ଭକ୍ତ ରଘୁ ଅରକ୍ଷିତଙ୍କ କଥା
ଭକ୍ତ ରଘୁ ଅରକ୍ଷିତଙ୍କ କଥା
ବଙ୍ଗ ଦେଶର ହରିପୁର ସହର । ସେ ସହରରେ ବାସକରୁଥିଲେ କୁବେରପ୍ରାୟ ଧନୀ ଶ୍ରୀକୃଷ୍ଣଚନ୍ଦ୍ର ମହାପାତ୍ର । ତାଙ୍କ ପତ୍ନୀଙ୍କ ନାମ ଥିଲା, କମଳା । କାଳ କ୍ରମେ ତାଙ୍କର ପୁଅଟିଏ ଜନ୍ମହେଲା । ନାମ ତାହାର ରଖା ଗଲା ରଘୁ । ଅଚଳାଚଳ ସମ୍ପତ୍ତିର ପ୍ରାଚୁର୍ଯ୍ୟ ମଧ୍ୟରେ ବଢ଼ି, ରଘୁ କ୍ରମେ ଯୌବନରେ ଉପନୀତ ହେଲେ । ରଘୁଙ୍କୁ ଷୋଳ ବର୍ଷ ବୟସ ହୋଇଥାଏ ପିତା ମାତା ତାଙ୍କର ବିବାହ କରାଇ ଦେଲେ ବଙ୍ଗର କଳାବତି ପୁରର ଧନୀକ କରଣ ଗଙ୍ଗାଧର କରଣଙ୍କ ଝିଅ ଅନ୍ନପୂର୍ଣ୍ଣାଙ୍କ ସହ ।
ମାତ୍ର ରଘୁଙ୍କୁ ଭାଗ୍ୟ ସହିଲାନାହିଁ । ଧିରେ ଧୀରେ ତାଙ୍କ ପିତାଙ୍କ ଅଚଳାଚଳ ସମ୍ପତ୍ତି କ୍ଷୟ ହେବାକୁ ବସିଲା । ଚିନ୍ତାରେ ପିତା ସ୍ୱର୍ଗ ବାସୀ ହେଲେ ଓ ମାଆ ଚିତାରେ ଝାସଦେଲେ । ଦାରିଦ୍ର୍ୟ ଭିତରେ ପେଷିହୋଇ ରଘୁ ହୋଇଗଲେ ଅରକ୍ଷିତ । ପେଟ ପୋଷିବାପାଇଁ ଦ୍ଵାର ଦ୍ଵାର ବୁଲି ଭିକ୍ଷା ମାଗିଲେ । ଦୁଃଖ ତାଙ୍କର କହିଲେ ନସରେ ।
ଏମିତି କାଳ କଟୁଥାଏ । ଦିନେ ରଘୁ ଚିନ୍ତା କଲେ, ଲୋକେ କହନ୍ତି," ଅରକ୍ଷିତକୁ ଦଇବ ସାହା । ମୁଁ ଆଉ କେତେ କଷ୍ଟ ସହିବି । ଯାଉଛି ନିରାଶ୍ରୟର ଆଶ୍ରୟ, ସେହି ପ୍ରଭୁଙ୍କ ଶରଣ ପଶିବି । ଏଠାରେ ମୋର ଆଉ କୌଣସି କାର୍ଯ୍ୟନାହିଁ, ଏବେ ଯାଉଛି ମୁଁ ଶ୍ରୀକ୍ଷେତ୍ର ଚାଲିଯିବି । ସେଇଠି ରହି ମହାପ୍ରଭୁ ଜଗନ୍ନାଥଙ୍କୁ ମୋ ଦୁଃଖ ଜଣାଇବି । ତାଙ୍କରି ଛଡ଼ା ତୁଳସୀ ମହାପ୍ରସାଦ ପାଇ ଦିନ କାଟିଦେବି" । ଏହାବିଚାରି ରଘୁ ପଦବ୍ରଜରେ ଶ୍ରୀକ୍ଷେତ୍ର ବାହାରି ପଡ଼ିଲେ । କିଛି ଦିନର ପଥଶ୍ରମ ପରେ ସେ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଲେ । ମହାପ୍ରଭୁଙ୍କ ପଦ୍ମ ମୁଖ ଦର୍ଶନକରି ସେ ଅଶେଷ ତୃପ୍ତି ଲାଭ କଲେ ଏବଂ ତାଙ୍କୁ ଦୁଃଖଜଣାଇ ମହାପ୍ରସାଦ ଭିକ୍ଷାକରି କାଳ କାଟିଲେ । ଜୀର୍ଣ୍ଣ ବାସ ହେଲା ତାଙ୍କ ପିନ୍ଧା ବସ୍ତ୍ର । ମଠ ବାରଣ୍ଡା ହେଲା ତାଙ୍କ ଆଶ୍ରୟ ।
ଦିନେ କିଛି ଲୋକ ରଘୁ ଅରକ୍ଷିତଙ୍କ ଶ୍ଵଶୁର ଘର ଅଞ୍ଚଳରୁ ଶ୍ରୀକ୍ଷେତ୍ର ଆସି, ତାଙ୍କର ଏପରି ହିନସ୍ଥା ଦେଖିଲେ । ସେମାନେ ଫେରି ଯାଇ ଶ୍ରୀକ୍ଷେତ୍ରରେ ରଘୁ ମାଗି ଖିଆ ଅରକ୍ଷିତ ହୋଇ ବୁଲୁଛି ବୋଲି ତାଙ୍କ ଶ୍ବଶୁରଙ୍କୁ କହିଲେ । ତାଙ୍କ ଜ୍ବାଇଁ ମାଗିଖିଆ ହୋଇ ବୁଲୁଛି ଏକଥା ଧନୀ ମାନି ଶ୍ଵଶୁରଙ୍କୁ ବଡ଼ ବାଧିଲା । ରଘୁଙ୍କ ଅନୁପସ୍ଥିତିରେ ସେ ସ୍ଥିର କଲେ ଝିଅ ଅନ୍ନପୂର୍ଣ୍ଣାକୁ ଅନ୍ୟତ୍ର ବାହା କରାଇ ଦେବେ । ସେ ବାସୁ ମହାପାତ୍ରଙ୍କ ପୁଅକୁ ଜ୍ବାଇଁ କରିବାପାଇଁ ମନସ୍ଥ କଲେ ।
ପତିପ୍ରାଣା ଝିଅ ଅନ୍ନପୂର୍ଣ୍ଣା ଏକଥା ଜାଣିପାରିଲେ । ତାଙ୍କ ଅନ୍ତରାତ୍ମା କାନ୍ଦି ଉଠିଲା । ସେ ମହାପ୍ରଭୁଙ୍କୁ କାତର ପ୍ରାର୍ଥନାକଲେ, ହେ ପ୍ରଭୁ ଦ୍ରୌପଦୀ ଲଜ୍ଜା ନିବାରଣ, ହେ ପ୍ରଭୁ ଗଜ ଉଦ୍ଧାରଣ, ହେ ମୃଗୁଣୀ ଉଦ୍ଧାର କାରୀ, ମୋତେ ଏ ବିପଦରୁ ରକ୍ଷା କର । ମୋତେ ମୋ ପତିଙ୍କସହ ଭେଟ କରାଇ ଦିଅ, ନ ହେଲେ ମୁଁ ନିଶ୍ଚୟ ପ୍ରାଣହାରିବି । ଏହି ସମୟରେ କିଛି ଲୋକ ସେ ଅଞ୍ଚଳରୁ ଶ୍ରୀକ୍ଷେତ୍ର ଆସୁ ଥାନ୍ତି । ସେମାନଙ୍କ ହାତରେ ଅନ୍ନପୂର୍ଣ୍ଣା ଚିଠିଟିଏ ରଘୁଙ୍କ ପାଖକୁ ପଠାଇଲେ," ଦଶଦିନ ମଧ୍ୟରେ ମୋତେ ଆସି ଭେଟ କର " । ଯାତ୍ରୀମାନେ ଶ୍ରୀକ୍ଷେତ୍ରରେ ପହଞ୍ଚି ରଘୁ ଅରକ୍ଷିତକୁ ସିଂହଦ୍ୱାର ଠାରେ ଠାବ କରି ପତ୍ନୀଙ୍କ ଚିଠିଟି ବଢ଼ାଇ ଦେଲେ । ଚିଠି ପଢ଼ି ରଘୁଙ୍କ ଆଖିରୁ ଗଡ଼ିପଡ଼ିଲା ଯୁଗପତ୍ ଅଶ୍ରୁ । ସେ ଭାବିଲେ, ଆହା, ବିଚାରି ଅନ୍ନପୂର୍ଣ୍ଣା ! କି କଷ୍ଟରେ ନ ଥିବ ସତେ । ମୋତେ କଣ୍ଟ ଦେଇଛି, ଦଶଦିନ ଭିତରେ ଦେଖାକରିବା ପାଇଁ । କିନ୍ତୁ ଏଠାରୁ ବଙ୍ଗ ଦେଶ ତ ଗୋଟିଏ ମାସର ଯାତ୍ରା । ଆଉ ଉପାୟ ନପାଇ ସେ ମହାପ୍ରଭୁଙ୍କୁ ଦୁଃଖ ଜଣାଇଲେ:-
ମୋର ସଙ୍କଟ ନିବାରଣେ ।
ତୁମ୍ଭହୁଁ ନାହିଁ ଅନ୍ୟ ଜଣେ ।।
ମହାପ୍ରଭୁ ଭକ୍ତର ବେଦନା ଶୁଣିଲେ । ନିଦ୍ରିତ ଥିବା ଅବସ୍ଥାରେ ଗୋଟିଏ ବେତାଳ ସାହାଯ୍ୟରେ ତାଙ୍କୁ ନେଇ ରାତା ରାତି ପହଞ୍ଚାଇ ଦେଲେ ଶଶୁର ଘର ଦ୍ଵାର ଅଗରେ । ପର ଦିନ ସକାଳ ହେବା ବେଳକୁ ଶଳା ମାନେ ଆସି ଦେଖନ୍ତି, ରଘୁ ଛିଣ୍ଡା ଲେଙ୍କଡ଼ା ପିନ୍ଧି ଦୁଆର ମୁହଁରେ ବସିଛି । ସେମାନେ ବାପାଙ୍କୁ ଯାଇ କହିଲେ । ରଘୁକୁ ଘରଭିତରକୁ ଡାକି ନେଇ ସ୍ନାନ ମାର୍ଜନ କରାଇ, ଉତ୍ତମ ବସ୍ତ୍ର ପିନ୍ଧାଇ, ଚର୍ଚ୍ଚା କଲେ, ସ୍ତ୍ରୀ ଅନ୍ନପୂର୍ଣ୍ଣାଙ୍କ ମନ କୁଣ୍ଢେମୋଟ ହୋଇ ଗଲା । ରାତ୍ରୀ ହେଲାରୁ,ଶଳା, ଶଶୁର ଓ ଶାଶୁଙ୍କ ବିଚାର ପଡ଼ିଲା,"ଏ ଅରକ୍ଷିତଟାକୁ ଚାଲ ସବୁଦିନ ପାଇଁ ସଂସାରରୁ ହଟାଇ ଦେବା"।
ପରଦିନ ଜ୍ବାଇଁ ଚର୍ଚ୍ଚାପାଇଁ ସେମାନେ ସୁମିଷ୍ଟ ପିଠା ପ୍ରସ୍ତୁତକରି ରଘୁକୁ ପରଷି ଦେଲେ । ମହାପ୍ରଭୁଙ୍କୁ ସମର୍ପଣ କରି, ଆନନ୍ଦରେ ଗୋଟିଏ ପିଠା ଭାଙ୍ଗି ରଘୁ ଦେଖନ୍ତି ତ,ତା' ଭିତରେ ଚିଠିଟିଏ । ଚିଠିଟି ଲେଖି ଥିଲେ ଅନ୍ନପୂର୍ଣ୍ଣା । ସେଥିରେ ଲେଖା ଥିଲା, "ପିଠାରେ ବିଷ ଦିଆଯାଇଛି ତାହା ଖାଅନାହିଁ "। ରଘୁ କାନ୍ଦି କାନ୍ଦି କହିଲେ,ହେ ମହାପ୍ରଭୁ ! ତୁମକୁ ମୁଁ ଶେଷରେ, ବିଷ ଖୁଆଇଲି । ଭାଗ୍ୟରେ ମୋର ଏଇଆ ଥିଲା ! ସେ କିଛି ନଭାବି ପ୍ରସାଦ ଜ୍ଞାନରେ ପିଠାତକ ଖାଇଦେଲେ । ରାତିରେ ବିଷ ଜ୍ୱାଳାରେ ତାଙ୍କ ପ୍ରାଣବାୟୁ ଉଡ଼ିଗଲା । ରଘୁଙ୍କ ଶବକୁ ରାତି ପାହିଲେ ପୋତିଦେବେ ବିଚାର କରି ଶ୍ଵଶୁର ଘର ଲୋକେ କବାଟ କିଳିଦେଲେ ।
