ବିଶାଳ୍ ସାମନ୍ତରାୟ
ବିଶାଳ୍ ସାମନ୍ତରାୟ
ଓଡିଶାରୁ ଦୁଇ ଜଣ ପିଲା ଦିଲ୍ଲୀ ଏମ୍ସରେ ପିଜି କରିବାକୁ ମନୋନୀତ ହୋଇଛନ୍ତି। ପ୍ରଥମ ଜଣଙ୍କ ଅନୁଭା ରାୟ। ଏ ଖୁସିଟା ବାଣ୍ଟିବାକୁ ମାମା ବ୍ୟତୀତ ଆଉ କେହି ନାହିଁ। ଶୁଭେଚ୍ଛା ଗଦେଇ ପଡୁଛି ଅନିଭା ଉପରେ। ଶୁଭେଚ୍ଛା ଗଦା ଭିତରେ ଅନୁଭା ଖୋଜୁଛି ଜଣକୁ। ଯାହାର ସଦେୟ ସାହାଯ୍ୟ,ପ୍ରେରଣା ବଳରେ ସେ ଆଜି ଏଇଠି। ସେ ନଥିଲେ ହୁଏତ ଆଜି ଅନୁଭାର ଅସ୍ତିତ୍ୱ ନଥାନ୍ତା।
ଓଃ ! ବିଶାଳ୍ ତୁମେ ମୋତେ ଉଡିବା ଶିଖେଇଲ। ଆକାଶକୁ କେମିତି ଛୁଉଁବାକୁ ହୁଏ ସେ ସାହସ ମୋ ହୃଦୟରେ ଭରିଲା।ମନରେ ଦେଲ ବେଜାଏ ଇଛାଶକ୍ତି।ମୁଁ ନିଜକୁ ଅତି ତୁଚ୍ଛ ଭାବୁଥିଲି। ତୁମେ ମୋ ଭିତର ପ୍ରତିଭା ଆଗ୍ନେୟଗିରିକୁ ମୋତେ ଚିହ୍ନାଇ ଦେଲ। କ୍ଲାନ୍ତ ନ ହୋଇ ଉଡ୍ ଉଡ୍ ବୋଲି ପ୍ରୋତ୍ସାହିତ କଲ। ଉଡିବା କଳା କୌଶଳ ଶିଖି ଯେତେବେଳେ ମେଘ ସେପାଖକୁ ଉଡ଼ି ଗଲି ସେତେବେଳେ ତୁମେ କୁଆଡେ ଏକା କରି ଚାଲିଗଲା ! କିନ୍ତୁ କାହିଁକି ? କାହିଁକି ଏମିତି କଲ ?
ମନେ ଅଛି ବିଶାଳ, ଯେଉଁ ଦିନ ଅସହାୟ ଭାବେ କଲମ ଭାଙ୍ଗି ଖାତା ଚିରି ସ୍କୁଲ ପଛପଟ କୃଷ୍ଣଚୁଡା ଗଛକୁ ଆଉଜି ନିଃଶବ୍ଦେ କାନ୍ଦୁଥିଲି;ତୁମେ କେମିତି ଠଉରେଇ ନେଲ।ଶହ ଶହ ପିଲା ସ୍କୁଲରେ ଥିଲେ,କାଇଁ କାହାକୁ ଶୁଭିଲା ନାହିଁ;ଏକା ତୁମ ବ୍ୟତୀତ। ତୁମେ ମୋ ଠାରୁ ଦୁଇଟି ବ୍ୟାଚ୍ ବଡ଼। ମୋ ପାଖକୁ ଗଲ ଲୁହ ପୋଛିଲ। କାନ୍ଦିବା କାରଣ ପଚାରିଲ ବି। ମୋର ସେତେବେଳେକୁ କଇଁ ଉଠୁଥାଏ।ଲୁହ ସିଙ୍ଘାଣି ଏକାଖଣ୍ଡ। ତୁମେ ତୁମ ରୁମାଲରେ ମୋ ମୁହଁ ପୋଛିଲ।ପାଣି ପିଇବାକୁ ଦେଲ।ମୋ ପିଠି ଆଉଁସି କହିଲ କଣ ହୋଇଛି ଅନୁଭା ? ଏତେ କାନ୍ଦ କଣ ପାଇଁ ? ତୁମେ ଷ୍ଟାଣ୍ଡାର୍ଡ଼ ଇଲେଭନ୍ ଓ ମୁଁ ଷ୍ଟାଣ୍ଡାର୍ଡ଼ ନାଇଁନ୍ କ୍ଲାସ୍ ଛାତ୍ର ସେତେବେଳେ ଥିଲେ।
ମୁଁ ଆହୁରି ଜୋର୍ ଜୋର୍ କାନ୍ଦିବାକୁ ଲାଗିଲି।ଲୁହ ବା ସେମିତି। ଆପଣାର ଲୋକ ଦେଖିଲେ ବେଶୀ ଝରେ। ତୁମେ ମୋତେ ସେଦିନ ଖୁ ନିଜର ଲାଗିଲ।ସେଇଥିପାଇଁ କୋହ ଫୁଟିଲା ମୋର ବନ୍ଦ ହେବାର ନାଁ ନ ନେଇ।ତୁମେ ଆହୁରି ଆଣ୍ଠେଇ ପଡ଼ି ମୋ ଲୁହ ପୋଛିବାକୁ ଚେଷ୍ଟା କଲ।