ଅସୁରକ୍ଷିତ ପରୀ
ଅସୁରକ୍ଷିତ ପରୀ


ସେ ଆଣ୍ଠୁ ଭିତରେ ମୁହଁ ଗୁଞ୍ଜି ଦୂରକୁ ଦୂରକୁ ଘୁଞ୍ଚି ଯାଉଥିଲା ଭୟରେ ।
ଆଖିରେ ସ୍ପଷ୍ଟ ଫୁଟି ଉଠିଥିଲା ଭୟଙ୍କର ଭୟ ।
ମୁଁ ବାପା ହେଲେ ବି ମୋ ପାଖକୁ ଆସୁ ନଥିଲା ।
ମାଆ ତାର ଢୋ ଢୋ ମୁଣ୍ଡ ପିଟୁଥିଲା ଡ଼ାକ୍ତର ଖାନା ବାରଣ୍ଡାରେ ।
ଦୁଇ ଦିନ ପରେ ହୋସ୍ ଆସିଲା ବେଳେ ସେ ଚିତ୍କାର ଛାଡିଲା "ନାଇଁ ନାଇଁ, ଛାଡ଼ ଛାଡ଼, ମରିଗଲି ଆଃ
ମରିଗଲି । "
ତାପରେ ପୁଣି ବେହୋସ୍ ହୋଇଗଲା ।
ଦୁଇଘଣ୍ଟା ପରେ ହୋସ୍ ଆସିଲେ ବି ଅଦ୍ଭୁତ ବ୍ୟବହାର କଲା ।
ଭୟରେ ତା ଆଖି ଜଳୁଥିଲା ଦପ୍ ଦପ୍ । କିଛି କ୍ଷଣ ପରେ ଘନ ଘନ ଶ୍ୱାସକ୍ରିୟା କଲା ।
ଛାତି ଥରାଇ ଚିତ୍କାର ଛାଡିଲା ମାଆ ଆ ଆ ।
ଜବରଦସ୍ତି ଧଇଲେ ଆମ୍ପୁଡି କାମୁଡି ପକାଉଥିଲା ମୋତେ ।
ସେବେଠାରୁ ମୋ ଗେହ୍ଲଇ ଇଶି ଆଉ ବାପା ପାଖକୁ ଆସିଲା ନାହିଁ । ମୋତେ, ଡାକ୍ତର କିବା ଯେ କୌଣସି ବଡ଼ ପୁଅଙ୍କୁ ଦେଖିଲେ ଚିର୍ ଚିର୍ ବାଜିଲା । ତା ମାଆ ଛାତିରେ ମୁହଁ ଗୁଞ୍ଜି ଦେଲା ।
କାମ ଧନ୍ଦାରୁ ଫେରିଲେ ଯେଉଁ ଇଶି ସାଙ୍ଗେ ଟିକେ କଥା ହେଲେ ମୋ ସବୁ ଦୁଃଖ ଦୂର ହୋଇ ଯାଉଥିଲା ସେଇ ମୋ ପ୍ରାଣ ଇଶି ଆଉ ପାଖକୁ ଆସିଲା ନାହିଁ । କିମ୍ବା ଘରୁ ବାହାରକୁ ଗଲା ନାହିଁ । ସବୁବେଳେ ଘରର ଗୋଟିଏ କୋଣେ ଲୁଚି ରହିଲା ।
ମୋ କୁନି ଛୁଆଟିର ଜୀବନ ଗୋଟିଏ ଇତିହାସ ହୋଇଗଲା
ସେ ଇତିହାସ କେଉଁ ବହିରେ ନୁହେଁ; ଆମ ଛାତିରେ ଲେଖା ହେଲା ।
ସେଦିନ ମନେ ପଡିଲେ ଦେହ ଶୀତେଇ ଉଠେ । ରକ୍ତ ଗୁଡା ହାବୁକା ହାବୁକା ହୋଇ ଆଖି ପଡେ ବାହାରି ପଡନ୍ତି ।
ସେଦିନ ଥିଲା ଗୋଟେ ଭୟାନକ ଯୁଦ୍ଧର ରାତି ଥିଲା ମୋ ଝିଅ ପାଇଁ ଓ ଆମ ପାଇଁ । ଖେଳ ପଡ଼ିଆରୁ ଆଉ ଘରକୁ ଫେରି ନଥିଲା ଇଶି ।
ଚାରି ଆଡ଼େ ସାଙ୍ଗ ସାଥୀ,ଗଳି କନ୍ଦି ଖୋଜିଲୁ । ଇଶି,ଇଶି ଡାକ ଛାଡିଲୁ । ହେଲେ ଇଶି ମିଳିଲା ନାହିଁ ।
