Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

ପ୍ରଶାନ୍ତ କୁମାର ବେହେରା

Abstract

3.5  

ପ୍ରଶାନ୍ତ କୁମାର ବେହେରା

Abstract

ଅସହାୟ ବାପାମାନେ ( ପଞ୍ଚମ ଭାଗ )

ଅସହାୟ ବାପାମାନେ ( ପଞ୍ଚମ ଭାଗ )

7 mins
189


ଅସହାୟ ବାପାମାନେ .......( ପଞ୍ଚମ ଭାଗ )

--------------------------------------------------------------------

( ସମସ୍ତ ଚରିତ୍ର କାଳ୍ପନିକ ବୋଲି ଧରିନେବାକୁ ବିନମ୍ର ଅନୁରୋଧ )


ଏଇ କେଇଦିନ ତଳର ଘଟଣା l କଲେଜ ଗେଟ୍ ଭିତରକୁ ପଶିବା ପରେ ପରେ ଓଲଟ ଦେବଦାରୁ ଗଛ ମୂଳରେ ଠିଆ ହୋଇ ଦୁଇଜଣ ଗପୁଥାନ୍ତି l ଗପର ମଝିରେ ମଝିରେ ମନ ଖୋଲା ହସ ବି ବାହାରୁଥିଲା ଦୁହିଁଙ୍କ ମୁହଁରୁ l ଦୁଇ ଜଣଙ୍କ ହାବଭାବରୁ ସ୍ପଷ୍ଟ ଜଣାପଡୁଥିଲା ଯେ ସେମାନେ ପ୍ରେମିକ ପ୍ରେମିକା ବୋଲି l ପ୍ରେମିକା ଜଣକ କଲେଜ ଛାତ୍ରୀ ହୋଇଥିବାରୁ କଲେଜ ୟୁନିଫର୍ମରେ ଥାଏ l ପ୍ରେମିକ ଜଣକ କିନ୍ତୁ ବାହାରର ପିଲା l ବୋଧହୁଏ କଲେଜ ପଢା ସାରିଦେଇ ଏଇ ପ୍ରେମ ପଢାରେ ଏବେ ସମ୍ପୂର୍ଣ୍ଣ ମନଧ୍ୟାନ ଦେଇ ଦେଇଛି l


ଏ ପ୍ରେମ କରିବା କିଛି ନୂଆ କଥା ନୁହେଁ l ଆମେ କଲେଜରେ ପଢୁଥିବା ସମୟରେ ଥିଲା, ଆମ ପୂର୍ବରୁ ଥିଲା, ଏବେ ବି ଅଛି l କିନ୍ତୁ ସମୟର ସ୍ରୋତରେ ତାଳଦେଇ ପ୍ରେମର ସଂଜ୍ଞାରେ ବହୁତ କିଛି ପରିବର୍ତ୍ତନ ଘଟିଛି l ଆମ ସମୟରେ ବା ଆମ ପୂର୍ବରୁ ଅାଜିକାଲି ପରି ପ୍ରେମରେ ଏତେ ଗପସପ ବା ଏକାନ୍ତ ହେବା ନଥିଲା l ଏବେ କିନ୍ତୁ ସେସବୁ ଖୁବ୍ ସାମାନ୍ୟ କଥା l କଲେଜରେ ପଢୁଥିବା ଆଉ ପ୍ରେମରେ ପଡିଥିବା ପିଲା ମାନେ କେବଳ ଯେ କଲେଜରେ କଥା ହେଉଛନ୍ତି, ଏକାନ୍ତ ହେଉଛନ୍ତି ତାହା ନୁହେଁ, ବରଂ ବାହାର କିଛି ପିଲା ବି କଲେଜ ପରିସରରେ ଆସି ପହଞ୍ଚିଯାଉଛନ୍ତି l ଏମିତି ବି ହେଉଛି, କଲେଜରେ ଝିଅଟି ପଢୁଛି, ଗାଁଆଁ ବା ଅନ୍ୟ କେଉଁ ବନ୍ଧୁଘର ଗାଁଆଁ ର ଗୋଟେ ପୁଅକୁ ପ୍ରେମ କରୁଛି, ସେଠି କଥାବାର୍ତ୍ତା ହୋଇ ହେଉନି ତେଣୁ ପ୍ରେମିକଟି ଝିଅର ପଛେ ପଛେ ଆସି କଲେଜରେ ହାଜର୍ l ତାମାନେ ତାଙ୍କର ପ୍ରେମକୁ ଲାଳନ ପାଳନ କରି ଆଗେଇ ନେବାକୁ କଲେଜ ପରିସରକୁ ଉପଯୁକ୍ତ ସ୍ଥାନ ବୋଲି ଧରି ନେଉଛନ୍ତି l


