Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

ପ୍ରଶାନ୍ତ କୁମାର ବେହେରା

Tragedy Crime


4.6  

ପ୍ରଶାନ୍ତ କୁମାର ବେହେରା

Tragedy Crime


ଅଷ୍ଟମଙ୍ଗଳା

ଅଷ୍ଟମଙ୍ଗଳା

14 mins 533 14 mins 533


ଲୋକଟା କେତେବେଳେ ବି ଚୁପ୍ ରହେନି l ସବୁବେଳେ ବକର ବକର ହେଉଥିବ l ଗାଡିକୁ ଫାଙ୍କା ରାସ୍ତାରେ ଫୁଲ୍ ସ୍ପିଡ୍ ରେ ଦୌଡାଇବା ବେଳେ ହେଉ ବା ଭିଡ ଭିତରେ ଫସିଥିବା ବେଳେ ହେଉ, ସବୁଠି ତା' ଗପ ଚାଲିଥିବ l ଏମିତି ଗପୁଡ଼ି ମୁଁ ଜୀବନରେ ଆଉ କେଉଁଠି ଦେଖିନି l ତା'ର ଏଇ ଗୁଣପାଇଁ ମୁଁ ପ୍ରାୟେ ତା' କାର୍ ରେ ଯିବାକୁ ପସନ୍ଦ କରେନାହିଁ l ଯେଉଁଦିନ ଅନ୍ୟ ସବୁଆଡୁ ନିରାଶ ହୁଏ ସେଦିନ ବାଧ୍ୟହୋଇ ତାକୁ ଫୋନ୍ କରେ l ତା'ର ଗପ ଗୁଡାକ ମୋର ଏ କାନରେ ପଶି ସେ କାନରେ ବାହାର କରିଦିଏ l କେବଳ ସୌଜନ୍ଯତା ଦୃଷ୍ଟିରୁ କେତେବେଳେ କେମିତି " ଆଚ୍ଛା " " ଓହୋ " " ହୁଁ " ଏମିତି ଗୋଟେ ଗୋଟେ ଶବ୍ଦ ଫୋପାଡି ଦିଏ l


ସେଇ ଗପ ଭିତର ବି ଗାଡିକୁ ଫୁଲ୍ ସ୍ପିଡ୍ ରେ ଚଳାଏ l ସମୟେ ସମୟେ ମୁ୍ଁ ତାକୁ କହେ, " ଶୁଣ, ଆମେ ଧିରେ ସୁସ୍ଥେ ଯିବା l ତରତର ହେବାର କୌଣସି ଆବଶ୍ୟକତା ନାହିଁ l " 


ସେ ' ହଉ ' ସାର୍ ବୋଲି କହି ଗାଡିର ଗତିକୁ କମାଇଦିଏ l ତାର ସେଇ ସବୁ ଗପ ଗୁଡାକ ଭିତରେ କିଛି ମୁଁ ଶୁଣିଛି l ଖାଲି ଶୁଣିନି ମନେ ବି ରଖିଛି l ସେ କେମିତି ଆଉ ଜଣଙ୍କ ଗାଡି ଚଳାଉଥିଲା l ପରେ ନିଜେ ବ୍ୟାଙ୍କ ଲୋନ୍ ନେଇ ଏଇ ଗାଡିକୁ କିଣିଛି l କିସ୍ତି ମାସକୁ ମାସ ଦେବାବେଳେ ଖୁବ୍ କଷ୍ଟରେ ଜୀବନ ବିତାଇଛି l ଦିନେ ଦିନେ ଗାଡି କିଛି ରିପାରିଂ ଖୋଜିଲେ ପାଖରେ ପଇସା ନଥାଏ l ସେଇ ସମୟରେ ତା' ସ୍ତ୍ରୀ କେମିତି ପୂର୍ବରୁ ତା' ପକେଟରୁ ପଇସା ଲୁଚାଇକି ସଞ୍ଚୟ କରି ରଖିଥାଏ ସେଇଥିରୁ ଦିଏ ଗାଡିକୁ ଗ୍ୟାରେଜ୍ ନେଇ ସଜାଡିବାକୁ l ଏଇ ଗଡି କୁଆଡେ ତା' ପାଇଁ ଖୁବ୍ ଲକି l ଏ ଗାଡି କିଣିବା ପରେ ତା' ବାହାଘର ଗୋଟେ ଭଲ ଝିଅ ସହିତ ହେବା ସହ ପୁଅଟେ ବି ଛଅ ମାସ ତଳେ ହୋଇଛି l ତାର ଏମିତି ମନଖୋଲା କଥାବାର୍ତ୍ତା ସମୟେ ସମୟେ ଖୁବ୍ ଭଲ ଲାଗେ l ତା' ସ୍ତ୍ରୀ କେମିତିଆ ମୁଁ ତାକୁ ପଚାରିନଥିଲି l କିନ୍ତୁ ସେ ତା ସ୍ତ୍ରୀକୁ ଏମିତି ପ୍ରଶଂସା କରିବା ଶୁଣିବାକୁ ଭଲ ବି ଲାଗୁଥିଲା l ମୁଁ ମୋ ସ୍ତ୍ରୀକୁ କେବେ କେଉଁଠି ପ୍ରଶଂସା କରିଥିବି କାଇଁ ଆଦୌ ମବେ ପଡୁନି l ସେ ଯାହାବି ହେଉ ଖୁବ୍ ଖୁସିବାସୀ ପିଲାଟା l ମନକଥା ସବୁ ଏମିତି ଖୋଲିକି ପର ଆଗରେ କହିପକାଇବା ଖୁବ୍ କମ୍ ଲୋକଥିବେ ଏ ଦୁନିଆରେ l ତା' କଥାବାର୍ତ୍ତା ହିଁ ଜଣାଇଁ ଦେଉଥିଲା ସେ କେତେ ସରଳ ଓ ନିଷ୍କପଟକ ବୋଲି l ଏମିତି ସବୁ ଘରକଥା, ବାହାର କଥା ସେ ଅନବରତ ଗପୁଥାଏ l


ଏଥର ଭୁବନେଶ୍ବର ଯିବା ବେଳେ ତା' ହାବୁଡରେ ପଡିଗଲି ଅର୍ଥାତ୍ ତା' ଗାଡିରେ ହିଁ ଯିବାକୁ ହେଲା l ଗାଡିରେ ବସୁବସୁ ଗପ ଷ୍ଟାର୍ଟ l ମୁଁ ଟିକେ ହସିଦେଇ ଇସରାରେ କହିଲି ଚାଲ l କିଛି ବାଟ ଗଲାପରେ ସେ ଯାହା କହିବା ଆରମ୍ଭ କଲା ମୁଁ ପୁରା ସଜାଗ ହୋଇଗଲି ଶୁଣିବାକୁ l ସବୁବେଳେ ପ୍ରାୟ ନ ଶୁଣି ଶୁଣିବାର ଅଭିନୟ କରୁଥିଲି ଏବେ କିନ୍ତୁ ଯେଉଁ କଥା ଆରମ୍ଭ କଲା ତାହା ମୋତେ ବିଦ୍ଯାଳୟର ଶ୍ରେଣୀ ଗୃହରେ ବସିଥିବା ଜଣେ ମେଧାବୀ ଛାତ୍ରରେ ଓ ତାକୁ ଜଣେ ଭଲ ଶିକ୍ଷକ ଭାବରେ ରୂପାନ୍ତରିତ କରିଦେଲା l ଖୁବ୍ ଗୁଡାଏ ଜିଜ୍ଞାସାରେ ଭର୍ ପୁର୍ ଆଖିରେ ତା' ଆଡକୁ ଅନାଇ ରହିଲି l 


