ବେଶ୍ୟା (ଏକ ନାରୀର କରୁଣ କାହାଣୀ)
ବେଶ୍ୟା (ଏକ ନାରୀର କରୁଣ କାହାଣୀ)
ହେ ମାନବରୂପୀ ରାକ୍ଷସ, ଆଙ୍ଗୁଠି ମୋତେ ଦେଖେଇବା ଆଗରୁ ଆଇନାରେ ପ୍ରଥମେ ନିଜ ମୁହଁ ଦେଖନ୍ତୁ । ନିଜ ଭିତରେ ଥିବା ଚେତନାକୁ ପଚାରନ୍ତୁ ।ମୋତେ ବେଶ୍ଯା ବୋଲି ସମ୍ବୋଧନ କରିବା ପୂର୍ବରୁ ତୁମକୁ ତୁମ ନିଜ ଉପରେ ଘୃଣା ଓ ଲଜ୍ଯା ଆସିବ ।ନିଜକୁ ଅନ୍ୟ ଆଗରେ ପରିଚୟ ଦେବାପାଇଁ କୁଣ୍ଠାବୋଧ ପ୍ରକାଶ କରିବ ।ଲୁଚାଇ ଲୁଚାଇ କାନ୍ଦିବ,ନିଜ ଲୁହରେ ନିଜେ ଜଳି ଛାରଖାର ହୋଇ ଯିବ ।
ଜନ୍ମରୁ ତୋ ମୁଁ ଏହି ଉପାଧି ପାଇ ନ ଥିଲି । ସମସ୍ତଙ୍କ ପରି ମୋର ବି ମନଟିଏ ଥିଲା । କାହା ଘରର କୂଳ ବୋଧୂ ସାଜିବି ।ଶାଢି,ଶଙ୍ଖା ଓ ସିନ୍ଦୁର ପିନ୍ଧି ସକାଳୁ ଉଠି ଠାକୁର ଘରେ ପୂଜା କରି ତୁଳସୀ ଚୌଉରା ମୂଳେ ପାଣି ଦେବି, ସୂର୍ଯ୍ୟଙ୍କୁ ନମସ୍କାର କରି ପରିବାରର ସୁଖ ଓ ଶାନ୍ତି ମନାସିବି ପୁଣି ସଂଧ୍ୟାରେ ସାତ ଶଙ୍ଖ ବଜାଇ ନକରାତ୍ମକ ଶକ୍ତି ରୁ ମୋ ଘର ପରିବାରକୁ ବିପଦ ମୁକ୍ତ କରିବି ।ଭଲ ବୋହୂଟିଏ ହେବି ଶାଶୁ,ଶଶୁର ଓ ସ୍ବାମୀଙ୍କ ସେବା କରିବି ଓ ତାଙ୍କ ପିଲାର ମାଆ ହୋଇ ନାରୀ ଜନ୍ମ ସାର୍ଥକ କରିବି। ଶେଷରେ ଅହୀସଲକ୍ଷ୍ମଣୀ ହୋଇ ସ୍ଵର୍ଗଦ୍ଵାର ରେ ଲୀନ ହୋଇ ଯିବି ।
କନ୍ୟା ଦାନ ମହାପୂଣ୍ୟ ବାପାମାଆଙ୍କ କେତେ ଆଶା ଓ ଭରଷା ଥିଲା । ଛାତିରେ ହାତ ପିଟି ଗର୍ବର ସହିତ କହୁଥିଲେ ମୁଁ ଝିଅଟିଏ ଜନ୍ମ ଦେଇଛି ।ମୋ ଘରକୁ ଲକ୍ଷ୍ମୀ ଆସିଛନ୍ତି । ବାପା ଓ ମାଆ କେତେ ସ୍ନେହ ଆଦର କରୁଥିଲେ । ବାପା ବାହାରକୁ ଗଲେ ଯାହା ଆଣୁ ଥିଲେ ମୋ ନିଶ୍ଚିତ ଆସିଥିବ ।ବାପାଙ୍କୁ କେହି ପଚାରିଲେ କହୁଥିଲେ ପର ଘରିଟା । ସାନ ଭାଇର ନାନୀ ନାନୀ ଡାକରେ ମୋର ଗୋଡ଼ ଦୁଇଟା ତଳେ ଲାଗୁ ନ ଥିଲା ।ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷୀ ବାନ୍ଧିବ ବୋଲି ମୋ ପଛରେ ଗୋଡ଼ାଇ ବିକଳ ହୁଏ ।
