Satyabati Swain

Tragedy Inspirational

4.5  

Satyabati Swain

Tragedy Inspirational

ଭୟ

ଭୟ

5 mins
434



ଡିସେମ୍ବରର ଗୋଟିଏ ଶୀତୁଆ ସନ୍ଧ୍ୟା।ଡିୟୁଟିରୁ ଫେରି ଗଡ଼ପଡ଼ ହେଉଛି ତ ନନା ଫୋନ୍ କଲେ, ପରୀ ତୁ କିଛି ଦିନ ଛୁଟି ନେଉ ଆ ମାଆ ।ଜିନାକୁ ତା ଶାଶୁଘର ବିଦା କରିଦେଇଛନ୍ତି।


ବିଦା ! କିନ୍ତୁ କାହିଁକି !


ଆସିଲେ ଜାଣିବୁ।


ଆସିଲା ପରେ ଜାଣିଲି ଯେଜିନାନୀକୁ ତା ଶାଶୁ ଘର ନେବାକୁ ମନା କରୁଛନ୍ତି !ବେଶୀ ଅରାଜି ଆମ ଓମ୍ ଭାଇନା ! ଜିନାନୀ କୁଆଡେ ସ୍ତ୍ରୀ ହେବାକୁ ଅଯୋଗ୍ୟ ! ମାତ୍ର ଛଅ ମାସ ହାତରେ ସମୟ। ଜିନାନୀ ଯଦି ନିଜକୁ ସ୍ତ୍ରୀ ରୂପରେ ପ୍ରସ୍ତୁତ ନ କରେ ଓମ୍ ଭାଇନା ତାକୁ ଡିଭୋର୍ସ ଦେଇଦେବେ।ନାନୀକୁ ସମସ୍ତେ ଭଲ ପାଆନ୍ତି । ସେଇପାଇଁ କିଛି ସମୟ ଦେଇଛନ୍ତି ନଚେତ୍ ଫୋର୍ଥ ନାଇଟ ପରେ ପରେ ଘରୁ ବାହାର କରିଦେଇଥାନ୍ତେ ସେମାନେ ।

    ଅଯୋଗ୍ୟ ! ପୁଣି ଜିନାନୀ ପରି ଜଣେ ସୁନ୍ଦରୀ,

ସୁଶୀଳା ଝିଅ ! ବେଡ୍ କୁ ଯିବାକୁ ଡରୁଛି ! ଭାଇନାଙ୍କ ସହ ଅନ୍ତରଙ୍ଗ ହୋଇ ପାରୁନାହିଁ ! କାରଣ କଣ ?ମୋତେ କାରଣ ଓ ଏହାର ନିରାକରଣ କରିବାର ଅଛି ଯେ କୌଣସି ଉପାୟରେ।

      ଆମେ ବେଡ୍ ରେ ପେଟେଇ ପଡି ଆମ ପିଲା ଦିନ ଫଟୋ ଦେଖୁଥିଲୁ। ମୋ କାବୁଲିଆ ଚେହେରା ଫଟୋ ଦେଖି ଜିନାନୀ ହସି ହସି କହିଲା, କିଏ କହିବ ଏ ଡଉଳ ଡାଉଲ ଛୁଆଟା ଆଜିର ଆମ ଡାଙ୍ଗ ପରୀ !

   ଆଉ କିଏ କହିବ.. ଏ ହସ୍କୁରୀ ଝିଅଟା ଆଜିର ଉଦାସୀ ସୁନ୍ଦରୀ ଜିନାନୀ ।


ହୁଁ ମୁଁ କି ସୁନ୍ଦର ମୋ ପରୀ ଆଗେ ?

    ଏମିତି ଦେଖି ଯାଉ ଯାଉ ଗୋଟେ ଲାଇଫ୍ ସାଇଜି ପପି ମାମୁଁଙ୍କ ଫଟୋ ମିଳିଲା। ତାକୁ ଦେଖି ଜିନାନୀ ଥରିବାକୁ ଲାଗିଲା।

   ଜିନାନୀକୁ ପିଲାଦିନେ ଏ ପପି ମାମୁଁ ବଳତ୍କାର କରିଥିଲା। ଯେଉଁ ସତ୍ୟ ଜିନାନୀ ଆଜିଯାଏ କାହାକୁ କହିନି । ସେଇଥିପାଇଁ ଭାଇନା ତା ସହ ଅନ୍ତରଙ୍ଗ ହେବାକୁ ଯେବେ ଯେବେ ଚେଷ୍ଟା କରନ୍ତି ସେ ଭୟରେ ଚିତ୍କାର ଛାଡି ଥରେ ।ଏଣୁ ଜିନାନୀ ସ୍ତ୍ରୀ ହେବାକୁ ଅଯୋଗ୍ୟ ଏଇ ଲାଞ୍ଛନା ଦେଇ ତା ଶାଶୁଘର ବିଦା କରି ଦେଉଛନ୍ତି ଆମ ଘରକୁ। ନନା ମାଆଙ୍କ ମୁଣ୍ଡ ଉପରେ ଯେମିତି ଆକାଶ ଖସି ପଡିଛି। ଘରେ ଭାଳେଣି ଏ ଘଟଣା ନେଇ। ମୋତେ ଡାକିଛନ୍ତି କିଛି ଗୋଟେ ସମାଧାନ ରାସ୍ତା ବାହାର କରିବା ପାଇଁ । ମୁଁ ଜଣେ ସାଇକୋ ଥେରାପିଷ୍ଟ ଯେଣୁ।

   ପିଲାଦିନ ଫଟୋ ଦେଖୁ ଦେଖୁ ପପି ମାମୁଁ ଫଟୋ ଦେଖି ଜିନାନୀ ଯେମିତି ପ୍ରତିକ୍ରିୟା ପ୍ରକାଶ କଲା ମୋର ସନ୍ଦେହ ହେଲା।ତାକୁ ପଚାରି ଯାହା ବୁଝିଲି ସେଇଟା ପ୍ରଘଟ କଲେ ବେଶୀ ଜିନାନୀର ହେବ କ୍ଷତି। ତା ଶାଶୁଘର ଛଅମାସ ସମୟ ଦେଇଛନ୍ତି ତାକୁ। ଯଦି ସହବାସ କରିବାକୁ ନିଜକୁ ପ୍ରସ୍ତୁତ କରିବ ତ ସେମାନେ ଗ୍ରହଣ କରିବେ ନଚେତ୍ ଡିଭୋର୍ସ ହେବା ଥୟ।

   ପପି ମାମୁ ଫଟୋଟି ଦେଖି ମୁଁ କହିଲି ଏ ସୈତାନକୁ କଣ କରିବା ଜିନାନୀ ?ଏହା ମୋର ଗୋଟେ ଉପାୟ ଥିଲା ଜିନାନୀ ଭିତରୁ ଭୟର ଭୂତ ତଡିବା ପାଇଁ।

    ଜିନାନୀ ପୁଣି ଭୟ ମୁଦ୍ରାରେ। ମୁଁ ତା ହାତ ଧରି ବାଡ଼ି ପଟକୁ ନେଇଗଲି।ଦିଆସିଲି ନେଲି। କାଠି କୁଟା ଜମା କଲି। ଦେଖ୍ ଜିନାନୀ ଆଜି ତୋ ଭୟର ଭୂତକୁ ଜାଳି ଦେବା ।ନା ସେ ଥିବ ନା ତୋତେ ଡରେଇବେ।କଣ କହୁଛୁ ଜିନାନୀ ? 

    ହଁ ସେଇଆ କର।ପୋଡ଼ ତାକୁ।ମରୁ ସେ। ମୋ ଜୀବନ ନଷ୍ଟ କରି ଦେଲାଣି।ମୋତେ ଓମ୍ ର କରେଇ ଦେଉ ନାହିଁ। ଦେ ମୁଁ ତାକୁ ଜାଳିବି କହି ମୋ ହାତରୁ ଦିଆସିଲି ନେଇ ଫଟୋଟିକୁ କାଠି କୁଟା ଗଦା ଉପରେ ଶୁଆଇ ନିଆଁ ଲଗେଇ ଦେଲା। ଫର୍ ଫର୍ ହୋଇ ଜଳିଗଲା ଭୂତ।ତାପରେ ବାଥ ରୁମ୍ ଯାଇ ସାୱାର ଖୋଲି ମୁଣ୍ଡ ଧୋଇ ଗାଧୋଇ ପକାଇଲା ଜିନାନୀ। ମାଆ ନନା କାବା।ଜିନା କଣ ପାଗେଳି ହୋଇଗଲା ? ଅବେଳଟାରେ ମୁଣ୍ଡ ଧୋଇ ଗାଧୋଉଛି। ମୁଁ ଠାରରେ କହିଲି ,କିଛି କୁହ ନାହିଁ।

