STORYMIRROR

Sanuja Meghamala

Tragedy

5.0  

Sanuja Meghamala

Tragedy

ଭିନ୍ନ ମଣିଷ

ଭିନ୍ନ ମଣିଷ

8 mins
349



  ଘର ପାଖରୁ କିଛି ବାଟ ଆଗକୁ ଆସିଲେ ହାଇୱେ ।ସେଇଠୁ ଗୋଟେ ସିଧା ରାସ୍ତା ଆଗକୁ ଯିବାକୁ ବଢ଼ିଛି..ଆଉ ଗୋଟେ ଛୋଟ ରାସ୍ତା ବସ ଷ୍ଟାଣ୍ଡ କୁ ଯାଇଚି..।ସେହି ଦୁଇ ରାସ୍ତା ମଝିରେ ଖଣ୍ଡେ ଅଣ ଓସାରିଆ ମାଟି ଜାଗା ରହିଯାଇଛି   ସେଇ ଅବ୍ୟବହୃତ ସ୍ଥାନ ରେ ଏଇ କିଛିଦିନ ହେବ ଲୋକଟେ କିଛି ମଇଳା କନା ପଟା ,ପ୍ଲାଷ୍ଟିକ ବୋତଲ , ଡବା ର ପୁଟୁଳି ଧରି ବସୁଛି.. ,ରାତିଦିନ ଯିବା ଆସିବା ବେଳେ  ଯାହା ବାରମ୍ବାର ନନ୍ଦିତା ର ଦୃଷ୍ଟି ଆକର୍ଷଣ କରୁଚି। ।ଏଡେ ବଡ ଜାଡ ରେ ବାଉଁଶ କଣି ପରି ପତଳା ଶରୀର ର ଲୋକଟା ଫୁଙ୍ଗୁଳା ଦିହ,ଖାଲି ଫୁଲ ପେଣ୍ଟ ଖଣ୍ଡେ ପିନ୍ଧିଚି ସତ ..ହେଲେ ଅଣ୍ଟା ରୁ ଗଳି ପଡ଼ୁଚି ବୋଧେ ବଡ଼ ଦଉଡ଼ି ଟେ ବେଲଟ୍ ପରି ଭିଡା ହେଇଚି...କଳା କଟ କଟ ଶରୀର ରୁ ମୁହଁ ଟା ଜମା ବାରିହେଉନି...ଆଖି .. ନାକ  ... ପାଟି ସବୁ ଏକା ପରି ଲାଗୁଚି...। ପୁରା ମୁହଁଟା ର ଗୋଲେଇ ଗୋଟେ ଗିନା ପରି ହେବ । କେତେ ବର୍ଷ ହେବ ଲୋକଟା ଜମା ଗାଧୋଇ ନ ଥିବ କିଏ ଜାଣେ। ମୁଣ୍ଡ ଚୁଟି ଗୁଡାକ ମୁଣ୍ଡା ତୁଳାଟେ ପରି ଦେଖାଯାଉଛି।। ଅଧିକାଂଶ ସମୟ ରେ ନିରିଖେଇ ଦେଖିଲେ କାଠି କାଗଜ କିଛି ଅଳିଆ ଏକାଠି କରି ରୋଷେଇ କରୁଥିବା ପରି ଡବା ଟେ ତା ଉପରେ ଥୋଇ ଦେବ ପୁଣି କିଛି ସମୟ ପରେ କାଢ଼ିବ।ପାଖରେ ବିଛଣା ପରି ଭାଙ୍ଗି ଛିଣ୍ଡା କପଡା ଦି ଚାରି ଖଣ୍ଡ ପକେଇ ଦେଇ ବୋତଲ ଟେ ଘୋଡ଼େଇ.. ଛୁଆ ଟେ ଶୋଇଲା ପରି ଶୁଆଇ ଦେଇଥିବ...ରୋଷେଇ ସରିଲେ ତାକୁ ଉଠେଇ ଖାଇବାକୁ ଦେବ, କଣ କଥା ହେବ ତା ସହିତ ସେତେବେଳେ ଲୋକଟା ଭାରି ଖୁସି ଖୁସି ଜଣା ଯାଇଥିବ । ପାଖକୁ କିଏ ଗଲେ କଥା ସରିଲା.. ତାକୁ ବାଡି ଖଣ୍ଡେ ଧରି କେବେ ଗୋଡେଇବ ତ କେତେବଳେ ଗାଳି ଦେବାକୁ ବି ପଛେଇବନି। ନନ୍ଦିତା ଅଫିସ ରୁ ଫେରିଲା ବାଟ ରେ ଦୁଇ ଚାରିଥର ଏମିତି ଦେଖି ଲାଣି ,ଲୋକଟି ର ମାନସିକ ଅବସ୍ଥା ଠିକ୍ ନାହିଁ ନିଶ୍ଚୟ । . .ଆହା ..କେତେ ବଡ଼ ଦୁଃଖ ଘଟି ଯାଇଥିବ ତା ଜୀବନ ରେ କିଏ କହିପାରିବ ।