ସେଦିନ ପାଖା ପାଖି ୩ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ସେଇ ଗୋଟେ ଜାଗାରେ ଠିଆ ଠିଆ ପ୍ରେମ ଗପ କରିସାରିବା ପରେ ସେ ପ୍ରେମିକା ଜଣକ ଅର୍ଥାତ୍ କଲେଜ ଛାତ୍ରୀଟି କିଛି ଗୋଟେ ଦୃଢ଼ ନିଷ୍ପତି ନେଇ ତା' ମୋବାଇଲରୁ କାହାକୁ କଲ୍ କରି ଡାକିଲା l କିଛି ସମୟପରେ ଗୋଟେ ବାଇକ୍ ରେ ଜଣେ ପୁରୁଷ ଓ ଦୁଇଜଣ ନାରୀ ଆସି ପହଞ୍ଚିଗଲେ l ଦୁଇଜଣ ନାରୀଙ୍କ ଭିତରୁ ଜଣଙ୍କ ବୟସ ୫୦ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଅନ୍ୟ ଜଣକୁ ୩୦ ବର୍ଷ ବୟସ ହୋଇଥିବା ପରି ଲାଗୁଥାଏ l ପୁରୁଷ ଜଣକ ମଟର ସାଇକେଲ୍ ରେ ସେମିତି ବସିଥିବା ବେଳେ ଦୁଇଜଣ ଯାକ ନାରୀ ବାଇକ୍ ରୁ ଡେଇଁପଡି ପ୍ରେମିକ ପ୍ରେମିକା ଗପୁଥିବା ସ୍ଥାନ ଆଡକୁ ଦୃତ ବେଗରେ ଚାଲିଲେ l


ସେଠି ପହଞ୍ଚି ବୟସ୍କ ସ୍ତ୍ରୀ ଲୋକଟି ହଠାତ୍ ପ୍ରେମିକର ଗାଲରେ ଠୋ ଠୋ କରି କେଇଟି ଚଟକଣି ବସାଇଦେଲା l ପ୍ରେମିକ ରୂପକ ପୁଅଟିକୁ ଯେତେବେଳେ ମାଡ ବସିବା ଆରମ୍ଭ ହେଲା, ସଙ୍ଗେ ସଙ୍ଗେ ସେଠି ଭିଡ ଜମିବା ମଧ୍ୟ ସ୍ୱାଭାବିକ୍ ଥିଲା l ସେ ଝିଅଟି ଅର୍ଥାତ୍ ପ୍ରେମିକାଟି ମାଡ ମାରୁଥିବା ସେଇ ବୟସ୍କା ସ୍ତ୍ରୀ ଲୋକ ଓ ତା ପ୍ରେମିକର ମଝିରେ ଧୂମକେତୁ ପରି ପଶିଯାଇ କହିଲା," ବୋଉ ଏ କଣ କରୁଛୁ ? ଏଇଥି ପାଇଁ କଣ ତତେ ଫୋନ୍ କରି ଡାକିଥିଲି ? "


