ବିବାହ ପରର ଝିଅ ଜୀବନ
ବିବାହ ପରର ଝିଅ ଜୀବନ
ମୁଁ ଅନୁଭା ଆଜି ମୋର ଫୋର୍ଥ ନାଇଟ୍ ।
ଜୀବନର ଇପ୍ସିତ ଅପେକ୍ଷିତ ରାତିରେ ଯାହାକୁ ମୁଁ ଦେଖିଲି, ଯାହା କଥା ମୋ କାନରେ ପଡିଲା ସେ ଥିଲେ ବିନୟ ଜଣେ ବଳିଷ୍ଠ କାୟ ସାଧାସିଧା ଅମାୟିକ ପୁରୁଷ । ଯାହାର ଲୋମଶ ଛାତିରେ ଗୋଟିଏ ନାରୀ ମୁଣ୍ଡ ଗୁଞ୍ଜିବାକୁ ଯଥେଷ୍ଟ ସ୍ଥାନ ଥିଲା । ଗମ୍ଭୀର, ସ୍ଵଳ୍ପଭାଷୀ, ସରଳ ମଣିଷଟିର ହାତ ଧରିଥିଲି । "ଆରେଞ୍ଜ ମ୍ୟାରେଜ" ମୋର ।
ବିନୟ ଏତେ ସରଳ, ବୁଦ୍ଦୁ ଥିଲେ ଯେ ମ୍ୟାରେଜ କରିବାର ଯେଉଁ କୌତୂହଳ, ଦୁଷ୍ଟାମୀ, ପାଗଳାମୀ ତାଙ୍କ ପାଖେ ନଥିଲା । ସତେ ଅବା ସଂସାର ଭାଵ ପ୍ରବଣତା ନଈରେ ବିନୟ ଏକ ଶୁଖିଲା କାଠ...
ଶୁଖିଲା କାଠ ସନ୍ଧିରେ ମୁଁ ସଂସାର ବିଷୟରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଗୋଟିଏ ବେଙ୍ଗ...
ମୁଁ ଓ ବିନୟ ପରସ୍ପରକୁ ବୁଝିବାରେ ଅନେକ ଅନେକ ସମୟ ଲାଗି ଯାଇଥିଲା । ଅତି ସରଳତା ବେଳେବେଳେ ବହୁତ କଷ୍ଟ ଦିଏ । ଅଜାଗା ଘାଆ ପରି ଦେଖାଇ ହୁଏନି, କି ଦେଖିବି...ବୋଝ ପରି ମାଡି ମାଡି ପଡେ ଜୀଇଁବା ।
ଏତିକି ବୁଝିଲି ମ୍ୟାରେଜ ମାନେ ବାପଘର ଛାଡି ଝିଅଟିଏ ଅଜଣା, ଅଚିହ୍ନା ପରିବେଶ ଶାଶୁଘରକୁ ଆସିବା । ଶାଶୁ ଘରର ପ୍ରତ୍ୟେକ ବ୍ୟକ୍ତି, ତାଙ୍କ ସାଇ ପଡୋଶୀ, ବନ୍ଧୁ ବାନ୍ଧବମାନଙ୍କୁ ଆପଣେଇବା । ନିଜ ଇଚ୍ଛାର ତଣ୍ଟି ଚିପି ସବୁ ଦାୟିତ୍ୱ ମୁଣ୍ଡେଇବା । ଆଉ ବି ବୁଝିଲି ମ୍ୟାରେଜ ମାନେ ଗୋଟିଏ ନିବୁଜ ଘର, ବେଡ଼ ଓ ଜଣେ ପୁରୁଷ ସହ ସାଲିସ କରିବା ।
ଯେଉଁ ନିବୁଜ କୋଠରୀକୁ ଆସିବାର ତିଳେ ମାତ୍ର ଆଗ୍ରହ ନଥିଲା ମୋ ଠାରେ । କାହିଁକି ନା ମୋ ଆସିବା ବାଟକୁ କେହି ଅପେକ୍ଷା ରଖୁନଥିଲା। ମୋ ସହ କିଛି ସେୟାର କରିବାର ମାନସିକତା ନଥିଲା ବିନୟଙ୍କ ପାଖେ ।
ମୁଁ ଶୋଉଥିଲା ପ୍ରେତ୍ୟେକ ଦିନ ସମସ୍ତଙ୍କ ପଛରେ, ଉଠୁଥିଲା ସଭିଙ୍କ ଆଗରେ । ସବୁକାମ ଧନ୍ଦା ସାରି କାନିରେ ହାତ ପୋଛି ଆସିଲା ବେଳକୁ ବିନୟ ଘୁଙ୍ଗୁଡ଼ି ପେଲୁ ଥିବେ ଜୋର ଜୋର । ଘୁଙ୍ଗୁଡ଼ିକୁ ମୁଁ ଭାରି ବିରକ୍ତି ହୁଏ । ସାରା ଦିନ ଖଟିଲା ପରେ କେମିତି ଶୋଇବ ଏତେ ଘୁଙ୍ଗୁଡ଼ି ମେଳରେ?
