STORYMIRROR

Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

ଜାତୀୟ କବି ବାଞ୍ଛାନିଧି ମହାନ୍ତି

ଜାତୀୟ କବି ବାଞ୍ଛାନିଧି ମହାନ୍ତି

4 mins
396


ମଣିଷ ଜନମ ଅଟେ ଦୁର୍ଲ୍ଲଭ | ବୁଦ୍ଧି, ଜ୍ଞାନ, ମାୟା ବଳେ ସାରା ଜଗତକୁ ଆୟତ୍ତ କରିଛି | ମଣିଷର ପାଞ୍ଚ ମନ ଆଉ ପଚିଶି ପ୍ରକୃତି | ଭାବର ଅଭାବେ ଶିଷ୍ଟାଚାର ନଷ୍ଟ ହୋଇଥାଏ | କାୟା, ମନ ଓ ବାକ୍ୟ ପବିତ୍ର ହୋଇଲେ ସ୍ଵଭାଵ ଭଲ ହୁଏ | ମନ ଅନ୍ବେଷୀ, ମନ ରଚନା କରେ ପ୍ରୀତିର ଭାବ | ଏହି ମନ ସୃଷ୍ଟି କରେ ପବିତ୍ର ଭାବନା ଏବଂ ମଧ୍ୟ ବିଦ୍ୱେଷ ଭାବନା | ମନ ଥିଲେ ସାଧକ ହୋଇ ପାରିବ ଓ ନିଜର ଜ୍ଞାନ ବଳରେ ଜଗତବାସୀ ଙ୍କୁ ନୂତନତାର ଦିବ୍ୟ ଦୃଷ୍ଟି ପ୍ରଦାନ କରି ପାରିବ | 

 ପ୍ରଥମ ବିଶ୍ବ ଯୁଦ୍ଧର କରାଳ ଧ୍ବଂସ ଲୀଳା ଓ ଋଷୀୟ ସାମ୍ଯବାଦ ବିପ୍ଳବ, ଏହି ଦୁଇଟି ସ୍ମରଣୀୟ ଘଟଣା ସାମ୍ଯବାଦର ସାମ୍ଯ ସଂଗୀତରେ ବିଶ୍ବର ଦଳିତ ନିସ୍ପେଷିତ ଜନତାଙ୍କ ମନରେ ମୁକ୍ତି ଓ ସ୍ୱାଧୀନତା ର ନୂତନ ଆଶାର ସଂଚାର ହେଲା |

 କରି ହୁରି ହାରି ଗୁହାରି କୌଣସି ଜାତି ମୁକ୍ତି ପାଇନି | କିଛି ଲୋକଂକର ଭାବନା ନୂତନତାର ଦିବ୍ୟ ଦୃଷ୍ଟି ପ୍ରଦାନ କରି ପାରେ | ଭାରତରେ ସ୍ୱାଧୀନତା ସଂଗ୍ରାମ ଜୋରଦାର ହେଲା | ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଭୂମିକା ସର୍ବ ଭାରତୀୟ ସ୍ତରରେ କୌଣସି ଗୁଣରେ ନ୍ୟୁନ ନଥିଲା | 

 ବାଲେଶ୍ୱର ଜିଲ୍ଲାରେ ଇଞ୍ଚୁଡ଼ି ସତ୍ୟାଗ୍ରହ ଦ୍ୱିତୀୟ ଦାଣ୍ଡୀ ଭାବେ ଖ୍ୟାତ | ରକ୍ତ ତୀର୍ଥ ଇରମ ଓଡ଼ିଶାର ଜାଲିଆନାୱାଲାବାଗ | ସେହି ଇରମର ମାଟିରେ 20 ଏପ୍ରିଲ,1897 ମସିହାରେ ଜନ୍ମ ଗ୍ରହଣ କରିଥିଲେ ଜଣେ ବିପ୍ଳବୀ ଜାତୀୟ କବି ବାଞ୍ଛାନିଧି ମହାନ୍ତି | ପିତା ତାଙ୍କର ଥିଲେ ଚିନ୍ତାମଣି ମହାନ୍ତି l 

