Madhu mita

Inspirational

4  

Madhu mita

Inspirational

ବାପା

ବାପା

16 mins
341


ବାପା ହେବାଟା ଏତେ ସହଜ କଥା ନୁହେଁ । ବାପା ହେବାକୁ ହେଲେ ପ୍ରଥମେ ନିଜକୁ ଯୋଗ୍ୟ କରିବାକୁ ପଡ଼ିବ । ବାପା ହେବାକୁ ହେଲେ ଝଡ଼ ସାମ୍ନାରେ ଛାତି ପତେଇ ଠିଆ ହୋଇ ପାରିବାର ଯୋଗ୍ୟତା ଆବଶ୍ୟକ । ନିଆଁରେ ହାତ ପୁରେଇ ପାଣିରେ ବୁଡ଼ିଯାଇ ମଧ୍ୟ ନିଜ ସନ୍ତାନକୁ ସୁରକ୍ଷା ଦେବାର ଯୋଗ୍ୟତା ଆଣିବାକୁ ହେବ ନିଜ ଭିତରେ । ବାପା କେବଳ ସିଏ ହିଁ ହୋଇପାରେ ଯିଏ ବିଶ୍ଵନିୟନ୍ତାଙ୍କ ପରି ନିଜ ସର୍ଜନାର ସମ୍ପୂର୍ଣ୍ଣ ସଂରକ୍ଷଣର ବ୍ୟବସ୍ଥା କରି ଦେଇପାରେ । ପ୍ରତ୍ୟେକ ପରିସ୍ଥିତିରେ ଅଭୟ ପ୍ରଦାନ କରିବା ଯୋଗ୍ୟତା ହିଁ ଜଣେ ପୁରୁଷକୁ ବାପା କରିପାରେ । 


ଏକଥା ପୁରାପୁରି ବୁଝି ପାରିଥିଲେ ତା' ବାପା । ବହୁତ୍ ଭଲ ରୂପେ ବୁଝି ପାରିଥିଲେ । ନିଜ ଜେଜେବାପାଙ୍କ ପରି ମହାନ୍ ହୃଦୟ ଆଉ ବିଶାଳ ମନ ହୋଇପାରିବା ପରେ ଯାଇ ସେ ତା' ମାଆଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଜାଣିଥିଲା ନୀତି । ତା ବାପାଙ୍କ ବିଷୟରେ ସବୁକିଛି ଟିକିନିଖି ଜାଣିଥିଲା ନୀତି । ହେଲେ ଗୋଟିଏ କଥା ଜାଣି ପାରି ନଥିଲା ନୀତି । ଆଉ ସେଇଟା ହେଲା ବାପା ଏତେ ଧୈର୍ଯ୍ୟ କେଜାଣି କେଉଁଠୁ ଆଣୁଛନ୍ତି । ଜୀବନରେ ଯେତେ ସମସ୍ୟା ଆସୁ ନା କାହିଁକି ବାପା ସବୁର ସମାଧାନ କରି ଦିଅନ୍ତି । ଅତି ଆରାମରେ ସବୁ ଠିକ୍ କରି ଦିଅନ୍ତି । ନୀତି ଯେତେବେଳେ ଯାହା ପ୍ରଶ୍ନ କରେ ବାପାଙ୍କ ପାଖରେ ତାର ଉତ୍ତର ନିଶ୍ଚୟ ଥାଏ । କେବଳ ତାର କାହିଁକି ତା' ମାଆର ମଧ୍ୟ ସବୁ ସମସ୍ୟାର ସମାଧାନ ବାପାଙ୍କ ପାଖରେ ଥାଏ । 


ଅବଶ୍ୟ ସେ ଏକଥା କେବଳ ଶୁଣିଛି…ଯେ ତା ଜନ୍ମ ଆଗରୁ କୁଆଡେ ସୋନୋଗ୍ରାଫି ଦ୍ଵାରା ଜଣା ପଡି ଯାଇଥିଲା ଯେ ଆସନ୍ତା ସନ୍ତାନ ଝିଅଟେ ହେବ । ଆଉ ଏକଥା ଶୁଣି ଜେଜେମା ଜିଦ୍ କରୁଥିଲେ ଆବୋର୍ଶନ ପାଇଁ । ପରିବାରର ବଡ ବୋହୂର ପ୍ରଥମ ସନ୍ତାନ ଝିଅ ହେଉ ଏକଥା ସେ ଜମା ପସନ୍ଦ କରୁ ନଥିଲେ । କିନ୍ତୁ ତା ବାପା ଏହି କଥାର ଘୋର ବିରୋଧ କଲେ । ଝିଅ ବୋଲି କଣ ସେ ଜନ୍ମ ନେବନି?ଦୁନିଆରେ ଯଦି ସମସ୍ତେ ଏମିତି ଭାବନ୍ତେ ତେବେ ଦୁନିଆରୁ ଝିଅ ଲୋପ ପାଇ ଯାଇ ଥାଆନ୍ତେ । 


ଜେଜେମା କହୁଥିଲେ ଯେ ଝିଅ କୁଳ ବଢ଼େଇ ପାରିବନି । ଆଉ ବାପା କହୁଥିଲେ ସେମିତି ହେଲେ ଜେଜେମା କୋଳରେ କିପରି ସେ ଜନ୍ମ ନେଇ କୁଳ ବୃଦ୍ଧି କଲେ? ଜେଜେମା ପୁଣି ଯୁକ୍ତି କଲେ ଯେ ଝିଅ ମୁଖାଗ୍ନି ଦେଇ ମୁକ୍ତି ଦେବନି । ଆଉ ସେଇ କଥାକୁ କାଟିବାକୁ ଯାଇ ବାପା କହିଲେ ଯେ ସେଇ ସମସ୍ୟାରୁ ବାହାରି ଆସିବା ପାଇଁ ଇଲେକ୍ଟ୍ରିକାଲ ଚୁଲାର ଉଦ୍ଭାବନ ହୋଇ ସାରିଛି । ସେଇଠି କାହାକୁ ମୁଖାଗ୍ନି ଦେବାକୁ କଷ୍ଟ କରିବାକୁ ହୁଏନି । ମୋଟ ଉପରେ ଜେଜେମା ଯେତେ କଥା ବଢେଇଲେ ନୀତିକୁ ମୃତ୍ୟୁ ଦେଇଦେବାପାଇଁ; ବାପା ତା ଠାରୁ ଅଧିକ ଜୋର୍ ଲଗେଇଲେ ତାକୁ ଜୀବନଦାନ ଦେବାପାଇଁ । 


ଆଉ ବାପାଙ୍କ ବିଜୟ ଆଣିଦେଲା ନୀତିର ନୂଆ ଜୀବନକୁ । ସେ ଦୁନିଆ ଭିତରକୁ ଆସି ପାରିଥିଲା କେବଳ ତା' ବାପାଙ୍କ ଦୃଢ଼ତା ଯୋଗୁଁ । ସେତେବେଳଠାରୁ ବାପା ଠିଆ ହୋଇଥିଲେ ଏକ କବଚ ହୋଇ..ଯାହାକୁ ଭେଦ କରି ତା' ପାଖକୁ କୌଣସି ଆହ୍ୱାନ ଆସି ତାକୁ ହରେଇ ପାରି ନଥିଲା । 


ମା' କହୁଥିଲା ତା' ଜନ୍ମ ହେବାକୁ ନେଇ ବାପା ଯେପରି ନିଜ ନିଷ୍ପତ୍ତିରେ ଅଟଳ ରହିଲେ ସେଇଟା ଦେଖି ଜେଜେମା ଆଉ ଜେଜେବାପା କୁଆଡେ ବହୁତ୍ ରାଗି ଯାଇଥିଲେ ଆଉ ବାପାଙ୍କୁ ଘରୁ ଚାଲିଯିବା ପାଇଁ କହିଥିଲେ । ହେଲେ ବାପା ସେଥିରେ ଡରି ନ ଯାଇ ଆଗେଇ ଆସିଥିଲେ ଏକ ନୂଆ ଜଗତକୁ । ସେଇଠି ସେ ନିଜର ଛୋଟିଆ ବସାରେ ସ୍ୱାଗତ କରିଥିଲେ ନୀତିର । ସେ ଜନ୍ମ ହେବା ପରେ କୁଆଡେ ବାପା ତାକୁ ନିଜ କୋଳରେ ଉଠେଇବାରୁ ସେ ତା କଅଁଳିଆ ଆଙ୍ଗୁଠିରେ ତାଙ୍କ ଶକ୍ତ ହାତକୁ ସ୍ପର୍ଶ କରିବାରୁ ତାଙ୍କ ଆଖିରୁ ହଠାତ୍ ଦୁଇଟୋପା ଲୁହ ଝରି ଆସିଥିଲା । ମାଆକୁ କୋଳେଇ ନେଇ ବାପା ବହୁତ୍ ଧନ୍ୟବାଦ ଦେଇଥିଲେ ଆଉ ଆଖପାଖ ସବୁ ଲୋକଙ୍କୁ ମିଠା ବାଣ୍ଟିଥିଲେ । 


