ଭୁଲ କାହାର
ଭୁଲ କାହାର
ମନଟା କାହିଁକି କେଜାଣି ଉତ୍ଫୁଲିତ । ବୋଧେ ବିଜୟ ଆସିବ ବୋଲି ବିଦେଶରୁ...
ମନଟା ବି ସେମିତି ଖଣ୍ଡିଡିଆଁ ମାରୁଛି, ସଦ୍ୟଜାତ ବାଛୁରୀ ଛୁଆ ପରି, ମୁଁ ନିଜେ ବି ଜାଣିନି। ବିବାହର ଠିକ୍ ପାଞ୍ଚ ଦିନ ପରେ ବୋହୂ କୁ ନେଇ ଚାଲିଗଲା ଯେ ଆଉ ଫେରିବା କଥା କହେନି ବିଜୟ। ଯା ହେଉ ପାଞ୍ଚ ବର୍ଷ ପରେ ଆସୁଛନ୍ତି ସେମାନେ। ଫୋନ କରି ପୁଅ କହିଛି, ପାଞ୍ଚ ଦିନ ରହିବେ ସେମାନେ ଆମ ସାଥିରେ। ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ । ଆଦୌ ଆସୁ ନ ଥିଲେ, ପାଞ୍ଚ ଦିନ ବି ଯଥେଷ୍ଟ ଆମ ପାଇଁ । କିଏ ଜାଣିଛି ଆମ୍ବ କଷି ଆସିବା ଆଗରୁ ଆମ୍ବ ବଉଳ ଝଡି ଯିବନି ବୋଲି। ସବୁ ଅନିଶ୍ଚିତ, ବାଲିଝଡ ବି ଅଚାନକ ଆସେ ମରୁଭୂମିରେ...ଅସଜଡା ହୋଇଯାଏ ସବୁକିଛି। ମୁଁ କିନ୍ତୁ ଯୁକ୍ତାତ୍ମକ ଭାବନା କୁ ନେଇ ବଞ୍ଚିଥାଏ।
ସଂଜ ହେଲେ ମୁଁ ଗାଡି ଚଲେଇ ପାରେନି ବୋଲି ଡ୍ରାଇଭରଟିଏ ଭଡାରେ ନେଇଗଲି ଏଆରପୋର୍ଟକୁ। ସତୁରୀ କିଲୋମିଟର ଆମ ଘରଠୁ। ତା ଛଡା ମୁଁ ଯଦି ଡ୍ରାଇଭିଂ କରେ, ତେବେ ପୁଅ ବୋହୂ ଙ୍କ ସଙ୍ଗେ ଗପିବ କିଏ ? ସେମାନେ ବୋର ହୋଇଯିବେ। ଏଇ ସ୍ୱଳ୍ପ ସମୟ ରହଣି ଭିତରେ ପ୍ରତି ମୁହୂର୍ତ୍ତ ହିଁ ମୂଲ୍ୟବାନ। ହାତ ଛଡା କରି ହେବନି ଏଇ ସମୟକୁ !!
