Siddhartha Tripathy

Tragedy Fantasy Inspirational

3.7  

Siddhartha Tripathy

Tragedy Fantasy Inspirational

ବୃଦ୍ଧ କାଳେ ବାଲ୍ୟ ଲୀଳା

ବୃଦ୍ଧ କାଳେ ବାଲ୍ୟ ଲୀଳା

4 mins
406



(ଜୀବନ ଯମୁନାରେ ଜୁଆର ଉଠେରେ।)

ସମସ୍ତେ କୁହନ୍ତି ଝିଅଟି ଲତା ଜାତୀୟ । ବିନା ସାହାରାରେ ବଢିପାରେନା । କିନ୍ତୁ ପୁରୁଷ କ୍ଷେତ୍ରରେ ବି ସେଇ ଏକା କଥା।


ଛୋଟବେଳୁ ଭଲ ପାଠ ପଢ଼ୁଥିଲେ ତନ୍ମୟ । ଆଭିଜାତ୍ୟର, ଖାନଦାନୀ ପରିବାରର ସନ୍ତାନ ସେ। ବ୍ୟବହାର, ଚାଲିଚଳଣ ସବୁ ମାର୍ଜିତ କିନ୍ତୁ ସମ୍ପର୍କର ଡୋର ବହୁତ କ୍ଷୀଣ । ବାପା-ମାଆ ଦୁଇ ଭାଇ-ଭଉଣୀ ଗୋଟିଏ ଗୃହରେ ଅବସ୍ଥାନ କଲେ ବି ସ୍ନେହର ପରିମାଣ କମ୍ । ସମ୍ପର୍କର ସେତୁ ଦୁର୍ବଳ । ଉଚିତ ପ୍ରାର୍ଥିନୀ ଦେଖି ଠିକ୍ ସମୟରେ ବିବାହ ବନ୍ଧନରେ ଛନ୍ଦି ଦିଅନ୍ତି ବାପା ମାଆ। ସଂସାର ଗତିଶୀଳ ହୁଏ । ଦଇବ ଦାଉ ସାଧେ । ବିୟୋଗ ହୁଏ ପତ୍ନୀଙ୍କର । ଏକା ହୋଇଯାଆନ୍ତି ତନ୍ମୟ । କଥାରେ ଅଛି ସୁଖ ଦୁଃଖ ମୁଦ୍ରାର ଦୁଇଟି ପାର୍ଶ୍ବ । ହେଲେ ଦୁଃଖର ଅନ୍ତ ଘଟେନି ତନ୍ମୟର। ଦୁଃଖରେ ମ୍ରିୟମାଣ ତନ୍ମୟର ଘରେ କଳାକନା ବୁଲେଇ ଦିଅନ୍ତି ଡକାୟତ । ଭାଙ୍ଗିଯାଏ ମନ। ପନ୍ଦର ବର୍ଷର ଚାକିରୀ ଜୀବନର ଜମା ପୁଞ୍ଜି ଶେଷ ହୋଇଯାଏ। ଦୁଃଖର ବୋଝ ସମ୍ଭାଳିବାର ସୀମା ପାର ହୋଇଯାଇଥାଏ ତନ୍ମୟର। କେତେ ବା ସହିବ । ସଂସାର ସରିଗଲା, ସମ୍ପତ୍ତି ସରିଗଲା। ମୃତ୍ୟୁକୁ ଆହ୍ୱାନ କଲେ ବି ମୃତ୍ୟୁ ଆସେନା।