ମୋ ଭିତରେ ତା' କଥା ଆଗ୍ରହର ସହ ଶୁଣିବାକୁ ଯେଉଁ କେଇ ପଦ କଥା ସୃଷ୍ଟି କରିଥିଲା ତାହା ହେଉଛି , " ସାର୍ ଦୁଇଦିନ୍ ତଳେ ରାତିରେ କି ମାଡ ମୁଁ ଖାଇଛି ! କୁହନ୍ତୁ ନାହିଁ ସେକଥା l ଏବେ ବି ଦେହ ହାତରୁ ଦରଜ ଯାଇନି l"


ମୁଁ ତା'ର ଏଇ କଥାରେ ଖୁବ୍ ଆଶ୍ଚର୍ଯ୍ୟ ଚକିତ ହୋଇଗଲି l କି ପିଲା ଇଏ ? ଯିଏ ନିଜେ ମାଡ ଖାଇବାକଥା ମୁହଁରେ ସ୍ୱୀକାର କରିବାକୁ ତିଳେହେଁ ଶଙ୍କୋଚ କରୁନି l ସାଧାରଣତଃ ଯେ କେହି ଲୋକ ନିଜ ଜୀବନରେ ଘଟିଥିବା ଏମିତି ମାଡ ଗାଳି ଖାଇବା କଥା କହିବାକୁ ପଛାଇଥାନ୍ତି l ଏଠି କିନ୍ତୁ ଗୋଟେ ଲୋକ ପୁରା ମନ ଖୋଲିକି ସେଇ କଥା କହିବାକୁ ଟିକେ ବି ଦ୍ୱିଧା କରୁନି l


ମୁଁ ଏଥର ମୁହଁଖୋଲି ପଚାରୋଲି, " କିଏ କାହିଁକି ଏମିତି ମାରିଲା ? "


ସେ କାର୍ ରେ ଟପ୍ ଗିଅର୍ ଲଗେଇଦେଇ କହିବା ଆରମ୍ଭ କଲା l ସେ ତା' କଥା ସବୁକୁ ବଢିଆ ଢଙ୍ଗରେ ସଜେଇକି କହୁଥାଏ l ସେଇ କଥା ସବୁ ଏମିତି ଥିଲା l 


" ବୁଝିଲେ ସାର୍ ଦୁଇ ଦିନ ତଳେ ଏଇ ସାଦେଇପୁରରୁ ଗୋଟେ ଭଡା ପାଇଲି l ଅଷ୍ଟମଙ୍ଗଳା ଦିନ ପୁଅ ବୋହୁ ବୁଲିବାକୁ ଯିବେ ବୋହୁର ବାପ ଘରକୁ l ସକାଳ ଆଠରୁ ବାହାରିଲୁ l ବୋହୁଟିର ବାପ ଘର ସେଇ ସାଲେପୁର ପାଖପାଖି ଏକ ଗାଁଆଁରେ l ଆମେ ସାଦେଇପୁରରୁ ରଘୁନାଥପୁର, ସୋମପୁର ଓ କିଶୋନଗର ଦେଇ ପ୍ରାୟ ଦେଢ ଘଣ୍ଟାପରେ ସାଲେପୁରରେ ପହଞ୍ଚି ଗଲୁ l ସେ ବୋହୁଟି ତା' ବାପ ଘରକୁ ଯାଉଥିବାରୁ ଖୁବ୍ ଖୁସିଥାଏ l ବେକ, କାନ, ହାତ ଓ ମୁଣ୍ତ ସବୁଆଡେ ଯେମିତି ସୁନାରେ ନେଶି ହୋଇଥାଏ l ବାହାଘରରେ ବାପଘର , ଶାଶୁଘର ଓ ବନ୍ଧୁ ବାନ୍ଧବ ଦେଇଥିବା ସମସ୍ତ ସୁନା ଗହଣାକୁ ଦେହରେ ଲଗାଇଦେଇଥାଏ ବୋଧେ l ସେ ପୁଅଟି ବି ଶଶୁର ଘରକୁ ଜ୍ୱାଇଁ ହିସାବରେ ବାହାଘର ପରେ ପ୍ରଥମଥର ଯାଉଥିବାରୁ ହାତରେ ବ୍ରେସ୍ଲେଟ୍, ବେକରେ ଭଲ ଓଜନଦାର୍ ଚେନ୍ ଓ ହାତରେ ମଧ୍ୟ ଗୋଟେ କି ଦୁଇଟି ମୁଦି ପିନ୍ଧିଥାଏ l ଯାହାକୁ କୁହନ୍ତି ସାର୍ ଆମର ଏତେ ସୁନା ଅଛି ଦେଖାଇହେବା ଠିକ୍ ସେଇଆ l ମୁଁ ତାଙ୍କୁ ଦେଖୁଦେଖୁ ଭାବୁଥାଏ ଏମିତି ପୁଳେ ସୁନା ଆଜିକାଲି ଯୁଗରେ ରାସ୍ତା ଘାଟରେ ପିନ୍ଧି ଯିବା ଆଦୌ ଠିକ୍ ନୁହେଁ l କିନ୍ତୁ ତାଙ୍କ ସୁନା, ସେମାନେ ପିନ୍ଧୁଛନ୍ତି ମୁଁ ଆଜ୍ଞା କହିଥିଲେ କହିଥାନ୍ତେ ସାମାନ୍ୟ ଡ୍ରାଇଭର୍ ଟା ଏତେ ଉପଦେଶ କଣ ଦେଉଛୁ, ତେଣୁ ମୁଁ ଚୁପ୍ ଚାପ୍ ଗାଡି ଚଳାଇଲି l "


ଏତିକି ଏକା ନିଶ୍ବାସରେ କହି ସେ ଟିକେ ଅଟକିଗଲା l ମୁଁ ତା' କଥା ମନଧ୍ୟାନ ଦେଇ ଶୁଣୁଛି ବୋଲି ଜଣାଇବା ଉଦ୍ଦେଶ୍ଯରେ କହିଲି, " ହଁ ଝିଅଟି ଯେତେବେଳେ ବାପ ଘରକୁ ବିବାହପରେ ପ୍ରଥମଥର ଯାଏ ଆଉ ସାଙ୍ଗରେ ସ୍ୱାମୀଟି ଥାଏ ଏମିତି ଖୁସିରେ ସୁନା ଜିନିଷ ପତ୍ର ସବୁ ପିନ୍ଧି ଖୁବ୍ ସଜେଇହୋଇ ଯାଏ l ଏଥିରେ କିଛି ଅସୁବିଧା ନାହିଁ l" 


ତାକୁ ଏତିକି କହି ମନେ ମନେ ଭାବୁଥିଲି ମୋ ସ୍ତ୍ରୀ ମଧ୍ୟ ଏମିତି ସଜେଇହୋଇ ଅଷ୍ଟମଙ୍ଗଳା ଦିନ ତା' ବାପ ଘରକୁ ମୋତେ ସାଙ୍ଗରେ ଧରି ଯାଇଥିଲା l