ଠିକ ଦିନ ଦୁଇଟାରେ ଆମ ବାହାରିଲୁ ଏଆରପୋର୍ଟ ଅଭିମୁଖେ।
ବିଜୟ ସାଥିରେ ବିତେଇଥିବା ଜୀବନର କିଛି ମୁହୂର୍ତ୍ତ ହଠାତ କାହିଁକି ମନେ ପଡିଗଲା ବୁଝି ପାରିଲିନି।
କାଖେଇ କୋଳେଇବାର ମୁହୂର୍ତ୍ତରୁ ଆରମ୍ଭ କରି ପାଖରେ ଶୋଇ ତା ଉଷ୍ମତାକୁ ବାରିବା ଭିତରେ କେତେ ଶୀଘ୍ର ହାତ ଧରି ଚାଲିବା ଶିଖିଲା ଜାଣି ହେଲାନି, ସମୟ ବୋଧେ ଅପେକ୍ଷା କରେନି କାହାକୁ। ଅ, ଆ ଠୁ ଆରମ୍ଭ କରି ହ, କ୍ଷ ପର୍ଯ୍ୟନ୍ତ ସବୁ ଶିଖିଲା ମୋ ପାଖରୁ। ଜୀବନର ଏଇ ପାଞ୍ଚ ବର୍ଷ, ଜଡି ରହିବାକୁ ପଡେ ଛୁଆଙ୍କ ସାଥିରେ। କିଛି ସତ ମିଛ ଲାଗିଲେ ବି ସତ। ସତକୁ କେବେ ହାରିବାକୁ ପଡେନି। ଜୀବନର ଏଇ ପାଞ୍ଚ ବର୍ଷକୁ ବୁଝିବାକୁ ହୁଏ, ଅନୁଭବ କରିବାକୁ ହୁଏ। ନଚେତ ସବୁ ଭୁଲିଯିବା ପରେ ସତକୁ ଆଉ ବିଶ୍ୱାସ କରିବା ସମ୍ଭବ ହୁଏନି।
ତା ପରେ ସ୍କୁଲ ଗଲା ବିଜୟ। ଦିନସାରା ପ୍ରାୟ ସ୍କୁଲରେ। ମୁଁ ପ୍ରତିଦିନ ଦୋକାନରୁ ଫେରିବା ବେଳକୁ ଶୋଇ ଯାଇଥାଏ ସେ ନିର୍ବୋଧ ଶିଶୁଟିଏ ପରି, ଶୋଇ ରହିଥାଏ ସେ ବିଛଣାରେ ତା ପର ଦିନ ଦୋକାନକୁ ବାହାରିବା ପର୍ଯ୍ୟନ୍ତ। ଆଉ ପ୍ରାୟ ଦେଖା ହୁଏନି। ପିଲାମାନେ ବୋଧେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବାପା ମାଆଙ୍କର ସମ୍ପୂର୍ଣ୍ଣ ଭାବରେ, ତା ପରେ ଲାଗେ ଯେମିତି ଆମେ ସବୁ ଅଲଗା। ବିଜୟର ଜୀବନ ଶୈଳୀ ଭିନ୍ନ ରୂପ ନେଲା ତା ପରେ। କାଆଁ ଭାଆଁ ଦେଖା ହୁଏ ଛୁଟିରେ। ଦୁଇ ତିନି ବର୍ଷ ପରେ ସୈନିକ ସ୍କୁଲ, ତା ପରେ କଲେଜ ଓ ଚାକିରୀ। ଚାକିରୀ ପୁଣି ବିଦେଶରେ।
ପାଞ୍ଚ ବର୍ଷ ପରେ ଦେଖା ହେବ। ହିସାବ କଲେ ସ୍ପଷ୍ଟ ଜାଣିହୁଏ କେତେ ଅଳ୍ପ ସମୟ ଆମେ ବିତେଇ ଥାଉ ଆମେ ଆମ ଛୁଆଙ୍କ ସାଥିରେ...
ଫୋନ ଲଗେଇଲି ବିଜୟର ମା କୁ
ଅରୁ !