ସାରା ରାତି ଟର୍ଚ୍ଚ ଧରି ପାଗଳଙ୍କ ପରି ପୋଲ ତଳ, ମଠ, ବୁଦା ଖୋଜିଲୁ । ସବୁ ଆଡୁ ନିରାଶ ହେଲୁ ।
ଛାତି ଭିତର ଖାଲି ଭୟରେ ଧଡ଼ ପଡ଼ ହେଲା । ଆଜିକାଲି ଯେଉଁ ସମୟ ! ଓଃ ସେ କଥା ଭାବି ମରିଗଲା ପରି ଲାଗୁଥିଲା ।
ତୁମେ ଜାଣିଛ ! ଇଶି ଆମ ବାହାଘରର ବାର ବର୍ଷ ପରେ ଆମ କୋଳକୁ ଆସିଥିଲା । ଚନ୍ଦ୍ରଉଦିଆ ପରି ରୂପ । ଅନ୍ଧାର ଘରେ ପଶି ଗଲେ ଆଲୁଅ ହୋଇଯିବ । ଆଃ ଏମିତି ଗୋଟେ ସୁନା କଣ୍ଢେଇ ଦେବେ ବୋଲି ଠାକୁର ବୋଧେ ଏତେ ଡେରି କଲେ ।
ଇଶି ଜନ୍ମ ହେବା ଦିନ ଆମେ ପିଲା କାଙ୍ଗାଳ ମାଆ ବାପା ଦିଟା ପବନରେ ଚାଲୁଥିଲୁ । ଖୁସିରେ ହୋଲି ଖେଳୁଥିଲୁ । ଆନନ୍ଦ ଗଙ୍ଗାରେ ଡୁବ ପକାଉଥିଲୁ । ଛକରେ ଦୋକାନଟିଏ ଦେଇଛି । ତଥାପି ଅଳ୍ପ ରୋଜଗାର ହେଉ ପଛେ ଇଶିକୁ ମୋର ରାଜକୁମାରୀ ପରି ବଢ଼େଇଲି । ଲୋକେ ଇଶିର ଡଉଲ ଡାଉଲ ଚେହେରା ଦେଖି କୁହନ୍ତି - "ବିଶ୍ୱନାଥ ଝିଅଟି ବଡ଼ ହେଲେ ବିଶ୍ୱସୁନ୍ଦରୀ ହେବ । ଏମିତି ସୁନ୍ଦର ଝିଅ ଆମ ଅଞ୍ଚଳରେ କାହାନ୍ତି । "
ସତେକି ପରୀଟିଏ ।
ଏକଥା ଶୁଣି ଖୁସି ହେବା ପରିବର୍ତ୍ତେ ଆମକୁ ଭୟ ମାଡି ବସେ । ଝିଅ ଉପରେ ଆଭା, ମୋ ସ୍ତ୍ରୀ ଥୁ ଥୁ କରି ଛିପ ପକାଏ । ଡାହାଣା ଆଖି ଫୁଟି ଯାଉ ବୋଲି ଅଭିଶାପ ଦିଏ ।
ସତକୁ ସତ ଭୟ ଦିନେ ଆମକୁ ଗିଳି ଦେଲା । ଛଅ ବର୍ଷର ଝିଅ ଯେ କେହି ଦେଖିଲେ ଆଠ ନଅ ବର୍ଷର ଝିଅ ବୋଲି କହିବ । କେଜାଣି କିଏ ଆଖି ପକାଇଲା । ସାଙ୍ଗଙ୍କ ସଙ୍ଗେ ପଡିଆରେ ସ୍କୁଲରୁ ଆସି ଖେଳୁଥିଲା ଯେ ଆଉ ଘରକୁ ଫେରିଲା ନାହିଁ ।
ରାତି ସାରା ଯେତେ ଖୋଜା ଖୋଜି କଲୁ ପାଇଲୁ ନାହିଁ । ତାପର ଦିନ ଶିବାନା ଝାଡା ଯାଇଥିଲେ ମଶାଣୀ ଆଡେ । ସେଇଠୁ ଧଇଁ ସଇଁ ହୋଇ ଆସି କହିଲେ ବିଶୁ, ବିଶୁ ଶୀଘ୍ର ଆ,ଇଶି,ଇଶି ।
ଗାଁ ଯାକ ଲୋକ ଦୌଡା ଦୌଡ଼ି ହୋଇ ଶିବାନା ପଛେ ଦଉଡ଼ିଲେ । ଆମ ଗାଁ ଠାରୁ ଖଣ୍ଡେ ଦୂରରେ ଅଛି ଇଲୁ ବାବୁଙ୍କ ଭଙ୍ଗା ନିଛାଟିଆ ଘର । ସେଇଠି ଇଶିକୁ ପାଇଲୁ ।
