Banabihari Mishra

Tragedy

4  

Banabihari Mishra

Tragedy

ଅସହାୟା

ଅସହାୟା

7 mins
468


ଏ ଯୋଗନୀଖିଆ ମରଦଗୁଡାକ ସବୁ ଏଇମିତି। ମଦ ପେଟେ ଲେଖାଁ ପିଇଦେଇ ମାଇପକୁ ଦୁଲଦାଲ୍ କୁଟିବେ। ପୁଣି ଶେଯକୁ ଗଲେ ସାକୁଲେଇବେ। ବଡ ନିଉଛୁଣା ଏ ମିଣିପଗୁଡାକ । ଛିଃ, ଧିକ୍ ଧିକ୍। ସାବିର କଥା ଶୁଣି ଏଇମିତି ଗରଗର ହେଉଥିଲା ଚମ୍ପି ନାନୀ। ସାବି ତାକୁ ନିଜର ଦୁଃଖ କଥା କହୁଥିଲା। କେମିତି ରାଜୁ, ତା ଗିରସ୍ତ, ତାକୁ ନିଇତି ମାରୁଛି। ମଦ ଗୁଡେ ପିଇଦେଇ ଟଳି ଟଳି ଆସିବ। ଆଉ ବିନା କାରଣରେ ତା ପିଠିରେ ଦୁଲଦାଲ୍ ଥୋଇଦବ। କେତେ କାନ୍ଦିଛି ସାବି। ହେଲେ ରାଜୁ କ'ଣ ଶୁଣେ? ବିଧା ଚାପୁଡାରେ ପିଠି ସିଝିଯାଏ, ଗାଲ ଓଉଫଡା ଭଳିଆ ଫୁଲିଯାଏ। ସେଇଥିରେ ନାକ ସୁଁ ସୁଁ କରି ସାବି ବାଢିଦିଏ ପଖାଳ ନହେଲେ ଗରମ। ତା ସାଙ୍ଗକୁ ଶୁଖୁଆ ଝୋଳ ନହେଲେ ମାଉଁସ ଟିକେ, ଯାହା ସାବି ଗଳି ମୁଣ୍ଡରେ ଥିବା କୁକୁଡ଼ା ବିକାଳୀର ଟାହି ଟାପରା ସହି ପେଣ୍ଟ ସାର୍ଟ (ବ୍ରଏଲର୍ କୁକୁଡ଼ାର ଚମଡା ଓ ଅନ୍ତବୁଜୁଳା ଯାହା ଖୁବ୍ କମ୍ ଦାମରେ ବେଳେବେଳେ ମାଗଣାରେ ମିଳେ) ସାଙ୍ଗରେ ଦି ଫୁଟ ମାଗି ଆଣିଥାଏ। ରାଜୁଟା ଭାରି ଆଇଁଷିଆ। ଅମେଇସିଆ ପୁନେଇ, ଏକାଦଶୀ କି ପର୍ବପର୍ବାଣି, ତା'ର କିଛି ବାରଣ ନଥାଏ। ସବୁଦିନେ ଟିକେ ଆଇଁଷ ଲୋଡ଼ା। ପେଟଟା ପୁରିଗଲା ପରେ, ଭୋକ ଶାନ୍ତ ହେଇଗଲା ପରେ ରାଜୁ ପଚାରେନି ସାବି ଖାଇଚି କି ନାହିଁ ବୋଲି। ସେଥିପାଇଁ ସାବିର କିଛି ବି ହେଲେ ଆଶା ବା ଆକାଂକ୍ଷା ନଥାଏ। ତା ମୁଣ୍ଡ ଉପରେ ରାଜୁ ଛାତଟିଏ ଦେଇଛି, ପାଞ୍ଚଜଣଙ୍କ ଆଖିରେ ତାକୁ ସ୍ତ୍ରୀର ପରିଚୟ ଦେଇଛି। ଏତକ ତା'ପାଇଁ ଯଥେଷ୍ଟ। ତା ବଦଳରେ ରାଜୁର ସେଇ ଅଶିଣ ମାସିଆ ତାଳ ପରି ବିଧା ଚାପୁଡ଼ା କିଛି ନୁହେଁ ବୋଲି ସାବି ଭାବିନେଇଛି। ଏସବୁ ତା'ର ଦେହଘଷିଆ ହେଇଗଲାଣି। ସେଇଥିପାଇଁ ବିଧା ଚାପୁଡାରେ ପେଟର ଭୋକ ମରିଯିବା ପୂର୍ବରୁ ସାବି ଖାଇ ନେଇଥାଏ। ରାଜୁ ଖାଇସାରି ବିଛଣାକୁ ଯିବାପରେ କବାଟକଣ୍ଟା ଦେଇ ସାବି ଶୋଇବାକୁ ଯାଏ। ସେତେବେଳେ ବେଶ୍ ସାକୁଲେଇ କଥା କହେ ରାଜୁ। ସେତେବେଳେ ସାବିକୁ ରାଜୁଟା ଗୋଟେ ଜ୍ଞାନୀ, ପଣ୍ଡିତ ସବଜାନତା ପରି ଲାଗେ। ଭରସିକରି ପାଖକୁ ଯାଏ। ସାବିର ମନଟା ତରଳି ଯାଏ। ସିଏ ଆଉ ଟିକିଏ ପାଖକୁ ଲାଗିଯାଏ। ବାସ୍, ତା'ପରେ ଦି'ଟା ବଳିଷ୍ଠ ହାତର ସଣ୍ଢୁଆସୀରେ ଚାପିହୋଇ ତା'ର ହାଡ ସବୁ କଡ୍ କଡ୍ କରେ। ଏଇଟା ସାବିର ନିତିଦିନିଆ କଥା। ଆଜିକାଲି ଏସବୁ ତାକୁ ଭଲ ଲାଗିଲାଣି। ବରଂ ଏ ସବୁଥିରୁ ଯଦି କୋଉଟା ବ୍ୟତିକ୍ରମ ହୁଏ ତେବେ ସାବିକୁ କିଛି ହଜେଇଲା ହଜେଇଲା ପରି ଲାଗେ। ତା'ର ସନ୍ଦେହ ହୁଏ, ତା ରାଜୁର କିଛି ହେଇନି ତ? ଆରମ୍ଭ କରିଦିଏ ଜଣା ଅଜଣା କେତେ ଠାକୁର ଠାକୁରାଣୀଙ୍କ ଅଧା ଖଣ୍ଡିଆ ପ୍ରାର୍ଥନା। ନିଜର ସାମର୍ଥ୍ୟ ନଦେଖି କେତେ ମାନସିକ କରି ପକାଏ। ରାଜୁ ବିନା ତା'ର ଏତେ ବଡ ଦୁନିଆରେ ଆଉ କିଏ ଅଛି ଯେ? 