ନୀତି ଜନ୍ମ ହେଲାବେଳେ ଅଣ୍ଡରୱେଟ୍ ଥିଲା । ବାପା ଅତି ସନ୍ତର୍ପଣରେ ମା'କୁ ବୁଝେଇ ଦେଲେ ଯେ ନୀତି ତାଙ୍କ ପାଇଁ ଏକ ଆହ୍ୱାନ । ଜୀବନକୁ ବଞ୍ଚିବାର ଏକ ଲକ୍ଷ୍ୟ । ସେଇଥିପାଇଁ ଈଶ୍ୱର ତାକୁ ତାଙ୍କ ହାତରେ ଦେଇଛନ୍ତି । ଯାହା ଫଳରେ ସେ ନିଜର ବାପା ହେବାର ଯୋଗ୍ୟତା ସିଦ୍ଧ କରି ପାରିବେ । ତାଙ୍କର ଏମିତି କଥା ଶୁଣି ମା' ମଧ୍ୟ ନିଜକୁ ଧନ୍ୟ ମନେ କରୁଥିଲା । 


ବାପା ସବୁକଥା ଗୋଟିଏ ଡାଇରୀରେ ଲେଖି ରଖୁଥିଲେ । ନୀତି ବଡ ହେବା ପରେ ଦିନେ ପୁରୁଣା ବହିପତ୍ର ସଜାଡି ରଖିଲା ବେଳେ ସେହି ଡାଇରୀ ପାଇଥିଲା । ଆଉ ମଜ୍ଜି ଯାଇଥିଲା ପୁରୁଣା ସ୍ମୃତିସବୁ ସାଉଣ୍ଟିବାରେ…!!ବାପା ତା'ର ସବୁକଥା ଲେଖି ରଖି ଦେଇଥିଲେ । ସବୁ ଛୋଟ ଛୋଟ ଅନୁଭୂତି ଆଉ ପୁଲକ ଅକ୍ଷର ରୂପ ନେଇ ସେହି ଡାଇରୀ ଭିତରୁ ଉଙ୍କି ମାରୁଥିଲା । ନୀତିର ଆଖି ଆଗରେ ସବୁକିଛି ଯେମିତି ସ୍ପଷ୍ଟ ଦେଖା ଯାଉଥିଲା । 


ବାପା ଲେଖିଥିଲେ କିପରି ନୀତିକୁ ତିନିଦିନ ହେଲା ବେଳେ ତାକୁ ଜଣ୍ଡିସ ହୋଇଯାଇଥିଲା । ବାପା ସେତେବେଳେ କେତେ ବିକଳ ହୋଇ ଈଶ୍ୱରଙ୍କୁ ଡାକିଥିଲେ ସେସବୁ ସେହି ଲେଖା ପଢ଼ି ନୀତି ବୁଝି ପାରୁଥିଲା । ମା' ପରି ବାପା ମଧ୍ୟ ଦିଅଁ ଦେବତାଙ୍କ ପୂଜା କରିଥିଲେ । ମାନସିକ କରିଥିଲେ । ଝିଅର ଦେହ ଠିକ୍ ହୋଇଯିବା ପରେ ଦିନେ ତାକୁ ନେଇ ସିଧା ଗାଆଁ ଘରକୁ ଯାଇଥିଲେ । ଆଉ ନୀତିର ସୁନ୍ଦରିଆ ମୁହଁଟା ଦେଖି ତା' ଜେଜେବାପା ଆଉ ଜେଜେମା କୁଆଡେ ସମସ୍ତଙ୍କୁ କୋଳେଇ ନେଇଥିଲେ । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜ ନୀତି ଆଉ ଆଦର୍ଶ ତ୍ୟାଗ କରି ନଥିଲେ ବାପା । ଆଉ ସେଇଥିପାଇଁ ତା' ନାଁ ନୀତି ବୋଲି ଦେଇଥିଲେ । ବାପାଙ୍କ ଡାଇରୀ ଭିତରେ ଲେଖା ଥିଲା ତା'ର ପ୍ରଥମ ଶବ୍ଦ…ତା'ର ପ୍ରଥମ ଚାଲି ଆଉ ତା'ର ପ୍ରଥମ ହସର ସମୟ । 


ମନେ ମନେ ହସି ପୃଷ୍ଠା ଓଲଟାଉଥିଲା ନୀତି । ବାପାଙ୍କ ଲେଖା ପଢ଼ି ସେ ଜାଣି ପାରୁଥିଲା ଯେ ସେ ବହୁତ ଭଲ ପାଉଥିଲା ଛୋଟ ପକ୍ଷୀମାନଙ୍କୁ । ସେମାନେ ଯେତେବେଳେ ଖଣ୍ଡି ଉଡ଼ା ଦେଇ ଆଗକୁ ବଢ଼ୁଥିଲେ…ସେ ଖୁସିରେ ତାଳି ମାରି ଡେଉଁଥିଲା । ନୀତିର ଠିକ୍ ମନେ ଅଛି…ପ୍ରାୟ ପଢାପଢ଼ି ଜୋର୍ ନ ଧରିଲା ଯାଏଁ ସେ ଏମିତି ପକ୍ଷୀ ଦେଖିବାକୁ ଖୁସି ହୁଏ । ସହର ଭିତରେ ପକ୍ଷୀ ଏତେ ଦେଖା ଯାଆନ୍ତିନି ବୋଲି ବାପା ତାକୁ ସାଙ୍ଗରେ ନେଇ ପାର୍କ କିମ୍ବା ଖୋଲା ପଡିଆକୁ ଚାଲି ଯାଆନ୍ତି । ସେଇଠି ଘଣ୍ଟା ଘଣ୍ଟା ଧରି ସେ ତାଙ୍କ କୋଳରେ ବସି ପକ୍ଷୀ ଦେଖେ । ଖୁସି ହୁଏ । ବାପା ବୁଝାନ୍ତି…କେମିତି ଛୋଟ ଛୋଟ ପକ୍ଷୀ ନିଜ ଡେଣା ମେଲାଇ ପୁରା ଆକାଶକୁ ନିଜର କରିବା ପାଇଁ ଚେଷ୍ଟା କରନ୍ତି ଠିକ୍ ସେହିପରି ଛୋଟ ଛୋଟ ପିଲାମାନେ ମଧ୍ୟ ନିଜ ଛୋଟିଆ ହାତ ପାଦ ବଢ଼େଇ ସାରା ଦୁନିଆକୁ ନିଜର କରିବା ପାଇଁ ଚେଷ୍ଟା କରନ୍ତି । ନୀତି ପ୍ରେରଣା ପାଏ…ଆଗକୁ ବଢିବା ପାଇଁ । 


ବାପା ସବୁବେଳେ ତା' ଭିତରେ ନିଜ ସ୍ଵପ୍ନକୁ ଦେଖିବାକୁ ଚେଷ୍ଟା କରନ୍ତି । ଆଉ ତା' ସ୍ୱପ୍ନକୁ ନିଜର କରି ଦିଅନ୍ତି । ଏଇ ଯେମିତି ସେ ଇଂଲିଶ କହିବା ବେଳେ ବାପା ବହୁତ୍ ଖୁସି ହୁଅନ୍ତି । ଡାଇରୀରେ ଲେଖିଥିଲେ ବାପା… ଯେଉଁଦିନ ତାକୁ ପ୍ରଥମେ ସ୍କୁଲ ୟୁନିଫର୍ମ ପିନ୍ଧେଇ ଥିଲେ ସେଦିନ ସେ କେତେ ଖୁସି ହୋଇଥିଲେ…!!ସେ ଲେଖିଥିଲେ ଯେ ତାଙ୍କ ସ୍ୱପ୍ନ ଆଗକୁ ବଢୁଛି । 