 ଆଜି ଅଳ୍ପ ସମୟ ପୂର୍ବ ରୁ ସମ୍ମୁଖୀନ ହୋଇଥିବା ଘଟଣା ପରେ ନନ୍ଦିତା ବହୁତ୍ ଅନ୍ୟ ମନସ୍କ ହୋଇ ଥକା ମାରି ବସି ପଡିଚି  ଆସି ବାଲକୋନି ରେ ଶୂନ୍ୟ ଆକାଶ କୁ ଚାହିଁ.। ମନେ ପଡିଯାଉଛି...ନିଜର ପିଲାଦିନ... ନିଜ ବାଲ୍ୟ ବାନ୍ଧବୀ ..ସହ ପାଠିନୀ ନଳିନୀ କଥା ।,ସବୁବେଳେ ଚେନାଏ ହସ ଲାଗିଥିବ ତା ମୁହଁ ରେ...କେମିତି ଏତେ ସହଜ ରେ ହସିପାରେ କେଜାଣି ଯେତେ ଦୁଃଖ ଥିଲେ ବି।ମନୋଜ ମଉସା ବି ତାକୁ ସେମିତି ଗେହ୍ଲା ରେ ରଖିଥିଲେ ।ମା ନ ଥିଲା ବୋଲି କେବେ ଅନୁଭବ କରିବାକୁ ଦେଇନାହାନ୍ତି.. ନିଜେ ଉଭୟ ମା ଓ ବାପା ନଳିନୀ ର। ତାଙ୍କର କେହି ବନ୍ଧୁ ସମ୍ପର୍କୀୟ ପ୍ରାୟ ଆସୁ ନ ଥିଲେ...।ସେ କେବେ ମାମୁଘର,

ନିଜ ଗାଁ ,ବା କୌଣସି ଆତ୍ମୀୟଙ୍କ ଘରକୁ ଯିବା କେହି ଦେଖି ନାହି। ତାଙ୍କ ଦୁନିଆ ବାପ ଝିଅ ଦୁଇ ଜଣଙ୍କୁ ନେଇ। ସେଥି ପାଇଁ ସେ କେବେ ତା ବାପା ଙ୍କୁ ନ ପଚାରି କିଛି କରେ ନାହି.. ଛୋଟ ବୟସ ରୁ ବି ସେ ବଡ଼ ହୋଇଯାଇଥିଲା।କେବେ ଥରେ ଯେମିତି ବାପାଙ୍କୁ ତାର କଷ୍ଟ ନ ହେଉ ସବୁ ବେଳେ ସେଇ ପ୍ରୟାସ ରେ ଥିବ ।ନନ୍ଦିତା ଯେବେ ନୂଆ ହୋଇ ସେଇ