ସାବି ମନେ ପକୋଉଥିଲା। ସେଇ ବର୍ଷା ରାତିରେ ତାଙ୍କ ଗାଁ ଭିତରକୁ ନଈବଢୀ ପାଣି ପଶି ଆସିଥିଲା। ବଡ ଭୟଙ୍କର ସେ ଦୃଶ୍ୟ। ପ୍ରଚଣ୍ଡ ସୁଅରେ ଭାସି ଯାଇଥିଲା କେତେ ହସିଲା ଖେଳିଲା ଘର। ଆଉ ସେଇ ଘରମାନଙ୍କ ଭିତରେ ନିଜ ଘରଟା ବି ସୁଅରେ ମିଳେଇ ଯାଇଥିଲା। ହଜି ଯାଇଥିଲେ ତା'ର ବାପା, ମାଆ, ଜେଜେ ଆଉ ଭାଇ। ସେତେବେଳେ ସାବିର ବୟସ ଷୋହଳ କି ସତର। କେମିତି ସିଏ କୂଳରେ ଲାଗିଲା ଆଉ ତା'ପରେ କେମିତି ସେଇ ସରକାରୀ ଗାଡ଼ିରେ ବସି ଏ ସହରକୁ ଆସିଲା ପୁଣି ଏ ରାଜୁ ପାଖକୁ କେମିତି ଆସିଲା ସବୁ ତା ମାନସପଟଳରେ ଝାପ୍ସା ମଳିଛିଆ ପଡିଗଲାଣି। ଯେତେ ଚେଷ୍ଟା କରି ମନେ ପକେଇଲା ପରେ ବି ଭଲଭାବରେ ମନେ ପଡୁନି। ଖାଲି ମନେଅଛି ସେଇ କାଳରାତିର କରାଳ ବିଭୀଷିକା ଯାହା ସେ ଭୁଲିଯିବା ପାଇଁ ବହୁତ ଚେଷ୍ଟା କରୁଛି।