ମୋ କଥା ଶୁଣି ସେ ବହୁତ ଖୁସି ହୋଇଗଲା l ଖୁସି ହେବାର କାରଣ ହେଉଛି ମୁଁ ତା' କଥା ମନଧ୍ୟାନ ଦେଇ ଶୁଣୁଥିବାରୁ l 

ସେ ପୁଣି କହିବା ଆରମ୍ଭ କଲା , " ବୁଝିଲେ ସାର୍ ସେ ବୋହୁଟିର ବାପ ଘର ଥିଲାବାଲା ପରିବାର l ଖୁବ୍ ବଡଲୋକ ଘର କହିଲେ ଅତ୍ୟୁକ୍ତି ହେବନି l ଏ ସାଦେଇପୁର ପିଲାଟି ବୋଧେ ଭଲ ଅଫିସର୍ କି କ'ଣ ଚାକିରି କରିଥିବାରୁ ଝିଅଘର ତା ସହିତ ବିଭା କରିଥିଲେ l ସେଠି ପହଞ୍ଚି ଏ ବୋହୁଟି ଯେମିତି ଗାଁଆଁ ଦାଣ୍ତରେ ହଠାତ୍ ବାଗୁଡି ଖେଳିବା ଆରମ୍ଭ କରିଦେଲା l"


ତା କଥାରେ ମୁଁ ଜୋର୍ ରେ ହସି କହିଲି, " ବାଗୁଡି କଣ ଖେଳିଲା ? " 


ସେ କହିଲା , " ହଁ ସାର୍ ସେଇଆ l ଘରେ ପହଞ୍ଚୁ ପହଞ୍ଚୁ ସଙ୍ଗେ ସଙ୍ଗେ ଶାଢୀ ଓଲ୍ହାଇ ଡ୍ରେସ୍ ପିନ୍ଧି ଗାଁଆଁରେ ଆ'ଘର ତା'ଘର ଖାଲି ଦୌଡା ଦୌଡି କଲା l କେତେବେଳେ ସାଙ୍ଗରେ କାହାକୁ ନେଇ ଯାଉଥାଏ ଜଣା ପଡୁନଥାଏ l ମଝିରେ ମଝିରେ ତା' ସ୍ୱାମୀକୁ ବି ସାଙ୍ଗରେ ଧରି କାହା ଘରକୁ ଯାଉଥିଲା l ସେତେବେଳେ ସ୍ୱାମୀଟି ଗୋଟେ ସ୍କୁଲ୍ ଛାତ୍ର ଆଉ ସେ ଝିଅଟି ଯେମିତି ତା ଶିକ୍ଷୟତ୍ରୀ ସେମିତି ଲାଗୁଥିଲା l ଝିଅଟିର କଥା ମୁତାବକ୍ ସ୍ୱାମୀଟି ପୁରା ଚାଲୁଥାଏ l ଯାହା କୁହନ୍ତି ପୁରା ଆଜ୍ଞାଧୀନ ଛାତ୍ର l ଏମିତି ଲାଗୁଥିଲା ଯେମିତି ସେଇ ଗାଁଆଁ ଦାଣ୍ତ ଖୁବ୍ ଗର୍ବ କରୁଥିଲା ସେଇ ଝିଅଟିର ଏହି ବେଶଭୁଷା ସହିତ ତା' ପାଦର ପାଉଁଜୀର ଛମ୍ ଛମ୍ ଶବ୍ଦରେ l ସେଇ ଗାଁଆଁ ଦାଣ୍ତରେ ପିଲାବେଳୁ ଝିଅ ଦିନରୁ କେତେ ଚଲାବୁଲା କରିଥିବ କିନ୍ତୁ ଏ ଚାଲିବା ସେ ଚାଲିବାଠୁ ଖୁବ୍ ନିଆରା ଥିଲା l "


ଏ ଭିତରେ ଆମେ କେତେବେଳେ କଇଜଙ୍ଗା ପାଖରେ ପହଞ୍ଚି ସାରିଥିଲୁ l ମୁଁ ତାକୁ କହିଲି, " ଏଠି ଗାଡି ରଖ, ଟିକେ କଫି ପଇକି ଧିରେ ସୁସ୍ଥେ ଏମିତି କଥା ହୋଇକି ଯିବା l" 


ସେ କିନ୍ତୁ ତା' କଥାରେ ଏତେ ମଜ୍ଜି ଯାଇଥିଲା, ଏମିତି ଅଧାରୁ ବନ୍ଦ କରିବା ମୁଡ୍ ରେ ଆଦୌ ନଥିଲା l କିନ୍ତୁ ବାଧ୍ୟହୋଇ ମୋ କଥା ମୁତାବକ୍ ଗାଡି ସାଇଡ୍ କଲା l କଫି ପିଇ ସାରି ପୁଣି ଗାଡିରେ ବସିଛୁ ତ ତା' ବକ୍ ବକ୍ ପୁଣି ଆରମ୍ଭ କରିବାକୁ ମନସ୍ଥ କରି ମୋତେ ପଚାରିଲା, " ସାର୍ ଆମର ସେ କଥା କେଉଁ ଯାଏ ଯାଇଥିଲା ? " 


ମୁଁ ବି ମଜାରେ କହିଲି, " ଗାଁ ଦାଣ୍ତରେ ସେ ଝିଅ ବାଗୁଡି ଖେଳୁଥିଲା କେତେବେଳେ କାହାକୁ ଧରି କହି ହେଉନଥିଲା l" 


ସେ କହିଲା, " ହଁ ସାର୍ ଠିକ୍ କହିଲେ, ମୁଁ ସେ ପୁଅଟିର ପାଟି ଯାହା ଅଳ୍ପ ବହୁତେ କାର୍ ଭିତରେ ହିଁ ଶୁଣିଥିଲି l କିନ୍ତୁ ଶଶୁର ଘରେ ପହଞ୍ଚିଯିବା ପରେ ସେ ଯେମିତି ପୁରା ମୁକ ପାଲଟିଗଲା l  ଯାହା କଥାବାର୍ତ୍ତା କେବଳ ସେଇ ଝିଅଟି ହିଁ କରୁଥିଲା l"


ମୁଁ ମନେମନେ ଭାବିଲି ପ୍ରାୟେ ଅଧିକାଂଶ ଜ୍ୱାଇଁ ଅଷ୍ଟମଙ୍ଗଳାରେ ଶଶୁର ଘରକୁ ଗଲେ ମୁକ ପାଲଟି ଯିବାକୁ ଉଚିତ୍ ମନେ କରନ୍ତି l ତୋ ଭଳି ସବୁବେଳେ ବକର ବକର ହେବା ଲୋକ ଖୁବ୍ କମ୍ ଥିବେ ଏ ସଂସାରରେ l ତେଣୁ ଶଶୁର ଘରେ ଏ ଲୋକର ମୁକ ହେବା ନିହାତି ଅସମ୍ଭବ କଥା l 


