ଭୁଲ ହୋଇଗଲା
ଭୁଲ ହୋଇଗଲା


ଶିତୁଆ ସକାଳର ସୁନେଲି କିରଣ। ଏକମାତ୍ର ଶିଶୁପୁତ୍ର ଅମନର ହାତଧରି ବାହାରେ ଟହଲ ମାରୁଛନ୍ତି ସହରର ପ୍ରଖ୍ୟାତ କୋଟିପତି ବ୍ୟବସାୟୀ ଦେବ ସୁବୁଦ୍ଧି। ଅମନ ସହ କିଛି ସମୟ ବିତାଇବାର ସମୟ ଏତେ ବର୍ଷପରେ ସେ ଆଜି ପାଇଛନ୍ତି, ତାର ଅନ୍ୟ ଏକ କାରଣ ବାତ୍ସଲ୍ୟ ପ୍ରେମର ନିଦର୍ଶନ ନୁହଁ, ବରଂ କରୋନା ସଟଡାଉନ ଆଜି ଭ୍ରମଣର ମୁଖ୍ୟ କାରଣ। ବ୍ୟବସାୟ ପ୍ରତିଷ୍ଠାନ ସବୁ ଆଜି ବନ୍ଦ। ସ୍ତ୍ରୀଙ୍କ ସହ ଖିଟିରପିଟିର ହେବା ଅପେକ୍ଷା ପୁଅ ସହ ଘୁରିଆସିଲେ କାମ ଶେଷ।
ଶେଷନାଗ କୋଳରେ ସ୍ଥାପିତ ବିଷ୍ଣୁପ୍ରତିମାଙ୍କୁ ଫୁଲହାର ଦେଉଛି ଚାକରାଣୀ ଚମ୍ପା ଓ ପୂଜାରେ ମଗ୍ନ ପୂଜକ ଦାମୋଦର। ପୂଜକ ଦେବବାବୁଙ୍କୁ ପ୍ରସାଦ ଦେବାକୁ ଅଗ୍ରସର ହେଉ ହେଉ ଅମନକୁ କହିଲେ, ବାବୁରେ! ପିତା ସ୍ୱର୍ଗ, ପିତା ଧର୍ମ, ପିତାହିଁ ପରମ ତପ। ମନେ ରଖିଥିବୁ। ହଁ ଭରି ମୁଣ୍ଡିଆ ମାରିଲା ଅମନ। ଦେବବାବୁ ବି ବିଷ୍ଣୁଙ୍କ ପଦାରବିନ୍ଦରେ ଭକ୍ତିପୁତ ପ୍ରଣତି ଜଣାଇ ସାରି ଦେଖିଲେ ଅମନ ସାମ୍ନାର ଘାସଗାଲିଚାରେ ବସି କଣ ଗୋଟେ ହାତରେ ଧରି ଖେଳୁଛି। ପାଖକୁ ଯାଇ ଦେଖିଲେ ଅମନ ତେଲୁଣିପୋକ ଧରି ଖେଳୁଛି। ବିରକ୍ତ ହୋଇ ପାଦରେ ତେଲୁଣିପୋକ ଗୁଡିକୁ ପାଦରେ ଠେଲି ଫୋପାଡିଦେଲେ ଦେବ।
ପ୍ରଶ୍ନ କଲା ଅମନ, ପାପା ତମେ ଏଇ ଟିକେ ଆଗରୁ ପ୍ରସ୍ତରକୁ ପ୍ରଣାମ କଲ ଅଥଚ ଜୀବନ୍ତଠାକୁରକୁ ପଦାଘାତ କଲ ।ହସି ଉଠିଲେ ଦେବ। ବାଃରେ ଅମନ ଅଦ୍ଭୁତ ତୋର କଳ୍ପନା, ଅବର୍ଣ୍ଣନୀୟ ତୋର ଚିନ୍ତାଧାରା। ଦେଶର ସବୁଠାରୁ ଦାମୀ ମୁର୍ତ୍ତି ରାଜସ୍ଥାନରୁ ପଚିଶଲକ୍ଷ ଟଙ୍କାରେ କ୍ରୟ କରି ଏଇଠି ସ୍ଥାପନା କରିଛି। ତାକୁ ପଥର କହୁଛୁ, ଅଥଚ ପ୍ରତିଦିନ ପାଦତଳେ ଚାପିହୋଇ ମରୁଥିବା, ଦର୍ଶନମାତ୍ରେ ଘ୍ରୁଣାଭାବ ଉଦ୍ରେକ କରୁଥିବା ତେଲୁଣି ପୋକକୁ ଦେବତା କହୁଛୁ?
