ବାପା
ବାପା
ଜଣେ ବ୍ୟକ୍ତିର ବିବାହ ବିଚ୍ଛେଦ,ଆର୍ଥିକ ତାଡନା, ସାମାଜିକ ଜୀବନଧାରା ଅସମ*ଜସ ହେଲେ କ'ଣ ଜଣେ ଲେଖକ ହୋଇପାରେ? ଅନୁଶୀଳନ କରୁଛି ଅନିମେଶ ନିଜକୁ ନିଜେ। ଜୀବନରେ ଛୁଆ ବେଳୁ ଏକାକୀ । ସାଙ୍ଗସାଥୀ ଘର ଶୂନ। ପାଠପଢ଼ା ଭଲ ହେଲେ ଅଦ୍ଭୁତ ଉପାଦାନରେ ଗଢା ଅନିମେଶକୁ ଲାଗେ ତାକୁ ଯେମିତି କେହି ନିଜର ଭାବନ୍ତିନି।
ଧିରେଧିରେ ବଡ଼ ହେଲାପରେ ବଦଳିଯାଏ ସେ।ଭଲ ଚାକିରୀ କରେ । ଲେଖାଲେଖି ପ୍ରତି ମନ ବଳେ । ଅନୁଶୀଳନ କରେ ନିଜକୁ ନିଜେ, ସେ କେତେ ଭଲ, କେତେ ଖରାପ। ତା'ର ସହକର୍ମୀ ମାନେ ପରିବାର ସଂସାର ନେଇ କେତେ ଖୁସିରେ, ହେଲେ ସେ??
ଛୁଆ ପାରିଗଲା ପରେ ସ୍ତ୍ରୀ ଛାଡ଼ିଦେଇ ତା ରାସ୍ତାରେ। ତା'ର ଏକାକୀ ପଣ ଦେଖି ଆମ୍ୱଗଛର ପତ୍ର ପରି ଅସଂଖ୍ୟ ପ୍ରେମିକାର ଲମ୍ବା ଧାଡ଼ି। ସେମାନଙ୍କ ସ୍ୱାର୍ଥ ସିଦ୍ଧି ପରେ ବୁଢ଼ା ଆମ୍ୱଗଛ ପରି ଯେ ଝା ରାସ୍ତାରେ। ବନ୍ଧୁବାନ୍ଧବ, ଭାଇଭଉଣୀ ନିଜ ନିଜ ସଂସାରରେ ବ୍ୟସ୍ତ।ହେଲେ ବାପା ମାଆ !!
କଥାରେ ପରା ଅଛି;
ମାଆ ତୁମକୁ ଦୁନିଆଁ ଦେଖାଏ,
ବାପା ଦୁନିଆକୁ ତୁମକୁ ଚିହ୍ନାଏ।
ମାଆ ତୁମକୁ ଜୀବନ ଦିଏ,
ବାପା ତୁମକୁ ଜିଇବା ଶିଖାଏ ।
ହେଲେ, ତା କ୍ଷେତ୍ରରେ କ'ଣ ଏସବୁ ପୋଥି ବାଇଗଣ ନା ସତ୍ୟ?
ମନେ ପଡିଯାଏ ଛୋଟବେଳର କଥା; ସଂଭ୍ରାନ୍ତ ପରିବାରରେ ଜନ୍ମ ହୋଇଥିଲେ ବି ମାଆ ପରଶି ଦେଇଥିବା ବାସି ଡାଲି ଖୁସିରେ ଖାଇ ସାରି ଅନ୍ୟ ଭାଇଭଉଣୀ ପ୍ରତିବାଦ କଲା ପରି ସେ ଜମା କରେନା । ଚୁପଚାପ୍ ଖାଇ ଉଠିଯାଏ। ଭାରି ଲାଜକୁଳା, ମନରେ ଭାବେ ଯଦି ବାସିଡାଲି କଥା କହିବ, ମାଆ ମନରେ କଷ୍ଟ ହେବ। ମାଆ ମନ ପୁଅ ବୁଝେ କିନ୍ତୁ ପୁଅ ମନ ମାଆ ବୁଝେନା। ମାଆ କୁହେ ଦେଖୁନ ଦୁଇଗୁଣ୍ଡା ଖାଇ ଉଠିଗଲା, ବାହାରେ ଘୁରି.....!!
