Aravinda Das

Tragedy

3  

Aravinda Das

Tragedy

ବିଷ ବଳୟ

ବିଷ ବଳୟ

5 mins
377



"ଶୁଦ୍ଧ ତାଜା ପବନ ବିକ୍ରୀ। ତିନୋଟି ସାଇଜର ସିଲିଣ୍ଡର ଗ୍ରାହକମାନଙ୍କ ପାଇଁ ଉପଲବ୍ଧ।"

ଖବର କାଗଜରେ ବାହାରିଥିବା ବିଚିତ୍ର ଖବର ବାରମ୍ବାର ପଢୁଥିଲେ ବିଶ୍ଵରଞ୍ଜନ ବାବୁ। ସତରେ କଣ ଏମିତି ହୋଇଥିବ ଅଥବା ମଜାରେ କିଏ ଏମିତି ଛାପିଛି ? ଫ୍ଲାଇଟ ଲ୍ୟାଣ୍ଡିଙ୍ଗ କରିବ ବୋଲି ଘୋଷଣା ହେଉଥିଲା । ଝରକା ବାଟେ ବାହାରକୁ ଅନାଇଲେ ବିଶ୍ୱ।

କେତେ ସୁନ୍ଦର ଦିଶୁଛି ରାଜଧାନୀ ଦିଲ୍ଲୀ ? ଭଳିକି ଭଳି ଆଲୋକ ସବୁ ମିଞ୍ଜି ମିଞ୍ଜି ହୋଇ ଜଳିବାର ଦୃଶ୍ୟ ଦେଖି ଲାଗୁଥିଲା ଯେମିତି ଆକାଶରେ ତାରା ସବୁ ଚିକ୍ ଚିକ୍ କଲାଭଳି । ପୁଅ ଶ୍ରୀକାନ୍ତ ଓ ବୋହୁ ରୂପା ଆସିଥିଲେ ରିସିଭ କରିବାକୁ । ଜିନିଷ ଧରି ବାହାରକୁ ବାହାରିଲା ବେଳକୁ ଘଣ୍ଟାଏ ଲାଗିଗଲା ।ଏତେ ବଡ଼ ଏୟାରପୋର୍ଟ ! ଜୀବନରେ ପ୍ରଥମ ଥର ବିମାନ ଯାତ୍ରା ଓ ଦିଲ୍ଲୀ ଆଗମନ । ତାହା ପୁଣି ପୁଅ ବୋହୁଙ୍କ ଜିଦି ଯୋଗୁଁ।

- ବାପା, ଗାଁରେ ହସ୍ପିଟାଲ ସୁବିଧା ନାହିଁ । ଭୁବନେଶ୍ବରରେ ସେଫ୍ଟି ବି ନାହିଁ ବୟସ୍କମାନଙ୍କ ପାଇଁ।ଏଇଠି ବେଷ୍ଟ ଟ୍ରିଟମେଣ୍ଟ ଓ ବେଷ୍ଟ ଡକ୍ଟର। ଆପଣଙ୍କର ଓ ବୋଉର ଦେହ ଭଲ ରହୁନି । ଆମ ପାଖକୁ ଚାଲିଆସନ୍ତୁ ।"

ପୁଅ କଥା ଶୁଣି ମୃଦୁ ପ୍ରତିବାଦ କରିଥିଲେ ନିଳୀମା।

- ସେଠି ଆମେ ଖାଲିଟାରେ ବସି ବସି ଦିନସାରା କଣ କରିବୁ ? ଗପିବାକୁ ଲୋକଟିଏ ନଥିବେ । ହିନ୍ଦୀ ତ ବୁଝିପାରିବିନି ।

 ବୋହୁ ରୂପା କହିଥିଲା,"ସକାଳେ ଓ ସନ୍ଧ୍ୟାରେ ଆମେ ଦୁହେଁ ତ ଘରେ ରହିବୁ।ଏଇଠି ଆମ ଆପାର୍ଟମେଣ୍ଟରେ ପାର୍କ ଅଛି,ମାର୍କେଟ ଅଛି।ଘର ପାଖରେ ଅନେକ ସପିଙ୍ଗ ମଲ୍ ଓ ଅଳ୍ପ ଦୂରରେ ଜଗନ୍ନାଥ ମନ୍ଦିର।କିଛି ନହେଲେ ବାପା ଓ ଆପଣ ଜଗନ୍ନାଥ ମନ୍ଦିରରେ ଓଡ଼ିଆ ଲୋକଙ୍କ ସହ କଥାବାର୍ତ୍ତା ହୋଇପାରିବେ।"