   ଚା କରି ଆଣି ଜିନାନୀକୁ ଦେଲି। ଶୁଣ୍ ଜିନାନୀ ଏଇ ସତ୍ୟଟିକୁ ଆଜିଠାରୁ ମନ ସିଲଟରୁ ସମ୍ପୂର୍ଣ୍ଣ ଲିଭେଇ ଦେ। ଭୁଲି ଯାଆ ଯେ ପପି କାହାକୁ ତୁ ଜାଣିଛୁ କିମ୍ବା ତୋ ସହ କଣ ଘଟିଥିଲା। ଭାବେ ଗୋଟେ ଦୁଃସ୍ୱପ୍ନ।

    ସେ ଚା ପିଇ ସାରି କହିଲା, ମାଆ ମୁଁ ସନ୍ଧ୍ୟା ଦେବି।ସନ୍ଧ୍ୟା ଦେବା ତାର ଏକ ଭଲ ରୁଚି ଯାହା ଶାଶୁଘରୁ ଆସିଲା ପରେ କରୁ ନଥିଲା। କହିବାକୁ ଗଲେ ତା ମାନସିକ ସ୍ଥିତି ହିଁ ଠିକ୍ ନଥିଲା ଶାଶୁଘରୁ ଆସିଲା ଦିନୁ। । ସେଦିନ ରାତି ସାରା ଦୁଇ ଭଉଣୀ ଢେର୍ ସମୟ ଗପିଲୁ। ମୋ ବିଦ୍ୟା ପ୍ରୟୋଗ କରି ଏଥର ମୁଁ କେବଳ ଓମ୍ ଭାଇନାଙ୍କ ବିଷୟରେ ପଚାରୁଥାଏ।ସବୁ ନକାରାତ୍ମକ ମନ୍ତବ୍ୟ ଦେଉଥାଏ ଓମ୍ ଭାଇନାଙ୍କ ବିରୋଧରେ ।

    ଜିନାନୀ ! ଓମ୍ ଭାଇନାଟା ଦେଖିବାକୁ ଅସୁନ୍ଦର ନା ? କାହିଁ ମୋ ହଳଦୀ ଗୋରୀ ଜିନାନୀ ଆଉ କାହିଁ ସେ କାଳିଆ ଭୁଆଁ ଓମ୍ ।

   ହେ ସେମିତି କହନି ମ। ଓମ୍ ହିରୋ ପରି। ପୁଅ ଗୁଡା ଅଧିକ ଗୋରା ହେଲେ ମାଇଚିଆ ଲାଗନ୍ତି।ଓମ୍ ଙ୍କ ତ ସୁଇଟି କଲର୍।


ନାକଟି ଗେଣ୍ଡା ତାଙ୍କର।

  ତୁ ତାହେଲେ ଠିକ୍ ରେ ଦେଖିନୁ।ଖଣ୍ଡା ନାକ ତାଙ୍କର। 


କଲର୍ ଜ୍ଞାନ ବି ତାଙ୍କର ନାହିଁ ?

   ନାହିଁ !! ତୋ ମୁଣ୍ଡ ଖରାପ ! ମୋର ଯେତେ ଶାଢ଼ୀ, ଚୁଡ଼ି ଓ ଗହଣା ଗାଣ୍ଠି ପରା ତାଙ୍କ ପସନ୍ଦର।


ସ୍ୱାମୀ ହେବାକୁ ଅଯୋଗ୍ୟ ସେ।

   ତୁ ଓମ୍ ଙ୍କୁ କିଛି ବି ଟିକେ ଜାଣିନୁ । ଓମ୍ ପରି ବୁଝିଲା ଶୁଝିଲା ପିଲା କେହି ହେବେ ନାହିଁ। ବହୁତ ଭଲ ସେ।ମୁଁ କିନ୍ତୁ ପୁରା ଖରାପ।

    ଜିନାନୀ ମୋର ସବୁ ମନ୍ତବ୍ୟ କାଟି ଭାଇନାଙ୍କ ସବୁ ଗୁଣ ଭଲ ବୋଲି କହି ଅନର୍ଗଳ ପ୍ରଶଂସା କରି ଚାଲିଥାଏ ।ଗପୁ ଗପୁ ମୁଁ ଶୋଇବା ଅଭିନୟ କଲି। ଜିନାନୀ ଫୋନ୍ ଆଣି ଓମ୍ ଭାଇନାଙ୍କୁ ଲଗାଇଲା।

ହାଲୋ !

  ସେପଟୁ ଓମ୍ ଭାଇନା କହିଲେ, କି ଭାଗ୍ୟ ! ରାତି ଅଧରେ ଏଇ ପ୍ରଥମ ଥର ମ୍ୟାରେଜ ପରେ ମୁଁ ତୁମର ମନେ ପଡୁଛି ଜିନା ?