ଏଇ ରାଜୁ ସାଙ୍ଗରେ ରହିବା ଦିନଠୁ ତେଲଲୁଣର ସଂସାରରେ ପେଶି ହୋଇ ସେଇ ଆଘାତ ଦେଉଥିବା ସ୍ମୃତିସବୁ ମନେ ପକେଇବା ପାଇଁ ସାବି ଆଉ ସମୟ ପାଇନି। 


କୋଉ ବେଦୀରେ ବସି ବା ଫୁଲମାଳ ଦେଇ ଅଥବା କୋର୍ଟ କଚେରୀରେ ଶପଥପାଠ କରି ରାଜୁକୁ ବାହା ହେଇନି ସତ, କିନ୍ତୁ ରାଜୁ ତାକୁ ସ୍ତ୍ରୀର ପରିଚୟ ଦେଇଛି। ତା ପ୍ରତି ବିଶ୍ବସ୍ଥ ରହିଛି। ଖାଲି ପେଟରେ ମଦଟା ଥିଲା ଯାଏ ତା ଉପରେ ହାତଗଲୁ ମାରୁଚି ସିନା, ଆଉ ବେଳେ ଭାରି ସିନିହ କରେ। ସକାଳୁ ଉଠି ମୁଣ୍ଡରେ ହାତ ଦେଇ ବସେ। ପଚାରିଲେ କୁହେ, "କ'ଣ କରିବି ଲୋ, ଏଇ ମଦ ନିଶାରେ ତତେ କାଲି ଏତେ ମାଇଲି, ତୁ ଉଁ କି ଚୁଁ କଲୁନି। ଆଇଲୁ, ଆଇଲୁ, ଟିକେ ଆଉଁସି ଦିଏଁ।" ସେତିକିରେ ସାବିର ପେଟ ପୁରିଯାଏ। ପୁଣି ଫେରିଯାଏ ଗତାନୁଗତିକତାକୁ। ବାଢିଦିଏ ପଖାଳ। ସେତକ ଖାଇଦେଇ ରାଜୁ ବାହାରିଯାଏ ତା ଦଦରା ରିକ୍ସା ଖଣ୍ଡକ ନେଇ ପୁଣି ସଞ୍ଜ ଗଡେଇ ଟଳି ଟଳି ରାଜା ଠାଣିରେ ଫେରିବାକୁ।