ଝିଅଟିର ଏତିକି କଥାରେ ସମ୍ପୂର୍ଣ୍ଣ ଘଟଣା ସ୍ପଷ୍ଟ ହୋଇଗଲା l ପ୍ରେମିକ ସହିତ ଦୀର୍ଘ ତିନି ଘଣ୍ଟା ପ୍ରେମାଳାପ କରିସାରିବା ପରେ ଝିଅଟି ତା' ନିଜ ଜନ୍ମକଲା ମଆଙ୍କୁ ଫୋନ୍ କରି ଡାକିଥିଲା l ଝିଅଟି ଚାହିଥିଲେ ଲୁଚିକି ସେ ପୁଅ ସହିତ ଚାଲିଯାଇ ପାରିଥାନ୍ତା l କିନ୍ତୁ ସାହାସ ସଂଚୟ କରି, ମାଆକୁ ଡକାଇ ସବୁକଥା ଜଣାଇ , ତା' ଆଶୀର୍ବାଦ ନେଇ ଫାଇନାଲି ସେ ପୁଅ ସହିତ ଘର ସଂସାର କରିବାକୁ ଶ୍ରେୟସ୍କର ମଣିଥିଲା l ଏବେ ସେଇ ମାଆ ଆସି ପହଞ୍ଚି ଭାବି ଜ୍ୱାଇଁଙ୍କୁ ମାଡ ମାରିବା ଷ୍ଟାର୍ଟ କରିଦେଇଛନ୍ତି l 


ମାଆ ଜଣଙ୍କ କାନ୍ଦିକାନ୍ଦି ତା ଝିଅକୁ ଗୋଟେ କଡକୁ ପେଲିଦେଇ ରାଗରେ ସବୁତକ ବଳ ଖର୍ଚ କରି ପୁଣି ସେଇ ପ୍ରେମିକ ଟୋକାକୁ ମାଡ ମାରୁଥାନ୍ତି l ଝିଅଟି ବି ପ୍ରାଣପଣେ ମାଆକୁ ଅଟକାଇବାକୁ ଚେଷ୍ଟିତ ଥାଏ l ପ୍ରେମିକଟି ମାଡ ଖାଉଥିଲେ ବି ସେଠୁ ଖସି ଦୌଡି ପଳାଇବାକୁ ଆଦୌ ଚେଷ୍ଟା କରୁନଥାଏ l ଯେତେ ମାଡ ଖାଇଲେ ବି ନିଜ ଦୁଇ ହାତକୁ ଯୋଡି ବାରମ୍ୱାର ନମସ୍କାର କରିବା ମୁଦ୍ରାରେ ସେମିତି ଗୋଟେ ମୂର୍ତ୍ତିପରି ଠିଆ ହୋଇ ଯାଉଥାଏ l ଏମିତି ଲାଗୁଥାଏ ଯେମିତି ସେ ପିଲା ଗୁଡେ ନିଶା ଖାଇଛି କିମ୍ୱା ଏଇ ପ୍ରେମ ନିଶାରେ ପୁରା ମସଗୁଲ୍ ହୋଇ ଭାବି ଶାଶୁଙ୍କ ମାଡର ପ୍ରତିବଦଳରେ ଉଚିତ୍ ସମ୍ନାନ ପ୍ରଦର୍ଶନ ପୂର୍ବକ ମନେମନେ କହୁଥିଲା , " ଯେତେ ମାରୁଛ ମାର , ଆଜି କିନ୍ତୁ ପ୍ରେମର ବିଜୟ ନିଶ୍ଚିତ l "


ଏ ଭିତରେ ସେଠି ଭିଡ ବଢୁଥାଏ l ଯେଉଁ ପରୁଷ ଜଣଙ୍କ ବାଇକ୍ ରେ ଏ ଦୁଇଜଣ ନାରୀଙ୍କୁ ଆଣିଥିଲା ଏବେ ତାଙ୍କ ପରିଚୟ ମଧ୍ୟ ଜଣା ପଡିସାରିଥିଲା l ସେ ଝିଅଟିର ଭିଣେଇ ହୋଇଥିବା ସ୍ଥଳେ ଆର ସ୍ତ୍ରୀ ଲୋକଟି ତାଙ୍କ ସ୍ତ୍ରୀ ଅର୍ଥାତ୍ ପ୍ରେମିକା ସାଜିଥିବା କଲେଜ ପଢୁଆ ଝିଅଟିର ବଡ ଭଉଣୀ l


