Nityananda Nandi

Tragedy

2  

Nityananda Nandi

Tragedy

ଅସ୍ଥି କଳସ

ଅସ୍ଥି କଳସ

7 mins
3.0K


ରୀତା,

ଡାକ୍ତର କଣ କହିବେ କେଜାଣି, ଚାରି ପାଞ୍ଚ ଦିନ ଆଇ ସି ୟୁ ଭିତରେ ରହିଲେ ତମେ ବୋର ହୋଇଯିବ। ରାତିସାରା ମୁଁ ବି କଣ କରିବି ଏଇ ବେଳା ଭୂଇଁରେ ବସି ବସି, ଅନେକ କଥା କହିବାକୁ ଅଛି ରୀତା, ଆଜି ପର୍ଯ୍ୟନ୍ତ କହି ନାହିଁ, ଭାବିଲି ଚିଠିଟି ଏ ଲେଖିବି ତମ ପାଇଁ ,କାଲି ସକାଳେ ଦେଖାହେଲେ ତମକୁ ଦେବି, ଆଇ ସି ୟୁ ରେ ରହି ପଢ଼ିବ, ଟାଇମ ପାସ ହେବ। 

ଡରୁଛ କି ? ଡରିବାର କିଛି ନାହିଁ। କୃତଜ୍ଞତା ଜ୍ଞାପନ ପାଇଁ ଏଇଟା ମୋ ପାଇଁ ସୁବର୍ଣ୍ଣ ସୁଯୋଗ, ସେଇଥି ପାଇଁ କିଛି ଲେଖୁଛି ରୀତା..


କିଛି ଅଘଟଣ ଘଟିବା ଆଗରୁ ସ୍ବପ୍ନ ସବୁ ପତ୍ରଝଡ଼ା ଦିଅନ୍ତି ନା.. ପ୍ରଚଣ୍ଡ ଲହଡ଼ି। ଘୁଁ ଘୁଁ ଶବ୍ଦ ଭିତରେ କାହାକୁ କିଛି ପଚାରି ବାକୁ ସାହାସ ହେଉନି। ଏକା ଏକା ବସିଛି ବତୀ ଖୁଣ୍ଟ ମୂଳରେ।


ପ୍ରଶାନ୍ତ ମହାସାଗର , ଦେଖ କେମିତି ବ୍ୟାପିଛି ଦୂର ଦିଗ୍ ବଳୟ ପର୍ଯ୍ୟନ୍ତ। ବିସ୍ତୃତ , ସୁସଜ୍ଜିତ ବେଳା ଭୂଇଁ। ସଂଜର ସ୍ପର୍ଶ ପାଇ ପ୍ରଶାନ୍ତ ମହାସାଗର ର ପ୍ରତି ଜଳ କଣିକା ଯେତିକି ଜୀବନ୍ତ ହୋଇ ଉଠୁଛି, ମୋ ମନ ଭିତରେ ଉଦାସୀନତା ର ଚକ୍ରବ୍ୟୁହ ସେତିକି ଚଳ ଚଞ୍ଚଳ ହୋଇ ଉଠୁଛି ରୀତା। ମୁଁ ଶିଥିଳ ହୋଇ ଯାଉଛି। କାହିଁକି କେଜାଣି, ତମ ପାଇଁ ମୁଁ ପାଗଳ ହୋଇଯିବି। ହଠାତ ତମେ ଅସୁସ୍ଥ ହୋଇ ପଡିଲ, ମୁଁ ବୁଝି ପାରୁନି, କଣ କରିବି।


