ବାପା
ବାପା
ମୁଁ ଯାହାକୁ ଭଲ ପାଏ । ଭକ୍ତି ଆଉ ସମ୍ମାନ କରେ । ନିରବରେ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ଯାହାଙ୍କୁ ପୂଜା କରେ । ଯାହାଙ୍କ କଥା ଭାବି ମନେ ମନେ ଖୋଜେ । ସ୍ବପ୍ନରେ ଯେ, ଆସନ୍ତି । ମୋର ଆଖି ଯାହାଙ୍କ ଜୀବନ୍ତ ଛବି ଦେଖିବା ପାଇଁ ବ୍ଯାକୁଳ । ସେ ମୋ ବାପା । ତାଙ୍କ ପାଇଁ ଆଜି ମୁଁ ଏତେ ବାଟରେ ପହଞ୍ଚି ପାରିଛି । ତାଙ୍କ ଆଦର୍ଶରେ ମୁଁ ଅନୁପ୍ରାଣିତ । ତାଙ୍କର ହସ ମିଶା କଥା, ପରୋପକାର ଭାବନା, ଆବାଳବୃଦ୍ଧବନିତା ସହ ଉତ୍ତମ ସମ୍ବନ୍ଧ ରକ୍ଷା ଦେଖି ଆଜି ମୁଁ ଗର୍ବିତ । ମୋତେ ଭଲ ମଣିଷ ହିସାବରେ ଗଢି ତୋଳିବାରେ ତାଙ୍କର ଯଥେଷ୍ଟ ଭୂମିକା ଥିଲା । ସେ ଥିଲେ ମୋ ପାଇଁ ବିରଳ ବ୍ଯକ୍ତିତ୍ବ ।
ସେ ମୋତେ ବିଶ୍ବକୁ ଭଲପାଇବା ଶିଖାଇ ଦେଲେ । ସେବା କରିବା ହିଁ ସଂସାରରେ ସର୍ବଶ୍ରେଷ୍ଠ କର୍ମ । ସେ ଛୋଟ ହେଉ ଅବା ବଡ । ସେବା କେବଳ ସେବା ହିଁ ହୋଇଥାଏ । ଆପଣ ଶିକ୍ଷାଦାନ କରନ୍ତୁ, ଦେଶ ରକ୍ଷା କରନ୍ତୁ, ଗାଈ ପାଇଁ ଘାସ କାଟନ୍ତୁ, ଘରେ ଖାଦ୍ଯ ରୋଷେଇ କରନ୍ତୁ, ପରିବାର ପାଇଁ ବଜାର ସଉଦା କରନ୍ତୁ ଅବା ଡାକ୍ତରଖାନାରେ ରୋଗୀର ଉପଚାର କରନ୍ତୁ, ଏସବୁ ତ ସେବା । ଜୀବ ଜଗତର ସେବା କରିବା ହିଁ ପ୍ରକୃତିର ସେବା କରିବା । ଯେଉଁ ପ୍ରକୃତି କୋଳରେ ଆମ୍ଭମାନଙ୍କର ଜନ୍ମ । ସେ ପ୍ରକୃତି ହିଁ ଈଶ୍ବର ।
ଯଦି ଅମୃତର ସନ୍ଧାନ କରୁଛନ୍ତି, ତା'ହେଲେ ଜାଣି ରଖନ୍ତୁ ଅମୃତ ପରୋପକାର ଭାବନାରେ, ସତ୍ଯ କର୍ମରେ, ଅନ୍ଯକୁ ଭଲ ପାଇବାରେ ଥାଏ । କେଉଁଠାରେ ଖୋଜିଲେ ତା'କୁ ପାଇବେ ନାହିଁ । ଏ ଥିଲା ମୋ ବାପାଙ୍କ ନୀତିବାଣୀ ।
ବାପାଙ୍କ ମହତ୍ ବାଣୀ ଏତେ ଶାନ୍ତ ଓ ପବିତ୍ର ଯେ, ଯାହା ଶୁଣିବା ମାତ୍ରେ ମୋ ମନ-ହୃଦୟ ସଂପୂର୍ଣ୍ଣ ଶରୀରକୁ ଦୋହଲାଇ ଦିଏ । ଶୀହରଣ ଖେଳେଇ ଦିଏ । ଅଦ୍ଭୁତ ତାଙ୍କର ମୁଖ ନିସୃତ ଶବ୍ଦ ।