ପାପା ଜାଣିଛ,
ଏଇ ତେଲୁଣିପୋକ ଛୁଆ ଜନ୍ମ କଲାପରେ ତାର ପେଟ ଫାଟିଯାଏ ଓ ତାରି ଦେହକୁ ଝୁଣି ଝୁଣି ଖାଆନ୍ତି ତା ଜନ୍ମିତ ପିଲାମାନେ। ମାଆ ନିଜର ଛୁଆମାନଙ୍କର ଆହାର ପାଲଟି ମରିଯାଏ। ତାହେଲେ କୁହ ପାପା, ସେ କଣ ବଳିଦାନର ଦେବୀ ନୁହଁ? ପୁରାଣ ପୃଷ୍ଠା ବିଦୀର୍ଣ୍ଣ କରୁଥିବା, ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ସ୍ଥାପିତ ସ୍ଥପତିକୁ ଆମେ ସମ୍ମାନ ଓ ଭକ୍ତି ଦେଖାଉଛେ, ହୋଇପାରେ ତାହା ଠିକ୍, କାରଣ କାହାର ଧର୍ମିୟ ଭାବନାକୁ ମୁଁ କୁଠାରଘାତ କରୁନାହିଁ କିନ୍ତୁ ତେଲୁଣିପୋକ ବି ପାଦତଳ ପାଇଁ ନୁହଁ ତାଛଡା ତମେ ପରା କୁହ ସକଳ ଘଟେ ନାରାୟଣ,ତାହେଲେ ଏ ଘୃଣା କାହିଁକି ??
ଓଃ ତୋର ଅଯଥା ଯୁକ୍ତି ଶୁଣିବା ବା ତାର ଉତ୍ତର ଦେବାକୁ ମୁଁ ବାଧ୍ଯ ନୁହେଁ, ବିରକ୍ତ ନକରି ପଢାପଢିରେ ଧ୍ୟାନ ଦିଅ। ଚୁପ ହୋଇଗଲା ଅମନ। ପାପାଙ୍କ ସହ ଘରକୁ ଫେରିଲା।
ଧର୍ମପତ୍ନୀ ରୁବିଙ୍କୁ ଅମନର ବାର୍ତ୍ତାଳାପ ବିଷୟରେ ଅବଗତ କରାଇଲେ ଦେବ। ଆରେ ଛୋଟଛୁଆଟା, ଏମିତି ଭାବନା ରଖି ଚାଲିଲେ ସବୁ ସମ୍ପତ୍ତି ଦାନ କରିଦେବ ଭବିଷ୍ୟତରେ। ରୁବି କହିଲେ ଏଇ ଶୁଣ, ବାପା ଆଉ ପରିବାପତ୍ର ଆଣିବା, ଘରକାମ କରିବାପାଇଁ ଅସମର୍ଥ। ଖାଲି ତାଙ୍କର ରୁମରେ ଶୋଇ ଅନ୍ନଧ୍ୱଂସ କରୁଛନ୍ତି ତାଛଡା ତାଙ୍କ ପାଇଁ ଔଷଧଖର୍ଚ୍ଚ ଅଲଗା।