ଗୋଟିଏ ପୃଷ୍ଠାରେ ନୀତି ଅଟକି ଗଲା କିଛି ସମୟ ପାଇଁ । ତା ଜେଜେବାପା ଆଉ ଜେଜେମା ଆମିଷ ତ୍ୟାଗ କରିଥିଲେ । ସେମାନେ ଯେତେବେଳେ ସହରକୁ ଆସନ୍ତି ସେତେବେଳେ ଘରେ ଆମିଷ ରୋଷେଇ ହୁଏନା । କିନ୍ତୁ ନୀତି ଆମିଷ ଖାଇବାକୁ ବହୁତ୍ ଭଲ ପାଏ । ଆଉ ଏତେ ଦିନ ବିନା ଆମିଷରେ ଖାଇବାକୁ କହିଲେ ମୁହଁ ଶୁଖାଇ ଦିଏ । ସେଇଟା ତା' ବାପା କେବେ ଦେଖି ପାରନ୍ତିନି । ଡାଇରୀରେ ବାପା ଲେଖିଛନ୍ତି ଯେ ସେ ସେଦିନ କେତେ ଅସହାୟ ବୋଧ କରିଛନ୍ତି । ନିଜ ଝିଅର ଏଇ ଛୋଟିଆ ଇଚ୍ଛା ସେ ପୂରଣ କରି ପାରି ନାହାଁନ୍ତି…!!ଏତିକି କଥା ବାପା ଲେଖିଥିଲେ ହେଲେ ତା ଆଗକୁ ଘଟିଥିବା କଥା ନୀତି ମନରେ ଅଲିଭା ଅକ୍ଷରରେ ଲେଖା ହୋଇ ଯାଇଥିଲା । 


ସପ୍ତାହଟା ବିତିଯିବା ପରେ ଆମିଷ ନ ଖାଇ ଥିବାରୁ ନୀତି ଟିକେ ମନ ଖରାପ କରି ସକାଳୁଆ ଖାଇବା ଖାଇ ନଥାଏ । କେତେ ବୁଝେଇଲା ପରେ ନିଜ ପେଟ କାଟୁଥିବାର ବାହାନା କରି ଶୋଇବା ଘରକୁ ଚାଲି ଯାଇଥିଲା । ହେଲେ ବାପା ତାକୁ ଖୋଜି ଖୋଜି ଆସି ହାଜର ହୋଇଗଲେ । ତା' ମୁଣ୍ଡ ଆଉଁସି ତାକୁ ହସିବାକୁ କହିଲେ । ସେଦିନ ବାପା କଣ ଭାବି ଘର ବାହାରକୁ ଯାଇଥିଲେ କେଜାଣି…ଫେରିଆସି ନୀତିକୁ ତାଙ୍କ ସାଙ୍ଗରେ ଛାତ ଉପରକୁ ଡାକିଲେ । ସେଇଠି ବସେଇ ତା' ହାତକୁ ବଢ଼େଇ ଦେଲେ ଗରମ ଗରମ ଚିକେନ ପକୋଡା…ଯାହା ସେ ନିଜ ପକେଟ ଭିତରେ ଯତ୍ନରେ ସାଇତି ନେଇ ଆସିଥିଲେ । ସେଦିନ ଖୁସିରେ ହସି ଦେଇଥିଲା ନୀତି । 


ହେଲେ ଆଜି ଆଶ୍ଚର୍ଯ୍ୟ ହେଉଥିଲା…ବାପା ନିଜ ଅସହାୟତା କଥା ତ ଲେଖିଲେ ହେଲେ ସେ ଯେଉଁ ହସ ଆଣି ଦେଇଥିଲେ ତା' ମୁହଁରେ ସେକଥା ତ ଲେଖିଲେନି…!!??


ନୀତି ସବୁ କ୍ଲାସରେ ପ୍ରଥମ ହେବା କଥା ବାପା ଲେଖିଛନ୍ତି ହେଲେ ତା' ପରୀକ୍ଷା ଆଗରୁ ସେ ଯେ କେତେ ସମୟ ତା' ସହ ଅନିଦ୍ରା ହୋଇ ତାକୁ ପାଠ ପଢେଇଛନ୍ତି ସେକଥା କେଉଁଠି ଲେଖି ନାହାନ୍ତି । ନୀତିର ଦେହ ଖରାପ ହେବା କଥା ଲେଖିଛନ୍ତି ହେଲେ ତା' ଦେହ ଖରାପ ହେଲେ ସେ ଯେମିତି ସାରା ରାତି ବାପାଙ୍କ କୋଳରେ ଶୋଇ ରହେ ଆଉ ତା' ନିଦ କାଳେ ଭାଙ୍ଗିଯିବ ତେଣୁ ବାପା ରାତିସାରା ବସି ରହନ୍ତି ସେକଥା ଡାଇରୀ ଭିତରେ ଲେଖି ନାହାନ୍ତି । ନୀତିର ଠିକ୍ ମନେ ପଡ଼ିଯାଏ…ତା ଦେହ ଖରାପ ହେଲେ ବାପା ମାଆକୁ ବୁଝେଇ କହି ଦିଅନ୍ତି ଯେ ସେ ଜଗି ରହିଛନ୍ତି ତେଣୁ ମା ଚିନ୍ତା ନକରି ଶୋଇପଡୁ । କାରଣ ଦିନସାରା ସେ ଟିକେ ବିରାମ ନିଏନି ନିଜ କାମରୁ । ହେଲେ ବାପା ବି ଦିନସାରା କାମ କଲା ପରେ ଯେ ନିଜ ଝିଅ ପାଇଁ ରାତିର ନିଦ ଛାଡ଼ି ଦିଅନ୍ତି ସେହି କଥା କିନ୍ତୁ ଡାଇରୀ ଭିତରେ ନାହିଁ । 


ତା ପଢା,ଖେଳ,ନାଚ କି ଗୀତ ପାଇଁ ବାପା ନିଜ ଖୁସିକୁ ଲେଖି ରଖିଛନ୍ତି । ହେଲେ ସେହି ସବୁ ଖୁସି ପାଇଁ ବାପା କିପରି ସହରରେ ରହିବାକୁ ଦିନରାତି ପରିଶ୍ରମ କରୁଥିଲେ ସେକଥା କିନ୍ତୁ କେଉଁଠି ଲେଖି ନାହାନ୍ତି । ବାପା ଲେଖି ନାହାନ୍ତି କିପରି ସେ ପଢେଇଲା ବେଳେ ନୀତିକୁ ନିଦ ମାଡ଼ି ଆସେ ସେତେବେଳେ ସେ କେତେ ଗପ କହି ତା' ନିଦ ଭାଙ୍ଗି ଦେଉଥିଲେ । ବାପାଙ୍କର ଗୋଟିଏ ଗୋଡ଼ ଥରେ ଆଘାତ ପାଇଥିବାରୁ ତାଙ୍କୁ ଟିକେ କଷ୍ଟ ହେଉଥିଲା ଅଧିକା ଚଲାଚଲି କଲେ । ହେଲେ ନୀତିର ମର୍ଣିଂ ୱାକ୍ ପାଇଁ ସବୁଦିନେ ତା' ସହିତ ଚାଲି ଚାଲି ଆସିଲା ବେଳକୁ ସେ କେତେ କଷ୍ଟ ସହୁଥିଲେ ସେକଥା ଲେଖା ହୋଇ ନଥିଲା ଡାଇରୀ ଭିତରେ । 


ନୀତି ପିଲାବେଳେ ଥରେ ତଳେ ପଡିଯିବାରୁ ତା' ଗୋଡର ନଖ ଉପୁଡ଼ି ଯାଇଥିଲା । କଷ୍ଟ ତାକୁ ହେଉଥିଲା ହେଲେ ତା ବାପାଙ୍କ ମୁହଁ ଶୁଖିଲା ଦେଖା ଯାଉଥିଲା । ଯେତେବେଳେ ବ୍ୟାଣ୍ଡେଜ ବାହାର କରାଯାଇ ଆଉ ଥରେ ପଟି ବନ୍ଧା ହେଉଥିଲା ସେତେବେଳେ ଅଲକ୍ଷ୍ୟରେ ବାପାଙ୍କ ଆଖିପତା ଓଦା ହୋଇ ଯାଉଥିବା ସେ ଦେଖୁଥିଲା । କାହିଁ…ଏସବୁ କଥା କିଛି ତ ଲେଖା ହୋଇନି…!!ହେଲେ ବାପା ଏହି କଥା ସବୁ ନ ଲେଖିବାର କାରଣ କଣ ଥାଇପାରେ…?ବାପା ତା'ର ଛୋଟ ବଡ କଥା ସବୁ ପ୍ରାଞ୍ଜଳ ଭାବରେ ଲେଖିଛନ୍ତି ହେଲେ ସେ ଯେଉଁ କଥା ସବୁ ଜାଣିଛି ସେସବୁ କାହିଁକି ବାପା ଲେଖି ନାହାନ୍ତି…??ବାପା କାହିଁକି ନିଜ ବିଷୟ ଲେଖି ନାହାନ୍ତି ସେକଥା ନୀତି ବୁଝି ପାରୁ ନଥିଲା ହେଲେ ବାପା ସେସବୁ ଲେଖିବାକୁ ଚାହୁଁ ନଥିଲେ ବୋଲି ଲେଖି ନାହାନ୍ତି ସେତିକି କିନ୍ତୁ ନିଶ୍ଚୟ ବୁଝି ପାରୁଥିଲା । 