କଉ ମାଛ ଭଜା ପାଇଁ କେତେ ପାଗଳ ହୁଏ କହିଲ ଆମ ବିଜୟ। କଉ ମାଛ ଭାଜି ରଖିବ।
ତା ପରେ ଆଉ ଚାରି ଦିନ। ଦିନେ ମଞ୍ଜା ତରକାରୀ କରିବ, ଭାରି ଖୁସି ହୁଏ ସେ। ଆଉ ଦିନେ ମୁଢ଼ିଘାଣ୍ଟ। ପ୍ରତିଦିନ କିଛି ନା କିଛି ତା ପସନ୍ଦର ଖାଇବା ବନେଇବ। ଚାରି ପାକେଟ ହଳଦିରାମ ମସଲା ପାପଡ଼ ଆଣି ରଖିଛି, ଚା ସାଥିରେ ସରପ୍ରାଇଜ କମ୍ବିନେଶନ। ଭାରି ପ୍ରିୟ ମସଲା ପାପଡ ବିଜୟର। ବୋହୂ ପ୍ରଥମ ଥର ପାଇଁ ଆସୁଛି ଆମ ଘରକୁ, ଦୁଇ ତିନୋଟି ନୂଆ ଘରପିନ୍ଧା ଶାଢ଼ୀ ରଖିବ ସେମାନଙ୍କ ରୁମ୍ ଭିତରେ। ଦୁଇଟି ଟରକିସ୍ ଟାୱେଲ ରଖିବ ସେମାନଙ୍କ ବାଥ୍ ରୁମରେ। ପାଞ୍ଚ ବର୍ଷରୁ ଅଧିକ ହେବ, ବାଥରୁମ ବ୍ୟବହାର ହୋଇନି। ବିରଞ୍ଚିକୁ କହି ଭଲଭାବେ ସଫା କରିଦେବ ବାଥରୁମ ଟିକୁ। ବମ୍ବେଡାଇଂ ବେଡସିଟ ପକେଇ ଦେଇଥିବ ବିଜୟର ବେଡ ଉପରେ। ହଉ ହେଲା, ଏଆରପୋର୍ଟ ଆସିଗଲା। ରଖୁଛି।
ରାସ୍ତାରେ ଅନେକ ଚେଷ୍ଟା କଲି କଥା ହେବାକୁ ଦୁହିଁଙ୍କ ସାଥିରେ। ଯେ ଯାର ଲାପଟପ୍ ନେଇ ଏତେ ବ୍ୟସ୍ତ ରହିଲେ ଯେ କଥା ହେବା ଆଉ ସମ୍ଭବ ହେଲା ନାହିଁ। ଯେ ଯାର ଅଫିସ କାମରେ ବ୍ୟସ୍ତ। ଭାରି ଇଚ୍ଛା ଥିଲା ଗପିବାକୁ। ବିଗତ ପାଞ୍ଚ ବର୍ଷର ସବୁ ଘଟଣା କହିବି ବୋଲି ସଜେଇ ରଖିଥିଲି ମନ ଭିତରେ। ସୁଯୋଗ ମିଳିଲା ନାହିଁ କଥା ହେବାକୁ ସେମାନଙ୍କ ସହିତ। ମୁଁ ଆଉ କବି ନୁହେଁ ଯେ ନିସଂଗତା ସଙ୍ଗେ ଘଣ୍ଟା ଘଣ୍ଟା କଥା ହୋଇ ଥାଆନ୍ତି। ଶବ୍ଦ ସାଥିରେ କଥା ହେଲେ ମୋତେ ଲାଗେ ମୁଁ ଏବେ ବି ବଞ୍ଚିଛି। ଜୀବନର ପ୍ରଥମ ଥର ପାଇଁ ଲାଗିଲା ଯେମିତି ମୁଁ ବସିଛି ସିନା, ମୋ ଭିତରେ କିନ୍ତୁ ଜୀବନ ନାହିଁ।
ବ୍ୟାକୁଳତା ଶୂନ୍ୟ ଯୁବପିଢି। ପାଞ୍ଚ ବର୍ଷ ପରେ ଅଚାନକ ମିଶିବାରେ ଯୋଉ ମଜା ଥାଏ, କାହିଁ କିଛି ଲାଗିଲାନି ତ !!! ସମ୍ପର୍କଟା ଯନ୍ତ୍ରବତ୍, ହୃଦୟରୁ ବୋଧେ ଆଉ ନିୟନ୍ତ୍ରିତ ହୁଏନି। ସୁଇଚ ଟିପିବାକୁ ହୁଏ। ଅତ୍ୟଧିକ କ୍ଳାନ୍ତ ହୋଇ ଶୋଇ ପଡ଼ିଲି ଗାଡ଼ି ଭିତରେ।
ଦୁଃଖ ହେଲା, ଯେତେବେଳେ ବୋହୂକୁ ଆଉ ବସିବାକୁ ସମୟ ହେଲାନି। ଅରୁ ଙ୍କୁ ପ୍ରଣାମ କରି ଆମ ଗାଡ଼ି ନେଇ ସହରର ଅନ୍ୟ ପ୍ରାନ୍ତରେ ଥିବା ବାପା ଘରକୁ ଚାଲିଗଲା। ଦଶ ମିନିଟ ରହିଥାଆନ୍ତା ହେଲେ ଆମ ଘରେ, ବାହାଘର ପରେ ପ୍ରଥମ ଥର କରି ଆସିଛି ଆମ ଘରକୁ। ମନକୁ ବୁଝେଇ ଦେଲି, ତାର ବି ତ ବାପା ବୋଉ ଅଛନ୍ତି।
ପାଖ ଗଳିରେ ଥିବା ପନିର ଦୋକାନରୁ ପନିର ଆଣୁ ଆଣୁ ପୁଅ ବସ୍ତିର ସାଙ୍ଗ ମାନଙ୍କ ସହିତ ଆଡ୍ଡା ମାରିବା ପାଇଁ ବାହାରି ଯାଇଛି। ଭାବିଲି ଶୀଘ୍ର ଫେରି ଆସିବ। ରାତି ଦଶ, ତଥାପି ଫେରିବାର ପ୍ରଶ୍ନ ଉଠୁନାହିଁ। ଶୋଇ ପଡିଲି। ଏତେ ବଡ ଆକାଶ ବି ଅବଶ ହୋଇଯାଏ, ସାଥିରେ ଚନ୍ଦ୍ର, ତାରା ସୂର୍ଯ୍ୟ ଥାଇ କି ବି !!