ମୋର ମନେଅଛି ପିଲାଦିନେ ଚାଲୁ ଚାଲୁ ଯେବେ ଝୁଣ୍ଟି ପଡେ ବାପା ମୋତେ କାଖ କରି, ପିଠିରେ ଲାଉ କରି ଗାଆଁ ସାରା ବୁଲାଇ ଦିଅନ୍ତି । ମାଆ ଆମକୁ ଛାଡି ଚାଲି ଗଲା ପରେ ସେ ମୋ ପାଇଁ ବହୁତ କଷ୍ଟ ସହିଛନ୍ତି । ବିଛଣାରେ ମୋତେ ଶୁଆଇ ସାରିବା ପରେ ବାପା ପ୍ରତିଦିନ ମାଆକୁ ମନେ ପକାଇ କାନ୍ଦନ୍ତି । ମୁଁ ବି ତାଙ୍କ କଥା ଭାବି ବହୁତ କାନ୍ଦେ । ମୁଁ କାନ୍ଦିବାର କେବେ ବାପା ଜାଣି ନାହାଁନ୍ତି । ବାପା ମୋତେ ମାଆ ସାଜି ଗାଧାଇ ଦିଅନ୍ତି । ମୋ ବାପା ଦୁନିଆର ସବୁଠାରୁ ଭଲ ବାପା, ମୋ ଡାର୍ଲିଙ୍ଗ୍ ସିଏ । ଆଜି କେଜାଣି କାହିଁକି ବାପାଙ୍କ କଥା ଭାରି ମନେ ପଡୁଛି, ଚନ୍ଦ୍ରମଣି ।
( ଚନ୍ଦ୍ରମଣିକୁ ସେଦିନ ଅଫିସ୍ ଭିତରେ ନିଜ ବାପାଙ୍କ ବିଷୟରେ ସବୁ କଥା କହି ଚାଲିଥାଏ ରୂପେସ୍ । )
ଆମ ଗାଆଁର କୁନ୍ଦୁରୁ କଟେଇ ରେ ଆମର ଯେଉଁ ପଡିଆ ଜମି ଥିଲା ମୋ ଜନ୍ମ ଦିନରେ ବାପା ପୁରା ଏକ ହଜାର ଶାଗୁଆନ୍ ଚାରା ଜଙ୍ଗଲ ବିଭାଗରୁ ଆଣି ସେଠାରେ ଲଗାଇଦେଲେ । ଆଜି ସେ ଜାଗାଟା ଜଙ୍ଗଲ ଭଳି ଦେଖାଯାଉଛି ।
ବାପା ବୃକ୍ଷ ଉପରେ ସବୁବେଳେ ମୋତେ କୁହନ୍ତି ଗଛ ଆମର ଜୀବନ । ସେ ଆମକୁ ବର୍ଷା ଦେଉଛି । ଅମ୍ଳଜାନ ଦେଉଛି । ଫଳ ଦେଉଛି । ରୋଷେଇ କରିବା ପାଇଁ କାଠ ଦେଉଛି ।
ସତରେ ବାପା ତୁମେ ହିଁ ମୋର ଭଗବାନ୍ ଆଉ ମୁଁ ତୁମର ପୂଜାରୀ । ମୋ ଦେହ ଦେଉଳର ତୁମେ ପଞ୍ଚଭୂତ । ନିୟତ୍ତିଙ୍କର ସୃଷ୍ଟିରେ ତୁମ ବିନା ମୁଁ ଆଉ କୌଣସି ଇଶ୍ଵରଙ୍କ ଉପସ୍ଥିତ ଜାଣି ପାରୁ ନାହିଁ । ତୁମେ ହିଁ ମୋର ପରମାତ୍ମା । ଇଶ୍ଵର ଯଦି କେବେ ମୂର୍ତ୍ତୀ ହେବେ, ତେବେ ମୁଁ ନିଶ୍ଚିତ ଯେ, ସେ ତୁମର ହିଁ ରୂପ ନେବେ । ତୁମେ ଭଗବାନ୍ ଙ୍କର ନୁହେଁ ଭଗବାନ୍ ହିଁ ତୁମର ପ୍ରତିଛବି । ସକଳ ସୃଷ୍ଟି ମଧ୍ଯରେ କେବଳ ତୁମର ହିଁ ଉପସ୍ଥିତି ଦେଖିଲେ ମୋ ହୃଦୟରେ ଆନନ୍ଦର ଲହରୀ ଖେଳିଯାଏ । ପ୍ରାଣ ହାଲୁକା ଲାଗେ । ସଂସାରଟା ଜୀବନ୍ତ ଦୃଶ୍ଯ ହୁଏ ।
