ଭଙ୍ଗାଇଟା
ଭଙ୍ଗାଇଟା
ହଁ.....ହଁ....ଏକ ଭଙ୍ଗାଇଟା । ବୋଧହୁଏ ଠିକ୍ ଭାବରେ ଦେଖାଯାଉନଥିଲା ରାସ୍ତା କଡକୁ ଛାମୁଣ୍ଡିଆ ଚାଳଘରଟିଏ । ଏବେ ଯେଉଁଠାରେ ଗଢିଉଠିଛି ବିଶାଲ ମେଗାମାର୍ଟ, ପାତ୍ର ଇଲେକ୍ଟ୍ରୋନିକ୍ସ, ଆଉ ଏବେ ନୂଆ ହୋଇଛି ଭି-ଟୁ ମାର୍ଟ । ବାରିପଦା ସହରର ମୁର୍ଗାବାଡି । ମୁର୍ଗାବାଡି ଗୋଲେଇ ନାଆଁରେ ବେଶ ପରିଚୟ ଥିଲା ଏହି ଅଞ୍ଚଳଟି ।ଏବେ ସେଠାରେ ଫ୍ଲାଇଅଭର କାମ ଚାଲିଛି।କାମ ସରିବା ସରିବା ହେଲାଣି । ଶୀତଦିନର କଅଁଳିଆ ଖରାରେ ଭୂଇଁରେ ବସିଛନ୍ତି କିଛି ଲୋକ ।ନାଁ... ମୁଁ ବୋଧହୁଏ ଭୁଲ କହିଲି ଭୂଇଁରେ ନୁହେଁ, ସେମାନେ ପ୍ରତ୍ୟେକ ବସିଛନ୍ତି ଏକ ଏକ ଭଙ୍ଗା ଇଟା ଉପରେ । ଗଗରାରେ ରହିଛି ପାଣି, ତାକୁ ପିଇବା ସହ ହାତ ଧୋଇବା ପାଇଁ । ବେଲା (କଂସା )ରେ ଅଛି ହାଣ୍ଡିଆ ପିଇବା ପାଇଁ ପ୍ରସ୍ତୁତ ।
ପାଖରେ ରହିଛି ଗୋଟିଏ ଭଙ୍ଗା ଟଲି । ଦିନ ଥିଲା ଏଠାରେ ଅନେକ ଟଲିଚାଳକ ମାନଙ୍କ ଥିଲା ବସଉଠା ସ୍ଥାନ।ଏହି ସ୍ଥାନରେ ରଘୁ ଖାସି ମାରୁଥିଲା ।ଖଲିରେ ମାଂସ ରଖା ହୋଇ କୁଟା ସାହାଯ୍ୟ ତାକୁ ବେଶ ଗୁଡାଇ ଦିଆ ହୋଇଥାଏ। କ୍ରମଶଃ ଟଲିର ଚଳଣି କମିଲା । ଟଲିର ସ୍ଥାନ ନେଲା ମାଲ ବୁହା ଅଟୋ । ସେହିଭଳି ସମୟରୁ ମୁକୁଳି ଯାଇ ଅଲୋଡା ହୋଇଥିବା ଏକ ଟଲିରେ ହିଁ ଏଠାକୁ ଆସିଥାଏ ହାଣ୍ଡିଆ, ପାଣିଗରା ଓ ଅନ୍ୟାନ୍ୟ । ବିକ୍ରିଚାଲେ ବଡିସକାଳ ରୁ ଦିନ ବାରଟା ପର୍ଯ୍ୟନ୍ତ । କହିବାକୁ ଗଲେ ନିସଂକୋଚରେ କୁହାଯାଇପାରା ଏହା ଏକ ହାଣ୍ଡିଆଭାଟି ।ଜଣେ ସ୍ତ୍ରୀ ଲୋକ ଏହି ନିନି ଦୋକାନଟିର ପରିଚାଳନାର ଦାୟିତ୍ୟରେ। ପିଲାବେଳୁ ସମସ୍ତଙ୍କର ଧାରଣା ସାଧାରଣତଃ ହଣ୍ଡିଆଭାଟି ମାନଙ୍କରେ କେବଳ ଛିଡାଗଞ୍ଚି ପିନ୍ଧିଥିବା ମୂଲିଆ, ନାଲି ରଙ୍ଗଛଡା ଗାମୁଛାରେ ଝାଳପୁଛୁଥିବା ଟଲିବାଲା। ଆଉ ପିଠିରେ ସିମେଣ୍ଟବସ୍ତା ବହୁଥିବା ମୁଟିଆମାନଙ୍କର ସାମୟିକ ବିଶ୍ରାମ ସହ ସମସ୍ତଙ୍କର ଗୋଟିଏ ସ୍ଥାନରେ ଏକଜୁଟ ହୋଇ ଆଳାପ କରିବାର ଏକ ନିଆରା ସ୍ଥାନ । ରାସ୍ତାରେ ଗଲାବେଳେ ଏପଟକୁ କେହିବି ଦୃଷ୍ଟି ଦିଅନ୍ତି ନାହିଁ । ବରଂ ଭୁଲବଶତଃ ଯଦି ଆଖି ଆପେ ଆପେ ଚାହିଁଦେବାର ଉପକ୍ରମ କରେ ତେବେ ସମ୍ମାନ ଚାଲିଯିବା ଭୟରେ ରାସ୍ତାରେ ଗାଡିର ଗତି ବଢାଇ ଦେଇଥାନ୍ତି। ସେହିଦିନଠାରୁ କିନ୍ତୁ ସବୁ ଓଲଟା ..ସବୁ ବିପରୀତ...ଯେଉଁମାନେ ଦିନେ ସେପଟକୁ ଚାହୁଁନଥିଲେ ସେମାନଙ୍କର ଏବେ ଚାହିଁବାରେ ଅସୁବିଧା ନାହିଁ । ଏବେ ଚାହିଁଲେ ଆଉ ସମ୍ମାନ ଯିବାର ଭୟ ନାହିଁ । ଆଖି ମଧ୍ୟ ବେଶ୍ ସେଆଡକୁ ଆପେ ଆପେ ଚାଲିଯାଉଛି ପରବା ନାହିଁ। ସେଇ ଭଙ୍ଗାଇଟା ଯେଉଁ ଭଙ୍ଗା ଇଟା କଥା ମୁଁ ପ୍ରଥମରୁ କହିଛି । ଭଙ୍ଗଇଟା ଉପରେ ବସିଛି ମାଙ୍କଡ ।ଏ ମାଙ୍କଡ ସେ ମାଙ୍କଡ ନୁହେଁ ଯେଉଁ ମାଙ୍କଡ କଥା ଭାବୁଛନ୍ତି। ଏ ମାଙ୍କଡ ଜଣେ ଟ୍ରକକୁଲି ।ଡାକ ନାମ ତାର ମାଙ୍କଡ।କିଏ ତାର ନାମ ଦେଇଥିଲା ଜାଣିନି ।ମାଙ୍କଡର ବୟସ ତେଇଶି ପାଖାପାଖି ହେବ। କେତେବେଳେ ଟ୍ରକରୁ ସିମେଣ୍ଟବସ୍ତା ବହେ ତ କେତେବେଳେ 'ଇଟା'।
ସୁଟସାଟ୍ ପିନ୍ଧା ଯୁବକ । ହୋଇପାରେ ସେ ପେଣ୍ଟସାର୍ଟରେ ଇଟା ଗୁଣ୍ଡ, ସିମେଣ୍ଟ ଗୁଣ୍ଡ ପଡିଛି । ସବୁଦିନ ପରି ଆଜି ବି ମାଙ୍କଡ ହାଣ୍ଡିଆ ପିଇବ । ନିଶା କରିବ । ଆଉ ମସ୍ଗୁଲ ହେବ । ମାଙ୍କଡ ବରାତ୍ କରିଛି ହଣ୍ଡିଆ । ବରାତ୍ କରିଛି ଚାଖଣା । ଆଜି ମାଙ୍କଡର ମନବହୁତ ଖୁସି । ବାପ ମଲା ବେଳକୁ ସେ ମାତ୍ର ବାର ବର୍ଷର ହୋଇଥିଲା । ବାପା ତା'ର ବଳଦ ଗାଡି ଟାଣୁଥିଲା ଲୋକମାନଙ୍କର ବରାତ୍ ମୁତାବକ ବାଲି ଇଟା ଆସୁଥିଲା ମନୁକାର ସେହି ବଳଦଗାଡିରେ । ମନୁକାର ବଳଦଗାଡ଼ିରେ ଯେତେବେଳେ ବାଲି ଟଣା ହୋଇଆସେ ସେତେବେଳେ ଛୋଟ ଛୋଟ ପିଲାମାନେ ତା’ରି ଗାଡିର ପଛପଟେରେ ହିଁ ଝୁଲିଥାନ୍ତି । ମୁନକା କିଛି କହେନି କାରଣ ସେ ପିଲାମାନଙ୍କୁ ଭଲପାଏ । ମନୁକାର ଦୁଇ ପୁଅ ଗୋଟିଏ ଝିଅ । ବଡପୁଅ ଅଜୟ । ସାନପୁଅ ସଞ୍ଜୟ । ଝିଅ ବାସନ୍ତି ।