Siddhartha Tripathy

Tragedy Inspirational

3  

Siddhartha Tripathy

Tragedy Inspirational

ବାପାର ଅପମୃତ୍ୟୁ

ବାପାର ଅପମୃତ୍ୟୁ

5 mins
149



ପୁସ୍ତକଠାରୁ ଆରମ୍ଭ କରି ଭାଷଣରେ ସବୁଠି ଲିଖିତ ମାଆର ଗାଥା, ଦଶ ମାସଦଶ ଦିନର ଗର୍ଭ କଷ୍ଟ ଇତ୍ୟାଦି।

କିନ୍ତୁ ବାପା ::


କେଉଁଠି ଢେଙ୍କାନାଳର ସ୍ୱର୍ଗତ ଜୟନ୍ତ ମିଶ୍ରଙ୍କ ସ୍ମୃତିରେ ପୁଅ ତାଙ୍କ ଇଚ୍ଛା ପୂରଣ ପାଇଁ ନିଜେ ନଅ ଲକ୍ଷ ଖର୍ଚ୍ଚ କରି ନିର୍ମାଣ କରିଦିଏ ପାର୍କ ଆଉ କେଉଁଠି ଆଜି ପରି ପିତୃଦିବସରେ ମୁଁ ରହୁଥିବା ପାରଳାଖେମୁଣ୍ଡି ଭଡ଼ାଘର ସାମ୍ନାରେ ବାପାକୁ ହତ୍ୟା କରି ପୁଅ ଯାଏ ଜେଲ ଆଉ କେଉଁଠି ମୋ ପରି ପୁଅ ବାପଙ୍କ ମହନୀୟତା ମନେ ପକେଇ ଚୁପ୍ ଚାପ୍ ମନଭଲ ନାହିଁ କହି ଶୋଇଯାଏ।

କହିବାର ତାତ୍ପର୍ଯ୍ୟ ପୁଅ ତିନିପ୍ରକାରର।

ଉତ୍ତମ, ମଧ୍ୟମ ଆଉ ଅଧମ। ମୃତ୍ୟୁ ପରେ ତ ପରଲୋକ ବି କାନ୍ଦନ୍ତି। ଶବ ମୁହଁରୁ କପଡ଼ା ଉଠେଇ ପୁଷ୍ପ ଦିଅନ୍ତି । ଶାସ୍ତ୍ର କହେ ବଞ୍ଚିଥିବା ସମୟରେ ସମ୍ମାନ ଦେବା ଶିଖ।


ଆଜି ପିତାଙ୍କ ସମ୍ମାନାର୍ଥେ କିଛି ଲେଖିବି ଭାବିଲି। ରବିବାର। ପିତୃ ଦିବସ। ଲେଖିବି ଭାବୁ ଭାବୁ ମନେ ମନେ କେଉଁଠୁ ଆରମ୍ଭ କରିବି ଭାବିଲି।


ଆମକୁ ମଣିଷ କରିବା ସହ ନିଜ ଭବିଷ୍ୟତ ସୁରକ୍ଷିତ କରିଥିବା ତା ବି ସଚ୍ଚୋଟତାର ସହ ସେଇ ଜୀବନ୍ତ ଭଗବାନ ବିଷୟରେ ମୁଁ ଲେଖିବା ସାମର୍ଥ୍ୟ ବୋଧେ ନାହିଁ। ଭାବି ଭାବି ଶୋଇଗଲି। ସେପରି ପୁତ୍ର ମଧ୍ୟମ ପୁତ୍ର। ଢେଙ୍କାନାଳର ମିଶ୍ର ଘର ପୁଅ ଉତ୍ତମ ପୁତ୍ର।


ଆଉ ଅଧମ !