ଦେବଙ୍କ କାନ୍ଧରେ ସ୍ନେହରେ ହାତଟା ରଖୁରଖୁ କହୁଥିଲେ ମୁଁ କଣ କହୁଥିଲି କି..........ଦେବ କହିଲେ ତମକୁ ତ ପୂର୍ଣ୍ଣ ସ୍ୱାଧିନତା ଓ ଅଧିକାର ଦେଇଛି। ମନେ ନାହିଁ ତମ ବାପା ଆମ ଘରେ କାମ କରୁଥିଲେ। ତମକୁ ଆରସାହି ନଟିଆ ଅସଦାଚରଣ କଲା। ବାପାଙ୍କୁ ରାଜି କରାଇ ମୁଁ ତମ ହାତ ଧରିଲି। ଆଉ ଆଜି ମତେ କିଛି କହିବାକୁ ଭୟ କାହିଁକି କରୁଛ ଯେ? ଆଦେଶ କର ରୁବି। ହଁ ସବୁ ମନେ ଅଛି ଦେବ, କେହି ସିନା ଜାଣିନାହିଁ ହେଲେ ତମେ ଓ ମୁଁ ତ ଜାଣିଛେ ଏଇ ଅମନଟା ନଟିଆର ଅସଦାଚରଣର ସନ୍ତକ। ସେତକ ନଥିଲେ ହୁଏତ ଆମେ ଏଇ ଜନ୍ମରେ ସନ୍ତାନ ହୀନ ରହିଥାଆନ୍ତେ। ଡାକ୍ତର ତ ତୁମର ପରୀକ୍ଷାକରି ସଫା ମନା କରିଥିଲେ ତମର ବାପ ହେବାର ସୌଭାଗ୍ଯ ନାହିଁ। ମୁଣ୍ଡ ହଲାଇ ହଁ ଭରିଲେ ବିଶିଷ୍ଟ ସଫଳ ଓ ସହରର ନାମୀ ଦାମୀ ଶ୍ରେଷ୍ଠ ବ୍ୟବସାୟୀ ଦେବ ସୁବୁଦ୍ଧି।
କଥାରେ ଅଛି ନର ମାୟା ନାରାୟଣଙ୍କୁ ଅଗୋଚର। ହେଲେ ନାରୀ ମାୟା........, ଲେଖିକରି ଗାଳି ଶୁଣିବାର ଦୁଃସାହସ ନାହିଁ ହେଲେ ସୁଦ୍ଧିଜନେ ଠିକ୍ ଜାଣନ୍ତି। ହେଲେ ଏମିତି ବି ଉତ୍ତର ଆସିବ ଆପଣ ତ ରାମାୟଣର ଚରୁ ଖାଇ ଜନ୍ମ ହୋଇନାହାନ୍ତି ଆପଣ ବି ଜଣେ ନାରୀର ଗର୍ଭରୁ ଜାତ। ଆଜ୍ଞା ଆପଣମାନେ ଶତପ୍ରତିଶତ ଠିକ୍। ସମସ୍ତଙ୍କୁ ଆକ୍ଷେପ କରିବା ମୋର ଉଦ୍ଦେଶ୍ଯ ନୁହେଁ କିନ୍ତୁ ଉଗ୍ରାଧୁନିକ ସମାଜରେ ରୁବିମାନଙ୍କ ସଂଖ୍ୟା ଅଧିକ ଏହା ଅନସ୍ୱିକାର୍ଯ୍ୟ।
ହେଲେ ପ୍ରେମର ଅନ୍ଧପୁଟୁଳି ବାନ୍ଧି କିଛି ପୁରୁଷ ବନିଯାଆନ୍ତି ଧ୍ରୁତରାଷ୍ଟ୍ର। ରଚିଦିଅନ୍ତି ଘୃଣ୍ୟ ମହାଭାରତର ଚକ୍ଷୁଥାଇ ଚକ୍ଷୁବିହୀନ ଚରିତ୍ର। ଦୋଷ ଦିଅନ୍ତି ସମାଜର, ପରିସ୍ଥିତିର। ସବୁ ବୁଝି ଅବୁଝା। ନେଡିଗୁଡ କହୁଣୀକୁ ବୋହିଗଲାପରେ ଭାବନ୍ତି, ଭୁଲ୍ ହୋଇଗଲା?
