Nityananda Nandi

Tragedy

3.4  

Nityananda Nandi

Tragedy

ଭଙ୍ଗା ଚଷମା

ଭଙ୍ଗା ଚଷମା

5 mins
233


 


ଚପଳମତି ମନଟା ! ବାଡବତା ଦେଇ ଅଟକେଇ ହୁଅନ୍ତାକି !!

ଗୋପାଳ ବାବୁ ନିଜ ଦେହ ସାଥିରେ ବାନ୍ଧି ରଖନ୍ତେ ମନଟିକୁ। ମନ କିନ୍ତୁ ଯାଇ ଲାଖି ରହିଛି ସାଙ୍ଗ ପାଖରେ...

ଭାରି କଷ୍ଟ ପାଉଛନ୍ତି କେତେଦିନ ହେଲାଣି, ଏଇଥି ପାଇଁ ବୋଧେ ମାସେରୁ ଅଧିକ ହେବ ସେ ଯାଇ ପାରୁ ନାହାନ୍ତି ବାଲ୍ୟବନ୍ଧୁ ବ୍ରଜ ବାବୁଙ୍କ ଘରକୁ।

ରାଜନୀତିକୁ କେନ୍ଦ୍ର କରି ବିଷ୍ଣୁପୁର ଗାଆଁଟି ଦୁଇଭାଗରେ ବାଣ୍ଟି ହୋଇ ଯାଇଛି। ମଝିରେ ସୀମାରେଖା। ନିଆଁ ପାଣି ବନ୍ଦ। ନା ଏ ପାଖ ଲୋକ ସେ ପଟକୁ ଯାଆନ୍ତି, ନା ସେପଟ ଲୋକ ଆସନ୍ତି ଏ ପାଖକୁ। ରାଜପଥକୁ ଯିବା ପାଇଁ ଦୁଇ ପାଖରୁ ରାସ୍ତା ଅଛି ବୋଲି କେହି କାହା ଉପରେ ନିର୍ଭର କରିବା ପ୍ରଶ୍ନ ଉଠୁନି।

ଗ୍ରାମ୍ୟ ବିବାଦର ଶିକାର ହୋଇଛନ୍ତି ଦୁଇ ସାଙ୍ଗ ଗୋପାଳ ଓ ବ୍ରଜ ବାବୁ। ଏଇ ପରିଣତ ବୟସରେ ଏମିତି ଚୁପଚାପ୍ ହୋଇ ରହିବା କଷ୍ଟସାଧ୍ୟ, ଉଭୟଙ୍କ ପାଇଁ। 

ବ୍ରଜମୋହନ ବାବୁଙ୍କ ଦୋତଲା ଘର। ଦୁଇ ପୁଅ ଆମେରିକାରେ। ଆୟା ଭୋର ସକାଳୁ ଆସେ। ରାତି ନ'ଟା ପର୍ଯ୍ୟନ୍ତ ରହେ ବ୍ରଜ ବାବୁଙ୍କ ଘରେ। ଗୋପାଳ ବାବୁ ସକାଳୁ ସଞ୍ଜ ଯାଏ ପ୍ରାୟ ତାଙ୍କ ଘରେ ହିଁ ବସନ୍ତି। ହୁକା, ନାଲି ଚା, ବିସ୍କୁଟ ଓ ଦେଶ ରାଜନୀତି ରେ ସମୟ କେମିତି କାଟି ଯାଉଥିଲା, ଜଣା ପଡୁ ନ ଥିଲା ଉଭୟଙ୍କୁ।


ଗୋପାଳ ବାବୁଙ୍କ ପୁଅ ଆସନ୍ତା ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ବୋଲି ବାପାଙ୍କ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି ସେ ବ୍ରଜ ବାବୁଙ୍କ ସହିତ ଆଦୌ ଯୋଗାଯୋଗ ରଖିବେ ନାହିଁ। ତାଙ୍କ ପାଇଁ ଗାଆଁର ଏ ପାର୍ଶ୍ୱରେ ବିବାଦ ସୃଷ୍ଟି ନ ହେଉ, ପୁଅର ଏକମାତ୍ର ଲକ୍ଷ୍ୟ। ଏପରିକି ନାତି ନାତୁଣୀ ତାଙ୍କ ଫୋନ ଉପରେ ନଜର ରଖନ୍ତି। ବ୍ରଜ ବାବୁଙ୍କ ସହିତ ସେ କଥା ବାର୍ତ୍ତା କରୁ ନାହାନ୍ତି ତ ! ମୋବାଇଲରେ କିଛି ଶବ୍ଦ ହେଲେ କିଏ ନା କିଏ ଜଣେ ମୋବାଇଲ୍ ଉପରେ ଆଖି ପକାଇ ଦେଖନ୍ତି। କୋଉଠୁ କଣ ଆସିଲା ??


ଶୈଶବର ସେଇ କେତେ ଦିନ ବାଦ୍ ଦେଲେ ଜୀବନଟା ସବୁବେଳେ ଅସମ୍ପୂର୍ଣ୍ଣ ଲାଗେ। କିଛି ନା କିଛି ଅଭାବ ଲାଗିରହେ। କେତେବେଳେ କିଛି ଧନ ସମ୍ପତ୍ତି, ସାମର୍ଥ୍ୟ ତ ଆଉ କେତେବେଳେ ସ୍ନେହ ଆଉ ମମତା। କେତେବେଳେ ସ୍ତ୍ରୀ ତ କେତେବେଳେ ସାଙ୍ଗର ଆବଶ୍ୟକତା.. ପରିଣତ ବୟସରେ ଶେଷ ଆବଶ୍ୟକତା ଜଣେ ହିତାକାଙ୍କ୍ଷୀ ସାଙ୍ଗ ଯଦି ନ ମିଳେ ତେବେ ଅବଶିଷ୍ଟ ଜୀବନ ଜର୍ଜରିତ ହୁଏ, ନା ସମୟ କୁ କିଛି ଫରକ୍ ପଡେ ନା ଆଉ କାହାକୁ....


ବ୍ରଜ ବାବୁଙ୍କୁ ବି ଏକାକୀ ରହିବା, କଠୋର ତପସ୍ୟା ସହିତ ସମାନ, ଏ ବୟସରେ । ବ୍ରଜ ବାବୁଙ୍କ ଘରକୁ ଯିବା ବନ୍ଦ ହୋଇଯିବା ପରଠୁ, ସ୍ତ୍ରୀ ଝରଣାଙ୍କ କଥା ବହୁତ ମନେ ପକାନ୍ତି ଗୋପାଳ ବାବୁ। ଏଇ ବୟସରେ ପୁଅ, ବୋହୂ, ନାତି ନାତୁଣୀଙ୍କ ଆକଟ ଅସହ୍ୟ ହୋଇପଡିଛି ତାଙ୍କ ପାଇଁ। ମନ କଥା ମନରେ ଜନ୍ମ ନେଇ ମରିଯାଏ ମନ ଭିତରେ, କହିବେ କାହାକୁ। ଶୁଣିବ ବା କିଏ ? 

ମୟୁରୀର ଅନୁପସ୍ଥିତିରେ ମୟୁର କିନ୍ତୁ ନାଚି ପାରେ, କିଛି ବିରହର ଯନ୍ତ୍ରଣା କୁ ଭୁଲିବା ପାଇଁ ତ ଆଉ କିଛି ପ୍ରକୃତି ର ଆବାହନ ପାଇଁ। ମଣିଷ କିନ୍ତୁ ଅଲଗା । ବିରହ, ଘୁଣ ପୋକ ପରି ମନଟାକୁ କାବୁ କରି ନିଏ। କ୍ଳାନ୍ତଶ୍ରାନ୍ତ ମନର ଅବଶେଷ ଜୀବାଶ୍ମ ପାଲଟି ଯାଏ ମୃତ୍ୟୁର ଅନେକ ଆଗରୁ। ଗୋଟାଏ ଜାଗାରେ ବସି ରହି ଆକାଶକୁ ଅନେଇ ରହିବା ବ୍ୟତୀତ କିଛି ବିକଳ୍ପ ନ ଥିଲା ଗୋପାଳ ବାବୁଙ୍କ ପାଖରେ  


