Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Banasmita Panda

Tragedy Inspirational Others


2  

Banasmita Panda

Tragedy Inspirational Others


ବାପା

ବାପା

5 mins 2.7K 5 mins 2.7K

ପାରିବାରିକ ଜୀବନରେ ଅନେକ ସମସ୍ୟା ଥାଏ ! ତା ଉପରେ ପ୍ରତି ମାସ ଅନ୍ୟାନ୍ୟ ଖର୍ଚ୍ଚ ଗୋଟେ ପୁରୁଷକୁ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ କରାଏ !ଏହା ନା ସେ କାହାକୁ କହିପାରେ ନା ନିଜକୁ ଦାୟିତ୍ୱରୁ ଓହରାଇ ପାରେ ! ଯିଏ ପରିବାର ଗଢି ଥାଏ ତାର ବୋଧେ ଏ ଦୈନନ୍ଦିନ ଜୀବନୀର ପ୍ରାୟେ ଏକ ଅଂଶ !ନିଜେ ଅକ୍ଲାନ୍ତ ପରିଶ୍ରମ କରେ ଏବଂ ନିଜ ପରିବାର କୁ ଏକ ସୁଖପ୍ରଦ ଜୀବନ ପ୍ରଦାନ କରେ ! ପ୍ରତିଟି ପାହାଚରେ ତା ଜୀବନ ସାଥୀ ଏବଂ ପିଲାଛୁଆ ମାନଙ୍କର ଛାଇ ପରି ଛିଡା ହୋଇ ପ୍ରତିଟି ବାଧା ବିଘ୍ନ କୁ ସାମ୍ନା କରେ ! ଗୋଟେ ଭଲ ଭବିଷ୍ୟତ ନିଜ ପାଇଁ କେବେ କାମନା ନ କରି ସର୍ବଦା ତା ପିଲା ମାନଙ୍କ ଉଚ୍ଚ ଭବିଷ୍ୟତର ଅଭିଳାଷ ରଖେ ! ମୁଣ୍ଡ ଝାଳ ତୁଣ୍ଡରେ ମାରି ଆଗ ପରିବାରର ଭୋକକୁ ଦେଖେ !ସର୍ବଦା ପିଲାଙ୍କୁ ଗୋଟେ ଉଚିତ ଏବଂ ଆଦର୍ଶମୟ ରାସ୍ତାରେ ନେବାକୁ ତାର ମୂଳ ପ୍ରୟାସ ଥାଏ ! ଏହିପରି ଅନେକ ବଳିଦାନର ଅଧିକାରୀକୁ ଆମେ "ବାପା " ନାମରେ ପରିଚୟ ପାଉ ! ଯିଏ ବୋଧେ ମରିବା ଯାଏ ଖାଲି ଦେବା ଜାଣେ ! ଆଉ ଆମେ ପିଲାମାନେ ଖାଲି ନେବା !         ଏ କାହାଣୀ ଟି ମୋର ! ମୁଁ ସୌଭାଗ୍ୟ ! ବାପା, ବୋଉ ଭାରି ଆଦରରେ ଏ ନାଁ ମୋର ରଖିଥିଲେ, ସତରେ ଭି ମୁଁ ଭାରୀ ସୌଭାଗ୍ୟବାନ ଥିଲି ! ବାପା, ବୋଉଙ୍କ ସ୍ନେହ ଏତେ ଥିଲା ଯେ ସାଙ୍ଗ ସାଥୀ ସବୁବେଳେ ଏହି କଥା କହି ହସନ୍ତି ! ମୋତେ ଭି ସତରେ କାହିଁ କେଜାଣି ଭାରି ଗର୍ବ ଅନୁଭବ ହୁଏ ! ଛାଡ ସେ କଥା ମୂଳ କଥା କୁ ଆସିବା ! ସ୍ତ୍ରୀ, ପିଲା ଦୁଇଟି ଏବଂ ବାପା, ବୋଉକୁ ଧରି ଗାଁ ରେ ରୁହେ ! ଗୋଟାଏ ପୁଅ ବୋଲି ବାପା, ବୋଉ ଭାରୀ ଗେହ୍ଲା କରନ୍ତି ! ସେ ଭଲ ପାଇବାର ଫାଇଦା ଉଠାଇ ବେଶୀ ପାଠ ସାଠ ହେଲାନି ! ଚାଷ ଜମି କିଛି ଥିଲେ ଭି ତାର ଜ୍ଞାନ ଶୁନ୍ୟ ! ଶେଷରେ ବିଭାଘର ବୟସ ହେଲା ପୁଅ କଣ କରୁଛି କାଳେ ଝିଅ ଘର ପଚାରିବେ ବାପା ମୋତେ କିଛି ଜମି ବିକି ଗୋଟେ ଛୋଟ ତେଜରାତି ଦୋକାନ କରାଇଦେଲେ ! କାରଣ ସେ ଭଲରୂପେ ଜାଣିଥିଲେ ମୁଁ କୌଣସି କଷ୍ଟ କାମକୁ ପାରିବିନି ! ପାଖ ଗାଁ ରେ ନିର୍ମଳା ସହ ମୋର ବାହାଘର ହୋଇଗଲା !            ନିର୍ମଳା ଆସିଲା ପରେ ମୋ ଜୀବନରେ ଅନେକ ପରିବର୍ତ୍ତନ ଆସିଲା ! ନିର୍ମଳା ଭାରୀ ଉଚ୍ଚ ଆକାଂକ୍ଷା ଯୁକ୍ତ ଝିଅ ଥିଲା ! ତାକୁ ମୋର ଗାଁ ରେ ରହିବା ପସନ୍ଦ ନ ଥିଲା ! ସେ ମୋତେ ସବୁବେଳେ ସହରରେ କିଛି ଭଲ ବ୍ୟବସାୟ କରିବା ଲାଗି ପରାମର୍ଶ ଦେଉଥିଲା ! କଣ କରିବି ସ୍ତ୍ରୀ ଇଚ୍ଛା ପୂରଣ ନ ହେବାରୁ ସେ ଭି ମୋ ଉପରେ ସବୁବେଳେ ରାଗିକରି ରହୁଥିଲା ! ୟା ଭିତରେ ଦେଖୁ ଦେଖୁ ବିଭାଘର ଚାରି ବର୍ଷ ହୋଇଯାଇଥିଲା ! ବାପାଙ୍କ ଦେହ ମଧ୍ୟ୍ୟ ଆଗ ପରି ସୁସ୍ଥ ରହୁ ନଥିଲା ! ଦିନକୁ ଦିନ ତାଙ୍କ ଅସୁସ୍ଥତା ବଢ଼ି ଚାଲି ଥାଏ, ମୋର ଭି ଦୋକାନ ସେତେଟା ଭଲ ଚାଲୁ ନ ଥାଏ ! କଣ କରିବି, ନ କରିବି କିଛି ଭାବି ପାରୁ ନ ଥାଏ ! ନିର୍ମଳା ଏବଂ ମୋ ଭିତରେ ଦିନକୁ ଦିନ ଅଶାନ୍ତି ବଢ଼ି ଚାଲିଥାଏ ! ଡର ଖାଲି ବାପାଙ୍କର ଥାଏ ସେ ଆମ ଉଦ୍ଦେଶ୍ୟ ଜାଣି ନ ପlରନ୍ତୁ ! ସେଇଆ ହେଲା ଭି ଦିନେ ନିର୍ମଳା ଏବଂ ମୋର ଝଗଡା ଟିକେ ବଡ଼ ରୂପ ନେଲା ଏବଂ ବାପା, ବୋଉକୁ ସବୁ ଜଣା ପଡିଗଲା !      