ମୁଣ୍ଡରେ ବେଡ଼ସିଟ ଗୁଡାଇ ଶୋଇବାକୁ ଚେଷ୍ଟା କରୁ କରୁ ନିଦ କେତେ ବେଳେ ମୋତେ ଆଉଁସି ଦେଇ କୋଳେଇ ନିଏ ସଜାଣି ପାରେନି । ପ୍ରକୃସ୍ଥିତ ହେଲା ବେଳକୁ ହୋଇଯାଇଥାଏ ଭୋର୍। ବିନୟ ନଥାନ୍ତି ବେଡ଼ରେ । କୁଆଡେ ଯାଆନ୍ତି କେଜାଣି?
ଭାରି ଏକା ଲାଗେ । କାନ୍ଦ ଲାଗେ । ମନେପଡନ୍ତି ବାବା ମାଆ, ଭାଇ ଭଉଣୀ । ବାପଘରର ରାଜକୁମାରୀ ଜୀବନକୁ ମନ ଝୁରେ... ଅଣ୍ଡାଳେ ଟିକେ ସେହ୍ନ... ଆତ୍ମୀୟତା... । ମନ ଭୋ ଭୋ ହୁଏ। ମାଆ... ମାଆ ଡାକେ । ବାବା... ବାବା ଚିତ୍କାର ଛାଡେ। ଯାହାର ଶବ୍ଦ କେବଳ ନିଜ ହୃଦୟ କାନ୍ଥରେ ପ୍ରତିଧ୍ୱନିତ ହୋଇ ମୋରି କାନ, ମନ, ଆତ୍ମା ଯାଏ ଶୁଭେ।
ବଡ଼ ଚକିତ ହୁଏ ମୁଁ । ଶାଶୁଘର ଲୋକଙ୍କୁ, ତାଙ୍କ ବନ୍ଧୁ... ବନ୍ଧୁଙ୍କ ବନ୍ଧୁ ସମସ୍ତଙ୍କୁ ଖୁବ କମ ସମୟରେ ଆପଣାର କରିନେଲା ବେଳେ ମୋ ବାବା ମାଆ ଭାଇ ଭଉଣୀ କି ଅନ୍ୟ କାହାରିକୁ ଶାଶୁଘର ଲୋକେ ଆପଣାର ଭାବନ୍ତି ନାହିଁ କାହିଁକି?
