍ଟା ବିଳମ୍ବରେ ଆସନ୍ତି।ତାଙ୍କ ଅଫିସଟି ଆମ ଘର ଠାରୁ ଢେର୍ ଦୂର । ମୋ ଅଫିସ ଏଠୁ କୋଡ଼ିଏ ମିନିଟର ବାଟ। ବେଳେବେଳେ ଚାଲି ଚାଲି ଅଫିସ ଯାଏ। ଅଫିସରୁ ଆସିଲେ କଫି କପ୍ ଧରି ବସିଯାଏ ଏଇ ଝରକା ପାଖରେ।ସମ୍ପୂର୍ଣ୍ଣ ପାର୍କଟି ଦିଶେ। ପିଲା, ଯୁବକ, ବୟସ୍କଙ୍କ ଖେଳ ଓ ମଜା ମସ୍ତି ତଥା କାର୍ଯ୍ୟ କଳାପ ଲକ୍ଷ୍ୟ କରେ ଏଇଠୁ। କେବେ କେବେ ମୋ ସାଙ୍ଗ ନାସା, ନିଏନ, ନିଟି ଡାକନ୍ତି ସ୍କେଟି ଖେଳିବାକୁ । ଛୁଟିଦିନ ମାନଙ୍କରେ ସ୍କେଟିଂ ଖେଳିବାକୁ ଚାଲିଯାଏ।
ଆମ ଘର ପାଖେ ବେଶୀ ଦୋକାନ ବଜାର ନାହିଁ। କିନ୍ତୁ ଘରଟି କିଣିଲା ବେଳେ ପ୍ରଥମେ ଧ୍ୟାନ ଦେଇଥିଲୁ ପିଲାଙ୍କ ପାଠ ପଢାକୁ। କିଛି ଥାଉ ନ ଥାଉ ଭଲ ସ୍କୁଲ ପାଖରେ ହିଁ ଘର କିଣିବା କିମ୍ବା ଜାଗା କିଣି ଘର ତିଆରି କରିବା। ନୂଆ ନୂଆ ଚାକିରୀ। ଏଣୁ ଅର୍ଥର ଅଭାବ ଥିଲା। ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କରିବା ଆମ ସାଧ୍ୟ ବାହାରେ ଥିଲା ।ଏଣୁ ଏଇ ଘରଟିକୁ କିସ୍ତି ଆକାରରେ କିଣି ଦେଲୁ।
ଆମର ଝିଅ କୀଟ୍ ଓ ପୁଅ ସିଡ୍ ପସନ୍ଦ ନାପସନ୍ଦ, ଆଚାର ବ୍ୟବହାର ବୁଦ୍ଧିରେ ଦୁଇ ବିପରୀତ ଧର୍ମୀ ପିଲା । କୀଟ୍ ଖୁବ୍ କ୍ରୀଡା ପ୍ରିୟ। ସ୍କୁଲ ସମୟତକ ଛାଡିଦେଲେ ସେ ସବୁବେଳେ କିଛି ନା କିଛି ଖେଳରେ ବ୍ୟସ୍ତ ରହୁଥିଲା। ସେ ବେଶୀ ବରଫ ଉପରେ ଖେଳିବାକୁ ଭଲ ପାଉଥିଲା।ସ୍କୁଲରୁ ଆସିଲା ମାତ୍ରେ ତା ବନ୍ଧୁଙ୍କ ସହ ସ୍କେଟିଙ୍ଗ ଖେଳରେ ମାତି ଯାଏ।ଦୁଇ ଥର ସ୍କେଟିଂ ରେସ୍ ଚମ୍ପିୟାନ ବି ହୋଇଥିଲା। କୀଟ୍ ସ୍ୟାଣ୍ଡିଙ୍କ ଅତି ପ୍ରିୟ।
କିନ୍ତୁ ସିଡ୍ ଅପେକ୍ଷା କୃତ ଡରୁଆ ନରମ ପିଲାଟିଏ ଥିଲା । ଖେଳା ଖେଳିକୁ ପସନ୍ଦ କରୁ ନ ଥିଲା। ସବୁବେଳେ ଫୋନ୍ କି କମ୍ପ୍ୟୁଟର ନଚେତ୍ ବହିରେ ମୁହଁ ଗୁଞ୍ଜୁଥିଲା ।ଯେଉଁଥି ପାଇଁ ତା ସ୍ୟାଣ୍ଡି ସିଡ୍ ଉପରେ ବିରକ୍ତ ହେଉଥିଲେ। ସ୍ମାର୍ଟ ହେବା ପାଇଁ ପ୍ରବର୍ତ୍ତାଉ ଥିଲେ । କିନ୍ତୁ ସିଡ୍ ବଦଳୁ ନ ଥିଲା ।
କୀଟ୍ କୁ ସାତ ବର୍ଷ ହୋଇଥାଏ। ଦିନେ ହଠାତ୍ ଏମିତି ବରଫ ଝଡ଼ ସାଂଘାତିକ ଭାବେ ହେଲା। ଯେନ ତେନ ଉପାୟରେ ମୁଁ ଘରେ ପହଞ୍ଚି ଗଲି।ପିଲାମାନେ ସ୍କୁଲରୁ ଆସି ଯାଇଥିଲେ। ଝଡ଼ ପୂର୍ବରୁ ସ୍କେଟିଂ ଖେଳିବାକୁ ଚାଲି ଯାଇଥିଲା କୀଟ୍। କେବଳ ଆସି ନଥିଲେ ସ୍ୟାଣ୍ଡି।