ତଥାପି ତାକୁ ବୁଝାଇବାକୁ ଯାଇ କହିଲି, " ନାଇଁ କଥାଟା ତମେ ଯେମିତି କହୁଛ ସେମିତି ନୁହେଁ, ପ୍ରଥମଥର ପାଇଁ ଶଶୁର ଘରେ ଜ୍ୱାଇଁ ମାନେ ପ୍ରାୟ ଚୁପ୍ ରୁହନ୍ତି l ସେଠି ଝିଅଟି ପୁରା ଆଧିପତ୍ଯ ବିସ୍ତାର କରିନେଇଥାଏ l ବାପ ଘରେ ସବୁ ଝିଅମାନେ ଦେଖାଇଵାକୁ ଚାହାନ୍ତି ଯେ ସେମାନେ ବାହାଘରର ଏଇ ଅଠ ଦିନ ଭିତରେ ସ୍ୱାମୀଟିକୁ ନିଜ ହାତମୁଠାକୁ ପୁରା ନେଇ ଆସିଛନ୍ତି l ତାଙ୍କ କଥା ମୁତାବକ ସ୍ୱାମୀଟି ପୁରା ଚାଲିଛି l ଏମିତି ଦେଖି ଝିଅର ବାପା ମା ତଥା ପରିବାରର ଅନ୍ୟମାନେ ତାଙ୍କ ଝିଅଟି ବହୁତ ଭଲରେ ଅଛି ଭାବି ଖୁବ୍ ଖୁସି ହୁଅନ୍ତି l ସ୍ୱାମୀ ମାନେ କେହି ମୂର୍ଖ ନୁହନ୍ତି l ସେମାନେ ଜାଣନ୍ତି ଝିଅଟି ବାପ ଘରୁ ସବୁଦିନ ପାଇଁ ଶାଶୁଘରକୁ ଯାଇଛି l ସେଠି ନୂଆ ପରିବେଶ ସହିତ ନୂଆ ଲୋକ ମାନଙ୍କୁ ନିଜର କରିବାକୁ ହୁଏ ଆଉ ସେଇ ସମୟରେ ସ୍ୱାମୀଟି ତା ସ୍ତ୍ରୀକୁ ସବୁ ପ୍ରକାରର ସାହାର୍ଯ୍ୟ ସହଯୋଗ କରିଥାଏ l ମାତ୍ର କିଛି ସମୟ ପାଇଁ ଝିଅଟି ବାପ ଘରକୁ ବୁଲି ଆସିଛି , ଫେରିଗଲେ ପୁଣି ଶାଶୁଘରର ଜାବତୀୟ ଦାୟୀତ୍ୱ l ତେଣୁ କିଛି ସମୟ ପାଇଁ ସ୍ତ୍ରୀଟି ବାପଘରେ ଖୁବ୍ ଖୁସି କରୁ ଆଉ ସେଇଥି ପାଇଁ ବୋଧେ ଜ୍ୱାଇଁ ମାନେ ମୁକ ପାଲଟି ଯାଇ ସ୍ତ୍ରୀ ଯେମିତି କହେ, ଯୁଆଡେ ଯିବାକୁ କହେ ସ୍ୱାମୀ ସଙ୍ଗେ ସଙ୍ଗେ ରାଜି ହୋଇ ବସିବା ଯାଗାରୁ ଉଠି ସ୍ତ୍ରୀ ପଛେ ପଛେ ଚାଲିବା ଆରମ୍ଭ କରିଦିଏ l ବୋଧହୁଏ ଏହା ହିଁ ଅଷ୍ଟମଙ୍ଗଳାର ସୁନ୍ଦର ସ୍ୱଭାବିକ୍ ନିୟମ l ତମେ କଣ ଅଷ୍ଟମଙ୍ଗଳାରେ ତମ ସ୍ତ୍ରୀଙ୍କ ସହିତ ସେମିତି ଶଶୁରଙ୍କ ପଡିଶାଘର ସବୁ ବୁଲି ଯାଇନଥିଲ ? 


ସେ ମୋ କଥାରେ ଟିକେ ଲାଜେଇଯାଇ କହିଲା, " ଯାଇଥିଲି କିନ୍ତୁ ଏ ଝିଅଟି ଯେତେ ଆଡକୁ ତା' ସ୍ୱାମୀକୁ ନେଇ ଯାଉଥିଲା ସେତେ ଆଡକୁ ମୋ ସ୍ତ୍ରୀ ମୋତେ ନେଇ ନଥିଲା l"


ମୁଁ ହସିଦେଇ କହିଲି , " ତାହେଲେ ତ ଏକା କଥା l ତମ ସ୍ତ୍ରୀ ତମକୁ ଯେତିକି ଆଡକୁ ନେଲା ତମେ ଗଲ ଆଉ ଠିକ୍ ସେମିତି ସେ ଲୋକର ସ୍ତ୍ରୀ ତାକୁ ଯୁଆଡେ ନେଲା ସେ ବି ଗଲା l ସେ ଝିଅଟିର ଟିକେ ଅଧିକ ସମ୍ପର୍କ ଥିବ ସାଇ ପଡିଶାଙ୍କ ସହ l " 


ମୁଁ କିନ୍ତୁ ଏ ଭିତରେ ମନେ ମନେ ଖୁବ୍ ବ୍ୟତିବ୍ୟସ୍ତ ହୋଇଗଲିଣି ଜାଣିବାକୁ ସେ କାହିଁକି ଗୁଡେ ମାଡ ଖାଇଲା l ଭାବିଲି ବୋଧେ ସେ ସ୍ୱାମୀ ସ୍ତ୍ରୀ ଏପଟ ସେପଟ ହୋଇ ବୁଲୁଥିବାରୁ କିଛି ଗୋଟେ ମନ୍ତବ୍ୟ ଦେଇଛି ଯାହାକୁ ସେ ଝିଅ ଏବଂ ତା' ପରିବାର ଅନ୍ୟ ଅର୍ଥରେ ନେଇ ଗୁଡେ ପିଟିଛନ୍ତି l ସେଇ କଥା ଜାଣିବାକୁ ତାକୁ ପୁଣି କହିଲି, " ଆଛା ତମକୁ ମାରିଲେ କାହିଁକି ସେ କଥା କହିଲ ? "


ସେ କହିଲା , " ସେଇ କଥା ପରା କହୁଛି ସାର୍ l ସେମାନଙ୍କର ଏମିତି ବୁଲା ବୁଲି ଭିତରେ ମୋ କଥା କିନ୍ତୁ ସେଇ ଝିଅ ପରିବାର ଠିକ୍ ବୁଝୁଥିଲେ l କେମିତି ବୁଝିବେନି କହୁନାହାନ୍ତି ମୁଁ ପରା ତାଙ୍କ ଜ୍ୱାଇଁଙ୍କ ଘର ପାଖା ପାଖି ଲୋକ l ପହଞ୍ଚିବା ପରେ ପରେ ଭଲ ଜଳଖିଆ ଆଉ ତା' ପରେ କେତେବେଳେ ଥଣ୍ତା ପାନୀୟ ତ ଆଉ କେତେବେଳେ କଫି ଏମିତି ମଝିରେ ମଝିରେ ମିଳୁଥାଏ ।"