କିନ୍ତୁ ଆଜି ସବୁ କିଛି ପରିବର୍ତ୍ତନ ହୋଇ ଯାଇଛି ।ସିନ୍ଦୁର ଛାଡି ସବୁ ଦିନ ପାଇଁ ଟିକିଲି ଆପଣେଇଛି ।ରୁଣୁ ଝୁଣୁ ଘୁଙ୍ଗୁର ପାଦରେ ବାନ୍ଧିଛି । ପରିବାର ଛାଡି ଆଜି କୋଠିରେ ରହୁଛି । ପ୍ରତିଦିନ ନୂଆନୂଆ ପୁରୁଷ ସହ ବାସର ରାତି କାଟୁଛି ।ସମାଜରେ ବଡ ଲୋକ ବୋଲି ଡିଣ୍ଡିମ ପିଟୁଥିବା ସେହି ଭଦ୍ରମୁଖା ପିନ୍ଧା ରାକ୍ଷସ ସଂଧ୍ୟା ହେଲେ ମୋ ଦେହର ବାସ୍ନାକୁ ଶୁଙ୍ଘି ଶୁଙ୍ଘି ଏଠାକୁ ପହଞ୍ଚି ଯାଆନ୍ତି । ଭୋକିଲା ବାଘ ପରି ମୋ ଦେହକୁ ଝୁଣି ଝୁଣି ଖାଇ ଯାଆନ୍ତି ।ପ୍ରତିବଦଳରେ ମୁଠାମୁଠା ଟଙ୍କା ଫୋପାଡି ଦିଅନ୍ତି । ତାଙ୍କ ଅନ୍ତର ଆତ୍ମା ମୋ ହୃଦୟରେ ଜଳୁ ଥିବା ଅଗ୍ନିକୁ ଦେଖିବା ପାଇଁ ଚେଷ୍ଟା କରି ନାହାନ୍ତି । ବଂର ଆସନ୍ତା କାଲି ପାଇଁ ଅଗ୍ରିମ ଟଙ୍କା ଦେଇ ଚାଲି ଯାଆନ୍ତି । ଇଛା ନ ଥାଇ ମଧ୍ଯ ଅମାନୁଷିକ ଯନ୍ତ୍ରଣାକୁ ଛାତିରେ ଚାପି ତାଙ୍କ ଆଗରେ ହସୁଥାଏ ।
ଏଥିପାଇଁ ଦାୟୀ କିଏ ???
ମୁଁ ବି ଦିନେ କୁଆରୀ ଥିଲି ।ସବୁ ଝିଅଙ୍କ ପରି ପଢା ସମୟରେ ମୁଁ ବି ଭଲ ପାଉଥିଲି ବିବେକକୁ ନିଜ ଠାରୁ ବହୁତ ଅଧିକ ।ଆଉ ସେ ବି ମୋତେ ଭଲ ପାଉଥିଲେ । ଦୁହେଁ ଦୁହିଁଙ୍କୁ ଦିନେ ନ ଦେଖିଲେ ପାଗଳ ପରି ଅନୁଭବ କରୁଥିଲୁ । ଆମ ଗାଆଁ ରେ ବିବେକଙ୍କ ଘର ଆମେ ଗୋଟିଏ କଲେଜରେ ପଢ଼ୁଥିଲି ।କିନ୍ତୁ ସେ ପଢା ସାରି ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିଲେ । ଆମ ଦୁହିଁଙ୍କ ଭଲ ପାଇବା ଏତେ ଆଗକୁ ବଢ଼ି ଯାଇଥିଲା ଯେ ଧୀରେ ଧୀରେ କଥାଟା ଯାଇ ଘରେ ପହଞ୍ଚିଲା ।ବାପା ଓ ଭାଇ ଭାରି ବିରକ୍ତ ହେଲେ ଏବଂ ମୋ କଲେଜ ଯିବା ବନ୍ଦ ହୋଇଗଲା ।ବିବେକ ବି ପାଗଳ ପରି ହେଉଥାନ୍ତି ଆମ ଘର ଆଗରେ ।ବାରମ୍ବାର ଇସାରା ଦେଇ କହୁଥିଲେ ଗାଁ ମୁଣ୍ଡରେ ଥିବା ଆମ୍ବ ତୋଟାକୁ ଯିବା ପାଇଁ । କଣ କରିବି କିଛି ଭାବି ପାରୁ ନ ଥାଏ ।କାଲି ବାପା ହାଟକୁ ଯିବେ ମାଆ ବି ତାଙ୍କ କାମରେ ବ୍ୟସ୍ତ ରହିବେ ସେତିକି ବେଳେ ମୁଁ ଯାଇ ପାରିବି ଏକ କାଗଜରେ ଲେଖି ବାଡି ପଛପଟେ ବିବେକ ପାଖକୁ ଫୋପାଡି ଦେଲି । ବିବେକ ଏହାକୁ ପଢି ହସି ଦେଇ ଠିକ୍ ଅଛି କହି ଚାଲି ଗଲେ ।
