ବାପାଙ୍କୁ ଶେଷ ଚିଠି
ବାପାଙ୍କୁ ଶେଷ ଚିଠି
ସେକ୍ଟର ୮,ପ୍ଲଟ ନଂ ୨୫ ରେ ତିନି ମହଲା ବିଲଡିଙ୍ଗରେ ଆଜି ପୁରା ନିସ୍ତବ୍ଧତା ଖେଳି ଯାଇଛି।ଘର ସାମନାରେ ଲୋକଙ୍କ ଗହଳି। ଘରର ହଲ୍ ରେ ଧଳା ଚଦର ଘୋଡେଇ ରଖାଯାଇଛି କାହାର ଗୋଟିଏ ନିଶ୍ଚଳ ଶରୀର। ଆଉ ତାକୁ ଘେରି ରହିଛନ୍ତି ପରିବାରବର୍ଗ। ସମସ୍ତଙ୍କ ଆଖିରେ ଲୁହ,ମନରେ କୋହ। ଏସବୁ ଭିତରେ ଜଣେ ୬୫/୭୦ ବର୍ଷର ବ୍ୟକ୍ତି କିନ୍ତୁ ନିରବ,ସ୍ଥାଣୁ ପରି ବସିରହିଥାନ୍ତି।ସତେ ଯେମିତି ସେ ଜଡ ପାଲଟି ଯାଇଛନ୍ତି। ଆରାମଚେୟାରରେ ହାତରେ ଖଣ୍ତେ ଧଳା କାଗଜ ଧରି ବସିରହିଛନ୍ତି।
ସେ ହେଉଛନ୍ତି ବିଜୟ ମିଶ୍ର।ତଳେ ଚିରଦିନ ପାଇଁ ଶୋଇଥିବା ଝିଅ ସୁକନ୍ୟାଙ୍କର ବାପା।ତାଙ୍କ ହାତରେ ଥିବା କାଗଜ ତାଙ୍କ ଝିଅ ଲେଖିଥିବା ଶେଷ ଚିଠି। ଚିଠିରେ ଲେଖାଥିବା ତାଙ୍କ ଝିଅର ମନର କଥା ଯାହାକୁ ବୁଝିବାକୁ ସେ କେବେ ଚେଷ୍ଟା ବି କରିନଥିଲେ। ସେଦିନ ଘରେ କେହି ନଥିଲେ।ନିଜ ରୁମ୍ ରେ ଟେବୁଲ ପାଖରେ ବସିଥିଲେ ସୁକନ୍ୟା। ନିଜ ଆଖି ସାମନାରେ ଥିଲା ତାଙ୍କର ପ୍ରିୟ ଡାଏରୀ ଆଉ କଲମ । ଆଜି କାହାର ପ୍ରେରଣା କି ଅନୁରୋଧ ରେ ସେ କଲମ ଚାଳନା କରିବନି।ଭାବନାକୁ ଶଦ୍ଦରେ ସଜେଇ କବିତାର ମାଳା ତିଆରି କରିବନି। ଆଜି ବାଧ୍ୟବାଧକତାରେ ସେ ଲେଖିବ ତା ଜୀବନର ଶେଷ କଥା।ବାପାଙ୍କୁ ଜଣେଇବ ତାର ଭାବନା।ଚିଠିର କିୟଦଂଶ.........