ମୁଁ ତା କଥାରେ ଅଧୈର୍ଯ୍ୟ ହୋଇ କହିଲି, " ସେ ସବୁ ତ ମିଳୁଥିଲା କିନ୍ତୁ ମାଡ କାଇଁ ମିଳିଲା କହୁନ କାହିଁକି ? "


ସେତେବେଳକୁ ଆମେ ନୂଆବଜାର ଭିତ ଭିତରେ l ସେ କାର୍ ରେ ଗିଅର୍ ଚେଞ୍ଜ୍ କରି କହିଲା, " ହଁ ସାର୍ ସେଇ କଥା କହୁଛି , ଟିକେ ଧର୍ଯ୍ୟ ଧରନ୍ତୁ l ସେଦିନ ବୁଧବାର ହୋଇଥିବାରୁ ମଧ୍ୟାହ୍ନ ଭୋଜନରେ ମଟନ୍ ସହିତ ବଡ ଚିଙ୍ଗୁଡି ବି ହୋଇଥିଲା l ଖାଇସାରି ପୁଣି ଝିଅ ଜ୍ୱାଇଁ କୁଆଡେ ଗଲେ ଯେ ଫେରିଲେ ଯାଇ ସଂଧା ୭ ପରେ l ବୋଧେ ଗାଁଆଁର ସବୁଘରେ ମୁହଁ ମାରି ଫେରିଲେ l ରାତ୍ରି ବଢୁଥାଏ l ମୁଁ ତ ଆଜ୍ଞା ସାରାଦିନ ପାଇଁ ଭଡାରେ ଯାଇଛି l ଶିଘ୍ର ଫେରିଯିବା ବୋଲି କହିବା ସମ୍ଭବ ନଥିଲା l ଏ ଭିତରେ ଝିଅ ଘରବାଲା ଫାଇନାଲ୍ କଲେ ଯେ ଏକାଥରେ ଡିନର୍ କରି ଝିଅ ଜ୍ୱାଇଁ ଫେରିବେ l ମୁଁ ଦେଖିଲି ଏଠୁ ବାହାରୁ ବାହାରୁ ରାତି ୧୦ ପରେ ନିଶ୍ଚେ ହେବ l ଘରେ ସ୍ତ୍ରୀ ବ୍ୟସ୍ତ ହେବ ଚିନ୍ତାକରି ମୋବାଇଲ୍ ରୁ କଲ୍ କରି କହିଲି ଏଠୁ ଖାଇକି ଯାଉ ଯାଉ ଡେରି ହେବ l ଠିକ୍ ସେଇଆ ହିଁ ହେଲା ସେଠୁ ଝିଅ ଜ୍ୱାଇଁ ବିଦାୟ ନେଲାବେଳକୁ ରାତି ୧୦.୩୦ ହେଲା l "


ତା' କଥାରେ ମୁ୍ଁ ଟିକେ ମଜା କରିବାକୁ ଯାଇ କହିଲି, " ହଁ ଏମିତି ହୁଏ l ମୁଁ ପରା ଅଷ୍ଟମଙ୍ଗଳାରେ ଯେଉଁ ବୁଲି ଯାଇଥିଲି ଠିକ୍ ଏମିତି ଖାଇ ପିଇ ରାତି ୧୧ ରେ ଫେରିଥିଲି l ଶଶୁରଘର ଲୋକ ବିବାହପରେ ପ୍ରଥମ ଜ୍ୱାଇଁ ଚର୍ଚା ଭଲକରି କରନ୍ତି l"


ମୁଁ ମନା କରୁନି ସାର୍ , ସେମିତି ହୁଏ l ସେମାନେ ଯେତେବେଳେ ଘରୁ ବାହାରି ଆସି କାର୍ ରେ ବସିଲେ ମୁଁ ଆମ ଏରିଆର ପୁଅ ଅର୍ଥାତ୍ ସେଇ ଜ୍ୱାଇଁକୁ କହିଲି, " ବହୁତ ଲେଟ୍ ହେଲାଣି, ଏପଟେ ସାଲେପୁରର ସୋମପୁର ଯାଏ ରାସ୍ତା ଖୁବ୍ ନିଛାଟିଆ l ସେ ମହାନଦୀ ପୋଲ ପାଖା ପାଖି ଏରିଆରେ କିଛି ଲୁଟେରା ଗାଡିକୁ ଅଟକାଇ ଜିନିଷପତ୍ର ଲୁଟ୍ କରିବାସହ ଖରାପ ବ୍ୟବହାର କରନ୍ତି l ଆମେ ଚାଲ ଏପଟେ କଟକ ଦେଇ ଯିବା l" 


ସେ ପୁଅଟି ମୋ କଥାରେ ରାଜି ହୋଇ କହିଲା ହଁ ସେଇଆ କରିବା l ଟିକେ ବୁଲାଣି ପଡୁପଛେ କଟକ ବାଟେ ହିଁ ଚାଲ ଯିବା l କିନ୍ତୁ ସେଇ ଝିଅଟି କଣ ଭାବିଲା କେଜାଣି ପୁଅଟିକୁ କାର୍ ବାହାରକୁ ଡାକିନେଇ ଆସ୍ତେ ଆସ୍ତେ କହିଲା, " କାଇଁ ଏତେବାଟ ବୁଲିବା, ସୋମପୁର ଏଠୁ କେତେବାଟ ଯେ,କଟକ ଦେଇ ଗଲେ ବହୁତ ସମୟ ଲାଗିବ ଆଉ ଯେତେ ଅଧିକ କିଲୋମିଟର ଉଠିବ କାର୍ ବାଲାର ଲାଭ, ତେଣୁ ସେ ସେପଟେ କଟକ ଦେଇ ଯିବାକୁ କହୁଛି l"


ସେ ଝିଅଟି ଆସ୍ତେ ଅସ୍ତେ କହୁଥିଲେ ବି ତା'ର ସବୁକଥା ମୋତେ କ୍ଲିଅର୍ ଶୁଭୁଥାଏ l ଭାବିଲି ଏତେ ବଡଲୋକ ଘର ଝିଅ ହୋଇ ବି କେମିତି ଏମିତି ଛୋଟ ଚିନ୍ତାଧାରା ମନରେ ରଖିଛି ? ଗୁଡେ ସୁନା ଜିନିଷ ପିନ୍ଧିଥିବାରୁ ତାଙ୍କରି ଭଲ ପାଇଁ କଟକ ଦେଇ ଯିବାକଥା କହିଥିଲି ଅଥଚ ସେ କେମିତି କଥା କହିଲା ଦେଖିଲେ ସାର୍ l ଭାବିଲି ଆଜିକାଲି ଯୁଗରେ କାହାକୁ ଭଲ କଥା କହିଲେ ସେ ନିଶ୍ଚେ ଭାବିବ ଏ ଲୋକର ନିଶ୍ଚୟ କ'ଣ ଉଦ୍ଦେଶ୍ଯ ଅଛି l" 


ମୁଁ ପଚାରିଲି, " ଫାଇନାଲି ତମେ କେଉଁ ବାଟେ ଆସିଲ ? ତମ ଗାଆଁ ପାଖର ପୁଅଟି କଣ ତା ସ୍ତ୍ରୀ କଥାରେ ରାଜି ହୋଇଗଲା କି ? "