ତଳକୁ ମୁହଁ ପୋତି କାନ୍ଦୁଥାଏ ମୁଁ। ମୋ ମୁହଁଟିକୁ ଉପରକୁ ଉଠାଇଲ। ଗୋରା ତକ ତକ ମୁହଁଟା ମୋର କାନ୍ଦି କାନ୍ଦି ଲାଲ ଚହ ଚହ ଦେଖା ଯାଉଥାଏ। ନାକଟି ବେଶୀ ରଙ୍ଗା ପଡିଯାଇଥାଏ। ତୁମେ ବିଚଳିତ ହୋଇ ପଡିଲ। କହିଲା "ଇସ୍! କଣ ଯେ...ଏତେ କିଏ କାନ୍ଦନ୍ତି ! ଦେଖ ଦେଖ ତୁମ ମୁହଁ କେମିତି ଦିଶୁଛି ! ଚନ୍ଦ୍ରଶେଖରପୁର ଡି ଏ ଭି ସ୍କୁଲ ସାରା ଏତେ ଝିଅ କିନ୍ତୁ ତୁମକୁ ଦେଖିଲେ ଭାରି ଖୁସି ଲାଗେ ଅନୁଭା । ତୁମେ କଲଚରାଲ୍ ପ୍ରୋଗ୍ରାମରେ ଯେଉଁ ଗୀତ ଉପରେ ଡ୍ୟାନ୍ସ କରିଥିଲ "ଚାନ୍ଦ ନେ କହା ତାରୋସେ ,ତା ରୋ ନେ କାହାଁ ହଜାରୋ ସେ,ସବ୍ସେ ଆଛା କୌନ ହେ...ପାପା ମେରି ପାପା। ଓଃ ଚମତ୍କାର ତୁମ ଅଭିନୟ। ସେଇ ଦିନଠାରୁ ତୁମ ପ୍ରତି ଗୋଟେ ଆତ୍ମୀୟତା ଆସି ଯାଇଛି। ତୁମେ ଯେମିତି ମୋ ନିଜର ଲାଗ ଅନିଭା।"
ସେଦିନ ମୋ ମୁହଁକୁ ତୁମ ମୁହଁ ସାମାନାରେ ଟେକି ଧରି କହିଲ ଦେଖ୍ ମୋ ଆଖି ଡୋଳା ଭିତରେ ତୁମ ମୁହଁ। ମୋତେ କେଜାଣି ଟିକେ ଲାଜ ଲାଗିଲା ତୁମ ମୁହଁକୁ ମୋ ମୁହଁ ଅତି ପାଖରେ ଦେଖି। ତୁମ ନିଃଶ୍ୱାସ ବି ମୋ ମୁହଁରେ ବାଜୁଥିଲା। ମୋ ନାକ ପୁଡା ଫୁଲି ଉଠୁ ଥିଲା ସୁଉଁ ସୁଉଁ କରି । କାନ୍ଦ ମୋର ବନ୍ଦ ହୋଇଗଲା। ମୁଁ କହିଲି କି ଆଜି ଆମ ସେମିଷ୍ଟାର୍ ରେଜେଲଟ୍ ବାହାରିଛି। ସବୁଥିରେ ହାଇଏଷ୍ଟ୍ ଅଛି। ମାତ୍ର ମ୍ୟାଥ୍ ରେ ମୁଁ କମ୍ ନମ୍ବର ରଖିଛି। ମୋ ବାବା ଜଣେ କଂସେଇ। କାହିଁକି ଫେଲ୍ ହୋଇଛୁ କହି ଆଉ ପଢିବାକୁ ଯିବା ଦରକାର ନାହିଁ ବୋଲି କହିବେ ଓ ମୋ ପଢା ବନ୍ଦ କରିଦେବେ। ତୁମେ ଜାଣିଛ ବିଶାଳ, ମୁଁ ମୋ ବାବା ଙ୍କ ଜନ୍ମିତ ଝିଅ ନୁହେଁ। ମୋ ମାମାଙ୍କ ପ୍ରଥମ ପତିର ସନ୍ତାନ ମୁଁ। ଏଣୁ ମୋ ଏବେର ବାବା ମୋତେ ଆଦୌ ଦି ଆଖିରେ ଦେଖି ପାରନ୍ତିନି। ମାର ପ୍ରଥମ ପତି ଯେ କି ଆଉ ଜଣେ ଝିଅ ସହ ବିବାହ ପୂର୍ବରୁ ଆଫେୟାର ରଖିଥିଲେ। ତାଙ୍କର ବି ଗୋଟେ ପୁଅ ଥିଲା।ବିବାହ ପରେ ବି ତାଙ୍କ ସହ ସମ୍ପର୍କ ରଖୁଥିଲେ। ସେଇ ହୃଦୟହିନ ମୋ ଜନ୍ମିତ ବାବା; ମୋ ମାମା ପ୍ରତିବାଦ କରିବାରୁ ବିନା କାରଣରେ ମୋ ମାମାଙ୍କୁ ଡିଭୋର୍ସ ଦେଇଦେଲେ। ମୁଁ କୁଆଡେ ସାତ ମାସର ହୋଇଥିଲି ସେତେବେଳେକୁ। ମାମା ସଫ୍ଟୱେର ଇଞ୍ଜିନିୟର। ଏବେର ବାବା ମୋ ମାମାଙ୍କ ଅଫିସରେ କାମ କରୁଥିଲେ। ମାମାଙ୍କୁ ସେ ଭଲ ପାଇଁ ବସିଲେ। ସବୁ ଜାଣିକି ବି ମ୍ୟାରେଜ କଲେ ମୋ ମାମାଙ୍କୁ। କିନ୍ତୁ.....