   ମୃତ୍ୟୁ ବି ହାର ମାନିବା ପରେ ପୁଣି ବଞ୍ଚିବାକୁ ଅଣ୍ଟା ଭିଡିଲା ତନ୍ମୟ। ସ୍ତ୍ରୀଙ୍କ ଦେହାନ୍ତ ପରେ ବନ୍ଧୁ ବାନ୍ଧବମାନେ ବି ଦୂରେଇ ଗଲେ । ଗୋଟିଏ ସାନ୍ତ୍ୱନା ଥିଲା ଚାକିରୀ। ଧିରେଧିରେ ସ୍ଥିତି ସମ୍ଭାଳିନେଲା ତନ୍ମୟ । ବୟସ ୪୫ ଛୁଇଁଲା । ବିଛଣାରେ ଶୋଇଲେ ଅନୁଭଵ ହେଲା ଶୂନ୍ୟତା । ମନ କଲା ସାଥିଟିଏ ସୁଖର ଦୁଃଖର । ଶାରୀରିକ ସମ୍ପର୍କ ତା'ର ଆବଶ୍ୟକ ନଥିଲା, କିନ୍ତୁ ପ୍ରେମ ଓ ଶାନ୍ତିର ଆଲିଙ୍ଗନରେ ଶୋଇଯିବାକୁ ଚାହୁଁଥିଲା ସେ । କିଛି ଯୁବତୀ ସଂସ୍ପର୍ଶରେ ଆସିଲା କିନ୍ତୁ ଲକ୍ଷ୍ୟ କଲା ସମସ୍ତଙ୍କ ଉଦ୍ଦେଶ୍ୟ ମିଥ୍ୟା ନାଟକ କରି କିଛି ଅର୍ଥ ଲୁଟିନେବା । କାରଣ କିଛି ସମୟ କଥା ହେଲେ ତାର ଅସହାୟତା, ସରଳତା ମାପି ନିଅନ୍ତି ଚତୁରୀ ଯୁବତୀ ମାନେ । ମନଟା ଭାରାକ୍ରାନ୍ତ ହୋଇଉଠିଲା । ନିଜକୁ ନିଜେ ବୁଝେଇଲା ଏ ବୟସରେ ପ୍ରତାରଣା, ଛଳନା ଛଡା ଆଉ କିଛି ହାତରେ ଲାଗିବାର ନାହିଁ।


      ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ଦେଖା ହେଲା ସୁନ୍ଦରୀ ତରୁଣୀ ରଶ୍ମିତା । ଧିରେଧିରେ ନିକଟତର ହେଲା ତନ୍ମୟ। ସବୁ ଦୁଃଖ ଶୁଣିଲା ପରେ ନିଜର ଦୁଃଖ କାହାଣୀ ଗପିଲା ରଶ୍ମିତା। କହିଲା ତନ୍ମୟ ଦୁହେଁ ଗୋଟିଏ ନାଆର ନାଉରୀ। ତନ୍ମୟ ପଚାରିବସିଲା ତମର ଦୁଃଖ କ'ଣ ରଶ୍ମିତା। ସୁନ୍ଦରୀ ତୁମେ ତଥା ହୃଦୟବତୀ। ମଥାରେ ସିନ୍ଦୂର ଦାଉ ଦାଉ। ଅସୁବିଧା କ'ଣ? ଆଖିରୁ ଲୁହ ପୋଛି ରଶ୍ମିତା କହିଲା, ଯାହା ବାହାରକୁ ଦେଖାଯାଏ ପ୍ରକୃତରେ ସବୁ ସେମିତି ନୁହଁ। ମୁଁ ଗୋଟିଏ ପୁଅକୁ ଭଲ ପାଉଥିଲି। ତାର ସନ୍ତାନ ମୋ ଗର୍ଭରେ ଥିବା ସମୟରେ ସେ ମୋ ସହ ଛଳନା କଲା। ସୌଭାଗ୍ୟବଶତଃ ଜଣେ ମହାନ ବ୍ୟକ୍ତି ମୋ ହାତଧରିବାକୁ ରାଜି ହେଲେ। ବାହାଘର ବି ସରିଲା । ମୁଁ ଗୋଟିଏ ସନ୍ତାନର ଜନନୀ। ହେଲେ ଯୌଥ ପରିବାରରେ ମୋତେ ପଞ୍ଜୁରୀ ଭିତରେ ଶାରୀ ପରି ଲାଗୁଛି । ଓଃ! ଏଇ ସାମାନ୍ୟ କଥାରେ ଏମିତି ଵ୍ୟସ୍ତ ହୁଅନ୍ତିନି ରଶ୍ମିତା। ସ୍ୱାମୀକୁ ଭଲପାଇବା ଶିଖ, ଜୀବନ ସୁଧୁରିଯିବ। ସେୟା ହିଁ କଲା ରଶ୍ମିତା। ପରିବାର ତା'କୁ ବହୁତ ଆପଣାର ଲାଗିଲା। ହେଲେ ଚିନ୍ତା କଲା, କ'ଣ କହିବ ଦୁଃଖି ତନ୍ମୟକୁ। ତାକୁ ବହୁତ ସ୍ୱପ୍ନ ଦେଖାଇଛି ସେ। ଧିରେଧିରେ କାର୍ଯ୍ୟ ବ୍ୟସ୍ତତାର ବାହାନା କରି ତନ୍ମୟ ଠାରୁ ଦୂରେଇବାକୁ ଲାଗିଲା ରଶ୍ମିତା। ତନ୍ମୟକୁ ବୁଝେଇବାକୁ ଲାଗିଲା; ତନ୍ମୟ ହୁଏତ ମୁଁ ତୁମସହ ଜୀବନ ଅତିବାହିତ କରିପାରିବିନି, ମୋର ସ୍ୱାମୀ ସଂସାର ଅଛି, ହେଲେ ତୁମେ ମୋର। ସୁନ୍ଦରୀ ନାରୀର ମନସ୍ତତ୍ତ୍ୱ ଠିକ୍ ବୁଝି ସାରିଥିଲା ତନ୍ମୟ।ହସିଉଠି ବୁଝାଉଥିଲା ରଶ୍ମିତାକୁ ନିଜ ଘର ସଂସାର ଦେଖିବା ପାଇଁ କିନ୍ତୁ କାନ୍ଦିଉଠୁଥିଲା ଅନ୍ତର। ମନୁଷ୍ୟ ମନ ତ।ଦେହ ଖରାପ ଥିଲେ ବିଛଣାରେ ଶୋଇ ଭାବେ ରଶ୍ମିତା ପାଖରେ ଥାଆନ୍ତା କି? ହେଲେ ସ୍ୱପ୍ନ କ'ଣ ସତ ହୁଏ ? ଚାଲାକ୍ ରଶ୍ମିତା ସମ୍ପୁର୍ଣ୍ଣ ଭାବେ ପଢିସାରିଥିଲା ସରଳ ତନ୍ମୟକୁ । ତାକୁ ସମ୍ପୁର୍ଣ୍ଣ ଭାବରେ ଦୂରେଇ ଦେବାକୁ ଚାହୁଁ ନଥିଲା ରଶ୍ମିତା। କାରଣ ଆଗକୁ ରଶ୍ମିତାର ପାରିବାରିକ ସ୍ଥିତି ବିଗିଡିଗଲେ ଦୁନିଆର ସରଳ ତନ୍ମୟମାନେ ହିଁ କାର୍ଯ୍ୟରେ ଲାଗନ୍ତି। ବେଳେବେଳେ ରଶ୍ମିତା କୁହେ ବୃଦ୍ଧକାଳେ ବାଲ୍ୟଲୀଳା। ହସିହସି କଥା ବଦଳାଇ ଦେଇ କୁହେ, ନା ମଜା କରୁଥିଲି କଥା ଧରନି। ସବୁ ବୁଝିସାରିଥିଲା ତନ୍ମୟ। ମନରୁ ଜୀବନସାଥି ଆଶା ବାହାର କରି ଦେଇଥିଲା ତନ୍ମୟ। ଜୀବନ ତ ଜିଇଁ ସାରିଛି ଆଉ ଅଧିକ କିଛି ପାଇବାର ନାହିଁ। ବିଶେଷ ଅସୁବିଧା ହେଲେ ଆତ୍ମହତ୍ୟାର କଠୋର ଓ ଦୃଢ ନିଷ୍ପତ୍ତି ନେଲା ତନ୍ମୟ। ଦଦରା ଡଙ୍ଗା ଗଡେଇ ଚାଲିଥିଲା। ମନକୁ ବୁଝେଇ ସାରିଥିଲା। ତାପରି ବୟସରେ ସାଥି ଖୋଜିବା ବୋକାମୀ ଛଡ଼ା କିଛି ନୁହଁ । କ'ଣ ଅଛି ତା'ର, କିଏ ହାତ ଧରିବ ଏ ବୟସରେ।ନାନାଦି ପ୍ରଶ୍ନ।