         ଜିନିଷ ପତ୍ର କାରରେ ରଖିଦେଇ ଘର ଅଭିମୁଖେ ଚାଲିଲାବେଳେ ବାହାରେ କୁହୁଡ଼ି ର ଆସ୍ତର ଦେଖି ବିଶ୍ଵବାବୁ ପଚାରିଲେ, "ଆରେ ଅକ୍ଟୋବର ମାସରେ ଏଠି ଏତେ କୁହୁଡ଼ି ?ଆମ କଟକ ହୁବନେଶ୍ଵରରେ ତ ଜମା ଶୀତ କି କୁହୁଡ଼ି ନାହିଁ।"

- ପଲ୍ୟୁସନ ଧୂଆଁ ପାଇଁ ଏମିତି ହେଉଛି।ଦିଲ୍ଲୀ ଅପେକ୍ଷା ଆମେ ରହୁଥିବା ଗାଜିଆବାଦରେ ଧୂଆଁ ଅଧିକ।

ନିଳୀମାଙ୍କୁ କାଶ ଉଠାଇଲା।

-ବୋଉ ,ତୁ ଏଠାରେ ସବୁବେଳେ ମାସ୍କ ପିନ୍ଧିବୁ "କହି କାର ଡ୍ୟାସ୍ ବୋର୍ଡରୁ ଗୋଟାଏ ଦିସ୍ପୋଜେବଲ ମାସ୍କ ବଢ଼ାଇଦେଲା ଶ୍ରୀକାନ୍ତ।

- ଏଇଟା କଣ ବା ମୁହଁରେ ପିନ୍ଧିବି ?ଅଣନିଶ୍ବାସୀ ଲାଗୁଛି।

 ମାସ୍କ ପିନ୍ଧିଲା ପରେ ସ୍ତ୍ରୀଙ୍କୁ ଦେଖି ବିଶ୍ବ ହସିଦେଇ କହିଲେ,"ତୋ ବୋଉ ପୁରା ଡାକ୍ତରାଣୀ ଭଳି ଦିଶୁଛି।"

- ବୋଉ,ଏଠାରେ ଟିକେ ଆଡ଼ଜଷ୍ଟ ହେବାକୁ ସମୟ ଲାଗିବ।ହେଲେ ଉପାୟ ନାହିଁ।

   ଭୀଷଣ ଟ୍ରାଫିକ ଭିଡ଼ରେ ଗାଡ଼ିଟା ଫଶି ଯାଇଥିଲା ।ଘରେ ପହଞ୍ଚିବାକୁ ତିନି ଘଣ୍ଟା ଲାଗିଲା।ବୋହୁ କାର ଭିତରେ ଘରୁ ନେଇଥିବା ଜଳଖିଆ ସମସ୍ତଙ୍କୁ ଦେଲା।

- କିରେ, ଭୁବନେଶ୍ବର ରୁ ଦିଲ୍ଲୀ ପହଞ୍ଚିବାକୁ ଯେତିକି ସମୟ ଲାଗିଲା ତା ଠାରୁ ଅଧିକ ଏୟାରପୋର୍ଟରୁ ତୋ ଘରକୁ ଲାଗିଲା । ରଥ ଯାତ୍ରାରେ ବି ଏମିତି ଭିଡ଼ ନାହିଁ।

-ଆଜି ଉଇକଏଣ୍ଡ ବୋଲି ଏମିତି ଭିଡ଼ ବାପା । ଏଇଠି ରହିଲେ ଜାଣିବ ।

 

ପରଦିନ ସକାଳୁ ଉଠି ୨୩ ମହଲା ଉପରେ ଥିବା ପୁଅର ଫ୍ଲାଟ ବାଲକୋନିରେ ବସି ବାହାରକୁ ଅନାଉଥିଲେ ବିଶ୍ବରଞ୍ଜନ । ଆକାଶ ଦିଶୁନଥିଲା । ଚାରିଆଡେ ଗଗନଶ୍ଚୁମ୍ଭୀ ଆପାର୍ଟମେଣ୍ଟ।୩୦-୪୦ ମହଲା ଘର ଠାରୁ କିଛି କମ ନାହିଁ।