ସହରକୁ ଆସିଲା ବାପା ମା ଙ୍କ ସହିତ.ଏବଂ... ତା ପରିବାର ସେଇ ସାହି ରେ ଘର ନେଇ ରହିଲେ ଏବଂ ନଳିନୀ ସ୍କୁଲ ରେ ତାର ନାଆଁ ଲେଖା ହେଲା ସୌଭାଗ୍ୟ ବଶତଃ ଏକା କ୍ଲାସ ବି ଥିଲା ,ସେବେଠୁ ସେ ତା.ସହିତ ସାଙ୍ଗ ହୋଇଗଲା । ଛୁଆ ବେଳେ ବନ୍ଧୁତା ବହୁ ଶୀଘ୍ର ହୋଇଯାଏ ...ବଡ଼ ହେଲା ପରେ ଦ୍ଵନ୍ଦ ଥାଏ . ଅନେକ.ପ୍ରଶ୍ନବାଚୀ ବି.. ମନରେ ନୂଆ ବନ୍ଧୁ ଟିଏ କରିବା ପୂର୍ବରୁ। ପ୍ରଥମ ଦିନ ସ୍କୁଲ ସେ ନଳିନୀ ସହିତ ହିଁ ଯାଇଥିଲା. । ନଳିନୀ ପୁରୁଣା ଛାତ୍ରୀ ତେଣୁ ସେ ନନ୍ଦିତା ର ଅଲିଖିତ ଗାର୍ଡିଆନ୍ ପାଲଟି ଯାଇଥିଲା ..। କ୍ଲାସ ରେ ଏକାଠି ବସୁଥିଲେ...ଟିଫିନ୍ ଛୁଟି ରେ ସାଙ୍ଗ ହୋଇ ଟିଫିନ୍ ବି ଖାଉଥିଲେ ... ନିଃସ୍ଵାର୍ଥପର ବନ୍ଧୁତା ..।ଅନେକ ସମୟ ରେ ନନ୍ଦିତା ଭାବେ ସେ ତ ମାଆକୁ ଛାଡ଼ି ଦିନ ଟେ ରହି ପାରୁନି ଆଉ ନଳିନୀ କେମିତି ଏତେ ଦିନ ଏକା ଏକା ରହୁଚି। ବହୁ ସମୟ ସେ ନଳିନୀ କୁ ତାଙ୍କ ଘରକୁ ଡ଼ାକି ଆଣୁଥିଲା... ସ୍କୁଲ ଛୁଟି ହେଲେ ଏକାଠି ଖାଇବା ଖେଳିବା ପଢ଼ିବା ସବୁକିଛି ଚାଲିଥିଲା ସନ୍ଧ୍ୟା ପର୍ଯ୍ୟନ୍ତ । ନଳିନୀ ସ୍କୁଲ ଯିବା ପରେ ମନୋଜ ମଉସା ତାଙ୍କ ଦୋକାନ କୁ ଯାଉଥିଲେ ..ସନ୍ଧ୍ୟା ରେ ଦୋକାନ ବନ୍ଦ କରିଦେଇ ଘରକୁ ଆସନ୍ତି.. ସ୍କୁଲ ଗଲାବେଳେ ମଉସା ତା ମୁଣ୍ଡ କୁ କେଡ଼େ ସୁନ୍ଦର ଭାବରେ ରିବନ ଫିତା ରେ ବାନ୍ଧି ଦିଅନ୍ତି .....ବହି ବ୍ୟାଗ୍ ,ଟିଫିନ୍ ଓ ପାଣି ବୋତଲ  ସଜାଡି ଦିଅନ୍ତି ।ମା ର କମି ଅନୁଭବ କରିବାକୁ ଦିଅନ୍ତି ନାହି।ନଳିନୀ ବି ମଉସାଙ୍କୁ ଜଗିଥିବ ମଉସାଙ୍କ ଜଳଖିଆ ଡବା ସଜାଡି ହାତ ବ୍ୟାଗ୍ ଭିତରେ ରଖିବ ,ରୁମ୍ ରେ ଚାବି ପକେଇ ଦବ। ସେଥି ପାଇଁ ସ୍କୁଲ ରେ ଅନେକ ଦିନ ପହଞ୍ଚିଲା ବେଳକୁ ଡେରି ହୋଇଯାଏ। ବେଳେ ବେଳେ ନନ୍ଦିତା ରାଗି ଗଲେ , ନଳିନୀ ନିଜକୁ ଦୋଷୀ ଟେ ପରି କାନ ଧରି ଠିଆ ହୋଇଯାଏ ନନ୍ଦିତା ସାମନା ରେ କାଲି ଠୁ ଡେରି କରିବିନି କହି।ପୁଣି ପରଦିନ ସେଇ ଏକା କଥା ।କେହି କାହାରିକୁ ଛାଡ଼ନ୍ତିନି ।ବନ୍ଧୁତା ନିବିଡ଼ ହେଲା ପରେ ଥରେ ନନ୍ଦିତା ପଚାରିଥିଲା ନଳିନୀ କୁ ତା ମାଆ ବିଷୟ ରେ ସାହସ ବାନ୍ଧି।

ନଳିନୀ କହିଲା ତା ସାନ ଭଉଣୀ କୁ ଜନ୍ମ ଦେଇ ତା ମାଆ ସେଇ ହସ୍ପିଟାଲ୍ ରେ ଆଖିବୁଜିଦେଲା। ତାର ଝାପସା ମନେ ଅଛି ମାଆ ମୁହଁ ..ଭଲ ଭାବରେ ପୁରା ମନେ ନାହି।

