STORYMIRROR

MANAS KUMAR KAR

Abstract Tragedy Inspirational

4  

MANAS KUMAR KAR

Abstract Tragedy Inspirational

ଅସ୍ତିତ୍ବ

ଅସ୍ତିତ୍ବ

6 mins
405


     ମୋ ଝିଅକୁ ଆଉ ଟିକେ ମଟନ୍ ଝୋଳ ଦେ। ପ୍ରିତୀ.....ଏ ପ୍ରିତୀ.... ଆଲୋ କୁଆଡେ ଚାଲି ଗଲୁ ବା ?ଖାଉ ଖାଉ ଡ଼ାକ ଦେଲେ ଶାଶୁ ଶାନ୍ତି ଦେବୀ। ହଁ ହଁ ଆସୁଛି ବୋଉ କହି ଚଞ୍ଚଳ ବେଗରେ ଧାଇଁ ଆସିଲା ପ୍ରିତୀ।ହାଣ୍ଢିରୁ ମଟନ ତକ ଶାଶୁ ଶାନ୍ତି ଦେବୀ ଓ ନଣନ୍ଦ ଜିନା ଙ୍କ ଖାଇବା ବେଲାରେ ଢାଳୁ ଢାଳୁ ଜିନା କହିଲା - ଆରେ ଆରେ ଭାଉଜ ସବୁ କ'ଣ ଅଜାଡ଼ି ଦେଲ ତୁମ ପାଇଁ ରଖିଲ ନାହିଁ ଯେ? ପାଟିରେ ମଟନ୍ ଖଣ୍ଡେ ଦେଇ ଶାନ୍ତି ଦେବୀ କହିଲେ - ଛିଆ, ସେ କ'ଣ ମଟନ୍ ଖାଏ.....ଏଗୁରା ସେ କୋଉଠୁ ଖାଇବା ଶିଖିବ?ଦେ ଆଉ ଦି ପିସ୍ ମାଛ ମସଲା ମୋ ଝୁଅ ପାଇଁ ଆଣେ। ନାଇଁ ବୋଉ ମୁଁ ଆଉ ଖାଇ ପାରିବିନି।ଦେ ବା ଏତେ ଦିନରେ ଆସିଛୁ ଖା ଭଲକରି ଖାଇ ଦେ। ସେ ଶାଶୁ ବକଟ କ'ଣ ତୋତେ ସେଠି ଖୁଆଇ ପିଆଇ ଦେଉଥବ? ତାଛଡା ଏତେ ବଡ଼ ପରିବାର ରେ ଖାଇବା ପିଇବା ବିନା ମୋ ଝିଅ କଣ୍ଟା ଉଠି ଗଲାଣି। ବୋଉ ପାଟିରୁ କଥା ଛଡ଼ାଇ ଜିନା କହିଲା - ନାଇଁ ଲୋ ବୋଉ ମୋ ଶାଶୁ ଖାଇବା ପିଇବା ରେ କୈାଣସି ବାଧା ଦିଅନ୍ତି ନାହିଁ। ଆମେ ଯାଆ ମାନେ ମନ ଇଛାରେ ଖାଉ।ତୁ ଉଠୁ ବା.... ମୁଁ କ'ଣ ଶାଶୁ ମାନଙ୍କ କଥା ଜାଣିନି ଯେ ମୋତେ ଶିଖଉଛୁ। ଆଲୋ ସବୁଯାକ ଦଉନୁ ଆଉ କଡ଼େଇ ରେ ସେ ମାଛ କାହା ପାଇଁ ରଖୁଛୁ? ପ୍ରିତୀ ମାଛ କଡ଼େଇ ରୁ ସବୁ ଯାକ ମାଛ ଖଣ୍ଡ ଅଜାଡ଼ି ଦେଲାବେଳେ ଆଖିରୁ ତା'ର ଦୁଇ ଟୋପା ତତଲା ଲୁହ ନିଗିଡ଼ି ପଡ଼ିଲା।