କିନ୍ତୁ କଣ ପଚାରିଲେ ବିଶାଳ...
ମୋ ମାମାଙ୍କୁ ଯଦିଓ ବାବା ଭଲ ପାଆନ୍ତି କିନ୍ତୁ ମୋତେ ବାଧ୍ୟରେ ଗ୍ରହଣ କରିଛନ୍ତି।ମୋ ପ୍ରତି ମୋ ବାବାଙ୍କ ମନରେ ଟିକେ ବି ସେହ୍ନ ଶ୍ରଦ୍ଧା ନାହିଁ। ମ୍ୟାରେଜ ପୂର୍ବରୁ ମାମାଙ୍କ ସବୁ କଥାରେ ରାଜି ହୋଇଥିବା ବାବା ମ୍ୟାରେଜ ପରେ ସମ୍ପୂର୍ଣ୍ଣ ବଦଳି ଗଲେ। ଛଳନା କରି ମାମାଙ୍କ ସର୍ଭିସ୍ ପଇସା ହାତେଇ ବାକୁ ସେ ଏପରି ନାଟକ କରିଥିଲେ। ମୋ ମାମା ଭାଗ୍ୟଟି ସେମିତି। ଦୁଇ ଦୁଇ ଥର ବିବାହ କଲେ ବି ବିବାହ ସୁଖ ତାଙ୍କ କପାଳରେ ନଥିଲା ।ଛୋଟ ଥିଲି କିଛି ବୁଝି ପାରୁ ନଥିଲି।ଏବେ ବାବା ମାମାଙ୍କ ଅସନ୍ତୋଷର କାରଣ ଯେ ମୁଁ ଏଇତକ ବୁଝିବାକୁ ମୋତେ ଅଛପା ନାହିଁ। ଯଥା ସମ୍ଭବ ମୁଁ ମୋ ମନ ଚାହିଁବା,ପାଇବା ଉପରେ ନିୟନ୍ତ୍ରଣ ରଖି ଚଳେ। ବାବାଙ୍କର ମୋତେ ଛାଡି ଆଉ ଗୋଟିଏ ଝିଅ ଓ ପୁଅ। ସେମାନଙ୍କୁ ଆକାଶର ତାରା ଫୁଲ ମିଳିଲା ବେଳେ ମୋତେ ମାଟିର ଫୁଲଟିଏ ମିଳିବା କଷ୍ଟ।
ମାମା ଏଥିପାଇଁ ବହୁତ କଷ୍ଟ ପାଏ। ମୁଁ କିନ୍ତୁ ଭୁଲେଇ ଦେଇ କୁହେ ମାମା ମୁଁ ତ ବଡ଼ ହେଲେଣି। ମୋ ସାନ ଭାଇ ଭଉଣୀଙ୍କ କଥା ବୁଝ। ଦେଖ୍ ମୁଁ ତୁମ ହାଇଟିର ହୋଇଗଲେଣି। ମାମାର ତ୍ରିଶଙ୍କୁ ଅବସ୍ଥା। ମୋ ପାଇଁ କିଛି କରିବାକୁ ତା ମନ ଡହଳ ବିକଳ ହୁଏ। କିନ୍ତୁ କିଛି ଯଦି ମୋ ପାଇଁ କରିଦିଏ ତ ବାବା ମାମାଙ୍କ ଭିତରେ ଝଗଡା ଲାଗେ। ବେଳେବେଳେ ମାମାଙ୍କ ଉପରକୁ ହାତ ଉଠାନ୍ତି ବାବା କେବଳ ମୋ ପାଇଁ। ଏସବୁ ମୋତେ ଭଲ ଲାଗେନି। ମୋ ଭାଇ ଭଉଣୀ ଟିଉସନ୍ ହୁଅନ୍ତି। ମୋତେ ଟିଉସନ୍ ଦିଆ ଯାଏନା। ମ୍ୟାଥ୍ ମୋର ହେଉନି। ଜଷ୍ଟ୍ ପାସ୍ କରିଛି ଜାଣିଲେ ବାବା ପ୍ରବଳ ରାଗିବେ। ପଢା ବନ୍ଦ ଧମକ ସବୁବେଳେ ଦିଅନ୍ତି।ଏଥରକ ସୁଯୋଗ ଜୁଟି ଯାଇଛି।ବୋଧେ ମୋତେ ଆଉ ପଢ଼ାଇବେ ନାହିଁ।