ଚାରିଆଡେ କୁହୁଡ଼ି ଭଳି ଧୂମ୍ରାଭ ପରିବେଶ।ଆଖି ତାଙ୍କର ପୋଡ଼ିବାକୁ ଲାଗିଲା।

- ବାପା,ତମେ ବାହାରେ ଏଇ ସକାଳୁ ମାସ୍କ ଓ ଚଷମା ନଲଗାଇ ଠିଆ ହୁଅନା।ଆଗକୁ ଆସୁଥିବା ଦିବାଲୀ ପାଇଁ ବାଣଫୁଟା ସହ ସକାଳୁ ଶୀତ ପାଇଁ ଟାୟାର ସବୁ ପୋଡି ନିଆଁରେ ସେକି ହୁଅନ୍ତି ଲୋକଗୁଡାକ।ତାଛଡ଼ା ବର୍ଡର ଷ୍ଟେଟ ହରିଆନା ,ଉତ୍ତରପ୍ରଦେଶ ଇତ୍ୟାଦି ରାଜ୍ୟର ଚାଷୀମାନେ ସେମାନଙ୍କ ବିଲରେ ଥିବା ଫସଲ'ର ଶୁଖିଲା କଟା ମୁଳ ଓ ନଡାରେ ନିଆଁ ଲଗାଇଦିଅନ୍ତି।ସେଥରୁ ଧୂଆଁ।

- ସରକାର କିଛି କରୁନି ?

- ସୁପ୍ରିମକୋର୍ଟ କିଛି ବର୍ଷ ହେଲାଣି ବାଣ ଫୁଟା ଉପରେ କଟକଣା ଲଗାଇଛି।ମାନୁଛି କିଏ ? ଆମ ଏରିଆରେ ସବୁଆଡେ ଆପାର୍ଟମେଣ୍ଟ ,ଘର ତିଆରି କାମ ଯୋଗୁଁ ଧୂଳି ଓ ପଲ୍ୟୁସନ।ସରକାର ଏବେ ମାସେ ପାଇଁ ବ୍ୟାନ କରିଛି।

ଗଛ ବି ପ୍ରାୟ ନାହିଁ।ଆପଣ ଏଇ ବଡ଼ ମାସ୍କ ସବୁବେଳେ ଲଗାଇବେ ,ଯେତେବେଳେ ବାହାରକୁ ଯିବେ।"

     ବଡ଼ ମାସ୍କଟା ବିଶ୍ଵଙ୍କ ମୁହଁରେ ଦେଖି ନିଳୀମା ଫେଁ ଫେଁ ହୋଇ ହସିକହିଲେ,"ନିଜେ ଏବେ ଡାକ୍ତର ଅଥବା ଅନ୍ୟ ଗ୍ରହର ମଣିଷ ?"

-ଆରେ ,ଏଠି ତ ଆମ ଭଳି ଲୋକଙ୍କ ଚଳିବା କଷ୍ଟ।

- ବ୍ୟସ୍ତ ହୁଅନ୍ତୁନି ବାପା।ଘରେ ଏସି ଓ ରୁମ ହିଟର ଅଛି।କବାଟ ଝରକା ଖୋଲିବେ ନାହିଁ।ବାହାରକୁ ଗଲାବେଳେ ଆମ ସହ କାରରେ ଯିବେ।ଆଉ ତଳେ ଥିବା ପାର୍କ କିମ୍ବା ପାଖରେ ଥିବା ଜଗନ୍ନାଥ ମନ୍ଦିର ଗଲେ ମାସ୍କ ଓ ଚଷମା ପିନ୍ଧିବେ ଆପଣ ଦୁହେଁ।

   ବିଶ୍ୱ ବାବୁ ଓ ନିଳୀମା ଦୁହେଁ ମୁହଁ ଚାହାଁ ଚାହିଁ ହେଉଥିଲେ।

 ହାଠାତ୍ ବିଶ୍ବଙ୍କର ମନେ ପଡିଗଲା ଗତକାଲି ପଢିଥିବା ଖବର ଉପରେ।

- ଏଠାରେ ପବନ ବିକ୍ରୀ ହେଉଛି ?ରେଟ ବି ଦେଇଥିଲା ପେପର ରେ।"

- ହଁ ବାପା।ତେବେ ଦରକାର ପଡିନି ଏଯାଏଁ।

 ଚମକି ପଡିଲେ ବିଶ୍ୱ।ନିଶ୍ବାସ ପାଇଁ ତାଜା ପବନ ବି ନାହିଁ ଏଠି ? ପବନ କିଣିବାକୁ ପଡିବ ?ଗୁରୁତର ଅସୁସ୍ଥ ରୋଗୀଙ୍କୁ ହସ୍ପିଟାଲରେ ଅମ୍ଳଜାନ ଦିଆଯାଏ,ପ୍ରାଣରକ୍ଷା ପାଇଁ; ଏଠି କଣ ସେଇ ଅବସ୍ଥା ?

