Arati Sahoo

Tragedy

3  

Arati Sahoo

Tragedy

ବଡ଼ ବଡୁ଼ଆ ହୋ

ବଡ଼ ବଡୁ଼ଆ ହୋ

5 mins
518



ବଡ଼ ବଡୁ଼ଆ ହୋ ଗଙ୍ଗା ଯା ଗୟା ଯା 

ଅନ୍ଧାରରେ ଆସି ଆଲୁଅରେ ଯା ।

ମହା ପ୍ରସାଦ ଖାଇ ବାଇଶି ପାହାଚରେ ଗଡ଼ଗଡ଼ଉ ଥା ।


ଗାଁ ସାରା ପ୍ରକାଶମୟ । କୁଟୁମ୍ବ କୁ କୁଟୁମ୍ବ ପୁରୁଷ ଲୋକ ଗୋଲ ଘେରରେ ଥାଇ ବିଡ଼ା ବିଡ଼ା ନଳିତା ଖାଡି଼ ଜାଳି ବଡ଼ ବଡୁ଼ଆଙ୍କ ଉଦ୍ଦେଶ୍ୟରେ ଡାକ ଛାଡ଼ି ଖଣ୍ଡମଣ୍ଡଳ କମ୍ପାଉଥାନ୍ତି । ଗାଁ ଦାଣ୍ଡରେ ସତେକି ପୂର୍ବ ପୁରୁଷ ମାନଙ୍କର ଦିବଙ୍ଗତ ଆତ୍ମା ସବୁ ଆସି ଭୀଡ଼ ଜମେଇଥାନ୍ତି । ତାଙ୍କୁ ଆଜି ଅନ୍ଧାରରୁ ଆଲୋକକୁ ଯିବା ନିମନ୍ତେ ଆହ୍ଵାନ କରାଯାଉଛି। ତାଙ୍କର ଉତ୍ତର ଦାୟାଦ ମାନେ ସେମାନଙ୍କର ମୋକ୍ଷପ୍ରାପ୍ତି ନିମନ୍ତେ ତାଙ୍କର ପୟାଶ୍ରାଦ୍ଧ କରୁଛନ୍ତି । 


 ଝାଟିମାଟିର ନଡା଼ ଛପର ଦିଆ ହାତଗଣତି କେଇଟା ଘରକୁ ନେଇ ଛୋଟିଆ ଗାଁ ବାସୁଦେବଙ୍କର । ଜଗତସିଂହପୁର ଜିଲ୍ଲାର ଅନାମଧେୟ ଗାଁ ଟିର ନାମ ନା ତ ଇତିହାସରେ ଅଛି ନା ଭୁଗୋଳରେ । ସେହି ଗାଁର ନାମ କେଵଳ ସେଠିକାର ପ୍ରାୟ ଛୁଆ ବଡ଼ ମିଶି ଅଶି ନବେ ଜଣ ବାସିନ୍ଦା ହିଁ ଜାଣିଥିଲେ । 'ତେନ୍ତୁଳିଆ ' । ସେହି ଅଶି ନବେ ଜଣ ମଣିଷଙ୍କ ମଧ୍ୟରେ ବାସୁଦେବ ଥିଲେ ପୃଥକ । ତାଙ୍କୁ ଗାଁ ଲୋକେ ପୃଥକ ବୋଲି ଭାବିବାର ଯଥେଷ୍ଟ କାରଣ ଅଛି । ପ୍ରଖର ମେଧା ସମ୍ପନ୍ନ ବାସୁଦେବ ଗାଁ ଚାଟଶାଳୀରେ ଯେମିତି ବିଦ୍ୟା ଆହରଣ କଲେ ତାହା ଦେଖି ଲୋକଙ୍କ ଧାରଣା ପ୍ରବଳ ହେଲା ଯେ ତୁଳସୀ ଦୁଇ ପତ୍ରରୁ ବାସେ । ପ୍ରାଥମିକ ପାଠ ଶେଷ କରି ସେ ବାଆଙ୍କ ପାଖରେ ଜିଦି କଲେ ଆହୁରି ପାଠ ପଢ଼ିବେ । ଏପର୍ଯ୍ୟନ୍ତ କେହି ସପ୍ତମ ଶ୍ରେଣୀରୁ ଆଗକୁ ଯାଇ ନଥିଲେ । ନଈ ପାରି ହୋଇ ପାଠ ପଢ଼ିବା ପାଇଁ କେହି ସାହସ କରି ନଥିଲେ କି ଇଚ୍ଛା ବି କରି ନଥିଲେ । ବାସୁଦେବଙ୍କର ବାଆ ଅଣ୍ଟା ଭିଡି଼ଲେ ତାଙ୍କୁ ଆଗକୁ ପଢ଼।ଇବା ପାଇଁ । ପୋଲ ନଥିବା ନଈକୁ ପହଁରି ପହଁରି ପାରି ହୋଇ ଯିବା ଅପେକ୍ଷା ପୁଅକୁ ଜଗତସିଂହପୁର ବଜାରରେ ଖଣ୍ଡିଏ କୋଠରୀ ଭଡ଼ା ନେଇ ରଖି ଦେବାକୁ ନିଷ୍ପତ୍ତି ନେଲେ ।