ତୁମେ ମୋ ଲୁହ ପୋଛି କହିଥିଲ କାନ୍ଦେନି।ମୁଁ ତୁମକୁ ମ୍ୟାଥ୍ ପଢ଼ାଇବି।ଆର ପରୀକ୍ଷାରେ ତୁମେ ନବେ ଉପରକୁ ରଖିବ,ଗ୍ୟାରେଣ୍ଟି ଦେଉଛି। ଘରେ ଗୋଟିଏ ଥର ସୁଯୋଗ ମାଗିବ। ଏଥରକ ମ୍ୟାଥ୍ ରେ ତୁମର ନବେ ଉପରକୁ ଆସିବ ,ପକ୍କା। ଆଉ ତୁମ ମାମାଙ୍କୁ କହିବ ସେ ଆଦୌ ଡରିବେ ନାହିଁ। ଚାକିରୀ କରିଛନ୍ତି,ତୁମ ପରି ସାହସୀ ସୁନ୍ଦର ଝିଅ ଅଛି ତାଙ୍କ ପାଖେ। କାହାକୁ ଡର,କାହିଁକି ଡର? ଡରକୁ ଡରିଲେ ସେ ସବୁବେଳେ ଡରାଇବ।ଥରେ ଡର ଛାଡିଦିଅ ଦେଖ ଡର ତୁମକୁ ଛାଡି ପଲେଇବ।
ବିଶାଳ ବୁଝି ପାରୁ ନଥିଲା ଯେ ମୋ ମାମା ବାଣ୍ଟି ହୋଇଯାଉଥିଲେ ତିନି ଭାଗ ହୋଇ।ଭାଗେ ମୋ ପାଇଁ,ଭାଗେ ବାବାଙ୍କ ପାଇଁ ଓ ଆଉ ଗୋଟେ ମୋ ଛୋଟ ଭାଇ ଭଉଣୀଙ୍କ ପାଇଁ। କାହାକୁ ଛାଡିବ,କାହାକୁ ଆପଣେଇବ । ମା ତ ସବୁରି।
ମୋ ମ୍ୟାଥ୍ ରେଜେଲଟ୍ ନେଇ ତୁମ୍ଭି ତୋଫାନ ହେଲା ଘରେ।ମାମା ବାବାଙ୍କ କଥା କଟା କଟି ଘରଟିକୁ ଅଶାନ୍ତ କରିଦେଲା।ମାମା କାହିଁକି କେଜାଣି ଏଥରକ ମୋ ପ୍ରତି ହେଉଥିବା ଅନ୍ୟାୟର ପ୍ରତିବାଦ କଲା।ଚଣ୍ଡୀ ହୋଇଗଲା ସେ।ବାବାଙ୍କ ମୁହଁରେ ଜବାବ ଦେଇ କହିଲା ଅନୁଭା ମୋ ଝିଅ।ସେ ଭଲ କରୁ ବା ମନ୍ଦ ସେଥିରେ ତୁମର କଣ ଯାଏ ? ମନକୁ ମନ ପଡୁଛି। ଖାତା ଥିଲେ ବହି ନାହିଁ;ବହିଥିଲେ ଖାତା ନାହିଁ। ବୁଝେଇ ଦେବାକୁ କେହି ନାହିଁ।ଯେତିକି ଆସିଲା ସେତିକି କଲା।ବାବାର କର୍ତ୍ତବ୍ୟ କରିଛ କେବେ? କେବଳ ମାଡ଼,ଗାଳି,ଦେଖା ଶିଖା କଥା। ଯଦି ମୋ ଝିଅ ତୁମର ହୋଇ ପାରୁନି,ମୁଁ କେମିତି ତୁମର ହେବି। ଛାଡି ଦିଅ ମୋତେ। ଜଣେ ତ ପୁଣି ମୋତେ ଛାଡି ଅନ୍ୟ ସାଥୀରେ ସୁଖରେ ଅଛି। ମୋର ଖୁବ ହୋଇଗଲା ଘର ସଂସାର। ଦରକାର ନାହିଁ କିଛି।ତିନି ଛୁଆଙ୍କୁ ନେଇ ମୁଁ ଅନ୍ୟତ୍ର ରହିବି।ଆଉ ବରଦାସ୍ତ କରି ପାରିବି ନାହିଁ।ମୋ ଛୋଟ ଦୁଇ ଛୁଆଙ୍କ ଉପରେ ବି ଏହାର ପ୍ରଭାବ ପଡୁଛି।ତୁମେ ଏକା ରୁହ ସୁଖରେ ରୁହ।"