ଗୋଟିଏ ପୃଷ୍ଠାରେ ବାପା ଲେଖିଥିଲେ ଯେ ଏକ ପରୀକ୍ଷା ଯୋଗୁଁ ନୀତି ଦୀର୍ଘ ପାଞ୍ଚଘଣ୍ଟା ପାଣି ନ ପିଇବାରୁ ବାପା ମନ ଦୁଃଖ କରି ବିଚଳିତ ହୋଇ ପଡ଼ିଥିଲେ । କାଳେ ତା' ପେଟ ଗରମ ହୋଇଯିବ…କାଳେ ସେ ଅସୁସ୍ଥ ହୋଇ ପଡ଼ିବ ଏକଥା ଭାବି ବ୍ୟସ୍ତ ହେଉଥିଲେ । ଆଉ ନୀତି ପରୀକ୍ଷା ଦେଇ ଆସିବା ପରେ ତାକୁ ବସେଇ ଆଗ ପଇଡ ପିଇବାକୁ ଦେଇଥିଲେ । ନୀତି ଆଶ୍ଚର୍ୟ୍ଯ ହେଉଥିଲା …


ତା' ଆଖି ଆଗରେ ସେହିଦିନ ନାଚି ଯାଉଥିଲା ଯେତେବେଳେ ବାପା ତାଙ୍କ ଘର ଗାଆଁକୁ ବାହାରିବା ପାଇଁ ବସ ଧରିବାକୁ ବ୍ୟସ୍ତ ହୋଇ ଚାଲିଯିବା ବେଳେ ନୀତିକୁ ପାଣି ଟିକେ ଆଣିବାକୁ କହିଥିଲେ । ହେଲେ ସେ ପାଣି ନେଇ ଆସିଲା ବେଳକୁ ବାପା ବସରେ ଚଢ଼ି ଯାଇଥିଲେ । ଆଉ ସେମିତି ଶୋଷରେ ସେ ଯାତ୍ରା କରିଥିବା ଦୃଶ୍ୟ ଦେଖି ନୀତି ବହୁତ୍ କାନ୍ଦିଥିଲା । ସେତେବେଳେ ମୋବାଇଲ ନଥିଲା । ବାପା ଗାଆଁରେ ପହଞ୍ଚି ପୋଷ୍ଟ ଅଫିସରୁ ଫୋନ୍ କରି ତା' ସହିତ କଥା ହେବା ପରେ ଯାଇ ସେ ପ୍ରକୃତିସ୍ଥ ହୋଇଥିଲା । ଏମିତି କେତେ ଦିନ,କେତେ ରାତି ତା' ଦେହ ଖରାପ ହେଇଥିବା ସମୟରେ ସେ ଦେଖିଛି ବାପା ପାଣି ମଧ୍ୟ ପିଅନ୍ତିନି ବୋଲି ମା ପାଟି କରେ । ହେଲେ ସେସବୁ କଥା ଡାଇରୀ ଭିତରେ କାହିଁକି ନାହିଁ ତା ଉତ୍ତର ତାକୁ ମିଳୁ ନଥିଲା । 


ବାପାଙ୍କର ଏକ ଅଦ୍ଭୁତ ଅଭ୍ୟାସ ଥାଏ । ନୀତି ଯେ କୌଣସି ପରୀକ୍ଷା ଦେଲେ ମଧ୍ୟ ସେ ନିଜର କାମ ଛାଡ଼ି ଛୁଟି ନେଇ ସେହି ପରୀକ୍ଷା କେନ୍ଦ୍ର ଆଗରେ ଠିଆ ହୋଇଥିବେ । ଛୋଟ ପିଲା ଦିନରୁ ଆରମ୍ଭ କରି ମେଡିକାଲ ଏଣ୍ଟ୍ରାସ ଯାଏଁ ଏମିତି କିଛି ପରୀକ୍ଷା ନାହିଁ ଯେଉଁଥିରେ ସେମିତି ହୋଇନି । ବାପା ଜାଣିଥିଲେ ପରୀକ୍ଷା ଅଧାରୁ ବନ୍ଦ କରି କେବେହେଲେ ସେ ବାହାରକୁ ଆସିବନି । ଆଉ ପରୀକ୍ଷା କେନ୍ଦ୍ରରେ ଥିବା ଶିକ୍ଷକ ମଧ୍ୟ ପରୀକ୍ଷାର୍ଥୀ ମାନଙ୍କ ଆବଶ୍ୟକତା ବୁଝି ସାହାଯ୍ୟ କରିବେ । ତଥାପି ବାପା କାହିଁକି ଏମିତି ପରୀକ୍ଷା ସମୟରେ ଠିଆ ହୋଇ ରହିଥାନ୍ତି ସେ ବିଷୟରେ ସେ ଥରେ ପଚାରିଦେଲା । 


ବାପା ଅଳ୍ପ ହସି ତା' ମୁଣ୍ଡ ଆଉଁସି କହିଲେ…"ତୋର ପ୍ରତ୍ୟେକ ପରୀକ୍ଷା କେବଳ ତୋର ନୁହେଁ …ମୋର ମଧ୍ୟ । ତୁ ପ୍ରତ୍ୟକ୍ଷ ପରୀକ୍ଷା ଦେଉଛୁ ହେଲେ ମୁଁ ମାନସିକ ଭାବରେ ପରୋକ୍ଷ ପରୀକ୍ଷା ଦିଏ ତୋ ସହିତ । ସବୁ ପରୀକ୍ଷାରେ ସଫଳ ହୋଇ ଆମେ ସାଙ୍ଗରେ ଆଗକୁ ବଢିବା । ଆଉ ପରୀକ୍ଷା ଚାଲିଥିବା ସମୟରେ ପରୀକ୍ଷା କେନ୍ଦ୍ର ଛାଡ଼ି କୁଆଡେ ଯିବି କହିଲୁ…?"ନୀତିର ଆଖି ଭରି ଆସିଥିଲା ବାପାଙ୍କ ଉତ୍ତରରେ । ସତରେ ବାପା ମଧ୍ୟ ତା' ସହ ପରୀକ୍ଷା ଦେଉଛନ୍ତି । ସେ ଆହୁରି ସତର୍କ ହୋଇଯାଏ …ତାକୁ ସବୁ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ହେବ…ସଫଳ ହେବାକୁ ହେବ । ବାପାଙ୍କ ପାଇଁ…!!


ସେ ଜାଣିନି ବାପା ତାଙ୍କ ଜୀବନରେ କେତେ କଣ ସହିଥିଲେ…ହେଲେ ସେ ଏତିକି ନିଶ୍ଚୟ ଜାଣିଛି ଯେ ବାପା ତା' ପାଇଁ ଏକ ସୁନ୍ଦର୍ ସ୍ୱପ୍ନ ଦେଖିଥିଲେ ସବୁବେଳେ । ସେଇଥିପାଇଁ ମା ତାକୁ ଘରକାମ କରିବାକୁ କହିଲେ ମଧ୍ୟ ସେ ମନା କରି ଦିଅନ୍ତି । ଆଉ ବଡ ହୋଇ ଡାକ୍ତର ହେବାର ତା ସ୍ୱପ୍ନ ଭିତରେ ସବୁବେଳେ ହଜି ଯାଆନ୍ତି । ବାପା କେବେ ତାକୁ କହି ନଥିଲେ ଯେ ସେ କେମିତି ସଂଘର୍ଷ କରିଛନ୍ତି…!!