ଶାଶୁ ଘରକୁ ଝିଅଟିଏ ନିଜ ଘର ଭାବି ସଜାଏ। ସେଇ ଘରର ପ୍ରତିଟି ସଦସ୍ୟଙ୍କୁ ଆପଣାର ମଣେ। ଘର ଲୋକଙ୍କ ଅଭାବ, ଅସୁବିଧା, ଦୁଃଖ, ସୁଖକୁ ନିଜର କରେ। ଘର ଇଜ୍ଜତ ପ୍ରତି ଆଞ୍ଚ ଆସିବାକୁ ଦିଏନି ।
ଅଥଚ ମୋ ବାବା ମାଆଙ୍କୁ କେହି ଏମିତି ଭାବନ୍ତିନି ତା! କେହି ସେମାନଙ୍କ ସୁଖ ଦୁଃଖର ଅଂଶୀଦାର ହୁଅନ୍ତି ନାହିଁ , କାହିଁକି? ମୋ ଭାଇ ଭଉଣୀଙ୍କୁ କେହି ଶାଶୁଘରେ ନିଜ ପିଲା ଭାବନ୍ତି ନାହିଁ। କାହିଁକି ଏପରି ତାରତମ୍ୟ। କାହିଁକି ସବୁ ଝିଅଟିଏ ହିଁ କରିବ!ପୁଅ ନୁହେଁ?କଣ ସେ ଗୋଟିଏ ପୁଅ ବୋଲି!!ତାର କଣ ଚାରି ଛଅଟା ହାତ , ଗୋଡ଼, ମୁଣ୍ଡ !ଯାହା ଝିଅର ନାହିଁ!କାହିଁକି ଏମିତି ବିଧି ବିଧାନ!କିଏ ସୃଷ୍ଟି କରିଛି ଏସବୁ ପ୍ରଥା, ପରମ୍ପରା?
ଆହୁରି ବେଶୀ ଆକୁଳ ଲାଗେ ବାବା ମାଆଙ୍କ ଦେହ ଖରାପ ଥିଲେ କୁଣିଆଁ ପରି ଦେଖିବାକୁ ଯିବେ ଝିଅ ଜ୍ୱାଇଁ । ଘଣ୍ଟାଏ ଦି ଘଣ୍ଟା ରହିବେକି ନାହିଁ ଚାଲି ଆସିବେ । ସେବା କରିବାର ସୁଯୋଗ ଦେବେ ନାହିଁ ବାବା ମାଆଙ୍କର...
ରାତି ରାତି ଅନିଦ୍ରା ରହି ଶାଶୁ ଶଶୁରଙ୍କର ସେବା କରିବ ଝିଅ...ଝିଅ ଯଦି ବିନା ଦ୍ୱିଧାରେ ଶାଶୁ ଘରେ ସମସ୍ତଙ୍କର ସବୁ କରି ପାରୁଛି ନିଜର ଭାବି, ଜ୍ୱାଇଁ ଏପରି କରନ୍ତିନି କାହିଁକି?କେଉଁ ବେଦରେ ଲେଖା ଅଛି ଏପରି ନକରିବା ନୀତି!
ହଁ କେତେ କଳିଗୋଳ ପରେ ଜ୍ୱାଇଁ ଯଦି ବା ଏମିତି କିଛି କରେ, ଖାଲି ଫଁ ଫଁ ହେଉଥିବେ। ତୋ ବାବାର ଏଇଆ କଲି, ତୋ ମାଆର ଏଇଆ କଲି, ଏତେ ଖର୍ଚ୍ଚ କଲି ଇତ୍ୟାଦି ଉଲୁଗୁଣା ଦେବେ ।
ସବୁଠୁ ଆଶ୍ଚର୍ଯ୍ୟ ହୁଏ କଥା କଥାକେ ଶାଶୁ ଘରର ସମସ୍ତେ ଜ୍ୱାଇଁ ସହ ଯେତେବେଳେ" ତୋ ବୋପା" କହି ଟାହୁଲି ଟାପରା କରନ୍ତି । ଦେହ ଜଳି ଯାଏ ସେତେବେଳେ ଗୋଟେ ଝିଅର।
ବିସ୍ମୟ! କିନ୍ତୁ ବୋହୁ ଏମିତି କହି ପାରିବନି। ଇଲୋ ମାଆ ଏପରି କହିଲେ ଗ...ଲା...ବେଦ ଅଶୁଦ୍ଧ ହେଲା ଜାଣ । ତୁମ୍ବି ତୋଫାନ ଉଠିବ । ନାହିଁ ନଥିବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ।
ଝିଅଟି ଯଦି କର୍ମଜୀବୀ ତା ହେଲେ ତା ଦୁଃଖ ଦୁଃଖ କହିଲେ ନ ସରେ । ଦୁଃଖ କରିବେ, ବାବା ମାଆ, ପାଠ ପଢେଇ ଗୋଡରେ ଠିଆ କରେଇବେ ବାବା ମାଆ । କିନ୍ତୁ ଶାଶୁ ଘରକୁ ଆସିଲେ ଦରମା ଗୋଟା ସୁଦ୍ଧା ସ୍ୱାମୀ, ଶ୍ୱଶୁରଙ୍କର । ନିଜ ପାଇଁ ଖର୍ଚ୍ଚ କଲେ ବି କୈଫିୟତ ଦେବାକୁ ହେବ "କଣ କଲ ପଇସା"...