ଆଜିକାଲି ଏଇ ଯୋଉ ଅଟୋରିକ୍ସା ଆଉ ଟାଉନ ବସ ଚାଲିଲାଣି, ସେଥିରେ ଏ କେଁ କଟର କରି ଚାଲୁଥିବା ରିକ୍ସାର ଚାହିଦା ବେଶ୍ କମି ଗଲାଣି। ସେଥିରେ ବା ବସିବ କିଏ? ସେଇଥିପାଇଁ ଆଜିକାଲି ରାଜୁ ମଣିଷବୁହା ରିକ୍ସାରେ ମାଲମତା ବୋହେ। ରିକ୍ସାର ଗଦି ଚିରି ଯାଇଥିଲେ ବି ଚିନ୍ତା ନାହିଁ। ମରାମତି କରିବା ଆବଶ୍ୟକ ପଡେନି। ଯାହା ଦି'ପଇସା ମିଳେ ସେଥିରୁ ଗୋଟେ ସିଂହ ଭାଗ ଏଇ ବିଷପାଣି ଗୁଡାକ ପିଇବାରେ ଯାଏ। ସାବି ମନେ ମନେ ଭାବେ, ମଣିଷଟା ଏତେ ମେହେନତ କରୁଛି, ରକତକୁ ପାଣି କରି ନିଗାଡୁଛି। ସେଥିରେ ଦେହର ନସମ ମାରିବାକୁ ଯଦି ଟୋପେ ପିଇଦେଲା, ସେଥିରେ ତା'ର ବା କ'ଣ ଯାଉଛି। ତାକୁ ତ ଖାଇବା ଗଣ୍ଡେ ମିଳୁଛି, ତା ପେଟ ଚାଖଣ୍ଡକ ପୁରୁଛି, ମୁଣ୍ଡ ଉପରେ ଚାଳଟେ ଅଛି ଆଉ ଦେହଟା ଘୋଡେ଼ଇ ହେବାପାଇଁ କସ୍ତା କବଟା ଖଣ୍ଡେ ତ ମିଳି ଯାଉଛି। ବିଲକୁଲ୍ ପାଇବାର ଆଶା ନ ରଖିଥିବା ଲୋକ ଯାହା ବି ପାଏ ସେଇଥିରେ ହିଁ ଗଦଗଦ୍ ହୋଇଯାଏ। ଭଗବାନଙ୍କ ପାଖରେ ମୁଣ୍ଡ ନୋଇଁ ଦିଏ। ସେଇଆ ହିଁ ଥିଲା ସାବିର ଅବସ୍ଥା। ମରଣ ମୁହଁରୁ ଆସି ଜୀବନ ପାଇଛି ଯେତେବେଳେ ମାଗତା ହେଇକି ତବତ ଖୋଜିବ କି? ସେମିତିରେ ଖାଲି ଦୁଃଖ ମିଳିବାଟା ହିଁ ସାର ହେବ ସିନା। ଜୀବନର ଏଇ ଗୁଢ ତତ୍ତ୍ବକୁ ସାବି ସରଳରେ ବୁଝି ଯାଇଛି।


ଏମିତିରେ ଦି'ଟା ପ୍ରାଣୀ ସଂସାର ଗାଡିଟାକୁ ଯେନତେନ ପ୍ରକାରେ ଭିଡିଟାଣି ଆଗକୁ ନେଉ ଥାଆନ୍ତି। ୟା ଭିତରେ ସେମାନେ ଦୁଇରୁ ତିନି ବି ହେଇଗଲେଣି। ସେଇ ଯେ ଛୁଆଟା ଜନ୍ମ ହେଲା, ରାଜୁର ଖୁସି କହିଲେ ନସରେ। କଅଁଳା ଛୁଆଟାକୁ ପାଞ୍ଚହାତିଆ ମରଦଟା ହାତ ପାପୁଲିରେ ଧରି କେତେ ଗେଲ କରୁଥିଲା। ସାବିକୁ ପରମ ତୃପ୍ତି ଆସିଥିଲା ସେତେବେଳେ। ସେ ଯେତେବେଳେ ଜାଣିଲା ତା'ର ପିଲା ଜନ୍ମ ସମୟରେ ରକ୍ତାଭାବ ଯୋଗୁଁ ଅବସ୍ଥା ସଙ୍କଟାପନ୍ନ ହେଇଥିଲା ଆଉ ଏଇ ରାଜୁ ରକ୍ତ ଦେଇ ତାକୁ ଆଉ ତା ଛୁଆଟାକୁ ବଞ୍ଚେଇଛି, ସେତେବେଳେ ରାଜୁ ପାଇଁ ତା ମନଟା ପ୍ରେମରେ ଗଦଗଦ୍ ହେଇ ଯାଇଥିଲା। ତା ଦେହର ଶିରା ପ୍ରଶିରାରେ ଯେ ଏଇ ରାଜୁର ରକ୍ତ ବୋହୁଛି, ଏକଥା ଭାବିଲେ ତା ମୁଣ୍ଡ ଆପେଆପେ ନଇଁ ଯାଏ। ସାବି ଭାବେ, ସତରେ କ'ଣ ରାଜୁ ତାକୁ ଏତେ ଭଲପାଏ! ନିଜକୁ ଭାରି ଭାଗ୍ୟବତୀ ମନେକରେ ସେ।