ସେତେବେଳେ ତା ବାପା ସାନ ଝିଅ ଟିକୁ ବଞ୍ଚେଇବା ପାଇଁ ଅଜା,ଆଇ, ଜେଜେ ଜେଜେମା ସମସ୍ତଙ୍କୁ କେତେ ନେହୁରା ହେଲେ ,...କେହି ବି ଛୁଆ ଟିକୁ ବଞ୍ଚେଇବାକୁ କୋଳେଇ ନେଲେ ନାହି ।ସ୍ତ୍ରୀ ର ଅକାଳ ମୃତ୍ୟୁ ର ଦୁଃଖ ଭୁଲି ଛୁଆ ଟିକୁ ବଞ୍ଚେଇ ରଖିବା ର ସବୁ ଚେଷ୍ଟା ବିଫଳ ହେଲା ..ଆଉ ସେ ବି ତା ପରଦିନ ମରିଗଲା ।

ସମସ୍ତେ ବାପାଙ୍କୁ ଆଉ ଗୋଟେ ବାହା ହେବାକୁ କହିଲେ ..ବାପା କାହା କଥା ଶୁଣି ନ ଥିଲେ ମୋ ପାଇଁ।କ୍ରମଶଃ ବାପା ଙ୍କ ର ସମସ୍ତ ଙ୍କ ଉପରେ ବିଶ୍ୱାସ କମିଗଲା ବୋଧେ ...ଆସ୍ତେ ଆସ୍ତେ ସମସ୍ତଙ୍କ ସହିତ ସମ୍ପର୍କ କଟିଗଲା ।

ସ୍ୱାର୍ଥପର ଦୁନିଆ !କେହି ଆପଣା ର ନୁହନ୍ତି .।ଦୁଃଖ ଦେଖି ସମସ୍ତେ ଆହା ..ଚୁ ...ଚୁ...କରନ୍ତି...ସହାୟତା ର ହାତ ଖୁବ୍ କମ୍ ବଢାନ୍ତି..ବରଂ ବାଟ ଭାଙ୍ଗି ଚାଲି ଯିବା ଅତି ସହଜ।

ବାପ ଝିଅ ସେମିତି ସେମିତି ଦିନ ରେ ଗଣ୍ଡେ ଫୁଟେଇ ଖାଇ ବାହାରି ଯାଉଥିଲେ.....ରାତିରେ ଅନେକ ସମୟ ରେ ହୋଟେଲ ରୁ ରୁଟି ତରକାରୀ କିଣି ଖାଇ ଚଳୁଥିଲେ ଦି ଟା ତ ନୁହେଁ ଗୋଟେ ପେଟ ଛୁଆ ତ ବକଟେ ।

ପର୍ବ ପର୍ବାଣୀ ଭଲ ମନ୍ଦ ଛୁଟିଦିନରେ ସାଇ ପଡିଶା ଙ୍କ ଘରୁ ଏତେ ଖାଦ୍ୟ ପୁଡିଆ ଆସେ ଯେ ସେମାନେ ଖାଇ ଚାରିଟା ବେଳେ ବଳକା ପିଠା ପଣା  ୫/୭ ଜଣ ସାଙ୍ଗ ଖାଇ କି ଖେଳୁଥିଲେ ଏକାଠି ।କାହିଁ ନା କେଉଁଠି ମା ଛେଉଣ୍ଡ ଛୁଆଟେ ବୋଲି ତାକୁ ସମସ୍ତେ ଆଦର ଯତ୍ନ କରୁଥିଲେ ।

ମନୋଜ ମଉସା ଙ୍କ ଦୁଃଖ ସେତିକି ରେ ସରି ନ ଥିଲା...।ଲୋକେ କୁହନ୍ତି.. ଭଗବାନ ମଣିଷ ର ଧର୍ଯ୍ୟ,ବିଶ୍ୱାସ ସହନଶୀଳତା ର ପରୀକ୍ଷା ନିଅନ୍ତି...।ଆଉ କେହି କହନ୍ତି ପ୍ରାରବ୍ଧ...ପୂର୍ବ ଜନ୍ମ ର କର୍ମ ଫଳ...।ମନୋଜ ମଉସା ଙ୍କୁ ଇଶ୍ଵର ପରୀକ୍ଷା କରୁଥିଲେ କି  କର୍ମଫଳ ଦେଇଥିଲେ..କେବଳ ତାଙ୍କୁ ହିଁ ଜଣା।କିନ୍ତୁ ସହିବା ପାଇଁ       ସେତିକି ଶକ୍ତି ଦେଇ ନ ଥିଲେ।