ଜେଜେବାପା ଅନ୍ତିମ ନିଃଶ୍ୱାସ ନେବା ସମୟରେ ନିଜର ସମସ୍ତ ସମ୍ପତ୍ତି ତା' କାକାଙ୍କୁ ଦେଇ ଦେଇଥିଲେ କାରଣ ତା' କାକା ଗାଆଁରେ ରହିବାକୁ ରାଜି ହୋଇଥିଲେ । ହେଲେ ନୀତିର ପାଠପଢ଼ାରେ ବ୍ୟାଘାତ ନ ହେଉ କେବଳ ଏହି ଲକ୍ଷ୍ୟରେ ବାପା ଗାଆଁରେ ରହିବାକୁ ମନା କରି ଦେଇଥିଲେ । ଜେଜେବାପା ଆଉ ଜେଜେମାଙ୍କୁ ସହର ଆସି ରହିବାକୁ ବାପା କେତେ ବୁଝାଇଥିଲେ ହେଲେ ସେମାନେ ମାନି ନଥିଲେ । ସେଦିନ ସବୁ ସମ୍ପତ୍ତି ହରେଇ ଦେବା ପରେ ମଧ୍ୟ ବାପା ଟିକେ ହେଲେ ମନ ଦୁଃଖ କଲେନି । ଜେଜେବାପା ଯିବାର ଛ' ମାସ ପରେ ଯେତେବେଳେ କାକା ଜେଜେମାଙ୍କୁ ଆଣି ସହରରେ ଛାଡ଼ିଦେଲେ ଆଉ କହିଗଲେ ଯେ ଗାଆଁରେ ତାଙ୍କ ଦେହପାର ଯତ୍ନ ନେବା କଷ୍ଟ ହେଉଛି…ସେତେବେଳେ ମଧ୍ୟ ବାପା କିଛି କହିଲେନି । ବରଂ ଖୁସି ହେଲେ ନିଜ ମା'ଙ୍କୁ ପାଖରେ ରଖି । ସମ୍ପତ୍ତି କି ଭାଗବଣ୍ଟା କଥା କେବେ ଉଠିଲାନି । ବାପା ସେଦିନ ମଧ୍ୟ କାନ୍ଦି ନଥିଲେ ଯେଉଁଦିନ ଜେଜେମା ଠାକୁର ପୂଜା ସାରି ତୁଳସୀ ଚଉରା ମୂଳରେ ମୁଣ୍ଡିଆ ମାରି ସେହି ଅବସ୍ଥାରେ ଈଶ୍ୱରଙ୍କ ପାଖକୁ ଚାଲିଗଲେ । ବାପା ସେଦିନ ଦୁଃଖ କଲେନି ଯେଉଁଦିନ ତାଙ୍କ ଅଫିସର ତାଙ୍କୁ ତା' ପରୀକ୍ଷା ପାଇଁ ବାରମ୍ବାର ଛୁଟି ନେଲେ ଦରମା କଟିବ କହି ସତକୁ ସତ ଦରମା କାଟି ଦେଇଥିଲେ । ବାପା ସବୁବେଳେ ଶାନ୍ତ ଆଉ ଧୈର୍ଯ୍ୟ ସହିତ ଏକ ଅଭେଦ୍ୟ ଦୁର୍ଗ ପରି ରହୁଥିଲେ । 


ମା' ଅନେକ ସମୟରେ ଦୁଃଖ କରୁଥିଲେ । ଏତେ ସ୍ନେହ ଦେଲେ ଝିଅ ବିଗିଡ଼ିଯିବ କହୁଥିଲେ । ମା ତାକୁ ସ୍ନେହ କରୁ ନଥିଲେ ସେକଥା ନୁହେଁ…ବରଂ ବାପା କିପରି ନୀତି ଚିନ୍ତାରୁ ବାହାରି ଅନ୍ୟ କାମ ଭଲରେ କରି ପାରିବେ ସେଇଥିପାଇଁ ସେ ବୋଧେ ଚେଷ୍ଟା କରୁଥିଲେ । ହେଲେ ବାପାଙ୍କୁ ସେଥିରେ କିଛି ଫରକ୍ ପଡ଼େନି । ସେ ସେଇୟା କରୁଥିଲେ ଯାହା ନୀତି ପାଇଁ ସର୍ବୋତ୍କୃଷ୍ଟ ଥିଲା । ସ୍କୁଲ,କଲେଜ ସବୁଠି ପଢିବା ବେଳେ ବାପା ତା' ପାଇଁ ବହି ଯୋଗାଡ କରିବା ସହିତ ନୋଟସ ଲେଖିବାରେ ସାହାଯ୍ୟ କରୁଥିଲେ ଆଉ ଆଗ୍ରହର ସହିତ ତା ପଢା ରୁମରେ ବସି ତାକୁ ସବୁକାମରେ ସାହାଯ୍ୟ କରୁଥିଲେ । ବାପାଙ୍କର ଏହିସବୁ ସ୍ନେହଭରା ସାହାଯ୍ୟ ଆଉ ଅନାବିଳ ସ୍ନେହ କେଉଁ ଡାଇରୀ ଭିତରେ ଲେଖା ହୋଇ ନଥିଲା ବରଂ ତା ମନର ସିଲଟ ଉପରେ ଯତ୍ନରେ ଲେଖି ହୋଇ ଅଲିଭା ହୋଇ ରହି ଯାଇଥିଲା । 


ନୀତି ମଧ୍ୟ ଜଣେ ଯୋଗ୍ୟ ସନ୍ତାନ ଭାବରେ ତାଙ୍କର ସବୁ ସ୍ୱପ୍ନ ସାକାର କରିବା ଦିଗରେ ସବୁବେଳେ ଯଥାସମ୍ଭବ ଚେଷ୍ଟା କରିଛି । ଏପରିକି ପ୍ରଥମ ପ୍ରଚେଷ୍ଟାରେ ମେଡିକାଲ କଲେଜରେ ସିଟ ମଧ୍ୟ ପାଇ ପାରିଛି । ବାପା ତା' ଭବିଷ୍ୟ ପାଇଁ ଯେତେ ତ୍ୟାଗ କରିଛନ୍ତି…ବଡ ହୋଇ ତାଙ୍କ ମନରେ ସେତେ ଖୁସି ଓ ଗର୍ବ ଭରିଦେଇ ସେ ସେସବୁ ଭୁଲେଇ ଦେବ ବୋଲି ମନରେ ସବୁବେଳେ ଭାବିଛି । 


ମେଡ଼ିକାଲ କଲେଜରେ ଆଡ଼ମିଶନ କରେଇ ଦେଇ ତାକୁ ହଷ୍ଟେଲରେ ଛାଡ଼ି ବାପା ଫେରି ଆସିଲା ବେଳେ ନୀତି ତାଙ୍କ ଆଖିରେ ଦୁଇଟୋପା ଲୁହ ଦେଖି ବିଚଳିତ ହେଲା ବେଳେ ବାପା ବୁଝେଇ ଦେଇଥିଲେ ଯେ ଏହି ଲୁହ ଦୁଃଖର ନୁହେଁ ବରଂ ଖୁସିର ପରିପ୍ରକାଶ ମାତ୍ର । ତାଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଥିବାର ସ୍ୱପ୍ନ ଦେଖିବା ସେ ଆରମ୍ଭ କରି ସାରିଲେଣି । ଏଣୁ ଏବେ ତା' ଠାରୁ ଦୂରକୁ ଯିବାର କଷ୍ଟ ମଧ୍ୟ ସେ ଆନନ୍ଦରେ ସହିଯିବେ । ନୀତିକୁ ବାପା ବୁଝେଇ ଦେଇଥିଲେ ଯେ ସେ ମଧ୍ୟ ସେମାନଙ୍କ ବିଷୟ ଚିନ୍ତା ନକରି ନିଜର ସମସ୍ତ ଧ୍ୟାନ ପାଠପଢ଼ାରେ ଲଗେଇ ଯୋଗ୍ୟ ଡାକ୍ତରଟିଏ ହୋଇ ଦୁନିଆ ସାମ୍ନାକୁ ଆସୁ । ତାଙ୍କ କଥା ଶୁଣି ନୀତି ଆଉ ଦୁଃଖ କରି ନଥିଲା । 


ବାପା ଯିବା ପରେ ନୀତି ନିଜକୁ ପ୍ରସ୍ତୁତ କରି ଦେଇଥିଲା ଭବିଷ୍ୟତ ପାଇଁ । ଧଳା କୋଟ ପିନ୍ଧି ନିଜକୁ ଆଇନା ସାମ୍ନାରେ ଦେଖିଲା ପରେ ତାର ମନେ ପଡି ଯାଇଥିଲା ବହୁତ୍ କିଛି । ସେ ଲୁଚିଲୁଚି ମା ବାପାଙ୍କ କଥା ଶୁଣିଛି । ବାପା କିପରି ନିଜ ପ୍ରୋଭିଡେଣ୍ଟ ଫଣ୍ଡର ସବୁ ଟଙ୍କା ଉଠେଇ ଆଣିଥିଲେ ତା' ମେଡିକାଲ ପଢା ଖର୍ଚ୍ଚ ପାଇଁ ସେକଥା ସେ ଜାଣିଥିଲା । କେବଳ ସେତିକି ନୁହେଁ ବାପା ସହରରେ ଘରଟିଏ କରିବା ପାଇଁ ମଧ୍ୟ ଯେଉଁ ଅର୍ଥ ସଞ୍ଚୟ କରି ରଖିଥିଲେ ସେତିକି ମଧ୍ୟ ତାଙ୍କୁ ଦେବାକୁ ପଡ଼ିଥିଲା ତା ଫିସ୍ ବାନ୍ଧିବା ପାଇଁ । ବାପା କହୁଥିଲେ ତା ଠାରୁ ବଡ ତାଙ୍କର ଆଉ କଣ ସ୍ୱପ୍ନ ଅଛି…?ସିଏ ଯୋଗ୍ୟ ହୋଇ ଡାକ୍ତର ହୋଇଗଲା ପରେ ଆପଣାଛାଏଁ ସବୁ ଠିକ୍ ହୋଇଯିବ । ନୀତି ଯେତେ ଦୁଶ୍ଚିନ୍ତାରେ ଥିଲେ ମଧ୍ୟ ବାପାଙ୍କ ଶାନ୍ତ ଧୈର୍ଯ୍ୟପୂର୍ଣ୍ଣ ମୁହଁଟାକୁ ଦେଖିଦେଲେ ଶତ ସିଂହର ବଳ ପାଇଯାଏ । ତା'ର ସବୁ ଡର ଭୟ କୁଆଡେ ଉଭେଇ ଯାଏ । ଆଜି ସେ ନୂଆ ଦୁନିଆକୁ ସାମ୍ନା କରିବାକୁ ଯାଉଛି । ମା'ର ଆଶା,ବାପାଙ୍କ ସ୍ୱପ୍ନ ସବୁକୁ ସମ୍ବଳ କରି ସେ ତା'ର ପ୍ରଥମ ଲେକ୍ଚରରେ ଯୋଗ ଦେବାକୁ ବାହାରିଲା । 


ସ୍ୱାଗତ ସମ୍ଭାଷଣ ପରେ ସବୁ ଅଧ୍ୟକ୍ଷ ଚାଲି ଯାଇଥିଲେ । ଆଉ ତା' ପରେ କେବଳ ସିନିୟର୍ ଛାତ୍ର ଆଉ ନବାଗତ ଛାତ୍ରମାନେ ହଲ ଭିତରେ ଥିଲେ । 


ନବାଗତ ଛାତ୍ରମାନେ ନିଜ ନିଜ ପରିଚୟ ଦେବା ପରେ ଆରମ୍ଭ ହୋଇଯାଇଥିଲା ଏକ ତଥାକଥିତ ରାଗିଂ…!!


ବିଭିନ୍ନ ପ୍ରକାର ନାଚଗୀତ ସହିତ ଅନେକ ଆମୋଦଦାୟକ ଅଙ୍ଗଭଙ୍ଗୀର ଆୟୋଜନ କରିବାକୁ ହୋଇଥିଲା ସମସ୍ତଙ୍କୁ । ଅନଭିଜ୍ଞ ଛାତ୍ରମାନଙ୍କ ବିବଶତା ଦେଖି ସିନିୟରମାନେ ହସୁ ଥାଆନ୍ତି । ବହୁତ୍ ଖରାପ ଲାଗୁଥାଏ ସମସ୍ତ ଜୁନିଅରଙ୍କୁ…!!ଡାକ୍ତରୀ ପାଠ ପଢିବାକୁ ଆସି ଏସବୁ କରିବାକୁ କାହାକୁ ବା ଭଲ ଲାଗନ୍ତା?କଥା ଖାଲି ସେତିକିରେ ସମାପ୍ତ ହେଲାନି । କଥା ଯାଇ ପହଞ୍ଚିଗଲା ହଷ୍ଟେଲ ରୁମ ଭିତରେ । ବିଭିନ୍ନ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଗଲା ସମସ୍ତଙ୍କୁ । ଅକଥନୀୟ ଥିଲା ସେ ସବୁ ବ୍ୟବହାର । ନୀତି ବା କିପରି ବାଦ୍ ପଡ଼ନ୍ତା?


ତା' ରୁମ ଭିତରେ ତା ସହିତ ରହୁଥିବା ଦୁଇଜଣ ସିନିୟର୍ ମଧ୍ୟ ତା' ସହିତ ଆଉ ଗୋଟିଏ ଜୁନିଅର ରୁମମେଟ୍ ଦ୍ଵାରା ଅନେକ ଅସହ୍ୟ କାମସବୁ କରେଇବାକୁ ଆରମ୍ଭ କଲେ । ପ୍ରଥମେ ପ୍ରଥମେ ସେମାନେ ନ କହିଲା ଯାଏଁ ବସିବାକୁ ମଧ୍ୟ ଅନୁମତି ଦିଆ ଗଲାନି । ସେମାନେ ଖାଇବାକୁ ଗଲା ପରେ ନୀତି ଆଉ ତା ସାଙ୍ଗ ରିମା ଖାଇବାକୁ ଯାଉଥିଲେ । ତା ପରେ ପୁଣି କୁହାଗଲା ସିନିୟର୍ ମାନଂକ ଚୁଟି କୁଣ୍ଡେଇବାକୁ…ପାଦ ଘଷିବାକୁ । ଏପରିକି ସେମାନଙ୍କ ପାଲଟା କପଡ଼ା ଫୋଲ୍ଡ କରି ରଖିବାକୁ କୁହାଗଲା । ଜୁନିଅର ମାନେ ନେଇଥିବା ଖାଦ୍ୟ ପଦାର୍ଥ ସବୁ ସିନିୟରମାନେ ଖାଇଦେଲେ । ସପ୍ତାହକ ଭିତରେ ଜୀବନ ପୁରା ଅସ୍ତବ୍ୟସ୍ତ ହୋଇ ପଡ଼ିଲା । କାହାକୁ କିଛି କହିବାକୁ ଅନୁମତି ଦିଆ ଯାଇ ନଥାଏ । ଯଦି କଥା ବାହାରକୁ ଗଲା ତେବେ ସେମାନେ ଗାଧୋଇବା ସମୟରେ ସିନିଅରମାନେ ଧୋକାରେ ଉଠାଇଥିବା ଆପତ୍ତିଜନକ ଫୋଟସବୁ ଭାଇରାଲ କରି ଦେବାର ଧମକ ମଧ୍ୟ ଦିଆଗଲା । ପୁରା କଲେଜରେ ପ୍ରାୟ ସବୁ ଜୁନିଅର ଏମିତି ଅସମ୍ଭାଳ ପରିସ୍ଥିତିର ସାମ୍ନା କରିବାକୁ ବାଧ୍ୟ ହେଲେ । ସେମାନଙ୍କ ଘରୁ ଟେଲିଫୋନ ଆସିଲେ ମଧ୍ୟ ଜଣେ ସିନିୟର୍ କଥା ହେଲା ବେଳେ ଜଗି ରହିଲେ । ଏସବୁ ଯାହା ହେଲେ ମଧ୍ୟ ଚଳି ହେଇ ଯାଉଥିଲା । ଅନ୍ୟ ଉପାୟ ନଥିବାରୁ ସମସ୍ତେ ସହି ଯାଉଥିଲେ । ହେଲେ ସେଦିନ ଯେତେବେଳେ ସିନିୟର୍ ଝିଅ ଜଣେ ରିମାକୁ ସାନିଟାରୀ ନାପକିନ ହାତରେ ଉଠେଇ ଫୋପାଡ଼ିବାକୁ କହିଲେ ସବୁ ଧୈର୍ଯ୍ୟର ସୀମା ଲଂଘିଗଲା ସେ । ସଫା ସଫା ମନା କରିଦେଲା । କିନ୍ତୁ ସିନିୟର୍ ଜଣକ ତାକୁ ତା ପରେ ଠେଲିଦେଇ ତଳେ ପକେଇ ଦେବାପରେ ସେ ହଠାତ୍ ହାତ ଉଠେଇ ସେହି ସିନିୟର୍ ଜଣଙ୍କୁ ଗୋଟିଏ ଶକ୍ତ ଥାପଡଟିଏ ଲଗେଇ ଦେଲା…!!