ମାଆଟି ନିଜର ବଡ ଝିଅ ଜ୍ୱାଇଁଙ୍କୁ ସାଙ୍ଗରେ ଆଣି ବର୍ତ୍ତମାନ ସାନ ଝିଅ ଗଭୀର ଭାବରେ ଭଲ ପାଉଥିବା ପୁଅଟିକୁ ନର୍ଘାତ ମାଡ ମାରୁଥାଏ l କଲେଜ ପଢୁଆ ପୁଅ ଝିଅ ମାନଙ୍କ ସହିତ ସ୍ଥାନିୟ ଅଞ୍ଚଳର କିଛି ଲୋକଙ୍କର ଏତେ ଭିଡ ଦେଖି ତ୍ରିପାଠୀ ସାର୍ ନିଜର ବାଇକ୍ ଅଟକାଇ ସେଠି କଣ ଚାଲିଛି କିଛି ସମୟ ଦର୍ଶକ ହୋଇ ସେଇ ଦୃଶ୍ୟକୁ ଦେଖିଲେ l


ସେଇ ବାଟ ଦେଇ ଆମ କଲେଜର ତ୍ରିପାଠୀ ସାର୍ ଯାଉଥିଲେ l ତ୍ରିପାଠୀ ସାର୍ ଜଣେ ଖୁଵ୍ ଅଭିଜ୍ଞ ଲୋକ l ସବୁ ଘଟଣାରେ ମାମଲତ୍କାର୍ କରିବା ସହିତ ଖୁବ୍ ମଜାମଜା କଥା କହିବାରେ ମାହିର୍ l ଯେତେବଡ ଲୋକ ହେଲେ ମଧ୍ୟ ବିନା ଭୟ କିମ୍ୱା ଶଂକୋଚ ନକରି ଯାହା ମନରେ ଆସେ ଆଉ ଠିକ୍ ଲାଗେ ମୁହେଁ ମୁହେଁ କହି ଦିଅନ୍ତି l


ତ୍ରିପାଠୀ ସାର୍ ମାମଲତ୍କାର୍ କରିବାର ଗୋଟେ ନିଆରା ଦୃଷ୍ଟାନ୍ତ ରଖୁଛି ଏଠି l ଶୁଣିଲେ ଯେକେହି ଲୋକ ହସିବେ l ଥରେ ସେ ନିଜର ଜଣେ ଦୂର ସମ୍ପର୍କୀୟଙ୍କ ଭୋଜିରେ ଯୋଗ ଦେବାକୁ ଯାଇଥିଲେ l ନିପଟ ଗାଁଆଁରେ ସେଇ ଭୋଜି ଅନୁଷ୍ଠିତ ହେଉଥିଲା l ଯେହେତୁ ଟିକେ ମାମଲତ୍କାର୍ ଗୁଣ ଅଛି ତେଣୁ ସାର୍ ଆମର ସେଠି ପହଞ୍ଚି ଆଗତୁରା ଭୋଜି ନଖାଇ କିଛି ସମୟ ସେଠି ରୋଷେଇ ପାଖରେ ବୁଲାଚଲା କରି ଯେତେବେଳେ ପ୍ରଥମ ଖାଇବା ପଙ୍ଗତ ବସିଲା ସେଠି ବୁଲିବୁଲି କେଉଁଠି କୋଉ ଆଇଟମ୍ ଠିକ୍ ରେ ଲାଗିଲା କି ନାହିଁ ଦେଖି ବଡପାଟି କରି ବଢାବଢି କରୁଥିବା ଲୋକମାନଙ୍କୁ ନିର୍ଦ୍ଦେଶ ଦେଉଥାନ୍ତି l ଶେଷକୁ ଖିରୀ ଲାଗିବା ସମୟ ଆସିଲା l ଜଣେ ଖିରୀ ବାଲ୍ଟି ଧରିଲା ଓ ଆଉ ଜଣେ ରସଗୋଲା ବାଲ୍ଟି ଧରି ଦେବାକୁ ରେଡ୍ଡି ହେଲେ l ରସଗୋଲା ବାଲ୍ଟି ଧରିଥିବା ଲୋକଟି ତ୍ରିପାଠୀ ସାରଙ୍କୁ ମାମଲତ୍କାର୍ ଲୋକ ହିସିବରେ ପଚାରିଲା, " ଆଜ୍ଞା ମିଠା କେତୋଟା କରି ଦେବି ? " 