     ଶାଶୁ ବଳେଇ ବଳେଇ ନଣନ୍ଦ ଙ୍କୁ ଖୁଆଇ ଦେଉଥିଲେ। ମୁଣ୍ଡ ହଲେଇ ନାଇଁ ନାଇଁ ହେଉଥିବା ନଣନ୍ଦ ଜିନା ବସି ବସି ସବୁ ଖାଉଥିଲେ। ପାଣି ଗ୍ଲାସ୍ ଟେ ପିଇବା ପାଇଁ ଆସିଥିବା ଶଶୁର ପଚାରୁ ଥିଲେ ଆରେ ମା ପ୍ରିତୀ ତୋର କାମ ସରିନି କି?ଯା ବୋଉ ଓ ଜିନା ପାଖରେ ବସିପଡ।କିହେ ଶାନ୍ତି, ତୁମେ କେତେ ଘଣ୍ଟା ଧରି ଖାଉଛ? ମୁଁ ତୁମ ସାଙ୍ଗରେ ଖାଇ ମୋ'ର ନିଦ ଭାଙ୍ଗିଲାଣି ଅଥଚ ତୁମ ମା ଝିଅ ଙ୍କର ଖାଇବା ସରିନି। ଆରେ ସାଢେ଼ ତିନିଟା ବାଜିଲାଣି। ସେ ବିଚାରୀ କେତେବେଳେ ଖାଇବ? ଓହୋ..... କ'ଣ କହିବ ଏ ମଣିଷ କୁ ବୁଢ଼ାଟିଏ ହେଲଣି ଏ ଯାଏଁ ବୁଦ୍ଧି ଶୁଦ୍ଧି ହେଲାନି।ମାଇପି ଙ୍କ କଥା ରେ ତୁମ ମୁଣ୍ଡ କାହିଁ ଏମିତି ଘୁରୁଛି?ଯାଓ ମ ତୁମ କାମ ତୁମେ କର। ଝିଅ ଓ ବୋହୂ ଙ୍କ ସାମ୍ନାରେ ଶାନ୍ତି ଙ୍କର ତାତ୍ସଲ୍ୟ ବୋଧେ ଅସହ୍ୟ ଥିଲା। ବାସ୍ ଏତିକିରେ ସେଠାରୁ ଚୁପଚାପ୍ ଚାଲିଗଲେ ଶଶୁର।ଆଉ ଟିକେ ଆଉ ଟିକେ କହି ଝିଅ ପାଟିକୁ ଦେଇ ଚାଲିଛନ୍ତି ମା।


    ମଟନ୍ ହାଣ୍ଡି ଓ ମାଛ କଡ଼େଇ କୁ ମାଜିବା ପାଇଁ ରଖିଦେଲା ପ୍ରିତୀ। ଉପର ପାଣିଆ ଡାଲି ରୁ ଚାମଚ ଟେ ପଡ଼ିଛି ତାକୁ ତାଟିଆରେ ପୋଛି ରଖିଲା।ଭଜା ଦିଖଣ୍ଡ କୁ ଥାଳି କଡ଼କୁ କାଢିଲା ବେଳେ ଶାଶୁ ଡାକ ପକାଇଲେ ପ୍ରିତୀ.... ପ୍ରିତୀ ପାଟି ଟା ଆଇଁଷିଣିଆ ହୋଇଗଲା ଖଟା ଟିକେ ଦେ ଲୋ ମା ଚାଟି ଦିଏ। ହଁ ଆଉ ଦୁଇ ଚାମଚ ହେବ ଟମାଟୋ ଖଟା ଲାଗିଥିଲା କଡ଼େଇ ରେ ତାକୁ ଶାଶୁଙ୍କ ଥାଳିରେ ଦେଇ ସବୁ ବାସନ କୁ ମାଜି ବସିଲା ପ୍ରିତୀ।ଭୋକ କରି କରି ମରିସାରିଲାଣି ଭୋକ।ନା ଆଉ ଖାଇବି ନାହିଁ।ଭାତ ହାଣ୍ଡିର ତଳି ଭାତଟା କଞ୍ଚା ହେମାଳ ହୋଇ ସାରିଲାଣି।'ଯା ଯା ଟିକେ ଗଡ଼ି ପଡିବୁ' ଜିନା ଙ୍କୁ କହୁଥିଲା ଶାଶୁ।ହସି ହସି ଜିନା କହୁଥିଲେ - ଯା କହ ବୋଉ ମଟନ୍ ଝୋଳ ଟା ଆଜି ମସ୍ତ ହୋଇଥିଲା।ଜିନା ଙ୍କ ମୁଣ୍ଡ ଆଉଁସି ଶାଶୁ କହୁଥିଲେ - ହଁ, ତୁ ତ ଟିକିଏ କ'ଣ ଟିକିଏ ଖାଇଲୁ କି ନାହିଁ...... କାଲି ଗୁରୁବାର ଟା ଯାଉ ଦେଖିବା..... ହସୁଥିଲେ ଜିନା ବୋଉ ତୁ ବି ନା....