ଆସ୍ତେ କୁହ ପରୀ ମୋ ପାଖେ ଶୋଇଛି।

   ଆସ୍ତେ ! ଆସ୍ତେ କାହିଁକି ଜିନା ? ମୁଁ ତୁମ ପତିଦେଵ। ଖୋଲା ଖୋଲି ତୁମକୁ ପ୍ରେମ କରି ପାରେ । ସମାଜ ଆମକୁ ସ୍ୱୀକୃତି ଦେଇଛି। ବାହା ଘର ପରେ ପରମାନେଟ୍ ଲାଇସେନ୍ସ ପାଇଛି ପରା। ପରୀ ତ ଏମିତିରେ ମୋ ଶାଳୀ। ଶାଳୀ ଅଧା ଘର ବାଲି। ତୁମେ ତ ମୋତେ ପାଖରେ ପୁରାଉ ନାହଁ। କୁନି କି ପରୀ ଯାହାକୁ ହେଲେ ମୋତେ ଆଣିବାକୁ ପଡିବ।

   ଛିଃ କି ବେଲଜ୍ୟା କଥା ? ସେମାନେ ତୁମ ଭଉଣୀ ପରି।ଏମିତି କଥା କୁହନ୍ତି କି ଓମ୍ ?

   ଆଉ କେମିତି କୁହନ୍ତି ? ରସିକିଆ କରି ଭାଇନା କହିଲେ।


ଇସ୍ କି ଦୁଷ୍ଟ ତୁମେ ?

    ଜିନା ମୋର ଇଛା ହେଉଛି ଏବେ ତୁମ ପାଖକୁ ଉଡି ଯାଆନ୍ତି।


ମୋର ବି ଓମ୍ ।

    ଅର୍ଥାତ କେଇଟା ଦିନରେ ତୁମର ଏତେ ପରିବର୍ତ୍ତନ ଜିନା ? ଧମକକୁ ଡରିଲ ନା ସତରେ ତୁମ ଭିତରେ ମୋ ପାଇଁ ପ୍ରେମ ସୃଷ୍ଟି ହୋଇଛି?

    ମୋ ଭିତର ଭୟର ଭୂତକୁ ଜାଳି ଦେଇଛି। ମୋତେ ଖୁବ୍ ଏକା ଲାଗୁଛି ଓମ୍। ତୁମ ଛାତିରେ ମଥା ରଖି ମନ ପୁରିଲା ପର୍ଯ୍ୟନ୍ତ କାନ୍ଦିବାକୁ ଇଛା ହେଉଛି। ମୋତେ କ୍ଷମା କରିଦିଅ ,ଯଥେଷ୍ଟ ଅନ୍ୟାୟ କରିଛି ତୁମ ପ୍ରତି। ତୁମ ଅଧିକାରରୁ ତୁମକୁ ବଞ୍ଚିତ କରି ଅସୁଖୀ କରିଛି। ସରି ଓମ୍।

    ଜିନା !ମୋର ବିଶ୍ୱାସ ହେଉନାହିଁ ତୁମେ ଏ କଥା କହୁଛ।ଆଛା ଭିଡିଓ କଲ୍ କରି ଦେଖୁଛି ତୁମେ ଜିନା ନା ଆଉ କିଏ?

   ତୁମେ କାଇଁ କରିବ ମୁଁ କରୁଛି କହି ଜିନାନୀ ଭିଡିଓ କଲ୍ କଲା ଭାଇନାଙ୍କୁ ।

   ଓ ମାଇଁ ଗଡ୍ ଜିନା ଜିନା ମାଇଁ ସୁଇଟି ହାର୍ଟ। ଗୋଟେ ବର୍ଷ ମୋତେ ବହୁତ କଷ୍ଟ ଦେଲଣି। ଆଉ ନୁହେଁ, କାଲି ମୁଁ ଯାଇ ମୋ ଚାକିରୀ ଜାଗାକୁ ତୁମକୁ ନେଇ ଆସିବି।


ନାଇଁ ନାଇଁ ଯାଉ କିଛି ଦିନ ପ୍ଲିଜ଼।

     ମୁଁ ତ ଶୋଇବା ଅଭିନୟ କରୁଥାଏ।କଣ କରିବି ? ଓମ୍ ଭାଇନା କହୁଛନ୍ତି ଯଦି ଆସନ୍ତୁ କାଲି।ସପନ ଦେଖି ବାଉଳିଲା ପରି ଭାଇନା ଭାଇନା ହୋଇ ଉଠି ପଡ଼ିଲି।ଫୋନ୍ ଲୁଚେଇ ଦେଲା ଜିନାନୀ।ଏହା ହିଁ ମୋର ତୃତୀୟ ପ୍ଲାନ ଥିଲା।


କଣ ହେଲା ପରୀ ? ସ୍ୱପ୍ନ ଦେଖିଲୁ ?

