Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Siddhartha Tripathy

Tragedy

3  

Siddhartha Tripathy

Tragedy

ବାରବୁଲା

ବାରବୁଲା

4 mins
200


   ଗାଆଁକୁ ଗାଆଁ ବୁଲିବୁଲି ଖେଳ ଦେଖାନ୍ତି ଦୁଇ ପରିବାର । ଗୋଟିଏ ପରିବାରର ପୁଅ ରବିନ, ଆଉ ଗୋଟିଏ ପରିବାରର ଝିଅ ରୁବି । ଗାଆଁକୁ ଗାଆଁ ଘୁରି ପେଟ ପୋଷନ୍ତି ବୋଲି ଏମାନଙ୍କ ନାଆଁ ବାରବୁଲା । ହେଲେ ରବିନ ଭଲ ପଢୁଥିବାରୁ ଜଗନ୍ନାଥପୁର ସ୍କୁଲରେ ଅଧ୍ୟୟନରତ ଓ ସେଇ ଗାଆଁରେ ସ୍ଥିର । ଯେଉଁଆଡେ ଖେଳ ଦେଖାଇବାକୁ ଗଲେ ବି ଫେରିଆସେ ରୁବି ଓ ଦେଖାଶୁଣା କରେ ରବିନର । ଛୁଆବେଳୁ ଦୁଇ ପରିବାର ସେମାନଙ୍କ ବାହାଘର ପାଇଁ ଏକମତ । ହାଇସ୍କୁଲରେ ପଢୁଛି ରବିନ । ଖାଇବା ବାଢିଦେଇ ଡାକିଲା ରୁବି । ଆରେ ରହ । ଆସନ୍ତାକାଲି ବିଦ୍ୟାଳୟରେ ଗଳ୍ପ ପ୍ରତିଯୋଗିତା ଅଛି । ମୁଁ ଲେଖୁଛି । 


   ହଉ, କଣ ଲେଖିଛୁ ଶୁଣେ କହିଲା ରୁବି । ରବିନ ଆରମ୍ଭ କଲା; ଆଜିକାଲି ଗଳ୍ପର ସଂଜ୍ଞା ବଦଳି ଗଲାଣି, ପ୍ରେମ ଓ ସୁଖଦ ମିଳନ ଗଳ୍ପ ଯୁବପୀଢିର ପସନ୍ଦ । ନାରୀର ମହାନତା ବଖାଣି ନପାରିଲେ ସୁସ୍ୱାଦୁ ବ୍ୟଞ୍ଜନର ଅବତାରଣା କରିଦେଲେ ଗୃହିଣୀମାନଙ୍କ ମୋହର ବାଜିଯିବ । ଅନାଥାଶ୍ରମର ବ୍ୟଥା, ବୃଦ୍ଧ ପିତାମାତାଙ୍କୁ ଶ୍ରବଣକୁମାର ପରି ସେବା କରୁଥିବା ପୁତ୍ରର ଅବତାରଣା କରିଦେଲେ ପ୍ରୌଢମାନଙ୍କ ପାଇଁ ଆମୋଦଦାୟକ । ଇଂରାଜୀ ଗଳ୍ପଟିଏ ଓଡିଆରେ ବର୍ଣ୍ଣନା କରିଦେଲେ କଲେଜପଢୁଆ ଖୁସ୍ । ଦୁଃଖରେ ପରିସମାପ୍ତି ହେଉଥିବା ଗଳ୍ପର ଚାହିଦା ନାହିଁ । କାରଣ ଏକବିଂଶ ଶତାବ୍ଦୀରେ ସତ୍ୟକୁ ଆଦରି ନେବାର ଓ ସ୍ୱୀକାର କରିବାର ସତ୍ ସାହସ ନାହିଁ । ମୁଁ ଆପଣଙ୍କ ନିକଟରେ ସୁନ୍ଦର ଗଳ୍ପଟିଏ *ସମର୍ପଣ* କରୁଛି । 

ଏ ଯାଏଁ ଲେଖିଛି କହିଲା ରବିନ । 

ଠୋ ଠୋ ହସିଉଠି ରୁବି କହିଲା ସାହିତ୍ୟ କହି ଉନ୍ନତମାନର ଶବ୍ଦ ଦେଇଦେଲେ ସାହିତ୍ୟ ହୋଇଯାଏନା । ଠିକ ଉପସ୍ଥାପନାର ଆବଶ୍ୟକତା ରହିଛି । ଗଳ୍ପ ଲେଖୁଛି ନା ଚୋପା । 


