STORYMIRROR

Sambit Srikumar

Tragedy

3  

Sambit Srikumar

Tragedy

ଭତ୍ତା

ଭତ୍ତା

3 mins
262


କୁସୁନପୁର ଗାଁର ରାଧିମାଆ, ବୟସ ଆସି ଅଶୀ ଟପିଲାଣି। ଅଣ୍ଟା ନଇଁ ଗଲାଣି କିନ୍ତୁ ମନୋବଳ ଭାଙ୍ଗି ନାହିଁ। ସ୍ୱାମୀ ଅକାଳରେ ଚାଲିଗଲେ ଆରପାରିକୁ ମଝିରାସ୍ତାରେ ତାକୁ ଏକା କରି। ସେବେଠାରୁ ରାଧିମାଆ ଏକା ଏକା ଚାଲିଛି ଯେ' ଚାଲିଛି ଜୀବନର ଅଙ୍କା ବଙ୍କା ରାସ୍ତା, ଥକିପଡ଼ିନି ଆଦୌ। ବଡ଼ ସ୍ୱାଭିମାନୀ ମହିଳା ସେ। ପର ଘରେ ମୂଲ ଲାଗେ ପଛେ କାହାକୁ କେବେ ହାତ ପାତେନି। ଏଇ ବୁଢ଼ୀ ବୟସରେ ବି ହାତରେ ଦି ମୁଠା ନ ଫୁଟେଇଲେ ଉପାସ ଶୋଇବାକୁ ପଡେ।

ପର ଘରେ ମୂଲ ଲାଗି ଗୋଟିଏ ବୋଲି ଝିଅ ରାଧାକୁ ବଡ଼ କଷ୍ଟରେ ବଢେଇ କୁଢେଇ ମଣିଷ କରିଥିଲା। ବୁଢୀ କାଳରେ ଯିଏ ସାହା ଭରସା ହୋଇଥାନ୍ତା ସେ ତ ମୁହଁ ମୋଡି ଚାଲିଗଲା ଯେ, ଫେରିକି ପଛକୁ ଚାହିଁଲାନି ଦିନେ, ଆଉ କାହା ଉପରେ ବା ଭରସା କରିବ ସେ? ଯେବେ ଆତ୍ମଜା ନିଜର ହେଲାନି, ପର ଲୋକଙ୍କ କଥା ପଚାରେ ବା କିଏ?

ଆର ଗାଁର ଗଙ୍ଗା ନାହାକକୁ ସତ୍ୟ କରି ବାହା ହୋଇଛି ରାଧା। ମାଆ ମଲା କି ଗଲା ଖୋଜ ଖବର ଦିନେ ବି ରଖେନି। ମାଆ ବାହା ତୋଳା କରି ନପାରିବାରୁ ନିଜେ ନିଜର ଜୀବନ ସାଥି ବାଛିନେଇଛି ସେ। କାହାକୁ କିଛି ନକହିଲା ନାହିଁ ନିଜ ମାଆଟାକୁ ହେଲେ ଜଣେଇଥାଆନ୍ତା, ସେତକ ବି କରିବାକୁ ତାର ମନ ବଳିଲାନି। ରାଧାର ବାହାଘରକୁ ପ୍ରାୟ ଚାଳିଶ ସାଲ ହେଲାଣି, ତଥାପି ବୁଢୀ ମନରେ ଏଇ କଥାଟି ଗୋଟେ କେଁ ହୋଇରହିଛି ଆଜି ଯାଏଁ।

ନିଜର ବୋଲି କେହି କି କିଛି ବି ନାହିଁ ରାଧିମାଆର। ଅନ୍ତ ଫାଡ଼ି ଜନ୍ମ କରିଥିବା ଝିଅ ତ ନିଜର ହୋଇ ବି ହେଲାନି ଆଉ କିଏ ବା ହେବ? ଘର ବାଡ଼ି କି ଜମି ଜାଗା ବୋଲି କିଛି ନାହିଁ ତାର। ଅନାବାଦୀ ଗୋଚର ଜାଗାରେ ନୂଆଁଣିଆ ଝାଟିମାଟି କାନ୍ଥର ଚାଳ ଛପର ଘର ବଖରାଏ ରାଧିମାଆର ସରଗପୁର। କିଏ ବା ଆଉ ଅଛି ବଂଶରେ ତାର ଯେ ଭୋଗ କରିବ ପକ୍କାଘର, ଧୋବ ଧଉଳିଆ କୋଠା?