 ସେଦିନ ଶନିବାର ଥିଲା ...ସକାଳୁଆ ସ୍କୁଲ..ନନ୍ଦିତା ତାଙ୍କ ଘରେ ପହଞ୍ଚିଲା ବେଳକୁ..ନଳିନୀ ଦେହ ରେ ଜର ଭର୍ତ୍ତି...।

ତାତି ରେ ହାତ ପୋଡିଯିବ..ତଥାପି ସ୍କୁଲ ଯିବା କୁ ୟୁନିଫର୍ମ ପିନ୍ଧି ରେଡି ହେଉଥାଏ..ମଉସା ମନା କଲ

େ ନନ୍ଦିତା ନିଜେ ବି ମନା କଲା ଆଜି ରହିଯା ... ସୋମବାର ଯିବୁ..।ବିଧି ର ବିଧାନ ...ଯଦି ସେ ସ୍କୁଲ ଯାଇଥାନ୍ତା ଏତେ ବଡ଼ ବିପଦ ଘଟି ନଥାନ୍ତା ..,। ନନ୍ଦିତା ଓ ଅନ୍ୟ ସାଙ୍ଗ ସ୍କୁଲ ରୁ ଫେରିଲା ବେଳକୁ ଅଘଟଣ ଟି ଘଟି ସାରିଥିଲା ...।ବାଟ ରୁ ଶୁଣିଲେ ମନୋଜ ମଉସାଙ୍କ ଘରେ ନିଆଁ ଲାଗିଚି.. ସେମାନେ ଧାଇଁ ଧାଇଁ ଆସିଲା ବେଳକୁ ମଉସା ଘରେ ନ ଥିଲେ ତାଙ୍କୁ ଖବର ଦିଆ ସରିଥାଏ ,ଦମକଳ ବାହିନୀ ଆସି ପହଞ୍ଚି ନ ଥାଆନ୍ତି । ତଥାପି,ସାହି ର କିଛି ଲୋକ ବାଲ୍ଟି ରେ ପାଣି ବୋହି ନିଆଁ ଲିଭାଉଥାଆନ୍ତି. ଅଥଚ କାହା ପାଖରେ ଖବର ନ ଥିଲା ୧୦ ବର୍ଷ ର ନଳିନୀ ଜ୍ଵର ଯୋଗୁ ସ୍କୁଲ ନ ଯାଇ ତା ଭିତରେ ରହିଯାଇଛି .।ଯେତେ ବେଳେ ମନୋଜ ମଉସା ପହଞ୍ଚି ଭିଡ଼ ଭିତରେ ନଳିନୀ କୁ ଖୋଜିଲେ ବିକଳ ହୋଇ ମୋ ମାଆ କାହିଁ..ସେତେବେଳେ ଜଣା ପଡ଼ିଲା ନଳିନୀ ସେହି ହୁ ହୁ ଜଳୁ ଥିବା ଘର ଭିତରେ ଅଛି।ରୋଷେଇ ଘର ପାଖରୁ ନିଆଁ ର ଶିଖା ଦେଖା ଯାଉଥିଲା ...ସେଇଟା ଜୋର ରେ ଜଳି ଉଠୁଥାଏ...। କେମିତି ନିଆଁ ଲାଗିଲା ସମସ୍ତେ କହୁଥାନ୍ତି .ଗ୍ୟାସ୍ ସିଲିଣ୍ଡର୍ ..ଦୀପ ନା ଆଉ କେମିତି ଜଣା ପଡ଼ି ଲାନି । ନିଆଁ ଟା କେମିତି ଲାଗିଲା ସବୁ ଦିନ ପାଇଁ ପ୍ରଶ୍ନ ହୋଇ ରହିଗଲା...ଆଉ ଉତ୍ତର ଦେବାକୁ କିଏ ଥିଲା ଯେ?.

       ଅପେକ୍ଷା ନ କରି ସବୁକଥା କୁ ଅଣଶୁଣା କରି ଘର ଭିତରକୁ ମୋ ମାଆ ଲୋ...ଚିତ୍କାର କରି ପଶିଗଲେ.ମନୋଜ ମଉସା..।ଭିତରୁ ଧୀର କଣ୍ଠ ରେ ଶୁଣା ଯାଉଥିଲା ବାପା ମୁଁ ଜଳିଗଲି ମୋତେ ବଞ୍ଚାଅ... ତା ପରେ କ୍ଷୀଣ କଣ୍ଠରେ ବାପା... ବାପା.. ତା ପରେ ସେ ଶବ୍ଦ ଆଉ ଶୁଣା ଯାଉ ନ ଥିଲା ଖାଲି ମନୋଜ ମଉସା ଙ୍କ ଚିତ୍କାର ଆଉ କାନ୍ଦ ଶୁଣା ଗଲା। ଯେତେବେଳେ ସେ ନଳିନୀ ର ଦରପୋଡା ନିସ୍ତେଜ ଶରୀର କୁ ଦୁଇ ହାତରେ ଟେକି ଧରି ଘରୁ ବାହାରି ଆସିଲେ ..ସେତେ ବେଳେ କାହା ପାଖରେ ଧର୍ଯ୍ୟ ନ ଥିଲା। ମନୋଜ ମଉସା ତାକୁ ସେମିତି  ଦୁଇହାତରେ ଜାକି ଭିଡ଼ କାଟି ଆଗକୁ ଦୌଡୁ ଥିଲେ ମେଡିକାଲ୍ କୁ ..ପାଗଳ ଙ୍କ ପରି ମୋର ସବୁ ସରିଗଲା ....ସରିଗଲା କହି ।

ପଛେ ପଛେ କିଛି ଲୋକ ତାଙ୍କ ସହିତ ହସ୍ପିଟାଲ୍ ମଧ୍ୟ ଯାଇଥିଲେ..।.

ସେଇ ଯାଇଥିଲେ ଯେ... ଆଉ ଘରକୁ ଫେରି ନାହାନ୍ତି ମନୋଜ ମଉସା।ବଡ଼ ମେଡ଼ିକାଲରେ ଡାକ୍ତର ଯେତେ ବେଳେ ଝିଅ ଟି ମରିଯାଇଛି ଘୋଷଣା କଲେ....ମଉସା ପାଟିତୁଣ୍ଡ, ବାଡିଆ ପିଟା କରି ବେହୋସ ହୋଇଥିଲେ। ..।ତାଙ୍କୁ ହସ୍ପିଟାଲ୍ ରେ ଆସୁ ଚିକିତ୍ସା ପାଇଁ ଜବର ଦସ୍ତ୍ ଭର୍ତ୍ତି କରାଯାଇଥିଲା.. କିଛି ଉନ୍ନତି ଘଟି ନ ଥିଲା ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ର ।ତା ପରେ ସେ ଦିନେ ହସ୍ପିଟାଲ ରୁ

 କୁଆଡେ ଫେରାର ହୋଇଗଲେ ..ଅଜଣା ଅଚିହ୍ନା ହୋଇ.।

       ଏହା ଭିତରେ ଅନେକ ବର୍ଷ ତ ବିତି ଗଲାଣି ..ଯଦିଓ ଭୁଲି ନାହି ନନ୍ଦିତା ପ୍ରଥମେ ଯେତେ ବ୍ୟଥିତ ହେଉଥିଲା ଏବେ ଆଉ ସେମିତି ନ ଥିଲା ...।... କେଜାଣି କାହିଁକି ଏହି ଲୋକ ଟିକୁ ଦେଖିଲା ପରେ ତା ପାଦ ଟା ଆପେ ଆପେ ତାଙ୍କ ପାଖକୁ ମାଡି ଯାଉଚି ।କିଛି ଭୟ କିଛି ଆଶଙ୍କା ନା କାହାକୁ ଖୋଜୁଛି ନିଜେ ଜାଣି ପାରେନି । ପାଦ ଟା ବାରମ୍ବାର ସେଇ ସ୍ଥାନ କୁ ଭିଡ଼ି ହୋଇଯାଏ ଆପଣା ଛାଏଁ ଯେମିତି .... ଚାଦର ଖଣ୍ଡେ ହେଉ ତ କେବେ ବିସ୍କୁଟ ପାଉଁରୁଟି ଧରି ଅଫିସ ରୁ ଫେରିଲା ବେଳେ ଲୋକ ଟିକୁ ଦେଇ ତାକୁ ଘଡ଼ିଏ ଅନିଶା କରି ରୁହେ ନନ୍ଦିତା.. ..,ଯେମିତି କେହି ଆପଣା ର ଲୋକ ହଜି ଯାଇଚି ।ରାସ୍ତା କଡ ରେ ଦୋକାନ କରିଥିବା କିଛି ଲୋକ ତାକୁ ବାରମ୍ବାର ତାଗିଦ୍ କରୁଛନ୍ତି ...ପାଗଳ ଟା ଆଜ୍ଞା ଜମା ସେଠି ଠିଆ ହୁଅନ୍ତୁ ନାହି ...କେତେ ବେଳେ ଭଲ ଆଉ କେତେ ବେଳେ ମାରି ଗୋଡେଇବ  ....।

