Anita Jena

Abstract Romance Fantasy

3  

Anita Jena

Abstract Romance Fantasy

ଭିନ୍ନ ଏକ ପ୍ରେମ କାହାଣୀ

ଭିନ୍ନ ଏକ ପ୍ରେମ କାହାଣୀ

4 mins
203



ସୁବ୍ରତ ସବୁଦିନ ଭଳି ଆଜି ବି ରେଡ୍ଡୀ ହେଇ ଅଫିସ୍ ଯିବା ପାଇଁ ବାହାରି ପଡ଼ିଲା । ହେଲେ ଏଇ ସପ୍ତାହ ତଳେ ହିଁ ଗୋଟିଏ ନୂଆ ଜାଗାକୁ ପଠେଇଛି ତାକୁ କମ୍ପାନୀ , ଜାଗାଟି ବିଷୟରେ ବିଶେଷ କିଛି ଜ୍ଞାନ ନାହିଁ ତାର । ଆଉ ବାଇକ୍ ବି ନେଇ କି ଆସି ନାହିଁ ସେ , ଭାବିଲା ଜାଗାଟି ଯଦି ଭଲ ଲାଗେ ତାହେଲେ ଏଠି ରହିଲେ ଯାଇ ବାଇକ୍ ଆଣିବି ନହେଲେ କିଛି ଦିନ ବସ୍ ରେ ଯିବା ଆସିବା କରି ନେଇ ଥିବି । 

  ସକାଳୁ ବାହାରି ଆସି ଯାଇ ପହଁଚିଲା ବସ୍ ଷ୍ଟାଣ୍ଡ ରେ । ଘର ଠୁ ବସ୍ ଷ୍ଟାଣ୍ଡ ମାତ୍ର କେଇ ମାଇଲ ଦୂର । ମାତ୍ର ପାଞ୍ଚ ମିନିଟ୍ ର ଅପେକ୍ଷା ପରେ ବସ୍ ଆସିଲା ଆଉ ସୁବ୍ରତ ବସ୍ ରେ ଚଢି ଗଲା । ହେଲେ ବସ୍ ରେ କୌଣସି ସିଟ୍ ଫାଙ୍କା ନ ଥାଏ ସେଥିପାଇଁ ସେ ଠିଆ ହେଇ ରହିଲା । 

  ଆଗ ଷ୍ଟପେଜ୍ ରେ ବସ୍ ଟି ଠିଆ ହେଲା ଆଉ ବସ୍ ରେ ଚଢ଼ିଲା ଗୋଟିଏ ସୁନ୍ଦର୍ ଝିଅ, ଗୋଲାପୀ ରଙ୍ଗର ଶାଢ଼ୀ, କାନ୍ଧରେ ଛୋଟ ଭ୍ୟାନିଟ ବ୍ୟାଗ୍ , ଆଖିରେ ସରୁ କଜଳର ଧାର । ସୁବ୍ରତର ଆଖି ଯେମିତି ଲାଖି ହେଇ ରହିଗଲା ଝିଅଟିର ରୂପ ଆଉ ସୌନ୍ଦର୍ଯ୍ୟ ଦେଖି । ବସ୍ ଭିତରଟା କେମିତି କେଜାଣି ତାକୁ ମହ ମହ ହେଇ ମହକିଲା ଭଳି ଲାଗିଲା । ଏକ ଲୟରେ ହିଁ ସେ ଚାହିଁ ରହିଥାଏ ଝିଅଟିକୁ । ହଠାତ୍ ଝିଅଟିର ନଜର ପଡ଼ିଲା ସୁବ୍ରତ ଉପରେ । ଝିଅଟି ଚାହୁଁଛି ଦେଖି ସୁବ୍ରତ ତାର ନଜର ଫେରେଇ ନେଲା  । 

