STORYMIRROR

Lopamudra Parida

Drama Inspirational

3  

Lopamudra Parida

Drama Inspirational

ଭାଇଚାରା

ଭାଇଚାରା

2 mins
85


ଆମେ ବଢିଛୁ ଭାଇଚାରାର ମାଟି କଟକରେ, ଯୋଉଠି ଦଶରାରେ ଫତିମା ଚାଚୀ ଆମକୁ ହାତଖର୍ଚ୍ଚ ଦିଅନ୍ତି ଆଉ ଆମ ବୋଉ ହିଫ୍ଜାକୁ ଇଦି ଦିଏ ।ଆମ ଘରୁ ଆରିସା, କାକରା, ମଣ୍ଡା ପିଠା ତାଙ୍କ ଘରକୁ ଯାଏ ଆଉ ସେପଟୁ ବି ସେବୟା, ମିଠା ଦହିବରା ଆଉ ପଲଉ ଆସେ ।ଚାଚୀ ଘର ପିଓର ଭେଜିଟେରିଆନ୍ ତ ବେଜ୍ ବିରିୟାନୀ ବି ବନେ କେବେ କେବେ ।ଛାତକୁ ଛାତ ଲାଗିଛି ତ ,ସୁଖ ଦୁଃଖରେ ସମଭାଗୀ ହେଇ ଚଳୁ ।ଆମ ଘରେ ମାଛ ବେସର ହିଫ୍ଜା ଆଉ ତା ଭାଇ ଆମ ସାଙ୍ଗରେ ବସି ଖାନ୍ତି, ବୋଉ ବାଢିଦିଏ ।କହେ ପିଲେ .....ଇଶ୍ବର ସମାନ ସମସ୍ତଙ୍କର ।ଫାତୀମା ଚାଚୀ ଆମ ଦିହିଁଙ୍କ ପାଇଁ ଏକା କଲର ଦୁପ୍ପଟା ରେ ଏମ୍ବ୍ରୋଡରକ ଫୁଲ କରି ଆମ ନାଁ ସବୁ ବି ଲେଖିଦେଇଥିଲେ ମଖମଲି ସୁତାରେ ।ଆମେ ନିଜ ନିଜର ବଦଳେଇ ଦେଇଥିଲୁ ଜାଣିକି, କେହି କାହାକୁ ଭୁଲିବାନି ବୋଲି ।ହୃଦୟରେ ଯିଏ ଘର କରେ ତାକୁ କିଏ ଭୁଲେ ।ଓଢଣୀ ତ ଗୋଟେ ବାହାନା ।


ଆବଶ୍ୟ ଜେଜେ ମା' ଟିକେ କେଁ କେଁ ହୁଏ ,କହେ ଏ ପଠାଣପାଣି ପି ମୋ ଶାଳଗ୍ରାମଙ୍କୁ ଯେମିତି ନ ଛୁଅଁ, ଜାଣିରଖବରଦାର! 


ଆମେ ତାର ବାଳ ଭୋଗ ଖଇ କୋରା କଦଳୀ ଚକଡା ମିଶି ବାଣ୍ଟି ବାରି ଆଡେ ଖାଇ ମୁଣ୍ଡରେ ହାତ ପୋଛୁ ।ଆଉ ତାକୁ କହୁ ,ଯୋଉଦିନ ତୋ ଶାଳଗ୍ରାମ ନିଜେ କହିବେ ସେଇ ଦିନ ମାନିବୁ ।ସିଏ କାଇଁ କହିବାକୁ ଯିବେ ଯେ ! ତାଙ୍କର କଣ ଯାଉଛି ଏ ଅଡୁଆରେ ମୁଣ୍ଡ ପୁରେଇବା ।


ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ....

 କହେ ସାଲବେଗ ହୀନ .....