ଦେଖ ! ପ୍ରଶାନ୍ତ ମହାସାଗରର ପ୍ରତିଟି ଲହଡ଼ି ଆସି ତମ ବାବଦରେ ମୋତେ ପଚାରୁଛନ୍ତି। ତମ ଅନୁପସ୍ଥିତି କେମିତି ଗୋଟାଏ ନିଛାଟିଆ ପରିସ୍ଥିତି ସୃଷ୍ଟି କରୁଛି ସମସ୍ତଙ୍କ ପାଇଁ। ଆଖି ଆଗରେ ବିସ୍ତୃତ ଆକାଶ, ଗାଲରେ ହାତ ଦେଇ ବସିଛି। ମେଘ ଆଖିରେ ଓଜନିଆ ଲୁହ, ଖାସ ତମ ପାଇଁ ବୋଧ ହୁଏ। ତମେ ନ ଥିଲେ କାହାକୁ ବି ଭଲ ଲାଗେନା। ତମ ବିନା ପ୍ରତିଟି ମୁହୂର୍ତ୍ତ ମୋତେ ଖାଁ ଖାଁ ଲାଗେ, ସେମାନଙ୍କୁ ବି। ମୋ ମନ ଭିତରେ ତମେ ଏତେ ଜାଗା ନେଇ ଯାଇଛ ଯେ ଆଉ କାହା ପାଇଁ କଣ ଚିନ୍ତା କରିହୁଏ। ମୁଁ କିଛି ଜାଣିନି, ମୁଁ କେବଳ ତମକୁ ଚାହେଁ ରୀତା। 

ଖୁସି ଯେତେବେଳେ ଚିରସ୍ଥାୟୀ ନୁହଁ, ଦୁଃଖ କଥା କିଏ ପଚାରେ, ଓହରି ଯିବ ନିଶ୍ଚୟ। ସେଇ ବିଶ୍ୱାସ ଟିକକ ନେଇ ବସି ରହିଛି ବତୀ ଖୁଣ୍ଟ ମୂଳେ। ତମେ ଶୀଘ୍ର ଠିକ୍ ହୋଇଯିବ ନା ...

ଆଜି ମୁଁ କେବଳ ତମ ପାଇଁ। ମୋ ସଫଳତା ପଛରେ କେବଳ ତମେ ହିଁ ତମେ।


ତମେ ବଳିଦାନ ଦେଇଛ ମୋ ପାଇଁ, କଣ କହିବି, କେଉଁଠୁ ଆରମ୍ଭ କରିବି ବୁଝି ପାରୁନି। ତମର ମନେ ଥିବ କି ନାହିଁ କେଜାଣି ମୁଁ ଜାଣିନି, ଆମେ ଦୁହେଁ ତୃତୀୟ ଶ୍ରେଣୀରେ ପଢୁଥିଲୁ ଆମ ଗାଁ ସ୍କୁଲରେ। ମୁଁ ଘରୁ ଭଜା ତେନ୍ତୁଳି ମଞ୍ଜି ପକେଟରେ ପୁରେଇ ଆଣିଥିଲି। ତମ ସହ ମିଳାମିଶା ଥିଲା ବୋଲି, ତମକୁ ଗୋଟାଏ ଦେଇଥିଲି ଚୋବେଇବା ପାଇଁ। ଚୋବାଉ ଚୋବାଉ ତମ ଆଗ ଦାନ୍ତ ଦୁଇଟି ଭାଙ୍ଗି ରକ୍ତ ବୋହିଲା। ତମେ ସହିଗଲ। ଶିକ୍ଷକ ପଚାରିଲେ ତମକୁ, କଣ ହୋଇଛି ରୀତା ! ସତ କହିଲେ ଶିକ୍ଷକ ମତେ ମାରିବେ ବୋଲି ତମେ ସେଦିନ ମିଛ କହିଲ। କହିଲ ସାର ! ମୋ ପାଦ ଖସିଗଲା, ମୁହଁ କାନ୍ଥରେ ମାଡ଼ ହୋଇଗଲା। ମୁଁ ଚୁପଚାପ ରହିଲି। କିଛି କହିଲିନି। ସତ କଥାଟା ଜାଣିଥିଲେ ମୋ ଛାଲ ଉତ୍ତାରି ଦେଇଥାନ୍ତେ ସେଇ ଭୂଗୋଳ ଶିକ୍ଷକ। ମୋ ନାଆଁ ଶୁଣିଲେ ସେ ଡିଅଁନ୍ତି।

ତମେ ମତେ ମାଡ଼ ଖାଇବାରୁ ରକ୍ଷା କରିଦେଲ। ଆଜି ବି ଯେଉଁ ଦିନ କଥାଟି ମନେ ପଡେ ମୁଁ ଭାବେ ତମେ ଜନ୍ମରୁ ହିଁ ସହାନୁଭୂତି ଦେଖେଇଛ ମୋ ପାଇଁ।


