ବାପାଙ୍କ ହାତ ଲେଖା ଚିଠି
ବାପାଙ୍କ ହାତ ଲେଖା ଚିଠି
ରାଗ ତମତମ ହୋଇ ନିଜର ବ୍ୟାକପ୍ୟାକ ସଜାଡୁଥିଲା ବଣ୍ଟି।ସଜାଡି ସାରି କହିଲା ଯାଉଛି ମୁଁ। ଆଉ ଏ ଘରକୁ ଫେରିବିନି।ବଣ୍ଟି କଥା ଶୁଣି ପାଖଘରୁ ବାହାରି ଆସିଲେ ସଦାନନ୍ଦ ବାବୁ।
ତୁ ଯାଇନୁ ଏ ଯାଏ ବାହାର ମୋ ଘରୁ। କୁଳାଙ୍ଗାର ଅପଦାର୍ଥ ତୋ ପରି ଅଯୋଗ୍ୟ ସନ୍ତାନ ଥାଇ କେତେ ନ ଥାଇ କେତେ ?
ହଁ ...ହଁ ...ଯାଉଛି ମୁଁ। ଦରକାର ନାହିଁ ଏ ଘରେ ରହିବା ମୋର ଯେଉଁଠି ପ୍ରତି ମୁହୂର୍ତ୍ତରେ ମୋତେ ମନେ ପକେଇ ଦିଆ ଯାଉଛି ଯେ ମୁଁ ଗୋଟେ ବେକାର ଯୁବକ।ଯାଅ ଦେଖିବ ମୋ ସାଙ୍ଗ ମାନଙ୍କୁ ଆଉ ତାଙ୍କ ବାପା ମାନଙ୍କୁ।କେତେ ଭଲ ସେମାନଙ୍କର ବାପା ମାନେ।
--- ଓହୋ.....ବେକାର କହିଦେବାରୁ ବାଧିଗଲା ପରା ବାବୁଙ୍କୁ।ବେକାର ନୁହେଁ ତୁ କ'ଣ ? ତୋର ଆପଏଣ୍ଟମେଣ୍ଟ ଲେଟର ଆସିଛି ଅଥଚ ତୁ ଜଏନ କରିବା ପାଇଁ ଚାହୁଁନୁ , ତାର ଅର୍ଥ କଣ ହୋଇପାରେ ?ମଠରେ ଖାଇ ଖଟରେ ଶୋଇ ଅଭ୍ୟାସ ହୋଇଗଲାଣି ନା.. ତୁ ଆଉ ଖଟିବୁ କାହିଁକି। ବୋପା ତ ଅଛି ତୋତେ ପୋଷିବା ପାଇଁ ତୋର ଆଉ ଅସୁବିଧା କ'ଣ ? ଏବେ ବାହାର ମୋ ଘରୁ। ବହୁତ ଅୟସ କଲୁ ମୋ ପଇସାରେ।ଆଉ ହଁ... ଗାଡି କିଣିବା ପାଇଁ ଯେଉଁ ଲକ୍ଷେ ଟଙ୍କା ନେଇଥିଲୁ ସେ ଟଙ୍କା ଜଲଦି ଫେରା ମୋତେ।ନିଜେ ଆଗ ରୋଜଗାର କର ତା ପରେ ଲକ୍ଷେ ଟଙ୍କିଆ ଗାଡି ଚଢି ବୁଲିବୁ।