ପ୍ରବଳରୁ ପ୍ରବଳତ୍ତର ବରଫ ଝଡ଼ ହେଲା ବନ୍ଦ ହେବା ନାଁ ନ ନେଇ । ସ୍ୟାଣ୍ଡି ଆସିବା ବାଟରେ ଅଟକି ଯାଇଥିଲେ । ଗାଡି ବରଫ ଗଦା ଠେଲି ଆଗେଇ ପାରୁ ନାହିଁ ବୋଲି ଫୋନ୍ କରିଥିଲେ। ସିଡ୍ ତାର ଫୋନ୍ ରେ ଗେମ୍ ଖେଳୁଥିଲା । ଝଡ଼ ହେବା ଦେଖି ଡାକ ଛାଡ଼ିଲି କୀଟ୍ ,ପଳେଇ ଆ ମାଆ। କୀଟ୍ କିଛି ଉତ୍ତର ଦେଇ ନ ଥିଲା। ଝରକା ଖୋଲି ଦେଖିଲି ବରଫ ପାର୍କରୁ ଯିଏ ଯୁଆଡେ ପାରୁଥାନ୍ତି ପ୍ରାଣ ମୂର୍ଚ୍ଛା ଦୌଡୁଥାନ୍ତି । ବରଫରୁ ରକ୍ଷା ପାଇବା କୋର୍ଟ ପିନ୍ଧି ହେଲମେଟ୍ ଲଗାଇ ଛତା ଓ ଟର୍ଚ୍ଚ ଟିଏ ଧରି କୀଟ୍ କୁ ଖୋଜିବାକୁ ବାହାରି ପଡ଼ିଲି। ଆଗକୁ ଇଞ୍ଚେ ଯିବା ବହୁ କଷ୍ଟ ହେଉଥାଏ।
କଷ୍ଟେ ମଷ୍ଟେ ପାର୍କ ପାଖକୁ ଗଲି। ଝଡ଼ରୁ ରକ୍ଷା ପାଇବା ପାଇଁ ପାର୍କ ପାଖରେ ଗର୍ମେଣ୍ଟ ଏଗାରଟି ବିଶ୍ରାମ ଘର ବନେଇଛି। ଆଶା ସେଇ ବିଶ୍ରାମ କକ୍ଷରୁ ମିଳିଯିବ କୀଟ୍ । ସମସ୍ତ କକ୍ଷ ଦେଖିଲା ପରେ ବି କୀଟ୍ କୁ କେଉଁଠି ପାଇଲି ନାହିଁ ।କୁଆଡେ ଗଲା ସେ ? ମୋତେ ଖୁବ୍ କାନ୍ଦ ଲାଗିଲା। କୀଟ୍ କୀଟ୍ ଚିତ୍କାର କରି ପାର୍କ ଭିତରକୁ ଖୋଜିବାକୁ ଗଲି। ଅନ୍ୟମାନେ ମୋତେ ବାରଣ କରି କହୁଥାନ୍ତି ଯାଅନି ଜୀବନ ପ୍ରତି ବିପଦ ଅଛି।
ମୋ ଛୁଆଟା ବିପଦରେ ତ ମୋ ବିପଦ ଦେଖେ କିଏ ? ଗୋଡ଼ ହାତ ବରଫରେ ବଧିରା ହୋଇଗଲାଣି।ଚାଲିବାକୁ ବଳ ନାହିଁ। ପଡ଼ିଗଲି।ତଥାପି ଘୁଷୁରୀ ଘୁଷୁରୀ ଯାଉଥିଲି ଏବଂ ଟର୍ଚ୍ଚ ପକାଉଥିଲି ଚାରି ଆଡକୁ। ମୋ ଆଖି ଅଟକି ଗଲା ଯେଉଁଠି ମୋ ଝିଅର ସ୍କେଟିଂ ଟା ପଡିଥିଲା। କିଛି ଦୂରରେ ଗୋଟେ ଚେରୀ ଗଛ ଗଣ୍ଡିକୁ କେହି ଧରି ଥିବାର ମୋତେ ଲାଗିଲା। ବରଫ ପଡି ଜଣା ପଡୁ ନଥାଏ ଠିକ୍ ରେ । କେବଳ ଗଛକୁ ଜାବୁଡି ଧରିଥିବା ପାପୁଲି ଦିଟା ଦିଶୁଥାଏ।
ଗଛ ମୂଳକୁ ଯାଇ ବରଫ କାଢି ଦେଖିଲି ତ କଣ ! କୀଟ୍ ....। କୀଟ୍ ମୋର ବରଫ ସହ ବରଫ ହେବା ଉପରେ। ଝଡ଼ ଥମି ଆସୁଥିଲା । ଜ୍ୟାକେଟ କୋର୍ଟ ଖୋଲି କୀଟ୍ କୁ ମୋ ଦେହ ସହ ଜାବୁଡି ଧରି ଚିତ୍କାର କଲି ହେଲ୍ପ ହେଲ୍ପ। ତାପରେ କଣ ହୋଇଛି ମୁଁ ଜାଣିନି। ହୋସ୍ ଆସିଲା ବେଳକୁ କୀଟ୍ ଓ ମୁଁ ହସ୍ପିଟାଲରେ ଥିଲୁ।
ଆଉ ମୋ କୀଟ୍ ହରେଇ ସାରିଥିଲା ଗୋଟେ ଗୋଡ଼।