ଦେଖ ! ମହାସାଗରର ଗର୍ବ ଅହଙ୍କାର କେମିତି ଚୁର ଚୁର ହୋଇ ଯାଉଛି ବେଳାଭୁଇଁ ଉପରେ, ସମ୍ପୂର୍ଣ୍ଣ ସମର୍ପଣ, । କେତେ ଭୟଂକର ଏ ଲହଡ଼ି, ମୃଗ ଶାବକ ଟିଏ ପରି ଦୌଡ଼ି ଦୌଡ଼ି ହାଲିଆ ହୋଇ ଶୋଇ ପଡ଼ୁଛି ବେଳା ଭୂଇଁ ର ବାଲି ଉପରେ । ଯୁଦ୍ଧ ଭୂଇଁ ଆସିନି, ମୋତେ ଲାଗୁଛି ମୁଁ ବି ସେଇ କ୍ଳାନ୍ତ ଲହଡ଼ି , ମୃଗ ଶାବକ ଟିଏ ପରି, ହାରି ଯାଉଛି ଜୀବନ ଯୁଦ୍ଧରେ...


ପ୍ରତିଥର ମୁଁ ହାରିଯାଏ, ତୁମେ ମୋ ମନ ବଳ ବଢାଇ ଯୁଦ୍ଧ କରିବାକୁ କୁହ। ବିଟେକ ଫୋର୍ଥ୍ ଇୟର, ଆମେ ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଗଲୁ। ତମେ କାମ୍ପସ୍ ପ୍ଲେସମେଣ୍ଟ ରେ ସିଲେକ୍ଟ ହେଲ , ଆମାଜନ ,ଆମେରିକା ପୋଷ୍ଟିଂ। ମୋର କାମ୍ପସ ରେ ସିଲେକ୍ସନ ହେଲାନି। ମୁଁ ଭାରତରେ ରହିଗଲି। ଅଲମୋଷ୍ଟ ବେକାର। ଶୁଣିଲି, ତମ ଘରେ ମତେ ଡିଭର୍ଶ ଦେଇ ଆମେରିକାରେ ସେଟେଲ ହେବା ପାଇଁ ଜିଦ୍ କଲେ। ପସନ୍ଦ କରି ଆଉ କାହାକୁ ବାହା ହେବା ପାଇଁ କହିଲେ, ତମେ ରୋକ ଠୋକ ମନା କରିଦେଲ। ଏପରିକି ସେମାନଙ୍କ ସହ ସମ୍ପର୍କ ଛିନ୍ନ କରିଦେଲ ମୋ ପାଇଁ। 

ଏମିତି ବି ଫୁଲ ଥାଏ ରୀତା, ପୂଜା ହୁଏନି, କାହିଁକି କେଜାଣି ମଧୁ ମକ୍ଷିକା ଚୁମିବାର ଅଭିନୟ କରି ତିଷ୍କାର କରେ ସେ ଫୁଲକୁ। ଅଭିଭୂତ ହୁଏନି ସେ ତା ବାସ୍ନାରେ। ରଙ୍ଗ ଥାଇ ବି ଜୀବନଟା ରଙ୍ଗ ହୀନ ଲାଗେ, ତମେ କିନ୍ତୁ ସାହାରା ଦେଲ, ମୁଁ ପୁଣି ଥରେ ଆରମ୍ଭ କଲି ବଞ୍ଚିବା ପାଇଁ ଜୀବନକୁ।

ଆମେରିକାର ଗୋଟେ ରୋବୋଟିକ୍ କମ୍ପାନୀର ଇନଟରଭିଉ ପାଇଁ ମୁଁ ନିଜକୁ ପ୍ରସ୍ତୁତ କରୁଥିଲି। ତମେ ମାସେ ଛୁଟି ନେଇ ଆସିଲ ମୋ ପାଇଁ। ଆରଟିଫିସିଆଲ ଇଣ୍ଟେଲିଜେନସ କନସେପଟ୍