ବାବା ଏକାଥରେ ଚୁପ୍।କିନ୍ତୁ ସେଇ ଦିନଠୁ ମୁଁ ଆଉ ମୋ ଛୋଟ ଭାଇ ଭଉଣୀ ଓ ମାମା ଗୋଟେ ଘରେ ଶୋଉ।ବାବା ତାଙ୍କ ଘରେ।କେହି କାହା ସଂଗେ କଥା ହୁଅନ୍ତି ନାହିଁ। ସେବେଠୁ ମୁଁ ଅଧିକ ଚୁପ୍ ହୋଇଗଲି।ତୁମ ସାହାଯ୍ୟ ଓ ରାତି ଦିନ ଏକା କରି ପଢ଼ିଲି।ମୁଁ ବୁଝି ଯାଇଥିଲି ମୋ ମାମା' ମୋ ପାଇଁ ହିଁ ଦୁଃଖ ଭୋଗୁଛନ୍ତି।ଯଥା ଶୀଘ୍ର ନିଜେ ନିଜ ଗୋଡ଼ରେ ଛିଡା ହୋଇ ଏ ଘର ସବୁଦିନ ପାଇଁ ଛାଡିବାର ଅଛି।ନଚେତ ମୋ ବାବା ମାମାଙ୍କ କେବେ ବି ପଡିବ ନାହିଁ।ଦ୍ୱାଦଶ ପରୀକ୍ଷାରେ ମୁଁ ଟପ୍ ସେଭେନ ହୋଇ ଉତ୍ତୀର୍ଣ୍ଣ ହେଲି।ସବୁଠୁ ଖୁସି ତୁମେ ହୋଇଥିଲ।ମାମା ତ ଖୁସିରେ ପାଗଳି ହୋଇ ଯାଇଥିଲା। ପୁଣି ସୁଖ କେମିତି ଆସେ ଦେଖ ଫ୍ରେସର୍ ହିସାବରେ ମେଡିକାଲ୍ ଏଣ୍ଟ୍ରାନ୍ସ ପରୀକ୍ଷାରେ ବି ଶହେ ପଇଁରିଶ ରାଙ୍କରେ ରହି କୃତକାର୍ଯ୍ୟ ହେଲି। ତୁମେ ସେତେବେଳେକୁ ରାଜସ୍ଥାନ କୋଟାରେ ଇଜନିନୀୟରିଂ କରୁଥାଅ । କଟକ ବଡ଼ ମେଡିକାଲ୍ ରେ ମୋର ଆଡ଼ମିଶନ୍ ହୋଇଗଲା।
ବାର ବାର ମ୍ୟାଥ୍ ବୁଝି ନ ଥିଲା ବେଳେ ତୁମେ କହୁଥିଲ "ବୋକୀ ଅସମ୍ଭବ କିଛି ଅଛି ନା କଣ? ମୂଳରୁ ମ୍ୟାଥ୍ ଫଣ୍ଡା କ୍ଲିଅର୍ ହୋଇନି ବୋଲି ଏମିତି ହେଉଛି। ପ୍ରାକ୍ଟିସ୍ କଲେ ବଳେ ହେବ। ସବୁ ବେଳେ ମନେ ରଖିବ ଆଇ କ୍ୟାନ୍ ନଟ୍ ରୁ ଟି ଟା କାଟି ସବୁବେଳେ ଭାବିବ,ଦେଖିବ ତୋତେ ଦେଖାଯିବ ଆଇ କ୍ୟାନ୍। ଅର୍ଥାତ ମୁଁ ପାରିବି,ସମର୍ଥ୍ୟ। ସତକୁ ସତ ତୁମ ଦିଆ ମନ୍ତ୍ର ଏମିତି କାମ କଲା ଟପର୍ ହେବା ସହ ପ୍ରଥମ ଚେଷ୍ଟାରେ ମେଡିକାଲ୍ ପାଇଗଲି। ଆଡମିଶନ୍ ଯାଏ ମୋ ସାଙ୍ଗରେ ଥିଲ ତୁମେ। ତାପରଠାରୁ ତୁମେ ହାୟର୍ ଷ୍ଟଡି ପାଇଁ କାଲି ଫର୍ଣ୍ଣିଆ ଚାଲିଗଲ। ତାପର ଠାରୁ ମୋ ସହ ସବୁ ଯୋଗା ଯୋଗ ଵିଛିନ୍ନ ! କାହିଁକି ଏମିତି କଲ ବିଶାଳ୍ !