ତା ପର ଦିନ ମୁଁ ଟିକେ ଫାଙ୍କା ଦେଖି ବିବେକଙ୍କ ପାଖକୁ ଗଲି । କେ କାଳରୁ ସେ ଆସି ସେଠାରେ ଅପେକ୍ଷା କରିଥିଲେ ।ମୋତେ ଦେଖି ଭାରି ଖୁସି ହୋଇ ଗଲେ । ଆଉ କହିଲେ ସତରେ ତୁମେ ଆସିବ ବୋଲି ମୁଁ ସ୍ବପ୍ନରେ ସୁଧା ଭାବି ନ ଥିଲି । ଆମେ ଦୁହେଁ ଏକ ନିଛାଟିଆ ଜାଗାରେ ଅନେକ ସମୟ ଗପସପ କଲୁ । ଆମ ବାହାଘର କେମିତି ହେବ ବିବେକ କିପରି ତାଙ୍କ ବାପା ଓ ମାଆଙ୍କୁ ମନେଇବେ । ଦେଖୁ ଦେଖୁ ବେଳ ବୁଡିବାକୁ ବସିଲାଣି ।ମୁଁ ଯେତେ ତରତର ହେଲି ସେ ଛାଡିବା ପାଇଁ ଅରାଜି । ଘରକୁ ଶିଘ୍ର ନ ଫେରିଲେ ବାପା ହାଟରୁ ଫେରି ମୋତେ ଖୋଜିବେ । ମୁଁ ଆଉ ବିଳମ୍ବ ନ କରି ଫେରି ଆସିଲି । ଏହା ପର ଠାରୁ ଆମେ ଯେତେବେଳେ ଦେଖା ହେଉ ସେହି ଆମ୍ବ ତୋଟା ଠାରେ ।
କିଛି ଦିନ ପରେ ବିବେକ ଆସି ମୋତେ କହିଲେ କି ଚାଲ ଆମେ ଘର ଛାଡି ବହୁତ ଦୂରକୁ ପଳାଇବା । କଥାଟା ସେ ଯେତେ ଶିଘ୍ର କହି ଦେଲେ ମୁଁ ତାକୁ ଗ୍ରହଣ କରି ପାରିଲି ନାହିଁ । ବିବେକ କହିଲେ କି ଆମ ବାହାଘର ପାଇଁ ଘରେ ରାଜି ହେଉ ନାହାନ୍ତି । କିନ୍ତୁ ମୁଁ ତମକୁ ଛାଡି ବଞ୍ଚି ପାରିବିନି । ବିବେକର କଥା ମୋତେ ବହୁ ଦୁଃଖ ଦେଇଥିଲା । ତଥାପି ତାଙ୍କର ମୋ ପ୍ରତି ଅଗାଢ ଭଲ ପାଇବା ମୋତେ ତାଙ୍କ ସହ ହଁ ଭରିବାରେ ବାଧ୍ୟ କରିଥିଲା ।ଆମେ ନିଷ୍ପତ୍ତି ନେଇଥିଲୁ ଆସନ୍ତା ମାସରେ ପୁରୀ ଯାଇ ସେଠାରେ ବିବାହ କରି ବାଙ୍ଗାଲୋର ପଳେଇବୁ ।ସେଠାରେ କିଛି ଦିନ ରହବା ପରେ ଗାଁ କୁ ଫେରିବୁ ।ତେଣୁ ଯୋଜନା ଅନୁସାରେ ଆସି ରେଳ ଷ୍ଟେସନରେ ପହଞ୍ଚିଲୁ । ମୁଁ ତା ପୂର୍ବରୁ କେବେ ରେଳଗାଡିରେ ଯାଇ ନ ଥିଲି ।ମୋର ମଧ୍ୟ କିଛି ଧାରଣା ନ ଥିଲା ରେଳଗାଡି ବାବଦରେ ।ଗୋଟିଏ ଦିନ ବିତି ଗଲା ମୋ ମନରେ କାହିଁକି ଏକ ଅଜଣା ଭୟ ଉଙ୍କି ଆସୁଥାଏ ବିବେକକୁ ପଚାରିଲି ଆଉ କେତେ ସମୟ ଲାଗିବ ।