ବୋଉ ତୁ ମନେ ପଡୁ
ବୋଉ ତୁ ମନେ ପଡୁ
ଆଜି ସୁଦଶା ବ୍ରତ।
ମନ ପଡୁଛି ବୋଉ।
ପ୍ରତି ପର୍ବ ପର୍ବାଣୀରେ ବୋଉ ମନେ ପଡେ ବେଶୀ। ନାହିଁ ସଶରୀରେ ଦୃଶ୍ୟମାନ ହୋଇ କିନ୍ତୁ ଅଛି ମୋ ଭିତରେ ଅଦୃଶ୍ୟରେ। ଏମିତି ଥିବ ବିନୁରୁ ମୁଁ ଶବ ହେବା ପର୍ଯ୍ୟନ୍ତ।ଏଡିକି ଟିକିଏ ମଣିଷ ଚକ୍ରି ପରି ଅହରହ କାମରେ ବ୍ୟସ୍ତ ଥିବ। ଆମେ ତିନି ଭାଇ ଭଉଣୀ, ମୋ ଦୁଇ ପିଉସୀ ଜିନାନୀ ଓ ପିନାନୀ , ଦାଦା ,ଜେଜେବାପା ଓଜେଜେମାଙ୍କ ମନ ନେଇ ଖୁସି ଖୁସି ଅହ୍ୟ ଡେଙ୍ଗୁରା ପିଟିବା ବୟସ କେତେବେଳେ ଛୁଇଁଲା ଓ ଅହ୍ୟ ରାଣୀ ହୋଇ ଗଲା ଭାବିଲେ ଲୁହେଇ ଆସେ ମନ। ବାଷ୍ପ ରୁଦ୍ଧ ହୋଇଯାଏ କଣ୍ଠ।
ବୋଉ ମଣିଷ ନୁହେଁ ମେସିନ୍ ଟିଏ ଅବା।କିଏ କଣ ଖାଇବ,କାହାର କେଉଁ ପୋଷାକ ସଫା ହେବ, ବାଡ଼ି ଘର ଓଳାଓଳି, ଆମ ତିନି ଜଣଙ୍କ ଦାୟିତ୍ୱ ସହ ପାଠ ପଢା, ବନ୍ଧୁ ବାନ୍ଧବ, ରାଜା ହାକିମ ସବୁ କଥା ବୁଝେ ସେ। ଜେଜେଙ୍କର ଘଣ୍ଟାକୁ ଘଣ୍ଟା ଚା । ଦାଦା ଓ ପିଉସୀ କଲେଜ ଯିବେ ବୋଲି ସହଳ ରୋଷେଇ କାମ ସହ ହଳୁଆ ମାନଙ୍କ ଖାଇବା ପିଇବା ସବୁ ବୁଝେ ଏକୁଟିଆ କେମିତି ?ବାପା କେବଳ ମାସକୁ ମାସ ଟଙ୍କା ପଠେଇ ଦିଅନ୍ତି। ଘର ବାହାର ସବୁ ଟିକି ନିକି ସବୁ ବୁଝେ ବୋଉ। ଜେଜେ ଓ ଜେଜେ ବାପା ହଲିଲା ପାଣିରେ ଗୋଡ଼ ବୁଡାନ୍ତି ନାହିଁ। ଜେଜେମା ଶ୍ଵାସ ରୋଗୀକୁ ଜେଜେବାପା ହାଇ ଡାଇବେଟିସକୁ ହାଇ ପ୍ରେସର ରୋଗୀ ।
ରୋଗିଣା ଶାଶୁଶଶୁରଙ୍କୁ ତିନି ଜଣ ବଡ଼ ଛୁଆ ମୋ ଦାଦା ଓ ପିୟୁସି ସହ ଆମେ ତିନି ଜଣ ଛୋଟ ପିଲାଙ୍କ କଥା ବୋଉ କେମିତି ଏକା ବୁଝୁଥିଲା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଆମର ଗୋଟିଏ ମାତ୍ର ଝିଅ। ତଥାପି ତାର ସମସ୍ତ ଖିଆଲ ମୁଁ ଓ ମୋ ମିସେସ୍ ସିମି ଠିକ୍ ରେ ନେଇ ପାରୁନା କାହିଁକି ?