ଗୋଟିଏ ତ ମଣିଷ, ଖାଇବା ପାଇଁ ଚାଉଳ ମୁଠାଏ ଯୋଗାଡ଼ି ଦେଲେ କାମ ଚଳିଯାଏ। କେତେ ଯେ କୁଟୁମ୍ବ ତାର ଯେ ବସ୍ତା ବସ୍ତା ଚାଉଳ ଗହମ ଡ଼ାଲି ଚିନି ଲୋଡ଼ା ହେବ? ଡବାଏ ମାଟି ତେଲ ହେଲେ ମାସକୁ ବୁକାଏ। ନିଆଁ ପାଣି ପବନ ସବୁତ ମାଗଣା। ବଞ୍ଚିବା ପାଇଁ ଆଉ କଣ ଦରକାର?

ଦିଖଣ୍ଡ ଲୁଗାରେ ତାର ସୁଖ ସାଇତା। ଛତା ଜୋତା କଣ ହେବ ତାର? ଯାହାର କାମରେ ଲାଗୁଛି ଲାଗୁ। ଯିଏ କୋଠା ଉପରେ କୋଠା ବାଡେଇବାର ବାଡାଉ ତାର ବା କଣ ଯାଉଛି? ମଲା ବେଳେ କୋଉ ନେଇକରି ଯିବ ସ୍ୱର୍ଗକୁ? ତା ଆଗରୁ ଯେତେକ ଗଲେଣି କୋଉ ଜିନିଷଟା ନେଇକି ଗଲେ ଯେ, ସିଏ ବି ନେବ? ମନେ ମନେ ଭାବେ, "ଯାହା ଖାଇଥିବ ପେଟକୁ, ଯାହା ସଞ୍ଚି ଥିବ ଖୁଣ୍ଟକୁ!"

ଗାଁ ଲୋକଙ୍କ ନଜରରେ ସେ ଭାରି ଦୁଃଖିନୀ ନିରାଶ୍ରୟା ମହିଳା। କିନ୍ତୁ ସେ ଏସବୁର ଅର୍ଥ ବୁଝିବାକୁ ଅସମର୍ଥ କେବଳ ନୁହେଁ ବରଂ ବୁଝିବାକୁ ଚାହେଁ ନାହିଁ। ତାର ଖିଆଲି ଦୁନିଆରେ ଜୀଏଁ ସେ। କାହାକୁ କିଛି ହାରି ଗୁହାରି କରିବାର ନାହିଁ ତାର କି କାହା ଦୟାରେ ଏ ଜୀବନ ଜୀଇଁବାର ନାହିଁ। କାହାର ଅନୁଗ୍ରହର ଋଣୀ ହେବାକୁ ଚାହେଁନି ସେ। ଯେବେ କେବେ କେହି କିଛି ଦେଇଥାଏ, ତାର ବହୁଗୁଣା ଫେରାଇ ଦେଇଥାଏ ରାଧିମାଆ ନିଜ ସୁବିଧା ଅନୁସାରେ। ଏଇଥିପାଇଁ ସେ ନିଜକୁ ଦୁନିଆର ସବୁଠାରୁ ଅଧିକ ସୁଖୀ ବୋଲି ମନେକରେ। ଯାହାର କିଛି ଋଣ ନାହିଁ ସେ ହିଁ ତ ପ୍ରକୃତ ସୁଖୀ!

ସବୁଦିନ ସକାଳ ସଞ୍ଜରେ ଗାଁ ମନ୍ଦିରକୁ ଯାଇ ଠାକୁରଙ୍କ ପାଖରେ ଗାଁର ଅନ୍ୟମାନଙ୍କ ସହ ମିଶି ଭଜନ କୀର୍ତ୍ତନ କରେ। ଦୁନିଆର ସମସ୍ତଙ୍କ ଶୁଭ ମନାସି ମୁଣ୍ଡିଆ ମାରେ, ହେଲେ ନିଜ ପାଇଁ କେବେ କିଛି ମାଗେ ନାହିଁ। ଯାହା ମୁହଁକୁ ଚାହିଁ ଦିନ କାଟିବା ପାଇଁ ସ୍ୱପ୍ନ ଦେଖିଥିଲା ସେ ତ ଦିନେ ଚାହିଁଲା ନାହିଁ ଆଉ ତୁଛା ଆଶା କରି ଲାଭ ବା କଣ?

ସରକାରଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ଯୋଜନାରୁ ସେ ବଞ୍ଚିତା। ଏହାର କାରଣ ବି ସେ ଜଣେନି କି ଜାଣିବାର ବିଶେଷ ଇଚ୍ଛା ବି ନାହିଁ ତାର। କେମିତି ବା ଇଛା ହେବ ତାର? ଗରିବ ନିରକ୍ଷର ହେଲେ ମଧ୍ୟ ସେ କଣ ଦେଖୁନି କେମିତି ଥିଲାବାଲା ସବୁ ଲୁଟି ନେଉଛନ୍ତି ଗରିବଙ୍କ ପାଇଁ ଆସୁଥିବା ସରକାରୀ ସାହାଯ୍ୟ...

ଭେଣ୍ଡିଆଗୁଡ଼ାକ ପାଉଛନ୍ତି ଏଠି ବାର୍ଦ୍ଧକ୍ୟ ଭତ୍ତା! କାଗଜପତ୍ରରେ ତ ସବୁ ଚାଲିଛି। ହେଲେ ଏଇ କାଗଜପତ୍ର କାମ ବି ଜଣା ନାହିଁ ରାଧିମାଆକୁ। ଶ୍ରୀଅକ୍ଷର ବ୍ୟବର୍ଜିତା ସେ! ଲେଖାପଢା କରିବ ବା କେମିତି? ହେଲେ ତାର ମନରେ ବେଳେ ବେଳେ ଗୋଟେ ଖିଆଲ ଆସେ, "ଯଦି ସରକାର ସମସ୍ତିଙ୍କର, ତେବେ କିଆଁ ଏତେ ପାତର ଅନ୍ତର?" ଭୋଅଟ ବେଳେ ତ ବରାବର ଯାଏ ଇସ୍କୁଲ ଘରକୁ। ହାତରେ ଅଲିଭା କାଳି ଲଗେଇ ଭୋଟ୍ ସୁଇଚି ଟିପେ।

ରଙ୍ଗା, ନାତି ହେବ ରାଧିମାଆର। ରାଧାର ପୁଅ, ଶକତ ଭେଣ୍ଡିଆଟେ। କାମ ଧନ୍ଦା କିଛି ବୋଲି କିଛି କରେନାହିଁ। ପଖାଳ କଂସାଏ ଖାଇ ଦେଇ ଦିନସାରା ଠାକୁରାଣୀ ଚଉତରାରେ ତାସ୍ ପତା ଖେଳେ। ବାତେରା ହୋଇ ବୁଲେ। ଭୋଅଟ ସମୟରେ ନେତାଙ୍କ ପଛରେ ଧାଏଁ ଘରକୁ ଘର। ବୋଲହାକ କରେ ସେମାନଙ୍କର।

ଏଇ ଯେଉଁ ଟୋକାଟା ସରପଞ୍ଚ ହେଇଛି ଏଥର ଭେଅଟରେ, ସେ କୁଆଡ଼େ ରଙ୍ଗାର ସଙ୍ଗାତ। ସବୁ ସରକାରୀ ଯୋଜନାରେ ସାମିଲ କରେଇ ଦେଇଛି ନାଁ ତାର। ବିପିଏଲ ଭାଗରେ ପକ୍କାଘର ଖଣ୍ଡେ ତୋଳେଇ ଦେଇଛି। ବୁଢ଼ାବୁଢ଼ୀଙ୍କ ପାଇଁ ଥିବା ଭତ୍ତାଟା ବି ମିଳୁଛି ତାକୁ। ଆଉ କଣ ଦୁଃଖ ରଙ୍ଗାର? ଜୀବନଯାକ ବସି ଖାଇଲେ ମଧ୍ୟ କିଛି ଅସୁବିଧା ନାହିଁ। ଯାହା ଖାଲି ଭୋଅଟ ବେଳେ ମାସଟାଏ ପ୍ରଚାରରେ ଗଲେ ହେଲା।

ଯେବେଠୁଁ ଏକଥା ରାଧିମାଆ କାନରେ ପଡିଲାଣି, ଭାରି ଖୁସି ସିଏ। ଏଇ ଖୁସି ହେବାଟା ତାର ଅଧିକାର, ଏଥିରୁ କେହି ବଞ୍ଚିତ କରି ପାରିବ ନାହିଁ ତାକୁ। ଯାହା ହେଉ, ସେ ଯେଉଁ ସୁବିଧା ସୁଯୋଗ ପାଇପାରିନଥିଲା ନାତି ତ ତାର ଭୋଗକରୁଛି। ନାତି ଆଉ ତାର ଫରକ ବା କଣ? ନ ପଚାରିଲେ ନ ପଚାରୁ, ହାତୀ ଜଙ୍ଗଲରେ ରହିଲେ ବି ରାଜାଙ୍କର ନା...



Rate this content
Log in

Similar oriya story from Tragedy