ଅସ୍ତରାଗ
ଅସ୍ତରାଗ


ଗର୍ଜି ଉଠୁଥିଲା ଫୋନଟା, ଯେଉଁ ଫୋନର ଶବ୍ଦ ଅତି ପ୍ରିୟ ଥିଲା ତା ଆଜି କାଇଁ ଶ୍ରୁତିକଟୁ ହୋଇଯାଇଥିଲା । ସତରେ ଜୀବନର ଚଲାପଥରେ ସମାନ ବସ୍ତୁ ପ୍ରତି ଆକର୍ଷଣ କମିଯାଏନା । ଫୋନ ପ୍ରତି ମିତୁର ଆକର୍ଷଣ କମିଥିଲା ଆଉ ପରିବାର ଲୋକଙ୍କର ମିତୁ ପ୍ରତି । ଦିନେ ଗୁଡଠୁ ବି ମିଠା ଲାଗୁଥିବା ମିତୁ,ଆଜି ନିମ୍ବଠୁ ବି ପିତା ହୋଇଯାଇଥିଲା ଯେମିତି ।
ଫୋନ ମାମା କରିଥିଲା,"ବାବା ଗାଡି ନେଇଯିବେ, କିଟୁକୁ ନେଇ ଏଠାକୁ ଚାଲି ଆସେ । କଣ ବା ପାଇଛୁ ସେ ଘରୁ, ଜୀବନର ଆରମ୍ଭ ବି ହୋଇନି ତୋର, ଭାଇ ଭାଉଜ ବାବା ମାମା ସବୁ ଏଇଠି ଅଛନ୍ତି । କିଟୁର କେୟାର ଆମେ ନେଇପାରିବୁରେ ମା । ମୋ କଥା ତ ମାନେ । ତୋ ମା ହୋଇ କେମିତି ଦେଖିବିରେ ଏଗୁଡ଼ାକ । "
ଦୀର୍ଘଶ୍ଵାସଟେ ନେଇ ମିତୁ କହିଲା,"ମାମା କିଟୁ ତା ଡାଡିଙ୍କୁ ହରେଇଛି, ତା ମାମାଙ୍କୁ ତାଠୁ ଛଡାଅ ନି । "
ଫୋନଟିକୁ କାଟି ସାରିଥିଲା । ହଁ ହୁଏତ ମାମା ତା ମଙ୍ଗଳ ଚାହୁଁଥିଲା, କିନ୍ତୁ ମାମା ଜାଣିବାକୁ ଚାହିଁନଥିଲା ମୁଁ କଣ ଚାହୁଁଛି ।
ସୁମିତ ଶହୀଦ ହେବାର ଚାରିମାସ ହୋଇଗଲାଣି,କିଟୁ ବାରମ୍ବାର ପଚାରେ, "ମା ଶହୀଦ ମାନେ କଣ,ବେଶି କାମ କରିବେକି ଡାଡି,ସେଥିପାଇଁ ତୁମେ କାନ୍ଦୁଛ,ମାମା ଡାଡିଙ୍କ ଫୋଟୋରେ ଫୁଲ କାହିଁକି ଲାଗୁଛି, ଆଗରୁ କାହିଁକି ଲଗାଉନଥିଲା,ଶୁଣ ମାମା କାଲି ଆମର ଏଇ ଫୋଟରେ ବି ଫୁଲ ଲଗେଇବ । "
କିଟୁ ଆଙ୍ଗୁଠି ଦେଖାଉଥିଲା କାନ୍ଥରେ ଲାଗିଥିବା ଫୋଟୋଟିକୁ । ସୁମିତ ଗୋଟିଏ ହାତରେ କିଟୁକୁ ଧରିଥାନ୍ତି ଅନ୍ୟ ହାତ ମିତୁର କାନ୍ଧ ଉପରେ ଥାଏ । ହସୁଥାନ୍ତି ସୁମିତ ସତେ କି କହୁଥାନ୍ତି ଏତିକିରେ ଭାଙ୍ଗିପଡିଲୁ ମୋ ଆଇରନ ଲେଡି,ଚତୁର୍ଥୀ ଦିନ ହିଁ ସେ ମିତୁକୁ ଆଇରନ ଲେଡି ଡାକିଥିଲେ,ହୁଏତ ସେ ଦେଖିପାରିଥିଲେ ମିତୁର ସରଳତା ଆଉ ନିରୀହ ପଣକୁ ପ୍ରଥମ ଦିନରୁ । ସୁମିତ, ମିତୁର ଭାଇର ସାଙ୍ଗ ଥିଲେ ଆଉ ବିବାହ ପୂର୍ବରୁ ମିତୁକୁ ଭଲ ସେ ଜାଣିଥିଲେ ।
ସବୁବେଳେ କହୁଥିଲେ,ତୋତେ ବହୁତ କିଛି କରିବାକୁ ପଡିବ ବୁଝିଲୁ??