ସ୍ବର କରି ଆମେ ସଭିଏଁ ଶିଖୁ, ସେତେବେଳେ ଜେଜେ ମା କହେ ଏଇ ମାନେ ଆମ ସାଲବେଗଙ୍କର ବଂଶଜ ବୋଧେ ।ଯବନ ପରା ।


ହଜାରେ ଥର ମସଜିଦକୁ ଟୁଙ୍ଗ୍ କି ଗଳିଯାଉ ଆମେ ଆଲ୍ଲା କେମିତି ଦେଖିବାକୁ, ସିଏ କାଳେ ଦେଖିପାରନ୍ତି ସବୁ କିନ୍ତୁ କାହାକୁ ଦିଶନ୍ତିନି ବୋଲି ଦାଢୀ ବାଲା କାଫିର୍ ବାବା କୁହନ୍ତି, ଠିକ୍ ଆମ ପରମବ୍ରହ୍ମଙ୍କ ପରି ।

ପୀରବାବା ପୀଠରେ ବୋଉ ଅଧିଆ ପଡେ, ଫିରନୀ ଚଢାଏ । ସିରିଣୀ ଜାଚେ ଟିକେ ଦେହପା ଖରାପ ହେଲେ , ମୟୁର ପକ୍ଷରେ ଟିକେ ଚମକିଲେ ଝାଡି ହଉ,ବିଭୁତି ଖାଉ ,କଳା ତାବିଜ ମନ୍ତରେଇ ବୋଉ ବେକରେ ବାନ୍ଧେ ଦୃଷ୍ଟି ପଡିବନି କହି ।ଫତୀମା ଚାଚୀ ବି ବୋଉ ହାତରେ ମଙ୍ଗଳା ଦାଣ୍ଡରେ ପଣା ଢଳାନ୍ତି । ମାଜଣା ପାଇଁ ଅଗରୁ, ଝୁଣା ପଠାନ୍ତି ।

******

କଟକରେ ଦଙ୍ଗା ବି ହୁଏ ,ଗଣେଶ ପୂଜା, ଦଶରା କି ରମଜାନ୍ ମାସ ଆସିଲେ ।ଆମେ ବି ଶଙ୍କୁ ।ଆମ ଅଜା ପୁରୀ ରୁ ଘନ ଘନ ଟ୍ରଙ୍କ୍ କଲ କରନ୍ତି । ଚିଠି ପରେ ଚିଠି ଦିଅନ୍ତି ବୋଉ କୁ ......ଆମକୁ ନେଇ ଚାଲିଆସିବାକୁ । ହିଫ୍ଜା ଙ୍କ ଭଦ୍ରକରୁ ବି ତା ଚଚା, ବଡେଅବ୍ବୁ ସବୁ ବ୍ଯସ୍ତ ହୁଅନ୍ତି ।


ଆମର କିନ୍ତୁ ଅଗଣା ମଝି ଠଣା ବାଟେ ଛାତ ବାଟେ ଦିଆ ନିଆ ଚାଲିଥାଏ ।ବୋଉ ଅଜାଙ୍କୁ କହେ ,ବ୍ଯସ୍ତ ହୁଅନି ବାପା ଆମେ ସବୁ ଘରେ ଅଛୁ ଭଲରେ ଅଛୁ ।


ପୁଣି କିଛି ଦିନେ ସବୁ ଠିକ୍ ହେଇଯାଏ ।ଇଲେକ୍ସନ୍ ମାସରେ ପୁଣି ଶୁଭେ ଦଙ୍ଗା ।


ଆମେ ପୁଣି କବାଟ କିଳି ବାରି ପଟେ ମିଶୁ ।ଦଶରା ଭୋଜି ଆଉ ମେଢ ବୁଲା,ରମଜାନ୍ ଜନ୍ତାଳ ,ଗଣେଶ ପୂଜା ଭୋଗ, କାଳୀ ପୂଜା ଭଷାଣୀ, ଇଦ୍, ଡଙ୍ଗାଭସା ଆମର ସବୁ ଚାଲେ ଖ୍ରୀଷ୍ଟମାସ ର କେକ୍,କ୍ଯାନ୍ଡେଲ୍ ଆଉ ହାତ ତିଆରି ପଦ ଛିଣ୍ଡେଇ ନିଜର ଗୀତ ଲେଖା ପୋଷ୍ଟ କାର୍ଡ ଆଉ ଗ୍ରିଟିଙ୍ଗ୍ .ଯାଏଁ ....ଆମେ ତ ଏକାଠି ଥାଉ ।


ମଝିରେ ମଝିରେ କିଏ ସବୁ କେଜାଣି ଦଙ୍ଗା କରନ୍ତି ।

ସେମାନଙ୍କୁ ବୋଧେ ପରବ ପାଳି ଆସେନି ଏକାଠି ।


କିଏ ସେମାନେ କେଜାଣି?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama