ବେଙ୍ଗ କହେ ବେଙ୍ଗୁଲୀ ଲୋ
ବେଙ୍ଗ କହେ ବେଙ୍ଗୁଲୀ ଲୋ
କିଏ କ'ଣ ହୋଇପାରିଛି ଏକାନ୍ତ ଆପଣାର । ଭାଙ୍ଗି ପଡିଲେ ବି ମଣିଷ ଅଛି।ମାଟିଚ୍ୟୁତ ହେଲେ ବି ଅଛି।କାହାକୁ ' ଛିଃ ' କରିବା ବୃଥା।ସମୟ ସବୁକିଛି ବଦଳାଇ ଦିଏ। ଦୀର୍ଘ ସତୁରୀ ବର୍ଷର ସମୟ କାଟିସାରିବା ପରେ ଏ ସବୁ ଥିଲା ମୋ ମାଆର ଜୀବନ ଅନୁଭୂତି।ସୁଯୋଗ ମିଳିଲେ ମୋ ପାଖରେ ବସି ସେ ମୋତେ କହୁଥିଲା ଏସବୁ।
ବୟସ ହୋଇଗଲେ ଜୀବନର ଅନୁଭୂତି ସମସ୍ତେ ବାଣ୍ଟନ୍ତି। ଅସ୍ବାଭାବିକ ମନେହେଉ ନ ଥିଲା।ହେଲେ ମୋ ଜୀବନରେ ସେମିତି ଦିନ ଆସି ନ ଥିଲା।ତେଣୁ ସେସବୁ ମୁଁ ଆଦୌ ହଜମ କରିପାରୁ ନ ଥିଲି। ସାତପୁରୁଷର ଭିଟାମାଟି, ପ୍ରିୟ ଆକାଶ, ଗାଆଁ, ଗଛଲତା - ସବୁକିଛି ଛାଡିଦେଇ ବିସ୍ତାପିତ ହୋଇ ଆମେ ଆଉ ଗୋଟିଏ ସ୍ଥାନକୁ ଚାଲି ଆସିଥିଲୁ। ଯେଉଁଠି ରହିଲୁ ସେଇଠି ପ୍ରଥମେ ଠାକୁରଙ୍କୁ ଦେବା ପାଇଁ ଫୁଲଟିଏର ଆବଶ୍ୟକତା ସୃଷ୍ଟି ହେଲା।ଫୁଲ ଗଛ ଆଣି ଲଗାଇଲି।ପରେ ବାପାଙ୍କ ପରି ସେଠାରେ ନଡିଆ, ଆମ୍ବ, ପଣସ, ପିଜୁଳି, ଅମୃତଭଣ୍ଡା, ସଜନା ଆଦି ଗଛ ଲଗାଇ ତା'ର ଯତ୍ନ ନେଲି। ନିଜର ହେବ କି ନାହିଁ, ଭାଗ ବସାଇବ କି ସୁଖରେ, କିଛି ଦେବ ଅବା ଦେବ ନାହିଁ - ଗଛଟିଏ ସୃଷ୍ଟି କଲାବେଳେ ମଣିଷ ଏମିତି ଭାବେ କ'ଣ ? ସେ ଗୋଟେ ଏମିତି ଖୁସି ଯେ ତା'ର ହାତ ସେଆଡକୁ ଚାଲିଯାଏ।
ମନେ ପଡୁଥିଲା ସେଦିନ ଟ୍ରକ୍ ଡାଲାରେ ଘରର ଆସବାବପତ୍ର ଲଦା ହେଲାବେଳେ ବାପା କେମିତି ଭିଜିଲା ଆଖିରେ ତାଙ୍କ ହାତ ତିଆରି ଗଛ ଆଡେ ଚାହିଁ ରହିଥିଲେ।ଟୁକଡା ଟୁକଡା ସ୍ବପ୍ନକୁ ଯୋଡି ଯାଡି ବାପା ଆମ ପାଇଁ ବସାଟିଏ ବାନ୍ଧିଥିଲେ। ବାରିପଟ ଅଗଣାରେ ଗଛ ଲଗାଇଥିଲେ।ସେ ଲଗାଇଥିବା ତାଙ୍କ ସପେଟା, ପିଜୁଳି ଗଛରୁ ଫଳ ତୋଳି ଖାଉଥିଲି ମୁଁ। ଆମେ ଆଜି ସେଠାରେ ନାହୁଁ ସିନା, ହେଲେ ସେସବୁ ସକାଳର ସୂର୍ଯ୍ୟାଲୋକରେ ମନଭରି ହସୁଛନ୍ତି। ଏବେ ବହୁତ ବଡ ହୋଇଗଲେଣି।