ମୋ ବୋଉ, ବାବା ପୁରୁଣା କାଳିଆ ଲୋକ, ତୋତେ କେବେ ଯଦି କିଛି କୁହନ୍ତି ଧରିବୁନି, ଭାଇଟିକୁ ମୁଁ ଠିକରେ ଗଢିପାରିଲିନି । ଜିଦିଆ ହୋଇଯାଇଛି । ତୁ ସବୁ ସହ ଚାଲିପାରିବୁ ତ ।
ସୁମିତଙ୍କ ପ୍ରତିଟି କଥା ଏବେ ବି ପ୍ରତିଧ୍ବନିତ ହୋଉଛି କାନରେ । କେମିତି ମାନିନେବ ମାର କଥାକୁ । କେମିତି ଛାଡିଚାଲିଯିବ ସୁମିତ ଆଉ ତାର ପ୍ରିୟ ଘର ଆଉ ସୁନାର ସଂସାର ।
ଦେଖୁଥିଲା ମିତୁ ନିଜକୁ, ତାର ଶୂନ୍ୟ ସୀମନ୍ତରେ ଦାରୁଣ ଅସ୍ତରାଗ ହୁଏତ ତାକୁ ଅଧିକ ଦୃଢ କରୁଥିଲା, ତାକୁ କିଟୁକୁ ଉଭୟ ଡାଡି ଆଉ ମମିର ସ୍ନେହ ଦେଇ ଗଢିବ ସେ ।
ଶାଶୁ ଆଉ ଦିଅର ଘର ଭିତରକୁ ପଶି ଆସିଥିଲେ, ଲକ୍ଷ୍ୟ ଥିଲା ଗୋଟିଏ ଯାହା ହାସଲ କରିବାକୁ ବହୁବାର ଚେଷ୍ଟା କରିଥିଲେ,ପୁଣି ଶାଶୁ କହୁଥାନ୍ତି,ତୋ ମା ଫୋନ କରିଥିଲା ସେମାନେ କାଳେ ତୋ ପାଇଁ ବାହାଘର କଥା ଚିନ୍ତା କରୁଛନ୍ତି । ଯଦି ବାହା ହବାକୁ ତୋର ମନ ତେବେ ଅମିତ ବି ତ ଅଭିଆଡା ଅଛି ।
ମିତୁର ଧୈର୍ଯ୍ୟର ବନ୍ଧ ତୁଟି ସାରିଥିଲା ସେତେବେଳକୁ । ବୋଉ ପ୍ଲିଜ଼.....
ଅମିତକୁ ଦେଖୁଥିଲା ମିତୁ,ତୁମେ ୫ବର୍ଷ ଭିତରେ ବି ଚିହ୍ନିପାରିଲ ନି । ମୁଁ ତୁମ ବଡ ଭାଉଜ । ଆଉ...