---ହଁ... ହଁ ..ଯାଉଛି ମୁଁ ଏ ଘରୁ।ଲକ୍ଷେ ଟଙ୍କା ଦେଇଛ ବୋଲି ଦଶଲକ୍ଷ ଥର ଶୁଣେଇ ସାରିଲଣି।ପାଞ୍ଚ ମାସ ଭିତରେ ତୁମ ପଇସା ଫେରେଇ ଦେବି ମୁଁ ।
କାନ୍ଧରେ ବ୍ୟାଗ ପକେଇ ଘରୁ ବାହାରି ଗଲା ବଣ୍ଟି।
କ'ଣ ହେଲା ସୁରମା ?ତୁମେ ଖାଇଲନି ଯେ
ମୁଁ ଖାଇବିନି।ମୋ ପୁଅକୁ ତୁମେ ଫେରେଇ ନ ଆଣିବା ଯାଏ କିଛି ଖାଇବିନି ମୁଁ।ଆଜି ସନ୍ଧ୍ୟା ସୁଦ୍ଧା ଯଦି ମୋ ପୁଅ ଘରକୁ ନ ଫେରିଲା ତାହେଲେ ମୁଁ ବି ଘର ଛାଡ଼ି ଚାଲିଯିବି।
ସନ୍ଧ୍ୟାଯାଏ ଅପେକ୍ଷା କରିବା କିଛି ଦରକାର ନାହିଁ।ଯିବାର ଅଛି ଯଦି ଏବେ ଚାଲିଯାଅ।ମୁଁ ତୁମକୁ ଅଟକେଇବିନି। କିନ୍ତୁ ବଣ୍ଟି ଚାକିରୀ କଲା ପରେ ହିଁ ଏ ଘରେ ପାଦ ଦବ।
କ'ଣ ପାଇଁ ଛୁଆଟା ପଛରେ ଶତ୍ରୁ ପରି ଲାଗିଛ ତୁମେ।ସେ ତୁମର କି ଅସୁବିଧା କରୁଛି ?
ଚିହିଁକି ଉଠିଲେ ସଦାନନ୍ଦ ବାବୁ।
ଛୁଆ କିଏ ଛୁଆ ?? ନିଆଁକୁ ଅଣ୍ଟିରେ ପୁରାଅନି ସୁରମା। ନିଜେ ଜଳିପୋଡି ଯିବ। ଜାଣିଛ .. ତୁମ ଗୁଣମଣି ଆଜିକାଲି କଣ କରୁଛି ସବୁ ? କେତେ ତଳସ୍ତରକୁ ଖସିଲାଣି ସିଏ କିଛି ଖବର ରଖିଛ ତାର ? କାଲି ଆମକୁ ଘରେ ସାଙ୍ଗର ବାର୍ଥ ଡେ ଅଛି କହି ବାବୁ ଚିଲିକା ଯାଇଥିଲେ ସାଙ୍ଗ ସାଥୀ ଗଣ୍ଡାଏ ଧରିକି।ସେଠି ଭୋଜିଭାତର ଆୟୋଜନ କରି , ଡିଜେ ବଜେଇ ପଞ୍ଝାଏ ଝିଅ ପିଲାଙ୍କୁ ଧରି ଥେଇଥେଇ ହୋଇ ନାଚୁଥଲେ ତୁମ ପୁତ୍ରମଣି।ଆଉ ସଂଧ୍ୟାବେଳକୁ ସୁନାପୁଅ ଭଳିଆ ଘରକୁ ଚାଲି ଆସିଲେ କିଛି ନ ଜାଣିଲା ପରି। ଛିଃ .....ଛିଃ....