ବୋଉ କେମିତି ପାରୁଥିଲା ଆଠ ନଅ ଲୋକଙ୍କ କଥା ବୁଝି!ମୋ ବୋଉକୁ ଦେଖି ସୂର୍ଯ୍ୟ ଉଦୟ ହୁଅନ୍ତି।ଘଣ୍ଟା କଣ୍ଟା ଈର୍ଷା କରନ୍ତି ତାକୁ। ମୁଁ ବୁଝି ପାରେ ନାହିଁ ବୋଉ ଉଠେ କେତେବେଳେ ପୁଣି ଶୁଏ କେତେବେଳେ ।
ବୋଉ ମାନେ ଥକନ୍ତି ନାହିଁ !
ନିଦ ଓ ଖାଦ୍ୟ ତାଙ୍କ ବୋଲ ମାନନ୍ତି କେମିତି !
କେବେ ବି ଟିକେ ତ କ୍ଲାନ୍ତ ହୋଇ ଆଉ ପାରିବିନି କହିବା ମୁଁ ଜାଣିନି !ନକ ନକ ପତଳା ଶରୀରକୁ ଅଳ୍ପ ଉଚ୍ଚା ମୋ ବୋଉ।ପିନ୍ ପିନ୍ ଗୋରା। ବାହା କି ବ୍ରତ ଘରରେ ସଜବାଜ ହେଲେ କି ସୁନ୍ଦର ଦିଶେ ! ତା ଚାଲି ମୋତେ ଦୌଡା ପରି ଲାଗେ।
ସମସ୍ତ ପର୍ବ ପର୍ବାଣୀରେ ମନ ପଡେ ବୋଉ ଆଉ ତା କର୍ମ ଚଞ୍ଚଳତା । ଆଜି ସୁଦଶା ବ୍ରତ।ଛଅଟା ବାଜିଲାଣି କିନ୍ତୁ ସିମି ଉଠି ନାହିଁ । ହେଲେ ବୋଉକୁ ସୁଦଶା ବ୍ରତ ହେଉ କି ମାର୍ଗଶିର ମାଣବସା ଅବା ଅନ୍ୟ ଯେ କୌଣସି ପର୍ବ। ତାକୁ ନିଦ ନ ଥିବ। ସୁଦଶା ବ୍ରତ ଓ ମାଣବସା ପୂର୍ବ ରାତିରେ ଆମ ସଭିଙ୍କୁ ଖୁଆଇ ପିଆଇ ଶୁଆଇ ଦେଲା ପରେ ତା କାମ ଆରମ୍ଭ କରେ। ଆମ ତିନି ପିଲା ମଧ୍ୟରେ ମୁଁ ବଡ଼। ମୋ ତଳକୁ ଶ୍ରଦ୍ଧା ଓ ତା ତଳକୁ ମୋ ସାନ ଭାଇ ମନୁ । ସେ ଦୁଇଜଣ ଖାଇ କି ଶୋଇ ପଡ଼ନ୍ତି ।ମୁଁ କିନ୍ତୁ ବୋଉ ଶୋଇବା ଯାଏ ତା ପଛେ ପଛେ ବୁଲୁଥାଏ।
ବିନୁ ଶୋଇବୁ ଯାଉନୁ।
ତୋ ସାଙ୍ଗରେ ଶୋଇବି।
ମୋର କଣ ଏବେ କାମ ସରିବ।ରାତି ପାହିଯିବ ପରା।
ତୁ ଶୋଇବୁ କେତେବେଳେ ? ନ ଶୋଇଲେ କାଲି ଘୁମେଇବୁ ତ ?
ବୋଉ ହସି ମୋ ମୁଣ୍ଡ ଆଉଁସି କୁହେ ,ପାଗଳାଟା ଓଷା ବ୍ରତ ପଡିଲେ ଏମିତି ଚାହିଁବାକୁ ପଡ଼ରେ ଧନ। ମୋତେ ନେଇ ବୋଉ ଶୁଆଇ ଦେଇ ଆସେ। ସକାଳୁ ଉଠିଲା ବେଳକୁ ଘର ଦ୍ୱାର ସଫା ତଫା ହୋଇ ଚକ୍ ଚକ୍ ମାରୁଥାଏ। ଝୁଣା ଓ ଗୁଆ ଘିଅ ବଳିତା ବାସ୍ନାରେ ଘର ମନ୍ଦିର ପରି ମହ ମହ ବାସୁଥାଏ। ଆମ ସମସ୍ତଙ୍କୁ ଗାଧୋଇ ଆସି ମାଣ ପାଖେ ମୁଣ୍ଡିଆ ମାରି ସିନ୍ଦୁର ଲଗାଇ ଗାଙ୍ଗୁଲାରେ ଘୋଡା ହୋଇଥିବା ଭୋଗ ପାଇବାକୁ ଦିଏ। ଆଃ ଗାଙ୍ଗୁଲାରେ ଛେନା, ନଡ଼ିଆ,
କଦଳୀ,ଗୂଡ଼ ସହ,ମରିଚ,ଅଦା ଓ ଗୁଆ ଘିଅ ପଡି ବଢିଆ ଅମୃତ କୁଣ୍ଡଟିଏ ହୋଇଥାଏ। ମୋର ଏ ଭୋଗ ଭାରି ପ୍ରିୟ।
ମୁଁ କୁହେ ଆଉ ଟିକେ ଦେ ଆଉ ଟିକେ ଦେ।ବୋଉ କୁହେ ଭୋଗ ପରା ସମସ୍ତେ ପାଇବେ। ବୋଉ ମାନଙ୍କ ପରି ସମଦର୍ଶୀ ବିରଳ ମାପଦଣ୍ଡ ଏଯାଏ ହୁଏତ ବାହାରି ନାହିଁ। ତାରି ପାଇଁ ତ ଯୌଥ ପାରିବର ଯୋଡି ହୋଇ ରହୁଥିଲା ଅତୁଟ ବନ୍ଧନରେ। ମଧ୍ୟାହ୍ନ ବେଳକୁ ଆହୁରି ମଜା। ଅରୁଆ ଭାତ,ଘିଅ ଛୁଙ୍କ ଡାଲମା ,ଓଉ ଖଟା, ଶାଗ , ଘିଅ ଭଜା ବରା ,କଦଳୀ ପତ୍ର ପକେଇ ସପରିବାର ବସି ଯାଉ ଖାଇବା ପାଇଁ।ଅଥାର ମଣ୍ଡା ପିଠା ବି ନାଗି ଦିଆ ହୋଇଥାଏ। ଖାଦ୍ୟ ଖାଇବା ପୂର୍ବରୁ ତାର ବାସ୍ନା ଶୋଷି ନେଉ ଆଗ।ଆମେ ସ୍କୁଲ ଗଲାରୁ ବୋଉ ଅନେଇଁ ଥିବ ମୁହଁକୁ ପାଣି ନ ନେଇ ଆମ ଫେରିଲା ସମୟକୁ । ଗୋଡ଼ ହାତ ଧୋଇ ଆସିବୁ।ଆମକୁ ଆଗ ଖୁଆଇ ଦେଲା ପରେ ସେ ଖାଇବ । ଆହା ଏବେ ଅରୁଆ ଭାତ,ଘିଅ ଛୁଙ୍କ ଡାଲମା ତ ଖାଉଛି କିନ୍ତୁ ବୋଉ ହାତର ସେ ସ୍ୱାଦ କାହିଁ ?
ରଜର ପୋଡ଼ପିଠା ବୋଉ କି ବାଗରେ କରେ କେଜାଣି ନହ ନହ ବାଜୁଥିବ । ଅଦା ଗୁଜୁରାତି ବାସ୍ନା ଛୁଟୁଥିବ । ଦୋଳରେ ଘିଅ ନଡ଼ିଆ ପାତି ପକେଇ ଯେଉଁ ଉଖୁଡା ଓ ଆରିସା ପିଠା ଆମ ଦାଣ୍ଡକୁ ଆସୁଥିବା ଦୋଳ ଆଗରେ ଭୋଗ ଲଗେଇବା ପାଇଁ କରେ ତା କି ସ୍ୱାଦିଷ୍ଟ !
ଦଶହରାର ମଣ୍ଡା ହେଉ କି ଚିତଉ ଅମାବାସ୍ୟାର ଚିତଉ ପିଠା କିମ୍ବା ରାକ୍ଷୀର ଏଣ୍ଡୁରୀ କଣ ପକେଇ ବୋଉ କରିଥାଏ ଯେ ଆଉ ଯିଏ ଯେତେ କଲେ ସେମିତି ଲାଗୁନି !
ପୋରୁହାଁ ଅଷ୍ଟମୀ କଥା ନିଆରା । ବଡ଼ ହେତୁ ଏ ପର୍ବ ଟି ମୋ ପାଇଁ ସ୍ୱାତନ୍ତ୍ୟ ରଖେ। ସକାଳୁ ସକାଳୁ ଗାଧୋଇ ଦେଇ ବୋଉ ନୂଆ ପିନ୍ଧାଇ ଠାକୁର ଘରେ,ଜେଜେବାପା ,ଜେଜେମା ଆଉ ଯିଏ ଯେତେ ମାନ୍ୟ ବ୍ୟକ୍ତି ସମସ୍ତଙ୍କୁ ମୁଣ୍ଡିଆ ମାରିବାକୁ କୁହେ। ମନ୍ଦିରରେ ଭୋଗ ଲଗେଇ ଆସିବାକୁ ପଠାଏ। ତାପରେ ପିଠା ଖାଇବାକୁ ଦିଏ। ହଳଦୀ ପତ୍ରରେ ସେ ଯେଉଁ ଏଣ୍ଡ୍ରରି ପିଠା କରେ ତାର କି ଅପୂର୍ବ ବାସ୍ନା !ଶାମ୍ବ ଦଶମୀର ଘଡ଼ ଘଡ଼ିଆ ତରକାରୀ ,ବାଇଗଣ ପତ୍ର ବଢା ବୁଢା ଚକୁଳି ଭୋଗକୁ ଏବେ ବି ମନ ଝୁରେ।
ଏବେ ଜେଜେବାପା ଜେଜେମା ଓ ବୋଉ ଆକାଶର ତାରା। ବାପା ଅବସର ପରେ ଦାଦାଙ୍କ ପାଖରେ ଗାଁ ରେ ଅଛନ୍ତି। ସିମି ଓ ମୁଁ ସଫ୍ଟୱେର ଇଞ୍ଜିନିୟର, ହାଇଦ୍ରାବାଦରେ ଅଛୁ । ଆମ ଝିଅ ନିତ୍ୟା ଏଇଠି ପଡୁଛି। ଆଜିକାଲି ଚାକିରିର ଅବସ୍ଥାକୁ ନେଇ ଆମେ ମନ ଖୁସିରେ ଗାଁ କୁ ଯାଇ ପାରୁ ନାହିଁ। କାଁ ଭାଁ ଯାଉ।
ପ୍ରତି ମାସ ଆରମ୍ଭରେ କୋହେନୁର ପ୍ରେସ କ୍ୟାଲେଣ୍ଡର ଥିବା ପ୍ରତି ପର୍ବପର୍ବାଣୀର ତାରିଖ ଚାରି ପଡେ ଗୋଲ ବୁଲାଏ। ବୋଉ ଲୋ ତୁ ଭାରି ମନପଡ଼ୁ ପୁନେଇ ପର୍ବ ଏଇ କ୍ୟାଲେଣ୍ଡର ନାଲି ଗୋଲ୍ ବୁଲା ତାରିଖ ମାନଙ୍କରେ।ଏହା ଦେଖି ସିମି କୁହେ ଏ କି ପାଗଳାମି ବିନୁ ! ନାଲି ଗୋଲ ଗୁଡାଏ ଏମିତି କାହିଁକି ଦିଅ ପ୍ରତି ମାସ କ୍ୟାଲେଣ୍ଡରରେ?
ଅନୁଭବ କରେ।
କାହାକୁ ?
ବୋଉକୁ।
ପାଗଳ…
ଠିକ୍ କହିଲ ସିମି।
ମାନେ ?
ଅଳ୍ପ ଓଠରେ ହସି ମନ ଭିତରେ କୁହିଲି ତୁମେ ସେ କଥା ବୁଝି ପାରିବିନି ମିସେସ ସ୍ବାଇଁ, ତୁମେ ବା ମମି !