ବିଚିତ୍ର ଝିଅ ଜନ୍ମ ଓ ଜୀବନ । ବାବା ମାଆଙ୍କୁ ଅନ୍ତତଃ ପକ୍ଷେ ନିର୍ଭୟରେ ମନ କଥା କହି ହୁଏ । ମାତ୍ର ଶାଶୁ ଘରେ ! ନା ଥାଏ ମନ , ନା ଥାଏ ଇଚ୍ଛା । ପୁଣି ମାଆ ହୋଇଗଲା ପରେ ପୁଅ ବୋହୁଙ୍କ ଅଧୀନରେ କୁହୁଳି କୁହୁଳି ବଞ୍ଚେ ବାକି ଜୀବନ ।
ହଁ କିଛି ଝିଅ ବଞ୍ଚି ନିଅନ୍ତି ନିଜ ଭାଗର ଜୀବନ ସ୍ୱାଧୀନ ଭାବେ । ପତ୍ନୀ ସୁହାଗ ପତି ପାଇଁ। ମାଆ ବାବା ପରି ଶାଶୁ ଶଶୁର ପାଇଁ । ହାତ ଗଣନ୍ତି ଏମାନ ସଂଖ୍ୟା।
କିନ୍ତୁ ବିନୟଙ୍କ ପରି ସ୍ୱାମୀ ଭାଗ୍ୟେରେ ମିଳିଲେ ଏମିତି ଲହୁ ଲୁହ ପିଇ ପିଇ ବଞ୍ଚିବାକୁ ପଡେ। ଅଙ୍କା ବଙ୍କା ଜୀବନ ରାସ୍ତାରେ ଖାଲି ମୋଡ଼ ଓ ଝଡ଼ । ପୁଣି ଗୋଟିଏ ମୋଡ଼ ଆସିଲା ମୋ ଜୀବନରେ। ସମସ୍ତେ କହିଲେ ମହାନ୍ତି ଘର ବୋହୂର ପିଲାପିଲି ହେବନି, ନା କଣ?ମହାକାଳ ଫଳ। ଦେଖିବାକୁ ଡ଼ଉଲ ଡାଉଲ । ଭିତର ଫମ୍ପା! ଦୁଇ ବର୍ଷ ବିତି ଯାଇଥିଲେ ବି କିଛି ଶୁଭ ଖବର ନାହିଁ?
କି ମୂର୍ଖ, ଅଗୁଆଁର ଲୋକଗୁଡା...ବାହା ହେଇ ଆସୁ ଆସୁ ଛୁଆ!ଅବଶ୍ୟ ବିନୟ ସବା ସାନ ପୁଅ । କୁଳ ଉଜ୍ଜ୍ୱଳ କରିବ ବୋଲି ଚାରି ଝିଅରେ ବିନୟ । ତାଙ୍କ ବାପାମାା ଅତ୍ୟଧିକ ବୟସ ହେତୁ ଶୀଘ୍ର ନାତି କି ନାତୁଣୀ ମୁହଁ ଦେଖି ମାରିବାକୁ ଚାହୁଛନ୍ତି ।
କେମିତି ବୁଝେଇବି ପିଲାଟିଏ ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମିଳନ ହେବା ଏକାନ୍ତ ଆବଶ୍ୟକ । ଆବଶ୍ୟକ ଏକ ମୁହୂର୍ତ୍ତ, ମନ, ପ୍ରସ୍ତୁତି । ଏଥିରୁ ଗୋଟିଏ ତ ମୋ ଜୀବନରେ ନାହିଁ! ପିଲା ହେବ କିପରି!