କଥା ସେତିକିରେ ସରିଲା ନାହିଁ । ସେହି ସିନିୟର୍ ଛାତ୍ରୀ ଦୁଇଜଣ ପ୍ରଥମେ ନୀତିର ହାତ ଚୌକିରେ ବାନ୍ଧି ତାକୁ ଜବରଦସ୍ତି ବସେଇ ଦେଇ ତା' ସାମ୍ନାରେ ରୀମାକୁ ମାଡିବସି ତାର ସବୁ ଚୁଟି କାଟିଦେଇ ଲଣ୍ଡା କରିଦେଲେ । ବାହାରକୁ କଥା ଆସିଲା ପରେ ରୀମାର ଚୁଟିରେ କ୍ୟାଣ୍ଡେଲ ନିଆଁ ଲାଗିଯାଇଥିଲା ଆଉ ସେସବୁ ପୋଡିଯାଇଥିଲା ବୋଲି ସମସ୍ତଙ୍କ ଆଗରେ ପ୍ରମାଣ କରିଦେଲେ । ରୀମା ସେଦିନ ପଢା ଛାଡ଼ି କାନ୍ଦି କାନ୍ଦି ତା' ଗାଆଁକୁ ପଳେଇ ଯାଇଥିଲା । ନୀତି ସବୁ ସହିଯାଇ ଚୁପ୍ ରହିଲା । କାରଣ ତାକୁ ଯେମିତି ହେଲେ ବାପାଙ୍କ ସ୍ୱପ୍ନ ସାକାର କରିବା ପାଇଁ ଆଗେଇବାର ହିଁ ଥିଲା । 


ରିମା କଲେଜ ଛାଡି ଚାଲିଯିବା ପରେ ରାଗିଂ କଥା ସେତିକିରେ ବନ୍ଦ ହେଲାନି । ତା' କ୍ୟାରିଅର ନଷ୍ଟ ହେଉଥିବା ଅଭିଯୋଗ ଲଗେଇ ସେ ସବୁକଥା ମିଡ଼ିଆ ସାମ୍ନାକୁ ଆଣିଲା । ଦୁଇପକ୍ଷର ଓକିଲ ବହୁତ ଯୁକ୍ତିତର୍କ କଲେ । ସାକ୍ଷ୍ୟ ପ୍ରମାଣ ସବୁ ଦେଲେ । ଆଉ ସେ ସିନିୟର୍ ମାନେ ଦୋଷୀ ସାବ୍ୟସ୍ତ ହେବାପରେ ସେମାନଙ୍କୁ ରଷ୍ଟିକେଟ୍ କରି ଦିଆଗଲା । ସେହି କଲେଜରେ ଏ ପ୍ରକାର ରାଗିଂ ସମ୍ପୂର୍ଣ୍ଣ ନିଷେଧ ଘୋଷଣା ହେଲା । ସବୁ ପିଲା ଆସ୍ଵସ୍ଥ ହେଲେ । 


କିନ୍ତୁ ଏସବୁ କଥା ଭିତରେ କେତେବେଳେ ଯେ ନୀତିର ବାପା କଲେଜ ଯାଇଥିଲେ ଆଉ ତାଙ୍କୁ ଦେଖି ନୀତି କାନ୍ଦି ପକେଇ ତାଙ୍କ ସହ ଘରକୁ ଫେରି ଆସିଯାଇଥିଲl ସେକଥା କୁଆଡେ ଲୁଚିଗଲା । ରିମାର ଘରଲୋକେ କିନ୍ତୁ ତାକୁ ପୁଣି ସେହି କଲେଜରେ ହିଁ ପଢେଇଲେ । କୋର୍ଟ ଅର୍ଡର ଆସିଯାଇ ଥିବାରୁ ଆଉ କିଛି ଅସୁବିଧା ନାହିଁ ବୋଲି ସମସ୍ତେ କହିଲେ । 


କିନ୍ତୁ ନୀତି ଆଉ ସାହସ ଯୁଟେଇ ପାରିଲାନି କି ତାକୁ ପୁଣି ହଷ୍ଟେଲ ଛାଡ଼ିବାକୁ ବାପାଙ୍କ ମନ ମାନିଲାନି । ସେହି ସିନିୟର୍ ନହେଲେ ମଧ୍ୟ ଅନ୍ୟ କେହି କାଳେ ଅସୁବିଧା କରିବେ ଆଉ ନୀତି ଏମିତି କି କାନ୍ଦି ହାରିଯିବ ଭାବି ସେ ରାଜି ହେଲେନି । ବରଂ ପାଖ କଲେଜରେ ପଢେଇବାକୁ ନିଷ୍ପତ୍ତି ନେଲେ । ଡାଇରୀ ଭିତରେ ଏସବୁ ଲେଖା ନଥିଲା । କେବଳ ଲେଖା ଥିଲା କିପରି ବାପା ଦୁଃଖୀ ଥିଲେ ପାଠ ପଢୁଥିବା ପିଲାମାନଙ୍କର ଏମିତି ଅମାନବୀୟ ଆଚରଣ ଦେଖି । ଆଉ ନୀତି ଭାଙ୍ଗି ପଡ଼ିଥିବାର ଦେଖି । ନୀତି ଡାଇରୀ ବନ୍ଦ୍ କରିଦେଲା । ସେ ଡାକ୍ତର ହୋଇ ପାରିବନି ବୋଲି ବାପା ଦୁଃଖୀ ଥିଲେ ସେକଥା ସତ । ବାପାଙ୍କ ସ୍ୱପ୍ନ ଭାଙ୍ଗି ଯାଇଥିଲା । କିନ୍ତୁ ନୀତି ନିଜକୁ ପ୍ରସ୍ତୁତ କରି ପାରୁ ନଥିଲା । ଏଇ କଥା ବି ସତ । ହେଲେ ଗତ ରାତିରେ ବାପା ଆଉ ମା କଥା ହେଲାବେଳେ ସେ ଲୁଚି ଲୁଚି ଯାହା ଶୁଣି ଦେଇଥିଲା…ସେକଥା ମଧ୍ୟ ମିଛ ନୁହଁ । 

ମା କହୁଥିଲା …

"ନୀତିକୁ ଡାକ୍ତର ଭାବେ ଦେଖିବା ସ୍ଵପ୍ନ ପାଇଁ ତମେ ଯେତେ ତ୍ୟାଗ କରିଛ ସେକଥା କେମିତି ଭୁଲି ହେବ? ଘରଟିଏ କରିବା ସ୍ୱପ୍ନକୁ ମଧ୍ୟ ପଛକୁ ପକେଇ ଦେଇଛ… । ଖାଲି ତମ ସ୍ୱପ୍ନ ନୁହଁ ସିଏ ମଧ୍ୟ କେତେ ପରିଶ୍ରମ କରିଛି କହିଲ…!!ତା ଛଡା ଏବେ ସେ ଆଗକୁ କଣ କରିବ ସେକଥା କିଛି ଭାବିଛ?


ବାପା…"ଦେଖାଯାଉ କଣ ହେଉଛି । କିନ୍ତୁ ଏବେ ଆଉ କିଛି ଉପାୟ ବି ତ ନାହିଁ । ନୀତି ସେମିତିକା ପରିବେଶରେ ପାଠ କେମିତି ପଢ଼ିବ? ମନ ପ୍ରଫୁଲ୍ଲ ନ ରହିଲେ ପାଠ ପଢ଼ିହେବ କି? ଆଗକୁ କଣ ପଢ଼ିବ ନ ପଢ଼ିବ ସେକଥା ବଡ ନୁହେଁ । ହେଲେ ମୋ ଡର ଅଲଗା ପ୍ରକାର । ଆଜି ସାମାନ୍ୟ ରାଗିଙ୍ଗର ସାମ୍ନା କରିପାରିଲାନି ନୀତି । କାଲି ଆହୁରି ଅନ୍ୟାନ୍ୟ ଚ୍ୟାଲେଞ୍ଜ ଆସିବ । ସେତେବେଳେ ବି କଣ ଏମିତି ତା ରାସ୍ତା ବଦଳେଇ ଦେବାକୁ ହେବ? ଆଉ ଏମିତି ଡରୁଆ ହେଲେ କି ପଳାତକ ହେଲେ ସେ କେତେ ବାଟ ଆଗେଇ ପାରିବ?"