ଜମିଦାର ମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ସେ ଗ୍ରାମ ଛାଡ଼ି ଆସି ଭଦ୍ରକ ବଙ୍କ ସାହିରେ ରହି ମୋହରୀର କାର୍ଯ୍ୟ କଲେ | ଭଦ୍ରକ ହାଇସ୍କୁଲରୁ ମାଟ୍ରିକ ପାଶ କଲା ପରେ ରେଭେନସା କଲେଜରୁ FA ପାଶ କଲେ | ରେଭେନସା କଲେଜରେ ସେ BA ପଢ଼ୁଥିବା ବେଳେ କାନ୍ତ କବି, କୃଷ୍ଣ ପ୍ରାସାଦ ବସୁ ଓ ଗୋବିନ୍ଦ ସୁରଦେଓଙ୍କ ସଂସ୍ପର୍ଶରେ ଆସି ତାଙ୍କର କବି ପ୍ରତିଭାର ସ୍ଫୁରଣ ହୋଇଥିଲା l   

    ଇରମ ଅଞ୍ଚଳରେ ଗାଁ ଟାଉଟର, ସୁଧଖୋର ମହାଜନ, ଅତ୍ୟାଚାରୀ ଜମିଦାର, ରାଜା ଆଦି ବ୍ରିଟିଶ ଦଲାଲ ମାନଙ୍କର ଦୌରାତ୍ମ୍ୟ ଚାଲିଥିଲା l

ଜୀବନର ଲକ୍ଷ୍ୟ ଥିଲା ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ,

  ବ୍ରିଟିଶ ଶାସନର ମୁଳୋତ୍ପାଟନ l 

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେଲା 1936 ରେ ଯାହା ତାଙ୍କ ସଂଗ୍ରାମୀ ପ୍ରାଣକୁ ଆଲ୍ଲାଦିତ କରିଥିଲା l ଦୁଃଖର କଥା ଦେଶ ସ୍ୱାଧୀନ ହେଲା ବେଳକୁ ସେ ଆଉ ଜୀବିତ ନଥିଲେ l ଏପ୍ରିଲ 19,1938ରେ ମାତ୍ର ବୟାଳିଶ ବର୍ଷ ବୟସରେ ତାଙ୍କ ଜୀବନ ପ୍ରଦୀପ ଲିଭି ଯାଇଥିଲା l


  ବାଞ୍ଛାନିଧି ମହାନ୍ତି କାନ୍ଧରେ ହାର୍ମୋନିଅମ ଖଣ୍ଡେ ପକାଇ ଗ୍ରାମ ଗ୍ରାମ ଗାଇ ବୁଲୁ ଥିଲେ ଅଗ୍ନିବର୍ଷି ସ୍ୱରଚିତ ବିପ୍ଲବୀ ସଙ୍ଗୀତ | ତାଙ୍କ ମନରେ ସ୍ଫୁରିଲା ସ୍ୱାଧୀନତା ସଂଗ୍ରାମ ପାଇଁ କେତେ କେତେ ଦେଶାତ୍ମ‌ବୋଧକ କବିତା l ସେ ମନ ଗାଇଲା ବିପ୍ଳବର ଗୀତ | ସେ ଗୀତ ଗୁଡିକରେ ଯେପରି ଥିଲା ତାର ଯାଦୁ l ସେ ଯାଦୁରେ କବଳିତ ହୋଇ ସେଦିନ କେତେ ନରନାରୀ ଶହୀଦ ହୋଇଥଲେ ରକ୍ତତୀର୍ଥ ଇରମରେ l 

  

    ଗାଆଁ ମାଟିର ଦୀନ ଦରିଦ୍ର ଚିତ୍ରକୁ ଦେଖି ତାଙ୍କ ହୃଦୟ ପୁଣି କାନ୍ଦି ଉଠିଲା l ଲୋକଙ୍କୁ ଜଗାଇ ପୁଣି ଗାଇଲା :-