 ମେଟ୍ରିକ ପାସ୍ କଲା ପରେ ରେଭେନ୍ସା ମହାବିଦ୍ୟାଳୟରେ ଇଂରାଜୀ ସମ୍ମାନ ନେଇ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ବାସୁଦେବ । ତାପରେ ସ୍ନାତକୋତ୍ତର । ଯାହା ହେଇ ଯାଉନା କାହିଁକି ଦୀପାବଳୀ ଦିନ ସେ ସବୁବର୍ଷ ଗାଁରେ ନିଶ୍ଚିତ ଉପସ୍ଥିତ ରହୁଥିଲେ । ଗାଁରେ ସମ୍ପର୍କ ସବୁ ଏଇଆ ଯେ ସମସ୍ତଙ୍କର ସମସ୍ତ ନିକଟ ସମ୍ବନ୍ଧୀୟ ମାନେ ମଧ୍ୟ ସେହି ଗାଁରେ ବାସ କରୁଥିଲେ । ଗାଁ ରୁ ନା କୌଣସି ଝିଅ ବାହାହେଇ ବିଦା ହେଉଥିଲା ନା କୌଣସି ନୂଆ ଝିଅ ବିଦା ହୋଇ ଏ ଗାଁକୁ ଆସୁଥିଲା । ମାମୁଁ, ମାଉସୀ ,ଦାଦା , ପିଇସୀ ସମସ୍ତେ ସେଇଠି । ତେଣୁ ସମଗ୍ର ଗାଁ ଏକ ପରିବାର ଭଳି । ଦୀପାବଳି ଦିନ ସେହି ଖାଡି଼ ଜାଳିବା ଦୃଶ୍ୟ ତାଙ୍କୁ ବହୁତ ପ୍ରିୟ ଥିଲା ।


 ମନରେ ଏକ ଉଚ୍ଚ ଆଶା ପୋଷଣ କରି ଥାଆନ୍ତି ସେ । ନିଜ ଗାଁ ଟିକୁ ସେ ମୁଖ୍ୟ ଧାରାରେ ଯୋଡ଼ି ବାକୁ ଚେଷ୍ଟା କରିବେ । ସେଥିପାଇଁ ତାଙ୍କୁ ଯାହା କରିବାକୁ ପଡ଼ିବ କରିବେ । କିନ୍ତୁ ପ୍ରଥମେ ନିଜକୁ ଦୁନିଆରେ ପ୍ରତିଷ୍ଠିତ କରିବା ଆବଶ୍ୟକ । ଗାଁ ଲୋକେ ମଧ୍ୟ ବେଶ୍ ଆଶାବାଦୀ ଥିଲେ ସେଥିପାଇଁ । ତାଙ୍କ ଦ୍ୱାରା ପ୍ରେରିତ ହୋଇ ଅନେକ ପିଲାଙ୍କୁ ପଢ଼।ଇବା ପାଇଁ ଲୋକେ ଆଗ୍ରହୀ ହେଲେ ।