ଏ ଗୁଡା ସବୁ ମିଛ କଥା।
ହଉ ମୋ କଥା ଯଦି ମିଛ ଲାଗୁଛି ଯାଅ ପଚାରି ଆସିବ ଦାସ ବାବୁଙ୍କୁ।କାଲି ସେ ବି ଅଫିସ ପିକନିକ ଯାଇଥିଲେ ସେଠିକି।ଦେଖିଛନ୍ତି ତୁମ ପୁଅକୁ ସେଠି।ସେ ଆଉ ଛୁଆ ହୋଇ ନାହିଁ ସୁରମା। ତାକୁ ତା ନିଜ ଗୋଡ଼ରେ ଠିଆ ହେବାର ସୁଯୋଗ ଦିଅ ଏଥର।
କାଲି ମୋତେ ଯାହାବି ହେଲେ ଏ ଚାକିରୀରେ ଜଏନ କରିବାକୁ ପଡିବ।ହଉ ପଛେ ଅଳ୍ପ ଦରମା , ଆଗ ବାପାଙ୍କ ଲକ୍ଷେ ଟଙ୍କା ସୁଝିବାକୁ ପଡିବ ମୋତେ।କ'ଣ ଭାବିଛନ୍ତି କି ମୋତେ ? ଲକ୍ଷେ ଟଙ୍କା ଦେଇଛନ୍ତି ବୋଲି ଅଯୋଗ୍ୟ, ଅପଦାର୍ଥ, କୁଳାଙ୍ଗାର, ନିର୍ଲଜ୍ଜ ଆଦି ଯେତିକ ବିଶେଷଣ ମୋ ପଛରେ ଲଗେଇ ସାରିଲେଣି।ତାଙ୍କ ପଇସା ନ ଫେରେଇଲେ ନିସ୍ତାର ନାହିଁ।
ହେଇଟି ଶୁଣୁଛ... ବଣ୍ଟି ସେ ଚାକିରୀରେ ଜଏନ କରିଗଲା ମ। ଆଜି କଥା ହୋଇଥିଲି ଫୋନରେ।
ଜଏନ ନ କରି ଯିବ କୁଆଡେ ?ଗୋଟେ ପାଲା ଚଲେଇଥିଲା ଥିଲା ସବୁଦିନ ଘରେ।ଯାଉ ସେ ଏ ଘରୁ।ପଇସା ରୋଜଗାର କରିବା କେଡ଼େ କଷ୍ଟ ଜାଣୁ ସିଏ।ବାପା ପଇସାରେ ଅୟସ କରି ମା ପଣତ ତଳେ ଶୋଇବାକୁ ଭାରି ମଜା ଲାଗୁଥିଲା ପୁଅକୁ।ତୁମେ ହେଉଛ ନାଟର ଗୋବର୍ଦ୍ଧନ।ମୁଁହ ଦେଇଦେଇ ମୁଣ୍ଡରେ ଚଢେଇକି ରଖିଥିଲ ତାକୁ।
ହ୍ୟାଲୋ .... କିଏ ...ବଣ୍ଟି ..
--- ହଁ ମା' ...କେମିତି ଅଛୁ ?
କେମିତି ଆଉ କ'ଣ ରେ ? ତୋ କଥା ବହୁତ ମନେ ପଡୁଛି ରେ।ଘରୁ ଯିବା ପାଞ୍ଚ ମାସ ହୋଇଗଲାଣି।ଜମା ମନ ଲାଗୁନି କୋଉଥିରେ।ଆସି ଟିକେ ଘରୁ ବୁଲି ଦେଇ ଯା ବାପା।
ମୁଁ ଯିବିନି ସେ ଘରକୁ । ହଁ ଶୁଣୁ .. ବାପାଙ୍କୁ କହିଦବୁ ତାଙ୍କ ଲକ୍ଷେ ଟଙ୍କା ମୁଁ ତାଙ୍କ ଆକାଉଣ୍ଟରେ ଡିପୋଜିଟ କରିଦେଇଛି।ଆହୁରି ଶୁଣେଇ ଦବୁ , ତାଙ୍କ ପଇସା ସୁଝିବା ପାଇଁ ମୋତେ ପେଟରୁ କାଟି ସଞ୍ଚୟ କରିବା ପାଇଁ ପଡିଛି
ତୁ ଟିକେ ତାଙ୍କ ସାଙ୍ଗେ କଥା ହୋଇ ଯାଉନୁ .. ତାଙ୍କର ମନଟା ଟିକେ ପରିବର୍ତ୍ତନ ହୋଇ ଯାଆନ୍ତା।
ଦରକାର ନାହିଁ ତାଙ୍କ ସହ କଥା ହେବା। ରହୁଛି ମୁଁ।
ଓ ହୋ...କିଏ ଏତେ ରାତିରେ ଫୋନ କରୁଛି ମ।ମଣିଷକୁ ଶୁଏଇ ଦେବେନି ଟିକେ ଶାନ୍ତିରେ
ବିରକ୍ତି ଭରା କଣ୍ଠରେ ଫୋନ ରିସିଭ କଲା ବଣ୍ଟି ।
ହ୍ୟାଲୋ ... କିଏ କହୁଥିଲେ ...