   କାହୁଁ ଅଇଲେ ବିଦେଶରୁ ବେପାରୀ l

   ସବୁ ସାଇଲେ ଆମେ ହେଲୁ ଭିକାରୀ ll


ସେ ସ୍ୱାଧୀନତାର ସ୍ବପ୍ନ ଦେଖି ଲେଖିଥିଲେ :-

  ଗାଅ ସ୍ୱାଧୀନ ଭାରତ ସ୍ୱାଧୀନ ଭାରତ 

       ସ୍ୱାଧୀନ ସ୍ଵାଧୀନରେ l

ଲବଣ ସତ୍ୟାଗ୍ରହ ଚାଲିଥାଏ 1930 ମସିହାରେ l ବାଲେଶ୍ୱରର ଅନତିଦୂରରେ ଇଞ୍ଚୁଡ଼ିକୁ ଚାଲି ଥାନ୍ତି ହଜାର ହଜାର ସଂଗ୍ରାମୀ, ଲୁଣ ମାରିବାକୁ | ଶୋଭା ଯାତ୍ରାରେ ଝଙ୍କୃତ ହେଉ ଥାଏ ବାଞ୍ଛାନିଧିଙ୍କ ଗୀତ "ଗାଅ ସ୍ୱାଧୀନ ଭାରତ,ସ୍ୱାଧୀନ ଭାରତ "l 

 ଗୀତ ଶୁଣି ପଣ୍ଡିତ ନୀଳକଣ୍ଠ କହିଲେ, ଏହି ଗୀତ ଶୁଣି ମୋ ଶରୀରରେ ରୋମାଞ୍ଚ ଜାତ ହେଉଛି l

  ଜାତୀୟ ବାଦୀ କବି ସହ ସେ ମଧ୍ୟ ଥିଲେ ଜଣେ ସୁଗାୟକ l କନିକା ଅତ୍ୟାଚାର ବିରୁଦ୍ଧରେ କଟକ ଠାରେ ପ୍ରାଦେଶିକ ସମ୍ମିଳନୀ ଆୟୋଜିତ ହୋଇଥାଏ l ଅଧ୍ୟକ୍ଷ ଥାନ୍ତି ଆଚାର୍ଯ୍ୟ ପ୍ରଫୁଲ୍ଲଚନ୍ଦ୍ର ରାୟ l ବାଞ୍ଛାନିଧି ମଞ୍ଚ ଉପରକୁ ହାର୍ମୋନିୟମ ଧରି ଉଠି ଗଲେ ଏବଂ ଗାଇଲେ ସ୍ୱରଚିତ ଦୁଃଖିନୀ କନିକା ଗୀତ :-

  କେତେଦିନ ଆଉ ଦୁଃଖିନୀ କନିକା 

      ଅନୀତି ଯାତନା ସହିବ l

  ଦୁଃଖ ସହିବାକୁ ଦୁଃଖିନୀ ଲଲାଟେ 

      ଲିହି ଅଛି କିବା ଦଇବ ll


 ଗୀତଟିରେ କନିକାର ନଗ୍ନ ଚିତ୍ର ଫୁଟି ଉଠିଥିଲା l ଗୀତ ଶୁଣି ସମବେତ ଜନତା କାନ୍ଦି ଉଠି ଥିଲେ l

    ଆମ ଜାତୀୟ ପତାକା ତ୍ରିରଙ୍ଗାକୁ ସମ୍ମାନ ଜଣାଇ ସେ ଲେଖିଥିଲେ :-

  ଧନ୍ୟ ଧନ୍ୟ ତୁହି ତିନି ରଙ୍ଗିଆରେ l

  ଧରିଛୁ ମୁଖରେ ଅଙ୍ଗ ସାଙ୍ଗିଆରେ ll


     ବହୁ ସଂଗ୍ରାମ ପରେ ସ୍ୱତନ୍ତ୍ର ଓଡ଼ିଶାପ୍ରଦେଶ ଗଠନ ହେଲା 1936 ରେ l ମାତ୍ର ସମସ୍ତ ଓଡ଼ିଆ ଭାଷା ଭାଷୀ ଅଞ୍ଚଳ ଓଡ଼ିଶାରେ ମିଶି ପାରି ନଥିଲା l ସେ ଏଥିରେ ବ୍ୟଥିତ ହୋଇ ଲେଖିଲେ :-