 1999 ମସିହା ଅକ୍ଟୋବର ମାସ । ତାଙ୍କୁ ଇଂରାଜୀରେ ଉଚ୍ଚ ଶିକ୍ଷା ନିମନ୍ତେ କେମ୍ବ୍ରିଜ ବିଶ୍ଵ ବିଦ୍ୟାଳୟରେ ସ୍କଲାର୍ଶିପ ସହ ସରକାରୀ ସାହାଯ୍ୟ କିଛି ମଧ୍ୟ ମିଳିଗଲା । ତାପରେ ବିଦେଶରେ ପାର୍ଟ ଟାଇମ ଜବ୍ କରି ବାକି ଖର୍ଚ୍ଚ ଚଳିଯିବ । ଗାଁରେ ଏକଥା ଜଣେଇ ନଥାନ୍ତି ସେ । ଦୀପାବଳୀ ଦିନ ଏ ଖୁସି ଖବରଟା ଦେଇ ସମସ୍ତଙ୍କୁ ଚମତ୍କୃତ କରିଦେବେ । ତାଙ୍କର ଗାଁକୁ ଯିବାର ଉତ୍ସୁକତା ଯେତେ ବଢୁଥାଏ ଅଧୈର୍ଯ୍ୟତା ମଧ୍ୟ ଥଳକୂଳ ମାନୁ ନଥାଏ । ସମୟ ଯେମିତି ଅତି ଧୀରେ ଧୀରେ ବିତୁଥାଏ ତାଙ୍କ ପାଇଁ ।


 ଅକ୍ଟୋବର 29 ତାରିଖ । ସେ ସକାଳୁ ବାହାରିଲେ କଟକରୁ ଗାଁ ଅଭିମୁଖେ । ବିଧି କିନ୍ତୁ ଅଲଗା କିଛି ନିର୍ଦ୍ଧାରଣ କରିଥିଲା । ମହାବାତ୍ୟା ମାଡ଼ି ଆସୁଥାଏ । ଯଦିଓ ସେ ଜାଣିଥାଆନ୍ତି ଏ ବାତ୍ୟା ସାମାନ୍ୟ ବାତ୍ୟା ନୁହେଁ କିନ୍ତୁ ମୌସମ ବିଭାଗ ମଧ୍ୟ ତାହାର କରାଳତା ଓ ଭୟାବହତା ବିଷୟରେ କଳ୍ପନା ସୁଦ୍ଧା କରି ନଥିଲେ । ଓଡ଼ିଶା କଣ ସମଗ୍ର ଭାରତକୁ ଚହଲାଇ ଦେଇଥିଲା ଏହି ସୁନାମୀ ଓ ମହାବାତ୍ୟା । ତତ୍ ସହିତ ବାସୁଦେବଙ୍କର ଗାଁର ଚିହ୍ନ ବର୍ଣ୍ଣ ଲିଭିଗଲା ଏ ଧରାପୃଷ୍ଠରୁ । ବିଶ୍ଵ ମାନଚିତ୍ରରେ ଅଣୁ କି ପରମାଣୁ ଆକାରର ଗାଁ ଟିକୁ ନିଶ୍ଚିହ୍ନ କରିଦେଲା । ବାସୁଦେବଙ୍କ ଜୀବନ ମାନଚିତ୍ରରୁ ମଧ୍ୟ ସମ୍ପର୍କ ସବୁ ହୋଇଗଲେ ନିଶ୍ଚିହ୍ନ । ସମଗ୍ର ବିଶ୍ଵରେ ସେ ହୋଇଗଲେ ଅନାଥ , ସମ୍ପର୍କୀୟ ବିହୀନ । 