             ଚାକିରିବେଳେ ଭୁବନେଶ୍ୱର ର ଖରାଦିନେ ସୁନ୍ଦର ଦକ୍ଷିଣା ପବନ ଓ ଏବେ ଗାଁ ତୋଟାରୁ ବହି ଆସୁଥିବା ତାଜା ପବନରେ କେତେ ସତେଜପଣ !

 ସକାଳ ଶୀତୁଆ ପବନରେ ମନ ଆନମନା ହୋଇଯାଏ।ଆଉ ଚୋରା ଚାଇତାଲି ରେ ଆମ୍ବ ବଉଳର ବାସ୍ନା ମନକୁ ଉଚ୍ଚାଟ କରିଦିଏ।ଏଠାରେ ସେସବୁ ସ୍ବପ୍ନ।

  କିଛିଦିନ ପରେ ନିଳିମାଙ୍କ ଅଭିଯୋଗ।

- ହଇଓ, ଏଠିକା ପାଣି ପବନ ଆମ ଦେହରେ କଣ ଯିବ?ମୋତେ ଅଣନିଶ୍ବାସୀ ଲାଗୁଛି।ଆମେ ଏଠାରେ ରହିଲେ ପିଲା ମାନେ ବି ଫ୍ରି ହୋଇପାରୁନାହାନ୍ତି।ଆମ ପାଇଁ ସେମାନେ ହଇରାଣ। ଚାଲ ଗାଁକୁ ପଳେଇବା। "ନିଳୀମା ଦୁଇଦିନ ପରେ କହିଲେ।

- ଦିଲ୍ଲୀ ,ଆଗ୍ରା,ମଥୁରା,ବୃନ୍ଦାବନ ବୁଲିସାରିଲା ପରେ ତମ ମନ ହୁଏତ ଏଠି ଲାଗିଯିବ।ଆଜି ଏମିତି କହୁଛ,ହେଲେ ନାତି ନାତୁଣୀ ହେଲେ ଏଇଠି ପୁଣି ରହିବ ନା ନାହିଁ ?ଏଠି ବି ଆମକୁ ସାଙ୍ଗ ମିଳିଯିବେ।

     

ସେଦିନ ଆପାର୍ଟମେଣ୍ଟ ପାର୍କରେ ଦେଖାହେଲା ଯତୀନ ବାବୁଙ୍କ ସହ।ଫୋନରେ କାହା ସହ ଓଡ଼ିଆରେ ଗପୁଥିଲେ।ସେ ବି ପୂର୍ବଦିନ ରାତିରେ ଏଠାକୁ ତାଙ୍କ ଝିଅ,ଜୋଇଁଙ୍କ ପାଖକୁ ପ୍ରଥମଥର ପାଇଁ ଆସିଛନ୍ତି ବୋଲି ବିଶ୍ଵରଞ୍ଜନ ଜାଣିଲେ।ଯତୀନ ବାବୁ ବିପତ୍ନୀକ ଓ ଏଠାରେ ତାଙ୍କ ବଡ଼ ଝିଅ ରହେ।

- ବୁଲିବାକୁ ଆସିଛନ୍ତି ନା କିଛିଦିନ ରହିବେ?

- ଭାବୁଛି କିଛି ମାସ ରହିବି।

- ଭଲ ହେଲା,ଓଡ଼ିଆ ଲୋକ ଜଣେ ଚିହ୍ନା ହୋଇଗଲେ।ପାଖାପାଖି ରହୁଛେ ,ତେଣୁ ସବୁଦିନ ଦୁଇଥର ଏଇ ପାର୍କରେ ଦେଖାହେବ।ଆମକୁ ବି ପୁଅ ବାଧ୍ୟ କରୁଛି ସବୁଦିନ ଏଇଠି ରହିଯିବା ପାଇଁ।"ବିଶ୍ୱ କହିଲେ।