ପ୍ରତିବାଦ କରନ୍ତି ବାପା, ସେମିତି କୁହନି, ସେ ପରା ମୋ ସୁନାଟା। ମାଆକୁ କେବେବି ସାବତ ମାଆ ଆସନରେ ଦେଖିନାହିଁ ଅନିମେଶ । ବାପା ତା'ର ଆଦର୍ଶ । ଚାକିରୀ ଆରମ୍ଭରୁ ମାଆ ହାତକୁ ସବୁ ବଢାଇଦିଏ ଅନିମେଶ । ରାସ୍ତାରେ ଚାହାକପଟିଏ ବି ନପିଇ ସବୁ ଆଣି ମାଆ ହାତରେ ଦେଇଦିଏ । ମନେ ମନେ ଭାବେ ମାଆ ଖୁସିହେବ। ଅନ୍ୟ ଭାଇଭଉଣୀ ବି ରୋଜଗାରିଆ, କିନ୍ତୁ ସେମାନେ ଓଲଟି ମାଆକୁ ଟଙ୍କା ମାଗି ନିଅନ୍ତି । ସବୁ ଦେଖି ଚୁପ ରହେ ଅନିମେଶ । ମନେ ମନେ ପ୍ରତିଜ୍ଞା କରେ, କିଏ କ'ଣ କଲେ ତା'ର କିଛି ଯାଏ ଆସେ ନାହିଁ। ତା'ର ଗୋଟିଏ ଲକ୍ଷ୍ୟ ବାପାମାଆଙ୍କୁ ଏତେ ଖୁସି ଓ ସୁଖ ଦେବ ଦୁନିଆଁ ଯେମିତି ଶ୍ରବଣ କୁମାର ଉଦାହରଣ ଭୂଲିଯିବେ।
କିନ୍ତୁ......
ବିଧିର ବିଧାନ, କେ କରିବ ଆନ!
କଥାରେ ଅଛି ଭାଗ୍ୟର ଲେଖା କେହି ବଦଳାଇ ପାରେନାହିଁ। ସମସ୍ତେ ବାହାସାହା ହୋଇ ଯେ ଝା ସ୍ଥାନରେ ଅବସ୍ଥାପିତ। ଜୀବନରେ ଛନ୍ଦକପଟ ବୁଝୁନଥିବା ଅନିମେଶ ଜୀବନ ଡଙ୍ଗାରେ କାତ ମାରିନପାରି ମଝିନଈରେ ଡୁବିଯାଏ। କଥାରେ ଅଛି ଖାତରେ ଗଳିପଡିଲେ ମାଆ ରକ୍ଷା କରେ, କିନ୍ତୁ ଖାତ ଭିତରୁ କିପରି ବାହାରି ଆସିବ ବାପା ଶିଖାନ୍ତି। ଆଜି ଦୁହିଁଙ୍କୁ ଦାୟୀ କରିବା ସହ ନିଜକୁ ଦୋଷୀ ମଣୁଛି ସେ।
ସବୁ ନାରୀ ସୁର୍ପଣଖା, ତାଡକା ନୁହନ୍ତି। ନାରୀ ଭିତରେ ଶାନ୍ତ ଅହଲ୍ୟା, ସହିଷ୍ଣୁ ସୀତା, ପତିବ୍ରତା ଦ୍ରୌପଦୀ ବି ଅଛନ୍ତି। କିନ୍ତୁ ଅନିମେଶ ଜୀବନକୁ ଅମାବାସ୍ୟା ଅନ୍ଧକାର ପରି ସବୁ କିଛି ଲୁଟିନେଇ ଛାଡ଼ି ଚାଲିଯାଇଛି କଳିଯୁଗ ଦ୍ରୌପଦୀ । ସରଳ ଅନିମେଶ କିଛି ବୁଝିବା ପୂର୍ବରୁ ତା ସ୍ୱପ୍ନ, ସଂସାର ଧୁଳିସାତ।
ପ୍ରଥମ ଧକ୍କା ସମ୍ଭାଳିବା ପାଇଁ ଦ୍ୱିତୀୟ ଭୁଲ କରିବସେ ସେ। ଭଲପାଇ ବସେ କିଛି ଉଗ୍ରାଧୁନିକା ଯୁବତୀଙ୍କୁ। କିଛିଟା ସାହସ, ଆଶ୍ୱାସନା ପାଇ ଜୀବନରଥକୁ ଆଗକୁ ଗଡ଼ାଇ ନିଏ ଅନିମେଶ। ଅର୍ଥପିପାଶୁ ଦୁନିଆକୁ ଜାଣିବା ପୁର୍ବରୁ ନିଜର ବଳକା ସଞ୍ଚିତ ଅର୍ଥ ଅପବ୍ୟୟ କରିଚାଲେ ସେ।