ଏ ସବୁ କଥା ଭାବି ତା ନିଜର ଭାବନା ରାଇଜରେ ହଜି ଯାଇଥିଲା ସାବି। ସେତିକିବେଳେ ସବୁ ଭାବନାର ଅନ୍ତ ଘଟାଇ ଧଇଁସଇଁ ହେଇ ଆସିଲା ଚମ୍ପି ନାନୀ। କହିଲା, "ଆଲୋ ସାବି, ତୋ ରାଜୁକୁ ସିଆଡେ ଡାକ୍ତରଖାନା ନେଲେଣି। ଆଉ ତୁ ଏଠି ବସିଛୁ। ତୁ କିଛି ଜାଣିନୁ ନା କ'ଣ?" 


ସାବିର ମୁଣ୍ଡରେ ଯେମିତି ଆକାଶଟା ଛିଡି ପଡିଲା। ପାଦତଳୁ ମାଟି ଖସିଗଲା ତା'ର। ଧୂଳି ଧୂସର ଲଙ୍ଗଳା ଛୁଆଟାକୁ କାଖେଇ ଧାଇଁଲା ଡାକ୍ତରଖାନାକୁ।


ଡାକ୍ତରଖାନା ବାରଣ୍ଡାରେ ଏଡେ ବଡ ମଣିଷଟା କି ନିରିମାଖି ହେଇ ଶୋଇଛି। ସାବିକୁ କାନ୍ଦ ମାଡୁଥାଏ। ଏଣେ ପୁଅଟା ରାହା ଧରି କାନ୍ଦୁଛି। ନର୍ସ ଆସି ଫଜିତଟାଏ କଲା। 'ଛୁଆଟା କାନ୍ଦୁଛି, ତାକୁ ଚୁପ୍ କରିପାରୁନୁ? ଡାକ୍ତର କହିଛନ୍ତି, ଅପରେସନ ହେବ। ଦଶ ପନ୍ଦର ହଜାର ଲାଗିବ।' ସାବିର ଫାକାସି ଉଡିଗଲା। ଶହେ କି ଦୁଇଶହ ହେଇଥିଲେ କେଜାଣି ସିଏ କ'ଣ କରିପାରନ୍ତା। ପନ୍ଦର ହଜାର! ଆଖିରେ ଦେଖିବା ତ ଦୂରର କଥା, କାନରେ କେବେ ବି ଶୁଣିନି। ହାତରେ ସମୟ ବହୁତ କମ୍। ଅଳ୍ପ ସମୟ ଭିତରେ ଅପରେସନ ଆରମ୍ଭ ନ କଲେ ରାଜୁର ବଞ୍ଚିବା ମୁସ୍କିଲ। ଏଇ ସମୟରେ କିଏ ଜଣେ ତା କାନରେ ଫୁସଫୁସ କରି କହିଲା, "ତୋର ପଇସା ଦରକାର, ଆଉ ସେ ବାବୁର ଛୁଆ ବକଟେ ଦରକାର। ବିକି ଦେ ତୋ କଅଁଳା ଛୁଆଟାକୁ। ତୋ ମରଦ ବଞ୍ଚିଗଲେ ତୁ ପୁଣି ତ ମାଆ ହେଇପାରିବୁ। ଏବେ ତୋ ବୟସ କେତେ ହେବ ବା?" ଘନ ଅନ୍ଧାର ଭିତରେ ସାବି ଯେମିତି କ୍ଷୀଣ ଆଲୋକ ରେଖା ପାଇଗଲା। ପାଇଗଲା ଗୋଟେ ଆଶା। ତଥାପି ମନରେ ଦ୍ବିଧା ଆଉ ଦ୍ବନ୍ଦ। ତା'ଠୁ କ୍ଷୀର ପିଉଛି ଛୁଆଟା। ଏଇ ପେଟରୁ ଅନ୍ତ ଫାଡି ଜନ୍ମ ଦେଇଛି ସେ। ତାକୁ ଛାଡି ସେ ବଞ୍ଚି ପାରିବ ତ? ପୁଣି ରାଜୁ, କେତେ ଭଲପାଏ ସେ ଛୁଆଟାକୁ। କଣ୍ଢେଇ ଭଳି ଗୋଟେ ପାପୁଲିରେ ଧରି ଉପରକୁ ଫିଙ୍ଗି ଖେଳୁଥିବ। ଭଲ ହେଲାପରେ ରାଜୁ ପଚାରିଲେ ସିଏ କ'ଣ ଉତ୍ତର ଦେବ?


ମୁହଁ ବୁଲେଇ ଚାହିଁଲା ସାବି। ଏଡେ ବଡ ଗେଣ୍ଡା ଭଳି ନାକଟା ଫୁଲେଇ ସେ ଧୁଣ୍ଡି ମାଇପିଟା ପୁଣି ତାକୁ ଫୁସଫୁସ କରି କହିଲା,"ଆଲୋ, ଏତେ ଭାବୁଛୁ କ'ଣ? ସମୟ ଯାଉଛି ଯେ।" ହଁ, ସତେ ତ, ଏ ବାଡିପଡା ସମୟଟା ବି କାହାପାଇଁ ଅଟକି ଯାଉନି କି କାହା ମରମ ବୁଝେନି। ଏଣୁ ମାରିଲେ ଗୋ ହତ୍ଯା, ତେଣୁ ମାରିଲେ ବ୍ରହ୍ମ ହତ୍ୟା ଭଳି ସ୍ଥିତିରେ ପଡି ଯାଇଛି ସାବି। କାହାର ଦାୟ ହେବ , ପୁଅର ନା ଗିରସ୍ତର? ଗୋଟେ ଦୋଦୁଲ୍ୟମାନ ଅବସ୍ଥାରୁ ବାହାରି ସାବି ତୁରନ୍ତ ବାଛିନେଲା ତା'ର ପରବର୍ତ୍ତୀ ପଦକ୍ଷେପ। ତା'ର ଅସହାୟ ସମୟରେ ରାଜୁ ତାକୁ ସାହା ହେଇଛି। ତାକୁ ସ୍ତ୍ରୀର ପରିଚୟ ଦେଇଛି। ତାକୁ ଗୋଟେ ପରିପୂର୍ଣ୍ଣ ନାରୀ କରିଛି ମାଆଟିଏ ହେବାର ସୁଯୋଗ ଦେଇ। ପ୍ରାଥମିକତାର ନିକିତିରେ ପୁଅ ତୁଳନାରେ ରାଜୁର ପଲାଟା ସାବିକୁ ଭାରି ଲାଗିଲା। ତା'ଛଡା ହାତୀ ବଣରେ ରହିଲେ ବି ରାଜାଙ୍କର। ସେ ବାବୁଟା ତା ପୁଅକୁ ନେଇ ପଢେଇବ, ବଡ ମଣିଷ କରିବ। ତା ପୁଅ ହାକିମ ହେବ। ଯୋଉଠି ଥାଉ ପଛେ, ତା ପୁଅ ଭଲରେ ଥାଉ। ଏକଥା କୋଉ ମାଆଟା ନ ଚାହିଁବ ଯେ। ପୁଣି ସାବିର ମନ ପାପ ଛୁଉଁଥିଲା। ଶୁଣିଛି କୁଆଡେ ଏଇମିତି ଛୋଟ ପିଲାମାନଙ୍କୁ ନେଇ ହାତଗୋଡ ଭାଙ୍ଗିଦେଇ ଆଖି ଫୁଟେଇ ଦେଇ ଅନ୍ଧ ଛୋଟା କେମ୍ପା କରି ଭିକ ମଗାନ୍ତି। ତା ଛୁଆଟାକୁ ଏ ବାବୁ ସେଇଆ କରିବନି ତ? ତଥାପି ରାଜୁର ଜୀବନ ଆଗରେ ତାକୁ ସବୁକିଛି ତୁଚ୍ଛ ଆଉ ଗୌଣ ଦେଖାଗଲା। ତା ଆଡକୁ ବଢିଆସିଥିବା ହାତରୁ ଥରିଲା ହାତରେ ଟଙ୍କା ବିଡାଟା ନେଇ ପୁଅଟାକୁ ଥରେ ଆଖି ପୁରେଇ ଦେଖିନେଲା। ଟଙ୍କାକୁ ନିଜର କରି ନିଜର ପୁଅଟାକୁ ମାଆ ପର କରି ଟେକିଦେଲା ପର ହାତକୁ। ଅବୋଧ ଛୁଆଟା ବଡ ନିର୍ବିକାର ଭାବେ ଚାହିଁ ରହିଥିଲା ମାଆକୁ। ସତେ ଯେମିତି ଅନେକ କିଛି ପଚାରୁଥିଲା। କୁନି ଛୁଆଟା ସହ ଆଉ ଆଖି ମିଶାଇ ପାରିଲାନି ସାବି। ମୁହଁ ବୁଲେଇ ଦେଲା। ମାଆର ଛଳଛଳ ଆଖିରୁ ଲୁହ ଟୋପେ ଗଡିଲେ କାଳେ ପୁଅର ଅମଙ୍ଗଳ ହୁଏ। ଛୁଆଟାକୁ ଚିଲ ଭଳି ଝାମ୍ପି ନେଇ ସେ ବାବୁଟା ଆଉ ସେ ଧୁଣ୍ଡି ମାଇପିଟା ଚାଲିଗଲେ।