ହାତ ହଲାଇଦେଲେ ରୁବି। ହେଇ, ମୁଁ କିଛି କହିନି କଣ ଭାବିଚାଲିଛ? ପ୍ରକ୍ରୁତିସ୍ଥ ହୋଇଉଠିଲା ଦେବ।ପ୍ରେମରେ ରୁବିକୁ ଆଲିଙ୍ଗନ କରି ଦେବ କହିଉଠିଲେ, ଓଃ କୁହ ପ୍ରିୟେ। ରୁବି କହିଲା ବାପାଙ୍କୁ ଭଲ ଜରାଶ୍ରମରେ ଯଦି ରଖିହୁଅନ୍ତା ତାହେଲେ ଚାକର ରାମୁ ସେହି ରୁମ୍ ରେ ରହିଯାଆନ୍ତା ତାଛଡା ତାପାଇଁ ଆମକୁ ଅଯଥା ଘରଭଡା ଦେବାକୁ ପଡିନଥାନ୍ତା। ମଝିରେ ମଝିରେ ଆମେ ଯାଇ ବାପାଙ୍କୁ ଦେଖି ଆସନ୍ତେ। ଠୋ ଠୋ ହସି ଉଠିଲା ଦେବ।ଚମକିଉଠି ରୁବି କହିଲା ନା ନା ମୁଁ ପ୍ରସ୍ତାବ ଦେଲି। ନିଷ୍ପତ୍ତି ତୁମର। ଦେବ କହିଲା ସୁନ୍ଦର ପ୍ରସ୍ତାବ। ସେୟା ହିଁ କରିବା।ଆମର ପୁର୍ବ ପୁରୁଷରୁ ଚାଲିଆସିଛି ଏହି ପ୍ରଥା। ହେଲେ ସେ ଅମନ? ତା ଦେହରେ ପରା ଗରୀବ ରକ୍ତ ପ୍ରବାହିତ, ତାଛଡା ସେ ଜେଜେଙ୍କୁ ବହୁତ ଭଲପାଏ। ରୁବି କହିଲା ତାକୁ ବୁଝେଇବା ଦାୟିତ୍ୱ ମୋର। ନିଷ୍ପତ୍ତି ସରିଗଲା। ବିକ୍ରି ହୋଇଗଲା ବାପ। କ୍ରୁରତାର ଚରମ ନିଦର୍ଶନ ସର୍ଜନା ସରିଥିଲା। ବୃଦ୍ଧପିତାଙ୍କୁ ଜରାଶ୍ରମ ପହଞ୍ଚାଇଦେଲା ଦେବ। କାନ୍ଦୁଥିଲା କଂସର ବନ୍ଦୀଶାଳାରେ ଉଗ୍ରସେନ। ସମସ୍ତ ରାଜଭୋଗ ଥାଇ ବି ଏତେବଡ ଅସହ୍ଯ ଅବିଚାର ପାଇଁ ମଥୁରାରେ କାନ୍ଦୁଥିଲା କୃଷ୍ଣ।
ସମୟର ଚକ ଯାଏ ଗଡିଗଡିକା...
ଉଚ୍ଚଶିକ୍ଷା ପାଇଁ ବାହାରକୁ ଗଲା ଅମନ। ଜରାଶ୍ରମରେ ଦେହତ୍ୟାଗ କଲେ ଅମନର ଜେଜେ। ହଠାତ ଅସୁସ୍ଥ ହୋଇପଡିଲେ ରୁବି। ଚାକର, ଚାକରାଣୀ ଛାଡି ଯିବାକୁ ଲାଗିଲେ। ଅସାଧ୍ୟ ରୋଗକବଳରୁ ମୁକ୍ତ କରିବା ପାଇଁ ଆପ୍ରାଣ ଉଦ୍ୟମ କରି ଚାଲିଲେ ଦେବ। ପାଣି ପରି ଅର୍ଥ ଖର୍ଚ୍ଚ କରିଚାଲିଲେ। କିନ୍ତୁ.....ବଞ୍ଚାଇପାରିଲେନି ରୁବିକୁ। ବ୍ୟବସାୟିକ ପ୍ରତିଷ୍ଠାନ, ଘରଦ୍ୱାର ସବୁକିଛି ସରିଯାଇଥିଲା ରୁବିର ଚିକିତ୍ସାରେ।
ସହରରେ ଚାକିରୀ ପାଇସାରିଥିଲା ଅମନ ଓ ସହଧର୍ମିଣୀର ଆସନ ଦେଇଥିଲା ସୁନ୍ଦର, ସୁଶୀଳ ସହକର୍ମୀ ନିଶାକୁ।ବୟସ ବଢିବା ସହ ରୋଗଗ୍ରସ୍ତ ହେବାକୁ ଲାଗିଲେ ଦେବ। ସରକାରୀ କ୍ୱାର୍ଟର ଦୁଇବଖରିଆ। ସୁନ୍ଦର ସଜାଇ ଥିଲା ବୋହୁ। ଅବଶ୍ଯ ନଥିଲା ଦାମୀ ବିଷ୍ଣୁଙ୍କ ମୁର୍ତ୍ତି। କିନ୍ତୁ ଥିଲା ଛୋଟ ସୁନ୍ଦର ପିତ୍ତଳ ମୁର୍ତ୍ତି। ନଥିଲେ ପୂଜକ। କିନ୍ତୁ ହେଉଥିଲା ସୁନ୍ଦର ପୂଜା। ପୂଜକ ଥିଲା ବୋହୁ ନିଶା।
ହଠାତ ଦିନେ .......