ଏ ବିପଦରେ ଗୋବିନ୍ଦହିଁ କେବଳ ଭରସା । ସାରା ରାତ୍ରୀ ଉନ୍ନିଦ୍ର ରହି ଅନ୍ନପୂର୍ଣ୍ଣା ମହାପ୍ରଭୁଙ୍କୁ ଆକୁଳ ପ୍ରାର୍ଥନା କଲେ । ଭକ୍ତର ଡାକ ଭାବଗ୍ରାହୀଙ୍କ କର୍ଣ୍ଣ କୁହରରେ ବାଜିଲା । ରତ୍ନସିଂହାସନ ତେଜ୍ୟା କରି ମହାପ୍ରଭୂ ଯାଇ ପହଞ୍ଚିଗଲେ କଳାବତି ପୂରରେ । ରଘୁକୁ କୋଳରେ ଧରି, ଟିକିଏ ଆଉଁଶି ଦେଲେ । ରଘୁ ଚାଉଁ କିନା ନିଦ୍ରାରୁ ଉଠିଲା ପରି ଉଠି ବସି ପଡ଼ିଲେ । ରଘୁ ଉଠିବସି ଗାଇ ଉଠିଲେ:-
ସବୁରି ସବୁ ଅଛି ମୋହର କେହିନାହିଁ ଏକା ମୋ ପ୍ରଭୂ ଜଗନ୍ନାଥ । ତୁମ୍ଭରି ନାମ ଧରି, ବିଷ ମୁଁ ଭକ୍ଷି ଅଛି ସେ ମୋତେ ହୋଇଛି ଅମୃତ ।
ରାତିପାହିବାରୁ ଶବ ବାହାରକରିବା ପାଇଁ ଶଶୁର ଘର ଲୋକ କବାଟଖୋଲି ଦେଖନ୍ତି ତ ରଘୁ ବସି ଭଜନ ଗାଉଛି । ସମସ୍ତେ ଚକିତ ! ସ୍ତ୍ରୀ ଅନ୍ନପୂର୍ଣ୍ଣା ଦୌଡ଼ି ଆସିଲେ । ତାଙ୍କ ଆଖିରୁ ଝରୁଥାଏ ଗଙ୍ଗା ଯମୁନାର ବାରିଧାରା । ରଘୁ ଆଉ ମୁହୂର୍ତ୍ତେ ବିଳମ୍ବ ନ କରି, ବାହାରି ପଡ଼ିଲେ ଶ୍ରୀକ୍ଷେତ୍ର ଅଭିମୁଖେ । ତାଙ୍କୁ ଯେତେ ଅଟକାଇଲେ ମଧ୍ୟ ସେ ଆଉ କାହା କଥା ଶୁଣିଲେ ନାହିଁ । ଶଶୁର ଘର ଲୋକେ ଝିଅ ଅନ୍ନପୂର୍ଣ୍ଣାର ମତ ଲୋଡ଼ିବାରୁ ସେ କହିଲେ:-
ସେ ଯୋଗୀ ମୁଁ ତାହର ଥାଳ ।
ମୋତେ ରଖିଲେ ଅମଙ୍ଗଳ ।।
ସେ ମଧ୍ୟ ଚାଲିଲେ ରଘୁଙ୍କ ସହ ।