    ପ୍ରିତୀ ପାଖରେ ବାସନ ତକ ଅଜାଡ଼ି ଦେଇ ଚାଲିଗଲେ ଶାଶୁ। ଛାତିରୁ କୋହ ନିଗାଡି ପ୍ରିତୀ ବାସନ ମାଜୁଥିଲା। ଆଖି ର ଲୁହ ବନ୍ଧବାଡ ମାନୁ ନ ଥିଲା। ଇଛା,ମନ ପସନ୍ଦ ସବୁ ଭୁଲିଗଲା ପରେ ଆଜି ପେଟର ଭୋକ ଭୁଲିବାକୁ ପ୍ରୟାସ କରୁଥିଲା ସେ। ହେଲେ ପେଟର ଭୋକ ଭୁଲିବା କ'ଣ ଏତେ ସହଜ? ମଟନ୍ ଝୋଳ ର ବାସ୍ନା ରହି ରହି ତା ନାକ ପାଖରେ ବାଜି ଯାଉଥିଲା। ହେଲେ ସେ ତ କେବେ କହି ନାହିଁ ମୁଁ ମଟନ୍ ଖାଏ ନି। ମାଛ ମୋତେ ଭଲ ଲାଗେ ନାହିଁ। ହେଲେ ସବୁ ଥର ତାକୁ ଶୁଣିବାକୁ ପଡ଼େ ସେ ଏସବୁ ଖାଇବାକୁ ଭଲ ପାଏନା। ଶାଶୁ କହନ୍ତି - ପ୍ରିତୀ ର ଆମର ପଖାଳ , ବାଇଗଣ ପୋଡ଼ା ହେଲେ ଜିନ୍ଦାବାଦ। ସେ ଏସବୁ ଖାଦ୍ୟ ଖାଏ ନି। ତାଛଡା ତା ଘରେ ବା ଏସବୁ କ'ଣ ସେ ଖାଉଥିଲା ନା ଖାଇବ? ବୋଉ କଥା କୁ ପାଳି ଧରି ଅମନ୍ କୁହନ୍ତି ଯାହା କୁହ ପ୍ରିତୀ ତୁମେ ନା ସେଇ ମଫୁ ହୋଇ ରହଗଲ। ସେଇଥିପାଇଁ ତୁମକୁ କୈାଣସି ପାର୍ଟି ଫଙ୍କସନରେ ନେବାକୁ ଇଛା ହୁଏ ନାହିଁ। ଆଜିକାଲି ନୂଆ ନୂଆ ଖାଇବା ର ମେନୁ ରେ ନିଜର ଷ୍ଟାଟସ୍ ବାରି ହୋଇ ପଡ଼େ। ହେଲେ ତୁମେ କେବେ ସୁଧୁରିବ ନାହିଁ।ସେଇ ପଖାଳ ତୁମ ଜୀବନ। ହେଲେ ଅମନ୍ କେବେ ଥରେ ଜାଣିବାକୁ ଇଛା କରି ନାହାଁନ୍ତି ପ୍ରକୃତରେ ତୁମେ ଏସବୁ ଖାଇବାକୁ ମନା କର କାହିଁକି? ବରଂ ବୋଉ କଥାରେ ତାଳ ଦେଇ ପ୍ରିତୀ କୁ ଆଘାତ ଦେବାର କୌଣସି ସୁଯୋଗ ହାତ ଛଡ଼ା କରନ୍ତି ନାହିଁ ସେ। ପ୍ରତିଥର ନିରବ ରହେ ପ୍ରିତୀ। ଜୋର କରି ଲଦି ଦେଉଥିବା ଲାଞ୍ଛନା କୁ ଆଗ୍ରାହ୍ୟ କରି ଆଗେଇ ଚାଲିଛି ପ୍ରିତୀ। କ'ଣ ବା ଆଉ କରନ୍ତା?