ନିଜ ହାତ ତିଆରି ଗଛମାନଙ୍କୁ ବାପା କେତେ ଭଲ ପାଉଥିଲେ ସେସବୁ ନିଜ ଆଖିରେ ଦେଖିଥିଲି।କେତେ କଷ୍ଟ ସେ ସହି ନ ଥିଲେ ! ବୈଶାଖର ଝାଞ୍ଜିପିଟା ଖରାରେ ଗଛ ମୂଳରେ ପାଣି ନେଇ ଢାଳୁଥିଲେ। ବାପା କହୁଥିଲେ - " ମଣିଷ ମଣିଷକୁ ପର କରିପାରିବ, ଗଛକୁ ନୁହେଁ। ଗଛ କେବେ ଋଣୀ ରହେନାହିଁ। ଅମ୍ଳଜାନ ଦେଇ ଅଙ୍ଗାରକାମ୍ଳ ନେଇଯାଏ।ପରିବେଶର ବନ୍ଧୁ ସିଏ।ସଭ୍ୟତା, ସଂସ୍କୃତି ସବୁ ତା'ରି ପାଇଁ ରହିଛି।ତେଣୁ ମୋ ଅନ୍ତେ ଏ ଗଛ ସବୁକୁ ବଞ୍ଚେଇ ରଖିବ।କେବେ କାଟିଦବନି।ଏମାନେ ସବୁ ମୋ ପୁଅ ଝିଅ ପରି। "
ମଣିଷ ଯାହାକୁ ଭଲପାଏ ତା' ପାଇଁ ଏମିତି ଆତ୍ମୀୟତା ପ୍ରଦର୍ଶନ କରେ। ବୁଝି ପାରୁଥିଲି ବାପାଙ୍କ ଭଲପାଇବାକୁ। ଝୁରି ହେଉଥିଲି ମନେମନେ। ହଠାତ୍ କେମିତି ସବୁ ବଦଳିଗଲା।ଆମେ ସବୁ ସେମାନଙ୍କୁ ଖୁବ୍ ପର କରିଦେଇ ଚାଲିଆସିଲୁ। ଅତି ସହଜରେ। ମଣିଷ ନିଜର କରିପାରେ ଯେମିତି ପର ବି କରିପାରେ ସେମିତି।
ସମୟ ଖୁବ୍ ଅନିଶ୍ଚିତ।ତା'ର ଇଙ୍ଗିତକୁ ଆଡେଇ ଯିବାର ଶକ୍ତି କାହାର ବି ନ ଥାଏ । ମଣିଷଟା ଛାର ସତରେ।
ମାଆର ଆଖିରୁ ଧାର ଧାର ଲୁହ ଗଡୁଥିଲା।ବାପା ନିଜର କୋହକୁ ସମ୍ଭାଳି ପାରୁ ନ ଥିଲେ।ତାଙ୍କ ଆତ୍ମା ଟୁକଡା ଟୁକଡା ହୋଇ ତଳକୁ ଖସି ପଡୁଥିଲା ଯେମିତି। ଘୋର ଦୁଃଖ ଓ ଅବସାଦକୁ ନିଜ ଛାତିରେ ଚାପି ରଖି ଦିନ କାଟୁଥିଲେ ସେ।ବୋଧହୁଏ ସେଇ କାରଣରୁ ହଠାତ୍ ଦିନେ ତାଙ୍କର ଦେହାନ୍ତ ହୋଇଗଲା।
ଇଏ କେତେ ବର୍ଷ ତଳର କଥା ହେଲାଣି।
ଆଜି ଆଉ ସେସବୁ କିଛି ମନେ ପଡୁ ନ ଥିଲା।ମୋର ସ୍ମୃତିମାନେ ଛେଉଣ୍ଡ ହୋଇ ସାରିଥିଲେ।ମୁଁ ଥିଲି ମୋ ନିଜ ହାତ ତିଆରି ବଡ ବଡ ଗଛମାନଙ୍କ ମେଳରେ।ଖୁସି ହେଉଥିଲି। ମା' କିନ୍ତୁ ମଝିରେ ମଝିରେ ଲୁହ ଗଡାଉଥିଲା। ଏକାନ୍ତରେ ବସିଗଲେ ଅଭିମାନରେ ଗୁଣୁଗୁଣୁ ହୋଇ ଅନେକ କଥା କହି ଯାଉଥିଲା। ବେଙ୍ଗ କହେ ବେଙ୍ଗୁଲୀ ଲୋ ପୃଥ୍ବୀ କ୍ଷଣ କ୍ଷଣକେ ଆନ। ଆଜି କାହିଁକି ଏଇ କଥାଟି ମୋର ଭାରି ମନେ ପଡୁଥିଲା।
ସତରେ ......, ଭାରି ମନେ ପଡୁଥିଲା।