ହଠାତ୍ କିନା ତ୍ରିପାଠୀ ସାରଙ୍କ ପାଟିରୁ ଦୁଇଟା କରି ମିଠା ଦେବାକୁ ନିର୍ଦ୍ଦେଶ ବାହାରି ଆସିଲା l ସେଇ ହିସାବରେ ମିଠା ଦିଆ ଚାଲିଲା l ପାଖା ପାଖି ୪ ବ୍ୟାଚ୍ ପଙ୍ଗତ ସରିବାପରେ ଭୋଜି ଆୟୋଜନ କରିଥିବା ଲୋକ ଦେଖିଲା ମିଠା ଦୁଇଟି କରି ଦିଆ ଯାଉଛି l ସେ କିନ୍ତୁ ଲୋକସଂଖ୍ୟା ହିସାବରେ ଗୋଟେ ଗୋଟେ କରି ମିଠା ଦେବା ବ୍ୟବସ୍ଥା କରିଥିଲେ l ଏବେ ମିଠା ସରିବା ସରିବା ହେଲାଣି କିନ୍ତୁ ଲୋକ ଆଗକୁ ଅହୁରି ଆସିବେ l ତେଣୁ ଗୃହକର୍ତ୍ତା ମିଠା ବାଣ୍ଟୁଥିବା ଲୋକ ଉପରେ ପୁରା ରାଗି ପାଚିଯାଇ ପଚାରିଲେ , " କିଏ ତୁମକୁ କହିଲା ଦୁଇଟା କରି ମିଠା ଦେବାକୁ ? "  


ସେ ଲୋକଟା ଏଣେତେଣେ ଅନାଇଁ ତ୍ରିପାଠୀ ସାରଙ୍କୁ ଖୋଜିଲା l କିନ୍ତୁ ସେ ପରିସ୍ଥିତି ଦେଖି ତ୍ରିପାଠୀ ସାର୍ ଲୁଚିବା ଶ୍ରେୟସ୍କର ମଣିଲେ l ସେ ଲୋକଟି ତ୍ରିପାଠୀ ସାର୍ ଙ୍କୁ ନପାଇ ଖାଲି ଏପଟ ସେପଟ ଆନାଉଁ ଥାଏ ଆଉ ସେଇ ଭିତରେ ଗୃହକର୍ତ୍ତା ତାକୁ ଗୁଡେ ଗାଳି ଦେବାରେ ବ୍ୟସ୍ତ ଥାଏ l ବାସ୍ତବରେ ସେଠି ତ୍ରିପାଠୀ ସାର୍ ମାମଲତ୍କାର୍ କରିବାର କୌଣସି ଆବଶ୍ଯକତା ନଥିଲା l ସେଦିନ ଆଉ ଭୋଜି ନଖାଇ ଚୁପଚାପ୍ ଘରକୁ ଆସି ଖାଦ୍ୟ ଖାଇଲେ l ତାଙ୍କର ଭୟଥିଲା କଳେ ଭୋଜି ଖାଇବା ବେଳେ ସେ ମିଠା ଦେଉଥିବା ଲୋକ ତାଙ୍କୁ ଚିହ୍ନାଇ ଦେବ l


ଆଉ ଏକ ଘଟଣାରେ ତ୍ରିପାଠୀ ସାର୍ କେମିତି ମଜାଳିଆ ଲୋକ ତାହା ଜାଣିହେବ l ତାଙ୍କ ଗାଁଆଁରେ ଜଣେ ଗରିବ ଲୋକ ତା' ଷ୍ଟାଣ୍ଡାର୍ଡକୁ ଅନାଇଁ ଟିକେ ଅଧିକ ଦାମ୍ ର ଭଲ ଖଟଟେ କିଣିଲା l ଘରେ ଖଟଟି ପକାଇ ଗାଁଆଁର ବିଭିନ୍ନ ଲୋକଙ୍କୁ ଡାକିହାକି ସେଇ ଖଟରେ ଆଣି ବସାଇ କହୁଥାଏ ନୂଆ କିଣିଛି , କେମିତି ହୋଇଛି ? " 