ଅମିତ ମୁଁହ ତଳକୁ କରି ରହିଥିଲା, ତୁମେ ସିଲାକୁ ହିଁ ବିବାହ କରିବ ଆଉ ମୁଁ ତୁମ ମାନଙ୍କୁ ଛାଡି କୁଆଡେ ବି ଯାଉନି । ଏକ ନିଶ୍ଵାସରେ ଏତକ କହି ଧକେଇ ଉଠୁଥିଲା ମିତୁ....
କିଟୁ ସେମିତି ଖେଳୁଥାଏ ତାର ଖେଳ । ତାକୁ କୋଳରେ ଉଠେଇ ମିତୁ ଚାଲୁଥାଏ ଶଶୁରଙ୍କ ରୁମକୁ ।
ବାବା କଣ ମୋତେ ଏଇଘରେ ସୁମିତଙ୍କ ବିଧବା ସ୍ତ୍ରୀ ଭାବେ ରହିବାର ଅଧିକାର ନାହିଁ ।
ପୁଅର ମୃତ୍ୟୁ ପରେ ଦୁଃଖରେ ମ୍ରିୟମାଣ ବିଶ୍ୱଜିତ ବାବୁ ଉଠାଇ ନେଇଥିଲେ ମିତୁକୁ
ପାଞ୍ଚବର୍ଷର ବିବାହ ପରେ ପ୍ରଥମଥର ପାଇଁ ମିତୁ ସାମ୍ନାରେ ଆସି କଥା ହେଉଥିଲା ତାଙ୍କର ।
ମିତୁକୁ ବୁଝିବାରେ ଭୁଲ କରିଥିବା ଦିଅର, ଶାଶୁ ଠିଆ ହୋଇଥିଲେ ସ୍ତମ୍ଭିଭୂତ ହୋଇ । ୨୫ବର୍ଷ ବୟସରେ ସଦ୍ୟ ବିଧବାଟିଏ ନିଜ ତମାମ ଜୀବନ ଏଇମିତି ଜୀଇଁଯିବ ।
ବିଶ୍ୱଜିତ ବାବୁ ମିତୁର ଆଖିର ଲୁହକୁ ନିଜ ହାତରେ ପୋଛି କହୁଥିଲେ,ନା ରହିପାରିବୁନି....!!!!!
ଧୈର୍ଯ୍ୟର ସୀମା ତୁଟିଯାଇଥିଲା ମିତୁର । ନୀରବରେ ଘରର ବାହାରକୁ ଯିବାବେଳେ ବିଶ୍ୱଜିତ ବାବୁ ସ୍ପଷ୍ଟ ଦେଖିପାରିଥିଲେ ମିତୁ ହୃଦୟର କୋହ ଆଉ ଖାଲି ସୀମନ୍ତର ଦାରୁଣ ଅସ୍ତରାଗ ।
ବିଶ୍ଵଜିତ ବାବୁ କହିଉଠୁଥିଲେ,"ଏଇ ଘରର ସବୁ ଦାୟିତ୍ୱ ନେବାକୁ ହେବ ମିତାଲି ତୋତେ, ସୁମିତ ଥିଲେ ଯାହା କରିଥାନ୍ତା ତାହାଠୁ ଅଧିକ ତେଣୁ ତୁ ଏଇ ଘରେ ତାର ବିଧବା ସ୍ତ୍ରୀ ନୁହେଁ ବରଂ, ଏଇ ବଂଶର ବୀରବଧୂ ହୋଇ,ମୋର ବଡ ଝିଅ ହୋଇ ରହିବୁ । "
ପୁରା ପରିବାର ମିତୁକୁ କୋଳେଇ ନେଇଥିଲେ ଆଉ ମିତୁକୁ ଲାଗୁଥିଲା ସତେ ଯେମିତି ତାର ସୀମନ୍ତର ଅସ୍ତରାଗ ପରେ କିଏ ପିନ୍ଧଉଛି ସ୍ନେହ ପ୍ରେମର କୁନି ବିନ୍ଦିଟିଏ ।