ମୁଁ ଦଶମ ପରୀକ୍ଷା ଦେଇଯିବା ବେଳେ ତମେ ଯେଉଁ ' ସୋନାଟା ' ହାତଘଣ୍ଟା ଦେଇଥିଲ । ତା'କୁ ମୁଁ ଆଜି ମଧ୍ୟ ସାଇତି କରି ରଖିଛି । ଦଶମ ବୋର୍ଡ ପରୀକ୍ଷା ଠାରୁ ଆରମ୍ଭ କରି ସ୍ନାତକ ପରୀକ୍ଷା ସବୁଥିରେ ସେ ଘଡିଟି ମୋ ସାଥେ ସାଥେ ରହିଛି । ମୁଁ ସେଇ ଘଡି ପିନ୍ଧି ଅଫିସ ଯାଉଛି । କାରଣ ନୂଆ ଘଡିର କିଛି ଆବଶ୍ୟକତା ହିଁ ନାହିଁ । ସେ ଘଡ଼ିକୁ ବହୁବାର ମରାମତି କରିଛି, କିନ୍ତୁ; ପ୍ରେମର ଡୋରୀରେ ବନ୍ଧା ସ୍ମୃତିକୁ ସଂପୂର୍ଣ୍ଣ ବଦଳାଇବା ମୋ ପକ୍ଷେ ସହଜ ହେଉନି । ବିଶ୍ଵ ଠାରୁ ମଧ୍ୟ ଆପଣଙ୍କ ହୃଦୟ ବିଶାଳ ।
ବାପା ସବୁବେଳେ ମୋତେ ବୁଝାଉଥିଲେ, ବିଫଳତା ହିଁ ସଫଳତାର ଏକମାତ୍ର ଚାବିକାଠି । ନିଜକୁ କେବେ ଛୋଟ ବୋଲି ଜମା ଭାବିବୁନି । ମଣିଷ ଛୋଟରୁ ହିଁ ବଡ଼ ହୋଇଥାଏ । ବାପାଙ୍କ ଠାରୁ ଏଭଳି ମହାନ୍ ବାର୍ତ୍ତା ଶୁଣି ଆଜି ମୁଁ ଗର୍ବିତ । ବାପାଙ୍କ ମଧୁର ବାର୍ତ୍ତା ଗୁଡିକ ଜୀବନରେ ମୋର ଅନେକ କାମରେ ଆସିଛି । ଭବିଷ୍ୟତରେ ମଧ୍ୟ ସେ ବାର୍ତ୍ତା ସବୁ ମୋର କାମରେ ଆସିବ ।
ପରିବାରର ସାମୁହିକ ଇଚ୍ଛାରେ ହେଉଥିବା ବିବାହ ସବୁଠାରୁ ଭଲ । ପାରିବାରିକ ଜୀବନ ସୁଖରେ କଟେ । ଦୁଇ ପରିବାର ଭିତରେ ବନ୍ଧୁତ୍ତ୍ବ ଚିରକାଳ ରହେ । ନୂତନ ଭାବେ ବିବାହ କରିଥିବା ଦମ୍ପତିମାନେ ପରସ୍ପର ପ୍ରତି ଉତ୍ତମ ବୁଝାମଣା ରଖି ପରିବାର ବସାନ୍ତି । ପ୍ରେମର ସଂସାରରେ ସୁଖ ସ୍ବାଚ୍ଛନ୍ଦ୍ଯରେ ଜୀବନ ଅତିବାହିତ କରନ୍ତି । ସେଦିନ ମୋ ବାପା କହିଥିବା କଥା ଗୁଡିକୁ ମୁଁ ବୁଝି ପାରି ନଥିଲି ।
ବାପା ସେଦିନ ମୋତେ କହିଥିଲେ । ତୋ ମାଆ ରକ୍ତ କର୍କଟ ରୋଗରେ ମୃତ୍ୟୁ ହେଲା ପରେ ତୋର କୌଣସି ଅଭାବ ଅସୁବିଧା ତ ମୁଁ କରିନି । ସରକାରୀ ଚାକିରି ପାଇଲୁ ବୋଲି ଏତେ ଶିଘ୍ର ବିବାହ କଲେ ନିଜେ ଦିନେ ନିଶ୍ଚିତ ଅସୁବିଧାର ସମ୍ମୁଖୀନ ହେବୁ । ମାତ୍ର ଏକୋଇଶ ବର୍ଷ ତୋର ବୟସ । ଆଉ ପାଞ୍ଚ - ଛଅ ବର୍ଷ ଯାଉ । ଏତେ ଜଲଦି କ'ଣ ପାଇଁ ? ଏମିତି କହି ସେ ଅନେକ ଅନୁନ୍ନୟ ବି ହେଇଥିଲେ । କିନ୍ତୁ ମୁଁ ତାଙ୍କର କୌଣସି କଥା ଶୁଣିବାକୁ ରାଜି ନଥିଲି । ମୋ ପ୍ରେମିକା କାଦମ୍ବିନୀର କଥା ଗୁଡିକୁ ସେଦିନ ବେଶି ଜୋର୍ ଦେଇଥିଲି । ବାପାଙ୍କ ଅପେକ୍ଷା ପ୍ରେମିକାର କଥା ଗୁଡିକୁ ଶ୍ରେଷ୍ଠ ବୋଲି