ବୋଉ, ଚଢେଇ ଓ ଦୀପାବଳୀ
ବୋଉ, ଚଢେଇ ଓ ଦୀପାବଳୀ


ବୋଉ ଆଉ ଆଗ ବୋଉ ହୋଇ ନାହିଁ, ବାପା ଚାଲିଯିବାର ବର୍ଷେ ଦୁଇବର୍ଷ ଭିତରେ ବୋଉ ହୋଇଗଲା ଆର୍ଲଜାଇମର ରୋଗୀ, ଯାହାର ପରିଣତି ପାଗଳାମି, ଜାଣୁଛି କେବେ ତ ଜାଣୁନି କେବେ, କହୁଛି ଠିକ ତ କହୁନି କେବେ. ତାର ଏମିତି ଅବସ୍ଥା ରେ ବି ଖୁସି ହୁଏ କାଠହଣା ଚଢେଇଟା ଜାରକା ରେ ଲାଗିଥିବା ନେଳି ରଙ୍ଗର କାଚ କୁ କାଠ ବୋଲି ହାଣୁଥିବାର ଦେଖିଲେ, ଖାଲି ସେତିକି ନୁଁହ ଅଧା ଝରକାଖୋଲି ଥୋଇଦେଇ ଯାଏ ପାଉଁରୁଟି ତ କେବେ କଣ ଆଉ ମୋର ମନେପଡେ. ପିଲାଦିନେ ଥରେ ଏମିତି ବର୍ଷା ପବନ ଲାଗିରହିଥିବା ବେଳେ ଆମ କ୍ୱାଟର କୁ ଲାଗି ରହିଥିବା ପନିପରିବା ବଗିଚାରେ, ସଜନା ଗଛ ମୂଳେ ବଣିଚଢେଇଟି ଖସିପଡିଥାଏ, ଆଉ ମୁଁ ତାକୁ ଉଠେଇଆଣିଥିଲି କେତେ ସେବା ଶୁଶ୍ରୁଷା ବି କରିଥିଲି ତଥାପି ସେ କିଛି ଖାଉନଥିଲା, ଅବିଶ୍ୱାସ ଆଖିରେ ମତେ ଚାଁହୁଥିଲା. ବୋଉ ବାରଣ କରୁଥିଲା ମତେ ରଖନା ତାକୁ ଖୋଜୁଛି ସେ ତା ମା'କୁ ଛାଡ଼ିଦେ, ଉଡ଼ିପାରିଲାଣି, ମୁଁ ବୁଝୁନଥିଲି, ଖିର ଗିନାଏ ତା ମୁଁହ ପାଖେ ରଖିଦେଇଥିଲ ବୋଉ କହୁଥିଲା ଦେଖ ସେ ପିଉନି, ଛାଡିଦେଲେ ସେ ତା ଖାଇବା ଜିନିଷ ଖାଇବ, ତା ମାକୁ ପାଇ ଖୁସି ହେବ, ପ୍ରକୃତରେ ପାଚେରୀ ଉପରେ ବଣିଟିଏ ବି ଭାରି ରାବୁଥାଏ ବୋଧେ ତା ମା, ବୋଉ ଦେଖାଏ ବୁଝାଏ ମୁଁ ଛାଡିଦିଏ ଲୁହଭରା ଆଖିରେ, ମନେପଡେ ପିଲାଦିନେ ବୋଉ ଯୋଉ ଗୀତ ଗାଇ ଖୁଆଇଦିଏ, କାନ୍ଦ ନାହିଁରେ ବାଇ ଚଢେଇ ତୋ ମା ଯାଇଛି, ଗାଇଚରେଇ ଇତ୍ୟାଦି ସେଇ ବୋଉ କିନ୍ତୁ ଆଜି ବୁଝୁନି କାଠହଣା ପକ୍ଷୀଟିକୁ ନ ଦେଖିଲେ ବ୍ୟସ୍ତ ହେଇପଡୁଛି, ନ ଖାଇଲେ ମନଦୁଃଖ କରୁଛି. ମତେ ଦୁଃଖ ଲାଗୁଥିଲା ସମୟ ନା ବୟସ କିଏ ଦାୟୀ, ପୁଣି ମନକୁ ବୁଝାଉଥିଲି ଏକ ଆକଥା.