---ବଣ୍ଟି ...ମୁଁ ତୁମ ପଡିଶା ଘର ଦାସ ମଉସା କହୁଛି। ତୁ ଏବେ ସାଙ୍ଗେ ସାଙ୍ଗେ ଘରକୁ ଆସେ। ତୋ ବାପା ଚାଲିଗଲେ
ହାର୍ଟଆଟାକ ରେ।
ଆଜି ଗଣେଶ ପୂଜା। ଚାରିଆଡ ଉତ୍ସବ ମୁଖର।କିନ୍ତୁ ବଣ୍ଟି ମନରେ ଅନେକ ଦୁଃଖ ଆଉ ଅନେକ ଅନୁଶୋଚନା।ବାପା ଏମିତି ହଠାତ ଚାଲିଯିବେ ବୋଲି ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲା।ଆଜି ତାଙ୍କର ଚତୁର୍ଦ୍ଦଶାହ।ବାପା ଥିଲା ବେଳେ କେତେ ରାଗ ରୋଷ ଅଭିମାନ ଆଉ ଆଜି ଲାଗୁଚି ଯେମିତି ତା ମୁଣ୍ଡ ଉପରୁ ଛାତ ଉଡି ଯାଇଛି।ମା କୁ ଏକା ଛାଡି କୁଆଡେ ଯିବାକୁ ଇଛା ହଉନି ତାର।କିନ୍ତୁ ଆଉ କିଛି ଉପାୟ ନାହିଁ।କାଲି ତାକୁ ଯାହା ବି ହେଲେ ଚାକିରୀ ରେ ଜଏନ କରିବାକୁ ପଡିବ।
ରୁମରେ ପଶୁ ପଶୁ ଘରମାଲିକ ଆଣି ଚିଠିଟିଏ ଦେଇଗଲା ବଣ୍ଟିକୁ।କହିଲା, " ପୁଅ ତୁମେ ତ ସେଦିନ ରାତା ରାତି ବାହାରିଗଲ ତୁମ ଘରକୁ।ତୁମେ ଯିବା ପରଦିନ ଏ ଚିଠିଟି ତୁମ ନାଁରେ ଆସି ପହଞ୍ଚିଲା ଏଇ ଆଡ୍ରେସରେ। " ଚିଠିଟିକୁ ଏ ପାଖ ସେପାଖ କରି ଦେଖିଲା ବଣ୍ଟି। ବାପା !!!ବାପା ତାକୁ ଚିଠି ଲେଖିଥିଲେ ମରିବାର ଚାରିଦିନ ପୂର୍ବରୁ !!ଚିଠିଟି ଖୋଲି ପଢିଲା ବଣ୍ଟି ।
ବଣ୍ଟି ,
ତୁ କେମିତି ଅଛୁ ଧନ।ତୁ ମୋ ସହ ଫୋନରେ କଥା ହେଉନୁ ସେଥିପାଇଁ ମୁଁ ତୋତେ ଚିଠି ଲେଖିବାକୁ ସ୍ଥିର କଲି।ତୁ କଣ ଏବେବି ମୋ ଉପରେ ରାଗିଛୁ ?ତୁ ମୋତେ ବୁଝି ପାରିଲୁନି ରେ।ମୁଁ ଚାହୁଁଥିଲି ତୁ ତୋ ମା ପଣତ ତଳୁ ବାହାରକୁ ଆସି ଏ ବାହାର ଦୁନିଆକୁ ଟିକେ ଚିହ୍ନିବାକୁ ଚେଷ୍ଟା କର।ନିଜ ଗୋଡ଼ରେ ନିଜେ ଠିଆ ହେବା ଶିଖ୍।