ଇଆଡ଼େ ବାସୁ ମହାପାତ୍ର ଖବର ପାଇଲେ ତାଙ୍କ ପୁତ୍ର ପାଇଁ, ଯେଉଁ କନ୍ୟା ସ୍ଥିର ହୋଇଥଲା ତାକୁ ରଘୁ ଘେନି ପଳାଉଛି । ସେ ସୈନ୍ୟ ସାମନ୍ତ ଧରି ରଘୂକୁ କନ୍ୟା ଚୋର ବୋଲି କହି ବାଟରେ ମାରି ଦେବା ପାଇଁ ପହଞ୍ଚିଲେ । ଆଉ ଉପାୟ ନ ପାଇ ରଘୁ, ମହାପ୍ରଭୁଙ୍କୁ ସ୍ମରଣ କରିବାରେ ଲାଗିଲେ । କିଛିସମୟ ପରେ ଦେଖାଗଲା କଳାଧଳା ଘୋଡ଼ା ଚଢ଼ି ଦୁଇ ଜଣ କ୍ଷତ୍ରୀୟ ଯୁବକ ରଘୁକୁ କହୁଛନ୍ତି, ତୁମେ ନିର୍ଭୟରେ ଶ୍ରୀକ୍ଷେତ୍ର ଯାତ୍ରା କର । ଆମେ ତୁମ ସହ ଅଛୁ । ପୁଣି ଦେଖାଗଲା ରଘୁଙ୍କୁ ଘେରି ରହିଥିବା ସୈନ୍ୟମାନେ କାଳଗ୍ରାସିଲା ପ୍ରାୟ ଯିଏ ଯୁଆଡ଼େ ଛିନ୍ନଛତ୍ର ହୋଇ ପଳାଇଗଲେ । ଯୁବକ ଦ୍ବୟ ରଘୁଙ୍କୁ ରାଜ୍ୟର ସୀମା ପାର କରିଦେଲେ । ରଘୁ କିଛିଦିନର ପଥଶ୍ରମ କରି ଅନ୍ନପୂର୍ଣ୍ଣାଙ୍କ ସହ ଆସି ନୀଳାଚଳରେ ପହଞ୍ଚିଲେ ।
ନୀଳାଚଳରେ ରଘୁ ଅରକ୍ଷିତ ଗୋଟିଏ ସ୍ଥାନରେ ବସିଲେ ଓ ମହାପ୍ରଭୂଙ୍କ ଭଜନ କୀର୍ତ୍ତନରେ ବୁଡ଼ି ରହିଲେ । ଠାକୁରରାଜା ପ୍ରଥମେ ରଘୁଙ୍କ ବସିବା ସ୍ଥାନରେ ଛାମୁଣ୍ଡିଆଟିଏ କରିଦେଲେ ଏବଂ ପରେ ମହାପ୍ରଭୁଙ୍କ ନିର୍ଦ୍ଦେଶରେ ତାଙ୍କୁ ସମ୍ପତ୍ତିବାଡ଼ି ମାନ ଖଞ୍ଜା କରିଦେଲେ ।
ଭକ୍ତ ରଘୁ ଅରକ୍ଷିତଙ୍କ ସେହି ନିବାସ ସ୍ଥାନ ଆଜି ରାଘବଦାସ ମଠ ରୂପେ ଶ୍ରୀକ୍ଷେତ୍ରରେ ବିଦ୍ୟମାନ ରହି ଭକ୍ତ ଓ ଭକ୍ତ ଭାବଗ୍ରାହୀଙ୍କ ମହିମା କୀର୍ତ୍ତନ କରୁଛି । ଐତିହ୍ୟ ମଣ୍ଡିତ ରାଘବଦାସ ମଠ ବହୁ ଐତିହାସିକ ଦସ୍ତାବିଜର ଗନ୍ତାଘର ଓ ଶ୍ରୀମନ୍ଦିର ସେବାରେ ଏହି ମଠର ରହିଛି ଅନେକ ଭୂମିକା । ଭକ୍ତ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରି ଦାର୍ଢ଼୍ୟତା ଭକ୍ତିର ଏହି ଉପାଖ୍ୟାନରେ ଭକ୍ତକବି ରାମଦାସ ଯଥାର୍ଥରେ କହିଛନ୍ତି:-
ଭକତ ନିମନ୍ତେ ଶ୍ରୀବତ୍ସ ।
ହୁଅନ୍ତି ସେ ଏଡ଼େ ସପକ୍ଷ ।।
ଏଣୁ ବିଶ୍ୱାସ ଏକା ମୂଳ ।
ଶୁଣ ହେ ମନ ମହୀପାଳ ।।
!!! ଜୟ ଜଗନ୍ନାଥ !!!