ମନେ କରିଥିଲି । ମୋର ଗୋଟିଏ ମାତ୍ର ଇଚ୍ଛାଥିଲା ଯେ, ପରିସ୍ଥିତି ଯାହା ହେଉନା କାହିଁକି ବାହାଘର ଶିଘ୍ର ହେଇଯାଉ । ସେଦିନ ବାପାଙ୍କ କଥା ନ ମାନିବାରୁ ସେ ବହୁତ କାନ୍ଦିଥିଲେ । ସେହି ଦିନ ଠାରୁ ବାପା ସବୁବେଳେ ମନମାରି ବସୁଥିଲେ । ମୋ ସହ ଟିକିଏ ବି କଥା ହେଉ ନଥିଲେ । ବୋଧେ ସାବାଳକ ହେଇ ଯାଇ ଥିବାରୁ ନିଜ ନିଷ୍ପତ୍ତି ନିଜେ ନେବା ଠିକ୍ ବୋଲି ସେ ବୁଝି ନେଇଥିଲେ । ମୋର କୌଣସି କାର୍ଯ୍ଯରେ ବାପା ଆଉ ମୁଣ୍ଡ ପୁରାଇଲେ ନାହିଁ । ତାଙ୍କର ଅନିଚ୍ଛା ସତ୍ତ୍ଵେ ମୁଁ ସେଦିନ କାଦମ୍ବିନୀକୁ ବିବାହ କରିଥିଲି ।
ବାହାଘର ପରେ କାଦମ୍ବିନୀ ମୋ ସହ ମାତ୍ର ଅଳ୍ପ ଦିନ ରହି ମୋତେ କିଛି ନ କହି ତା' ବାପ ଘରକୁ ଚାଲିଗଲା । ମୁଁ ତାଙ୍କ ଘରକୁ ଡାକି ଯିବାରୁ ସେ ଆସିଲା ହେଲେ ରାଗ ଗରଗର ହୋଇ । ବାରମ୍ବାର ସେ ଏମିତି କୌଣସି କାରଣ ନଥାଇ, ମୋତେ କିମ୍ବା ମୋ ବାପାଙ୍କୁ ନଜଣାଇ ତାଙ୍କ ଘରକୁ ପଳାଏ । ମୁଁ ବୁଝାସୁଝା କରି ଡାକି ଆଣେ ।
ବିବାହର ଦୁଇମାସ ଯାଇନି କାଦମ୍ବିନୀ ମୋତେ କହିଲା, ମୁଁ ଏ ଗାଆଁ ପରିବେଶରେ ରହି ପାରିବିନି । ମୋତେ ଜମା ଭଲ ଲାଗୁନି । ଚାଲ ଦେବଗଡରେ ଘରଭଡା କରି ରହିବା ।
ମୁଁ କହିଲି, ବାପା ଏକୁଟିଆ ହେଇଯିବେ । ତାଙ୍କ ସ୍ବାସ୍ଥ୍ୟ ଭଲ ନାହିଁ । ମାଆ ଚାଲିଗଲା ପରେ ବାପା ଓ ମୁଁ ଘରର ସବୁ କାମ କରୁଥିଲୁ । ରୋଷେଇବାସଠୁ ଧରି ଲୁଗା ସଫା ଆଉ ବିଲରେ ହଳ କରିବା ଯାଏ । ଆଜି ତାଙ୍କୁ ଛାଡି ସହରକୁ ଗଲେ ତାଙ୍କୁ ଖରାପ ଲାଗିବ । ଠିକ୍ ଅଛି ତୁମେ ଯେତେବେଳେ କହୁଛ ସମସ୍ତେ ଭଡାଘରେ ରହିଯିବା ।
କାଦମ୍ବିନୀ ଆଉ କିଛି ନକହି ରୂପେସ୍ ର କଥାରେ ସମ୍ମତି ଜଣାଇଲା ।
ଗାଆଁରେ ନିଜ ଘରଟିକୁ ତାଲା ପକାଇ, ବଳଦ ହଳେ ଆଉ କୁକୁଡା ଚାରିପଟକୁ ନିରା ଲୁହୁରା ଘରେ ଦେଇ ବାପା, ମୋ ସ୍ତ୍ରୀ ଓ ମୁଁ ତିନିହେଁ ଭଡାଘରେ ରହିବା ପାଇଁ ଦ