   ଦୁହେଁ ମିଶି ଜଗନ୍ନାଥ ମନ୍ଦିର ଯିବା ବି ଆରମ୍ଭ କରିଦେଇଥିଲେ।ସେଠାରେ ବନମାଳୀ ବାବୁଙ୍କ ସହ ପରିଚୟ ହୋଇଥିଲା।ତିନିଜଣଙ୍କ ଭିତରେ ବନ୍ଧୁତା ଗଢି ଉଠିଥିଲା।ବନମାଳୀ ସସ୍ତ୍ରୀଙ୍କ ଏଠାରେ ତାଙ୍କ ପୁଅ ବୋହୁଙ୍କ ପାଖରେ ରହୁଥିଲେ।ନିକଟରେ ତାଙ୍କର ନାତିଟିଏ ହୋଇଛି।

-ଏଠାର ପରିବେଶ ପ୍ରଦୂଷଣ ଭାରି ବିରକ୍ତିକର।ଖାଲି ପିଲାଙ୍କ ଘର ଭିତରଟା ସ୍ୱର୍ଗ।ମୋ ନାତି ଟୋକାକୁ ଦେଖିଦେଲେ ସବୁ ଭୁଲିଯାଏ।ଆଉ ଆମର ଓଡିଶା ଫେରିବାର ନାହିଁ।ମଝିରେ ମଝିରେ ଯାଇଁ ମୁଁ ଟିକେ ମୁହଁ ମାରିଦେଇ ଆସିବି।

 ହସିଦେଇ ବିଶ୍ୱ କହିଲେ, "ଆମେ ଜେଜେ ,ଜେଜେମା କେବେ ହେବୁ କେଜାଣି ?ପୁଅ ,ବୋହୁ ଦୁହେଁ ତ ଚାକିରୀ ପ୍ରୋଜେକ୍ଟ ରେ ବ୍ୟସ୍ତ।ପିଲା ଛୁଆ ଆଜିକାଲି ବର୍ଡନ ହୋଇଗଲାଣି।ଭଲ ହେଲା ,ଆମେ ସବୁଦିନ ପାଇଁ ଏଇଠି ରହିଲେ ଅସୁବିଧା ନାହିଁ। ଯତୀନ ବାବୁ ଓ ଆପଣଙ୍କ ଭଳି ସାଙ୍ଗ ତ ଏଠି ଅଛନ୍ତି।"

 ଯତୀନ ବାବୁ ଟିକେ ଗମ୍ଭୀର ହୋଇ କହିଲେ, ମୁଁ କାଲି ଓଡିଶା ଫେରିଯାଉଛି।"

- କାହିଁକି ? ଏତେ ଶୀଘ୍ର ?କିଛି କାମ ପଡ଼ିଲା କି ?

 ମୁହଁ ଶୁଖାଇ ଯତୀନ କହିଲେ,"ଏଠାର କ୍ଳାଇମେଟ ସୁଟ କରୁନି।କେମିତି ଗୋଟେ ଅଣନିଶ୍ବାସୀ ଭାଵ ମାଡି ବସୁଛି। ତେଣୁ ଚାଲିଯାଉଛି।"

     ବିଶ୍ଵରଞ୍ଜନଙ୍କୁ କଥାଟା ଟିକେ ଅଡୁଆ ଲାଗିଲା।ମନ୍ଦିରରୁ ଘରକୁ ଫେରିବା ରାସ୍ତାରେ ଯତୀନଙ୍କୁ ପଚାରିଲେ," ସତରେ ଆପଣଙ୍କୁ ଏତେ ଅଣନିଶ୍ବାସୀ ଲାଗୁଛି ଯଦି ଡାକ୍ତରଙ୍କୁ ଟିକେ ଦେଖାଇଲେନି ?ମାସ୍କ ବ୍ୟବହାର କରୁନାହାନ୍ତି ?

 

 ପାର୍କ ର ବେଞ୍ଚରେ ବସିପଡ଼ି ମୁହଁକୁ ଶୁଖାଇ ଯତୀନ କହିଲେ," ଆପଣଙ୍କୁ ମିଛ କହି କି ଲାଭ ?ମୁଁ ଏଠି କେତେଦିନ ରହିବି ବୋଲି ଝିଅ ପଚାରୁଥିଲା।ଅଧିକ ଦିନ ରହିଲେ ଗୋଟେ କୁକ ରଖିବାକୁ ପଡିବ ଓ ସେଥିପାଇଁ ଅଧିକ ଖର୍ଚ୍ଚ ହେବ ବୋଲି ପରୋଷରେ ଜଣାଇଦେଲା।ଜ୍ବାଇଁ ର ଘର ଲୋକ ଆସିଲେ ଏଠାରେ ରହିବାକୁ ବି ଅସୁବିଧା ହୋଇପାରେ।ମନଟା ଭାଙ୍ଗିଗଲା ଆଜିକାଲି ପିଲାମାନଙ୍କ'ର ମନୋଭାବ ଜାଣି।ବାହାର ନୁହଁ ଘର ଭିତରଟା ମୋତେ ଅଣନିଶ୍ବାସୀ ଲାଗୁଛି।"