  ଆଶ୍ଚର୍ଯ୍ୟ ହୋଇ ପଚାରିଲା ରବିନ, ଏ ରୁବି କେଉଁଠି ଭୁଲ କହିଲି, ତାଛଡା ଏତେ କମ ପାଠ ପଢି ବି ତୋର ଜ୍ଞାନ କେମିତି ? ହସି ହସି ରୁବି କହିଲା, ଆରେ ବୋକା, ଭଗବାନଙ୍କୁ ଭୋଗ ସମର୍ପଣ କରାଯାଏ, କିନ୍ତୁ ପାଠକଙ୍କୁ ଗଳ୍ପ ସମର୍ପଣ ଶବ୍ଦ ପ୍ରଯୁଜ୍ୟ ନୁହେଁ । ଠିକ କହିଲୁ ଲୋ ରୁବି କହିଲା ରବିନ । ମୁଁ ଭାବୁଥିଲି ତୁ ରାଗିଯିବୁ । ହସି ହସି ରବିନ କହିଲା ନା, ନା । 


    ରବିନ କହିଲା, ଏ ରୁବି ତୁ ଆଉ ରଶି ଖେଳରେ ଭାଗ ନେବାକୁ ମନା କରେ । ତୁ ପରା ମୋର ଭାବି ସ୍ତ୍ରୀ । ତା ଛଡା ତୁ ବଡ ହୋଇଗଲୁଣି, ମୁଁ ଲକ୍ଷ୍ୟ କରିଛି ଶିକ୍ଷିତ ଆଧୁନିକ ଯୁବକଙ୍କ ତୋ ଉପରେ ଲୋଲୁପ ଦୃଷ୍ଟି ରହୁଛି । ହଉ ମୁଁ ଚେଷ୍ଟା କରିବି, ହେଲେ ତୋ ପାଠପଢା ପାଇଁ ମୋତେ ଏସବୁ କରିବାକୁ ପଡୁଛି, ତୁ ଏସବୁକୁ ଧ୍ୟାନ ନଦେଇ ପାଠପଢାରେ ଧ୍ୟାନ ଦିଅ । ମୋ ଉପରେ ଭରସା ରଖ । 



  ହଁ ଭରି ତୁ ମୋ ସୁନାଟା କହି ଗେହ୍ଲା କରିଦେଲା ରବିନ । ଧେତ କହି ଲାଜେଇଯାଇ ଦୁରେଇଗଲା ରୁବି । ରବିନ କହିଲା ତୋ ପ୍ରଚେଷ୍ଟାର ଫଳ ହେଉଛି ମୋ ପାଠପଢା, ନହେଲେ ମୁଁ ବାରବୁଲା ତୋ ସାଙ୍ଗରେ ରଶିଖେଳ ଦେଖାଉଥାନ୍ତି । ତାଛଡା ତୁ ମୋପାଇଁ ନିଜ ପଢାରେ ଡୋରି ବାନ୍ଧିଲୁ । ନା ରେ ରବିନ ତୁ ପରା ମୋର ଈହକାଳ ପରକାଳର ଦେବତା । ତୁ ବଡଚାକିରୀ କଲେ ମୋ ପାଇଁ ସେତିକି ଯଥେଷ୍ଟ । ଖୁସିରେ, ପ୍ରେମରେ ରୁବିକୁ ଆଲିଙ୍ଗନ କରୁଥିଲା ରବିନ ଓ ହସି ଉଠୁଥିଲେ ଦୁହେଁ । 


 

  ସମୟର ଚକ ଯାଏ ଗଡିଗଡିକା । ରଶିଖେଳ ଦେଖାଇ ଦେଖାଇ ଦୁଇ ପରିବାରର ଆଶୀର୍ବାଦର ଫଳ ସ୍ୱରୂପ ରବିନ ଆଜି ଉଚ୍ଚପଦାଧିକାରୀ । ତା କ୍ୱାର୍ଟର୍ସକୁ ଆଗରୁ ବହୁତଥର ବାହାରୁ ଦେଖିଛି ରୁବି । ଆଜି ସେହି କ୍ୱାର୍ଟର୍ସକୁ ଆସିବ ରବିନ । ବଡବଡ ଗାଡି ସବୁ ବହୁପୂର୍ବରୁ ଆସି ଠିଆ ହୋଇଛି କ୍ୱାର୍ଟର ସାମ୍ନାରେ । ମାଳମାଳ ପୋଲିସ ଗାଡି । 


  ଆଜି ରୁବିର ଶେଷ ରଶି ଖେଳ । ତାପରେ ସେ ହେବ ରବିନର ଧର୍ମପତ୍ନୀ । ସବୁବେଳେ ରବିନ କୁହେ ପୁରୁଷଙ୍କ ଲୋଲୁପ ଦୃଷ୍ଟି ତା ଉପରେ । ତେଣୁ ଆଜି ଭଲଜାମାଟିଏ ପିନ୍ଧି ଆସିଛି ଶେଷ ଖେଳ ଦେଖେଇବା ପାଇଁ, ତାପୁଣି ରବିନର କ୍ୱାର୍ଟର୍ସ୍ ସାମ୍ନାରେ । ତା ଘରଲୋକ ବି ଜାଣିନାହାନ୍ତି ତାଙ୍କର ରବିନ ଏଇ କ୍ୱାର୍ଟର୍ସକୁ ଆସୁଛି । ଜାଣିଥାଆନ୍ତେ ବା କେମିତି ? ରୁବି ବି ତ ଜାଣିନଥିଲା । ଚିନାବାଦାମ ଠୁଙ୍ଗାରେ ରବିନର ଫଟୋ ଦେଖି ସେ ଜାଣିପାରିଲା, ହେଲେ କାହାକୁ କିଛି କହିନଥିଲା କାରଣ ସେ ପ୍ରଥମେ ଏକାନ୍ତରେ ଭେଟିବ ତା ମନର ମଣିଷଟିକୁ । 