ମୁଁ ତ ଏବେ ବି ଅପଢ଼ା...ଅନୁଢା ।
ବିନୟ ସଂସାରତ୍ୟାଗୀ ଯୋଗୀ ଓ ମୁଁ ଯୋଗିନୀର ଜୀବନ ବଞ୍ଚୁଛି । କିନ୍ତୁ କାହିଁକି ବିନୟଙ୍କର ଦେହ ପ୍ରତି, ଦାହ ପ୍ରତି ବିତୃଷ୍ଣା ସେ ଖିଅ ଖୋଜି ପାଉନି ଏଯାଏ । ବିନୟ ମୋତେ ଛୁଇଁବାର ଆଗ୍ରହ କି ମୋ ପ୍ରତି ଆସକ୍ତି ପ୍ରକଟ କରନ୍ତି ନାହିଁ ।
ମୁଁ ବି ଅଲାଜୁକି ପରି ଉପରେ ପଡେ ନାହିଁ। ଦୁହେଁ ବହୁ ଗୋଟିଏ ନଈର ଦୁଇ ଧାର ହୋଇ । ଯୋଉ ନଈରେ କେବେ ବି ବନ୍ୟା ଆସୁ ନାହିଁ କି ହେଉ ନାହିଁ ଜୁଆରିଆ ।
କେଉଁଠୁ ଆସିବ ଶାମୁକା!ତା ଭିତରେ ପୁଣି ମଣି କି ମୁକ୍ତା...
ବହୁତ କଷ୍ଟ ଏ ଦେହର ଭୋକ...ଦାହର ଜଳନ । ଦେଖା ଯାଉ କେବେ ଶୁଖିଲା କାଠ ବିନୟଙ୍କ ଆସନ ଟଳୁଛି...କେବେ ଓଦା ହେବ ସେଇ କାଠ ସନ୍ଧିରେ ନିଜର ଅସ୍ତିତ୍ୱ , ଅସ୍ମିତା ହଜାଇ ଜାକିଜୁକି ରହିଥିବା ବେଙ୍ଗ...
ହଠାତ ମୁଁ ପାଇ ଗଲି ବିନୟର ରହସ୍ୟ ଖିଅ। ମିତାଲି ନାମ୍ନୀ ମହିଳା ସଙ୍ଗେ ଡାରେ ନାରେ ହୁଅନ୍ତି ସେ। ସେଇ ପାଇଁ ଭୋରୁ ଅଣ୍ଡାଳିଲେ ବାବୁ ଗାୟବ...
ଛି!ଅଇଁଠା ଚିଜଟା ମୋ କପାଳରେ ପଡ଼ିଛି! । ପରକୀୟା ପ୍ରୀତି ପ୍ରତି ରୁଚି ରଖୁଥିବା ମଣିଷଟା ପାଇଁ ଏତେ ଜଳୁଛି ମୁଁ !ହଉରେ ପୁଅ!ଖିଅ ମିଳିଲାଣି ଯେତେ ବେଳେ ତତେ କେମିତି ଗୁଡି ପରି ଉଡାଉଛି ଖାଲି ଦେଖ...
ଆରେଞ୍ଜ ମ୍ୟାରେଜ କରି ମୋ ଜୀବନ ଆଜି କେଉଁଠି ? ଅବାଟରେ ଯାଉଥିବା ସ୍ୱାମୀଙ୍କୁ ବାଟକୁ ଆଣିବାକୁ ମୋତେ ଆବଶ୍ୟକ ପଡ଼ିଲେ ଦୁର୍ଗା ହେବାକୁ ପଡିବ।
ଆଖି ଲୁହ ପୋଛି ମୁଁ ଭାବିଲି ବିବାହ ପରର ଝିଅ ଜୀବନ ଏମିତି ଅସହ୍ୟ !