ଭୋଟ୍ ବ୍ୟାଙ୍କ୍
ଭୋଟ୍ ବ୍ୟାଙ୍କ୍
ସମସ୍ତଙ୍କ ପରି ତା'ର ଆଖିରେ ବି ଦିନେ ସ୍ବପ୍ନ ଥିଲା, ଅସୁମାରି ସ୍ବପ୍ନ! ରୋଗୀଣି ମାଆର ଚିକିତ୍ସା କରାଇବ, ବାପା ସାହୁକାର ଠାରୁ କରିଥିବା କରଜ ସୁଝିବ, ବଡ଼ ଭଉଣୀକୁ ବାହାତୋଳା କରିବ, ସାନଭାଇକୁ ସହରରେ ପଢାଇବ, ଘରଟିଏ ତୋଳିବ, ଏମିତି କେତେ କଣ କଥା ତାର ଚପଳ ମସ୍ତିଷ୍କରେ ଘୁରିବୁଲେ।
ଆମ ଗାଁ ଆର ପାରିର ସନିଆ ନାହାକ। ପିଲାଟି ଦିନରୁ ଭାରି ପରିଶ୍ରମୀ, ଗରିବ ଘର ପିଲା ହେଲେ ମନ ତାର ବଡ଼। ଭଲ ପାଠ ପଢୁଥିବା ସାନଭାଇକୁ ସହରରେ ପଢାଇବା ପାଇଁ ନିଜେ ସପ୍ତମରୁ ଇସ୍କୁଲ ଯିବା ବନ୍ଦ କରି ପର ଘରେ ମୂଲ ଲାଗିଲା, ଦି ଭାଇଙ୍କ ଭିତରୁ ଜଣେ ବଡ଼ ବାବୁ ହୋଇଗଲେ ଘରର ଦୁଃଖ ଘୁଞ୍ଚି ଯିବାର ଆଶାରେ। ଗାଁ ଲୋକେ ତାକୁ ପିଲାଟା ବୋଲି ଧାର୍ଯ୍ୟ ଦରର ଅଧା ମଜୁରୀ ଦେଲେ। ଦିନେ ବି କାହାକୁ ପ୍ରତିବାଦ କରେନି, ବରଂ ଖୁସି ମନରେ ହାତ ଯୋଡ଼ି ଚାଲିଯାଏ।
ମାଆ ତା'ର ଶ୍ବାସ ରୋଗୀ, ସବୁ ବେଳେ ବିଛଣା ମାଡ଼ି ପଡ଼ିଥିବ। ମାଆର ଚିକିତ୍ସା ପାଇଁ ଘରଡିହ ସାହୁକାର ପାଖରେ ବନ୍ଧା ପଡ଼ିଛି। ଜମି ବାଡ଼ି ନଥିବାରୁ ବାପା ବି ଏମିତି ଛୋଟ ମୋଟ କାମ କରନ୍ତି ତାର। ପଞ୍ଚାୟତରୁ ପକ୍କାଘର ଯୋଜନାରେ ଘରତିଆରି ସାହାଯ୍ୟ ଟଙ୍କା ପାଇବା ପାଇଁ ସରପଞ୍ଚକୁ ହାତଗୁଞ୍ଜା ଦେବାର ସାମର୍ଥ୍ୟ ନଥିବାରୁ ମୁଣ୍ଡ ଉପରେ ଛାତଟିଏ ନାହିଁ। ଏ ମହଙ୍ଗା ଯୁଗରେ ବଢିଲା ଭଉଣୀର ବାହାଘର ବେଡି ଉପରେ କୋରଡା ମାଡ଼! ସେ ଏକା ଏକା କଣ ବା କରିପାରିବ??