ସେ କହିଲା, " କେମିତି ରାଜି ହେବନି କହୁ ନାହାନ୍ତି ? ନୂଆ ନୂଆ ବାହାହୋଇ ସ୍ତ୍ରୀ କଥାକୁ କେମିତି କାଟିଥାନ୍ତା ଯେ ? ସେ ତା ସ୍ତ୍ରୀ କଥାରେ ପଡି ମୋତେ କହିଲା ନାଇଁ ସେପଟେ ଏତେ କାଇଁ ବୁଲିବା, ଏପଟେ ଖୁବ୍ ପାଖ , କେତେ ସମୟ ଲାଗିବ ଯେ, ଚାଲ ଏପଟେ ଯିବା, କିଛି ଅସୁବିଧା ହେବନି l"


ତା କଥା ମୁତାବକ ମୁଁ ଚୁପ୍ ଚାପ୍ ଗାଡି ଚଳାଇଲି l ଠିକ୍ କିଶୋରନଗର ପରେ ପରେ ଗୋଟେ ନିଛାଟିଆ ଯାଗରେ ରାସ୍ତା ଉପରେ କିଛି ପଥର ଥୁଆ ହୋଇଥିଲା l ସେତେବେଳକୁ ରାତି ୧୧ ଟା ହେଲାଣି l ଗାଡି ବ୍ରେକ୍ ମାରି କିଛି ସମୟ ସ୍ଥିର ହୋଇ ରହି ସବୁଆଡକୁ ଚାହିଁଲି l ଆଖପାଖରେ କେହି କୁଆଡେ ନଥିଲେ l ଶେଷକୁ ବାଧ୍ୟହୋଇ କାର୍ ରୁ ଓଲ୍ହାଇ ସେ ପଥର ଗୁଡିକୁ ରାସ୍ତାରୁ ହଟାଇବା ପାଇଁ ଆଗେଇ ଗଲି l ଗୋଟେ ପଥର ଉଠାଇଚି କି ନାହିଁ ହଠାତ୍ ପାଖରେ ଗୋଟେ ବଡ ଗଛ ମୂଳ ସେପଟେ ଲୁଚିକି ଥିବା ୬ ଜଣ ଲୋକ ଦୌଡିକି ମୋ ଆଡକୁ ମାଡିଆସିଲେ l ସମସ୍ତେ ମୁହଁକୁ କଳା କପଡାରେ ଢାଙ୍କି ରଖିଥାନ୍ତି l ସେମାନଙ୍କ ଭିତରୁ ତିନିଜଣ ମୋତେ ସେଇ ଗଛ ମୂଳକୁ ପୁରା ଟାଣିନେଇ ଧୁମ୍ ଧାମ୍ କରି ମାଡ ବସେଇବା ଆରମ୍ଭ କରିଦେଲେ l ଯାହାକୁ କହନ୍ତି ନିସ୍ତୁକ ମାଡ ସାର୍ l ସେମାନଙ୍କ ଭିତରୁ କିଏ ଗୋଟେ ତା' ଯୋତା ପିନ୍ଧା ଗୋଡରେ ଶକ୍ତ ଗୋଇଠା ଟାଏ ମୋ ଜଙ୍ଘ ପାଖରେ ମାରିଲା l ଯାହାକୁ କୁହନ୍ତି ଅଥାନଥାନ ସେଇଠି ବହୁତ ଯୋର୍ ରେ ବାଜିଲା l ମୋ ଆଖିରୁ ସାର୍ ଖୁବ୍ ଯନ୍ତ୍ରଣାରେ ଯେମିତି ଜୁଳୁଜୁଳିଆ ପୋକ ବାହାରି ଆସିବା ସହିତ ପାଟିରୁ ବହୁତ ଯୋର୍ ରେ ,"ବୋଉଲୋ ମରିଗଲି " ବୋଲି ଚିତ୍କାରଟିଏ ବାହାରି ଆସିଲା l


ସେଇ ଗଛ ମୂଳେ ମୋତେ ନିସ୍ତୁକ ମାଡ ହେଉଥିବା ବେଳେ ଆଉ ତିନି ଜଣ ଲୁଟେରା କାର୍ ପାଖରେ ଭୁଜାଲି ବାହାର କରି ସେ ଝିଅ ଜ୍ଵାଇଁଙ୍କୁ ଭୟଭିତ କରୁଥାନ୍ତି l ମାଡର ପ୍ରଭାବରେ ମୋ ପାଟିରୁ ଯେତେ ଜୋର୍ ରେ ଚିତ୍କାର ବାହାରୁଥାଏ ତେଣେ ସେତେ ଅଧିକ ସେ ସଦ୍ୟ ବିବାହିତା ଦମ୍ପତି ଡରୁଥାନ୍ତି l ମାଡ ମୁଁ ଖାଉଥାଏ କିନ୍ତୁ ସେ ମାଡର ପ୍ରଭାବ ସେ ଦୁଇଜଣଙ୍କ ଉପରେ ପଡୁଥାଏ l ଖାସ୍ ସେଇଥି ପାଇଁ ମୋତେ ଯେତେ ଜୋର୍ ରେ ସମ୍ଭବ ସେମାନେ ମାଡ ମାରୁଥାନ୍ତି l ଏ ଭିତରେ ମୋତେ ପୁଣି ଟାଣି ଟାଣି କାର୍ ପାଖକୁ ସେମାନେ ନେଇ ମୋ ମୁହଁକୁ ଶକ୍ତ ବିଧାଟେ ଦେଇ କହିଲେ , " ଶଳା ଚୁପ୍ ଚାପ୍ କାର୍ ଭିତରେ ବସ୍ " 

ମୁଁ ଜୀବନ ବିକଳରେ କାର୍ ଭିତରେ ବସି ପଡିଲି l ଯନ୍ତ୍ରଣାରେ ମୋ ମୁଣ୍ତ କାମ କରୁନଥାଏ l ଏବେ ୬ ଜଣ ଯାକ ପଛ ସିଟରେ ବସିଥିବା ଦୁଇ ଜଣଙ୍କୁ କହିଲେ , " ଯାହା ସବୁ ଅଛି ଶୀଘ୍ର ବାହାର କର l ନଚେତ୍ ପରିଣାମ ଖୁବ୍ ଭୟାବହ ହେବ l " 


ଏମାନଙ୍କ କଥାରେ ଉଭୟେ ସ୍ୱାମୀ ସ୍ତ୍ରୀ ବରଡାପତ୍ର ପରି ଥରୁଥିଲେ କିନ୍ତୁ ଚୁପ୍ ଚାପ୍ ହୋଇ ବସିଥିଲେ l ହଠାତ୍ ଝିଅଟି ବସିଥିବା ପାର୍ଶ୍ୱରୁ କାର୍ ଡୋର୍ ଖୋଲି ତାକୁ ରାସ୍ତା କଡକୁ ଜବରଦସ୍ତ ଭିଡିନେଲେ l ଝିଅଟି ବଡ ପାଟିରେ କାନ୍ଦି ଉଠି ସେମାନଙ୍କୁ ନେହୁରା ହେଉଥାଏ ଛାଡି ଦେବାକୁ l ଏଣେ ସ୍ୱାମୀଟି ତା ବେକରୁ ଚେନ୍, ହାତରୁ ଘଣ୍ଟା ଓ ଆଙ୍ଗୁଠିରୁ ମୁଦି କାଢି ସେମାନଙ୍କୁ ଦେବା ସଙ୍ଗେ ସଙ୍ଗେ କହିଲା, " ସବୁ ଜିନିଷ ପତ୍ର ନେଇଯାଅ କିନ୍ତୁ ତାଙ୍କୁ ଛାଡିଦିଅ l " 