ମୋ ସଫଳତାରେ ମାମା ଖୁସିରେ ଫାଟି ପଡିଲା।ବାବା କିନ୍ତୁ ଅସହିଷ୍ଣୁ ହୋଇ ପଡିଲେ ମୋର ଏତେ ଉପରକୁ ଉଠିବା ଦେଖି।ମୁଁ କେବେ ବି ତାଙ୍କୁ ମୋ ସାବତ ବାବା ଭାବିନି।ହେଲେ ସେ ମୋତେ କାହିଁକି ସାବତ ଝିଅ ଭାବନ୍ତି,ବୁଝି ପାରେନି। ବେଳେବେଳେ ସେ ମୋ ପ୍ରତି କୁ ଦୃଷ୍ଟି ବି ରଖନ୍ତି। ମାମା ପରି ଖୁବ ସୁନ୍ଦର ହୋଇଗଲୁଣି କୁହନ୍ତି। ମୋ ବାବା ଆଖିରେ ବାବାର ସେହ୍ନ କମ୍ ପୁରୁଷ ଗନ୍ଧ ଅଧିକ ଫୁଟି ଉଠେ। ବେଳର ବେଳେ ହିଂସ୍ର ବାଘ ଭଳି ଲାଗନ୍ତି। ଏଣୁ ମୁଁ ନିଜକୁ ସବୁବେଳେ ତାଙ୍କ ଠାରୁ ଦୁରେଇ ରଖେ। ସେ କିନ୍ତୁ ବାହାନା ଖୋଜନ୍ତି। ମୋ ଅପେକ୍ଷା ମୋ ମାମା ଅଧିକ ସତର୍କ ରୁହନ୍ତି। କୁହନ୍ତି ଏକୁଟିଆ ବାବାଙ୍କ ସହ କୁଆଡେ ଯିବୁନି। ମାମା ବୋଧେ ଅନୁଭବ କରେ ମୋ ବାବା ମୋ ଉପରେ କୁଦୃଷ୍ଟି ରଖୁଛନ୍ତି।ଏଣୁ ମେଡିକାଲ ପାଇ ଗଲା ପରେ ହଷ୍ଟେଲ ମୋ ଘର ହୋଇଗଲା। ଘର ସୁଖ ତ ମୋ ଭାଗ୍ୟରେ କେବେ ନଥିଲା,ଝୁରିବି କାହିଁକି? ବରଂ ମାମା ପାପାଙ୍କ ଦୂରତା କମୁ ମୋ ଅନୁ ପସ୍ଥିତିରେ।
ବିଶାଳ୍ ! ଜୀବନ ମୋତେ ସବୁଦେଲା।କିନ୍ତୁ ଦେଲାନି ପରିବାର ସୁଖ।ବାବାଙ୍କ ସେହ୍ନ।ଭାଇଭଉଣୀର ମମତା। କେବଳ ମାମା ସୁଖ ସେ ପୁଣି ଲୁଚି ଛପି ପାଇଛି ଯାହା। ସବୁ ଭିତରେ ବିଶାଳ୍ ତୁମ କଥା ନିଆରା। ତୁମକୁ ଦେଖିବାକୁ,ମୋ ସଫଳତା ତୁମ ସଙ୍ଗେ ବାଣ୍ଟିବାକୁ ଖୁବ ଇଚ୍ଛାଟିଏ ଜାଗେ। କିନ୍ତୁ ତୁମେ ଯେ ମୋ ପାଇଁ ହଜିଥିବା ଗୋଟେ ଠିକଣା।
ବ୍ସର୍ଜରୀ ରେ ପିଜି ସରିବା ପରେ ମୋ କାମ ପ୍ରତି ନିଷ୍ଠା ତଥା ରେଜେଲଟ୍ ଦେଖି ମୋର ସେଇ ଏମ୍ସରେ ପୋଷ୍ଟିଂଗ ହେଲା ହାର୍ଟ ସର୍ଜନ ଭାବେ।। ସେଠି ଆମ ଚନ୍ଦ୍ରଶେଖରପୁର ଡିଏଭିର ତୁମ ବ୍ୟାଚ୍ ସାଇ ସୈକତଙ୍କ ସହ ଦେଖା ହେଲା। ତାଙ୍କୁ ଦେଖି ମୁଁ ଉଲ୍ଲସିତ ହୋଇ ପଡିଲି। କାହିଁକି ନା ତୁମେ ସୈକତଙ୍କର ବେଷ୍ଟ ଫ୍ରେଣ୍ଡ ଥିଲ। କନ୍ଫରେନ୍ସ ହଲ୍ ରେ ସେ ମୋତେ ଚିହ୍ନି ପାରି କହିଲାର ହାଇ ଡ଼ଃ ଅନୁଭା ରାୟ! ହ୍ଵାଟ୍ ଏ ପ୍ରେଜେନ୍ସ ସରପ୍ରାରିଜ୍। ମୁହଁଟି ଯଦିଓ ଚିହ୍ନା ଚିହ୍ନା ଲାଗିଲା ରିକଲ୍ କରି ପାରିଲି ନାହିଁ ସେ କିଏ।ମାତ୍ର ସେ ପୁଣି କହିଲେ ଆମ ଡ଼ଃ ସାଇ ସୈକତ,ଫ୍ରେଣ୍ଡ ଅଫ ବିଶାଳ୍ ଭରଦ୍ବାଜ।