ଘଟଣାର ଦୁଇ ଦିନ ପରେ ବାପା ମୋତେ ବିଲ ଆଡେ ଡାକିଲେ ଏବଂ ସହର ଯାଇ ବ୍ୟବସାୟ କରିବାକୁ କହିଲେ ଏବଂ କିଛି ପଇସା ମଧ୍ୟ୍ୟ ଯୋଗାଡ଼ କରି ଦେଲେ ! ସେ ନିର୍ମଳାର ବିଚାରକୁ ସମ୍ମାନ ଦେଇ ଏ ସବୁ କରିଥିଲେ ! କିଛି ଦିନ ଭିତରେ ମୁଁ ମୋ ତେଜରାତି ଦୋକାନ ବିକି ଯାହା ପଇସା ହେଲା ସ୍ତ୍ରୀ, ପିଲାଛୁଆଙ୍କ ସହ ସହର ଅଭିମୁଖେ ବାହାରିଗଲି ! ବାପା, ବୋଉ ମଧ୍ୟ୍ୟ ମୋର ଉଜ୍ୱଳ ଭବିଷ୍ୟତ କାମନା କରି ଆମ ସମସ୍ତଙ୍କୁ ବିଦା କଲେ !    କିଛି ସମୟର ଅକ୍ଲାନ୍ତ ପରିଶ୍ରମ କଲା ପରେ ଧୀରେ ଧୀରେ ସହରରେ ମୋ ଛୋଟ ବ୍ୟବସାୟଟି ଚାଲିବାକୁ ଲାଗିଲା ! ଆମେ ସମସ୍ତେ ଖୁସିରେ ଥିଲୁ ! ନିର୍ମଳାର ଆଶା ପୁରା ହୋଉଥିଲା ! ୟା ଭିତରେ ବାପା, ବୋଉ କେମିତି ଅଛନ୍ତି ବୋଧେ ଜାଣିବା ଲାଗି କେବେ ସମୟ ହୋଇ ପାରୁ ନଥିଲା ! ସତ କହିବାକୁ ଗଲେ ନିର୍ମଳା ଡରରେ ଏବଂ ଗୋଟେ ସୁଖୀ ପରିବାର ଲୋଭରେ ମୁଁ ସେମାନଙ୍କୁ କେବେ ଖୋଜିବାକୁ ଚେଷ୍ଟା କରି ନ ଥିଲି ! ଏହା ଭିତରେ ଅନେକ ବନ୍ଧୁ ଏବଂ ଶାଶୁ, ଶଶୁର ଘର ମୋର ଅତି ଆପଣର ହୋଇ ସାରିଥିଲେ ! ପ୍ରତି ମାସରେ ଅଯଥା ଖର୍ଚ୍ଚ ମଧ୍ୟ୍ୟ ବଢ଼ି ଚାଲିଥାଏ ! ନିର୍ମଳାକୁ କିଛି କହିଲେ ସେ ମୋ ପରିବାର ବିଷୟରେ ଇଆଡୁ ସିଆଡୁ କହିବା ଆରମ୍ଭ କରିଦେଉଥିଲା ! ଯାହା ଦ୍ୱାରା ମୁଁ ଚୁପ ହୋଇ ଯାଉଥିଲି ! ଯାହା ମଝିରେ ମଝିରେ ବାପା ବୋଉ ନିଜ ତରଫରୁ ଫୋନ କଲେ ଟିକେ ଅଧେ କଥା ହେଉଥିଲି ! କାଳେ ବାପାଙ୍କ ଦେହ ଲାଗି କିଛି ପଇସା ପତ୍ର ମାଗିବେ ନିର୍ମଳା ତାଙ୍କ ଫୋନକୁ ସବୁବେଳେ ଏଡାଇ ଦେଉଥିଲା ! ମନରେ କୋଉ କୋଣରେ ଏ ସବୁ ଭଲ ନ ଲାଗିଲେ ଭି ପରିବାର ସୁଖ ଲାଗି ଚୁପ ରହିବାକୁ ପଡ଼ୁଥିଲା !      