ହଠାତ ଦିନେ ପିଲା ଦିନର କୌତିକିଆ କଥା ସବୁ ମନେ ପଡ଼ିଲା। ଆର୍ମ ଚେୟାର ଉପରେ ବସି ଆଖି ବନ୍ଦ କରି ଭାବୁଥିଲେ ସେ ସମୟର ସବୁ କଥା।

ପ୍ରଥମ ଶ୍ରେଣୀରେ ଆମ ଦୁହେଁ ପଢ଼ୁଥାଉ। ଚକ୍ ଖଡ଼ି ପାଇଁ ଝଗଡା ଲାଗିଲା। ମୁଁ ରାଗି ଯାଇ ତା ମାଟି ସିଲଟ ଉପରେ ଛିଡା ହୋଇ ପଡିଲି। ସେ ଛିଡା ହୋଇ ପଡ଼ିଲା ମୋ ସିଲଟ ଉପରେ। ଦୁଇଟି ଯାକ ସିଲଟ ଚୁରମାର। ତା ପରେ ଗୃହଯୁଦ୍ଧ, ତା ବାପା ମା ଆସି ଝଗଡା କଲେ ମୋ ବୋଉ ସହିତ। ବାପା ସ୍କୁଲ ଯାଇ ଥାଆନ୍ତି। ବୋଉ ଘରେ ଏକା ଥାଏ। 

ପନ୍ଦର ଦିନ ଆମେ କେହି କାହା ସାଥିରେ କଥା ହେଲୁନାହିଁ। ତା ପରେ ଅଚାନକ ଦିନେ ସେ ମୋତେ କୁଣ୍ଢେଇ ପକେଇଲା ଖେଳ ପଡ଼ିଆରେ, ସେଇ ଦିନଠୁ ଆଜି ପର୍ଯ୍ୟନ୍ତ ଆମେ କେହି କାହାକୁ ନ ଦେଖିଲେ ରହି ପାରୁନା। 

ଆଖି ଖୋଲିଲେ ଗୋପାଳ ବାବୁ।

ଆଖିରୁ ଲୁହ ନିଗିଡ଼ି ଆସିବା ଆଗରୁ ନିଜକୁ ନିୟନ୍ତ୍ରଣ କରିନେଲେ ଗୋପାଳ ବାବୁ। ଲୁହ ଉପରେ ତ ନିଜସ୍ଵ ଅଧିକାର ଥାଏ, ତଥାପି ବେଳେ ବେଳେ ଲାଗେ କାହିଁକି ନିଜକୁ ନିୟନ୍ତ୍ରଣ କରି ନେବା ହିଁ ଭଲ। ଅତି ନିଜର କିଏ ଆଉ ଅଛି ଯେ ଲୁହ ଦେଖି ସମବେଦନା ଜ୍ଞାପନ କରିବ !

ଗୁଳୁଗୁଳି ପଡ଼ିଥାଏ। ବୋହୂ ନାତି ନାତୁଣୀ ଙ୍କୁ ନେଇ ବାପାଙ୍କ ଘରକୁ ଯାଇ ଥାଆନ୍ତି। ଭୋଟ ପ୍ରଚାର ଆଜି ସରି ଯାଇଛି। ପୁଅ କ୍ଳାନ୍ତ ହୋଇ ଛାତ ଉପରେ ବିଛଣା ପାରି ଶୋଇ ଯାଇଥାଏ ନିଘୋଡ଼ ନିଦରେ। ମୋବାଇଲରେ ଗୋଟେ ମେସେଜ ଆସିବାର ଶବ୍ଦ ଆସିଲା। ଆଜି ଆଉ ତାଗିଦ୍ କରିବା ପାଇଁ କେହି ନାହାନ୍ତି ।

ଚଷମା ପିନ୍ଧି ବଡ ବଡ ଆଖି କରି ୱାଟ ସାପ ଖୋଲି ଦେଖିଲେ। ଏଁ, ବ୍ରଜ..