   ପ୍ରାୟ ସେହି ଦିନ ଠାରୁ ସବୁଦିନ ହିଁ ସୁବ୍ରତ ଝିଅଟିକୁ ଚାହିଁ ରହେ ବସ୍ ଭିତରେ । ଭାବେ ବେଳେବେଳେ ଯାଇ ତା ସହିତ କଥା ହେବ ହେଲେ ଏତେ ଲୋକ ଭିତରେ ଯଦି ଝିଅଟି ତାକୁ କିଛି ଶୁଣେଇ ଦେବ ତାହେଲେ ତାର ଅପମାନ ହେଇଯିବ ଭାବି ଚୁପ୍ ରୁହେ । ହେଲେ ଦିନକୁ ଦିନ ଝିଅଟି ପ୍ରତି ତାର ଦୁର୍ବଳତା ବଢ଼ିବାରେ ଲାଗିଲା । ଶୟନେ, ସପନେ ଆଉ ଜାଗରଣେ ଖାଲି ତା ଆଖି ଆଗରେ ନାଚି ଉଠିଲା ଝିଅଟିର ଚେହେରା । ପ୍ରେମର ମହକରେ ସୁବ୍ରତର ଜୀବନ ମହକି ଉଠୁଥାଏ ଆଉ ସେଇ ମହକକୁ ସବୁଦିନ ପାଇଁ ନିଜର କରିବା ପାଇଁ ସେ ନିଷ୍ପତି ନେଲା । 

  ଦିନେ ସୁବ୍ରତ ଅଫିସ୍ ନ ଯାଇ ଝିଅଟି ବିଷୟରେ ଜାଣିବା ପାଇଁ ଚେଷ୍ଟା କଲା ଆଉ ଝିଅଟିର ଠିକଣା ନେଇ ନିଜ ଘରକୁ ଫେରି ଗଲା । ନିଜ ବାପା ମା ଙ୍କ ସହିତ କଥା ହେଇ ଦିନେ ରବିବାର ଦିନ ବାପା ମା ଙ୍କୁ ସାଙ୍ଗରେ ନେଇ ପହଞ୍ଚି ଗଲା ଝିଅଟି ଘରେ । 

  ଝିଅଟିର ବାପା ମା ସୁବ୍ରତ ଆଉ ତା ବାପା ମା'ଙ୍କର ଅତି ସମ୍ମାନ ର ସହିତ ଅତିଥି ସତ୍କାର କଲେ । ହେଲେ ସେଠାକୁ ଯାଇ ସବୁ ସତ କଥା ଜାଣିବା ପରେ ସୁବ୍ରତର ବାପା ମା ଏ ବିବାହ ପ୍ରସ୍ତାବରେ ରାଜି ହେବା ପାଇଁ ସଂପୂର୍ଣ୍ଣ ରୂପେ ମନା କରିଦେଲେ । ହେଲେ ସୁବ୍ରତର ଗୋଟିଏ ଜିଦି ମୁଁ ଏ ଝିଅକୁ ହିଁ ବିବାହ କରିବି । ଝିଅଟି ସୁବ୍ରତର କଥା ଶୁଣି ସୁବ୍ରତ ସହିତ ଏକୁଟିଆ କଥା ହେବା ପାଇଁ ଅନୁମତି ମାଗିଲା ଆଉ ଦୁହେଁ ଛାତ ଉପରକୁ ଯାଇ କଥା ହେବାକୁ ଲାଗିଲେ । 

  ଝିଅଟି କହିବା ଆରମ୍ଭ କଲା ଆପଣ ମୋ ନାଁ ହୁଏତ ଜାଣି ସାରିଥିବେ କାହିଁକି ନା ଆପଣ ମୋ ଘର ଠିକଣା ବି ଜାଣି ସାରିଛନ୍ତି । 