ସେ କହିଲେ ଆଉ ଗୋଟିଏ ଦିନ । ମୁଁ ତୁମକୁ ଏ ପରିସ୍ଥିତିରେ ଗୋଟିଏ କଥା କହିବାକୁ ଭୁଲି ଯାଇଥିଲି ।ମୋ ସାଙ୍ଗ ଜଣେ ବାଙ୍ଗାଲୋର ରେ ରହେ ସେ ମୋ ପାଇଁ ଗୋଟିଏ ଚାକିରି ବୁଝିଛି । ଆମେ ବାଙ୍ଗାଲୋର ଯାଉଛୁ । ତେଣୁ କ୍ଷମା କରିବ ସେଠାରେ ମୁଁ ଯୋଗ ଦେଇ ଆମେ ବିବାହ କରିବୁ ।ମୁଁ ବି ବିବେକ କଥାକୁ ଅନ୍ଧ ଭାବରେ ବିଶ୍ବାସ କରୁଥିଲି ।
ଆମେ ଯାଇ ବାଙ୍ଗାଲୋର ପହଞ୍ଚିଲୁ ।ସେଠାରୁ ବିବେକଙ୍କ ସାଙ୍ଗମାନେ ଷ୍ଟେସନରେ ଥିଲେ ।ଆମେ ଦୁହେଁ ତାଙ୍କ ସହ ଗଲୁ ଦୁଇ ଦିନ ରେଳ ଗାଡିରେ ବସିବସି ଭାରି କ୍ଳାନ୍ତ ଅନୁଭବ କରୁଥିଲି । ଧୂଆ ଧୋଇ ହୋଇ କଣ ଟିକେ ଖାଇ ଦେଇ ଖଟ ଉପରେ ଗଡି ପଡିଲି ,କେତେ ବେଳେ ଆଖି ଲାଗି ଯାଇଛି ଆଉ ମୁଁ ଶୋଇ ପଡିଛି ।ନିଦ ଭାଙ୍ଗିବା ବେଳକୁ ଦେଖିଲି ବିବେକ ମୋ ଉପରେ ହାତ ପକେଇ ଶୋଇଛନ୍ତି । ତା ପରେ ମୁଁ କୋଡ ଲେଉଟି ଶୋଇ ପଡିଛି ।ସକାଳୁ ଉଠି ଦେଖେ ତୋ ବିବେକଙ୍କ ସାଙ୍ଗ ତିନି ଜଣ ତଳେ ଶୋଇଛନ୍ତି । ମୁଁ ଗାଧୁଆ ଘରକୁ ଯାଇ ମୋ ନିତ୍ଯ କର୍ମ ସାରି ବାହାରିଲି ।ବିବେକ ବି ଉଠି କିଛି ସମୟ ଭିତରେ ତାଙ୍କ ସାଙ୍ଗ ସହିତ ବାହାରି ଗଲେ।ମୁଁ ଏକୁଟିଆ ଘରେ ଥାଏ ।ଆଉ ଦୁଇ ଜଣ ସାଙ୍ଗ ବି ତାଙ୍କର ଥିଲେ । ମୋତେ କାହିଁକି କେଜାଣି ସେମାନଙ୍କ ବ୍ଯବହାର ଭଲ ଲାଗୁ ନ ଥିଲା । ଘର କଥା ବାପା,ମାଆ ଓ ସାନ ଭାଇ କଥା ଭାରି ମନେ ପଡୁଥିଲା ।ବିବେକ କେତେ ବେଳେ ଆସିବେ ଅପେକ୍ଷାରେ ଥିଲି । ଘଣ୍ଟାଏ ପରେ ବିବେକ ବଜାରରୁ ଫେରିଲେ କିଛି ସାମଗ୍ରୀ ଧରି । ତା ପରେ ଆରମ୍ଭ ହେଲା ରୋଷେଇ ମିଳିମିଶି ଖାଇଲୁ ।ସନ୍ଧ୍ୟା ହେବାରୁ ବିବେକ ଆଉ ମୁଁ ବଜାରକୁ ବୁଲି ବାହାରିଲୁ ଫେରିବା ବେଳକୁ ସମୟ ରାତି ନଅଟା ହୋଇ ଯାଇଥାଏ ତେଣୁ ହୋଟେଲରେ ଖାଇ ଘରେ ପହଂଚିଲୁ । ଆମେ ଦୁହେଁ ଖଟ ଉପରେ ଶୋଇ ପଡିଲୁ, ତାଙ୍କ ସାଙ୍ଗ ତଳେ ।ରାତିରେ ମୋତେ ଭାରି ଶୋଷ କରିବାରୁ ବିବେକ ମୋତେ ପାଣି ପିଇବାକୁ ଦେଲେ କିନ୍ତୁ ମୋ ଅଜାଣତେ ସେଥିରେ ନିଶା ଦ୍ରବ୍ୟ କିଛି ପକାଇ ଥିଲେ ।