ବାପା,
ମୋ ହେତୁ ପାଇବା ଦିନରୁ ଶୁଣିଛି ନାନୀ ପରେ ମୁଁ ଜନ୍ମ ହେଇଥିବାରୁ ଜେଜେମା'ଙ୍କର ମୁଁ ପସନ୍ଦ ନୁହେଁ।ସେମାନଙ୍କର ପୁଅ ଦରକାର ଥିଲା। ସେଥିପାଇଁ ବେଳେବେଳେ ମା ବିରକ୍ତ ହୁଅନ୍ତି ମୋ ଉପରେ। ସାଙ୍ଗ ମାନେ କୁହନ୍ତି ମା'ଝିଅର ସାଙ୍ଗ, ହେଲେ ମତେ ମା କେବେ ସେ କଥା ଅନୁଭବ କରିବାକୁ ଦେଇନାହାନ୍ତି।ଭାଇ ଜନ୍ମ ପରେ ସମସ୍ତେ ଖୁସି ହେଲେ , ତଥାପି ମତେ କେହି ଭଲପାଇଲେନି। ସେଥିପାଇଁ ମୁଁ ସମସ୍ତଙ୍କ ଠାରୁ ନିଜକୁ ଅଲଗା ରଖିଲି। ନିରବତା ମୋର ନିଜର ହେଲା।ସମସ୍ତେ ଭଲ ପାଇବେ ,ଭଲ ଝିଅ ହେବି ବୋଲି କାହାକୁ କିଛି କହିଲିନି।ହେଲେ ଫଳ କିଛି ମିଳିଲାନି।ମୋ ନିରବତାକୁ ମୋ ଗର୍ବ ଭାବି ସମସ୍ତେ ମୋ ଠାରୁ ଦୂରେଇ ଗଲେ।ମୋ କବିତା ଲେଖାକୁ ଅନ୍ୟମାନେ ପସନ୍ଦ କରୁଥିବା ବେଳେ ମା କିନ୍ତୁ ମୋର କୌଣସି ଖୁସିରେ ସାମିଲ ହଉନାହାନ୍ତି।ଯାହା ମତେ ବେଶୀ କଷ୍ଟ ଦିଏ। ଆଜିର ଘଟଣା ମନରେ ବହୁତ କଷ୍ଟ ଦେଲା। ମା' ଭାଇକୁ କହିଲେ ,ମୋ ଚିନ୍ତାରେ ସେ ରୋଗା ହେଇଗଲେଣି। ମୁଁ ସବୁ ଅଶାନ୍ତିର କାରଣ। ମୁଁ ତ କିଛି ବି ଭୁଲ୍ କରିନି।ହେଲେ ବି କେହି ମତେ ଗ୍ରହଣ କରୁନାହାନ୍ତି।ଭାଇର ଆକ୍ଷେପ ଆଉ ସହି ପାରୁନି।ସେଥି ପାଇଁ ନିଷ୍ପତ୍ତି ନେଇଛି ମୁଁ ସବିଦିନ ପାଇଁ ତୁମ ମାନଙ୍କ ଜୀବନରୁ ଚାଲିଯିବି। ମୋ ପାଇଁ କାହାରି କିଛି ଅସୁବିଧା ହବନି। ହେଲେ ଅନୁରୋଧ ମୋ ଚିଠି ପଢିବ, ଆଉ ମତେ ଓ ମୋ ଭାବନାକୁ ବୁଝିବ।ମୋ ଆତ୍ମା ତୁମମାନଙ୍କ ସହ ରହିବ।ମତେ ଭୁଲ୍ ବୁଝିବନି।
ସୁକନ୍ୟା
ଚିଠିଟିକୁ ଟେବୁଲ ଉପରେ ଥୋଇ ଦେଇ ସେ ନିଜ ଓଢଣୀକୁ ବାନ୍ଧିଦେଲା ଫ୍ୟାନରେ। ଆଉ ସମସ୍ତେ ଘରକୁ ଫେରିବା ଆଗରୁ ଝୁଲିଗଲା ସେଥିରେ।ବାସ୍ ଏବେ ସବୁ ଶେଷ। ବିଜୟ ବାବୁ ଭାବୁଥିଲେ ସେ କଣ କରିବେ।ସୁକନ୍ୟା ମନର ଭାବନାକୁ ସେ କଣ ବୁଝିବାକୁ ଚେଷ୍ଟା କରିନାହାନ୍ତି!କଣ ପାଇଁ ସେ ଆଜି ଏମିତି କଲା?ଥରେ ଜଣେଇବାକୁ ଚାହିଁଲାନି ନିଜ ଦୁଃଖକୁ।