ସୁବ୍ରତ - ହଁ ସବୁ କିଛି ଜାଣେ ମୁଁ ତୁମ ବିଷୟରେ ପାୟଲ । ସବୁ କିଛି । 


ପାୟଲ - ତମେ ବସରେ ମୋତେ କଣେଇ କଣେଇ ଚାହିଁଲା ବେଳେ ହିଁ ମୁଁ ବୁଝି ସାରିଥିଲି ତମେ ଦିନେ ନା ଦିନେ ମୋତେ ପ୍ରେମ ନିବେଦନ କରିବ ଆଉ ମୁଁ ଅପେକ୍ଷା କରିଥିଲି ସେଇ ଦିନକୁ ତମକୁ ସବୁ ସତ କଥା କହି ଦେବାକୁ ହେଲେ ତମେ ହଠାତ୍ ବିବାହ ପ୍ରସ୍ତାବ ନେଇ ଘରକୁ ପଳେଇ ଆସିଲ । ତମେ ଯେଉଁ ରୂପ ଆଉ ସୌନ୍ଦର୍ଯ୍ୟ ଦେଖି ମୋତେ ପ୍ରେମ କରି ବସିଛ ସେ ସବୁ ମୋର ବାହ୍ୟ ସୌନ୍ଦର୍ଯ୍ୟ ସୁବ୍ରତ । 

  କାହିଁକି ନା ମୁଁ ଗୋଟିଏ ଝିଅ ନୁହେଁ ,ମୁଁ ଗୋଟିଏ ବିଧବା ପତ୍ନୀ । ମୋର ବିବାହ ଦୁଇ ବର୍ଷ ତଳେ ହେଇ ସାରିଥିଲା ହେଲେ ମୋ ସ୍ବାମୀ ଦୁର୍ଘଟଣାରେ ପ୍ରାଣ ହରେଇଲେ ବର୍ଷକ ତଳେ ଆଉ ଶାଶୁ ଘର ଲୋକ ମୋତେ ଅନେକ ଅପମାନ ଆଉ ତିରସ୍କାର ଦେଇ ଘରୁ ବିଦା କରିଦେଲେ । 


ସୁବ୍ରତ - ହଁ ତ ସେଥିରେ କଣ ଅଛି ? ବିଧବା ହେଲେ ବି ତମେ କଣ ଗୋଟିଏ ନାରୀ ନୁହେଁ ! ତମ ଭିତରେ କଣ ହୃଦୟ ନାହିଁ ? ତମର ବଞ୍ଚିବା ପାଇଁ କଣ କିଛି ଆଶା ଆଉ ସ୍ବପ୍ନ ନାହିଁ । ହଁ ମାନୁଛି ମୁଁ ତମକୁ ପ୍ରଥମ ଥର ଦେଖିବା ଦିନ ଠୁ ହିଁ ପସନ୍ଦ କରିଥିଲି ହେଲେ ଭଲ କେବେ ପାଇଥିଲି ଜାଣିଛ ଯେବେ ଠୁ ମୁଁ ତମକୁ ଚିହ୍ନି ବାକୁ ଆରମ୍ଭ କଲି, ତମ ନିର୍ମଳ ହୃଦୟକୁ ଦେଖିଲି । ଯେତେବେଳେ ତମେ ରାସ୍ତାରେ ବସିଥିବା ଅସହାୟ ଲୋକଙ୍କୁ ସାହାଯ୍ୟ କରୁଥିଲ , ଅନ୍ଧ ପିଲା ମାନଙ୍କର ଦେଖାଶୁଣା କରୁଥିଲ, ନିଜ ଖାଇବା ଭାଗରୁ ବାହାରେ ବୁଲୁଥିବା ବୁଲା କୁକୁରଙ୍କୁ ବାଣ୍ଟି ଦେଉଥିଲ , ମନ୍ଦିର କଡ଼ରେ ନିସହାୟ ଲୋକଙ୍କୁ ନିଜ ଦରମା ପଇସାରେ ମାସକୁ ଥରେ ଭଲ କରି ଖାଇବା ଦେବାର ଦେଖିଲି ସେଇ ଦିନ ହିଁ ତମକୁ ମୁଁ ଭଲ ପାଇବା ଆରମ୍ଭ କଲି । 