ସକାଳୁ ଉଠି ବିଜୟକୁ ଖୋଜିଲି, ଅରୁ କହିଲେ ଶ୍ଵଶୁର ଘରକୁ ବାହାରି ଗଲା। ଫେରିବାର ଦିନେ ଆଗରୁ ଆସିବ ତ କହିଛି ।
ଅରୁଙ୍କ ମୁହଁ ଉପରେ ନିସଙ୍ଗ ଭାବପ୍ରବଣତା। ସବୁ ଥାଇ ବି କିଛି ନ ଥିଲା ପରି ଲାଗୁଥିଲେ ସେ। ପୁଅ ପାଇଁ ଚକୁଳି ବନେଇବେ ବୋଲି ସବୁ ସରଞ୍ଜାମ କରି ସାରିଥିଲେ ଅରୁ। ପୁଅ ବୋହୂଙ୍କୁ ନବ ନିର୍ମିତ ତୁଳସୀ ଚଉରା ଦେଖେଇବେ ବୋଲି କେତେ ସଜେଇଛନ୍ତି ଦୁଇଦିନ ଆଗରୁ। ଗୋଟେ ଅକୁହା ବେଦନାରେ ଯେମିତି ଜର୍ଜରିତ ହେଉଥିଲେ ସେ। କିଛି କଷ୍ଟ ଯେମିତି କହି ହୁଏନି ଠିକ୍ ସେମିତି।
ସାନ୍ତ୍ଵନା ଦେଲେ ହୁଏତ ମନରେ କଷ୍ଟ ହେବ, ସେଇଥି ପାଇଁ ମୁଁ ବି ଚୁପ ରହିଲି। ନଦୀ କୁ ବନ୍ଧ ଦେଇ କେବେ କଣ ରୋକି ହୁଏ ? ବିଚାରୀ ଦିଗ ବଦଳି ଦିଏ ଚୁପଚାପ୍ ଇଚ୍ଛା ନ ଥାଇ କି ବି !!
ଶୁକ୍ରବାର ସକାଳେ ନ ଟାରେ ଫ୍ଲାଇଟ। ଗୁରୁବାର ରାତି ଦଶଟାରେ ବିଜୟ ଆମ ଘରେ ପହଞ୍ଚିଲା ବୋହୂ ସାଥିରେ। ସମୁଦିଙ୍କ ଘରେ କାହାର ଜନ୍ମଦିନ ଥିଲା ବୋଧେ। ଖାଇ ପିଇ ଆସି ଥାଆନ୍ତି ସେମାନେ। ଯେତେ କହିଲେ ବି ଖାଇଲେ ନାହିଁ, ଅରୁ କଉ ମାଛ ଭଜା ଖୁଇଦେଲେ ବୋହୂ ଆଉ ବିଜୟକୁ। ଛିଡା ହୋଇ ମୁଁ ହସୁଥାଏ। କେତେ ନୀରିହ ଲାଗୁଥିଲେ ସେମାନେ। ନା ତାଙ୍କ ମନ ଭିତରେ ଅହଂ , ନା ଘୃଣା ଭାବ। ଭାବୁଥିଲି ମୋତେ ନ ହେଲା ନାହିଁ, ବୋଉ କୁ ବି ପାଞ୍ଚ ମିନିଟ୍ ସମୟ ଦେଲାନି ବିଜୟ। ତେବେ ଭୁଲ କାହାର, ଭୁଲ କୋଉଠି। ଏମିତି ଗୋଟେ ଅଡୁଆ ପ୍ରଶ୍ନ ଆସି ମୋ ମନଟାକୁ ଓଜନିଆ କରିଦେଲା। ସବୁ ସମୟର ଭୁଲ ବୋଧେ..