  ବିଶର୍ଣ୍ଣ ହୋଇଗଲା ବିଶ୍ୱଙ୍କ ମନ।ଗୋଟାଏ ବନ୍ଧୁ କମିଗଲା।ପାଞ୍ଚଦିନ ପରେ ବନମାଳୀ ବାବୁଙ୍କ କଥା ଶୁଣି ସ୍ତମ୍ଭିଭୂତ ହୋଇଗଲେ ବିଶ୍ବବାବୁ।

- ଆମେ ଦୁହେଁ ଓଡିଶା ଫେରି ଯାଉଛୁ।

- ଆପଣଙ୍କ ନାତି ସହ ଖେଳି ଏଇଠି ରହିବାକୁ କହୁଥିଲେ ପରା । ଆପଣମାନେ ଚାଲିଗଲେ ଦିନବେଳା ଛୁଆଟା ଏକୁଟିଆ କେଉଁଠି ରହିବ ?

- ଡେଲିଭରି ବେଳେ ଆମ ରହିବା ନିହାତି ଦରକାର ଥିଲା।ଲୋକ ମିଳିବା କଷ୍ଟ ଏଠି ବୋଲି। ଏବେ ନାତି ତ ଟିକେ ବଡ଼ ହେଲାଣି।ବୋହୁ ଅଫିସ ତରଫରୁ ଗୋଟେ କ୍ରେଚ ଅଛି ପିଲାଙ୍କ ରହିବା ପାଇଁ।ସବୁ ମାଗଣା।ତେଣୁ ତା ପାଇଁ ଅଯଥାରେ ଆମେ ଦୁଇଜଣ ଏଠି...।ଏମିତି ମଝିରେ ମଝିରେ ଆସି ବୁଲିଦେଇ ଯିବୁ । ସବୁଦିନ କଣ......

    ଅଟକିଗଲେ ବନମାଳୀ ବାବୁ।ନିଜ କୋହକୁ ଚାପିବାକୁ ଚେଷ୍ଟା କରୁଥିଲେ ବୋଧେ।ତାଙ୍କ କାନ୍ଧରେ ହାତ ରଖିଲେ ବିଶ୍ଵରଞ୍ଜନ।ନିଜେ ଅନୁଭବ କରିପାରୁଥିଲେ ସେ ଅବ୍ୟକ୍ତ ବେଦନା।ଛୁଆ ପଛେ ଅନାଥାଶ୍ରମ ଭଳି କ୍ରେଚରେ ବଢ଼ିବ, ହେଲେ ବାପ ମାଙ୍କ ଦାୟିତ୍ୱ ବୋଝ ବନିଯାଉଛି।

    ବାଟରେ ଆସିଲାବେଳେ ଆକାଶକୁ ଅନାଉଥିଲେ।ମିଛ କୁହୁଡ଼ିର ଆସ୍ତରଣ। ବିଷବଳୟ ର ପରିଧି ଭିତରେ ଆବଦ୍ଧ ଏକ ବିନ୍ଦୁ ଭଳି ଏଠାର ପ୍ରତ୍ୟେକ ମଣିଷ।

ବିଷାକ୍ତ ଗ୍ୟାସ,ଧୁଳିକଣା ବଦଳରେ ସମ୍ପର୍କର ହଲାହଳ ବୋଧେ ସହରର ପରିବେଶକୁ ଅଧିକ ବିଷାକ୍ତ କରିଦେଉଛି।

  ଏ ବିଷବଳୟରୁ ଦରକାର ମୁକ୍ତି।ନିଳୀମା ଠିକ୍ କହୁଥିଲେ, ଏଠି ଅଣନିଶ୍ବାସୀ ଲାଗୁଛି।ମୁକୁଳିବାକୁ ହେବ।ଓଡିଶା ଫେରିଯିବେ ।ଫୋନ୍ ଲଗାଇଲେ ପୁଅକୁ।



Rate this content
Log in

Similar oriya story from Tragedy