ଭୁତ କୋଠୀ
ଭୁତ କୋଠୀ
ପଣ୍ଡରି ବୁଢୀ ଦେଖୁଛି କିଛି ଦିନ ହେଲାଣି ତା ବଖରାକୁ କେହି ଆଉ ଆସୁନାହାଁନ୍ତି । ଚାକରାଣୀଟା କେବେ କେବେ ଆସି ଘର ଓଳାଇ ଯାଉଥିଲା |ହେଲେ ଆଠ ଦଶ ଦିନ ହେଇଗଲା ଅସନା ପଡିଛି ଘର । ସେ ଆଉ ଆସୁନି । ପାଖ ଘରେ ବି ଆଜିକାଲି ଆଉ ଶୋର ଶବ୍ଦ ଶୁଭାପଡୁନି । ବାହାର ବାଲ୍କୋନିରେ କି ଲନରେ ତାର ନାତି ଅମ୍ଲାନ ଆଉ ନାତୁଣୀ ରିତୁ ଖେଳୁ ନାହାଁନ୍ତି । କଣ ହେଲା ସେମାନଙ୍କୁ, କୁଆଡେ ବାହାରକୁ ଗଲେ କି? ଯଦି ଯାଇଥାନ୍ତେ ତାକୁ ନିଶ୍ଚୟ ଜଣାଇଥାନ୍ତେ । ଯେତେ ପର କରିଦେଲେ ବି ସେ ମାଆ । ବୋହୁ ସହ ପଡିଲାନି ବୋଲି ସିନା ସେ ସର୍ଭେଣ୍ଟ କ୍ୱାର୍ଟର୍ସକୁ ଚାଲି ଆସିଲା । ନିଜେ ରୋଷେଇ କରି ଖାଉଛି । ପ୍ରେସରକୁକରରେ ଖିଚିଡି ଟିକେ କରିଦେଲେ ଖାଇଦିଏ ସେ । ରାତିରେ ରୁଟି ଦୁଇଟା କରି ଦୁଧରେ ଖାଇଦିଏ । ଦୁଧବାଲା ତ ଦୁଧ ପେକେଟଟେ ରୀତିମତ ତା ଘର ବାହାରେ ସବୁଦିନ ସକାଳେ ରଖିଦେଇ ଯାଉଛି । ବୋହୁ ବି ତିନିଦିନ ତଳେ ରାସନ ତରକାରି ପତ୍ର ଆଣି ସେ ଶୋଇଥିବା ବେଳେ ରଖିଦେଇ ଯାଇଥିଲା । ବୋହୁର କେତେଟା କଥାରେ ତାର ପଟେନା ହେଲେ ଦେବାରେ କେବେ ଲୋଭ କରେନି ।
ପୁଅ ବି ଦୁଧ ବାଲାକୁ କହିଦେଇଛି ଦୁଧ ଦେବାପାଇଁ । ଫଳମୂଳ ବି କିଣି ଆଣିଦିଏ । ମାଆ ଟିଭି ଦେଖିବ ବୋଲି ଟିଭିଟେ ଓ କୁଲର୍ ଟେ ବି ରଖିଦେଇଛି ତା ବଖରାରେ । ବୋହୁ ଟିକେ ସ୍ୱଚ୍ଛନ୍ଦଜୀବନ ଜୀଇଁବାକୁ ଚାହେଁ । ସେଥିପାଇଁ ସେ ବାହାର ବଖରାରେ ରହୁଛି । ନାତି ନାତୁଣୀ ବାହାରେ ଖେଳିଲାବେଳେ ସେ ତାଙ୍କସହ କଥାବାର୍ତ୍ତା କରେ ହେଲେ ତିନିଦିନ ହେଲାଣି ଆଉ ଜମା ବାହାରୁନାହାଁନ୍ତି ବାହାରକୁ । ତାର ମନରେ ଭୟ ସୃଷ୍ଟି ହେବାକୁ ଲାଗୁଛି । ବାହାରେ ସାତ ଆଠଟି ଖାଲି ଚେୟାର ପଡିଛି । ଆଉ କେହି କ୍ଲାଇଣ୍ଟ ଆସୁନାହଁନ୍ତି କି? ପୁଅ ତାର ଓକିଲାତି କାମ କଣ ବନ୍ଦ କରିଦେଇଛି । ଘରକୁ ବି କେହି ଆସୁ ନାହାନ୍ତି|ଏମିତି ଅନେକ ପ୍ରଶ୍ନ ମନରେ ଗୋଳେଇ ଘାଣ୍ଟି ହୁଏ| । କାହାକୁ କହିବ ଘର ଭିତରକୁ ଯାଇ ଟିକେ ଦେଖି ଆସିବ ।