କଣ ଲେଖିଛି ଦେଖି ???


ଚ**"mm bbhsnnf ଲା

ଆୟା, କୋ*"; ସ*&" ରkjjj ଯାiii, ପାyy nni। ଭାrrri ssn ନିଃsswa""* kaaagucci। ଏସ"*"byy tuକେ


ବ୍ରଜ ପାଗଳ ହୋଇଗଲା ନା କଣ, ଆଜେ ବାଜେ ଲେଖିଛି।

ଚ ଲେଖି ଆରମ୍ଭ କରିଛି ମାନେ ଚଷମା ଭାଙ୍ଗିଗଲା କି ??? ବିନା ଚଷମା ରେ ସେ କିଛି ଦେଖି ପାରେନି। ଅନୁମାନ କରି ଟାଇପ କରିଛି ବୋଧେ...

ଔଷଧ ଖାଇବାରେ ଅସୁବିଧା ହେଲା କି ??????


ରାତି ନଅଟା ତିରିଶ ! ସିଡି ପାଖକୁ ଯାଇ କାନ ଡେରିଲେ ଗୋପାଳ ବାବୁ। ପୁଅର ନାକ ଡାକୁଛି। ମଥାରେ ଗାମୁଛା ପଗଡ଼ି ଲଗାଇ ଘର ପଛ ଦ୍ଵାରକୁ ଆସ୍ତେ ଖୋଲି ବାହାରି ଗଲେ ଗୋପାଳ ବାବୁ। ରାତି ହେଲେ ଗାଆଁରେ ଲୋକଙ୍କ ଚଳ ପ୍ରଚଳ କମିଯାଏ। କେତେ ଆଉ ରାସ୍ତା, ଡାକେ ଦୂରରେ ବ୍ରଜ ବାବୁଙ୍କ ଘର।

ଘର ଖୋଲା ଥିଲା, ପଶିଗଲେ ଗୋପାଳ ବାବୁ। ଚଷମା ତଳେ ପଡ଼ି ଚୁର ମାର। ଚେୟାର ଉପରେ ବସି ହାଇଁ ପାଇଁ ହେଉଥାନ୍ତି ବ୍ରଜ ବାବୁ। ଆସ୍ଥମା ସ୍ପ୍ରେ କୁ ଆୟା ଟେବୁଲ୍ ଉପରେ ନ ରଖି ଖଟ ଉପରେ ଥୋଇ ଦେଇ ଯାଇଛି। ଗୋପାଳ ବାବୁ ସ୍ପ୍ରେ ଧରେଇଦେଲେ। ପାଟି ଭିତରକୁ ସ୍ପ୍ରେ କଲେ ବ୍ରଜ ବାବୁ। 

ଓ ଓ ଓ...ଧୀରେ ଧୀରେ ଆଶ୍ବସ୍ତ ହେଲେ। ଖନେଇ ଖନେଇ ପଚାରିଲେ

ଗୋପାଳ ଭଲରେ ଅଛୁ ତ ????

ଗୋପାଳ ବାବୁଙ୍କ ଆଖିରୁ ଦୁଇ ଟୋପା ଲୁହ ନିଗିଡ଼ି ଆସିଲା

ଆଉ ଦିନେ ସବୁ କଥା ହେବା, ତେଣେ ପୁଅ ମୋତେ ଖୋଜିବ। 

ହଁ, ତୁ ମୋ ଚଷମା ରଖ୍..

ତୁ କଣ କରିବୁ....??? ବ୍ରଜ ବାବୁ କହିଲେ।

ମୋର ସେମିତି ସମସ୍ୟା ନାହିଁ, ଦୁଇ ଚାରିଦିନ ଖବର କାଗଜ ନ ପଢ଼ିଲେ କଣ ଚଳିବନି !! 