   ଦୂରରୁ ଦେଖିଲା ରୁବି ବଡଗାଡିଟିଏ ଆସୁଛି ଓ ସମସ୍ତେ ଦୌଡ଼ାଦୌଡ଼ି ଆରମ୍ଭ କଲେଣି । ଖୁସିରେ କୁରୁଳିଉଠି ତା ମନର ମଣିଷକୁ ଦେଖାକରିବାକୁ କ୍ୱାର୍ଟର୍ସ ପାଖରେ ପହଞ୍ଚିଲା ରୁବି । ଅଟକାଇଲେ ପୋଲିସ । ପୋଲିସବାବୁଙ୍କୁ କହିଲା ରୁବି, ଆରେ ସେ ମୋର ଅତ୍ୟନ୍ତ ପରିଚିତ, ମୋତେ ଭିତରକୁ ଛାଡ ନହେଲେ ପାଟିକରି ଡାକିବି । ପୁଲିସ ଛାଡୁନଥିଲେ, ବହୁତ କଷ୍ଟରେ ଠେଲିପେଲି ରବିନ ପାଖରେ ପହଞ୍ଚି ରବିନ ! କହି କୁଣ୍ଢେଇ ପକେଇଲା ତାକୁ । ରବିନ ପାଖରେ ହାତରେ ହାତ ଛନ୍ଦି ଉଗ୍ରାଧୁନିକା ମେମସାହାବ କହିଉଠିଲେ, ଆରେ କିଏ ଏ ମୂର୍ଖ! ଡାର୍ଲିଙ୍ଗ ତମ ସୁଟଟା ନଷ୍ଟ କରିଦେଲା । ରବିନ ଧଡକରି ଚାପୁଡାଟିଏ ମାରି କହିଲା, କିଏ ଏ ଅଭଦ୍ର! ଏଇଟାକୁ ଏଠାରୁ ନିଅ । ଅଭଦ୍ର ଭିକାରୀ କେଉଁଠିକାର । ଆଁ କରି ଅନେଇଥିଲା ରୁବି । ତାର ଆଉ କିଛି ବୁଝିବାର ବାକି ନଥିଲା । ଧଡକରି ଚଟକଣିଟିଏ ବସାଇଦେଲା ରବିନ ଗାଲରେ । ବାସ୍, ତାପରେ ଟେକି ନେଇଗଲେ ପୁଲିସ । ଅଫିସରଙ୍କୁ ମରଣାନ୍ତକ ଆକ୍ରମଣରେ ଗୁଡାଏ ସଙ୍ଗିନ ଦଫା ଲାଗିବା ସହ ବାରବର୍ଷ ଜେଲ । 

ଖୁଁ ଖୁଁ କାଶି କାଶି କହୁଥିଲା ଜେଲର ସାଙ୍ଗ ନିଶିକୁ । ଦୁଇ ବାରବୁଲା ପରିବାରର ଇତିହାସ ଛିଣ୍ଡାପୁସ୍ତକର ପୃଷ୍ଠା ପରି ପଡିଥିବ ଏଣେତେଣେ ଅଲୋଡା, ଅଦରକାରୀ ହୋଇ । 


ଦୀର୍ଘନିଃଶ୍ୱାସ ସହ ଦଲକାଏ ରକ୍ତ ଗଳିପଡିଲା ରୁବି ମୁହଁରୁ । ସେଇଠି ଟଳି ପଡିଥିଲା ରୁବିର ନିଃସ୍ପନ୍ଦ ଶରୀର ...... . । 

ରୁବିର ଆତ୍ମା କାନ୍ଦି କାନ୍ଦି କହୁଥିଲା....

ହେ ବାରବୁଲା ଘରର ରୁବିମାନେ...

ବାମନ ହୋଇ ଚନ୍ଦ୍ରକୁ ହାତ ବଢେଇବାର ପ୍ରଚେଷ୍ଟା କଲେ ପାଇବ ଜେଲର ଚାରିକାନ୍ଥ ଓ ଦଲକାଏ ରକ୍ତ ଦୁଃଖର, କଷ୍ଟର, ଅନୁଶୋଚନାର, ନିଃସ୍ୱାର୍ଥପରତାର !!!!!!



Rate this content
Log in

More oriya story from Siddhartha Tripathy

Similar oriya story from Tragedy