ଝିଅଟି ଏବେ ଜୀବନ ବିକଳରେ ତା' ଦେହରେ ଥିବା ସବୁ ସୁନା ଜିନିଷ କାଢୁଥାଏ ଆଉ ତା' ସହିତ କଇଁ କଇଁ ହୋଇ କାନ୍ଦୁଥାଏ l ସେମାନେ ସବୁ ଜିନିଷ ପତ୍ର ନେବା ସହିତ ଝିଅର ଭ୍ୟାନିଟ୍ ବ୍ୟାଗ୍, ପୁଅର ମନିପର୍ସ ସହିତ ଉଭୟଙ୍କ ମୋବାଇଲ୍ ସେଟ୍ ନେଇଯିବା ସହିତ ମୋତେ ମୋ ମୋବାଇଲ୍ ମାଗିଲେ l ମୋ ମୋବାଇଲ୍ କୁ ମୁଁ କାର୍ ର ଗିଅର୍ ପାଖରେ ଥିବା ଖୋପରେ ରଖିଥିଲି l ମୁଁ କହିଲି ଦେଖନ୍ତୁ ମୋର ମୋବାଇଲ୍ ନାହିଁ ଆଉ ଠିକ୍ ସେଇ ସମୟରେ ଦୂରରୁ କଣ ଗୋଟେ ଗାଡିର ଲାଇଟ୍ ପଡିବାରୁ ସେମାନେ କହଲେ , " ଶଳା ଯା' ଏଠୁ ଶୀଘ୍ର ପଳା " 


ଆଉ ତାଙ୍କ କଥା ମୁତାବକ ମୁଁ ଗାଡିରେ ଧଡାଧଡ୍ ଗିଅର୍ ପରେ ଗିଅର୍ ଚେଞ୍ଜ୍ କରି ଦୃତ ଗତିରେ ସୋମପୁର ଆଡକୁ ଗାଡି ଚଳାଇ ପଳାଇ ଆସିଲି l ଏମିତି ମାଡ ବସିଥାଏ ମୋ ଗୋଡ ହାତ ଠିକ୍ ସେ କାମ କରୁନଥାଏ l ତଳିପେଟରୁ ରହି ରହି ହୁବ୍କା ମାରିଲା ପରି ଯନ୍ତ୍ରଣା ବାହାରୁଥାଏ l କିଛି ବାଟ ଆସିଛି ହଠାତ୍ ପଛ ଆଡୁ ସେ ଝିଅଟି ଜୋର୍ ରେ କାନ୍ଦି ଉଠି କହିଲା , " ଭାଇ ତମକୁ ବହୁତ ମାରିଲେ ଆଉ ଆମର ସବୁ ସୁନା ଜିନିଷ ନେଇଗଲେ l" 


ମୋର ତ ସେତେବେଳକୁ ମାଡଖାଇ ଘାଇଲା ଅବସ୍ଥା l ତେଣୁ ଯେତେ ରାଗ ମନରେ ଥିଲା ସବୁ ଗୋଟେ ମୁହୂର୍ତ୍ତରେ ବାହାରି ଆସିଲା l ତାକୁ କହିଲି , " ଚୁପ୍ କର୍ , କହିଲା କଣ ନା ଭାଇ ? କାଇଁ ଯେତେବେଳେ କହୁଥିଲି କଟକ ବାଟ ଦେଇ ବୁଲି ଆସିବାକୁ ସେତେବେଳେ ଏଇ ଭାଇ କଥା ଖୁବ୍ ଗନ୍ଧେଇଲା l " 


ମୋ କଥାରେ ସେ ଚୁପ୍ ହୋଇ ଆଉ କିଛି ନକହିଲେ ବି ଗୁମୁରି ଗୁମୁରି କାନ୍ଦୁଥାଏ l କାନ୍ଦିବନି କେମିତି ଯେ, କେତେଭରି ସୁନା ଯାଇଛି ଆକଳନ କରିବା କାଠିକର ପାଠ l ବାପ ଘର, ଶାଶୁ ଘର, ବନ୍ଧୁ ବାନ୍ଧବ ଦେଇଥିବା ସବୁ ଜିନିଷ ସେଇ ପାଞ୍ଚ ମିନିଟ୍ ଭିତରେ ମାଲିକାନା ସତ୍ତ୍ବ ପରିବର୍ତ୍ତନ କରି ତା' ପାଖରୁ ଚାଲିଗଲେ l 


ମୁଣ୍ତ ଖର୍ଚ୍ଚ କରି ଗାଡିକୁ ସିଧା ନେଇ ରଘୁନାଥପୁର ଥାନାରେ ପୁରାଇଲି l ସେ ପୁଅକୁ କହିଲି ଏତଲା ଦେବାକୁ l ସେତବେଳକୁ ରାତି ୧୨ ହେଲାଣି l ଥାନା ବାଲା ସେ ପୁଅ ଆଉ ଝିଅଠୁ ସବୁ ଶୁଣିବା ପରେ ଜଣେ ହଠାତ୍ କହିଲା ," ସବୁ ନାଟ ଏଇ ଡ୍ରାଇଭର୍ ର l ତାକୁ ଆଗ ହାଜତରେ ପୁରାଇ କିଛି ଉତ୍ତମ ମଧ୍ୟମ ଦେଇଦେଲେ ସବୁ ସତ ଉଗାଳି ପକାଇବ l" 


ସତ କହୁଛି ସାର୍ ସେ ପୋଲିସ୍ କଥା ଶୁଣି ମୋ ମୁଣ୍ତ ପୁରା ଘୁରିଗଲା l ବିନା କାରଣରେ ସେ ଲୁଟେରାମାନଙ୍କ ଠାରୁ ବହେ ଛେଚା ଖାଇଲି ଆଉ ଏବେ ହାଜତରେ ପୁରାଇ ଏ ପୁଲିସ୍ ବାଲା ନିର୍ଧୁମ୍ ପିଟିବେ l କହିଲେଣି ମାନେ ନିଶ୍ଚୟ କାର୍ଯ୍ୟକାରୀ କରିବେ l ସେ ପୁଲିସ୍ ର କଥା ମୁତାବକ ଜଣେ ହାଜତ ଚାବି ଖୋଲିବା ଆରମ୍ଭ କଲା l ମୁଁ ପୁରା ଭୟରେ ଥରୁଥାଏ l ପୁଲିସ୍ ବାଲାଙ୍କ ନିୟମ ବୋଧେ ଆଗ ଗାଡି ଡ୍ରଇଭରକୁ ହିଁ ସନ୍ଦେହ କରିବା l ସେମାନେ ଭାବିଥିବେ ଏ ଡ୍ରାଇଭର୍ ଏତେ ସୁନା ଜିନିଷ ଦେଖି ନିଶ୍ଚିତ ତା' ସାଙ୍ଗ ସାଥୀଙ୍କୁ ଫୋନ୍ କରି କେତେବେଳେ କେଉଁବାଟ ଦେଇ ଫେରିବେ କହିଥିବ ଆଉ ସେଇ ହିସାବରେ ଏ ଲୁଟ୍ ହୋଇଛି l 