ଆଜ୍ଞା କହୁଛି।


ମୋ ଭଡ଼ାଘର ସାମ୍ନାର କଥା। ଟିକେ ଆଗରୁ ଲେଖିଛି ମୁଁ ବାପାଙ୍କ କଥା ଭାବି ଭାବି ଶୋଇଗଲି। ଏକୁଟିଆ ଲୋକ। ରୋଷେଇସାରି ମୋ ଘରେ କାମ କରୁଥିବା ବୁଢ଼ୀ ଖାଇବା ରଖି କେତେବେଳଠାରୁ ଚାଲିଗଲାଣି।


ପ୍ରତିଲିପିରୁ ପରିଚିତ କିଛି ଫ୍ୟାନ, ପ୍ରେମିକା ବା କିଛି ବି କହିପାରନ୍ତି, ହଠାତ ଫୋନ କଲେ। ନିଦ ଭାଙ୍ଗିଗଲା ଓ ଘର ବାହାରେ ପାଟି ଶୁଣାଯାଉଥିଲା। ଆଖିମଳି ଉଠି କହିଲି, ନା ଆଜି ମନଭଲ ନାହିଁ।


କିଛି ଲେଖିବାକୁ ମନହେଉଛି, କିନ୍ତୁ ବାହାରେ ପ୍ରବଳ ପାଟି ଗୋଳ। ସେ କହିଲେ ତା ଉପରେ ଲେଖି ଦିଅନ୍ତୁ।

ଚଳ ଚଞ୍ଚଳ ହେଲା ଲେଖା ଓ ଲେଖନୀ।


ଆଜିର ଦିନରେ ଅଧମ, ମଧ୍ୟମ, ଉତ୍ତମ ସମସ୍ତ ଶ୍ରେଣୀର ପୁତ୍ର, କନ୍ୟା ବାପାଙ୍କ ଉଦ୍ଦେଶ୍ୟରେ ଷ୍ଟାଟସ୍ ଭରି ଦିଅନ୍ତି।


ପ୍ରକୃତରେ ଏହି ଦିବସର ନାମକରଣ ଆମେରିକାରୁ ଆରମ୍ଭ। ଆମେରିକାର ୱିଲିଅମ ଜାକ୍ସନ ସ୍ମାର୍ଟଙ୍କ ଝିଅ ସୋନାରା ଯାହାଙ୍କ ଛଅ ଭାଇ ଭଉଣୀଙ୍କୁ ଜନ୍ମ ଦେଇ ମାଆ ଚାଲିଗଲେ। ବାପା ଓ ସୋନାରା ସେମାନଙ୍କୁ ମଣିଷ କରିଥିଲେ।୧୯୧୦ ମସିହା ଜୁନ ୧୯ କୁ ପିତୃଦିବସ ରୂପେ ପାଳନ କରାଯାଏ।


ଆଜି ଅଧମ ପୁଅ ଓ ଅପରିପକ୍ୱ ପିତୃତ୍ୱ ଉପରେ ଆଧାରିତ ଏହି ଘଟଣା।

ଆଜିକାଲି କୋଠାବାଡି, ଘୋଡ଼ା ଗାଡ଼ି ଗାଆଁ ଗାଆଁରେ ଉପଲବ୍ଧ। ଗାଡ଼ି ଚଲେଇବା ନଜାଣି ବି ସୁରଟ ଫେରନ୍ତା ବାଇକ୍ ଦାବି କରେ। ସେମିତି ମୋ ଭଡ଼ାଘର ସାମ୍ନାରେ ସୁନ୍ଦର ଘର କରି ଆସିଲେ ସୁରଟ ଫେରନ୍ତା ସୁରେନ୍ଦ୍ର ପରିବାର।


ପରିବାର କହିଲେ ସ୍ୱାମୀ, ସ୍ତ୍ରୀ ଓ ଏକମାତ୍ର ପୁତ୍ର ଆନନ୍ଦ। ନୂଆଁ ଗଢ଼ି ଉଠିଥିବା ସାହିରେ ଆଉ ଗୋଟିଏ ପରିବାର। ଭଲ ଲାଗିଲା। ଦିନେ ସନ୍ଧ୍ୟାରେ ପାଟିତୁଣ୍ଡ ଶୁଣି ବାହାରିଗଲି ମୁଁ। ଦେଖିଲି, ଆନନ୍ଦ ତା ବାପାକୁ ହାତ ଉଠେଇ ଦେଇଛି ଓ ବାପା ସୁରେନ୍ଦ୍ର ପାଟି କରୁଛନ୍ତି।