  ଜୀବନରେ ଏତେ ବଡ଼ ଦୁଃଖ ଆଉ କଷ୍ଟ ପାଇବା ପରେ ବି ଯିଏ ଅନ୍ୟର ଦୁଃଖକୁ ବୁଝି ପାରେ ଆଉ ସାହାଯ୍ୟ କରେ ସେ ଭଳି ଜୀବନ ସାଥି ଭାଗ୍ୟରେ ଥିଲେ ମିଳନ୍ତି । ମୁଁ ବା କେମିତି ସେ ସୁଯୋଗ ହାତ ଛଡା କରିଥାନ୍ତି । 


ପାୟଲ - ତମେ ଏତେ ସବୁ କଥା ମୋ ବିଷୟରେ ଜାଣିଛ ? 


ସୁବ୍ରତ - ହଁ ପାୟଲ । ତମକୁ ଦେଖିବା ପରେ ହିଁ ମୋ ଜୀବନରେ ପ୍ରେମର ମିଠା ମହକ ଭରି ଯାଇଥିଲା । ଆଜି ମୁଁ ତମ ଘରକୁ ଆସିଛି ଆଉ ତମକୁ ତମ ହାତ ମାଗୁଛି କଣ ତମେ ସାରା ଜୀବନ ଏମିତି ତମ ପ୍ରେମର ମହକରେ ମୋ ଜୀବନକୁ ମହାକେଇବାକୁ ରାଜି ହେବ ? ମୋ ଜୀବନର ଏକ ଅଭିନ୍ନ ଅଙ୍ଗ ସାଜିବ ? 


ପାୟଲ - ହେଲେ ସୁବ୍ରତ ? ତମ ବାପା ମା ତ ରାଜି ନୁହଁନ୍ତି ? 


ସୁବ୍ରତ - ତମେ ଖାଲି ଥରେ ହଁ କହି ଦିଅ ପାୟଲ , ବାପା ମା ଙ୍କୁ ବୁଝେଇବା ଦାୟିତ୍ଵ ମୋର । 


ପାୟଲ ସୁବ୍ରତକୁ ଜାବୁଡି ଧରି କହିଲା ହଁ ସୁବ୍ରତ ମୁଁ ବି ଜଣେ ଭାଗ୍ୟବାନ ମଣିଷର ସ୍ତ୍ରୀ ହେବାକୁ ଚାହେଁ । ତମ ଠୁ ବେଶୀ ଭଲ ପାଇବା ହୁଏତ ଆଉ କେହି ଦେଇ ପାରିବେ ନାହିଁ ମୋତେ । ସୁବ୍ରତ ପାୟଲର ବାହୁ ବନ୍ଧନରେ ଆବଦ୍ଧ ହେଇ ଅନେକ ଦିନର ଆଶା ପୂରଣ ହେବାକୁ ଯାଉଛି ଭାବି ଖୁସି ହେବା ସହିତ ପ୍ରେମର ସେ ଅପୂର୍ବ ମିଠା ଭରା ମହକକୁ ଆଘ୍ରାଣ କରି ଚାଲିଥାଏ । 

  କିଛି ସମୟପରେ ଦୁହେଁ ତଳକୁ ଆସିଲେ ଆଉ ସୁବ୍ରତ ନିଜ ବାପା ମା'ଙ୍କୁ ବୁଝେଇ ଏ ପ୍ରସ୍ତାବ ପାଇଁ ରାଜି କରେଇ ନେଲା । କିଛି ଦିନ ପରେ ଦୁହେଁ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଲେ ଆଉ ସଫଳ ହେଲା ଭିନ୍ନ ଏକ ପ୍ରେମ କାହାଣୀ ।





Rate this content
Log in

Similar oriya story from Abstract