STORYMIRROR

Pravanjan Dash

Tragedy Classics Inspirational

3  

Pravanjan Dash

Tragedy Classics Inspirational

ବାହାଘର

ବାହାଘର

2 mins
156

ସେଦିନ ପ୍ରତିଭା ମୁହଁରୁ ହସ ଯେମିତି ସବୁଦିନ ପାଇଁ ଲିଭିଯାଇଥିଲା। ତା’ର ସ୍ବପ୍ନ ଯେମିତି ଭାଙ୍ଗି ଚୁରମାର୍ ହୋଇଯାଇଥିଲା। ସେ ଦୌଡ଼ିଗଲା ତା’ ବେଡ଼ରୁମ୍କୁ। କବାଟ ବନ୍ଦ କରିଦେଇ ବିଚାରି ବହୁତ କାନ୍ଦିଲା। ହେଲେ ଭୁଲ୍ ତ ତା’ର ନୁହେଁ, ସେ ନିରୁପାୟ। ଶ୍ୟାମସୁନ୍ଦର ବାବୁଙ୍କର ଦୁଇଟି ଝିଅ ପ୍ରତିଭା ଓ ପ୍ରଣତୀ। ସାନଝିଅ ପ୍ରଣତୀ କେବେଠୁ ବାହାହେଇ ଦୁଇଟି ଛୁଆର ମାଆ ହୋଇସାରିଲାଣି। ହେଲେ ବଡ଼ଝିଅ ପ୍ରତିଭା ଆଜିବି ଅବିବାହିତା। ବଡ଼ ନାତୁଣୀ ବାହାଘର ଦେଖିବ ଆଶାରେ ଅପେକ୍ଷା କରି ଶ୍ୟାମ ବାବୁଙ୍କ ମାଆ ଆରପାରିକୁ ଚାଲିଗଲେ। ଏମିତିରେ ବି ଶ୍ୟାମ ବାବୁଙ୍କ ଚାକିରୀ ଜୀବନ ସରି ଆସିଲାଣି ହେଲେ କୋଉଠିବି ପ୍ରସ୍ତାବଟା ଠିକ୍ ହୋଇପାରୁନି। ବହୁତ ପୁଅଘର ଆସି ଫେରି ଗଲେଣି। ସମସ୍ତର ସେହି ଗୋଟିଏ କଥା, “ସବୁ ଭଲ ଯେ, ହେଲେ ଝିଅର ବର୍ଣ୍ଣ କମ୍”। ପ୍ରତିଭା କାଳି ନହେଲେ ବି ଅପେକ୍ଷାକୃତ କମ୍ ବର୍ଣ୍ଣର। ପିଲବେଳେ ସ୍କୁଲରେ ହେଉ କି କଲେଜର କି ସେ ଚାକିରୀ ଜୀବନରେ ପ୍ରତିଭା ସବୁଠି ନିଜ ଶରୀରର ରଙ୍ଗକୁ ନେଇ ସବୁବେଳେ ଘୃଣିତ ଓ ଅପଦସ୍ଥ। କିଏ ମୁହଁରେ କହି ଆଘାତ ଦିଏ ତ ଆଉ କିଏ ପଛରେ କହି କଷ୍ଟ ଦିଏ। ହେଲେ ସିଏ ବା କଣ କରିପାରିବ? ନିଜର ବର୍ଣ୍ଣ କଣ ନିଜ ହାତରେ ଅଛି ନାଁ କଣ? ଶରୀରତ ଭଗବାନଙ୍କ ସୃଷ୍ଟି। ବେଳେବେଳେ ଅନ୍ୟମାନଙ୍କର ପରିହାସ ପ୍ରତିଭାକୁ ଭାରି ବାଧେ। ସେ ବଡ଼ ଠାକୁର କାଳିଆ ସାଆନ୍ତେକୁ ସବୁ ଜଣାଏ। ଅଭିମାନରେ କହେ, “ତମେ ଏତେ କଳା ହୋଇ ସମସ୍ତଙ୍କ ପ୍ରିୟ ହେଲେ ମୁଁ ଶ୍ୟାମଳ ବର୍ଣ୍ଣା ହୋଇ ଏତେ ଘୃଣିତ କାହିଁକି?” ଠାକୁର ସବୁ ଶୁଣନ୍ତି ହେଲେ ସେ ତ ସବୁବେଳେ ନୀରବ। ପ୍ରତିଭାର ନାଁ ଯେମିତି ତା’ ଗୁଣ ବି ସେମିତି। ସେ ଜଣେ ମେଧାବୀ, ଭଲ ଗାୟିକା ଆଉ ତା’ ସହିତ ସରକାରୀ ଚାକିରୀଆ ମଧ୍ୟ। ଘରକାମ, ପିଠାପଣା ସବୁଥିରେ ସେ ଖୁବ୍ ଧୁରନ୍ଧର। ତଥାପି ତା’ର ବର୍ଣ୍ଣକୁ ନେଇ ଏ ସମାଜରେ ସେ ଅବହେଳିତ। ତା’ର କମ୍ ବର୍ଣ୍ଣ ଯୋଗୁଁ ତା’ ସହିତ ପ୍ରାୟ କେହି ସାଙ୍ଗ ହୁଅନ୍ତି ନାହିଁ କି ତା’ର କୋଉ ପୁଅ ସହ କେବେ ପ୍ରେମ ବି ହୋଇ ନାହିଁ। ପ୍ରେମ ହବ ବା କେମିତି? ଏ ରସିକିଆ ଟୋକା ସବୁ ତ ସୁନ୍ଦରୀ ଝିଅଙ୍କ ଗୋରା ଗୋରା ମୁହଁକୁ ଚିହ୍ନନ୍ତି, ସୁନ୍ଦର ହୃଦୟକୁ ନୁହେଁ। ପ୍ରତିଭାର ବାହାଘରକୁ ନେଇ ଶ୍ୟାମବାବୁ ସବୁବେଳେ ଖୁବ୍ ଚିନ୍ତିତ ଓ ବ୍ୟତିବ୍ୟସ୍ତ। ହେଲେ ସେ ବା କଣ ଆଉ କରିପାରିବେ? ଏସବୁ ଭିତରେ ଥରେ କୌଣସି ମତେ ଗୋଟେ ପୁଅଘର ରାଜିହୋଇ ସେଦିନ ପ୍ରତିଭାକୁ ମୁଦି ଦେବାକୁ ଆସିଥିଲେ। ପ୍ରତିଭା ବି ନିଜ ଜୀବନ ସାଥୀଟେ ପାଇବାର ଆଶାରେ ଖୁବ୍ ଖୁସିଥାଏ। ହେଲେ ବିଧିର ବିଧାନ ବୋଧେ କିଛି ଅଲଗା ଥିଲା। ପ୍ରତିଭାକୁ ଦେଖି ହଠାତ୍ ପୁଅର ଭଉଣୀ ମାନେ ପ୍ରତିଭାର ଭାବି ନଣନ୍ଦ ଜୋରରେ କହିଉଠିଲା, “ମୋ ଭାଇକୁ କଣ ସୁନ୍ଦରୀ ଗୋରୀ ଝିଅ ଅଭାବ ନା କଣ ଯେ ଆମେ ଏଇ କାଳି ଝିଅଟାକୁ ଆମ ଘରକୁ ବୋହୁ କରିବା”। ବାସ୍ ତା’ପରେ ସବୁକିଛି ସରିଗଲା। ପୁଅଘର ବାଲା ସେଇଠୁ ମୁହଁମୋଡ଼ି ସିଧା ଘରକୁ ଚାଲିଗଲେ। ଶ୍ୟାମବାବୁ ଅଧିକା ଭାଙ୍ଗିପଡିଲେ। ପ୍ରତିଭାର ସ୍ବପ୍ନ ଅଧାରେ ରହିଗଲା। ଛଳଛଳ ଆଖିରେ ଲୁହ ଟୋପା ସବୁ ଧାରଧାର ହୋଇ ବହିବାକୁ ଲାଗିଲା। ପ୍ରତିଭା ଭାବୁଥିଲା ସତେଯେପରି ସେ ଲୁହ ଧୋଇଦେଇ ପାରିବ ତା’ ଦେହର କଳା ରଙ୍ଗକୁ ହେଲେ ଲୁହର ସେ କ୍ଷମତା କାହିଁ? ସେ ବି ନିରୁପାୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy