ଭୋକିଲା ପେଟର କାହାଣୀରୁ ଝଲକାଏ
ଭୋକିଲା ପେଟର କାହାଣୀରୁ ଝଲକାଏ
ସାରିଆ .... ଏ ପୋଡାମୁଁହି ସାରିଆ .... ଆଲୋ କୁଆଡେ ଗଲୁ...
ବୁଢ଼ୀ ଡାକି ଡାକି ଆସି ବସି ପଡ଼ିଲା ବାରଣ୍ଡାରେ ଖୁଣ୍ଟକୁ ଆଉଜି। ମନେମନେ ଗାରୁ ଗାରୁ ହେଲା ବହେ ।କୁଆଡେ ଗଲା କେଜାଣି ସେ ପୋଡାମୁଁହି । କାହିଁ ସକାଳୁ ନାଲି ଚା ରେ ଖୁଦ ଭଜା ଟିକେ ପକେଇ ପି ଥିଲି ଯେ ସେ କୁଆଡେ ପେଟ ତଳେ ଯାଇ ପଡ଼ିଲାଣି। ଭୋକରେ ଆଖି ରୁ ଜୁଳୁଜୁଳିଆ ପୋକ ବାହାରିଲାଣି। କେତେବେଳେ ଖାଇବାକୁ ଦବ କେଜାଣି କହି କହି ବୁଢ଼ୀ ଭାତ ହାଣ୍ଡି ପାଖକୁ ଗଲା। ଦେଖିଲା ବାସି ଭାତ ଗଣ୍ଡାଏ ଆଉ ତୋରାଣି ଅଧ ହାଣ୍ଡିଏ ଅଛି। ବୁଢ଼ୀ ସେଥିରୁ ଗଣ୍ଡାଏ ଭାତ ଆଣି ତେନ୍ତୁଳି ଟିକେ ଦଳି ଦେଇ ଖାଇବାକୁ ବସିଲା। ଦି ଗୁଣ୍ଡା ପାଟିକି ନେଇଛି କି ନାହିଁ ସାରିଆ ଆସି ପହଁଚିଲା।
ତାର ଶୁଖିଲା ଆଉ ହତାସିଆ ମୁଁହ କୁ ଦେଖି ବୁଢ଼ୀ ଜାଣିଦେଲା ଯେ ଆଜି ଏ ବେଳା ରୋଷେଇ ବନ୍ଦ। କିଛି ପଚାରି ପାରିଲାନି ବୋହୁକୁ ଚୁପ ରହିଲା। ସାରିଆ ମଧ୍ୟ ଚୁପଚାପ ଯାଇ କୂଅ ମୂଳ ରେ ଧୁଆ ଧୋଇ ହେଲା ଆଉ ଢକଢକ କରି ପାଣି ଢାଳେ ପିଇ ଗଲା। ତା ପରେ ଗଲା ଝିଅ ପାଖକୁ। ପାଞ୍ଚ ବର୍ଷର ଛୁଆଟି ବିଚାରି ଶୋଇ ପଡିଛି ଭୋକରେ। ତାକୁ ନିଦରୁ ଉଠେଇ ବଳକା ଭାତ ତକ ବାଢ଼ିଦେଲା ଆଉ ଥକ୍କା ମାରି ବସି ପଡ଼ିଲା। ଝିଅ ଭୋକ ବିକଳ ରେ ଖାଉଥିବା ବେଳେ ତା ପଖାଳ କଂସାକୁ ଲୋଭିଲା ଆଖିରେ ଚାହିଁ ରହିଥାଏ ସାରିଆ। ତାକୁ ଲାଗୁଥାଏ ଯେମିତି ତାର ଭୋକ ଚାରିଗୁଣ ବଢି ଯାଇଛି। ପରମୁହୂର୍ତରେ ପୁଣି ନିଜକୁ ସମ୍ଭାଳି ନେଲା ଆଉ ଭାବିଲା ଏ ବେଳକ ଭୋକ ସମ୍ଭାଳି ଦେଲେ ରାତି ରେ ସାହୁ ଘର ଝିଅ ବାହାଘର। ଭଲ ହଉ ମନ୍ଦ ହଉ ଗଣ୍ଡେ ଖାଇବାକୁ ମିଳିଯିବ। ତା ପରେ ରାତି ପାହିଲେ ପୁଣି ଦେଖିବା। କାହା ଘରେ ଦି ପାଇଟି କରିଦେଲେ ଦି ପଇସା ମିଳିଯିବନି କି।