ସାହିର ଦୁଇ ତିନିଜଣ ବାର୍ତ୍ତାଳାପ କରୁଥିଲୁ ସୁରେନ୍ଦ୍ର ସହ। ଘରସାରା ଦୁର୍ଗନ୍ଧ। ପୁଅ ମଦ୍ୟପ ତା ସାଙ୍ଗକୁ ଘରେ ପରିସ୍ରା କରେ। ବାପା ସବୁ ସମ୍ପତ୍ତି ସାରି ଘର କଲେ କିନ୍ତୁ ପୁଅର ଅର୍ଥରେ ଘର ଚାଲେ ।


ବୁଝାବୁଝି କରି ଘରକୁ ଫେରିଲୁ। କିଛିଦିନ ପରେ ପୁଣି ସେଇ ଘଟଣା। ମୁଁ ଲକ୍ଷ୍ୟ କଲି ସୁରେନ୍ଦ୍ର ଓ ତାଙ୍କ ସ୍ତ୍ରୀଙ୍କ ସମ୍ପର୍କ ଭଲ ନଥିଲା। ସ୍ତ୍ରୀ, ପୁଅ ମିଶି ମାରଧର କରୁଥିଲେ ସୁରେନ୍ଦ୍ରକୁ।


ପାଟିତୁଣ୍ଡ ମାତ୍ରା ବଢୁଥିଲା ଓ ମୋର ଅଭ୍ୟାସରେ ପଡ଼ିଯାଇଥିଲା। ଅଶ୍ଳିଳ, ଅଶ୍ରାବ୍ୟ ଭାଷା। ମୋ ସାହିତ୍ୟ ଲେଖାର ବାଧକ ଥିଲା। କିଛିଦିନ ପରେ ମାଆ ପୁଅ ଘର ଛାଡ଼ି ଚାଲିଗଲେ। ସୁରେନ୍ଦ୍ର ଘରେ ଏକା। ସବୁବେଳେ ଘରେ ତାଲା ମାରି ସକାଳୁ ଯାଇ ରାତିରେ ଫେରେ। ମୁଁ ଭାବେ ବଞ୍ଚିବା ପାଇଁ ସଙ୍ଘର୍ଷ।


କିନ୍ତୁ......


ଦିନେ ଦେଖିଲି ମନ୍ଦିର, ମସଜିଦ ବୁଲି ମାଗଣା ଖାଇ ଶୋଇଯାଏ ସେ। ଆଶ୍ଚର୍ଯ୍ୟ ହୋଇଗଲି ମୁଁ। ଦିନେ ପଚାରିଲି, ଏତେବଡ ଘର ଅଥଚ ନା ଅଛି ଆସବାବପତ୍ର ନା ଅଛି ଖାଦ୍ୟ। ଏମିତି କାହିଁକି ? ସୁରେନ୍ଦ୍ର କହିଲା, ଆଜ୍ଞା, ମୋ ସ୍ତ୍ରୀ ଠିକ୍ ନୁହଁ। ସବୁବେଳେ ପରିଶ୍ରମ କରି ଅର୍ଥ ଯୋଗାଡ଼ରେ ଲାଗିଲି, ସ୍ତ୍ରୀ ପରପୁରୁଷ ସହ ସମ୍ପର୍କରେ। ପୁଅ ନଷ୍ଟ ହୋଇଗଲା। ବଳ ବୟସ ଗଲା ଆଉ କ'ଣ କରିବି ? ଘରଟା ବିକ୍ରି କଲେ ପୁଅ, ସ୍ତ୍ରୀ ନେଇଯିବେ ଆଉ ରହିବି କେଉଁଠି ? ସେମାନେ ସେୟା ଚାହାଁନ୍ତି।


ସମାଧାନ ନଥିଲା କିଛି। ମୋତେ ଲାଗିଲା ମୁଁ ଖାଲି ପୁତ୍ର କନ୍ୟା ତିନିପ୍ରକାରର ଭାବିଥିଲି କିନ୍ତୁ ଏହି ସୁରେନ୍ଦ୍ର ବି ଅଧମ ପିତା।

ଏକୋ ଦେବଃ କେଶବ,

ବା ଶିବୋ ବା,

ଏକା ନାରୀ ସୁନ୍ଦରୀ ବା ଦରୀ ବା,

ଏକଂ ମିତ୍ରମ ଭୂପତିର୍ବା ଯତି ବା,

ଏକୋ ବାସ: ପତ୍ତନେ ବା ବନେ ବା ।।

ବିଷ୍ଣୁ ହୁଅନ୍ତୁ ବା ଶିବ ହୁଅନ୍ତୁ, ଏକମାତ୍ର ଦେବତାଙ୍କୁ ଆରାଧନା କରିବ।ସୁନ୍ଦରୀ ହେଉ ବା ଅସୁନ୍ଦରୀ ହେଉ ଏକମାତ୍ର ସ୍ତ୍ରୀ ଗ୍ରହଣ କରିବ।ସେହିପରି ରାଜା ହୁଅନ୍ତୁ କି ତପସ୍ୱୀ ହୁଅନ୍ତୁ ଏକମାତ୍ର ମିତ୍ର ସ୍ଵିକାର କରିବ। ଗ୍ରାମ ହେଉ କି ବଣ ହେଉ ଏକମାତ୍ର ସ୍ଥାନରେ ବାସ କରିବ।


ବାପା ମାଆ !!


 କଥାରେ ପରା ଅଛି;

ମାଆ ତୁମକୁ ଦୁନିଆଁ ଦେଖାଏ,

ବାପା ଦୁନିଆକୁ ତୁମକୁ ଚିହ୍ନାଏ।

ମାଆ ତୁମକୁ ଜୀବନ ଦିଏ,

ବାପା ତୁମକୁ ଜିଇବା ଶିଖାଏ ।


କିନ୍ତୁ ସବୁ ଘରେ ଶାନ୍ତି, ସବୁ ବାପା ମହାନ୍, ସବୁ ପ୍ରେମ ସଫଳ, ସବୁ କାହାଣୀ ସୁଖଦ ହୋଇନପାରେ। ମଝିରେ ମଝିରେ ଆନନ୍ଦ ଓ ତା ମାଆ ଆସନ୍ତି, ଘରଟି ସେମାନଙ୍କ ନାଆଁରେ କରିବାକୁ ଦାବି କରିବା ସହ ସୁରେନ୍ଦ୍ରକୁ ମାରପିଟ କରନ୍ତି।


ସେଇ ଦୁଇ ତିନିଦିନ ଲାଗେ ସତେ ଯେମିତି ସାହିରେ ଯାତ୍ରା ଚାଲିଛି। ତାପରେ ଖବର ପାଇଲି ସୁରେନ୍ଦ୍ରର ସ୍ତ୍ରୀ କେଉଁଆଡେ ଚାଲିଗଲା। ପ୍ରତ୍ୟହ ନୂତନ ନାଟକ ଆରମ୍ଭହେଲା । ସୁରେନ୍ଦ୍ର ପ୍ରତ୍ୟହ ରାତି ଫେରିଲା ପରେ ରାତିଅଧ ଯାଏଁ ବହୁତ ଜୋରରେ ପାଟି କରୁଥିଲା। ସାହିର କେହି ଆପତ୍ତି କଲେ ଅଭଦ୍ରାମି କରୁଥିଲା।


