ଭଗବତୀ ଚରଣ ପାଣିଗ୍ରାହୀ ସ୍ମରଣେ
ଭଗବତୀ ଚରଣ ପାଣିଗ୍ରାହୀ ସ୍ମରଣେ
୧୯୧୭ ମସିହା ପରେ ପରେ ଅର୍ଥାତ୍ ସୋଭିଏତ ଋଷର ଅକ୍ଟୋବର ବିପ୍ଳବର ପୃଷ୍ଠଭୂମି ଉପରେ ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟର ସୂତ୍ରପାତ ହେଲା ସମଗ୍ର ବିଶ୍ଵରେ। ମୁକ୍ତି , ସ୍ଵାଧୀନତା ଓ ନବଚେତନାର ଚିନ୍ତାଧାରା ବିଶ୍ୱବାସୀଙ୍କ ମନରେ ସୃଷ୍ଟି କରାଏ ନୂତନ ପ୍ରତ୍ୟୟ, ଆଶା ଓ ଆଶ୍ଵାସନା। ଏହାର ପ୍ରଭାବରେ ବିଶ୍ଵ ସାହିତ୍ୟର ଧାରାରେ ମଧ୍ୟ ମାର୍କସବାଦୀ ଚେତନାର ଆହ୍ବାନ ପ୍ରତିଧ୍ଵନିତ ହେଲା। ଶ୍ରେଣୀହୀନ ସମାଜ ଗଠନ ଦିଗରେ ସୃଷ୍ଟି ହେଲା ଅନେକ ଆଶା। ତେଣୁ ସାହିତ୍ୟ କ୍ଷେତ୍ରରେ ଏହାର ପ୍ରଭାବ ହୋଇଯାଇଥାଏ ସୁନିଶ୍ଚିତ । ସାରସ୍ଵତ ବୁନିଆଦରେ ପ୍ରଗତିବାଦୀ ସାହିତ୍ୟ ଦେଖା ଦିଏ । ମାର୍କସବାଦ ଥିଲା ସାମାଜିକ ପ୍ରଗତିର ଓ ମୁକ୍ତିର ଏକ ସୂତ୍ର ଓ ମେହନତୀ ମଣିଷର ଆଦର୍ଶ। ୧୯୩୬ ମସିହା ବେଳକୁ ଭାରତୀୟ ସାହିତ୍ୟରେ ସାମ୍ୟବାଦୀ ଭାବନା ପ୍ରବେଶ କରିଥିଲା । ଭାରତୀୟ ରାଜନୀତିରେ ମଧ୍ୟ ଅନୁଭୂତ ହୋଇଥିଲା ଏହି ଚିନ୍ତାଧାରା।
ଓଡ଼ିଆ ସାହିତ୍ୟରେ ବାସ୍ତବଧର୍ମୀ ଚିନ୍ତାଧାରା ପ୍ରବେଶ କରି ସାରିଥିଲା ଫକୀରମୋହନ , ଗୋପବନ୍ଧୁ ଓ ଗୋଦାବରୀଶ ମିଶ୍ରଙ୍କ ଲେଖା ମାନଙ୍କରେ |ଛ' ମାଣ ଆଠଗୁଣ୍ଠର ଭଗିଆ, ସାରିଆ ଶୋଷିତ ମାନେ ଶ୍ରେଣୀବଦ୍ଧ ଭାବେ ପ୍ରତିରୋଧ କରିପାରି ନଥିଲେ । ତାର କାରଣ ସେତେବେଳେ ଶୋଷିତ ଓ ଅତ୍ୟାଚାରିତ ଏକାଠି ଭାବେ ମୁକାବିଲା ପ୍ରତିରୋଧର ମାର୍କ୍ସବାଦୀ ଚିନ୍ତାଧାରା ଜାଣି ନଥିଲେ | ଏସବୁକୁ ମୁଣ୍ଡପାତି ଭାଗ୍ୟ ଦୋଷ କହି ସହି ଯାଉଥିଲେ ।