ତା ପରେ ମୁଁ ଚେତା ହରାଇ ଶୋଇ ପଡିଛି ।ସେ ରାତି ମୋ ପାଇଁ କାଳ ରାତି ହୋଇଗଲା । ବିଲୁଆ କୁକୁର ପରି ମୋ ଦେହକୁ ସେମାନେ ଝୁଣି ଝୁଣି ଖାଇ ଗଲେ । ମୋର ଚେତା ଫେରିଲା କ୍ଷଣି ଦେଖେ ତୋ ମୋ ଦେହରେ କପଡା ନ ଥିଲା, ମୋତେ ବହୁତ କଷ୍ଟ ହେଉଥିଲା ।ମୁଁ ଭୋ ଭୋ ହୋଇ କାନ୍ଦିଲି ଆଉ ବିବେକକୁ ଅନୁରୋଧ କଲି ମୋତେ ଗାଁରେ ଛାଡି ଦିଅ ।ତୁମେ ମୋତେ ଧକ୍କା ଦେଇଛ।ମୋ ବିଶ୍ବାସରେ ବିଷ ଭରି ଦେଇଛ।ତୁମେ ମୋ ସହ ଛଳନା କରିଛ। ମୋ ପବିତ୍ର ଭଲ ପାଇବାକୁ ତୁମେ ପାଦରେ ଦଳିମକଚି ଦେଇଛ। ଏପରି କେମିତି କରି ପାରିଲ ବିବେକ ...କେବଳ ପଦେ କଥାରେ ମୋ ପରିବାରକୁ ଛାଡି ତୁମ ସହ ବାହାରି ଆସିଥିଲି...ହେଲେ ତୁମେ...ଛି ...ଛି କହି ମୁଁ ଡହଳ ବିକଳ ହୋଇ କାନ୍ଦୁ ଥିଲି ।ଡରରେ ମୋ ଦେହ ଥରୁଥିଲା କିନ୍ତୁ ସେ ନିରବ । କଣ କରିବି କିଛି ବୁଝି ପାରୁ ନ ଥାଏ ।କେବଳ ମୋ ଆଖିରୁ ଧାର ଧାର ହୋଇ ଲୁହ ସବୁ ବାହାରି ଯାଉ ଥାଏ। ସେମାନେ ସମସ୍ତେ ସେତେବେଳେ ନିଶାସକ୍ତ ଅବସ୍ଥାରେ ।ତେଣୁ ବାହାରକୁ ଯିବାକୁ ଚେଷ୍ଟା କରୁଥିଲି ହେଲେ ସେମାନେ ମୋତେ ଜୋର୍ ଜବରଦସ୍ତି ଜଣ ଜଣ କରି ପାଶବିକ ଅତ୍ୟାଚାର କରୁଥିଲେ ଯେତେ ଚିତ୍କାର କଲେ ମଧ୍ୟ ମୋ ଚିତ୍କାର ଚାରି କାନ୍ଥରେ ହିଁ ବାଜି ଫେରି ଆସୁଥିଲା । ବାରମ୍ବାର ମୁଁ ଚେତା ହରାଉ ଥିଲି । ପ୍ରତି ମୂହୁର୍ତ୍ତ ନର୍କ ଯନ୍ତ୍ରଣା ଅନୁଭବ କରି ଚାରି କାନ୍ଥରେ ମଧ୍ୟେ ବନ୍ଦୀ ହୋଇ ରହିଲି ଦୀର୍ଘ ଏକ ମାସ । ପ୍ରତିଦିନ ଅତ୍ୟାଚାରର ଶିକାର ହୋଇ ବଞ୍ଚିବାର ଆଶା ଛାଡି ଦେଇଥିଲି । ଯାହା ହାତ ଧରି ସାରା ଜୀବନ ବାଟ ଚାଲିବାର ନିଷ୍ପତି ନେଇଥିଲି ସେ ଯେ ପଶୁ ଠୁ ହୀନ ଏକ କାମୁକ,ଚରିତ୍ରହୀନ କେମିତି ଜାଣି ଥାଆନ୍ତି ।ସେତିକିରେ ବି କାମାନ୍ଧର ମନ ବୁଝିଲା ନି ଯେ ଆଉ ଏକ ରାକ୍ଷସ ହାତରେ ମୋତେ ବିକ୍ରି କରି ଦେଲା । ସେ ବି ମୋତେ କମ୍ ଯାତନା ଦେଇ ନାହିଁ ।