େବଗଡ ଆସିଲୁ । ମୋ ଚାକିରିଟା ଦେବଗଡ ସହରରେ ଥିବାରୁ ମୋତେ ବି ଭଲ ଲାଗିଲା । ଗାଆଁରୁ ପ୍ରତିଦିନ ପଞ୍ଚମହଲା ଛକକୁ ମଟରସାଇକଲ୍ ରେ ଆଉ ସେଇଠୁ ଓମ୍ ସାଈ ବସ୍ରେ ଦେବଗଡ ପୁରା ତିରିଶ୍ କିଲୋମିଟର୍ ଯାନାଆନା କରି କରି ମୋର୍ ବି ଅଣ୍ଟାପିଠି ସବୁ ବଥେଇ ଯାଉଥିଲା । ବସ୍ ରେ ପୁଣି କଲେଜ୍ ଛୁଆଙ୍କ ଭିଡ୍ ବଢୁଥାଏ ସିନା, ହେଲେ; କେବେ କମିବାର ନାଁ ନେଉ ନଥାଏ । ସିଟ୍ ଆଶା କରିବା ତ ବୃଥା ।
ଭଡା ଘରେ ରହି ମୁଁ ପ୍ରତିଦିନ ଅଫିସ୍ ଯାଏ । କାଦମ୍ବିନୀ ସ୍ନାତକ ଦ୍ବିତୀୟ ବର୍ଷ ପଢିବାର ସୁଯୋଗ ବି ପାଇଗଲା । ବାପା ହେଲେ ଘର ଜଗୁଆଳୀ ।
( ଏମିତି ପ୍ରାୟ କିଛିଦିନ ଭଲରେ ରହିଥାଉ ମୋ ବାପା କାଦମ୍ବିନୀର କାର୍ଯ୍ଯକଳାପରେ ଜମା ସନ୍ତୁଷ୍ଟ ନଥିଲେ । ତାଙ୍କ ବ୍ଯବହାରରୁ ମୁଁ ସ୍ପଷ୍ଟ ବୁଝି ପାରୁଥିଲି । କାଦମ୍ବିନୀ ବୋଧେ କୌଣସି ଅନୈତିକ କାର୍ଯ୍ଯ କରୁଛି, ତାହା ମୁଁ ଅନୁଭବ କରି ସାରିଥିଲି । କିନ୍ତୁ ପଚାରି ପାରୁ ନଥିଲା । )
ଭଡାଘରେ ଶ୍ବଶୁର ଥିବାରୁ କାଦମ୍ବିନୀ କୌଣସି ପିଲାକୁ ଘରକୁ ଡାକି ପାରୁ ନଥିଲା କି ଯୌବନର ସୁଖ ମେଣ୍ଟାଇ ପାରୁ ନଥିଲା । ପରକୀୟା ପ୍ରୀତି ରଚନା କରିପାରୁ ନଥିଲା । ଯୌବନକୁ ପୂର୍ଣ୍ଣ ରୂପେ ଉପଭୋଗ କରିବାରେ ତା'କୁ ବାଧା ସୃଷ୍ଟି ହେବାରୁ ନିଜ ଶ୍ବଶୁର ବିରୁଦ୍ଧରେ କାଦମ୍ବିନୀ ବିଭିନ୍ନ ଆପତ୍ତିଜନକ କଥା ରୂପେସ୍ କୁ କହିଲା ।
ତୁମ ବାପାଙ୍କୁ ଏଠାରୁ ଗାଆଁକୁ ପଠାଅ ନହେଲେ ମୁଁ ମୋ ବାପ ଘରକୁ ଚାଲିଯିବି । ଏମିତି ଧମକ ପୂର୍ଣ୍ଣ କଥା ଶୁଣାଇଲା । ମୁଁ ସବୁ ଜାଣୁଥାଏ ମୋ ବାପାଙ୍କ କିଛି ଦୋଷ ନ ଥିବ । ସେ ସେମିତି ନୁହଁନ୍ତି । ତାଙ୍କର ଚରିତ୍ର ଗଙ୍ଗା ପରି ପବିତ୍ର । ହେଲେ କିଛି କାରଣ ନଥାଇ ନିଜ ଶ୍ବଶୁର ବିରୁଦ୍ଧରେ ଜଣେ ବୋହୂ କାହିଁକି ଆପତ୍ତିଜନକ ଅଭିଯୋଗ ଆଣିବ ? ତାହା ବି ମନରେ ଦ୍ବନ୍ଦ ସୃଷ୍ଟି କରୁଥାଏ । ଶେଷରେ କାଦମ୍ବିନୀର କଥାରେ ବାପାଙ୍କୁ ସନ୍ଦେହ କରି ଗାଆଁକୁ ପଠାଇଦେଲି। ବାପା ଭାରି ମନ ଦୁଃଖ କଲେ । ମୋତେ କିଛି କହି ପାରୁନଥିଲେ, କାନ୍ଦୁଥିଲେ । ମୋ ସ୍ତ୍ରୀ ଠାରୁ ଅଶ୍ଳୀଳ କଥା ଶୁଣି ବାପା ସେଦିନ ବହୁତ ଅପମାନିତ ବୋଧ କଲେ । ମୋ ପାଖରେ କୌଣସି ଉପାୟ ନଥିଲା । ମୋ ବାପା କ'ଣ ଦେଖିଥିଲେ କେଜାଣି ମୋତେ ସବୁ କହିବା ପାଇଁ ଚାହୁଁ ଥିଲେ । ହେଲେ, ମୁଁ ତାଙ୍କୁ ସେତେବେଳେ ଭୁଲ୍ ବୁଝି ହାତ ଉଠାଇ ସାରିଥିଲି । ସେଦିନ ମୋ ପ୍ରିୟ ବାପାଙ୍କ ଅପେକ୍ଷା ମୁଁ କେଉଁଥି ପାଇଁ ମୋ ସ୍ତ୍ରୀକୁ ଅଧିକ ବିଶ୍ବାସ କରିଥିଲି, ବୁଝି ପାରି ନଥିଲି ।
ଯାହାର ପରିଣାମ ସ୍ବରୂପ ଭବିଷ୍ୟତରେ ଦିନେ ଦୁଃଖ ଯନ୍ତ୍ରଣାରେ କାଳାତିପାତ କରିବି, ମାନସିକ ସ୍ତରରେ ଯନ୍ତ୍ରଣା ଅନୁଭବ କରିବି, ଏହା କେବେ ଭାବି ନଥିଲି ।
ବାପା ଗାଆଁକୁ ଚାଲିଗଲା ପରେ ଦିନେ ମୋ ସ୍ତ୍ରୀ କାଦମ୍ବିନୀ ମୋତେ ଭଡାଘରେ ଏକୁଟିଆ ଛାଡି ତା' ବାପ ଘରକୁ ଚାଲିଗଲା । ମୁଁ କିଛି ବି ଜାଣି ପାରୁନଥିଲି ଏସବୁ କ'ଣ ଘଟୁଥିଲା । ମୋ ଶ୍ବଶୁର ଘରକୁ ଯେବେ ଡାକିଗଲି ସେବେ ଜାଣିଲି ତା'ର ସହପାଠି ଅମ୍ଳାନ ସହ ସେ ଧରିପଳା ପଳାଇଛି । ତାଙ୍କ ଘରକୁ ମୁଁ ଡାକି ଯାଇଥିବା କଥା ବୋଧେ ସେ କା' ଠାରୁ ସୂଚନା ପାଇଗଲା । ମୋତେ ଏକ ଅଜଣା ଫୋନ୍ ନମ୍ବରରୁ କଲ୍ କରି ସେ କହିଲା,
ମୋତେ କ'ଣ ପାଇଁ ଖୋଜୁଛୁ ? ମୁଁ ତତେ ଭଲ ପାଏନି । ମୋର ସହପାଠି ଅମ୍ଳାନକୁ ମୁଁ ପିଲା ଦିନରୁ ଭଲ ପାଉଥିଲି । ତା'କୁ ବିବାହ କଲି । ତୋର୍ ସହ ମୋର ଆଉ କିଛି ସଂପର୍କ ନାହିଁ । ମୋତେ ଖୋଜିବା ବନ୍ଦ କର୍ । ଲୁଚି ରହିଥିବା କଥା ସେ ଧିରେ ଧିରେ ପ୍ରକାଶ କଲା । କାଦମ୍ବିନୀ କଲେଜ୍ ରେ ପଢିଲା ବେଳେ ତା'ର ସହପାଠି ଅମ୍ଳାନକୁ ସେ ଭଲ ପାଉଥିଲା । ତା' ସହ ଆଗରୁ ଅନେକ ଥର ସେ ପ୍ରୀତି ରଚନା କରି ସାରିଥିଲା । କାଦମ୍ବିନୀ କହିଲା, ତୋ ବାପା, ମୋର ଆଉ ଅମ୍ଳାନର ଗୁପ୍ତ ପ୍ରେମ ସଂପର୍କ ଜାଣି ଦେବାରୁ ତାଙ୍କ ବିରୁଦ୍ଧରେ ତୁମକୁ ମିଛ କଥା ଶୁଣାଇ ଗାଆଁକୁ ପଠାଇ ଦେଲି । ସେ ଗାଆଁ କୁ ପଳାଇଲା ପରେ ତୁମେ ଯେତେବେଳେ ଅଫିସ୍ ଯାଅ ତୁମ ଅଜାଣତରେ ଅମ୍ଳାନ ଭଡାଘରକୁ ଆସନ୍ତି । ମୋତେ ବିପୁଳ ସୁଖ ପରଷନ୍ତି । ଭଡାଘର ବିଛଣା ଜାଣିଛି ଆମେ କେତେ ଥର ଅସଂଯତ ଅବସ୍ଥାରେ ଦୁହେଁ ଓଦା ହେଇଛୁ । ଅମ୍ଳାନଙ୍କର ଶକ୍ତ ସ୍ପର୍ଶ ମୋତେ ବାରମ୍ବାର ମନେ ପଡିବାରୁ ତାଙ୍କ ସହ ପଳେଇ ଆସିଲି ।