  କି ହେବ ମୁଣ୍ଡ କଟା ଦେଶକୁ ଘେନି 

 ମୁଣ୍ଡକଟା, ଗୋଡ଼କଟା ପେଙ୍ଗୁକୁ ଘେନି l

ମୋ ଜନନୀ କି ସୁନ୍ଦର,ସିଂହଭୂମି ତାର ଶିର 

  ମେଦିନୀପୁର ମଞ୍ଜୁଷା ପୟର ବେନି ll

ଟିକାଲି ତା ଅଙ୍ଗ ଟୀକା, ସମ୍ବର ଚାରୁ ଛିଟିକା 

   ଫୁଲଝର ଫୁଲଝରା ସୁଷମା ବେଣୀ ll

  ହାରି ଗୁହାରି କରି ଆମ ଦେଶ ସ୍ୱାଧୀନତା ପାଇବ,ଏଥିରେ ସନ୍ଦେହ ପ୍ରକଟ କରି ସେ ଲେଖିଲେ :-

  କହ କହ କେଉଁ ଜାତି ପାଇଛି ମୁକତି 

      କରି ହୁରି ହାରି ଗୁହାରି l

  କହ ପାଇଛି କେ ସୁଖ ଲିଭାଇଛି ଦୁଃଖ 

      ମାଗି ମାଗି ପଥ ଭିକାରି ll


   ଖଟିଖିଆ ମଣିଷର ଦୁର୍ଦ୍ଦଶା, ଶୋଷଣ ବିରୁଦ୍ଧରେ ସେ ସ୍ୱର ଉତ୍ତୋଳନ କରି ଲେଖିଥିଲେ :-

  କି ହେବ ଏ ସ୍ଵରାଜ୍ୟ ଘେନି ଯେବେ 

     ମୋର ନ ପୁରେ ପେଟ l

   ଖଟି ଖଟି ମଲେଣି ମୂଲିଆ ଚାଷୀ 

     ଜମି ଦାନା କନା ନିଅଣ୍ଟ ll

      ଅଧମାଣ ଜମି ଜଣକା,

     କୋରକରେ ସେ ପୁଣି ବିକା l

    ଗାଆଁରେ ସଭିଏଁ କରଜ କରନ୍ତି, 

   ଜଣେ ଦୁଇଜଣ ବମ୍ବେଇ ସେଠ ll


ବିପ୍ଳବର ଗୀତ ଗାଇ ଗାଇ ସେ ହେଲେ ବିପ୍ଳବୀ କବି ଆଉ ଜାତୀୟତାର ବାର୍ତ୍ତା ଶୁଣାଇ ସେ ବନିଗଲେ ଜାତୀୟକବି l

    ବାଞ୍ଛାନିଧିଙ୍କ ଉଦ୍ଦାମତା ଭରା ଗୀତ ଗୁଡ଼ିକୁ ଲକ୍ଷ୍ୟ କରି ଗୋପବନ୍ଧୁ କହିଥିଲେ :-

   ଦେଶ ଜାତି ପ୍ରୀତି ସରସ୍ୱତୀ ନଦୀ,

   ବହୁଛି ଇରମେ ଶତ ମାର୍ଗ ଭେଦି l

   ଏ ଅନ୍ତଃ ସଲିଳା ସମଗ୍ର ଭାରତେ,

   ଜାତୀୟତା ଧାରେ ବହିବ ନିରତେ l

   ଜାତୀୟ କବିତା ତରୀ ଇରମରେ,

   ଭାସିଯିବ ଦିନେ ଦେଶ ଦେଶାନ୍ତରେ l

            ମାତ୍ର 42 ବର୍ଷର ଜୀବନ କାଳ ମଧ୍ୟରେ ଜାତୀୟ କବି ବାଞ୍ଛାନିଧି ଯେଉଁ ଦେଶ ଏବଂ ଜାତି ପ୍ରେମର ବାର୍ତ୍ତା ଛାଡ଼ି ଯାଇଛନ୍ତି ସେଥି ନିମନ୍ତେ ସେ ଓଡ଼ିଶା ବାସୀଙ୍କ ନିକଟରେ ଚିର ପ୍ରେରଣାର ଉତ୍ସ ହୋଇ ରହି ଥିବେ l ଆଜି ତାଙ୍କ ପୁଣ୍ୟ ଜନ୍ମ ତିଥିରେ ତାଙ୍କୁ ମୁଁ ଜଣାଉଛି ମୋର ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି l

      


Rate this content
Log in

Similar oriya story from Inspirational