    ହଠାତ୍....ତନ୍ମୟର ଶୂନ୍ୟ ହୃଦୟରେ ଆଶାର କିରଣ ଆଣିଦେଇଥିଲା ସୁରଭି । ଦୁଃଖିନୀଟେ । ଦୁହିଁଙ୍କ ବିଚାରଧାରା ଓ ମନ ବି ମିଶୁଥିଲା। ମରିମରି ବଞ୍ଚିଥିଲା ସୁରଭି। ନା ଥିଲା ସଂସାରର ମୋହ ନା ଥିଲା ଜୀବନର ଲୋଭ । ଦୁଇ ଦୁଇଟି ପୁରୁଷ ଦ୍ୱାରା ଅତ୍ୟାଚାରିତା। ମରିଯାଇଥିଲା ମନ, ସରି ଯାଇଥିଲା ସଂସାର ଓ ସଂସାରର ମୋହ । ଏତିକି ଭରସାରେ ବଞ୍ଚିଥିଲା ତା ବାପାମାଆ ଓ ସାନଭଉଣୀ ସୁରଭିକୁ ଆପଣେଇନେଇଥିଲେ। ଏହି ଝଡ ଝଞ୍ଜା, ଏପଟେ ସ୍ୱାମୀ ପରିତ୍ୟକ୍ତା। ସାହିପଡିଶା ଟାହିଟାପରା କରୁଥିଲେ । ସମସ୍ତଙ୍କୁ ଲୁଚେଇ ଲୁଚେଇ ବହୁତ କାନ୍ଦୁଥିଲା ସୁରଭି । ଆଖିର ଲୁହ ଆଖିରେ ଶୁଖୁଥିଲା, ଅଥବା ପିନ୍ଧିଥିବା ବସ୍ତ୍ର ସାଥ ଦେଉଥିଲା ଲୁହ ପୋଛିବାରେ । ସୁରଭିର ଦୁଃଖ କୌଣସି ଚଳଚ୍ଚିତ୍ର କାହାଣୀଠାରୁ କମ୍ ନଥିଲା। ଦୁନିଆଁରେ ଏତେ ଅସଭ୍ୟ ମନୁଷ୍ୟ ବି ଥାଆନ୍ତି କଳ୍ପନା ବି କରିପାରୁନଥିଲା ତନ୍ମୟ। ସେମାନେ ତ ମନୁଷ୍ୟ ପଦବାଚ୍ୟ ନୁହନ୍ତି, ପଶୁଗୁଡାକ। ବହୁତ ବୁଝେଇଲା ସୁରଭିକୁ। ହେଲେ ଏତେ କଷ୍ଟ ସହିଥିବା ଝିଅଟି ଆଉ ବିଶ୍ୱାସ କରିପାରୁନଥିଲା ପୁରୁଷ ଜାତିକୁ। ପ୍ରେମ, ପ୍ରଣୟ ନାଆଁ କହିଲେ ଚିଡି ଉଠି କାନ୍ଦିପକୋଉଥିଲା ସୁରଭି । ଦୁଃଖିଟିଏ ଦୁଃଖିନୀର ଦୁଃଖ ବୁଝିପାରେ। ଧିରେଧିରେ ପ୍ରେମ ଗଢିଉଠିଲା ତନ୍ମୟ ଓ ସୁରଭି ଭିତରେ । ଦୁହିଁଙ୍କର ପ୍ରେମ ଶାରୀରିକ ମିଳନ କିମ୍ବା କୌଣସି, ଲାଳସାର ନଥିଲା, ଥିଲା ସ୍ଵାର୍ଥ ରହିତ, ସରସ, ସୁନ୍ଦର । ଥିଲା ବିଶ୍ୱାସ, ଭରସା, ଶାନ୍ତିର । ଦୁହେଁ ଦୁହିଁଙ୍କୁ ପଢ଼ିସାରି ଥିଲେ। ଦୁଃଖର ଜ୍ୱ।ଳାର ପରିସମାପ୍ତି ଘଟି ହସର ସଂକ୍ରମଣ ହୋଇଥିଲା ଦୁହିଁଙ୍କ ଭିତରେ ‌। ଘୃଣାର ପାହାଡ଼ ଉପରେ ଠିଆ ହୋଇ କାନ୍ଦୁଥିବା ନାରୀଟି ବନି ଯାଇଥିଲା ପ୍ରେମ ପାଗଳିନୀ, ତନ୍ମୟର ଅର୍ଦ୍ଧାଙ୍ଗିନୀ । ହଁ ସେ ପ୍ରେମ ଥିଲା ଆବିଳତା ରହିତ, ଶରୀର ସୁଖ ରହିତ । ପ୍ରେମରେ ଶରୀର ସୁଖ ହିଁ ପ୍ରେମର ମାପକାଠି ନୁହେଁ କହୁଥିଲେ ଦୁହେଁ । ସବୁ ରାଣ, ନିୟମ, ଘୃଣା, ଦୁଃଖ ହାରମାନିଥିଲା ପବିତ୍ର ପ୍ରେମ ଆଗରେ।


    ତନ୍ମୟ କହିଲା, ସୁରଭି ବୃଦ୍ଧକାଳେ ବାଲ୍ୟଲୀଳା । ସୁରଭି କହିଲା ଧେତ୍! ଆମେ କ'ଣ ଜୀବନ ଜିଇଁ ଥିଲେ କି? ବର୍ତ୍ତମାନ ପରା ଆମ ଜୀବନ ଆରମ୍ଭ। ବୃଦ୍ଧକାଳେ ବାଲ୍ୟଲୀଳା ନୁହେଁ ବୁଦ୍ଦୁ! ଜୀବନ ଯମୁନାରେ ଜୁଆର ଉଠେରେ! ଠୋ ଠୋ ହସୁଥିଲେ ଦୁହେଁ ଡୃଢ ଆଲିଙ୍ଗନ ଭିତରେ...।



Rate this content
Log in

Similar oriya story from Tragedy