ମୋତେ ବୁଝେଇଲ ଦିନ ରାତି। ଏଇ ଗୋଟାଏ ଟପିକ୍ ରେ ମୁଁ ଦୁର୍ବଳ ଥିଲି।

ମୁଁ କ୍ୱାଲିଫାଏ କରି ପାରିଲିନି। ତଥାପି ତମେ ମୋତେ ଭାଙ୍ଗି ଯିବାକୁ ଦେଲନି। ମୋତେ ସାଥିରେ ଆମେରିକା ନେଇଗଲ।


ତମେ ଆମାଜନ୍ ସିଇଓ ଙ୍କୁ ମୋ ବାବଦରେ କହିଲ। କିଛି ଲାଭ ହେଲାନି। ସିଇଓ ଙ୍କ କହିବାନୁଯାୟୀ ତମେ ରିଜାଇନ କଲ। ମୁଁ ତମ ଜାଗାରେ ଜଏନ କଲି।

ମୁଁ ବୁଝି ପାରିଲି, ମୋ ମନ ରଖିବା ପାଇଁ ତମେ ଏତେ ବଡ଼ ଡିସି ସନ୍ ନେଲ, କହିଲ, ଆମେ ଏଣିକି ଫେମିଲି ଓ୍ୱେ ରେ ଯିବା। ମୁଁ ହାଉସ ୱାଇଫ୍ ହୋଇ ରହି ବାକୁ ପସନ୍ଦ କରିବି। ମିଛ କହିଲ 


ଏତେ ବଡ଼ ବଳିଦାନ ଦେଲ ରୀତା ମୋ ପାଇଁ, ତମେ ତମ ଚାକିରୀ ମୋତେ ଦେଲ। ମହାଭାରତ ଯୁଦ୍ଧ ଠାରୁ ବି ବଡ଼ ଯୁଦ୍ଧରେ ମୁଁ ଜିତିଲି, ତମେ ନ ଥିଲେ ନୃଶଂସ କୌରବ ମାନଙ୍କୁ ହରେଇବା କଣ ସମ୍ଭବ ହୋଇଥାଆନ୍ତା ! କୋଳାହଳ ପୂର୍ଣ୍ଣ ପୃଥିବୀର ଭିଡ ଭିତରେ ଅନିଶ୍ଚିତତାର ଚକ୍ରବ୍ୟୁହ, ଏଇଠି କେହି କାହାର ନୁହଁ, ତା ଭିତରେ ପଶି ଯାଇ ମୁଁ କଣ ଫେରିବାର ରାସ୍ତା ଜାଣିଥିଲି, ତମେ ମୋ ହାତ ଧରି ନେଇ ଆସିଲ ତା ଭିତରୁ। ତା ପରେ ମୁଁ ଆମେରିକାରେ ତମ ସହିତ ସେଟେଲ ହୋଇଗଲି। ଆଉ ପଛକୁ ଦେଖିନି, ମାଡି ଚାଲିଲି ଆଗକୁ। ସଫଳତାର ଶୀର୍ଷରେ ପହଞ୍ଚିଲି। 


ଶୁଣି ଥିଲି, ପ୍ରତି ସଫଳ ମଣିଷ ପଛରେ ନାରୀ ଟିଏ ଥାଏ। ତମେ ମୋର ମେରୁଦଣ୍ଡ ରୀତା, ଏତେ ବଡ଼ ସାକ୍ରିଫାଇସ। ବୁଝେଇ ଶୁଖେଇ କହିଲେ ବି କେହି ବିଶ୍ବାସ କରିବେନି। ସମସ୍ତେ ଗପଟିଏ ଭାବି ହସିଦେବେ, I salute you Rita, you are rarest of rare.

ଅଫିସ ରେ ରେ କିଏ ମୋତେ ହୃଦୟ ଦେଇ ବସିଲା, ଅନେକ ସମୟ କଟିଲା ଫୋନ ଫାନ୍ ରେ। ମୁଁ ବୁଝି ପାରୁଥିଲି ମୁଁ ତମକୁ ଅବହେଳା କରୁଛି, ତଥାପି ଭୁଲ କରି ବସିଥିଲି। ହଠାତ ଦିନେ ଦେଖିଲି , ସେ ଝିଅ ଆଉ ଅଫିସ ଆସୁନି। ଆଟଲାନଟା ଟ୍ରାନସ ଫର୍ ହୋଇ ଚାଲି ଯାଇଛି। ତା ପରେ ନୋ ଫୋନ୍, ନୋ ଚାଟିଂ।