ଭୟରେ ମୋ ଗୋଡ ହାତ ସବୁ ଥରୁଥାଏ l ସେ ଲୁଟେରା ଗୁଡାକ ଅନ୍ଧାରରେ ମାଡ ମାରିଲେ ଏବେ ଏ ବର୍ଦ୍ଦିବାଲା ଆଲୁଅରେ ପିଟିବେ l କି ବେଳାରେ ଆଜି ଘରୁ ବାହାରିଥିଲି କେଜାଣି ? ଯେମିତି ଭଲ ଖାଇବାକୁ ମିଳିଲା ସେମିତି ମାଡ ବି ମିଳୁଛି l ଯେଉଁ ପୁଲିସ୍ ବାଲା ହାଜତ୍ ଚାବି ଖୋଲିଥିଲା ସେ ଏବେ ପାଟିକରି ମୋତେ କହିଲା, " ସେଠି କଣ ଜଡଟା ଭଳି ଠିଆ ହୋଇଛୁ ବେ l ହାଜତ ଭିତରକୁ ଆସୁଛୁ ନା ଦେଖିବୁ ଏବେ ? ପୁଲିସିଆ ପାହାର ବସିଗଲେ ସବୁ ମାନିବୁ ବୋଲି ବାଟ ପାଇବୁନି l " 


ବୁଝିଲେ ସାର୍ ମୁଁ ପିଲାବେଳୁ ଶୁଣିଥିଲି ଥାନା , ଭୂତଖାନା ଆଉ ଏବେ ଦେଖିଲି ସେ କଥା ଏକବାରେ ସତ l ହାତ ଯୋଡି ବଡ ବିକଳ ହୋଇ କହୁଥାଏ , " ସତ କହୁଛି ଆଜ୍ଞା , ମୁଁ କିଛି ଜାଣିନି l "


ମୋ ଅବସ୍ଥା ଦେଖି ସେ ଝିଅଟି ହଠାତ୍ କାନ୍ଦିଉଠି କହିଲା, " ନାଇଁ ସାର୍ , ଏ ଭାଇଙ୍କର କିଛି ଦୋଷ ନାହିଁ l ସେ ବରଂ କହୁଥିଲେ ଏତେ ଲେଟ୍ ହେଲାଣି ଆମେ ଏ ନିଛାଟିଆ ବାଟରେ ଯିବା ଠିକ୍ ହେବନି , କଟକ ବାଟେ ବୁଲିଗଲେ ଭଲ ହେବ l କିନ୍ତୁ ମୁଁ ତାଙ୍କୁ ବାଧ୍ୟକଲି ସେଇ କିଶୋରନଗର ବାଟେ ଆସିବା ପାଇଁ l" 


ତା କଥାରେ ସେ ପୁଲିସ୍ ର ମନ ତଥାପି ବୁଝିଲାନି l ମୋ ମୋବାଇଲ୍ ନେଇ ଚେକ୍ କଲା l ଦେଖିଲା କେବଳ ଗୋଟେ କଲ୍ ହୋଇଛି l ମୁଁ କହିଲି ସେଇ ସଂଧାରେ ଡେରିହେବ ବୋଲି ସ୍ତ୍ରୀକୁ ଫୋନ୍ କରି କହିଥିଲି l ସେ ନମ୍ୱରକୁ ଏବେ ଲାଉଡ୍ ସ୍ପିକର୍ ଦେଇ କଥା ହେବାକୁ କହିଲେ l ତାଙ୍କ କଥା ମୁତାବକ୍ ମୁଁ କଥାହେଲି ସ୍ତ୍ରୀ ସହିତ l ସେମାନେ ସବୁ ଶୁଣିବା ପରେ ନିଶ୍ଚିତ ହେଲେ ମୁଁ ସେ ଲୁଟ୍ ରେ ସମ୍ପୃକ୍ତ ନାହିଁ ବୋଲି l ସେଠୁ ଥାନାରୁ ଫେରି ରାତି ୨ଟା ରେ ଘରେ ପହଞ୍ଚିଲି l ଆଜିକି ସାର୍ ଦୁଇ ଦିନ ହେଲାଣି କିନ୍ତୁ ସେ ମାଡର ଦରଜ ଏଯାଏ ଯାଇନି l ସେଦିନ ସେ ଝିଅଟି ଯଦି ମୋ ପାଇଁ ସେତିକି କହିନଥାନ୍ତା ଆଜି ଗାଡି ଚଲାଇ ଆପଣଙ୍କ ସହିତ ଯାଇପାରିଵା ପ୍ରଶ୍ନ ଉଠୁନି ସାର୍ l


ମୁଁ ତା' କଥା ଶୁଣି ଭାବୁଥାଏ ଏ ଦେଶ ସ୍ୱାଧୀନତା ପାଇବାର ୭୨ ବର୍ଷ ପରେ ବି ଲୋକମାନେ ରାସ୍ତାରେ ନିରାପଦରେ ଯାଇ ପାରୁନାହାନ୍ତି l ସେଦିନ ସେ ଲୁଟେରା ମାନେ କେବଳ ଜିନିଷ ପତ୍ର ଲୁଟିନେଇ ଛାଡିଦେଲେ l ଆଉ କେଉଁଠି ତ ରାତି କଥା ଛାଡ ସ୍ପଷ୍ଟ ଦିବାଲୋକରେ ନାରୀକୁ ଉଠାଇ ନେଇ କୁକର୍ମ କରିବା ସହିତ ଜୀବନ ନେବାକୁ ମଧ୍ଯ ପଛାଉ ନାହାନ୍ତି l ଶିକ୍ଷିତ ବେକାରି ସଂଖ୍ଯା ଯେମିତି ଭାବରେ ବଢି ଚାଲିଛି ଆଗକୁ ଆଗକୁ ଏମିତି ଲୁଟ୍ , କୁକର୍ମ ଅଦି ବଢି ବଢି ଚାଲିବ ପଛେ କମିବାର ନାହିଁ l ଖବରକାଗଜରେ ପ୍ରାୟ ଏମିତି ନିଉଜ୍ ସବୁଦିନେ ବାହାରୁଛି l କେଜାଣି କେବେ ସେଦିନ ଆସିବ ଯେବେ ଗୋଟେ ନାରୀ ରାତି ୧୨ ଟାରେ ଏକୁଟିଆ ନିର୍ଭୟରେ ଯେକୌଣସି ସ୍ଥାନରେ ବୁଲି ପାରିବ ? ସତରେ ଯଦି ଏମିତି ସମ୍ଭବ ହୁଅନ୍ତା ଆମ ଭାରତ ରାମରାଜ୍ୟରେ ପରିଣତ ହୋଇଯାଆନ୍ତା l କେବଳ ସମୟକୁ ଅପେକ୍ଷା କରିବା ଛଡା ଅନ୍ୟ କିଛି ଉପାୟ ନାହିଁ l



Rate this content
Log in

More oriya story from ପ୍ରଶାନ୍ତ କୁମାର ବେହେରା

Similar oriya story from Tragedy