      ବାହାଘର କୁ ଚାରି ପୁରି ପାଞ୍ଚେ ଚାଲିଲା। କୋଳରେ ଛୁଆଟିଏ ଆସିନି ବୋଲି ଶାଶୁ ଙ୍କର ରାଗ ଏଇ ପଟେ ସୁଝେଇ ଦିଅନ୍ତି ସେ।ଆଉ ଅମନ୍ ସବୁ ଦୋଷ ମୋ ଉପରେ ଅଜାଡ଼ି ନିଜ ପୁରୁଷ ପଣିଆର ବାହା ବାହା ନିଅନ୍ତି। କହିବ ତ କାହାକୁ କହିବ? ବାପା ଭାଇଙ୍କ କଥାରୁ ବାହାରି ଯାଇ ନିଜ ଇଛାରେ ଅମନ୍ ଙ୍କୁ ଭଲପାଇ ବାହା ହୋଇଛି ସେ। ସେଇଥିପାଇଁ ଭାଉଜଙ୍କ ର ବହୁତ ରାଗ। ଭଲରେ କେବେ କଥା ଟିକେ ହୁଅନ୍ତି ନାହିଁ ସେ।ଅକାଳେ ସକାଳେ ତାଙ୍କ ପାଖକୁ ଯାଇଥିଲେ ଜାଣି ଜାଣି ଆଡ ଆଡ ହୁଅନ୍ତି।କୋଉ ବୋଉ ଅଛି ଯେ ମୋ ଝିଅ ଆସିଛି କହି କୋଳେଇ ନେବ।ଆଉ ଦୁଇ ଦିନ ରହି ଯା କହି ପଣତ କାନି ରେ ମୁହଁ ପୋଛି ପକେଇବ। ବାପା ଚାହିଁ କରି ବି ଆଜି ନିରୁପାୟ।ଭାଇ ଭାଉଜ ଘର ଚଳେଇବା ଦିନୁ ବାପା ଙ୍କ କଥାରେ କୈାଣସି ଗୁରୁତ୍ବ ନାହିଁ। ଦାଣ୍ଡ ପିଣ୍ଡାରେ ଭଙ୍ଗା କାଠ ଚଉକି ଟା ହିଁ ତାଙ୍କର ଏକମାତ୍ର ସାଥୀ।ଯାଉ ତାଙ୍କ ମୁହଁଟା ଭାରି ଉଜ୍ଜ୍ୱଳ ଦିଶେ।ମା ରେ ଆସିଛୁ ଯଦି ଦୁଇ ଚାରି ଦିନ ରହିକରି ଯିବୁ ହେଲେ ଘର ଭିତରେ ଭାଉଜ ଙ୍କ ପାଟି ଶୁଭେ ହଁ ପୁଅ ତ ଏଠି ଗଦା ଗଦା ପଇସା ଆଣି ଗଦେଇ ଦେଉଛି ଅନ୍ନ ଧ୍ଵଂସ ଆଉ କେମିତି ହେବ?ପାଠ ଶାଠ ପଢେଇ ପୁଅକୁ ଯୋଉ କଲେକ୍ଟର କରିଦେଇଛନ୍ତି.... ଓଃ! ଏସବୁ ବାପା ଙ୍କ କାନ କୁ ଶୁଭେ କି ନ ଶୁଭେ କିନ୍ତୁ ମୋ କାନ ଅସହ୍ୟ ହୁଏ।ଦୁଇ ଦିନ ରହିବାର ଇଛା ଦୁଇ ଘଣ୍ଟା ରେ ମରିଯାଏ।


      ଘରକୁ ଆସୁ ଆସୁ ଶାଶୁ ଙ୍କ ରଡି ଦିନ ଦୁଇଟା ଭାଉଜ ପାଖରେ ଥୟ ପଡୁନାହିଁ ସେ କ'ଣ ବାପ ଘରେ ରହିବ?ବାପ ଘରେ ଗଣ୍ଡେ ଖାଇବାକୁ ଥିଲେ ତ ରହିବ..... ଓହୋଃ! ମୋ ପାଇଁ କାହିଁକି ସବୁଠି ଏତେ କଠୋରତା? କ'ଣ ମୋ ନିରବତା ଏହାର କାରଣ?ମାଛ ହେଉ କି ମଟନ୍ ରୋଷେଇ କରିବି ମୁଁ।ଗୋଟି ଗୋଟି ସମସ୍ତ ଙ୍କୁ ଖାଇବାକୁ ଦେବି ମୁଁ, ବାସନ ମାଜିବି ମୁଁ। ହେଲେ ଖାଇଲା ବେଳକୁ ମୁଁ ଗରିବ ଘରର ଝିଅ। ମୋତେ ଖାଇ ଆସେ ନାହିଁ। ହଁ ଆଜିଠାରୁ ନିରବ ନୁହେଁ, ମୁହେଁ ମୁହେଁ ଜବାବ୍ ଦେବି ମୁଁ। ମୋ'ର ବି ଇଚ୍ଛା ଅଛି,ମନ ଅଛି ପସନ୍ଦ ଅଛି, ପରିଶେଷେ ମୋ'ର ବି ଆତ୍ମା ଅଛି। ପେଟରେ ଭୋକ ବି ଅଛି ଆଉ ଘରର ଅନ୍ୟ ସଦସ୍ୟ ଙ୍କ ଭଳି ଖାଇବାରେ ଆଶା ଅଛି। କେବଳ ଖାଇବା ନୁହେଁ ପିନ୍ଧିବା, ଲଗାଇବା ସବୁଥିରେ ମୋର ମନ ଅଛି। ହେଲେ ଆଜି ଯାଏଁ ଅନ୍ୟ ମାନଙ୍କ ଜବରଦସ୍ତ ଚାପ ପିନ୍ଧିବା ଖାଇବା ଲଗାଇବାକୁ ନେଇ ସେ କେବଳ ଗରିବ,ମଫୁ, ଚୂଲି ଶାଳକୁ ଯୋଗ୍ୟତା ଉପାଧିରେ ଉପହାସିତ ହେବା ହିଁ ସାର ହୋଇଛି।