କି ବୀଭତ୍ସ ରୂପ ମୋ ଝିଅର । ସୁକୁ ସୁକୁ ହେଉଥିଲା । ମକରା ସ୍କୁଟିରେ ପକାଇ ନେଇଗଲି ଡାକ୍ତରଖାନାକୁ ।
ଆଠ ଦିନ ଡାକ୍ତର ଖାନାରେ ରହି ଘରକୁ ଫେରିଲା । କିନ୍ତୁ ସେ ମୋ ଆଗର ହସ୍କୁରି, ଚଳଚଞ୍ଚଳ ଇଶି ନଥିଲା ।
ମାଟିବୁଦା ବା କାଠ କଣ୍ଢେଇଟିଏ ହୋଇଗଲା ।
ଚାରି ମାସ ପରେ ଯେଉଁଦିନ ଆମ ଗାଆଁର ଗୌରାଙ୍ଗ ପୁଅ ସତ୍ୟ ଆମ ଘରକୁ ଖଣତି ନେବାକୁ ଆସିଲା, ତାକୁ ଦେଖି ଇଶି ରଡି ଛାଡିଲା; ମାଆ ଆଇଲା, ମାଆ ଆଇଲା । ମୋତେ ଚକେଲେଟ ଦେଇ ନେଇଯିବ । ମୋ ଡ୍ରେସ୍ ଚିରିବ । ମାଆ... ମାଆ... । ଆଇଲା କହି ପୁଣି ବେହୋସ୍ ହୋଇଗଲା ।
ଥାନାରେ ତ କେସ୍ ଚାଲୁଥିଲା । ମୁଁ ଝିଅର ଏପରି ହେବା ପୋଲିସଙ୍କୁ କହିଲି । ପୋଲିସ ସତ୍ୟ ଯେ କି ଏ ବର୍ଷ ଦଶମ ପରୀକ୍ଷା ଦେବ ତାକୁ ଧରି ନେଇ,ମାଡ଼ ମାରିବାରୁ ସବୁ କଥା ମାନିଗଲା । ସେ ଓ ତାର ତିନି ଜଣ ସାଙ୍ଗ ମୋ ଛଅ ବର୍ଷର ଝିଅକୁ ଧର୍ଷଣ କରିଥିଲେ ଇଲୁ ବାବୁଙ୍କ ଛାତ ନଥିବା ଜଙ୍ଗଲ ପରି ହୋଇଥିବା ଘରେ । ସେଦିନ ପଡିଆରେ ପିଲାଙ୍କ ସହ ଖେଳୁଥିଲେ ଏ ଚାରିଜଣ । ସବୁ ଛୁଆଙ୍କୁ ଚକଲେଟ ଦେଲେ । କିନ୍ତୁ ଇଶିକୁ ଯେଉଁ ଚକେଲେଟ ଦେଲେ ସେଥିରେ ନିଶା ଥିଲା । ଇଶି ତା ସାଙ୍ଗମାନଙ୍କ ସହ ଖେଳୁ ଖେଳୁ କେନାଲ ପର୍ଯ୍ୟନ୍ତ ପଳେଇଛି । ସେଇଠି ମୁଣ୍ଡ ବୁଲେଇ ପଡି ଯାଇଛି । ସଞ୍ଜ ନଇଁ ଆସିବାରୁ ସମସ୍ତେ ଘରକୁ ଫେରିଛନ୍ତି । କିନ୍ତୁ ଇଶିକୁ ସତ୍ୟ ଓ ତାର ଚାରି ଜଣ ସାଙ୍ଗ ଟେକି ନେଇଛନ୍ତି ସେଇ ନିକାଞ୍ଚନ ଭଙ୍ଗା ଘରକୁ । ରାତି ହେଲେ ତେଣିକି ଲୋକଙ୍କ ଯିବା ଆସିବା ବନ୍ଦ । ସେଆଡେ ମଶାଣୀ ପଦା ।
ଜଣଙ୍କ ପରେ ଜଣେ ନିଜ ଓରମାନ ମେଣ୍ଟାଇବା ପରେ ବେଚେତା ଛୁଆଟାକୁ ଏକା ଛାଡି ପଳେଇ ଆସିଛନ୍ତି । ଯଦି ବିଲୁଆ କୁକୁର କି ସାପ ମୁହଁରେ ମୋ ଇଶି ଚାଲି ଯାଇଥାନ୍ତା....ମୁଁ କଣ ଆଉ ଇଶିକୁ ପାଇଥାନ୍ତି !