ଭାରତୀୟ ସାହିତ୍ୟରେ ସାମ୍ୟବାଦୀ ଭାବନା ଆଧାର କରି ଆମ ଓଡ଼ିଆ ସାହିତ୍ୟରେ ପ୍ରଗତିଶୀଳ ରଚନା ଓ ସାହିତ୍ୟିକ ଗୋଷ୍ଠୀ ମାନଂକର ମଧ୍ୟ ଅନୁପ୍ରବେଶ କଲା | ଓଡ଼ିଶା ମାଟିରେ ମାର୍କସବାଦୀ ପ୍ରଗତିଶୀଳ ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା ହେଉଛନ୍ତି ଭଗବତୀ ଚରଣ ପାଣିଗ୍ରାହୀ । ଏହି ଧାରାର ପ୍ରବର୍ତ୍ତକ ଭାବେ ଭଗବତୀ ଚରଣ ପାଣିଗ୍ରାହୀ ହେଲେ ପ୍ରଗତିଶୀଳ ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା । ନୂତନ ଆଭିମୁଖ୍ୟ, କ୍ରାନ୍ତିକାରୀ ଉପଲବ୍ଧି ପ୍ରତିଫଳନ ହୋଇଥିଲା ଭଗବତୀଂକର ଗଳ୍ପରେ । ରାଜନୈତିକ ସଂଗଠନ ଗଢ଼ିବାକୁ ଯାଇ ବିଶେଷ ସମୟ ଦେଇ ପାରିନଥିଲେ ସୃଜନୀ ନିମିତ୍ତ । ତଥାପି କାଳଜୟୀ ସୃଷ୍ଟି ଥିଲା ଗଳ୍ପ ସମୂହ: ' ଶିକାର, ଜଙ୍ଗଲି, ମିଶ୍ରଙ୍କ କୋପ, ସମୟାତୀତ, ବଞ୍ଚିତା, ଜୀବନର ସମାଧି , ଝଡ଼, ଆରମ୍ଭ ଓ ଶେଷ ମୀମାଂସା, ମୃତ୍ୟୁର ବିବେଚନା, ମଜଲିସ୍, ହାତୁଡି଼ ଓ ଦା ଇତ୍ୟାଦି । ଏସବୁ ଗଳ୍ପ ମାନଙ୍କ ମଧ୍ୟରୁ ତାଙ୍କର ଶିକାରୀ ଗଳ୍ପ ପାଇଁ ଓଡ଼ିଶା କାହିଁକି ଏପରିକି ଅନ୍ୟ ଭାଷାଭାଷୀ ଲୋକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ଓ ପରିଚିତ
ଭଗବତୀଂକ ଜୀବନୀ
୧୯୦୮ ମସିହା ଫେବୃଆରୀ ମାସ ୧ ରେ, ପୁରୀ ଜିଲ୍ଲାର ବିଶ୍ଵନାଥପୁର ଶାସନରେ ଜନ୍ମ ଗ୍ରହଣ କଲେ ଭଗବତୀ ଚରଣ ପାଣିଗ୍ରାହୀ । ଭଗିରଥ ସଦୃଶ ନୂତନ ଦୃଷ୍ଟିଭଙ୍ଗୀ ନେଇ ଆଧୁନିକ ସମାଜ ଗଠନ କରିବା ପାଇଁ ଓଡ଼ିଶା ରାଜନୀତି ଓ ସାହିତ୍ୟ ଉଭୟରେ ହେତୁବାଦୀ ଚେତନାଯୁକ୍ତ ମାର୍କସବାଦୀ ଚିନ୍ତାଧାରାର ସାରଥୀ ଭାବେ ପ୍ରବେଶ କଲେ ଭଗବତୀ ଚରଣ। ସେଥିପାଇଁ ପ୍ରତି ବିପ୍ଳବୀ ଓଡିଶା ବାସୀଙ୍କ ହୃଦୟରେ ତାଙ୍କର ଆସନ ସ୍ଵତନ୍ତ୍ର । ସାହିତ୍ୟ ଓ ରାଜନୀତି ପରସ୍ପର ଘନିଷ୍ଠ --ଏକ ଓ ଅଭିନ୍ନ । ଜୀବନ ଓ ସାହିତ୍ୟକୁ ଏକାତ୍ମ କରି ବିବେଚନା କରିବାର ସାରସ୍ଵତ ପରମ୍ପରା ହିଁ ପ୍ରଗତିବାଦୀ ଚେତନା , ଯାହା କର୍ମ, ଚିନ୍ତା, ସାମାଜିକ ଉତ୍ଥାନ, ରାଜନୀତି, ସାହିତ୍ୟ କ୍ଷେତ୍ରରେ ଥିଲା ଭଗବତୀ ଚରଣଙ୍କର ବଳିଷ୍ଠ ପଦକ୍ଷେପ ।