     ଓହୋଃ! ମହାରାଣୀଙ୍କ ବାସନ ମଜା ସରିଲା?ଏଇ ଘର କାମ ରୋଷେଇ ବାସ ବାସନ ମଜା ଏତିକି ରେ ତୁମେ ସିମୀତ ରହିବ। ମୁଁ ତେଣେ ତୁମକୁ ଅପେକ୍ଷା କରି କରି ଦିପହର ଟା କଟିଗଲା ହେଲେ ତୁମର ଦର୍ଶନ ମିଳିଲା ନାହିଁ। ସ୍ୱାମୀ ମନ ତୁମେ କୋଉଠୁ ବୁଝିବ? ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ..... ଦିଅ ଛାଡ୍ ଛାଡ।ଚା କପେ ଦବ ନା ନାହିଁ? ଅମନ୍ ଙ୍କ ର କଟୁକ୍ତି ଭରା ବାକ୍ୟ ରେ ପ୍ରିତୀ କହିଲା - ଦେଖ ମୋର କୈାଣସି ସଉକ ନାହିଁ ବାସନ ମାଜିବା, ରୋଷେଇ କରିବା କିମ୍ବା ଘର କାମ କରିବା। ଏସବୁ ମୁଁ ମୋ ପାଇଁ କରୁନାହିଁ। ତୁମ ପରିବାର ପ୍ରତି ଥିବା ମୋର ଦାୟିତ୍ଵ ତୁଲଉଛି। ତୁମର ମନେଥିବ ମୁଁ ତୁମ ପାଇଁ ମୋ ଚାକିରି ଛାଡ଼ି ଭାଇ ଭାଉଜ ଙ୍କ କଥା କୁ ଆଡେଇ ଦେଇ ତୁମ ହାତ ଧରିଥିଲି। ତୁମେ ଭୁଲି ଯାଅ ନି ଯେ ଏସବୁ ମୁଁ ତୁମ ଖୁସି ପାଇଁ କରିଥିଲି। ହେଲେ ଆଜି କାହିଁ ଅନୁଭବ ହେଉଛି ମୁଁ ଭୁଲ୍ ଥିଲି। ମୋ'ର ନିରବ ରହି ତୁମ କଥାକୁ ସମର୍ଥନ ଜଣାଇବା। ଏହା ମୋ'ର ତୁମ ପ୍ରତି ଭଲପାଇବା ଥିଲା।ଆଉ ତୁମ ବୋଉ ଙ୍କର ପ୍ରତ୍ୟେକ କଥାର ପ୍ରତ୍ୟୁତର ନ ଦେବା ତାହା ମୋ'ର ସଂସ୍କାର ଥିଲା।ଆଉ ବଡ଼ ମାନଙ୍କ ପ୍ରତି ସମ୍ମାନ ବି। ତା'ର ମାନେ ନୁହେଁ ଯେ ତୁମ ତାତ୍ସଲ୍ୟ ମୋତେ ବାଧେ ନାହିଁ।ତୁମ ମାନଙ୍କ ର ପ୍ରତିଟି କଥା ମୋତେ ବହୁତ ଦୁଃଖ ଦିଏ। ହେଲେ ମୋ'ର ପଦିଏ କଥା ତୁମ ମନରେ କଷ୍ଟ ନ ଦେଉ ସେଇଥିପାଇଁ ମୁଁ ଚୁପ୍ ରୁହେ। ହେଲେ ଆଉ ନୁହେଁ...... ଅମନ୍ ଅବାକ୍ ହୋଇ ହୋଇ ପ୍ରିତୀ ର ମୁହଁକୁ ଚାହିଁ ଥିଲେ।