ନୀତି ଚୁପଚାପ୍ ରୁମକୁ ଆସିଗଲା । ବାପା ତାଙ୍କ ସ୍ୱପ୍ନ ଭାଙ୍ଗିବା ଅପେକ୍ଷା ତା' ହାରିଯିବାକୁ ନେଇ ଏତେ ବ୍ୟସ୍ତ ଅଛନ୍ତି? ସତକଥା ତ…!!ସେ ଆଜି ସିନା ଛାଡିକି ଚାଲି ଆସିଲା ହେଲେ ପରିସ୍ଥିତିଠାରୁ ଲୁଚି ଦୌଡିବା କଣ ସବୁବେଳେ ସମ୍ଭବ?ବାପା ତାଙ୍କ ସବୁ ସ୍ଵପ୍ନ ଆଉ ତ୍ୟାଗକୁ ପଛରେ ପକେଇ ତାକୁ ସାଙ୍ଗରେ ନେଇ ଚାଲି ଆସିଲେ । ହେଲେ ସେ କଣ ସେହି ପରିବେଶ ସହିତ ଖାପ ଖୁଏଇ ଚଳିଯାଇ ତାଙ୍କ ସ୍ୱପ୍ନ ସାକାର କରି ପାରି ନଥାନ୍ତା? ପାଠପଢା କଥା ନୁହେଁ ବରଂ ଏଇଟା ଜୀବନ ଚଳେଇବା କଥା । ରିମା ତ ଫେରେ ଶକ୍ତି ସଞ୍ଚୟ କରି ପାରିଲା ସେହି ପ୍ରତିକୂଳ ପରିବେଶରେ ଆଗକୁ ବଢିବା ପାଇଁ? ତେବେ ସେ କାହିଁକି ନୁହେଁ? 


ଏକ ଅଲଗା ପ୍ରକାର ଅନୁଭବ ହେଉଥିଲା ନୀତିକୁ । ସେ ନିଶ୍ଚୟ ଆଗକୁ ବଢିବ । ଏଥର ଆଉ ହାର ମାନିବନି । 


ରାତି ପାହିବା ପରେ ସେ ପ୍ରଥମେ ବାପାଙ୍କ ପାଖକୁ ଗଲା । ବାପା ଅଗଣାରେ ଚେୟାର ଉପରେ ବସି ରହିଥିଲେ । ବୋଧେ ରାତିରେ ସେ ଆଉ ଶୋଇ ନଥିଲେ । ନୀତିକୁ ଦେଖି ସେ ଅଳ୍ପ ହସିଦେଲେ । ନୀତି ଆଣ୍ଠୁମାଡ଼ି ତାଙ୍କ ଚେୟାର ପାଖରେ ବସି ନିଜ ହାତରେ ଧରିଥିବା ତାଙ୍କ ଡାଇରୀକୁ ବଢ଼େଇ ଦେଇ କହିଲା…


"ଏଇଠି ଲେଖିଦିଅ ବାପା…ଯେ ତୁମ ଝିଅ ଡରୁଆ ନୁହେଁ । ସେ ମଧ୍ୟ ସବୁ ଚାଲେଞ୍ଜକୁ ସାମ୍ନା କରିବାକୁ ପୁରା ତୟାର୍ ଅଛି । "


ବାପା ଅବୁଝା ହୋଇ ଦେଖିବାରୁ ସେ କହିଲା…

"ମୁଁ ପୁଣି ସେଇ ହଷ୍ଟେଲକୁ ଯିବି ବାପା । ମେଡିକାଲ କଲେଜରେ ହିଁ ପଢିବି । ଏମିତି ଡରିଯାଇ ପଛକୁ ଫେରି ଆସିବିନି । ତମେ ମୋତେ ନେଇ ଛାଡ଼ିଦେଇ ଆସ । "


ବାପା…"ଦରକାର୍ ନାହିଁରେ ମା…ଏଇଠି ପଢ଼ାପଢ଼ି କର । ତୋ'ର ମନ ଲାଗିବନି ସେଇଠି…"


ନୀତି…"ବାପା…ମୋ ମନ ମୁଁ ପାଠପଢାରେ ଲଗେଇବି । କଲେଜରେ ନୁହଁ କି ସାଙ୍ଗସାଥିରେ ନୁହେଁ । ମୁଁ ଜାଣି ସାରିଛି । ତମେ ମୋ କ୍ୟାରିଅର ପାଇଁ ନୁହଁ ବରଂ ମୋ ପାଇଁ ଚିନ୍ତିତ । ଆଉ ଏଇଟା ଗୋଟିଏ ସୁଯୋଗ ବାପା । ମୋ ଡରକୁ ହରେଇବା ପାଇଁ । ମୋ ଉପରେ ଭରସା ରଖ ପ୍ଲିଜ୍ । "


ବାପା ତଥାପି ମାନୁନଥିଲେ । ନୀତିର ଖୁସି ଆଉ ସନ୍ତୋଷ ହିଁ ତାଙ୍କ ପାଇଁ ସବୁଠୁ ବଡ ବୋଲି କହୁଥିଲେ । ଏ ଭିତରେ ମା ଆସି ସବୁ ଶୁଣି କହିଲେ…


"ଦେଖ…ତାକୁ ଯିବାକୁ ଦିଅ । ସେ ତମ ଝିଅ । ଏମିତି ଛୋଟ ଛୋଟ ଜିନିଷରେ ହାରି ପାରିବନି । ତଥାପି ଯଦି ସେଇଠି ତାର ପୁଣି କିଛି ଅସୁବିଧା ହୁଏ ତେବେ ତାକୁ ନେଇ ଆସିଯିବ । ଆଉ କେବେ ଛାଡ଼ିବନି…ନା କଣ କହୁଛୁ ନୀତି?"


ମା'ଙ୍କ କଥା ଶୁଣି ନୀତି ହଁ ଭରିଲା । ବାପା ମଧ୍ୟ ଏଥର ରାଜି ହୋଇଗଲେ । ତା ପରେ ନୀତି ଗେହ୍ଲେଇ ହୋଇ ଡାଇରୀକୁ ବଢ଼େଇ ଦେଲା । 


ବାପା ତା ଆଗରେ ହିଁ ଡାଇରୀରେ ଲେଖିଲେ…

"ଆଜି ମୁଁ ଗର୍ବିତ ମୋ ଝିଅ ପାଇଁ । ତା' ଛୋଟ ଛୋଟ ପାଦରେ ସେ ଦୁନିଆକୁ ସାମ୍ନା କରିବାକୁ ବାହାରିଛି । ସେ ନିଶ୍ଚୟ ସଫଳ ହେବ । ଆଉ ସେ ସଫଳ ହେବା ଯାଏଁ ମୁଁ ତା ପାଖରେ ସବୁବେଳେ ତା' ଶକ୍ତି ହୋଇ ରହିବି…"


ବିଜୟିନୀ ପରି ହସୁଥିଲା ନୀତି ହଷ୍ଟେଲ ଭିତରକୁ ପଶିବା ସମୟରେ । ଆଉ ତାକୁ ଜମାରୁ ଭୟ ଲାଗୁ ନଥିଲା । ସେ ଜାଣିଥିଲା ତା ବାପା ତା ସହିତ ଅଛନ୍ତି । ତାକୁ ଜିତିବାକୁ ହିଁ ହେବ । ହଷ୍ଟେଲ ଭିତରୁ ରିମା ତାକୁ ପାଛୋଟି ନେବାକୁ ଆସୁଥିଲା । ଆଉ ବାପା ଗେଟ୍ ପାଖରେ ରହି ହସି ହସି ହାତ ହଲେଇ ତାକୁ ଆଶୀର୍ବାଦ ଦେଉଥିଲେ । ନୀତି ମଧ୍ୟ ଖୁସିରେ ହାତ ହଲେଇ ହଷ୍ଟେଲ ଭିତରକୁ ଆନନ୍ଦରେ ଆଗେଇ ଗଲା । ଦୁହିଁଙ୍କ ଆଖି ଖୁସିରେ ଓଦା ହୋଇ ଯାଇଥିଲା...!!


(ଆରମ୍ଭ ହେଲା ବାପାଙ୍କ ଯୋଗ୍ୟ ସନ୍ତାନ ହେବାର ସୁନ୍ଦର୍ ଯାତ୍ରା)


ସମାପ୍ତ



Rate this content
Log in

Similar oriya story from Inspirational