ସମୟ ଗଡ଼ି ଚାଲିଲା। ଆଜି ! ପ୍ରଚୁର ମଦ୍ୟପାନ କରି ଆସିଲା ସୁରେନ୍ଦ୍ରର ପୁଅ । କିଛି ଖଳ ପ୍ରକୃତିର ଲୋକ ବି ଚାହୁଁଥିଲେ ସେମାନଙ୍କ ଗଣ୍ଡଗୋଳରୁ ଘରଟି ନେଇଯିବାକୁ। ସାହିରେ ଆରମ୍ଭ ହେଲା ତାଣ୍ଡବ। ମଦ୍ୟପ ପୁଅ କଟୁରୀ ଧରି ଗଣ୍ଡଗୋଳ କରୁକରୁ କଟୁରୀରେ ଚୋଟ ଦେଲା ସୁରେନ୍ଦ୍ରକୁ। ଟଳି ପଡ଼ିଲା ସୁରେନ୍ଦ୍ର। ନିଶା ଛାଡିଗଲା ଆନନ୍ଦର । ପୋଲିସ୍ ନେଇଯାଇଥିଲେ ଆନନ୍ଦକୁ । ସରିଗଲା ପିତ୍ରୁଦିବସ ।


ମୁଁ ସାଧୁ, ସନ୍ଥ କି ସମ୍ପୂର୍ଣ୍ଣ ଭଲ ମଣିଷ ନୁହେଁ। କିନ୍ତୁ ବେଳେବେଳେ ମନ ଭାରାକ୍ରାନ୍ତ ହେଲେ ଲାଗେ ଆଜି ନିଜସହ ଅଥବା ଆଖପାଖରେ ଅଘଟଣ ଘଟିବ। ସେୟା ହିଁ ହୁଏ।


ଆଜିର ଘଟଣା ମୋ ମନରେ ଗଭୀର ରେଖାପାତ କଲା। ମଦ ନିଶାରେ ବାପାକୁ ହତ୍ୟା କଲା ପରେ ପୁଅର ଆଖିରେ ଅନୁତାପ ଲକ୍ଷ୍ୟ କଲି ମୁଁ। ଏଇୟା ବି ଜାଣେ ଆମେ ସମସ୍ତ କଥା ସମାପ୍ତ ପରେ ଚିନ୍ତନ କରୁ। କିନ୍ତୁ ଏସବୁ ଉପରେ ସଚେତନ ହେବା ଆବଶ୍ୟକ। ଆମେ ବି ବାପା, ମାଆ ହେଇଛେ ଅଥବା ହେବା। କିନ୍ତୁ ପୁଅକୁ ଦାମୀ ପୋଷାକ, ଦାମୀ ସ୍କୁଲ ଦେବାସହ ନିଜ ଭବିଷ୍ୟତ ବି ସୁରକ୍ଷିତ ରଖିବା ଆବଶ୍ୟକ।


କାରଣ ଆଜିକାଲି କାହା ଉପରେ ନିର୍ଭରଶୀଳ ହେବା ବୋକମୀ ବ୍ୟତିରେକ କିଛି ନୁହଁ।

ଯମୁନା ନଦୀରେ ତରୀ ଚାଲିଛି

ତରୀ ଭିତରେ ଆମର ରଥ।

ନଦୀ ସେପାରି ମଥୁରା ମାର୍ଗ, ହଁ କଂସର ମଥୁରା!!!


   ମଥୁରାର ବନ୍ଦୀ ଶାଳାରେ ନାହାନ୍ତି ମୋର ଜନ୍ମଦାତା ପିତା ବସୁଦେବ ଓ ପୁତ୍ରବସ୍ଛଳା ଜନନୀ ଦେବକୀ।ଆଉ ପଛରେ ରହିଗଲା ମୋର ସ୍ମୃତି ବିଜଡ଼ିତ ଗୋପପୁର........!