ତରତର ହେଇ ସାବି ଡାକ୍ତରଙ୍କ ପାଖକୁ ଧାଇଁଲା। ତା ରାଜୁ କେମିତି ଅଛି? ଅପରେସନ କେତେବେଳେ ହେବ? ତା ରାଜୁ ଭଲ ହେଇଯିବ ତ? ଏଇମିତି ଅନେକ ପ୍ରଶ୍ନ ସାବିକୁ ବ୍ୟସ୍ତ କରୁଥିଲା। ମନଟା ଗୋଳେଇଘାଣ୍ଟି ହେଉଥିଲା। ସେଇ ନାଲିବତୀ ଲଗା ବନ୍ଦ ଘର ଭିତରୁ ଧଳା ପୋଷାକ ପିନ୍ଧା ଡାକ୍ତର ଜଣକ ବାହାରି ଆସିଲେ। "ଆଉ ପଇସା ଜମା କରିବା ଆବଶ୍ୟକ ନାହିଁ" ଏତିକି କହି କହି ଚାଲିଗଲେ। କି ନିର୍ଲିପ୍ତ ନିର୍ବିକାର ଭାବରେ କହିଦେଇଗଲେ। ଏମାନେ କ'ଣ ସାଧାରଣ ମଣିଷର ଭାବାବେଗ ବ୍ୟାକୁଳତା କିଛି ବୁଝନ୍ତିନି? ନା ବୁଝି ବି ଅବୁଝା ହେବାର ଦେଖେଇ ହୁଅନ୍ତି? 