ଉପର ବରଡ଼ା ଖସୁଛି, ତଳ ବରଡ଼ା ହସୁଛି ମଝି ବରଡ଼ା ଥାଇ କହୁଛି ତା ବେଳକାଳ ଆସୁଛି. ଦୀପାବଳୀ ପୂର୍ବ ଦିନରୁ ପ୍ରସ୍ତୁତି ଚାଲିଥାଏ, ଦୀପ ସଜାଡୁଥାଏ ବୋଉ ମୁଁ ରଙ୍ଗୋଲି କରୁଥାଏ, ଦେଖୁଥାଏ ବୋଉ, ଚଉରାମୂଳେ ବଡ଼ବଡ଼ୁଆ ଡାକପାଇଁ ବି ପ୍ରସ୍ତୁତି ଚାଲିଥାଏ. ଦୀପାବଳିରେ ନାତି ନାତୁଣୀ ଙ୍କ ସଙ୍ଗେ ବାଣ ଫୁଟାଇ ଦୀପଜାଳି ଖୁସି ହେଉଥାଏ ବୋଉ, ବ୍ରହ୍ମଣ ଆସିଲେ ଚଉରା ମୂଳେ ପୂଜାକର୍ମ ହେଲା, ସବୁଥିରେ ଭାଗ ନେଇ ଖୁସି ହେଉଥାଏ ବୋଉ ତ ପିଲାଦିନ କଥା ମନେପଡ଼ି ବୋଉକୁ ଦେଖୁଥାଏ ମୁଁ ତା ଅଜାଣତ ରେ, କେତେ ଖିରି ପୁରୀ ଇତ୍ୟାଦି କରିଥାଏ ମୋ ବୋଉ, ମୁଁ ଯେତେ କଲେ ବି ସେ ସୁଆଦ ଆସିବ କୋଉଠୁ, ଖିଆ ପିଆ ସବୁ ସରିବା ପରେ ବୋଉକୁ ଔଷଧ ଦେଇ ସରିବାପରେ ମତେ ସେ ପଚାରୁଥିଲା ଆଜି ବାପାଙ୍କର ଶ୍ରାଦ୍ଧ ଥିଲା କି ଝିଅ? ଭାଇମାନେ କାହିଁ ଆସିଲେନି? ପ୍ରଶ୍ନ ପରେ ପ୍ରଶ୍ନ ଆଉ ମୁଁ ନିରୁତ୍ତର, ବୁଝେଇ ପାରୁନି ଛୋଟ କଥା ଟେ ତାକୁ, କାରଣ ସେ ବୁଝିହିଁ ପାରୁନଥିଲା, ତ ପିଲାଦିନେ ମୁଁ ବୁଝିପାରୁନଥିବା କେତେ କଥା ସେ କେମିତି ବୁଝାଇଦେଉଥିଲା ! ସକାଳେ ଝରକା ପାଖେ ଠିଆ ହୋଇ ବୋଉ ଦୁରକୁ ଚାଂହିଥିଲା ମତେ ଦେଖି ଚଢେଇଟା କୁଆଡେ ଗଲା ପଚାରୁଥିଲା, ମୁଁ ଯେତେ ବୁଝାଇବାକୁ ଚେଷ୍ଟା କରୁଥିଲି ଉଡା ଚଢେଇଟା ଉଡ଼ିଗଲା, ସେ ବୁଝୁ ନଥିଲା, ବିରକ୍ତ ହେଉଥିଲା ଯେ ମୁଁ କାହିଁକି ତାକୁ ଖାଇବାକୁ ଦେଲିନି, ଚିଡିଚିଡ଼ି ହୋଇ ଚାଉଳ ନେଇ ରଖୁଥିଲା ଝରକା ପାଖେ, ଚା ପିଇବାକୁ ଜମା ଶୁଣୁ ହିଁ ନଥିଲା ମୁଁ ଶୂନ୍ୟ କୁ ଚାହିଁ ଭାବୁଥିଲି କେତେ କ'ଣ !