ମନଟା ଅଚାନକ ହାଲୁକା ହୋଇଗଲା, ଆହୁରି ହସିଲି। ଏଇ ବୟସରେ କିଛି ଅଧିକାର ସାବ୍ୟସ୍ତ କଲେ ସମ୍ପର୍କରେ ଦାଗ ଲାଗିବ। ଗୋଟେ ସମବାହୁ ତ୍ରିଭୁଜର ପ୍ରତି କୋଣରେ ଆମେ ସବୁ ଛିଡା ହୋଇ ସମସ୍ତେ ସମସ୍ତଙ୍କୁ ଦେଖୁଛୁ, କିନ୍ତୁ ପ୍ରତିକ୍ରିୟା ନାହିଁ। ଜୀବନକୁ ବୋଧେ ସେମିତି ଅନୁଭବ କରିବାକୁ ହୁଏ, ଅଳ୍ପରେ। ତାରି ଭିତରୁ ଖୁସିକୁ ଆବିଷ୍କାର କରିବା ଗୋଟେ କଳା ବୋଧେ !!!
ତା ପରଦିନ ଭୋର ଛ ଟାରେ ଆମେ ବାହାରି ଗଲୁ। ଦିନରେ ଡ୍ରାଇଭ୍ କରିବାକୁ କିଛି ଅସୁବିଧା ହୁଏନି ବୋଲି ମୁଁ ହିଁ ବସିଲି ଡ୍ରାଇଭର ସିଟରେ।
ସେମାନେ ଆଉ ସେତେଟା ବ୍ୟସ୍ତ ନ ଥିଲେ ..
ମନ ଭରି ଗପିଲି ସେମାନଙ୍କ ସହିତ
ବିଜୟ ! ସମସ୍ତେ କହନ୍ତି ଜୀବନଟା କ୍ଷଣସ୍ଥାୟୀ, କ୍ଷଣ ଭଙ୍ଗୁର। ମୋତେ କିନ୍ତୁ ଲାଗେ ଜୀବନଟା ଲମ୍ବା। ବୋଧେ ନିସଂଗତା ସମୟ କୁ ରବର ପରି ଟାଣି ଦେଇ ଲମ୍ବା କରିଦିଏ। ତୁ ଯେତେବେଳେ ଛୋଟ ଥିଲୁ ପାଞ୍ଚ ବର୍ଷ କେମିତି କଟିଗଲା ଜାଣି ହେଲାନି। ସକାଳୁ ସଂଜ ଯାଏ, ସଂଜରୁ ସକାଳ ପର୍ଯ୍ୟନ୍ତ ତୁ ହିଁ ମୋ ହାତ ଧରି ଚାଲି ଥାଉ, ଦୋକାନରେ ମୋ ଚଉକି ଉପରେ ବସୁ, ରାତିରେ ମୋ ଉପରେ ଗୋଡ଼ ପକେଇ ଶୋଇଯାଉ। ସେଇ ପାଞ୍ଚ ବର୍ଷ ଆଉ କେବେ ଫେରିବନି ...ବିଜୟ !!