ସାମ୍ୟବାଦ, ମାର୍କସବାଦୀ ଚିନ୍ତାଧାରା ଓ ସୋଭିଏତ ଋଷର ପ୍ରଭାବ ହେତୁ ୧୯୩୪-୩୫ ମସିହାରେ କଂଗ୍ରେସ ସାମୁଖ୍ୟ ଭିତରେ ଆତ୍ମପ୍ରକାଶ କରେ ଏକ ସମାନ୍ତରାଳ ମଞ୍ଚ 'କଂଗ୍ରେସ ସୋସାଲିଷ୍ଟ ପାର୍ଟି ' ଏବଂ ଭାରତୀୟ କମ୍ୟୁନିଷ୍ଟ ସଂଘ (୧୯୩୫)।
୧୯୩୫ ମସିହା ନଭେମ୍ବର ମାସ ୨୯ ତାରିଖ। କଟକର ଶ୍ରୀରାମଚନ୍ଦ୍ର ଭବନ ବୁଦ୍ଧିଜୀବୀ ମାନଙ୍କ ସହଯୋଗ ଓ ଉପସ୍ଥିତିରେ ରୂପ ନେଲା ଏକ
ଛ' ଦିନ ବ୍ୟାପୀ ଐତିହାସିକ ମିଳନ। ପ୍ରଥମ ଦିନର ଉଦଘାଟକ ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ (ଭଗବତୀଙ୍କ ବଡ଼ ଭାଇ) । ଅନ୍ୟ ପାଞ୍ଚଦିନ ସଭାପତି ଆସନରେ ଅଧ୍ୟାପକ ହରିବନ୍ଧୁ ମହାନ୍ତି (ବିଜ୍ଞାନ), ଅଧ୍ୟାପକ ମୋହିନୀ ମୋହନ ସେନାପତି (ଦର୍ଶନ), ଲକ୍ଷ୍ମୀ ନାରାୟଣ ସାହୁ (ସମାଜ ସେବା), ଅଧ୍ୟାପକ ଘନଶ୍ୟାମ ଦାସ (ଇତିହାସ) ଓ ହରିହର ମହାପାତ୍ର (ସାହିତ୍ୟ). ସେଇଠି ଜନ୍ମଲାଭ କରିଥିଲା ନବଯୁଗ ସାହିତ୍ୟ ସଂସଦ । କବି ଅନନ୍ତ ପଟ୍ଟନାୟକଙ୍କ ଗୀତ ଥିଲା ଉଦବୋଧନୀ ସଂଗୀତ :-
ନବୀନ ଯୁଗର ତରୁଣ ଜାଗରେ
ଜାଗ ବନ୍ଧନହରା
ବକ୍ଷ ଶୋଣିତ ଲକ୍ଷ ଜୀବରେ
ଖେଳାଅ ଆଲୋକ ଧାରା ।
ଛିନ୍ନ କରରେ ବନ୍ଧନ ରାଜି
କ୍ରନ୍ଦନ ହେଉ ଶେଷ
ଲୁପ୍ତ ହେଉରେ ଜାତି-ଉପଜାତି
ଖଣ୍ଡିତ ଶତ ଦେଶ
ମହାମାନବର ଶଙ୍ଖ ଶବଦେ
ଶମୁରେ ଦୁଃଖ ଜ୍ଵାଳା
ଜାଗ ବନ୍ଧନହରା ।👍
ଏହି ସଂଗଠନର ପ୍ରତି କ୍ଷେତ୍ରରେ ପ୍ରୋତ୍ସାହନ ଥିଲା ବାଗ୍ମୀ ପଣ୍ଡିତ ନୀଳକଂଠ ଦାସଙ୍କର । ତାଂକ ପ୍ରତିଷ୍ଠିତ ' ନବ ଭାରତର ନୂତନ ପ୍ରସ୍ଥ ' ଜାନୁଆରୀ ୧୯୩୬ ସଂଖ୍ୟାରେ ନବଯୁଗ ହିତ୍ୟ ସଂସଦ ଓ ତାର ମୁଖପତ୍ର ଆଧୁନିକ ଉପରେ ରୁଚିପୂର୍ଣ୍ଣ ଘୋଷଣା ଓ ଟିପ୍ପଣୀ ଥିଲା ନୀଳକଂଠଂକର ।