ଓଃ ଏକଥା ଶୁଣି ପୋଲିସ ବାଲାଙ୍କ ସହ ମୋ ମୁଣ୍ଡ ଘୁରେଇ ଦେଲା । ଏଡ଼େ ବକଡେ ବକଡେ ପିଲା ! କି ଜଘନ୍ୟ ପ୍ରବୃତ୍ତି ।
ତାହେଲେ ମୋ ପରି ଝିଅର ବାପାମା କଣ କରିବେ ?
ଘରେ ଅଜା ଦାଦା ଶତ୍ରୁ । ବାହାରେ ସାଙ୍ଗସାଥୀ, ଟୋକା ବୁଢ଼ା ଶତ୍ରୁ ।
ହେ ଦୁନିଆଁ କୁହ କେଉଁଠି ମୋ ଇଶି ପରି ପରୀମାନେ ସୁରକ୍ଷିତ ! କେଉଁଠି ଲୁଚାଇ ରଖିବୁ ଆମ ଝିଅଙ୍କୁ । ଯେଉଁମାନେ ଧର୍ଷଣ କଲେ ସେମାନେ କେଇଟା ବର୍ଷରେ ଜେଲରୁ ଆସି ସେମାନଙ୍କ ଜୀବନ ଆରମ୍ଭ କରିବେ । କିନ୍ତୁ ସେମାନଙ୍କ ବଳତ୍କାର ଶିକାର ହୋଇ ଯେଉଁ ଇଶିମାନେ ପାଗଳ ହୋଇଗଲେ ତାଙ୍କର କଣ ହେବ? ଯେଉଁ ପରୀମାନେ ମରିଗଲେ, ସେମାନେ କଣ ପାଇଲେ ।
ସେଇ ଦିନୁ ଇଶି ମୋର ପାଗେଳି । ସବୁବେଳେ ଗୋଟିଏ ଶବ୍ଦ ଆଇଲା ଆଇଲା ମାଆ ଆଇଲା କେବଳ କୁହେ । କୁଙ୍କୁରି କାଙ୍କୁରି ହୋଇ ଘର କୋଣେ କାନ୍ଥରେ ମିଶିଯାଏ ଯେପରି ।
ଏ ଚିତ୍କାର ଆମ ବାପାମାଆ ଛାତିକୁ ଟିକ୍ ଟିକ୍ କରି କାଟି ପକେଉଛି ପ୍ରତି କ୍ଷଣେ । ଜାଣୁନା ଇଶି ଭବିଷ୍ୟତ କଣ ହେବ?ଏବେ ସିନା ତାକୁ ସାତ । କିନ୍ତୁ ସତର ବେଳକୁ କଣ କରିବୁ ଆମେ !
ପାଗଳ ମାଗଳ ଯା ହେଉ ଇଶି ମୋତେ ଅର୍ଥାତ ତା ବାପାକୁ ଜଣେ ପୁରୁଷ ଭାବି ଡରୁଛି ; ଏହା ଠାରୁ ପୁରୁଷ ହେବାର ଦଣ୍ଡ କଣ ହୋଇପାରେ ମୋ ପାଇଁ ?
ହେ ଭଗବାନ ! ମୋତେ ଏ ଘୃଣ୍ୟ ପୁରୁଷ ଜନ୍ମରୁ ପାରି କର । ମୋ ଇଶି ପରି ପରୀ ବଳତ୍କାରୀ ରାକ୍ଷସଙ୍କ କବଳରୁ ରକ୍ଷା କର ପ୍ରଭୁ,ରକ୍ଷାକର ।
କେବେ ଥମିମ ଏ ଲଜ୍ଜା ! କେବେ ଇଶି ମାନେ ସୁରକ୍ଷିତ ଜୀବନ ସ୍ୱାଧୀନ ଭୟମୁକ୍ତ ଜୀବନ ବଞ୍ଚିବେ !!