ଦୁଃଖ ଜୀବନର ପ୍ରକୃତ ବନ୍ଧୁ ଏ ଜାଣି ମଧ୍ୟ୍ୟ ମୁଁ ସୁଖ ପଛରେ ଦୌଡୁଥିଲି ! ସେ ସମୟ ଭି ଆସିଲା, ବେପାରରେ ମୋତେ ଘାଟl ହେଲା ! କଣ କରିବି କିଛି ମୁଣ୍ଡରେ ପଶୁ ନ ଥିଲା ! ଏପଟେ ପରିବାର ଖର୍ଚ୍ଚ ବଢ଼ି ଚାଲିଥିଲା ! ପିଲାଙ୍କ ସ୍କୁଲ ଦରମା, ଘର ଭଡା, ଘର ଖର୍ଚ୍ଚ, ବ୍ୟବସାୟରେ ଲଗାଇ ଥିବା ଲୋନ ସୁଧ ବଢ଼ିବାରେ ଲାଗୁ ଥାଏ ! ଏ ସବୁ ଭିତରେ ମୁଁ ମୋର ସବୁ ବନ୍ଧୁ, ଶଶୁରଘର ସମସ୍ତଙ୍କୁ ସାହାଯ୍ୟ ମାଗି ସାରିଥାଏ, ସେମାନେ ସମସ୍ତେ କିଛି ନା କିଛି ବାହାନା କରି ମନା କରିଦେଲେ ! କଣ କରିବି ନ କରିବି କିଛି ମୁଣ୍ଡରେ ପଶିବା ତ ଦୂରର କଥା ମୁଁ ଧୀରେ ଧୀରେ ବୁଦ୍ଧିଶୂନ୍ୟ ହେଉଥାଏ !    ହଠାତ ଦିନେ ସକାଳୁ ସକାଳୁ ବାପା ଆସି ପହଁଚିଲେ ! ତାଙ୍କୁ ଦେଖି ମୋ ମନ ବହୁତ ଖୁସିରେ ଅଧୀର ହେଇ ଉଠୁଥାଏ କିନ୍ତୁ ଡର ମୋତେ ଏ ଭି ଲାଗୁ ଥାଏ ଏ ଅଭାବ ଭିତରେ ଯଦି ବାପା କିଛି ପଇସା ପତ୍ର ମାଗିବେ ମୁଁ କଣ କରିବି, ନିଜ ପରିବାର ପାଳିବା ବର୍ତମାନ ମୋ ଲାଗି ଅସମ୍ଭବ ତାଙ୍କ କଥା କୋଉଠୁ ବୁଝିବି ! ସେପଟେ ନିର୍ମଳା ବାପାଙ୍କୁ ଦେଖି ମୋ ଆଡେ କଟାକ୍ଷ ନଜରରେ ଦେଖୁଥାଏ ! ବାପାଙ୍କୁ କିଛି କହିବାର ମୋ ସାହସ ହେଉନଥାଏ ! କଣ ଭି କହିଥାନ୍ତି ଏହି ଭବିଷ୍ୟତ ଗଢିବାକୁ ଗାଁ ରୁ ଆସିଥିଲି ! ନିଜକୁ ଲଜ୍ୟା ଅନୁଭବ ହେଉଥାଏ ଏତେ ରୋଜଗାର କଲି କିନ୍ତୁ ବାପା, ବୋଉକୁ ଦିନେ ଟିକେ ସୁଖ ଦେଇ ପାରିଲିନି !      ଜଳଖିଆ ଖାଇ ସରିଲା ପରେ ବାପା ଡାକିଲେ ଆରେ ବାବୁ ଶୁଣୁ ! ମୁଁ କିଛି ଉତ୍ତର ନ ଦେଇ ବାପାଙ୍କ ପାଖରେ ଯାଇ ବସିପଡିଲି ! ବାପା କହିଲେ ଗାଁରେ ଅନେକ କାମ, ମୋତେ ଆଜି ସନ୍ଧ୍ୟା ବେଳ ଗାଡ଼ିରେ ଫେରିବାକୁ ପଡିବ, ତୁ ତିନି ମାସ ହେଲାଣି କିଛି ଫୋନ କଲୁନି, ତୋ ବୋଉ ମୋତେ ରଖାଇ ଦେଲାନି ! କଣ ହୋଇଛି ଆଗ ଦେଖିକି ଆସ ! ମୋ ପୁଅ, ବୋହୂ କିଛି ଅସୁବିଧାରେ ନାହାନ୍ତି ତ? ମୁଁ କହିଲି ସବୁ ଠିକଥିବ, ସେ କଣ ମୋ କଥା ବୁଝେ ! ମା ମନ ତ..... କିନ୍ତୁ ମୁଁ ଜାଣିଛି ତୁ ସେବେ ଏମିତି କରୁ ଯେବେ ତୋ ପାଖରେ ପଇସା ପତ୍ର ନ ଥାଏ ! ଏହା କହି ବାପା ସାର୍ଟ ପକେଟ ଭିତରୁ ତିରିଶ ହଜାର ଟଙ୍କା ଗଣି ଗଣି ମୋ ହାତରେ ଗେଞ୍ଜି ଦେଲେ !  