ଆଧୁନିକ ମାଧ୍ୟମରେ ପ୍ରଥମ ସମ୍ପାଦକୀୟ ବହନ କରିଥିଲା ଏହି ବାର୍ତ୍ତା :--" ଏହି ପରିବର୍ତ୍ତନର ବାର୍ତ୍ତା ଓଡ଼ିଶାର ଦ୍ଵାରେ ଦ୍ଵାରେ ଆଘାତ କରିଗଲାଣି, କିନ୍ତୁ ଅନେକ ସେ ବିଷୟରେ ସଚେତନ ନୁହନ୍ତି । ଏହି ବାର୍ତ୍ତା ଯେ ଆସି ଆଘାତ କଲାଣି , ' ଆଧୁନିକ' ତାହା ହିଁ ତା'ର ସ୍ଵରରେ ପ୍ରଚାର କରିବ । ଅର୍ଥାତ୍ କାକତାଳୀୟ ନ୍ୟାୟରେ ' ଆଧୁନିକ' ଯଦି କିଛି କରିପାରିଲା, ତାହା ଆମର ଯଥେଷ୍ଟ । ଗଛରେ ତାଳଟିଏ ଫଳାଇବା କିମ୍ବା ପାଚିଲା ତାଳଟିଏ ଭିଆଣ କରିବାର ଦୁରାଶା ଆଧୁନିକ ପୋଷଣ କରିନାହିଁ । ତାଳ ଫଳିବା ଓ ପାଚିବା କାମ ଆପେ ହେବ । ପାଚିଲା ତାଳଟିକୁ ଉପଯୁକ୍ତ ଅବସ୍ଥାରେ ଝଡ଼ାଇବା ହିଁ ' ଆଧୁନିକ'ର ଉଦ୍ଦେଶ୍ୟ ।"
ସତ୍ୟଶୀଳ ହୋଇ ଜୀବନର ବାସ୍ତବ ଦିଗଟିକୁ ଦେଖିବାକୁ ' ଆଧୁନିକ' ପତ୍ରିକାର ଲେଖକମାନେ ଥିଲେ ସର୍ବଦା ଯତ୍ନଶୀଳ । ପତ୍ରିକାର ବିଷୟ ସମୂହ ଥିଲା ଅତ୍ୟଂତ ଉଚ୍ଚକୋଟୀର । ସର୍ବଶ୍ରୀ ଅନନ୍ତ ପଟ୍ଟନାୟକ , ପ୍ରାଣବନ୍ଧୁ କର , ଗୋପୀନାଥ ମହାନ୍ତି , ଗୁରୁ ଚରଣ ପଟ୍ଟନାୟକ , ସଚ୍ଚି ରାଉତରାୟ ଥିଲେ ନିୟମିତ ଲେଖକ ଏବଂ ସମ୍ପାଦକୀୟ ରହୁଥିଲା ଭଗବତୀ ଚରଣଙ୍କର । ସାମ୍ୟବାଦର ସ୍ଵର ଅନୁରଣିତ ହେଉଥିଲା ପତ୍ରିକାର ବହୁଳାଂଶରେ --
" ସଂଖ୍ୟା ଅଗଣ ତବ , ଜାଗ ଜାଗ ଭୈରବ
ଶୋଷଣ କର ଆଜି ଶେଷ ,
ସାମ୍ୟରେ ପୂରୁ ଦିଗ ଦେଶ ।
ଜଠରେ ଜଠରେ ତବ କ୍ଷୁଧିତର
ବହ୍ନିରେ ଚକ୍ଷୁରେ ନବୀନର ଜ୍ୟୋତି ,
ଭସ୍ମକର ରେ ସବୁ ସନ୍ଦେହ ସଂଶୟ
ଖୋଜି ଆଣ ପୁଲକର ମୋତି ।
ମୃତ୍ୟୁର ତଳେ ତଳେ ଜୀବନର ଦୀପ ଜଳେ
ଶଂକାରେ ଶିର ନୋହୁ ପୋତି ।