ତା ପରେ ତୁ ସ୍କୁଲ ଯିବା ଆରମ୍ଭ କଲୁ। ସେଇ ଦିନଠୁ ଆଜି ପର୍ଯ୍ୟନ୍ତ ନା ତୋ ପାଖରେ ସମୟ ଥିଲା, ନା ଆମ ପାଖରେ। ଆଜି କିନ୍ତୁ ଆମ ପାଖରେ ସମୟ ଅଛି, କିନ୍ତୁ ତୋ ପାଖରେ ସମୟ ନିଅଣ୍ଟ। ହଁ ! ପୁଅ ଝିଅ ହେଲେ ପ୍ରଥମ ପାଞ୍ଚ ବର୍ଷ ସେମାନଙ୍କ ସହିତ ଯୋଡ଼ି ରହିବ, ଯେମିତି ବିଜୟ ସାଥିରେ ଚବିଶ ଚବିଶ ଘଣ୍ଟା ଲାଗି ରହୁଥିଲି। ମୋବାଇଲ, ଲାପଟପ୍ ପାଖରୁ ଦୂରେଇ ରହିବାକୁ ଚେଷ୍ଟା କରିବ। ପିଲାମାନଙ୍କ ସହିତ ଜୀବନର ସେତିକି ମୁହୂର୍ତ୍ତ ଭାରି ଅମୂଲ୍ୟ। ତା ପରେ ସ୍ୱାଭାବିକ, ଆଉ ସମୟ ହୁଏନି ଛୁଆଙ୍କ ସହ ମିଶିବା ପାଇଁ। ସବୁ ପାଖରେ ଥାଇ ବି ଲାଗିବ ଯେମିତି କିଛି ନାହିଁ।
ତମେ ସବୁ ଭଲରେ ଥାଅ !!!
ମନେ ମନେ ଭାବୁଥିଲି ମାନ ଅଭିମାନର ଉର୍ଦ୍ଧ୍ବରେ ବୁଝାମଣା ସବୁକିଛି, ତାହାହିଁ ବୋଧେ ଜୀବନର ସାରକଥା। ସମୟ ସାଥିରେ ହିଁ ଯିବାକୁ ପଡିବ !!
ଏଆରପୋର୍ଟ ଗେଟ ଭିତରକୁ ପଶୁ ପଶୁ ବିଜୟକୁ ପାକେଟ ଟିଏ ଧରିଦେଇ କହିଲି ଚା ସାଥିରେ ହଳଦିରାମ ପାପଡ ଖାଇବାକୁ ସମୟ ସୁଯୋଗ ହେଲା ନାହିଁ। ତୁ ପସନ୍ଦ କରୁ ବୋଲି କିଣିଥିଲି, ନେଇ ଯାଆ.. ଲଣ୍ଡନରେ କଣ ହଳଦିରାମ ପାପଡ ମିଳିବ... କଥା ଖନେଇ ଆସିଲା ଜାଣି ପାରି ଚୁପ ହୋଇଗଲି। ବିଜୟ ହସିଦେଇ ପାକେଟ ଟିକୁ ମୋ ହାତରୁ ଧରିନେଲା।
ହଁ ଦୁହେଁ ମିଶି କଥା ଦିଅ ! ଆଗ ଥରକୁ ଆସିଲେ ଆମ ଘରେ ବେଶି ସମୟ ରହିବ !! କାଚ ଦ୍ଵାର ଧୀରେ ଧୀରେ ବନ୍ଦ ହୋଇଗଲା, ପୁଅ ବୋହୂ କଣ କହୁଥିଲେ ବୋଧେ, କିଛି ଶୁଭୁ ନ ଥିଲା.. ଅତି ପ୍ରିୟ ପୃଥିବୀଟା ଯେମିତି ମୋ ହାତ ଛାଡି ଚାଲି ଯାଉଥିଲା ଅନ୍ୟ ଏକ ସୌର ଜଗତକୁ, ପୁଅ ପଛକୁ ଅନେଇ ହାତ ହଲେଇଲା ମୋତେ ଦେଖି। ତାକୁ ଶୁଭୁ ନ ଥିଲା ଜାଣିକି ବି କହିଲି ପାପଡ ପାକେଟକୁ ବେଗ ଭିତରେ ରଖି ନେ। ମନେ ମନେ କହୁଥିଲି ଗଡ୍ ବ୍ଲେସ ୟୁ ମାଇ ସନ୍...