ଯମୁନା କୂଳର ପଥର ଘାଟରେ ସଜଳ ନେତ୍ରରେ ବିଦାୟ ଜଣାଉ ନାହାନ୍ତି ମୋର ପ୍ରିୟ ନନ୍ଦବାବା, ମାଆ ଯଶୋଦା, ସାନମାଆ....., ସାଙ୍ଗମାନେ, ଆଉ ପ୍ରାଣପ୍ରିୟା ରାଧା...... ରାଧାରାଣୀ।।


   କହିବାର ତାତ୍ପର୍ଯ୍ୟ ଏହା ଅତ୍ୟାଧୁନିକ କଳିଯୁଗ।ଏଠି ରାଧାରାଣୀ ଅପେକ୍ଷା କରେ କଳା କନ୍ହାଇର ଟଙ୍କାକୁ।କଥାରେ ଅଛି"ବିଭା ହେବା ଆଗୁ ଘଣ୍ଟା ଘଣ୍ଟା ଧରି ଚାହୁଁଥିଲା ଯିଏ ପଥ,ପାଖରୁ ତଡିବା ପାଇଁ ସିଏ ଏବେ କରେ ନିତି ଉତୁପାତ।।" ଏଠି ବସୁଦେବ ଓ ନନ୍ଦ ଅପେକ୍ଷା କରନ୍ତି ନିଜ ସୁଖ, ସ୍ୱ।ଚ୍ଛନ୍ଦ୍ୟକୁ ।


ଏଇଟା କଳିକାଳ। ଆଜିକାଲି ସାରଦିଆ ପରିବାକୁ ସାରଦିଆ ମସ୍ତିସ୍କ। ତେଣୁ ଖାଲି ପିତ୍ରୁ ଦିବସ ଉପରେ ଲେଖିଦେଲେ ବା ଆଜି ଦିନଟି ମନେ ପକେଇ ପ୍ରଚାର ପ୍ରସାର କରିଦେଲେ ଆମ କାମ ଶେଷ ଭାବିଲେ ହେବ ନାହିଁ। ଆମକୁ ବି ଚିନ୍ତନ କରିବାକୁ ହେବ । କାଲିର ପୁତ୍ର ଆଜିର ପିତା। ଚବିଶଘଣ୍ଟାର ବ୍ୟସ୍ତବହୁଳ ଜୀବନରୁ ଦଶମିନିଟ ଏସବୁ ଚିନ୍ତନ କଲେ ଆମେ ନିଶ୍ଚୟ କିଛି କରିପାରିବା।


ଆମ ସାମର୍ଥ୍ୟ ଅନୁସାରେ ବାପାଙ୍କ ପାଇଁ କିଛି କରିପାରିଲେ ହୁଏତ ଯୁବପିଢ଼ି କିଛିଟା ନିଶ୍ଚୟ ଶିଖିବେ। ଉଚ୍ଚାରଣ ଆଉ ଆଚରଣରେ ଶୁଦ୍ଧତା ନିତାନ୍ତ ଜରୁରୀ। ଆଜି ମୋ ଘର ସାମ୍ନାର ଘଟଣା ମୋ ଆଖି ସାମ୍ନାରେ ମୋ ଅନ୍ତରାତ୍ମାକୁ ଦୋହଲାଇ ଦେଲା।


ଭୁଲ ଠିକର ହିସାବ କରିବାର ସମୟ ଅଥବା ଅବକାଶ ନାହିଁ। ଦୁଃଖ ଲାଗେ ନିଜକୁ ମଣିଷ କହିବାକୁ। ଆଜିର ଘଟଣା ଦେଖି ଆଉ ଅଧିକ କିଛି ଲେଖିବାକୁ ମନ ବଳୁନାହିଁ।


କଥାରେ ପରା ଅଛି;

ମାଆ ତୁମକୁ ଦୁନିଆଁ ଦେଖାଏ,

ବାପା ଦୁନିଆକୁ ତୁମକୁ ଚିହ୍ନାଏ।

ମାଆ ତୁମକୁ ଜୀବନ ଦିଏ,

ବାପା ତୁମକୁ ଜୀଇଁବା ଶିଖାଏ ।



Rate this content
Log in

Similar oriya story from Tragedy