ନିଜ ଦେହର ଭୋକକୁ ମୋ ଉପରେ ଅଜାଡି ଦେଇ ବଡବଡ ଗ୍ରାହକମାନଙ୍କୁ ରାତିକ ହଜାର ହଜାର ଟଙ୍କାରେ ମୋତେ ବିକ୍ରି କଲା ।ସେମାନେ ମୋ ଦେହକୁ ନେଇ ରାତି ଯାକ ଖେଳୁଥିଲେ । ଏସବୁ ସହିସହି ମୁଁ ପଥର ହୋଇ ସାରିଥିଲି । ମୋ ଦେହରେ ଲଗି ଥିବା କଳା ଦାଗର ପ୍ରତିଶୋଧ ପାଇଁ ସୁଯୋଗର ଅପେକ୍ଷାରେ ଥିଲି । କେମିତି ଫେରିବି ମୋ ଗାଁକୁ । ଆଉ କିପରି ମୋ ବାପା ମାଆଙ୍କୁ ଏ ପୋଡା ମୁହଁ ଦେଖେଇବି ଭାବୁଥିଲି ।ସେହି ସମୟରେ ଏକ ଗ୍ରାହକ ସାଙ୍ଗେ ମୋର ଓଡିଶାରେ ଭୂବନେଶ୍ବର ଆସିବାର ଥିଲା । ତା ସହ ଓଡ଼ିଶା ଫେରିଲି ।ଭାରି ଇଛା ହେଲା ବାପା ମାଆଙ୍କୁ ଦେଖିବା ପାଇଁ । ସୁଯୋଗକୁ ହାତ ଛଡା ନ କରି କୌଶଳ କ୍ରମେ ଖସି ଆସିଲି । ପାଖରେ ପଇସା ନ ଥିଲା ତଥାପି ସାହସ କରି ବସ ଷ୍ଟେସନ ପହଞ୍ଚିଲି ,ବସ୍ ଆଗରେ ଲେଖା ହୋଇ ଥିଲା ବାଲେଶ୍ବର ,ବସରେ ବସି ପଡିଲି । କିଛି ବାଟ ଗଲା ପରେ କଣ୍ଡକ୍ଟର ଆସି ପଚାରିଲା କୁଆଡେ ଯିବ ବାଲେଶ୍ବର କି ? ମୁଁ ••••ହଁ କହିଲି । ଲୋକଟି ପଇସା ମାଗିଲା ନାହିଁ ମୋତେ ଡର ଲାଗୁଥିଲା ।ଆସି ସଂଧ୍ୟାରେ ବାଲେଶ୍ବର ପହଞ୍ଚିଲି । ବସ ରହିଲା ପରେ ମୁଁ ଓହ୍ଲାଉ ଥିଲି ପୁଣି ଲୋକଟି ପଚାରିଲା ବାପା ଭଲ ଅଛନ୍ତି । ବୋଧହୁଏ ସେ ମୋ ବାପାଙ୍କର ପରିଚିତ। ହଁ କହି ସେଠାରୁ ପଳେଇ ଆସିଲି । ଏହି ସମୟରେ ଜଣେ ମୋର କଲେଜ ସାଙ୍ଗ ଦେଖା ହେଲା ଅନୁରୋଧ କ୍ରମେ ସେ ନେଇ ଆମ ଗାଁ ମୁଣ୍ଡରେ ଛାଡି ଦେଲା ।ଆମ ଗାଁର ରାସ୍ତାରେ ଦୁଇ ପାର୍ଶ୍ବର ଘର ଗୁଡିକ ।ସମସ୍ତେ ମୋ ମୁହଁକୁ ଅନେଇ ଥାଆନ୍ତି ଓ ଟୁପୂରୁ ଟାପୁରୁ ହେଉଥାନ୍ତି।କାହାରି ପାଟିରୁ କଥା ବାହାରୁ ନ ଥାଏ କେବଳ ଆଶ୍ଚର୍ଯ୍ୟ ହୋଇ ଦେଖୁଥାନ୍ତି ।କଲେଜରୁ ଫେରିଲା ବେଳେ ସେମାନେ ମୋତେ ପଚାରୁ ଥିଲେ ଝିଅ ଏବେ କଲେଜରୁ ଫେରିଲୁ ନା ମୁଁ ଭାରି ଫୁଲେଇ ଥିଲି ତାଙ୍କୁ ବି ଚିଡ଼େଇ ଦୌଡି ଆସେ।ହେଲେ ଆଜି ଏମାନଙ୍କ ବ୍ଯବହାର ମୋତେ ଭାରି କଷ୍ଟ ଦେଉଥିଲା । ଆଖି ମୋ ଛଳଛଳ ହୋଇ ଆସୁଥିଲା । କୁଆଡେ କାହାକୁ ନ ଦେଖିଲା ପରି ଘର ପାଖକୁ ପହଞ୍ଚିଲି । ଆମ ଘର ଦୁଆର ମୁହଁରେ ଗୋଟିଏ ବଡ ତାଲା ଲାଗିଥିଲା ।