ବଡଘର ବୋହୂ
ବଡଘର ବୋହୂ
ସୁଜାତାର ପାଠପଢା ସରୁସରୁ ବାହାଘର ହେଇଗଲା।ଜଣେ ଡାକ୍ତରଙ୍କ ସହ। ବଡ ଘର ଭଲ ପ୍ରସ୍ତାବ ଆସିବା ଦେଖି ବାହା କରିଦେଲେ ଶୀଘ୍ର |ସ୍ବାମୀ ତାର କେଡିଓଲୋଜିଷ୍ଟ।ତାଙ୍କର ଅନେକ ନାଆଁ ଅଛି।ତାଙ୍କ ହାତର ଯାଦୁଗରୀରେ କେତେ ଅପରେସନ ସଫଳ ହେଇଛି ଓ ଗମ୍ଭୀର ସଂକଟରେ ଥିବାରୋଗି ନୂଆ ଜୀବନ ପାଇ ଫେରିଛନ୍ତି। ସକାଳ ଆଠଟାରୁ ଘରୁ ବାହାରିଗଲେ ରାତି ଦଶପରେ ଯାଇ ଫେରନ୍ତି।କେବେକେବେ ରାତିସାରା ବି ରହିବାକୁ ପଡେ। ସୁଜାତାକୁ ଲାଗେ ସେ ଏକ ଅଭିଶପ୍ତ ଜୀବନ ବଞ୍ଚୁଛି ଯେମିତି।ସେ ଯାହା ପିଲାବେଳୁ ତା ସ୍ବପ୍ନରେ ସଂଯୋଇ ରଖିଥିଲା ସେମିତି କିଛି ଘଟିଲାନି ତାସହ। ସ୍ବାମୀଙ୍କ ମଧୁର ରାମାନ୍ସ।ବାହାରକୁ ବୁଲିଯିବା ଖାଇବା ପିଇବା ସପିଙ୍ଗ କିଛି ଭୋଗିପାରିଲାନି ତା ଜୀବନରେ।
କେବଳ ଘରେ ରହି ରୋଷେଇବାସ କରି ଟିଭି ଦେଖି କଟିଗଲା ତାର ଆୟୁଷ।ପିଲାମାନେ ଜନ୍ମ ହେଲେ। ଯେମିତି ପିଲାଜନ୍ମକରିବା ଏକ କର୍ତ୍ତବ୍ୟ ବୋଲି ପିଲା ଜନ୍ମନେଲେ।ହେଲେ ପିଲାଏ ବାପାର ସ୍ନେହରୁ ବଞ୍ଚିତ ରହିଲେ।ବାପା ଫେରିଲା ବେଳକୁ ପିଲାଏ ଶୋଇ ଯାଇଥାନ୍ତି।ବ୍ୟାଙ୍କରେ ଅନେକ ଗୁଡିଏ ଟଙ୍କା ହେଲେ ବାପା ବା ସ୍ବାମୀର ସୁଖ ତାଙ୍କ ଭାଗ୍ୟରେ ନାହିଁ।ସେ ଯେତେବେଳେ କୋଣସି ଗରିବ ପରିବାରକୁ ଏକାଠିମିଶି ହସୁ ଥିବାର ଦେଖେ ସେତେବେଳେ ଭାବେ।କାଶ୍ ସେ ଏମିତି ଗରିବ ଲୋକଟାକୁ ବାହା ହେଇଥାନ୍ତା।ଦୁଇଜଣ ଏକାସାଙ୍ଗରେ ମିଶି କାମ କରନ୍ତେ।ସବୁବେଳେ ଏକାଠି ରହନ୍ତେ।କମ୍ ଜିନିଷରେ ସୁଖ ଖୋଜି ନିଅନ୍ତେ।
ସେ ଘରେ ବସିବସି ବୋର୍ ହେଇଯାଉଥିଲା।ଚାକିରି କରିବାକୁ ଦରକାର ନଥିଲା କାରଣ ତା ଦରକାରି ଜିନିଷ ସବୁ ଉପଲବ୍ଧ ହେଇଯାଉଥିଲା।ବେଙ୍କ ଏକାଉଣ୍ଟ ତା ନାଆଁରେଥିଲା।କ୍ରେଡିଟକାର୍ଡ ଅଛି କିଛି ଅନ୍ଲାଇନ କିଣିବା ପାଇଁ। ଆଉ କଣ ଦରକାର ତାପାଇଁ,ଏହା ସ୍ବାମୀଙ୍କ ଓ ଶାଶୁଘର ଲୋକଙ୍କ ଯବାବ।