ଆଖିଖୋଲିଯାଏ ଅନିମେଶର। ସମ୍ଭାଳିନିଏ ଦ୍ୱିତୀୟ ଝଟକା । ଆଗକୁ ବଢିବାର ବଜ୍ରଶପଥ ନେଇଥିଲା ଅନିମେଶ। ମନେ ମନେ କହୁଥିଲା ଆସିଛି ଏକା ଯିବି ମୁଁ ଏକା ଏକା ହୋଇ! ୟାରି ଭିତରେ ଅନିମେଶକୁ ନୂତନ ଜୀବନ ଦିଏ ଛୋଟ ବେଳରୁ ବାପାଙ୍କ ଆଦର୍ଶ ତଥା ଉପଦେଶ ଓ ସାହିତ୍ୟଚର୍ଯ୍ୟା। ଅନ୍ୟ ସବୁ ଦିଗରୁ ମୁହଁ ଫେରାଇଲା ପରେ ଏକାଗ୍ର ଚିତ୍ତରେ ସାହିତ୍ୟ ସାଧନାରେ ଲାଗି ପଡେ ଅନିମେଶ। ଧିରେଧିରେ ସବୁ ସ୍ବଭାବିକ ଲାଗେ ତାକୁ । ପୁରୁଣା ସ୍ମ୍ରୁତି ମନକୁ ଛଟପଟ କଲେ ଖାତା କଲମ ଧରି ଆଙ୍କିଦିଏ ଦୁଃଖ କଷ୍ଟର ଅଙ୍ଗେଲିଭା ଚିତ୍ର, ସହଜ ହୋଇଯାଏ ଜୀବନ କାନଭାସ।
ଆଜି......
ତା'ର ଭଗବାନ, ତା'ର ଆଦର୍ଶ, ତାର ବାପାଙ୍କ ପତ୍ର..ବ୍ୟସ୍ତ, ବ୍ୟଗ୍ର ହୋଇ ପଢିଚାଲେ ଅନିମେଶ...!ଲେଖାଥିଲା, ବାବୁରେ! ବହୁତ ଆଶା ଥିଲା ତୋରି ଠାରୁ।ତୋର ଅପକର୍ମ, ଅପନିନ୍ଦା ଶୁଣି ଶୁଣି ମୁଁ ଆଉ ଗାଆଁରେ ରହି ପାରୁନାହିଁ। ପରିସ୍ଥିତିର ଚାପରେ ତତେ ତେଜ୍ୟପୁତ୍ର କରିଦେଲି। ତୁ ପରା ମୋର ସୁନା ପୁଅ! ତତେ ତେଜ୍ୟପୁତ୍ର କଲାପରେ ମୋର ବଞ୍ଚିବାର ଅଧିକାର ନଥିଲା। ତୁ ଏହି ପତ୍ର ପାଇବା ବେଳକୁ ମୁଁ ଆଉ ନଥିବି । ମୁଁ ଜାଣେ ଏହି ସଂସାରରେ ନିର୍ଦ୍ଧନ, ସରଳ ବ୍ୟକ୍ତିଙ୍କର ସ୍ଥାନ ନାହିଁ ତେଣୁ ତୁ ନିଜକୁ ନିଜେ ଆଗକୁ ନେବୁ। ମୁଁ ତତେ ତେଜ୍ୟପୁତ୍ର କରି ମୁଁ ମୋ ଆଦର୍ଶକୁ ହତ୍ୟା କଲି। ତେଣୁ....!!
ଇତି
ତୋର ଅସହାୟ ବାପା
ଖାତା ବନ୍ଦକରିଦେଲା ଅନିମେଶ। ନା ଆଉ ନୁହେଁ।ଆଦର୍ଶର ହତ୍ୟା ହୋଇଗଲା ପରେ ଆଉ ବଞ୍ଚି ଲାଭ କ'ଣ?
ବହୁତ ଜୀବନ ଜିଇଁ ସାରିଲି, ହୁଏତ ମୋ ଲେଖା ଆଉ ପ୍ରକାଶ ପାଇବ ନାହିଁ। ଜୀବନ ଯୁଦ୍ଧରେ ହାରିଯାଇଥିଲା ଅନିମେଶ। ପାଖରେ ଥିବା ଫଲିଡଲ ଶିଶିଟିକୁ ପିଇସାରିଥିଲା ସେ। ଅବସାନ ଘଟିଲା ବାପାମାଆଙ୍କ ପାଇଁ ଶ୍ରବଣ କୁମାର ବନିବାକୁ ଚାହୁଁଥିବା ଅନିମେଶର । ତା କାନକୁ କେବଳ ଶୁଣାଯାଉଥିଲା ବିଜୁଳି ଚମକ, ମେଘର ଗର୍ଜନ, ଆଉ ବାପାଙ୍କ କଣ୍ଠ ମୋ ସୁନା ପୁଅରେ.....!!