ଦିନେ ତମ ଫୋନ ଦେଖୁ ଦେଖୁ, ତମ ମେସେଜ ବକ୍ସ ରେ ଦେଖିଲି, ମେସେଜ ଟିଏ ସେ ଝିଅ ପାଇଁ ତମେ ଲେଖି ଥିଲ।

ଡିଅର ଜିନି

ତମେ ବି ଜଣେ ମହିଳା, ମୁଁ ବି ଜଣେ ମହିଳା। ମୋ କଥା ତମେ ଠିକ୍ ବୁଝି ପାରିବ। ଅବିନାଶ ମୋ ସ୍ଵାମୀ, ମୁଁ ଅବିନାଶ ଙ୍କୁ ଜୀବନ ଠୁ ବେଶୀ ଭଲ ପାଏ। ତମେ ତାଙ୍କୁ ମୋ ଠୁ ଛଡେଇ ନିଅନି....ତମେ ଦୂରେଇ ଯାଅ, ପ୍ଲିଜ୍।


ମୁଁ ବି ମୋର ଭୁଲ ବୁଝି ପାରିଲି ତମର ଏଇ ମେସେଜ ପଢ଼ିବା ପରେ। ନା ତମେ ଏ ବାବଦରେ ମୋତେ କିଛି କହିଲ, ନା ଭୟରେ ମୁଁ କିଛି କହିଲି। ସମ୍ପର୍କ ଟା କାଚ ଠାରୁ ବି ବେଶୀ ଫ୍ରା ଜାଇଲ ରୀତା। ତମେ ଅକ୍ଷତ ଅବସ୍ଥାରେ ରଖିବା ପାଇଁ ଚାହିଁଲ ଆମ ସଂପର୍କ କୁ। ସେଇଥି ପାଇଁ ବୋଧ ହୁଏ ଆଉ ଆଗକୁ ବଢେଇ ନ ଥିଲ କଥାଟିକୁ। ଚାହିଁ ଥିଲେ ମୋତେ ତୁମେ ଭତ୍ସନା କରି ପାରି ଥାଆନ୍ତ , ଗାଳି କରି ଥାଆନ୍ତ, କିନ୍ତୁ କିଛି କରିନ। ସୀମାତୀତ ଭଲ ପାଇବା ତମର ମୋ ପାଇଁ।

***

ଫୋନ କଲ୍ ପାଇ ଦୌଡିଲି ହସ୍ପିଟାଲକୁ, ରୀତା ର କୋରୋନା ପଜିଟିଭ୍। ଗ୍ଲାସ ଫିଟେଡ୍ ୱାଲ୍। 

ଡାକ୍ତର କହିଲେ ରୀତା ସିରିଅସ, ଗ୍ଲାସ  ମାଧ୍ୟମରେ ତମେ ରୀତାକୁ ଦେଖିନିଅ, ତାକୁ ଆମେ ଶୀଘ୍ର ଆଇ ସି ଇଉ ଭିତରକୁ ନେଇଯିବୁ।

ଆର ପଟରେ ରୀତା, ଏ ପଟେ ମୁଁ। କାଚ ଦେଇ କଣ କାହାକୁ ଛୁଇଁ ହୁଏ, ତଥାପି ଅତି ପ୍ରିୟତମ ମଣିଷକୁ ଛୁଇଁବା ପାଇଁ ଚେଷ୍ଟା କରୁଥିଲି। ରୀତା ମଧ୍ୟ ଛୁଇଁ ବାକୁ ଚେଷ୍ଟା କରୁଥିଲେ ମୋତେ। କାନ୍ଥର ଦୁଇ ପାର୍ଶ୍ଵରେ ଦୁଇଟି ମଣିଷ। କାଚର ଉଷ୍ମତା ରେ ଶିଥିଳ ହୋଇ ଯାଉଥିଲା ଦୁଇଟି ଓଠ। ସ୍ପର୍ଶ ସମ୍ଭବ ନ ହେଲେ ବି ମନ ଓ ହୃଦୟକୁ କେହି କଣ ଅଟକାଇ ପାରେ !! ଆମ ଦୁହିଁଙ୍କ ଆଖି ଲୁହର ଉଷ୍ଣତାରେ ତରଳି ଯାଉଥିଲା କାଚର ସେଇ କାନ୍ଥଟି।

ମନ ଭରି ରୀତାଙ୍କୁ ଦେଖି ନେଲି।

ମୋତେ ବି ହସ୍ପିଟାଲାଇଜ୍ କରି ଦିଆଗଲା।

ଆଇସୋଲେସନ୍ ବେଡ ରେ ମୁଁ ଛଟ ପଟ ହେଉଥିଲି । ମନ ଥିଲା ରୀତା ପାଖରେ। କୋରୋନା ଟେଷ୍ଟରେ ମୋର ନେଗେଟିଭ ଆସିଛି। ଖୁସି ହୋଇ ଲେଖିଥିବା ଚିଠିଟି କୁ ରୀତା ଙ୍କୁ ଦେବା ପାଇଁ ନର୍ସ ଙ୍କୁ ଅନୁରୋଧ କଲି । ନର୍ସ ଚିଠି ନେଇ ଅଦୃଶ୍ୟ ହୋଇ ଗଲେ ମୋ ଆଗରୁ। 

କଣ ହେବ କେଜାଣି, ରୀତା ସିରିଅସ୍ ଥିଲା କାଲି। କେତେ ସମୟ ଲାଗିବ କେଜାଣି ଠିକ୍ ହେବାକୁ, ଚିଠି ପଢ଼ି ନିଶ୍ଚୟ ଖୁସି ହେବ, ଟାଇମ ପାସ ହେବ, ବାର ବାର ପଢ଼ି ଖୁସି ହେବ। ଯାହା କହିବି କହିବି ବୋଲି ଅନେକ ଦିନରୁ ଭାବୁଥିଲି ଆଜି କହିଦେଲି, ମନଟା ହାଲକା ହୋଇଗଲା।

କିଛି ସମୟ ପରେ ଡାକ୍ତର ଆସି ଅସ୍ଥି କଳସ ବଢେଇ ଦେଇ ମୋତେ କହିଲେ ସରି, ରୀତା ଙ୍କୁ ବଞ୍ଚେଇବା ସମ୍ଭବ ହେଲାନି। ସରକାରଙ୍କ ନିୟମାନୁଯାୟୀ ଆମେ ଶବ ସତ୍କାର କରି ଦେଇଛୁ, ଅସ୍ଥି କଳସ ନେଇ ଯାଆନ୍ତୁ, ଆମେ ଆପଣ ଙ୍କୁ ଡିସଚାର୍ଜ କରି ଦେଉଛୁ। ନର୍ସ ଚିଠିଟି କୁ ଫେରେଇ ଦେଲେ ମୋତେ ।

ସମସ୍ତ ଆକାଶ ଟା ଭାଙ୍ଗି ପଡ଼ିଲା ମୋ ମଥା ଉପରେ। କାଲି ଆଉ ଆଜି ଭିତରେ ଅନେକ ତଫାତ୍ ଥିଲା ମାେ ପାଇଁ। କାଲି ରୀତା ସାଥିରେ ଥିଲେ, ଆଜି ନାହାନ୍ତି। ଜୀବନର ପଶା ଖେଳରେ ସର୍ବସ୍ବ ବାଜି ରଖି ମୁଁ ହାରି ଗଲି। ମେଘର ବର୍ଷା ଠାରୁ ବି ଅଧିକ ଲୁହ ବୋହି ଯାଇ ଭିଜି ଗଲା ମୋର ସମଗ୍ର ଶରୀର। ମୁଁ ନିରୁପାୟ ଥିଲି।


ଟେକ୍ସି ରେ ବସି ମୁଁ ଲେଖିଥିବା ଚିଠିକୁ ଆଉ ଥରେ ପଢିବାକୁ ଚେଷ୍ଟା କରୁଥିଲି, ଏ କଣ ! ଏଇଟା ତ ରୀତା ର ଚିଠି, ସେ ବି ମରିବା ପୂର୍ବରୁ କିଛି ଲେଖିଛି ମୋ ପାଇଁ ବୋଧ ହୁଏ..