ସଞ୍ଜ ଯାଇ ରାତି ହେଲା। ବାଣ , ରୋଷଣୀ ଆଉ ବରଯାତ୍ରୀଙ୍କ ନାଚରେ ସାହୁ ଘର ଦାଣ୍ଡ କମ୍ପୁଛି। କିନ୍ତୁ ଏଥି ପ୍ରତି ନିଘା ନାହିଁ ସାରିଆର। ତାକୁ ଖାଲି ଦିଶି ଯାଉଛି ଭଳିକି ଭଳି ଖାଦ୍ୟ ଆଉ ନାକ କୁ ବାସି ଯାଉଛି ଖିରି, ପୁରି , ବେସର ଆଉ ମହୁରର ବାସ୍ନା। ବୁଢ଼ୀ ଆଉ ଝିଅ କୁ ଧରି ସାରିଆ ପହଂଚିଲା ସାହୁ ଘର ଖଳାବାଡ଼ି ରେ। ସାହୁ ଘର ମୂଲିଆ ମାନଙ୍କ ସହ ପତ୍ର ପକେଇ ଅପେକ୍ଷା କଲା ଖାଦ୍ୟ କୁ। ତା ପରେ ପେଟେ ଖାଇ ଫେରିଲା ଘରକୁ। ଆରାମ ରେ ଶୋଇ ପଡ଼ିଲା ଝିଅକୁ ଧରି। ସକାଳୁ ଉଠିଲେ ପୁଣି କାମ ଖୋଜିବାକୁ ପଡିବ।
କାଉ ର କା' ଡାକ ରେ ନିଦ ଭାଙ୍ଗିଲା ସାରିଆର। କିନ୍ତୁ ଏ କଣ? ଝିଅଟାର ଦେହ ତାତି ରେ ଖଇ ଫୁଟୁଛି। ଜର ରେ ବାଉଳି ହଉଚି ପିଲାଟା। ଛାନିଆ ରେ ଯାଇ ବୁଢ଼ୀକୁ ଉଠାଇଲା ସାରିଆ। ବୁଢ଼ୀ ଉଠି ଦେଖିଲା।ତା ପରେ ଯାଇ ବାଡି ରୁ ଗଙ୍ଗଶିଉଳି ପତ୍ର ଆଣି ଛେଚି ତା ରସକୁ ପିଆଇଦେଲା ନାତୁଣୀକୁ। ଭକଭକ ବାନ୍ତି କରି ପକେଇଲା ପିଲା ଟା। କଣ କରିବ ବିଚାରି ସାରିଆ ବୁଝି ପାରୁ ନ ଥାଏ। ପାଖରେ ଔଷଧ ପାଇଁ କାଣିକଉଡ଼ିଟିଏ ନାହିଁ। ସ୍ଵାମୀ ଛାଡି ଗଲା ଦିନ ଠାରୁ ପର ଘରେ ପାଇଟି କରି ମାଗି ଯାଚି ଚଳୁଛି। ବେଳାଏ ଖାଇଲେ ଦି ବେଳା ଉପାସ। ଅଧିକା କୋଉଠୁ ଆସିବ ଯେ ସେ ସଞ୍ଚିବ । ବାନ୍ତି କରି କରି ପିଲା ଟା ପୁଣି ଶୋଇ ଗଲାଣି।
ଆଜି କୁଆଡେ କାମ କୁ ଯାଇ ପାରିନି ସାରିଆ ଝିଅ କୁ ଛାଡି। ଝିଅ ପାଖରେ ବସି ମୁଣ୍ଡ ରେ ପାଣି ପାଟି ପକାଉଛି। ଦିନ ଯାଇ ସଞ୍ଜ ହେଲାଣି।ଭୋକ ରେ ମୁଣ୍ଡ ବୁଲେଇଲାଣି। ଘରେ ଖୁଦ ଭଜା ଗଣ୍ଡେ ଥିଲା ତାକୁ ଖାଇ ତିନି ଜଣ ଯାକ ଶୋଇବାକୁ ଗଲେ।ସାରିଆ ଆଖିରେ ନିଦ ନାହିଁ। କାଲି ରାତି ପାହିଲେ କେମିତି ଦି ପଇସା ଯୋଗାଡ କରି ଔଷଧ ଆଣିବ।
ରାତି ପାହି ସକାଳ ହେଲା।ଝିଅ ପାଖରେ ବୁଢ଼ୀକୁ ଜଗେଇ ଦେଇ ସାରିଆ ଗଲା ପ୍ରଧାନ ଘରକୁ। ପ୍ରଧାନ ଘର ବୋହୁ ର ଗୋଡ ହାତ ଧରି କାମ କରି ସବୁ ସୁଝିଦେବି ବୋଲି କାକୁତି ମିନତି କରି କିଛି ପଇସା ଧାର ଆଣି ଗଲା ଔଷଧ ଆଣିବାକୁ। ଔଷଧ ଆଣି ଝିଅ କୁ ଦି ଠିପି ଦେଇଚି କି ନାହିଁ ପୁଣି ବାନ୍ତି କରି ପକେଇଲା ପିଲା