ଚଷମା ପିନ୍ଧେଇ ଦେଇ ପଚାରିଲେ ଦେଖା ଯାଉଛି ନା ??

ହଁ ଭରୁ ଭରୁ ଆଖି ଛଳ ଛଳ ହୋଇ ଉଠିଲା ବ୍ରଜ ବାବୁଙ୍କର। ଅସୁବିଧା ହେଲେ କିଛି ଗୋଟାଏ ଲେଖି ୱାଟସପ କରିବୁ, ମୁଁ ଜାଣିବି , ତୁ ଅସୁବିଧାରେ ପଡ଼ିଛୁ। ଯେମିତି ହେଲେ ଆସିବି, ପୃଥିବୀ ପ୍ରଳୟ ହୋଇଗଲେ ବି !!! ଏଇ ଯେମିତି ଆଜି ଆସିଲି।

କବାଟକୁ ଆସ୍ତେ ବନ୍ଦ କରି ବାହାରି ଆସିଲେ ଗୋପାଳ ବାବୁ।

ପଛ ଦ୍ଵାର ଦେଇ ନିଜ ଘରକୁ ପଶି ଶୋଇଗଲେ ସେ।


ଦିନକ ପରେ ପୁଅ ଶ୍ରୀଧର ଆସି ଗୋପାଳ ବାବୁଙ୍କୁ କୁଣ୍ଢେଇ କହିଲା, ଶେଷ ମୁହୂର୍ତ୍ତରେ ଆର ପାଖ ଗାଆଁ ଲୋକ ମୋତେ ଭୋଟ ଦେବାକୁ ରାଜି ହେଲେ। ମୋ ଜିତିବାଟା ସୁନିଶ୍ଚିତ ବାପା। ମୋତେ ଆଶୀର୍ବାଦ କର। ଖବର କାଗଜରେ ବାହାରିଛି ଦେଖ। 

ବାପା ପଢ଼ିନ ଏ ଯାଏଁ .......ଖବରକାଗଜ !!!

ଏଁ, ତମ ଚଷମା

ଆଖି ବଡ କରି ଆଉଳି ବାଉଳି ହେଲେ,

ନା ମିଛ କହିଲେ, ନା ସତ। ଗୋଟାଏ ଅର୍ଦ୍ଧ ସତ୍ୟ ବାହାନାରେ ପାରି ପାଇଗଲେ ଗୋପାଳ ବାବୁ।

କିଛି ଚିନ୍ତା କରନି ବାପା, ଏମିତି ଭୁଲ ଭଟକା ହୁଏ। କାଲି ବଜାରକୁ ଗଲେ ତମପାଇଁ ଚଷମା ନେଇ ଆସିବି। 

ମେଘ ଓହରି ଯାଇ ଫର୍ଶା ଦେଖା ଯାଉଥିଲା ଆକାଶଟା । ସାହାନାଇର ମଧୁର ଶବ୍ଦ ଆସି ଗୁଞ୍ଜୁଥିଲା ଗୋପାଳ ବାବୁଙ୍କ କାନ ପାଖରେ, ବୋଧେ ପାଖ ଗାଆଁର କୋଉ ଏକ ବିବାହ ବେଦୀରୁ, ସବୁ ଖୁସି କଥା ଏକ ସମୟରେ। ଦୁଇ ମାସର ଦୁଃଖ ସବୁ ଅସଂଖ୍ୟ ପାଦ ଚିହ୍ନ ଛାଡି ବିଦାୟ ନେଉଥିଲା ମାନସପଟରୁ। 

ଆଜିଠୁ ଆଉ ଆକଟ ନାହିଁ, ନିର୍ଭୟରେ ଯିବେ ସେ ବ୍ରଜ ବାବୁଙ୍କ ଘରକୁ। ମନରେ ଆଜି ଖୁସିର ସୀମା ନାହିଁ ! ସାରା ପୃଥିବୀଟା ଆଜି ତାଙ୍କ ହାତ ପାଆନ୍ତାରେ....


Rate this content
Log in

Similar oriya story from Tragedy