ଅବିନାଶ !

କହିବାକୁ ଭୁଲି ଯାଇଥିଲି ଡିଅର, ମୁଁ ପ୍ରେଗ୍ନାନ୍ଟ ବୋଲି ବୋଉ କୁ କହିଥିଲି। ହୀରା ପଥର ନିର୍ମିତ ବ୍ରେଶଲେଟ ପଠେଇଛି ସେ in advance. ପୁଅ ହେବ କି ଝିଅ ହେବ ସେ କଣ ଜାଣିଛି ! ତର ବର ହୋଇ ଆସିଲା ବେଳେ ମୁଁ ଡ୍ରଇଂ ରୁମର ଟିପୟ ଡ୍ରୟାର ରେ ରଖି ଦେଇ ଆସିଛି, ଭଲ ଜାଗାରେ ରଖିବ। ବୋଉ କହୁଥିଲା, ଦେଢ଼ ଲକ୍ଷ ପଡିଛି । 

ଦିନେ ଦୁଇ ଝାଡୁ ପୋଛା ଲଗେଇଦେବ , ଅବିନାଶ। ମୁଁ ଆସିଲେ ସବୁ କଥା ବୁଝି ନେବି। ଗ୍ୟାସ କିମ୍ବା ୱାଶିଂ ମେସିନ ରେ ଲାଗିବନି, ଭାରି ଅନ୍ୟ ମନସ୍କ ତମେ। ଦିନେ ଦୁଇଦିନ ପାଇଁ ବାହାରୁ ମଗେଇ ଖାଇ ନେବ ପ୍ଲିଜ୍। ଡାକ୍ତର ଆସିଗଲେ। ଆଉ କିଛି ଲେଖୁନି, Bye


ଚିଠି ଭିଜି ଯାଇଥିଲା ଏହା ଭିତରେ...


ଆଃ, କେତେ ଜୀବନ୍ତ ସ୍ବପ୍ନ ନେଇ ବଞ୍ଚିଥିଲେ ସେ। ନିଜ ପାଇଁ, ପେଟ ଭିତରେ ବଢୁଥିବା ଆମ ସନ୍ତାନ ପାଇଁ।

ସମୟ କେତେ ନିଷ୍ଠୁର, ଜୁଆର ପରେ ଭଟ୍ଟା ଆସେ ବୋଲି ଶୁଣିଥିଲି, କିନ୍ତୁ ମୋ ଜୀବନରେ ଜୁଆର ପରେ ହିଁ ଜୁଆର। ହାତ ମୁଠାରେ ସବୁ ଥାଇ ବି କିଛି ନାହିଁ। ପୂର୍ଣ୍ଣତା ଆଉ କେଉଁଠି ? ଯାହାକୁ ନେଇ ଏତେ ସ୍ବପ୍ନ ଦେଖିଥିଲି,ମୋ ଜୀବନର ସେଇ ସର୍ବଶ୍ରେଷ୍ଠ ନାରୀ ଆଉ ମୋ ପାଖରେ ନାହାନ୍ତି... ଅଛି ଆଉ କଣ ! ଖାଲି ରୀତା ର ଚିଠି ଟିଏ ହାତ ମୁଠାରେ....


ଅସ୍ଥି କଳସ ଭିତରେ ରୀତା ଙ୍କୁ ଖୋଜୁ ଥିଲି, ତାଙ୍କ ପେଟ ଭିତରେ ବଢୁଥିବା ଛୁଆ ଟି ବି ପାଉଁଶ ପାଲଟି ଯାଇ ଥିବ ମାଆ ସହିତ..ଦୁଇଟୋପା ଲୁହ ନିଗଡ଼ି ଯାଇ ରୀତା ର ପାଉଁଶ ସହିତ ମିଶି ଯାଉଥିଲା, କଲିଜା କୁ ପଥର କରି ଆକାଶ ଆଡ଼କୁ ଅନେଇ ନିଜକୁ ଯଥାସମ୍ଭବ ନିୟନ୍ତ୍ରିତ କରୁଥିଲି ମୁଁ....


Rate this content
Log in

Similar oriya story from Tragedy