      

          ଆଜିଗୋଟେ ଅଭାବନୀୟ ଘଟଣା ଘଟିଗଲା ନନ୍ଦିତା ସାମନା ରେ ।ରାସ୍ତା ଉପର ଦେଇ ଗୋଟେ ଆମ୍ବୁଲାନ୍ସ ଜୋର କରି ସାଇରନ୍ ଦେଇ ଗଲାବେଳେ ଲୋକଟା କନା ପୁଟୁଳା ଗୁଡେଇ ଆମ୍ବୁଲାନ୍ସ ପଛରେ ଧାଇଁଲା କିଛି ବାଟ..। ଆମ୍ବୁଲାନ୍ସ ଧରି ନ ପାରି ମଝି ରାସ୍ତା ରେ ବସି ପଡ଼ି କାନ୍ଦିଲା ମୋ ମାଆ କ ବଞ୍ଚାଅ ...ତାକୁ ଜର ...କିଛି ଖାଉନି ହେଇ ଦେଖ.. ଦେଖ... ମୁଁ ମିଛ କହୁନି ।ରାସ୍ତା ପୁରା ଜାମ୍ ହୋଇଗଲା। ନିଜ ପାଇଁ ସମୟ ନ ଥିବା ମଣିଷ ... ଏହି ଟିକିଏ ବିଳମ୍ବ କୁ ନେଇ ଏତେ ବ୍ୟସ୍ତ ଯେ ବାରମ୍ବାର  ..ପାଗଳ ଟା ତାମସା କରୁଚି.. ବାନ୍ଧି ଦିଅ ତାକୁ.. ଘର ଲୋକ ସମ୍ଭାଳି ପାରୁ ନାହାଁନ୍ତି ..ଛାଡ଼ି ଦେଇଛନ୍ତି.ଏମିତି ଖୋଲା କିଏ ଛାଡ଼ି ଦିଅନ୍ତି ..ବାହାର କୁ ଅନ୍ୟ ମାନଙ୍କୁ ହଇରାଣ କରିବାକୁ। କେତେ ପ୍ରକାର ଅଶ୍ରାବ୍ୟ ,ଶବ୍ଦ ରେ ଗାଳି ଦେଉଥାନ୍ତି.. ଅନ୍ୟ ମାନ ଙ୍କ ର ଉପସ୍ଥିତି କୁ ହେୟ କରି । ନନ୍ଦିତା ର ମନ ବିଦ୍ରୋହ କରି ଉଠୁଥିଲା ...ବାରମ୍ବାର ପାଗଳ ଶବ୍ଦ ରେ।ପାଗଳ କିଏ ନୁହେଁ ଯେ ,ଆମେ ସଭିଏଁ ପାଗଳ...ଅନବରତ ଧାଉଁଚୁ ଧନ, ପ୍ରତିଷ୍ଠା ,ପ୍ରତିପତ୍ତି ପଛରେ କାହାର ନା କାହାର ବାଟ ଓଗାଳି..ନିଜ ସଚେତନ ରେ। ନିଜକୁ ଚିହ୍ନି ପାରୁ ନ ଥିବା ଏଇ ମଣିଷ ଟା ଏ ଗାଳି ବା ପ୍ରଶଂସା ରୁ କଣ ବୁଝିବ ଯେ.....!!ଭଦ୍ର ଶିକ୍ଷିତ ମଣିଷ ମାନେ ଥରେ ତ ସହଯୋଗ ର ହାତ ବଢ଼େଇ ଦିଅ !! ଜାଣି ଶୁଣି କେହି ପାଗଳ ହୁଏନି.. ତା ସହିତ ଘଟି ଯାଇଥିବା ଘଟଣା କୁ ସହି ପାରିବାର ସାମର୍ଥ୍ୟ ର ଅଭାବ ହିଁ ତାକୁ ଏମିତି ଭିନ୍ନ ମଣିଷ କରିଦେଇଛି...।ସେ ..ତ...ପାଗଳ...କିନ୍ତୁ ଆମେ ସୁସ୍ଥ ମସ୍ତିଷ୍କ ଜ୍ଞାନୀ ଗୁଣୀ ବୋଲି ନିଜକୁ ଡେଙ୍ଗୁ ରା ପିଟୁଥିବା ମଣିଷ ମାନେ କେତେ ସୁସ୍ଥ ...ବିଦ୍ରୋହ କରୁଥିଲା ନନ୍ଦିତା ର ମନ..।