 ସମୟ ଏଗାରଟା । ପବନର ବେଗ ଏତେ ବଢ଼ିଗଲା ଯେ ସେ ଯାଉଥିବା ବସ ଆଉ ଆଗକୁ ଯିବା ସମ୍ଭବପର ହେଲା ନାହିଁ । ଯିଏ ଯେଉଁଠି ପହଞ୍ଚିଲା ସିଏ ସେଇଠି ସୁରକ୍ଷିତ ସ୍ଥାନରେ ରହିଲା । ସମସ୍ତେ ଭାବିଥିଲେ ବାତ୍ୟା କ୍ଷୟକ୍ଷତି ଘଟାଇବ କିନ୍ତୁ କେତେ ମାତ୍ରାରେ ଘଟାଇବ ଏକଥା ଆକଳନ କରି ନଥିଲେ । ପବନ ମାଡ଼ରେ କେତେ ଯେ ମହାଦ୍ରୁମ ଟଳି ପଡ଼ିଲେ , କେତେ ଧନଜୀବନ ହାନୀ ହେଲା , କେତେ ଗାଁ ନିଶ୍ଚିହ୍ନ ହୋଇ ଗଲେ ତାହା ପରେ ଜଣା ପଡ଼ିଲା । ଓଡ଼ିଶା ସହ ସମ୍ପର୍କ ଛିନ୍ନ ହୋଇଥିଲା ଶେଷ ଭାରତର । ଯେତେବେଳେ ସବୁ ଜଣା ପଡ଼ିଲା କେତେ ଯେ ବାସୁଦେବଙ୍କର ଦୁନିଆ ଉଜୁଡି଼ ଯାଇଥିଲା ତାର ଇୟତ୍ତା ନାହିଁ । ତାଙ୍କ ଗାଁ କେଉଁ ସ୍ଥାନରେ ଥିଲା ସେ ନିଜେ ମଧ୍ୟ ଜାଣି ପାରିଲେ ନାହିଁ । ସମ୍ପୂର୍ଣ୍ଣ ନିର୍ଜନ ନିଜର ଜୀବନ ହାରି ଦେବା ପାଇଁ ସେ ଅନେକ ଥର ଚେଷ୍ଟା କରି ବିଫଳ ହୋଇଥିଲେ । କୁଆଡ଼େ ଗଲେ ବାଆ ମାଆ , ଜେଜ , ଜେଜୀ , ଦାଦା ଖୁଡି ,ମାମୁଁ ମାଇଁ , ପିଇସୀ ପିଇସା , ସାଙ୍ଗ ସାଥି , ତାଙ୍କ ଗାଁ ଦାଣ୍ଡ , ପୋଖରୀ ହୁଡ଼। , ତେନ୍ତୁଳି ଗଛ , ବର ଓହଳ , କୁଆଁର ପୁନେଇ , ରଜ ଦୋଳି ଆଉ ବଡ଼ ବଡୁ଼ଆ ଡାକ ।


 ଆଜିକୁ ଦୀର୍ଘ କୋଡ଼ିଏ ବର୍ଷ ବିତିଗଲାଣି , ସେ ନ୍ୟୁଜର୍ସିରେ , ଗୋଟିଏ ମହାବିଦ୍ୟାଳୟରେ ଅଧ୍ୟାପକ । ଆଜି ତାଙ୍କର ନିଜର ପରିବାର ନାହିଁ । କିନ୍ତୁ ଛାତ୍ରଛାତ୍ରୀ ମାନଙ୍କୁ ସେ ନିଜର ଦାୟାଦ ବୋଲି ଭାବନ୍ତି । ପରିବାର ଗଢ଼ିବା ପାଇଁ , ସମ୍ପର୍କ ଯୋଡ଼ିବା ପାଇଁ ତାଙ୍କର ଆଦୌ ସ୍ପୃହା ହୋଇ ନାହିଁ କେବେ । ଅରବିନ୍ଦ ସାମଲ , ଓଡ଼ିଆ ଛାତ୍ର ଟିଏ , ସବୁଠାରୁ ପ୍ରିୟ । କାରଣ , ଏକ ଦର୍ଦ କା ରିସ୍ତା । ସୁନାମୀ ପ୍ରପୀଡ଼ିତ ଗଞ୍ଜାମ ଜିଲ୍ଲାର କାଳଗର୍ଭରେ ବିଲୀନ ଗୋଟିଏ ପରିବାରର ଏକମାତ୍ର ଜୀବିତ ଦାୟାଦ । ରିସର୍ଚ୍ଚ କରୁଛି ଓଡ଼ିଶାର ପର୍ବ ପର୍ବାଣୀ ଉପରେ । ଆଜି ତାର ବିଷୟ ଥିଲା ଦୀପାବଳୀର ବଡ଼ ବଡୁ଼ଆ ଆହ୍ଵାନ ।