କହିଲେ ଏ ବର୍ଷ ଧାନ ଭଲ ଫସଲ ହୋଇଥିଲା, କିଛି ପଇସା ମିଳିଥିଲା ! ମୁଁ ବାପାଙ୍କ ଠାରୁ ପଇସା ନେବାରେ ସଂକୋଚ ଅନୁଭବ କରୁଥିଲି, ବାପା ମୋ କାନ୍ଧ ଉପରେ ହାତ ଥାପୁଡ଼େଇ କହିଲେ ଆରେ ବାପା ଠୁ କି ଲାଜ....... ତୋର ମନେ ଅଛି ଛୋଟବେଳେ ତୁ ସ୍କୁଲ ଗଲାବେଳେ ନିତି ମୁଁ ତୋ ହାତରେ ଏମିତି ଆଠେଣି ଗୋଟେ ଦିଏ......କହି ଜୋରେ ହାଃ ହାଃ ହାଃ କରି ହସିଲେ, ମୁଁ ମଧ୍ୟ୍ୟ ତାଙ୍କ ସହ ହସିଦେଲି !     କିନ୍ତୁ ମୋ ମନର ଅବସ୍ଥା ମୁଁ ହିଁ ବୁଝି ପାରୁଥିଲି ! କଣ କହିବି ବାପାଙ୍କୁ? ବୋଧେ ମୁଁ ତାଙ୍କୁ କେବେ ବୁଝି ପାରିନ ଥିଲି କିନ୍ତୁ ସେ ସତରେ ମୋତେ କେତେ ଭଲ ଭାବରେ ଜାଣିଥିଲେ, ମୋର ପ୍ରତ୍ୟେକଟି ଦୁଃଖ, ସୁଖକୁ ବୁଝି ସାରିଥିଲେ ! ମୁଁ ମଧ୍ୟ୍ୟ ଗୋଟେ ବାପା ହୋଇ ସାରିଥିଲି କିନ୍ତୁ ବାପା ହେବାର ସଂଜ୍ଞା ସେଇଦିନ ବୁଝି ପାରୁଥିଲି, ସତରେ ଯେତେବେଳେ ସମସ୍ତେ ମୋ ଦୁଃଖରେ ମୁହଁ ବୁଲାଇ ସାରିଥିଲେ ସେଇଠି ବାପା ଛିଡା ହୋଇଥିଲେ ସେ ବୃଦ୍ଧ ବୟସରେ ମଧ୍ୟ୍ୟ, ବୋଧେ ସେଥିପାଇଁ ଲୋକେ କୁହନ୍ତି ବାପା ଥିବା ପୁଅ ସଭାରେ ହlରେନି ! ବାପାର ସେ ବିଶାଳ ହୃଦୟକୁ ମୁଁ ଅନୁଭବ କରି ପାରୁଥିଲି !          ହାତ ମୁଠାରେ ପଇସା ତକ ଥାଏ କିନ୍ତୁ ଫରକ ଏତିକି ଥାଏ ଛୋଟବେଳେ ସେ ଆଠେଣି ନେଲାବେଳେ ବାପାଙ୍କ ଆଖିରେ ଆଖି ଯେମିତି ମିଳାଇ ପାରୁଥିଲି ଆଜି ଲଜ୍ୟାରେ ସେ ନଇଁ ପଡିଥିଲେ ! 


Rate this content
Log in

More oriya story from Banasmita Panda

Similar oriya story from Tragedy