ଆଜି ସକାଳୁ ଦୁଧ ବାଲାକୁ ଅପେକ୍ଷାକରି ବାହାରେ ବସିଛି । ସେ ଆସିଲେ ଘରଭିତରକୁ ଯିବାକୁ କହିବ ।
ଏତେଦିନପରେ ସେ ବାହାର ବଗିଚାକୁ ବାହାରିଛି । ଫୁଲଗଛ ଗୁଡାକ ଶୁଖିବାକୁ ଲାଗିଲେଣି । କେହି ପାଣିଦେଉନି ବୋଧହୁଏ?ହେଲେ ବୋହୁତ ଫୁଲଗଛମାନଙ୍କର ଭଲ ଯତ୍ନ ନିଏ । ଆମ୍ବଗଛ ରେ ବଉଳ ଓ କଷିସବୁ ଲଦି ହେଇଛି । ପିଜୁଳି ଗଛ ଅମୃତଭଣ୍ଡାଗଛ ମାନଙ୍କରେ ଚଢେଇମାନେ କିଚିରିମିଚିରି କରି ଉଡିବୁଲୁଛନ୍ତି ନିଶ୍ଚିନ୍ତରେ । ବାହାରେ ଗାଡିମଟରର ଶୋରଶବ୍ଦ କିଛି ଶୁଭୁନି । କଣ ହେଲା ସହରଟା ଏମିତି ନୀରବ ନୀରବ ଲାଗୁଛି କାହିଁକି?ଠିକ୍ ସେତେବେଳକୁ ଦୁଧବାଲା ଆସିଗଲା । ବୁଢୀ କହିଲା ହଇରେ ବାବୁ ଘରେ କିଏ ଅଛନ୍ତି କି ନାହିଁ ।
ଦୁଧବାଲା କହିଲା ତିନିଦିନ ହେଲାଣି କବାଟ ଭିତରପଟୁ ବନ୍ଦ ଅଛି । ମୁଁ ଦୁଧ ଫେରାଇ ନେଉଛି । ଆଜି ଟିକେ ଭିତରକୁ ଯିବା ଚାଲ । ବୁଢୀ ଧିରେ ଧିରେ ବସି ଉଠି ବଡଘରେ ପହଞ୍ଚିଲା । ଦୁଇମହଲା ସୁନ୍ଦର କୋଠାଟା
ଆଜି ଭୂତକୋଠି ପରି ଶୁନଶାନ୍ ଲାଗୁଛି । କୁଆଡେ ଗଲେ ସମସ୍ତେ । ଆଜି ଦୁନିଆସାରା ତାକୁ ଏମିତି ନୀରବ ଲାଗୁଛି କାହିଁକି? ଦୁଧବାଲା କବାଟ ଖୋଲିବାକୁ ଚେଷ୍ଟାକଲା ହେଲେ ଭିତରୁ ବନ୍ଦଥିଲା । ବୁଢି କହିଲା ପଛରାସ୍ତାରେ ଚାଲ ଦେଖିବା । ପଛରାସ୍ତାରେ କୁଣ୍ଡିଟେ ଲାଗିଥାଏ । ତାକୁ ଜୋରରେ ଲାତ ମାରିବାପରେ ଖୋଲିଗଲା । ଦିଜଣ ଭିତରେ ପଶିଲେ । ଘର ପୁରା ନିସ୍ତବ୍ଧ ଲାଗୁଥିଲା । ରୋଷେଇରେ ପଶି ବୁଢି ଦେଖିଲା ଘରେ ତ ଜମା ରୋଷେଇ ହେବାର ଚିହ୍ନବର୍ଣ୍ଣ ନାହିଁ । ପୁଅ ବୋହୁର ଶୋଇବା ଘରକୁ ଯାଇ କବାଟ ପେଲିଦେଲେ କବାଟ ଖୋଲା ଥିଲା । ଭିତରୁ ଏକ ଦୁର୍ଗନ୍ଧ ଆସୁଥିଲା । ଭିତର ଆଲୁଅ ଜଳାଇବା ପରେ ଦେଖିଲେ ପରିବାର ସାରା ମରି ପଡିଛନ୍ତି । ବୁଢୀ ଏପରି ଅଭାବନୀୟ ଘଟଣା ଦେଖି ଚିତ୍କାର କରି କାନ୍ଦିବାକୁ ଲାଗିଲା । ଦୁଧବାଲା ଫୋନନମ୍ବର ଖୋଜି ପୋଲିସକୁ ଫୋନ୍ କଲା । କିଛି ସମୟ ପରେ ପୋଲିସ ଗାଡିର ଶବ୍ଦ ଶୁଣାଗଲା । ଚାରି ପାଞ୍ଚ ଜଣ ପୋଲିସ ଗାଡିରୁ ଓହ୍ଲାଇ ଭିତରକୁ ଆସିଲେ ଏବେ ବାହାର ଦରଜା ଖୋଲିଦେଇଥିଲା ଦୁଧବାଲା । ପୋଲିସ ମାନଙ୍କ ମୁହଁରେ ତୁଣ୍ଡି ସବୁ ବନ୍ଧା ହେଇଛି । ଦୁଧବାଲାର ବି । ବୁଢୀ ଭାବୁଥିଲା ଏସବୁ କଣ ପାଇଁ ବାନ୍ଧିଛନ୍ତି? ପୋଲିସମାନେ ହାତରେ ହାତମୋଜା ଲଗାଇ ମୃତଶରୀରମାନଙ୍କୁ ବାହାରକୁ ଆଣିଲେ । ବୁଢୀ ତାର ଆଦରର ଗେହ୍ଲା ନାତିନାତୁଣୀ ଓ ପୁଅବୋହୁଙ୍କୁ ଏପରି ଅବସ୍ଥାରେ ଦେଖି ବିକଳ ହେଇ କାନ୍ଦିବାକୁ ଲାଗିଥାଏ ।
ପୋଲିସମାନେ ଟେବୁଲ ଉପରୁ ଏକ ଚିଠି ପାଇଲେ । ଚିଠିଟି ବୁଢିର ବୋହୁ ରେଣୁକା ଲେଖିଥିଲା । ଚିଠିର ସାରାଂଶ ଏପରି ।
ତାର ସ୍ୱାମୀ କିଛିଦିନ ଆଗରେ ଦିଲ୍ଲୀ ଯାଇଥିଲେ । ଆସିଲାବେଳେ ସେ ଟ୍ରେନ ଓ ବସ୍ ହେଇ ଆସିଲେ । ରାସ୍ତାର ସେ କୋଉ ଯାତ୍ରୀଠାରୁ କରୋନା ସଂକ୍ରମିତ ହୋଇ ଆସିଥିଲେ । ସେ ପରିବାରସହ ଏକା ସାଙ୍ଗରେ ଶୋଇଲେ ଖାଇଲେ । ଦୁଇଦିନପରେ ପୁଅ ଝିଅ ଅକସ୍ମାତ ଶ୍ୱାସକଷ୍ଟ ପାଇ ମରିଗଲେ । ସ୍ୱାମୀଙ୍କଠି ବି ସେହି ଲକ୍ଷଣ ଦେଖିବାକୁ ମିଳିଲା |ଏବେ ସେ ଜାଣିସାରିଥିଲା ତା ପରିବାର ସାରା କରୋନା ସଂକ୍ରମିତ ହୋଇ ସାରିଛନ୍ତି ସେ ଏକା ବଞ୍ଚି କଣ କରିବ । ସେ ସ୍ୱାମୀଙ୍କୁ ଶେଷ ସମୟରେ ଚୂମ୍ବନ କରିବାକୁ ଲାଗିଲା । ସ୍ୱାମୀ ତାକୁ ଦୂରତାରେ ରହିବାକୁ କହୁଥାନ୍ତି ହେଲେ ସେ ଶୁଣିଲାନି । ସେ କହିଲା ମରିବାତ ସମସ୍ତେ ସାଥିହୋଇ । ମୁଁ ଏକା କୋଉ ସୁଖ ଅପେକ୍ଷାରେ ବଞ୍ଚିବି । ତୁମ ମାନଙ୍କବିନା ଜୀବନସାରା କାନ୍ଦିବା ଅପେକ୍ଷା ମୁଁ ମରିବା ଶ୍ରେୟସ୍କର ଭାବିବି । ତାପରେ ସେବି ରୋଗର ପିଡୀତା ହୋଇ ଯାଇଥିଲା । ମରିବା ଆଗରୁ ସେ ଶାଶୁଙ୍କର କିଛି ଦିନର ଜରୁରୀ ଜିନିଷ ଯାଇ ତାଙ୍କ ବଖରାରେ ରଖି ଆସିଥିଲା । ସେମାନେ ଚାହୁଁନଥି୍ଲେ ସେ ବି ରୋଗାକ୍ରାନ୍ତ ହୁଅନ୍ତୁ ବୋଲି । କିଛି ଟଙ୍କା ତାଙ୍କର ତକିଆ ତଳେ ରଖିଦେଇଛନ୍ତି । ତାଙ୍କର କ୍ରିୟାକର୍ମ ପାଇଁ । ପରେ ସେ ନଣନ୍ଦ ସୁନନ୍ଦା ପାଖକୁ ଚାଲିଯିବେ । ତାଙ୍କ ସ୍ୱାମୀଂକର ଛୋଟଭାଇ ରୋହିତ ଯିଏ ବିଦେଶରେ ରହୁଛି ତା ସ୍ୱମୀଙ୍କ ପରିଶ୍ରମରେ ନିର୍ମିତ ଏ ସ୍ୱପ୍ନର ଘରର ଦାୟିତ୍ୱ ଆସି ସମ୍ଭାଳିବେ । ଚିଠି ପଢି ବୁଢୀ ବହୁତ କାନ୍ଦିଲା । ତାର ବୋହୁ କେତେଭଲ ସେ ତାକୁ ବୁଝି ପାରିଲାନି । ଖିଟିପିଟି କରି ଅଲଗା ରହିଲା । ଶେଷରେ ସମସ୍ତେ ତାକୁ ଛାଡି ଚାଲିଗଲେ । ଶେଷ କୃତ୍ୟ ପାଇଁ ଘର ଲୋକ କେହି ନଥିଲେ ଏ କରୋନା ଲକ୍ ଡାଉନ ପାଇଁ । ଭାଇ ଭଉଣୀ ବାହାରେ ଥିବାରୁ ଆସିପାରିଲେନି । ମାଆ ବୁଢୀର ଦେଖା ରେଖାରେ ପୋଲିସ ହାତରେ ଅନ୍ତିମସଂସ୍କାର ହେଇଗଲା । ଏ କେମିତି ସମୟ ଜଣେ ମରିଗଲେ ଶ୍ରଦ୍ଧାଞ୍ଜଳି ଦେଇ ପୁଷ୍ପାଞ୍ଜଳି ଦେବାକୁବି ବନ୍ଧୁବାନ୍ଧବ କେହି ଆସୁନାହାଁନ୍ତି । ଏତେ ବଡ ଘର ଏତେ ପ୍ରତିପତ୍ତି ଧନସମ୍ପତ୍ତି କିଛି କାମକୁ ନୁହେଁ ଏବେ । ଆଜି ଏମିତି ସମୟ ଆସିଛି ଧନୀଗରିବ ସମସ୍ତେ ସମାନ ହେଇଯାଇଛନ୍ତି । ସମସ୍ତେ ଭାତଡାଲି ଗୋଟେ ଦୁଇଟା ସାଦା ତରକାରିରେ ଗୁଜୁରାଣ କରୁଛନ୍ତି । ବାହ୍ୟଆଡମ୍ବର ନାହିଏବେ । ଘରେ ସାଧାରଣ ଭାବେ ସାଧାସିଧା ଲୁଗାପଟା ପିନ୍ଧୁଛନ୍ତି । ଦାମି ଶାଢୀ ଡ୍ରେସ୍ ଆଲମିରା ପିନ୍ଧୁଛି । ଗାଡିସବୁ ଗେରେଜ ରେ ଆରାମ କରୁଛନ୍ତି । ଲୋକେ ଜୀବନର କ୍ଷଣସ୍ଥାୟିତ୍ୱ ଅନୁଭବ କରିସାରିଲେଣି । ଗର୍ବ ଅହଂକାର ଟିକେ କମିଲାଣି ମନରୁ । ଅନ୍ୟକୁ ସାହାଯ୍ୟ କରିବା ମନୋବୃତ୍ତି ଫେରି ଆସିଲାଣି । ଲାଗୁଛି ସତ୍ୟଯୁଗ ଫେରି ଆସିଛି । କରୋନା ପାଇଁ ଲକ୍ ଡାଉନ ମଣିଷକୁ ଅନେକ ସତ୍ୟର ସାମନା କରାଇଛି । ଆଜି ସମ୍ପର୍କଟେ ଅଛୁଆଁ ହେଇଯାଉଛି ଭୂତାଣୁର ଛୁଆଁରେ । ଆଉ କୋଉଠି ସଂପର୍କ ଏକତ୍ର ରହିବା ଫଳରେ ଅନ୍ୟର କାର୍ଯ୍ୟଦକ୍ଷତା କୁ ବୁଝି ପାରୁଛି । ସାହାଯ୍ୟର ମନୋବୃତ୍ତି ବଢୁଛି । ହେଲେ ଯେଉଁ ଯେଉଁ ଘରେ କରୋନାର ଶିକାର ହେଉଛନ୍ତି ସେ ଘର ଏକ ମଶାଣୀ ପାଲଟି ଯାଉଛି । ଭୁତକୋଠ ବନି ଯାଉଛି ବିଶାଳ ପ୍ରାସାଦ । ଆଜି ପଣ୍ଢରି ବୁଢୀ ବି ଘର ଦରଜାରେ ଠିଆ ହେଇ ଏସବୁ ଭାବନାରେ ବିବ୍ରତ ହେଇ ଉଠୁଛି । । ସେ ଆଜି ସତରେ ପୂର୍ଣ୍ଣ ମାତ୍ରାରେ ନିରାଶ୍ରୟ ହେଇ ଯାଇଛି । ତା ଭରପୁର ଘର ଆଜି ଭୂତକୋଠି ମନେ ହେଉଛି |