ଘର ଭିତରେ କେହି ନ ଥିଲା ପରି ଲାଗୁଛନ୍ତି । ଆମ ଘରକୁ ଲାଗି ରୁନି ଖୁଡୀ ଘର ।ମୁଁ ଜୋର୍ ରେ ପାଟି କରି ଖୁଡୀଙ୍କୁ ଡାକିଲି ।ରୁନି ଖୁଡି ବାହାରକୁ ଆସିଲେ ମୋତେ ଦେଖି ରାଗ ତମ୍ ତମ୍ ହୋଇ କହିଲେ ଆଉ ତୁ କୁଆଡେ ଆସିଛୁ ।ନଦୀ କି ପୋଖରୀ ମିଳିଲା ନି ତୋତେ ,ବିଷ ଖାଇ ଦେଲୁନି ଚାଲି ଆସିଛି ମୁହଁ ଦେଖେଇବାକୁ । ରୁନି ଖୁଡିଙ୍କର କଥା ମୋ ପ୍ରତି ସେ ରାକ୍ଷସ ମାନେ କରିଥିବା ଅତ୍ୟାଚାର ଠାରୁ ମଧ୍ଯ ଅଧିକ କଷ୍ଟ ଦେଲା ।ତଥାପି ବାପା, ମାଆ ଓ ଭାଇଙ୍କ ବିଷୟରେ ପଚାରିଲି ।କାନ୍ଦି କାନ୍ଦି ରୁନିଖୁଡୀଙ୍କୁ ନେହୁରା ହେଲା ପରେ କହିଲେ ତୁ ଗଲା ପରେ ବାର ଲୋକ ବାର କଥା କହିଲେ ।ଗାଁ ରେ ପଞ୍ଚାୟତ ବସିଲା, ତୋ ବାପା ମାଆ ଭାଇଙ୍କୁ ଗାଆଁରେ ବାଛନ୍ଦ କରାଗଲା ।ତୋ ବାପାଙ୍କୁ ଗାଁ ଛାଡି ଯିବା ପାଇଁ ବାଧ୍ଯ କଲେ ।ଲୋକ ଲଜ୍ଯା ଓ ଗାଁ ଛାଡିବା କଥା ତାଙ୍କୁ ଭାରି ବାଧିଥିଲା,ତେଣୁ ସେଦିନ ରାତିରେ ସମସ୍ତେ ବିଷ ପିଇ ଆତ୍ମହତ୍ୟା କରିଦେଲେ । ତୋ ପାଇଁ ଆଜି ତାଙ୍କ ଜୀବନ ଗଲା ।କଣ ନ କରିଥିଲେ ତୋ ପାଇଁ, ଶେଷରେ ତାଙ୍କ ମୁହଁ ରେ କଳା ବୋଳୀ ତୁ ଘରୁ ଗୋଡ କାଢି ଚାଲିଗଲୁ ।ଛି...... ଛି .......। ରୁନିଖୁଡି ଓ ଗାଁ ଲୋକଙ୍କର ବ୍ୟବହାରରେ ମୁଁ ଅଧିକ ପ୍ରତିଶୋଧ ପରାୟଣ ହୋଇ ଥାନାର ଆଶ୍ରୟ ନେଲି । ପୋଲିସ କହିଲା କି ଆପଣ ଏକ ଲିଖିତ ଅଭିଯୋଗ ଦିଅନ୍ତୁ ।ମୋ ସହିତ ଘଟିଥିବା ସମସ୍ତ ବିବରଣୀକୁ ମୁଁ ମୋ ଅଭିଯୋଗ ପତ୍ରରେ ଲେଖି ଥାନାବାବୁଙ୍କୁ ଦେଲି । ଦିନ ପରେ ଦିନ ଗଡି ଚାଲିଲା । ହେଲେ ମୋ ଅଭିଯୋଗ କାର୍ଯ୍ୟକାରୀ ନ ହେବାରୁ ପୁଣି ଥରେ ଥାନାକୁ ଗଲି । ଆଇନର ରକ୍ଷକ ହୋଇ ସେ ଯେପରି ମୋ ସହ ବ୍ଯବହାର କଲେ ମୁଁ କେବେ ଭୁଲି ପାରିବି ନାହିଁ ।