ଟା। କଣ କରିବ ବିଚାରୀ। ବାନ୍ତି କରି କରି ପିଲାଟା ମଲା ପରି ପଡ଼ିଲାଣି। ଟିକେ ବି ତାତି ଖସୁନି ଦେହରୁ। ଖରା ଲେଉଟିଲାଣି। ପାଖରେ ପଇସା ଟିଏ ନାହିଁ। ଏବେ ଆଉ ତାକୁ କିଏ କାମ ଦବ। କାଲି ଯେମିତି ହେଲେ କିଛି ବ୍ୟବସ୍ଥା କରି ଝିଅକୁ ଡାକ୍ତର ପାଖକୁ ନେବାକୁ ପଡିବ।
ରାତି ଅଧ ରେ ନିଦ ଭାଙ୍ଗିଗଲା ସାରିଆ ର। ଝର୍କା ଫାଙ୍କ ରେ ଦେଖିଲା ଜହ୍ନ ପଡିଛି। ରାତି ଆହୁରି ଦି ଘଡି ବାକି ଅଛି ବୋଧେ। ସାରିଆ ଉଠି ଝିଅ ଦେହରେ ହାତ ପକାଇଲା। ଏ କଣ, ଝିଅ ର ଦେହ ପୁରା ଥଣ୍ଡା। ମନେ ମନେ ଖୁସି ହୋଇଗଲା ସାରିଆ। ଜର ଟା ଖସିଗଲା ବୋଧେ। ପୁଣି ପର ମୁହୂର୍ତ୍ତରେ ଚମକି ପଡିଲା ନିଜକୁ ନିଜେ। ଛାତିଟା ଧଡ଼ କରି ହେଲା। ମନକୁ ପାପ ଛୁଇଁଲା। ଧିରେ ଧିରେ ହଲାଇଲା ଝିଅ କୁ। ଝିଅ ର ଛାତି ଉପରେ ମୁଣ୍ଡ ରଖି କିଛି ଜାଣିବାକୁ ଚେଷ୍ଟା କଲା। ପାଦ ତଳୁ ମାଟି ଖସିଗଲା ତାର। ତା ମୁଣ୍ଡ ଟା ବୁଲେଇ ଦଉଚି ନା ଆକାଶ ଟା ଘୁରୁଛି ତା ମୁଣ୍ଡ ଉପରେ। ତା ଛାତିରେ ଛାତିଏ କୋହ କିନ୍ତୁ ଆଖି ପୁରା ଶୁଖିଲା। କ୍ଷୁଧା ର ଯନ୍ତ୍ରଣା ସହ ଲଢ଼ି ଲଢ଼ି ହାରିଗଲା ପିଲାଟା। ତାହେଲେ ତାକୁ ଆଉ ପେଟ ଚାଖଣ୍ଡକ ପାଇଁ ପ୍ରତିମୁହୂର୍ତ୍ତରେ ସଂଗ୍ରାମ କରିବା କଣ ଦରକାର। ସେ ବି ହରିଯାଇଛି। ଛାତିଟା ଫାଟି ଯିବକି ଆଉ ତାର। ନା, ନିଜକୁ ଦମ୍ଭ କଲା ସାରିଆ।ସେ ଆଜି ମୁକ୍ତ। ସବୁ ଚିନ୍ତାରୁ ମୁକ୍ତ। ସବୁ ବନ୍ଧନରୁ ମୁକ୍ତ।
ଝିଅକୁ କାନ୍ଧରେ ପକାଇ ବାହାରି ପଡ଼ିଲା ସିଏ। ବୁଢ଼ୀ ଶୋଇଛି ବାରଣ୍ଡାରେ। ବୁଢ଼ୀକୁ ଡେଇଁ ଆଗେଇ ଚାଲିଲା ସାରିଆ। ନଈ କୁଳ ମଶାଣି ପାଖରେ ଝିଅକୁ ପକେଇ ଦେଇ ଚାଲିଲା ଆଗକୁ ଆଗକୁ। କୁଆଡେ ଯିବ ସେ ଜାଣିନି। ଆଜି ତାକୁ ଭୋକ ଲାଗୁନି। ନା ତାର ଅଛି ଜୀବନକୁ ଲୋଭ ନା ଅଛି ମୃତ୍ୟୁକୁ ଭୟ। ପଛରୁ ଶୁଭି ଯାଉଛି ବିଲୁଆ କୁକୁରଙ୍କ ରଡି। ସେମାନେ ବି କରୁଛନ୍ତି ଖାଦ୍ୟ ପାଇଁ ସଂଘର୍ଷ। ସେ ସବୁକୁ ନିଘା ନ କରି ସାରିଆ ଆଗେଇ ଚାଲିଛି ଗୋଟେ ଲକ୍ଷ୍ୟହୀନ ପଥର ପାଷାଣ ପଥିକ ସାଜି।