STORYMIRROR

Satyabati Swain

Tragedy

3  

Satyabati Swain

Tragedy

ବଦଳ ମୂଲ୍ୟ

ବଦଳ ମୂଲ୍ୟ

3 mins
11.8K


ସତ ଘଟଣା ଉପରେ ଆଧାରିତ:


ଆଜି ଦେଖା ହେଲା ତନୁଶ୍ରୀ ସହ ଡାକ୍ତର ଖାନାରେ; ଚେକ୍ ଅପ୍ ପାଇଁ ଆସିଛି ସେ।ତନୁଶ୍ରୀ ମୋ ଭଉଣୀର ସାଙ୍ଗ ଅପପୁଷ୍ଟି ମାରିଲା ପରି ଅଣ୍ଡିଆ ଦେଖା ଯାଉଥିଲା ସେ।ପେଟଟି ଶରୀର ତୁଳନାରେ ଯଥେଷ୍ଟ ବଡ଼ ଦେଖା ଯାଉଥିଲା।ଆଖି ଦି ଟା ପଶି ଯାଇଛି।ସେ ଆଖି ଭିତରେ ଗୁଡିଏ ଅକୁହା କଥା।ମୋତେ ଅନୁରୋଧ କରିଥିଲା ସବୁ ବାପା ମାଙ୍କୁ ମୁହଁ ବହି ଜରିଆରେ ଗୋଟିଏ ଅନୁରୋଧ କରିବାକୁ।କହିଲା ମୁନୀ ନାନୀ! ଲେଖିବ ଟିକେ ମୋ କଥା।କହିବ ମୋ ଦ୍ୱାରା ସବୁ ଝିଅର ବାପା ମା ଙ୍କୁ।


ସେ ଯାହା କହିଥିଲା ତାରି ସାରାଂଶ:


ତେଇଶି ବର୍ଷ ହେଲା ବେଳକୁ ମୁଁ ଦୁଇଟି ପିଲାର ମା।ଗୋଟିଏ କୋଠାରେ ଆଉ ଗୋଟିଏ ପେଟରେ।କୋଠାରେ ଥିବା ପୁଅଟି ଜୋଜୋ ଦେଢ଼ ବର୍ଷର।ଶାଶୁ ଶଶୁର ଖାଲି ବୁଢ଼ା ନୁହଁନ୍ତି ଦୁଇ ଜଣ ଯାକ ଶଯ୍ୟାଶାୟୀ।ଦିଅର ଦେବୁ ଷୋହଳ ବର୍ଷର ;ଏବର୍ଷ ଦଶମ ପାସ କରି କଟକରେ ପଢ଼ନ୍ତି।ନଣନ୍ଦ ରୁବି ଏବର୍ଷ ଦଶମ ପରୀକ୍ଷା ଦେବେ।ଶିବୁ ;ଶିବାଶିଷ୍ ମୋ ସ୍ୱାମୀ ଜଣେ ନିଯୁକ୍ତି ଭିତ୍ତିକ ହାଇ ସ୍କୁଲର ଶିକ୍ଷକ।ଦରମା ନଅ ହଜାର;

ସମୁଦ୍ରକୁ ଶଙ୍ଖେ।ଭାଇ ଭଉଣୀଙ୍କ ପଢା,ବାପା ମାଙ୍କ ଔଷଧ ସହ ତେଲ ଲୁଣ ଓ ଭବିଷ୍ୟତ ଚିନ୍ତା।ଘରର ଗୁଜୁରାଣ ମେଣ୍ଟାଇବା ପାଇଁ ଭୋର ପାଞ୍ଚଟାରୁ ଟିଉସନ୍ ରେ ବାହାରି ଯାଆନ୍ତି ଯେ କୁଆଡେ କଣ ଖାଇ ସ୍କୁଲ ଓ ଟିଉସନ୍ ସାରି ଘରକୁ ଫେରନ୍ତି ରାତି ଏଗାରରେ।ଭାରି ହାଲିଆ,କ୍ଲାନ୍ତ ଦିଶନ୍ତି।ନାକରେ କାନରେ କଣ ଟିକେ ଖାଇ ଖଟ ଧରୁ ଧରୁ ଘୁଙ୍ଗୁଡ଼ି ପେଲନ୍ତି।ଅନେକ କିଛି କହିବାର ଥିଲେ ବି ଶିବୁଙ୍କ ଅବସ୍ଥା ଦେଖି କିଛି କହି ପାରେନି ମୁଁ।