     ହଁ ଜିନାନୀ ଆଖି ମଳି ମଳି କହିଲି । ସ୍ୱପ୍ନ ଦେଖିଲି ଭାଇନା କାଲି ଆମ ଘରକୁ ଆସିଛନ୍ତି। ମୋ ପାଇଁ ଭଲ ଡ୍ରେସଟିଏ ଆଣିଛନ୍ତି।ତୋ ପାଇଁ ଶାଢ଼ୀ । ଆମେ ସମସ୍ତେ ମନ୍ଦିର ଯାଉଛେ।

   ସେପଟୁ ଭାଇନା କହିଲେ ଦେଖିଲଟି ପରୀ ସ୍ୱପ୍ନ ଦେଖିଲାଣି ମୁଁ କାଲି ଯାଉଛି ବୋଲି।

    ନ ଜାଣିଲା ପରି ପଚାରିଲି କିଏ କି ଜିନାନୀ ? କାହାର ଏ ସ୍ୱର ? କାହା ସହ ଫୋନ୍ ରେ ଏତେ ରାତିରେ କଥା ହେଉଛୁ ?

   ଲୁଚେଇବାକୁ ଆଉ ବାଟ ନ ଥିଲା ଜିନାନୀର।ଥଙ୍ଗେଇ ମଙ୍ଗେଇ କହିଲା ଓମ୍ ସହ।

   ଭାଇନା !! ଦେଖି ଦେଖି। ତା ହାତରୁ ଫୋନ୍ ଛଡେଇ ଆଣିଲି।

  ଭାଇନା ଏ ବର୍ଷ ଡିସେମ୍ବର ଖୁବ୍ ଜମିବ।ତୁମେ ଆସୁଛ ତ। ଛୁଟି ନେଇ ଆସିବ ।କୁନାନୀ ଆସିବ।ଭାଇନା ମୋର ବି ତୁମ ସହ ଭଲ ଭାବେ ଦେଖା ସାକ୍ଷାତ ହୋଇ ନାହିଁ।ଆଉ ଜିନାନୀ ! ସେ ତ ଖାଲି ଓମ୍ ଓମ୍ ବାଉଳୁଛି ।କି ଯାଦୁ କରିଛ କି ଭାଇନା ମୋ ନାନୀ ତୁମରି ମାଳା ଜପୁଛି।


ସତ କହୁଛୁ ପରୀ !

   ରାତି ଅଧିଆ ରହି ନ ପାରି ଜିନାନୀ ତୁମକୁ ଫୋନ୍ କରୁଛି ଟି ! ଏଇଥିରୁ ବୁଝି ପାରୁନ ରାଈ ପାଗେଳି କୃଷ୍ଣ ପାଇଁ।


ଅବିଶ୍ୱାସ ହେଉଛି ପରୀ। 

   ହେଉ ଆଜିକ ଯାହା କଷ୍ଟ ଭୋଗିବା କଥା ଭୋଗି ଦିଅ ପ୍ରେମିକ ପ୍ରବର। କାଲି ଫ୍ଲାଇଟ ଧର । ଅପେକ୍ଷାରେ ରହୁଛି। ଏଥର ନିଅ ତୁମ ସୁନ୍ଦରୀ ସହ କଥା ହୁଅ କହି ଜାଣି ଜାଣି ଟଏଲେଟ୍ ଗଲି।

  ଓଃ କି ଖୁସି ଜିନାନୀ ମୁହଁରେ ? ମୋ ଅନୁପସ୍ଥିତ ଜାଣି ବେଡ୍ ରେ ଫୋନ୍ ଧରି ନାଚି ଗାଉଥିଲା ଆଜ୍ ମେ ଉପର୍ ଆସମାନ୍ ନିଚେ । ସେ ପଟେ ଓମ୍ ଭାଇନା ବି ପାଗଳ।

   ଅଦିନିଆଁ ଝଡ଼ର ତାଣ୍ଡବ ଅପସରି ଯାଇଥିଲା, ଜିନାନୀ ଜୀବନରୁ ଏବଂ ଆମ ଘରୁ। ଡିସେମ୍ବର ଆମ ଘରେ ହସୁଥିଲା ଗହଳ ଚହଳ କରି।


Rate this content
Log in

Similar oriya story from Tragedy