    ପଛପଟୁ ଶାନ୍ତି ଦେବୀ ଆସି କହିଲେ - ହଇରେ ଅମୁ,ଗଲୁ ଗଲୁ ବଜାର ଗଲୁ। ଚିକେନ କେଜି ଟେ ଧରି ଆସିବୁ।ଝିଅ ଟା ମୋ'ର ଚିଲ୍ଲି ଚିକେନ ଟିକେ ଖାଇବାକୁ ମନ କରିଛି।ହଇଲୋ, ପ୍ରିତୀ ତୋର ବାସନ ମଜା ସରିଲା ନା ଖାଲି ହାତ ମାରି ହେଉଛୁ? ହଁ ବୋଉ ମୋର ବାସନ ମଜା ସରିଲା ହେଲେ ମୁଁ ଏବେ ଆମ ଘରକୁ ବାହାରିଲି। ଚିକେନ, ଅଣ୍ଡା ଯାହା ଆଣୁଛ ଆଣ ନିଜେ ତିଆରି କରି ନିଜ ଝିଅକୁ ଖୁଆଅ। ମୋ'ର କିଛି କହିବାର ନାହିଁ। ମୁଁ ଚାଲିଲି ଆମ ଘରକୁ। ଅମନ୍ ର କାନ୍ଧକୁ ହଲେଇ ଦେଇ ଶାନ୍ତି ଦେବୀ କହୁଥିଲେ - ଇରେ ଅମୁ, ପ୍ରିତୀ ଉପରେ ଭୂତ,ପ୍ରେତ ଶବାର ହେଲା କି ଆଉ? ନାଇଁ ଲୋ ବୋଉ ପ୍ରିତୀ ର ସ୍ୱ ଆତ୍ମା ଆଜି ଜାଗ୍ରତ ହୋଇଛି।ମାଆ ପୁଅ ହାଁ କରି ଚାହିଁଥିଲେ। ଭାଉଜଙ୍କୁ ଫୋନ୍ କରି ପ୍ରିତୀ କହୁଥିଲା - ଭାଉଜ, ମୁଁ କିଛି ସମୟ ଭିତରେ ଯାଇ ଘରେ ପହଞ୍ଚୁ ଛି। ତୁମ ଭଉଣୀ କୁ କୁହ ସେ ଯାଇ ଘର ଭଡ଼ା ନେଇ ରହୁ।ଆଉ ରୁମ୍ ଯେମିତି ଥିଲା ସେମିତି ସଜାଡି ଦେଉ। କାରଣ ଏଥର ମୁଁ ଦିନେ କି ଦୁଇ ଦିନ ପାଇଁ ନୁହେଁ ଦୀର୍ଘ ଦୁଇ ମାସ ପାଇଁ ଯାଉଛି। ମୋ ବାପାଙ୍କ ସହିତ କିଛି ଦିନ ବିତେଇ ମୁଁ ଫେରି ଆସିବି। ଭାଉଜ ହଡବଡେଇ କିଛି କହିବା ପୂର୍ବରୁ ପ୍ରିତୀ ଫୋନ୍ କାଟିଦେଇ ପ୍ୟାକିଙ୍ଗ୍ କରିବାରେ ଲାଗି ପଡ଼ିଥିଲା। ଶାନ୍ତି ଦେବୀ ଓ ଅମନ୍ ପରସ୍ପରର ମୁହଁ ଚାହାଁ ଚାହିଁ ହେଉଥିଲେ.......!!!!


ପ୍ରତ୍ୟେକ ନାରୀର ବି ଗୋଟେ ମନ ଥାଏ ଆଉ କଷ୍ଟକର କଥା ତାକୁ ବହୁତ ବାଧିଥାଏ।ଆଉ ଅସହ୍ୟ ହେଲେ ସେ ମୁହଁ ଖୋଲେ ନିଜର "ଅସ୍ତିତ୍ବ" ଜାହିର କରେ। ଠିକ୍ ପ୍ରିତୀ ଭଳି........!


    


Rate this content
Log in

Similar oriya story from Abstract