କେବେ କେବେ ରାତି ଅଧରେ ନିଦ ଭାଙ୍ଗିଯାଏ ଶିବୁଙ୍କର।ନିଦ ଜର ଜର ଦେହଟାକୁ ମୋର କୋଳେଇ ନିଅନ୍ତି।ମୁଁ ନିଦରେ ବାଉଳି ହୋଇ ବାପା ଲୋ ମାଲୋ ହୁଏ।ଶିବୁ ଡାକନ୍ତି ତନୁ....ଅନ୍ଧାର ପୃଥିବୀ ବିନା ଆଲୁଅରେ ହସେ।ତାପର ଦିନ ଖୁବ୍ ଫୁର୍ତ୍ତୀ ଲାଗେ।


ମୋର ମାସ ହୋଇ ଆସୁଥିଲା।ଜୋଜୋ ସହ ବାପା ମା ଓ ପେଟ ଭିତର ;ଏପରି ଚାରିଟା ଛୁଆଙ୍କ ଭାରରେ ନଇଁ ପଡୁଥିଲି ମୁଁ ତେଇଶି ବର୍ଷର ତନୁଶ୍ରୀ ;ମୋ ମା ର ଗେଲ୍ଲୀ ତନୁ।ରୁବି ଜୋଜୋକୁ ସ୍କୁଲ ଛୁଟିଦିନ ମାନଙ୍କରେ ଖୁଆଇ ଦିଅନ୍ତି।ଖାଇବା କିଛି ସମୟ ପରେ ଜୋଜୋ ପୁଣି କାନ୍ଦେ।ମୁଁ ଭାବେ ଜୋଜୋର ବୋଧେ କୁର୍ମୀ ହୋଇଛି।ଏଇ ଲାଗେ ଖାଇଲେ ବି ପୁଣି କାନ୍ଦୁଛି!ପ୍ରକୃତ କଥା ଜୋ ଜୋ ଘଣ୍ଟା ଘଣ୍ଟା ଲଗାଏ ଢ଼ୋକିବାକୁ।କିନ୍ତୁ ରୁବି ଖୁଆଇଲା ଦିନ ଦଶ କୋଡିଏ ମିନିଟ୍ ରେ ଖାଇବା ସରିଯାଏ।ମୁଁ ଖୁସି ହୁଏ ପୁଅ ଖାଇଲା।ପ୍ରକୃତ କଥା ବାରି ଆଡକୁ ବୁଲେଇ ଖୁଆଇବାକୁ ନେଇ ରୁବି ଜୋଜୋ ଖାଇବା ନ ଢ଼ୋକିଲେ ଖାଦ୍ୟ ପୋଖରୀରେ ଫିଙ୍ଗି ଦେଇ

ଆସନ୍ତି ;କହୁଥିଲେ ପଡିଶା ଘର ମିନତୀ ଖୁଡି।


ମୋ ସାଙ୍ଗ ମାନେ କେହି ବାହା ହୋଇ ନାହାନ୍ତି।କିନ୍ତୁ ମୁଁ ଦର ବୁଢ଼ୀ ଦିଶିଲିଣି।ଲାଗ ଲାଗ ମା ହେବା ପୁଣି ରୋଗୀଣା ଶାଶୁ ଶଶୁରଙ୍କ ସେବା ସହ ଘର ଗୋଟାକ କାମ ।ସେଥିରେ ଟିକି ଛୁଆ ଜୋଜୋ ର ଯତ୍ନ ମୋତେ ବୁଢ଼ୀ କରିବାକୁ ଯଥେଷ୍ଟ ଥିଲା।ରାତି ଅଧିଆ ନିଦୁଆ ଚାରି କାନ୍ଥ ପୃଥିବୀ ମୋତେ କେତେବେଳେ ଦ୍ଵିତୀୟ ମା କଲା ଜାଣି ପାରିଲି ନାହିଁ।ପିଲାଳିଆମୀ ଯାଇ ନାହିଁ; ପିଲା ପରେ ପିଲା ମୋତେ ଘୃଣା ଲାଗୁଥିଲା ନିଜକୁ। ଶିବୁ ବି ଅସହାୟ। ସ୍ଥିର ହୋଇଛି ଏଥର ଡେଲିଭରି ବେଳେ ଫେମିଲି ପ୍ଲାନିଂ ଅପେରେସନ୍ ନିଶ୍ଚିନ୍ତ।