ବିଶାଳ୍ ଓ ମାଇଁ ଗଡ୍ ୟୁ ସାଇ ...ଓ ୟା ମି ସାଇ।
ଓହୋ ୟୁ ମିନ୍ ସାଇ ସୈକତ ମ୍ୟାଥ୍ ଅଲମ୍ପିୟାଡ୍। ୟୁ ଆର୍ ମାଇଁ ସିନିୟର୍ ଡକ୍ଟର୍ ଆଣ୍ଡ୍ ଦ ବେଷ୍ଟ୍ ଫ୍ରେଣ୍ଡ୍ ଅଫ୍ ବିଶାଳ୍, କହିଲି ମୁଁ।
ଓଃ ୟା ୟା ୟୁ ଆର୍ କରେକ୍ଟ୍ କହିଲେ ଡ଼ଃ ସାଇ। ଆମେ ଦୁହେଁ ଯେହେତୁ ଓଡ଼ିଶାର ପୁଣି ଏକା କଲେଜର ଜାଣିଲା ପରେ କେମିତି ଏକ ପାଖ ଲୋକକୁ ପାଇଲା ପରି ମନେ ହେଲା। ମଣିଷ ହୃଦୟ ସେମିତି ନିଜ ଘର,ଗାଁ ରାଜ୍ୟ ବା ଦେଶର କେହି ଲୋକଙ୍କୁ ବାହାର ଗାଁ,ରାଜ୍ୟ କି ଦେଶରେ ପାଇଲେ ଅନ୍ତରଙ୍ଗତା ଜାବୁଡି ଧରେ।ଭାରି ଭଲ ଲାଗେ।ନିଜର ନିଜର ବାସ୍ନା ହୁଏ।ଆମ ଅବସ୍ଥା ବି ସେମିତି ହେଲା।ସାଙ୍ଗ ହୋଇ ଗଲୁ ଦୁହେଁ।ଫୁରୁସତ ପାଇଲେ କଫି ପିଇବାକୁ ଗଲୁ ବି।ଏପରି କିଛି ଦିନ ଗଲା ପରେ ମୁଁ ପଚାରିଲି ସାଇ! ବିଶାଳ୍ ଖବର କିଛି ରଖିଛ ! କେଉଁଠି ସେ ଏବେ?କଣ କରନ୍ତି?
ସାଇ ଗୋଟେ ଗଭୀର ନିଃଶ୍ବାସ ପକାଇ କହିଲେ ବିଶାଳ୍,କଥା କୁହନି।ଟପ୍ ଗ୍ରେଡ୍ ର ପିଲାଟା ସେ।ବରବାଦ ହୋଇଗଲା।ମର୍ଡର ହୋଇଗଲା ତା କ୍ୟାରିୟର।ଯେଉଁ ଦିନ ଜାଣିଲା ତା ଡାଡିଙ୍କ ଦ୍ୱିତୀୟ ପତ୍ନୀଙ୍କ ପୁଅ ସେ। ତା ମମି ଅବିବାହିତ ବେଳେ ତାକୁ ଜନ୍ମ ଦେଇଥିଲେ ଅବୈଧ ସମ୍ପର୍କ ରଖି । ଅବଶ୍ୟ ଏବେ ଯିଏ ତାର ଡାଡି ସେଇ ଲୋକଟି ସହ ତା ମମି ଅନ ମ୍ୟାରେଡ଼ ପୂର୍ବରୁ ସମ୍ପର୍କ ରଖି ଜନ୍ମ ଦେଇଥିଲେ ତାକୁ।ସବୁଠୁ ବହୁତ ଆଘାତ ପାଇଲା ଯେବେ ଜାଣିଲା ତା ଡାଡି ଅନ୍ୟ ଏକ ସଫ୍ଟୱେର ଇଞ୍ଜିନିୟର ଝିଅକୁ ମ୍ୟାରେଜ କଲେ ତା ମମିଙ୍କୁ ମ୍ୟାରେଜ ନ କରି। ଅଥଚ ତା ମମି ଏ ସବୁ ଜାଣିଲା ପରେ ବି ଆଗ ପରି ସମ୍ପର୍କ ରଖିଲେ ତା ଡାଡି ସହ। ଯେଉଁଥିପାଇଁ ଗୋଟେ ଝିଅର ଜୀବନ ନଷ୍ଟ କରି ତାଙ୍କର ଗୋଟିଏ ବିବାହିତ ପତ୍ନୀ ଓ କଅଁଳ ସାତ ମାସର ଝିଅକୁ ଡିଭୋର୍ସ ଦେଇ ମମିଙ୍କ ପାଖେ ରହିଲେ କୋର୍ଟ ମ୍ୟାରେଜ କରି।