ଏମିତି ଦିନେ ଚିନ୍ତା କରୁଥିବା ବେଳେ, ପିଲାମାନଙ୍କୁ ଗାଁ ଗଣ୍ଡାରୁ ନେଇ ସୁଦୂର ସୁରଟର ବିଭିନ୍ନ କଳକାରଖାନାରେ କାମରେ ଲଗାଉଥିବା ଦଲାଲ ପଦିଆ ପଧାନ ହାବୁଡ଼ରେ ପଡ଼ିଗଲା ସନିଆ। ତାର ଦୁଃଖ କଥା ଶୁଣି ପଦିଆ ମୋଟା ଅଙ୍କର ଦରମାର ପ୍ରଲୋଭନ ଦେଖାଇ ତାକୁ ନେଇଗଲା ସୁରଟ। ପଛରେ ରହିଗଲା ଭିଟାମାଟି ମୁଠା ମୁଠା ସ୍ବପ୍ନ ସାକାର କରିବାର ଲକ୍ଷ୍ଯରେ।
ସନିଆକୁ ପଦିଆ ପଧାନ ସୁରଟର ଗୋଟେ ସୁତାକଳରେ ଚାକିରିରେ ରଖାଇଦେଲା। ସକାଳୁ ରାତିଅଧ ଯାଏ କାମ, ମାସକୁ ଦଶ ହଜାର ଟଙ୍କା ଦରମା। ପହିଲି ଦରମା ମିଳିବା ପରେ ପୂର୍ବ ନିର୍ଦ୍ଧାରିତ ଚୁକ୍ତି ମୁତାବକ ପଦିଆ ଅଧା ଟଙ୍କା ତା' ଦଲାଲି ବାବଦକୁ କାଟି ସନିଆ ହାତରେ ଧରାଇଦେଲା ଟଙ୍କା ପାଞ୍ଚ ହଜାର। ସନିଆର ଖୁସି କହିଲେ ନସରେ, ଏକା ସାଥେ ଏତେ ଟଙ୍କା ଆଗରୁ ସେ କେବେ ଦେଖିନଥିଲା! ଏବେ ସବୁ ସ୍ୱପ୍ନ ସାକାର ହେବାର ବିଶ୍ବାସ ତା ମନରେ ଦୃଢୀଭୂତ ହେବାକୁ ଲାଗିଲା। ପ୍ରତି ମାସର ସାତ ତାରିଖରେ ଦରମା ମିଳେ କାରଖାନାରୁ, ହେଲେ ପୁରା ଦଶହଜାର ଟଙ୍କା କେବେ ହାତକୁ ଆସେନାହିଁ ସନିଆର। ସେ ତାର ସରଳ ମନରେ ଭାବେ, "ଦୁନିଆରେ ଦଲାଲଗିରି ଟା ବୋଧେ ସବୁଠାରୁ ଲାଭ ଦାୟକ ଧନ୍ଦା ଆଉ ଉଭୟ ପକ୍ଷରୁ ପଇସା ଖାଇ ବି ଦଲାଲ ଟା ଗୋଟେ ବିଶୁଦ୍ଧ ଭଦ୍ର ଲୋକ!"
ସବୁ ଦିନ ସମାନ ଯାଏନି, ହଠାତ୍ ମାଡ଼ି ଆସିଲା ଅଦୃଶ୍ୟ ମହାମାରୀ, କଳକାରଖାନା, ଗାଡ଼ି ମଟର, ଦୋକାନ ବଜାର ସବୁ ବନ୍ଦ। ଚାରିଆଡ଼େ ନିସ୍ତବ୍ଧତାର ରାଜୁତି। ଯିଏ ଯେଉଁଠାରେ ଥିଲେ ସେହିଠାରେ ହିଁ ଗୃହବନ୍ଦୀ। କାରଖାନା ଚାଲୁନଥିବାରୁ ମାଲିକ ଦରମା ଦେଲାନି, ଘର ମାଲିକ ଭଡ଼ା ମାଗିବା ଛାଡୁନି ବରଂ ବସା ଖାଲି କରିବାର ଧମକ ଦେଉଛି, ଦୋକାନୀ ବାକିରେ ସଉଦାପତ୍ର ଦେଉନି। ନା ଘରେ କିଛି ଖାଇବାକୁ ଅଛି ନା ପାଖରେ ଟଙ୍କା ପଇସା। ଏ ଦୁଃସ୍ଥିତିରେ କିଏ ବା ଭରସା?