ଶିବୁଙ୍କର ଘର ଚଳିଲା ନାହିଁ ବୋଲି ସିନା ମୋ ପରି ଗରିବ ଝିଅଟିକୁ ଦୟା ଦେଖେଇ ବାହା ହୋଇ ପଡିଲେ ବିନା ଡାଉରୀରେ; କିନ୍ତୁ ନିଜ ଫେମିଲି ବଢିବ ବାହା ହେଲେ ଏତିକ ଭାବି ନଥିଲେ। ଶଶୁରଙ୍କ ହାଇ ଡାଇବେଟିସ୍। ଶାଶୁ ଦିନ ରାତି ଖଟି ଖଟି ମେରୁଦଣ୍ଡରେ ଗ୍ୟାପ୍;ଅହରହ ଶୋଇଥିବେ ଚିତ୍ ହୋଇ। ଜୋଜୋ ଅଳିଆ ଅସନା ହେଲେ କାନ୍ଦି ପକେଇବେ । ମୁଁ ଭଲ ଥିଲେ ମୋ ଛୁଆଟି କଣ ଏମିତି ବାର ଅବସ୍ଥା ହୁଅନ୍ତା କହି ଖାଲି ଲୁହ ଗଡେଇବେ। ମୋତେ ପାଖକୁ ଡାକି ମୋ ଦେହ ହାତ ଆଉଁସି ଦେଇ କହିବେ ସାତ ସାନ ଛୁଆଟା କେତେ କରିବୁ। ମା ସିନା ଶୋଇ ଥାନ୍ତି; ଶୋଇକି ବି ମୋତେ ବାଟ ଦେଖାନ୍ତି ଚାଲୁ ଚାଲୁ ଝୁଣ୍ଟି ପଡିଲେ।ଶଶୁରଙ୍କ ଗୋଡ଼ ହାତ ଥରେ ବ୍ରସ ବି କରି ପାରନ୍ତି ନାହିଁ।ବ୍ରସ କରିବା ଠାରୁ ଖୁଆଇବା ଗାଧୋଇବା କାମ ସବୁ ମୁଁ ହିଁ କରେ।ସେମାନେ ନିଃସହାୟ ବୋଲି କି କଣ ମୋ ବାପା ଠାରୁ ଅଧିକ ସ୍ନେହ କରନ୍ତି ମୋତେ।


ଏତେ ଭଲ ଘର,ଚାକିରିଆ ସୁନ୍ଦର ବର ଦେଖି ମୋ ଦୀନ ମଜୁରିଆ ବାପା ମୋତେ ଖୁସି ହୋଇ ମାତ୍ର ଉଣେଇଁଶୀ ବର୍ଷରେ ବାହା ଦେଇ ଦେଲେ।ଭାରି ଖୁସି ଥିଲେ ବାପା ତାଙ୍କ ଝିଅ ବାହା ଘରରେ ତାଙ୍କୁ ଗୋଟିଏ ପଇସା ଖର୍ଚ୍ଚ କରିବାକୁ ପଡିଲା ନାହିଁ।


ଏହା "ବଦଳମୂଲ୍ୟ" ରେ ମୁଁ ନିରୀହ ମେଣ୍ଡା ଛୁଆଟି ଚାପି ହୋଇ ଯାଉଛି ସମସ୍ୟା ପାହାଡ଼ ତଳେ।ଅଣନିଃଶ୍ଵାସୀ ମୁଁ।ମୋ ଖୁସି ,ହସ,ସ୍ୱପ୍ନ ସବୁ ସେଇ "ବଦଳ" ପାହାଡ଼ ତଳେ ଆତ୍ମହତ୍ୟା କରୁଛନ୍ତି ପ୍ରତିକ୍ଷଣେ।


ଗରିବୀ ହେବାକି ଅଭିଶାପ!! ବାପା ମା କାହିଁକି ଏମିତି "ବଦଳ ମୂଲ୍ୟ" କରନ୍ତି।ବିନା ପଇସାରେ ବାହା ନ ଦେଇ ଝିଅଟିକୁ ନିଜ ଗୋଡ଼ରେ ଠିଆ ହେବା ପାଇଁ କେବଳ ସମର୍ଥନ କଲେ ବଞ୍ଚି ଯାଆନ୍ତେ କିଛି ଟା ତନୁଶ୍ରୀ।


ହେ ଗରିବ ଘରର ବାପାମା! ତୁମେ ଝିଅକୁ ବାହା ନୁହେଁ ସ୍ୱାବଲମ୍ବୀ କରିବା ପାଇଁ ଉତ୍ସାହିତ କର।ବିନା ଡାଉରୀ ବାହା ଲୋଭ ଜାଲରେ ଛଟ୍ ପଟ୍ କରି ମାରନି ତନୁଶ୍ରୀ ମାନଙ୍କୁ ।

ପ୍ଲିଜ଼.....



Rate this content
Log in

Similar oriya story from Tragedy