ଏସବୁ ଶୁଣି ମୁଁ ଫୋନ୍ କାଟିଦେଲି । ଭାବିଲି ସେଦିନ ମୋ ବାପାଙ୍କର କିଛି ଭୁଲ୍ ନଥିଲା । ସବୁ ଭୁଲ ଏ କାଦମ୍ବିନୀର ଥିଲା । ପରକୀୟା ପ୍ରୀତି ପାଇଁ ମୋ ବାପାଙ୍କ ବିରୁଦ୍ଧରେ ଏମିତି ଆପତ୍ତିଜନକ କଥା ସେ କେମିତି କହି ପାରିଲା ? ଛି, ଛି !!! ସ୍ବାର୍ଥ ହାସଲ ପାଇଁ, ନିଜ କାମନାବାସନାର ସୁଖ ପାଇଁ, ଘରେ ଏକୁଟିଆ ରହି ସହପାଠି ସହ ଦେହ ସଂପର୍କ ରଖିବା ପାଇଁ ମୋ ବାପାଙ୍କ ବିରୁଦ୍ଧରେ ଏଣୁ ତେଣୁ ମିଛ କଥା ସବୁ ରଚିଲା । ମୋ ବାପାଙ୍କୁ ମୋ ଠାରୁ ଦୂରେଇ ଦେଲା ।
ଏସବୁ କଥା ଭାବି ମୋ ପାଦ ତଳୁ ମାଟି ଆସ୍ତେ ଆସ୍ତେ ଖସୁଥିବାର ମୁଁ ଅନୁଭବ କଲି । ମୋର ସଂପୂର୍ଣ୍ଣ ଦେହ ଥରୁଥାଏ । ଆଖିରୁ ଅଶ୍ରୁ କେତେବେଳୁ ଖସିପଡି ଗାଲ ଭିଜି ଯାଇଥାଏ ଜାଣି ପାରି ନଥିଲି । ମୁଁ ମୋ ଜୀବନଟାକୁ ପ୍ରେମ ବିବାହ କରି ଆଜି ନଷ୍ଟ କରିଦେଲି । ବାପାଙ୍କ କଥା ଟିକିଏ ବି ଶୁଣି ନଥିବାରୁ ଆଜି ମୁଁ ଭାରି ଅନୁତପ୍ତ - ଦୁଃଖିତ ।
ମୁଁ ଆଉ କାଦମ୍ବିନୀ ବିଷୟରେ କିଛି ନଭାବି ତାଙ୍କ ଘରୁ ସେଦିନ ଏକୁଟିଆ ଫେରି ଆସିଲି । ବୁଝିଲି ସେ ତା' ଜାଗାରେ ଠିକ୍ ଅଛି ।
ଜୀବନର ଗୋଟିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାବେଳେ ଆଗପଛ ବିଚାରି, ବନ୍ଧୁ ପରିଜନ, ସାହି - ପଡିଶା, ସାଙ୍ଗସାଥୀଙ୍କ ମତ ନେବା ନିହାତି ଦରକାର । ଏହା ମୁଁ ବୁଝି ପାରିଲି ନାହିଁ ।
ଜୀବନରେ ମୋର ଏଇ ବଡ ଭୁଲ୍ ପାଇଁ ମୁଁ ଆଜି ଅନୁତପ୍ତ । ସ୍ତ୍ରୀ କଥା ମାନି ବାପାଙ୍କୁ ଭଡାଘରୁ ତଡି ଦେଇ ଭୁଲ୍ କରିଥିଲି । ମୋ ବାପା ପିଲାଦିନେ ମୁଁ କରୁଥିବା ସମସ୍ତ ଭୁଲ୍ କୁ କ୍ଷମା କରି ଦେଉଥିଲେ । ମାନୁଛି ଗାଳି କରୁଥିଲେ, ମାଡ ଦେଉଥିଲେ, ହେଲେ; ପର ମୁହୂର୍ତ୍ତରେ ସେ ମୋତେ ହସାଉ ମଧ୍ଯ ଥିଲେ । ଆଜି ମୁଁ କଣ କଲି ? ଆଖିରେ ନଦେଖି ଅନ୍ଯ କଥାରେ ବିଶ୍ବାସ କଲି । ଯାହାକୁ ଦିନେ ପ୍ରଚୁର ଭଲ ପାଉଥିଲି, ତାଙ୍କୁ ଆଜି ନିନ୍ଦା ଅପମାନଜନକ କଥା କହି ଆଖିରେ ଲୁହ ଦେଲି, ହୃଦୟରେ ଯନ୍ତ୍ରଣା ଭରିଲି ।