ସନିଆ ପରି ଶହ ଶହ ମେହନତି ମଣିଷ ଭୋକର ଦାଉ ସହି ନପାରି ମେଳି ହୋଇ ସ୍ଥାନୀୟ ନେତାମାନଙ୍କୁ ଗୁହାରି କଲେ କିଛି ସାହାଯ୍ୟ ପାଇବାର ଆଶାରେ। ପ୍ରତିବଦଳରେ ଶୁଣିବାକୁ ପଡ଼ିଲା, "ତୁମମାନଙ୍କର ତ ଏଠି ଭୋଟର ତାଲିକାରେ ନାମ ନାହିଁ, ରାସନ କାର୍ଡ କି ଆଧାର କାର୍ଡ ବି ଏଠିକାର ନୁହେଁ। ଆମକୁ ତ ଭୋଟ୍ ଦେଉନାହିଁ, ଯେଉଁଠାରେ ଭୋଟ୍ ଦେଉଛ ସେଠିକି ଯାଇ ସାହାଯ୍ୟ ମାଗ। ତୁମ ରାଜ୍ୟ ସରକାର ତୁମମାନଙ୍କ କଥା ବୁଝିବ। ଆମ ଲୋକଙ୍କ କଥା ବୁଝିବା ପାଇଁ ଆମର ସମୟ ନାହିଁ। ଯାଅ ହେ ଯାଅ ତୁମ ଗାଁକୁ ପଳେଇ ଯାଅ... " ।
ସନିଆର ମନେପଡ଼ିଲା ତାଙ୍କ ଗାଁରେ ଭୋଅଟ ହେଲେ କେତେ ଲୋକ ତାକୁ ଫୋନକରି ଡାକନ୍ତି ଭୋଅଟ ଦେବା ପାଇଁ ଗାଁକୁ ଆସିବାକୁ। ଏମିତିକି ଟିକଟ କରି କିଛି ଟଙ୍କା ସହିତ ଘରେ ଦେଇଯାଆନ୍ତି ଗାଁକୁ ଯିବା ପାଇଁ। ରାଜ୍ଯର କେତେ ନେତା ମନ୍ତ୍ରୀ ସୁରଟ ଯାଇ ଭୋଜିଭାତ ନାଚଗୀତ କରି ନେହୁରା ହୁଅନ୍ତି ତାଙ୍କୁ ଭୋଅଟ ଦେବା ପାଇଁ। ହେଲେ ଏ ବିପଦ ସମୟରେ କାହାରିବି ଫୋନ ନାହିଁ ଦେଖା ଦେବା ତ ଦୂରର କଥା। ସରକାର ତ ବହୁତ କଥା କହୁଛନ୍ତି ହେଲେ ଆମକୁ ଏଠି ମୁଠାଏ ଖାଇବା ପାଇଁ କିଛି ବ୍ଯବସ୍ଥା କରୁନାହାନ୍ତି କାହିଁକି? ବାହାର ଦେଶରୁ ଉଡାଜାହାଜରେ ଲୋକଙ୍କୁ ଆଣିଲେ, ଆମ ବେଳକୁ କିଆଁ ଏମିତି ହତାଦର? ନା ଆମ ହାତଗୁଞ୍ଜା କୁ ଅପେକ୍ଷା କରି ରହିଛନ୍ତି ପକ୍କାଘର ଯୋଜନା ପରି....।
ଯେଉଁ ସହରକୁ ଦିନେ ନିଜ ଲହୁରେ ଗଢିଥିଲେ ଏଇ ସନିଆ ପରି ମେହନତି ମଣିଷମାନେ ପରିବର୍ତ୍ତିତ ପରିସ୍ଥିତିରେ ସେମାନେ ଅଲୋଡା ହୋଇଯାଆନ୍ତି ଭୋଟ୍ ବ୍ୟାଙ୍କ୍ ରାଜନୀତିର ପଶାପାଲିରେ। ଆଜି ଅନେକ ସନିଆ ଖୋଲା ଆକାଶ ତଳେ ଅଖିଆ ଅପିଆ ଦିନ ଗଣୁଛନ୍ତି ଭିଟାମାଟିକୁ ଫେରି ଆସିବା ପାଇଁ ସବୁ ସ୍ବପ୍ନକୁ ଜଳାଞ୍ଜଳି ଦେଇ ...।