ଅମନ ପ୍ରସ୍ତାବ ଦେଲା ଶୁଣ ନିଶା! ଆଜିକାଲିର ସହରୀ ଚଳଣି, ତାସହ ପାପାଙ୍କ ଔଷଧ ଖର୍ଚ୍ଚ, ଏସବୁ ଭିତରେ ସଂସାର ତରୀକୁ ଆଗକୁ ନେବା କେମିତି? ତାଛଡା ଆମେ ତ ପାପାଙ୍କୁ ଫୋପାଡି ଦେଉନାହେଁ, ଏହା ଆମ ବଂଶ ପରମ୍ପରା।
ଚୁପ୍! କହିଲା ନିଶା। ସେ ଆମର ଗୁରୁଜନ, ନମସ୍ୟ।କଥାରେ ଅଛି ପ୍ରଥମ ପ୍ରେମ କେହି କେବେ ଭୁଲି ପାରେନା। ସତ ନା? ହଁ ଭରିଲା ଅମନ। ତାହେଲେ ବାପାମାଆଙ୍କୁ କେମିତି ଭୁଲିଯାଏ ପୁଅ ? ଆଉଦିନେ ସେମିତି କଥା ମୁହଁରେ ଧରିଲେ ମୁଁ ତୁମକୁ ଛାଡି ପାପାଙ୍କ ପାଖରେ ରହି ତାହାଙ୍କ ସେବା କରିବି। ଭୁଲ୍ ହୋଇଗଲା କହିଲା ଅମନ। ଆଖିରେ ଆଖିଏ ଅଶ୍ରୁ। ସବୁ ଶୁଣୁଥିଲେ ଦେବ। ବାହାରିଆସି ଠିଆ ହେଲେ ପୁଅ ବୋହୁ ପାଖରେ। ଆଖିରେ ଅଶ୍ରୁ, ହାତରେ ତେଲୁଣି ପୋକ। ଅମନକୁ କହୁଥିଲେ ବାବୁରେ ଭୁଲ୍ ହୋଇଗଲା। ଆଜି ବୁଝୁଛି ଲକ୍ଷ ଲକ୍ଷ ଟଙ୍କାର ପ୍ରସ୍ତର ମୁର୍ତ୍ତି ଭଗବାନ ନୁହଁ, ତେଲୁଣିପୋକ ହିଁ ଦେବୀ। କିଛି ବୁଝୁନଥିଲା ନିଶା କିନ୍ତୁ ବୁଝିସାରିଥିଲା ଅମନ, ତା ସ୍ୱର୍ଗବାସୀ ମାଆ ରୁବି ଓ ନିଶାର ତୁଳନା କରୁଥିଲେ ପାପା....
ଭିନ୍ନ ଢଙ୍ଗରେ !
ସମ୍ପୁର୍ଣ୍ଣ ଘଟଣା ବର୍ଣ୍ଣନା କରୁଥିଲେ ନିଶା ସୋନା ଓ ମୋନା ମାନେ ନିଶାର ଦୁଇ ଝିଅଙ୍କୁ।
ସାରମର୍ମ : ନିଶା କହୁଥିଲେ ଦୁଇ ଭଉଣୀ ଶୁଣ; କଥାରେ ଅଛି ପ୍ରଥମ ପ୍ରେମ ଭୁଲି ହୁଏନା, ଇତିହାସ ଯଦି ସତ୍ଯ ତାହେଲେ ପୁଅ, ଝିଅ ଜନ୍ମ କଲା ବାପାମାଆଙ୍କୁ ଭୁଲି ଯାଆନ୍ତି କେମିତି ?