          ଲୋକ ଜଣ ଙ୍କ ତ କାହା ବାପା, ଭାଇ ପୁଅ କିଛି ସମ୍ପର୍କୀୟ ହୋଇଥିବେ..!.ଠିକଣା ହଜାଇ ଏମିତି ରାସ୍ତା ରେ ଶୀତ କାକରାଖରା ରେ ପଡିଛନ୍ତି ।ବାରମ୍ବାର ଦୋକାନୀ ଭାଇଙ୍କୁ ଅନୁରୋଧ କରୁଥିଲା ଭାଇମାନେ ଆପଣ ମାନେ ମଉସା ଙ୍କୁ କେମିତି ହେଉ ରାସ୍ତା ଉପରୁ ଏଇ କଡ଼କୁ ନେଇ ଆସନ୍ତୁ...ଆଜି ରାତି ହୋଇଗଲାଣିକାଲି ତାଙ୍କୁ ହସ୍ପିଟାଲ୍ ନେବାର ବ୍ୟବସ୍ଥା କରିବି।ପାଗଳ କାନରେ ହସ୍ପିଟାଲ୍ ଶବ୍ଦ ବାଜିବା ମାତ୍ରେ ସେ ଧାଇଁ ଆସି ନନ୍ଦିତା କୁ ମାରିବାକୁ ଗୋଡେଇଲା.. ହସ୍ପିଟାଲ୍ କଥା କହୁଚୁ..ମାରିଦେବେ...ମାରିଦେବେ..ମୋ ଝିଅ କୁ ବଞ୍ଚେଇ ପାରିଲେନି...।କୁନି ଝିଅ ଟା ମୋର... ମରିଗଲା.... ତା ପରେ କାନ୍ଦି ବା ଆରମ୍ଭ କରିଦେଲା.. ନନ୍ଦିତା ଗୋଟେ ପାଦ ନ ଘୁଞ୍ଚି ସେମିତି ଠିଆ ହୋଇ ସାହସ ର ସହିତ ଚାହିଁଲା ତାର ମୁହଁ ଟାକୁ ଅତି ପାଖରୁ। ଏତେ ବର୍ଷ ର ବ୍ୟବଧାନ ପରେ ବି ରାସ୍ତା ର ଝାପସା ବିଜୁଳି ଆଲୋକ ରେ ସେହି ଆଖି ଦୁଇଟି କୁ ଚିହ୍ନି ପାରିଲା ନନ୍ଦିତା। ଦୁଃଖ ଆଉ ଖୁସିରେ କାନ୍ଦି ପକେଇଲା . ସ୍ଵତଃ ତା ପାଟିରୁ ବାହାରି ପଡ଼ିଲା....ମନୋଜ ମଉସା ...!କିଛି ଉତ୍ତର ବା ଆଗ୍ରହ ନ ଥିଲା..ସେହି ବ୍ୟକ୍ତି ଙ୍କ ର । ଲୁହ ଭର୍ତ୍ତି ଆଖିରେ ଫେରି ଆସିଲା.. ନନ୍ଦିତା ...।ମନେ ମନେ ଖୋଜୁଥିଲେ ବି ଏମିତି ଆବିଷ୍କାର କରିବ କେବେ ଭାବି ନ ଥିଲା....।.ଏଥର ସେ ଫେରି ଆସିଲା ଆସନ୍ତା କାଲି ର ନୂଆ ସୂର୍ଯ୍ୟୋଦୟ କୁ ଅପେକ୍ଷା କରି। ଆସନ୍ତା କାଲି ସେ ଗୋଟେ ନୂଆ ଫର୍ଦ୍ଦ ଯୋଡିବ ନିଜ ଜୀବନ ସଂଗ୍ରାମ ରେ। ଠିକଣା ହଜିଯାଇଥିବା ମନୋଜ ମଉସାଙ୍କ ପାଇଁ କିଛି କରିବ ନିଜ ବାଲ୍ୟ ବାନ୍ଧବୀ ନଳିନୀର ସ୍ମୃତି ରେ।ତାଙ୍କ ର ଚିକିତ୍ସା ପାଇଁ ଯାହା ଦରକାର ହେବ ନିଶ୍ଚୟ କରିବାକୁ ଚେଷ୍ଟା କରିବ।ନିଜ ପାଖରେ ନିଜେ ପ୍ରତିଶ୍ରୁତିବଦ୍ଧ ହେଲା |


Rate this content
Log in

Similar oriya story from Tragedy