ବଡପୁଅ ଭୁବନେଶ୍ଵରରେ ଚାକିରି କରେ । ରାଜ୍ୟ ସଚିବାଳୟରେ ଅଫିସର । ବାଣିଜ୍ୟ ଓ ପରିବହନ ବିଭାଗରେ । ଥରେ ଦେଖିଥିଲି ସଚିବାଳୟ ପଛପଟକୁ ଥିବା ଠେଲାରେ ବିକ୍ରିହେଉଥିବା ଜଳଖିଆ ଦୋକାନରେ । ମୋତେ ସେ ଚିହ୍ନିପାରି ନାହାନ୍ତି । ପୁରା ଭୁବନେଶ୍ୱରିଆ କାଇଦାରେ କଥାବାର୍ତ୍ତା । ପୁରୀ ଘୁଘୁନି ଖାଇ ଭାଇ ପଚାରୁଛନ୍ତି ଭାଇନା ତାଡିଆ ଭଲ ହେବ ?ଦୋକାନୀ କହିଲା -ଆଜ୍ଞ। . ଭାଇ ତାଡିଆ ଖାଇସାରି ସଚିବାଳୟର
ପଛପଟ ଗେଟରେ ଚାଲିଗଲେ ମୁଁ ଚାହିଁ ରହିଥାଏ ଭାଇଙ୍କ ଯିବା ବାଟକୁ । ଗାଁ ଘରକୁ ଆସନ୍ତି ନାହଁୟ । ବାପା ମଲାବେଳେ ଆସିଥିଲେ ଯେ ମୁଖାଗ୍ନି କେବଳ ସମ୍ମାନ ଚାଲିଯିବା ଭୟରେ ସାହିଭାଇଙ୍କ କହିବା ଅନୁଯାଇ ଦେଲେ। ଲଣ୍ଡା ହେଲେ ।ବହୁକଷ୍ଟରେ ରହି ଦଶାହ ଏକାଦଶାହ କର୍ମ ସାରି ଯାଇଛନ୍ତି ଯେ ଆଜକୁ ଚାରିବର୍ଷ ହେବ ଆଉ ଗାଁ ମାଟି ମାଡିନାହାନ୍ତି । ଘରେ ଅବିବାହିତ ଭଉଣୀ ବାସନ୍ତିର କଥା ବୁଝୁଛି କିଏ ?ଆଉ ମାଙ୍କଡ ?ତା’ର କଣ ଅଛି କେତେବେଳେ ଆସେ ଯାଏ ତାର ଖବର କିଏ ରଖୁଛି । ମାଙ୍କଡର ଦିନ- ରାତି, ଆଲୋକ-ଅନ୍ଧାର, ଜୀବିକା - ଜୀବନଧାରାରେ ଆସେନାହିଁ ପରିବର୍ତ୍ତନ । ଅପହଞ୍ଚ ହୋଇପଡେ ଭାଗ୍ୟ ଭବିତବ୍ୟ । କ୍ଷୁଧାର ଜ୍ଵାଳାରେ ସଅଁପୁଥିବା ଏହି ହତଭାଗ୍ୟଙ୍କ ପାଇଁ ଯଶକୀର୍ତ୍ତି ଖାଲି ଏକ ଘଟଣା । ସମ୍ମାନରେ ପୁରେ ନାହିଁ ପେଟ'....ଅନ୍ତ ହୁଏନାହିଁ ସଂଘର୍ଷର ବାଟ । ଭେଟିବାକୁ ହୁଏ ସଂଘର୍ଷକୁ ବାରମ୍ବାର । ଯଶକୀର୍ତ୍ତର ସୋପାନରେ ପହଞ୍ଚିଥିବା ମାଙ୍କଡ ଭଉଣୀ ବାସନ୍ତୀର ବିବାହ କରେଇଛି ।