ହେଲେ ସେ ଅଭାବ ଅନୁଭବ କରୁଥିଲା।ଯାହା ଅନ୍ୟମାନେ ଦେଖି ପାରୁନଥିଲେ।ସେ ଧିରେ ଧିରେ
ଡିପ୍ରେସନରେ ଚାଲି ଯାଉଥିଲା।ତାର ମନର ସରସତା ମରି ଯାଉଥିଲା। ସେ ନିଜକୁ ଏକ ଅଦରକାରି ଜୀବ ଭାବୁଥିଲା।କାହାରି ଜୀବନରେ ତାର ଆବଶ୍ୟକତା ନାହିଁ? ପିଲାମାନେ ବି ବଡ ହେବାପରେ ତା କଥାକୁ ଆଉ ଗୁରୁତ୍ବ ଦେଲେନି ନିଜ ମର୍ଜିରେ ଚଳିବାକୁ ଲାଗିଲେ।ଦିନେ ସେ ବିରକ୍ତ ହେଇ ଘର ଛାଡି ଏକ ଆଶ୍ରମକୁ ଚାଲିଗଲା।ସେଠି ଆଶ୍ରମ ବାସୀଙ୍କ ସେବା ସହଯୋଗରେ ତାର ସମୟ ର ସଦୁପଯୋଗ ହେଲା।ସେଠିକାର ଲୋକେ ତାକୁ ଦେବୀ ପରି ମାନିବାକୁ ଲାଗିଲେ ସମ୍ମାନରେ ପୋତିପକେଇଲେ ତାକୁ।ତାବିନା ଯେମିତି ସମସ୍ତେ ଅଚଳ ହେଇ ପଡୁଥିଲେ।ସେଠି ଯାଇ ତାକୁ ଲାଗିଲା ସେବି କାହାର କାମରେ ଲାଗି ପାରୁଛି।
ତାର ବି ମହତ୍ତ୍ୱ ଅଛି କାହାକାହା ଜୀବନରେ।ସେ ଘରୁ ଚାଲି ଆସିବା ପରେ ପିଲାଏ ବି ମାଆର ଅଭାବ ଓ ମହତ୍ତ୍ୱକୁ ଅନୁଭବ କରିବାକୁ ଲାଗିଲେ।ତାକୁ ସମୟ ଦେଉ ନଥିବା ପତି,ଏତେ ଦିନ ଆଡ କରି ଦେଇଥିବା ପତି ଏବେ ତାକୁ ଝୁରି ହେଉଥିଲେ।ଜିନିଷଟେ ହଜିଗଲେ ତାର ମହତ୍ତ୍ୱ ଆମେ ବୁଝିପାରୁ।
ତାକୁ ଫେରାଇ ଆଣିବାକୁ ଅନେକ ପ୍ରଯତ୍ନ କଲେ କିନ୍ତୁ ସେ ଆଉ ଫେରିଲାନି।ସେ ଗରିବ ଅସହାୟଙ୍କ ସେବାରେ ନିଜ ଜୀବନରେ ଖୁସି ଖୋଜିନେଇଥିଲା।ଲେଖାଲେଖି ଓ ପଢାପଢି ପରି ସୃଜନାତ୍ମକ କାମରେ ନିଜକୁ ବିନିଯୋଗ କରି ଆତ୍ମ ସନ୍ତୋଷ ଖୋଜି ପାଇଯାଇଥିଲା |ସେ ତେବେ ଫେରନ୍ତା କୋଉ ସୁଖ ଲାଭ ଆଶାରେ।କମ୍ ଜିନିଷରେ ଥରେ ଚଳିବା ଶିଖିଗଲେ ରାଜଭୋଗ ଆଉ ଆକୃଷ୍ଟ କରିପାରେନି ତା ଆଡକୁ।