ଖର୍ଚ୍ଚ କରିବା ଆଗରୁ ରୋଜଗାର କରିବା ଶିଖ୍।ପଇସାର ମୂଲ୍ୟ ବୁଝୁ।ସେଥିପାଇଁ ସେଦିନ ମୁଁ ତୋତେ ମୋ ଲକ୍ଷେ ଟଙ୍କା ଫେରାଇବା ପାଇଁ କହିଥିଲି।ଲକ୍ଷେ ଟଙ୍କା ମୁଁ କିଛି ଖର୍ଚ୍ଚ କରିନି ରେ।ସବୁ ତୋରି ନାଁ ରେ ଫିକ୍ସଡ଼ ଡିପୋଜିଟ କରି ଦେଇଛି।ବଣ୍ଡ୍ ଟା ଆଲମାରୀ ରେ ଲୁଚେଇକି ରଖିଛି ।ତୋ ମା କୁ ବି କହିନି। କାରଣ ସେ ବି ଭାବୁଛି ମୁଁ ତୋର ଶତ୍ରୁ ବୋଲି । ତୁ ଘରକୁ ଆସିଲେ ସେଇଟା ତୋ ମା ଆଗରେ ତୋ ହାତରେ ମୁଁ ଦେବି। ସେ ବି ଜାଣୁ ମୁଁ ତୋତେ କେତେ ଭଲପାଏ।
ତୋ କଥା ବହୁତ ମନେ ପଡୁଛି ରେ ବଣ୍ଟି।ଗଣେଶ ପୂଜା ଆଉ କୋଡ଼ିଏଟା ଦିନ ରହିଲା।ତୁ ନିଶ୍ଚୟ ଛୁଟି ନେଇ ଘରକୁ ଆସିବୁ।ଗଲାବର୍ଷ ସିଦ୍ଧିବିନାୟକ ଙ୍କ ପାଖରେ ମାନସିକ କରିଥିଲି ମୁଁ , ମୋ ପୁଅ କୂଳରେ ଲାଗିଲେ ମୁଁ ଘରେ ସବୁବର୍ଷ ଗଣେଷ ପୂଜା ଆରମ୍ଭ କରିବି ବୋଲି।ଏଥରର ଗଣେଷ ପୂଜା ଆୟୋଜନଟା ପୁରା ତୋ ପଇସାରେ ହେବ। ଆଉ ହଁ ... ଆସିଲା ବେଳେ ମୋ ପାଇଁ ମଠା ରଙ୍ଗର ପଞ୍ଜାବୀଟାଏ ଆଣିବୁ। ମୁଁ ପିନ୍ଧିକି ପୂଜାରେ କର୍ତ୍ତା ହୋଇ ବସିବି।ସାଇପଡ଼ିଶାଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ବି କରିବା।ତୋ ସାଙ୍ଗସାଥି ଆଉ ଦାସ ମଉସାଙ୍କୁ ବି ଡାକିବା।ମୁଁ ସମସ୍ତଙ୍କ ଆଗରେ କହିବି ଦେଖ ମୋ ପୁଅ ରୋଜଗାରରେ ଏ ସବୁ ଆୟୋଜନ।ଏ ନୂଆ ପଞ୍ଜାବୀଟା ମୋ ପୁଅ ଆଣି ଦେଇଛି ତା ଦରମା ପଇସାରେ।
ମୁଁ ଜାଣିଛି ତୁ ମୋ ଉପରେ ବେଶି ଦିନ ରାଗିକି ରହି ପାରିବୁନି।ନିଶ୍ଚୟ ଆସିବୁ ଗଣେଶ ପୂଜାକୁ।ପାଗଳା ପୁଅଟା ମୋର। କେବେ ବୁଦ୍ଧି ହବ ଜେଜାଣି ?ତୋର ଅପେକ୍ଷାରେ ରହିଲି।
ଇତି
ତୋର ବାପା