ମୋ ସ୍ତ୍ରୀ ଆଜି ଚାଲିଗଲା ଅନ୍ଯ କା' ସାଥିରେ ମୋତେ ଜୀବନ ବାଟରେ ଏକୁଟିଆ କରି । ଯାହାକୁ ବିଶ୍ବାସ କରି ଭଲ ପାଇଲି, ବିବାହ କଲି, ଭବିଷ୍ୟତର ସ୍ବପ୍ନ ଦେଖିଲି ସେ ଆଜି ପର ପୁରୁଷର ପ୍ରେମରେ ଆକର୍ଷିତ ହୋଇ ମୋ ପରିବାରଟାକୁ ପୁରା ଉଜୁଡାଇ ଦେଲା, ମୋତେ ପୁରା ବର୍ବାଦ୍ କରିଦେଲା । ମୋ ସହ ଏତେ ବଡ ବିଶ୍ବାସ ଘାତକତା କେମିତି କହି ପାରିଲା ସେ ? ମୁଁ ପ୍ରଚୁର ଭଲ ପାଇବା ସତ୍ତ୍ଵେ ମଧ୍ଯ ମୋତେ ଧୋକା ଦେଲା । ମୋ ସହ ଭଲପାଇବାର ମିଛ ନାଟକ ରଚିଲା । କେମିତି କିଛି ଜାଣି ପାରିଲି ନାହିଁ ମୁଁ ?
ଯେଉଁ ବାପା ମୋତେ ଛୋଟବେଳୁ ପାଳିପୋଷି ବଡ କଲେ । ଯାହାଙ୍କ ମଧୁର ସ୍ପର୍ଶରେ ପ୍ରାଣ ମୋର ସଂପୂର୍ଣ୍ଣ ହୋଇ ପୁରି ଉଠିଲା । ତାଙ୍କୁ ମୁଁ ସନ୍ଦେହ କରି ଗାଆଁକୁ ସବୁଦିନ ପାଇଁ ପଠାଇଦେଲି । ଯାହାଙ୍କ ପାଇଁ ମୁଁ ପାଠ ପଢି ଚାକିରି କଲି । ଦରମା ପାଇ ଆନନ୍ଦରେ ଜୀବନ ଜୀଇଁଲି । ଆଜି ତାଙ୍କୁ ହିଁ ଅପମାନ ଦେଲି । ଥରୁଟିଏ ବି ତାଙ୍କ କଥା ଶୁଣିଲି ନାହିଁ । ମୋ ବାପା ମୋତେ ସେଦିନ ଠିକ୍ କହିଥିଲେ, ତୋର ବୟସ ହେଇନି ତୁ ବାହା ହଅନି । ପ୍ରେମ ବିବାହ ଭଲ ନୁହେଁ । ବିବାହ ପରେ ପରିବାରରେ ବିଶୃଙ୍ଖଳା ସୃଷ୍ଟି ହୁଏ, ଧୋକା ମିଳେ, ପରସ୍ପରକୁ ଦୋଷ ଲଦାଲଦି ହୁଅନ୍ତି ।
ବାପାଙ୍କ ସବୁ କଥା ଭାବି ଭାବି ମୁଁ ଗାଆଁକୁ ଗଲି ତାଙ୍କୁ କ୍ଷମା ମାଗିବା ପାଇଁ । ହେଲେ ମୁଁ ବିଳମ୍ବ କରି ଦେଇଥିଲି । ବାପା ଚିନ୍ତା କରି କରି ଶେଷ ଅବସ୍ଥାରେ ପହଞ୍ଚି ସାରିଥିଲେ । ବୋଧେ ମୋତେ ପ୍ରଚୁର ଭଲ ପାଉଥିବାରୁ ମୋର ଅପେକ୍ଷାରେ ଥିଲେ । ମୋ ଠାରୁ ପାଣି ମୁନ୍ଦେ ପିଇବାର ଇଚ୍ଛାରେ ସେ ବଞ୍ଚିଥିଲେ । ମୋତେ ଶୋକ ସାଗରରେ ଡୁବାଇ ଦେଇ ସେ ଆଜି ବହୁତ ଦୂରକୁ ଚାଲିଗଲେ ।
ଆଜି ମୁଁ ସଂପୂର୍ଣ୍ଣ ଏକୁଟିଆ । ନିଃସ୍ବ ଓ ଯାଯାବର । ଯଦି ମୁଁ ସେଦିନ ବାପାଙ୍କ କଥା ମାନିଥାନ୍ତି ଆଜି ବୋଧହୁଏ ଖୁସିରେ ଥାଆନ୍ତି ।