୧୯୩୫ ମସିହାରେ ସାମ୍ୟବାଦୀ ଆଦର୍ଶର ମୂଖ୍ୟ ପୃଷ୍ଠପୋଷକ ଭାବେ ଉଭା ହେଲେ ଭଗବତୀ ଚରଣ ଓ ଗଠନ କଲେ ନବଯୁଗ ସାହିତ୍ୟ ସଂସଦ। ପରବର୍ତ୍ତୀ ସମୟରେ ରାଜନୈତିକ ମତଭେଦ ଯୋଗୁଁ କଂଗ୍ରେସ ସୋସାଲିଷ୍ଟ ପାର୍ଟି ତ୍ୟାଗ କରି ଗଢ଼ିଲେ ଉତ୍କଳ କମ୍ୟୁନିଷ୍ଟ ପାର୍ଟି ୧୯୩୮ ମସିହାରେ । ଏଇଠାରୁ ହିଁ ଆରମ୍ଭ ହେଲା ସମ୍ପୂର୍ଣ୍ଣ ଭାବେ ମାର୍କସବାଦୀ ଚିନ୍ତାଧାରାରେ ଆନୁଷ୍ଠାନିକ ଭିତ୍ତିପ୍ରସ୍ତର କଲା ଏକ ନୂତନ ରାଜନୈତିକ ଦଳ, ଉତ୍କଳ କମ୍ୟୁନିଷ୍ଟ ପାର୍ଟି |
ମାତ୍ର ୩୫ ବର୍ଷ । ଜୀବନ ଯେଉଁଠୁ ଆରମ୍ଭ କରିବା ପାଇଁ ସ୍ଵପ୍ନ ଦେଖନ୍ତି, ସେଇଠି କିନ୍ତୁ ତାଂକ ଜୀବନ ଶେଷ ହୋଇ ଯାଇଥିଲା ଅକ୍ଟୋବର ୨୩ ତାରିଖ ୧୯୪୩ ମସିହାରେ। ଆଉ ଶୁଭି ଯାଉଥିଲା :--
" ଆମେ ଚାହୁଁ ସତ୍ୟବାନ ଓ ସାହସୀ ହେବୁ । ମନୁଷ୍ୟ ମୁକ୍ତ , ସ୍ଵାଧୀନ ହେଲେ ସୌନ୍ଦର୍ଯ୍ୟର କଥା ପରେ ବିଚାର କରିବ । "
ବିଶିଷ୍ଟ ଶିକ୍ଷାବିତ , ସାହିତ୍ୟ ସାଧକ , ଚିନ୍ତାନାୟକ ଡଃ ମାୟାଧର ମାନସିଂହଙ୍କ ଭାଷାରେ --
" ଉତ୍କଳ ଦେଶରେ ମାର୍କସୀୟ ଭାବଧାରାର ଯିଏ ଥିଲେ ପ୍ରକୃତ ଭଗୀରଥ ତାଙ୍କର ରଚନାରେ ଏସବୁ ଦୁର୍ଗୁଣ କିଛି ହେଲେ ନଥିଲା । ସେ ଥିଲେ ବାହାରକୁ ନିରୀହ , ନିରହଙ୍କାର , ଆସ୍ଫାଳନ ହୀନ ଏକ ତରୁଣ ଯାହାଙ୍କର ଅନ୍ତର ଥିଲା ସଂସ୍କୃତିର ନିର୍ଯ୍ୟାସରେ ଭରା। ତାଙ୍କ ବାଣୀରେ ନଥିଲା କୌଣସି ପ୍ରକାର ଅସ୍ପଷ୍ଟତା , କି ନଥିଲା ତାଙ୍କରି କୌଣସି ପ୍ରକାର ଛଦ୍ମତା ବା କୌଣସି ଅଯଥାର୍ଥ ଦାବିର ପ୍ରୟାସ । ସେ ହେଉଛନ୍ତି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ସାନଭାଇ ସ୍ଵର୍ଗତ ଭଗବତୀ ଚରଣ ପାଣିଗ୍ରାହୀ , ଯାହାଙ୍କର ଅକାଳ ମୃତ୍ୟୁ ଓଡ଼ିଶା ପ୍ରତି ହୋଇ ଉଠିଲା ଏକ ଅପୂରଣୀୟ ସାଂସ୍କୃତିକ ହାନି । ଗଳ୍ପ , ପ୍ରବନ୍ଧ ଓ ବାସ୍ତବ ଜନସେବା ଦେଇ ଭଗବତୀ ଉତ୍କଳ ଦେଶରେ ବାମପନ୍ଥୀ ଚିନ୍ତାଧାରାର ମୂଳ ପତ୍ତନ ପକାଇ ଯାଇଛନ୍ତି । "