ଉପରିସ୍ଥ ପୋଲିସ୍ ବାବୁଙ୍କୁ ଯାଇ ଦେଖା କଲି ସେ କହିଲେ ଠିକ୍ ଅଛି ବୁଝିବି ଆଜି ମୁଁ ବ୍ଯସ୍ତ ଅଛି । ତେଣୁ ତୁମେ କାଲି ମୋ କୁଆଟରକୁ ଆସ ।ମୁଁ ଦିନ 11 ଟାରେ ପହଞ୍ଚିଲି ।ଘର ସାମ୍ମାନାରେ ନାଲିବତୀ ଲଗା ଧଳା ରଙ୍ଗର ଗାଡି ସବୁ ଠିଆ ହୋଇଥିଲା ।ମୁଁ ଫାଟକ ଭିତରେ ପଶିଲି ।ଜଣେ ଦରୱାନ ଆସି ମୋତେ ପଚାରି ବୁଝିଲା ଓ ଚୌକିରେ ବସିବାକୁ କହିଲା । କିଛି ସମୟ ପରେ ପୋଲିସ ବାବୁ ଡାକିଲେ ମୁଁ ଭିତରକୁ ଗଲି ।ପୋଲିସ ବାବୁ ମୋତେ ସେଠାରେ ଥିବା ଭଦ୍ର ଲୋକଙ୍କ ସହ ପରିଚୟ କରାଇ ଦେଲେ । ଖୁଦ୍ ପୋଲିସ ବିଭାଗର ମନ୍ତ୍ରୀ ଏବଂ ତାଙ୍କ ସହ ଆଉ ଦୁଇ ଜଣ ତାଙ୍କ ପିଏ ଉପସ୍ଥିତ ଥିଲେ। ମୋ ସହ ଘଟିଥିବା ସମସ୍ତ ଘଟଣାକୁ କହିଲି । ମନ୍ତ୍ରୀ କହିଲେ ଠିକ୍ ଅଛି ଆମେ ତା କଥା ବୁଝିବୁ ।ତମେ ଜମା ବ୍ଯସ୍ତ ହୁଅନି, ଆଗ ଆମ କଥା ତୁମ ବୁଝ ତା ପରେ ମନ୍ତ୍ରୀ, ପୋଲିସ ଏବଂ ତାଙ୍କ ପିଏ ଆସି ବଳପୂର୍ବକ ଜଣ ଜଣ କରି ମୋ ଉପରେ ପୁରୁଷତ୍ବ ଜାହିର କରି ବସିଲେ ମୋତେ ବାରମ୍ବାର ରେଫ୍ କଲେ। କାହା ପାଖରେ ଯାଇ କହିବି ଏହି ବଡ଼ବଡ଼ ବାବୁମାନଙ୍କ କଥା କିଏ ମୋତେ ନ୍ୟାୟ ଦେବ ।କାହା ଆଗରେ ଦେଖେଇବି ଏ ପୋଡା ମୁହଁ ।
ଅନେକ ଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି ।କିନ୍ତୁ ମରି ପାରି ନାହିଁ । ଆଜି ନିଜ ଲୁହ ନିଜେ ପିଉଛି ।
କଣ ମୁଁ ଭୁଲ କରିଥିଲି ???
କେବଳ ବିଶ୍ବାସ ଓ ଭରଷା କରିଥିଲି । ପ୍ରତି ବଦଳରେ କଣ ପାଇଲି ?
ଧକ୍କା,ପ୍ରତାରଣା •••ବେଶ୍ୟା •••ଧନ୍ଦାବାଲିର ଆଖ୍ୟା ।
ଏଥିପାଇଁ ଦାୟୀ କଣ ମୁଁ ?
ଟୋପାଏ ସିନ୍ଦୁର ବଦଳରେ ପାଇଲି କଳଙ୍କର ଟିକା ।ନ୍ୟାୟ ପାଇବା ଆଶାରେ ହେଲି ଅତ୍ୟାଚାର । ଏ ସମାଜରେ କଣ ଝିଅମାନଙ୍କର ସତନ୍ତ୍ର ଇଚ୍ଛା ଓ ଅଧିକାର ନାହିଁ ।ମଞ୍ଚ ଉପରେ ଭାଷଣ ଦେବା ସମୟରେ ଯେ କହୁଛନ୍ତି ନାରୀ ଅବଳା ନୁହେଁ କି ଦୁର୍ବଳ ନୁହେଁ,ମଞ୍ଚ ତଳେ କିନ୍ତୁ ତାହା ବିପରୀତ ।ସେହିମାନଙ୍କ ପାଇଁ ଆଜି ସେ ସମାଜରେ ଘୃଣ୍ୟ ।ଏକ ନର୍କ କୀଟର ମାନସିକତା ନେଇ ବଞ୍ଚୁଛି । ଲୁଚିଲୁଚି କାନ୍ଦୁଛି ।
ସମାପ୍ତ