ଆଉ ଯେଉଁଦିନ ଆମ ସ୍କୁଲରେ ପ୍ରେତ୍ୟକ ପିଲାଙ୍କ ଛୋଟବେଳ ଫୋଟୋ ପ୍ରଦର୍ଶନୀ ହେଉଥିଲା ସେଥିରେ ସେ ଗୋଟିଏ ଫୋଟୋ ଦେଖିଲା ଯେଉଥିରେ ଗୋଟେ ଅତି ଛୋଟ ଝିଅ ସହ ତା ଡାଡିଙ୍କ ଫୋଟୋ ଥିଲା। ସେ ବର୍ଷ ଶେଷ ବର୍ଷ ଥିଲା ଆମର ସ୍କୁଲରେ।ସେ ସେ ଫୋଟୋ କୁ ଫୋନ୍ ରେ ଉଠାଇ ଆଣି ପଚାରିଥିଲା ତା ଡାଡି ଙ୍କୁ ଏ ଝିଅ ସହ ତାଙ୍କର ସମ୍ପର୍କ କଣ ? ତା ଡାଡି ନିର୍ଲ୍ଲଜଙ୍କ ପରି କହିଥିଲେ ଯେ ସେ ଝିଅଟି ତାଙ୍କର ବିବାହିତ ପ୍ରଥମ ପତ୍ନୀଙ୍କ ଝିଅ। ଜାଣିଛ କେତେ କାନ୍ଦି ଥିଲା ସେ। ରକ୍ଷୀ ପୂର୍ଣ୍ଣିମାରେ କେତେ ଖୋଜେ ଜଣେ ଭଉଣୀ।ତାର ଗୋଟିଏ ଭଉଣୀ ଅଛି ଅଥଚ ସେ କେତେ ହାତଭାଗା।
ସବୁଠୁ ବଡ଼ ଆଶ୍ଚର୍ଯ୍ୟ କଣ ଜାଣିଛ ଅନୁଭା କଣ !!!ପଚାରିଲା ଅନୁଭା।
ସେ ଟିକି ଝିଅଟି ହେଉଛ ତୁମେ।
ବିଶାଳ୍ ଡାଡି ବିଶିଷ୍ଟ ବ୍ୟକ୍ତି କୋରାପୁଟ ଦାମନ ଯୋଡିର ଚିପ୍ ଇଞ୍ଜିନିୟର୍ ସିଦ୍ଧାନ୍ତ ସାମନ୍ତରାୟଙ୍କ ପ୍ରଥମ ପତ୍ନୀ ଶ୍ରଦ୍ଧାଙ୍କ ଝିଅ।ଯାହାକୁ ବର୍ଷେ ହେଲା ମ୍ୟାଥ୍ ଓ ଜୀବନ ଯୁଦ୍ଧରେ ଜିତିବା ମନ୍ତ୍ର ଶିଖାଉଥିଲା।ଏ ସବୁ ଜାଣିଲା ପରେ ସେ ତା ଡାଡି ମମିଙ୍କ ଠାରୁ ସବୁ ସମ୍ପର୍କ କାଟି ଦେଇ କାଲିଫର୍ଣ୍ଣିଆ ଚାଲିଗଲା ସବୁଦିନ ପାଇଁ।ଜୀବନରେ କେବେ ବି ଇଣ୍ଡିଆ ଫେରିବ ନାହିଁ କି କାହା ସଂଗେ ସମ୍ପର୍କ ରଖିବ ନାହିଁ ବଜ୍ର ଶପଥ ନେଇ।କାରଣ ସେ ପରୋକ୍ଷରେ ତୁମ ଉଜୁଡା ଶୈଶବ ଓ ଦୁଃଖର ଜୀବନ ପାଇଁ ନିଜକୁ ଦାୟୀ କରୁଥିଲା।
ମୁଁ ସାଇଙ୍କ ଠାରୁ ଏପରି କଥା ଶୁଣି କାଠ ହୋଇ ଯାଇଥିଲି। ମନ ତଳେ ମମତାର ଫାଲ୍ଗୁଟିଏ ବହି ସାରିଥିଲା ମୋ ଭିତରେ ବିଶାଳ୍ ମୋ ଭାଇ ! ଆଃ କି ଚମତ୍କାର ସଂଯୋଗ। ଖୁସିରେ ଆତ୍ମହରା ହୋଇ ସାଇଙ୍କୁ ଧରି ଘେରାଏ ବୁଲି ଗଲା ଅନୁଭା ଓ ସାଇ ଓ ସାଇ...ବିଶାଳ୍ ମୋ ଭାଇ.... ହେ ଶୁଣ ବିଶାଳ୍ ମୋ ଭାଇ....ହେ ହେ....ଓ ହୋ ହୋ....
ତା ପର ଦିନ ଫ୍ଲାଇଟ୍ ରେ କାଲିଫର୍ଣ୍ଣିଆ ଯାତ୍ରା କରୁଥିଲା ଅନୁଭା ତା ଭାଇ ବିଶାଳ୍ ସାମନ୍ତରାୟକୁ ଦେଖା କରିବାକୁ ଖୁସିର ଆକାଶ ଛୁଇଁ।