ସାବି ଭାବୁଥିଲା ଡାକ୍ତରଙ୍କ ଏ କଥାର ଅର୍ଥ କ'ଣ ହେଇପାରେ। କେତେ ଆଶଙ୍କା ତା ମନକୁ ବ୍ୟାକୁଳ କରି ରଖିଥିଲା। ତା ରାଜୁ ଜୀବନରେ ଅଛି ତ? ନା ରାଜୁର କିଛି ହେଇ ନଥିଲା ଆଉ ଅପରେସନ ଦରକାର ହେଲାନି? ସବୁ ଆଶଙ୍କାର ଅନ୍ତ ଘଟାଇ ଷ୍ଟ୍ରେଚରରେ ରାଜୁର ମଲା ଦେହଟାକୁ ଚଦର ଘୋଡେ଼ଇ ଡାକ୍ତରଖାନାର ଦିଜଣ ଟାଣି ଟାଣି ଆଣୁଥିଲେ। ନର୍ସ ସାବିକୁ ବୁଝୋଉଥିଲା, "ଘୋଡ଼ା ମଦୁଆଟା। ମଦ ପିଇ ପିଇ କିଡନି, ଲିଭର ସବୁ ଡ୍ୟାମେଜ ହେଇ ଯାଇଥିଲା। ଅପରେସନ ଟେବୁଲକୁ ନେବା ଆଗରୁ ସେ ଏ ଦୁନିଆଁରୁ ଚାଲିଗଲା।"


ଆଉ କିଛି ଶୁଣିବା ଅବସ୍ଥାରେ ନଥିଲା ସାବି। ପୁଅଟାକୁ ନେଇ ସେ ବାବୁଜଣକ କେତେବେଳୁ ଗଲେଣି। ତାଙ୍କର ଠା ଠିକଣା କିଛି ବି ସାବି ରଖିନି। ଲୁହଭରା ଆଖିରେ ସେ ବାବୁ ଜଣଙ୍କର ଚେହେରାକୁ ବି ଭଲ ଭାବରେ ଦେଖିପାରିନି। ସେ ଧୁଣ୍ଡି ମାଇପିଟାକୁ ବି ସିଏ ଦେଖୁନି। କୁଆଡେ ଗଲା ତା ପୁଅ, କୁଆଡେ ଗଲା ତା ରାଜୁ। ସିଏ ତ ଏବେ ଦି କୂଳରୁ ଗଲା। ଏ ଟଙ୍କା ବିଡାଟା ତାର କ'ଣ ହେବ? ତା ଅଜାଣତରେ ହାତରୁ ଟଙ୍କା ବିଡାଟା ଖସି ପଡି ଚାରିଆଡେ ଟଙ୍କାଗୁଡା ଉଡିଲାଣି। ସାବିର ସେ ଆଡକୁ ନଜର ନାହିଁ।


ସେଇଦିନୁ ସାବି ସେଇ ଡାକ୍ତରଖାନାର ବାରଣ୍ଡାରେ ବସିଛି। କାହାକୁ କିଛି କୁହେନି। ଖାଲି ବଲବଲ କରି ଚାହିଁ ରହେ। ରୋଗୀଙ୍କ ପାଇଁ ଯାହା ଖାଇବା ତିଆରି ହୁଏ ସେଇଥିରୁ କେହି ଦୟାକରି ତା ଆଗରେ କିଛି ରଖିଦିଅନ୍ତି। ଅନ୍ୟମନସ୍କ ଭାବରେ ଖାଇଦେଇ ଖାଲି ଦେହଟା ଧରି ବଞ୍ଚିଛି ସାବି। ଆତ୍ମାଟା ତ କୋଉଦିନରୁ ମରିଗଲାଣି। ଯଦି କେହି ଦୟାପରବଶ ହୋଇ ତାକୁ ନୋଟଟିଏ ଦିଏ, ବଡ ଭୟାର୍ତ୍ତ ଆଖିରେ ଚାହିଁ ଘୁଞ୍ଚିଯାଏ ସାବି। ଭାରି ଭୟ ତା'ର ଏଇ ଟଙ୍କାକୁ। ଟଙ୍କା ଦେଉଥିବା ସବୁ ମରଦଙ୍କ ଭିତରେ ସେ ଖୋଜିବସେ ସେଇ ବାବୁଟାକୁ ଆଉ ସବୁ ମାଇପିଙ୍କ ଭିତରେ ସେ ଧୁଣ୍ଡିକୁ।


Rate this content
Log in

Similar oriya story from Tragedy