 ପୁଣି ଥରେ ତାଜା ହୋଇ ଯାଇଥିଲା ତାଙ୍କର ଦୁଃଖ । ଘା ଟି ପୁଣି ଥରେ ପୋଡ଼ି ଉଠିଥିଲା । ରାତିରେ ଶୋଇ ପାରୁ ନଥାନ୍ତି ସେ । ଆଗକୁ ଦୀପାବଳି । ପ୍ରେତ ସଦୃଶ୍ୟ ହାତ ସବୁ ଲମ୍ବି ଆସୁଥାନ୍ତି । ହାତରେ ନଳିତା ବିଡ଼। ଅଦା , ଆଖୁ ସହ ବନ୍ଧା ହୋଇଥିବା ନଳିତା । ବୋଇତ କୋଠୀ , ସେଥିରେ ପୂଜା ହୋଇଥିବା କଇଁ ପତର , କଇଁ ଫୁଲ , ସୁଆର ଲତା , ବାଳୁଙ୍ଗା , ବରୁଆଁ , କଣ୍ଟି ର ମନ ମୋହକ ବାସ୍ନା । ବଢ଼ା ହୋଇଥିବା ଛେନା ନଡ଼ିଆ କାକରା । ଜେଜଙ୍କର ନୋଳି ନୋଳି ହାତରେ ମୁଖ୍ୟ ଖାଡି଼ ବତୀ । ତାପରେ ,


 ତାଙ୍କୁ ଲାଗିଲା ତାଙ୍କ ଗାଁ ର ଅମୋକ୍ଷ ଅଶରିରୀ ଆତ୍ମା ସବୁ ତାଙ୍କୁ ହାତ ଠାରି ଡାକୁଛନ୍ତି ।  "ଆମର ବି ମୋକ୍ଷ ଦରକାର ।" 


 ଗୋଟିଏ ନିଷ୍ପତ୍ତି ନେଲେ ସେ । ସେ ଫେରି ଯିବେ ତାଙ୍କର ଓଡିଶା ଭୂଇଁକୁ । ଖୋଜିବେ ଅରବିନ୍ଦ ପରି ଅନାଥ ମାନଙ୍କୁ । ଚିହ୍ନଟ କରିବେ ଆହୁରି ବାସୁଦେବ ମାନଙ୍କୁ । ତାଙ୍କୁ ନେଇ ଗଢ଼ିବେ ସଂସାର । ଆଗାମୀ ବାତ୍ୟା ମାନଙ୍କର ଭୟାବହତାରେ ନିଶ୍ଚିହ୍ନ ହେବାକୁ ଦେବେ ନାହିଁ ତେନ୍ତୁଳିଆ ଗାଁ ସବୁକୁ । ଅନାଥ ହେବାକୁ ଦେବେ ନାହିଁ କୌଣସି ବାସୁଦେବ କିମ୍ବା ଅରବିନ୍ଦ ମାନଙ୍କୁ । ଆହ୍ଵାନ କରିବେ ଅତୃପ୍ତ ଆତ୍ମା ମାନଙ୍କୁ । ଦୀପାବଳୀ ରେ ଜାଳିବେ ପୟା । ଖାଡି଼ ଜାଳି ଡାକିବେ ,


 ବଡ଼ ବଡୁ଼ଆ ହୋ , ଗଙ୍ଗା ଯା ଗୟା ଯା ..........



Rate this content
Log in

Similar oriya story from Tragedy