ଗାଁଆଁ ଲୋକମାନେ ବି ହଁ ଭଲ ହୋଇଛି ବୋଲି କହି ବିଦାୟ ନିଅନ୍ତି l ସେ ଲୋକଟି ଯେତେବେଳେ ତା' ଦାଣ୍ତବାଟେ ଦେଇ ଯାଉଥିବା ଲୋକକୁ ଅଟକାଇ କିଛି କଥାବାର୍ତ୍ତା ଆରମ୍ଭକରି ଖଟକୁ ଦେଖାଇବା ଚକ୍କରରେ କହେ , " ହଉ ଭାଇ ଖଟକୁ ଆସ l " 


ଏଇ କଥା , " ଖଟକୁ ଆସ " ସବୁଲୋକଙ୍କୁ କହି ସେ ନିଜ ଘର ଭିତରକୁ ଡାକେ l ତ୍ରିପାଠୀ ସାର୍ ଯେତେବେଳେ ଏକଥା ଶୁଣିଲେ ସେ ଜାଣିଶୁଣି ସେ ଲୋକର ଘରପାଖକୁ ବୁଲିବାକୁ ଗଲେ l ସେତେବେଳେ ସଂଧ୍ୟା ସମୟ l ସେ ଲୋକ ଯେମିତି ତ୍ରିପାଠୀ ସାରଙ୍କୁ ଦେଖିଛି ଅଟକାଇ କହିଲା , " ଭାଇ ସବୁ ଭଲ ତ ? " 


ଏ ମଧ୍ୟ ଖୁବ୍ ସହଜ ଭାବରେ କହିଲେ , " ହଁ ସବୁ ଭଲ , ଆଉ ତମ ଖବର କଣ ? "


ସେ ଲୋକଟି ଏଥର ତାର ସେଇ ଡାଇଲଗ୍ , " ହଉ ଖଟକୁ ଆସ " କହି ଡାକିଲା l  


ତ୍ରିପାଠୀ ସାର୍ ଯାଇ ତା' ଘରେ ସେଇ ନୂଆ ଖଟରେ ବସିଥାନ୍ତି l ସେ ଲୋକଟା ଖଟର ଦାମ୍ ଆଉ କାରୁକାର୍ଯ୍ୟ ବିଷୟରେ କହି ଖୁସି ହେଉଥାଏ l ଏହି ସମୟରେ ସେଇ ଦାଣ୍ତବାଟେ ଦେଇ ଜଣେ ସ୍ତ୍ରୀ ଲୋକ ଯାଉଥାଏ l ତ୍ରିପାଠୀ ସର୍ ମଜାକରିବା ପାଇଁ ସେ ଲୋକଟିକୁ କହିଲେ , " ସେଠି ରାନୀ ଭାଉଜ ଯାଉଛନ୍ତି , ତାଙ୍କୁ ଖଟ ଦେଖାଇଛ ନାଁ ନାହିଁ ? " 


ସେ ଲୋକଟି ଏ ପର୍ଯ୍ୟନ୍ତ ଗାଁଆଁର କେବଳ ପୁରୁଷ ଲୋକମାନଙ୍କୁ ଡାକି ତା ଖଟ ଦେଖାଇଥାଏ l କୌଣସି ସ୍ତ୍ରୀ ଲୋକକୁ ଡାକିନଥାଏ l ଏବେ ତ୍ରିପାଠୀ ସାରଙ୍କ କଥାରେ ପୁରା ଉତ୍ଫୁଲ୍ଲିତ ହୋଇ ଦାଣ୍ତ ଆଡକୁ ଯାଇ କହିଲା , " ଭାଉଜ ସବୁ ଭଲ ତ ? " 


ରାନୀ ଭାଉଜ ବି ସ୍ୱାଭାବିକ୍ ଭାବରେ କହିଲେ, " ହଁ ସବୁ ଭଲ l" 

ଏଥର ସେ ଲୋକଟା ତାର ସେଇ ବହୁତ ଦିନରୁ ଘୋଷା ଡାଇଲଗ୍ ଟା ଛାଡିଦେଲା , " ଭାଉଜ ଟିକେ ଖଟକୁ ଆସ l"


ବାସ୍ ସେ ଲୋକଟିର ଏତିକି କଥାରେ ରାନୀ ଭାଉଜ ପୁରା ରାଗିପାଚି ତାକୁ କହିଲେ, " କି ଅଭଦ୍ର ଲୋକ ? ଖଟକୁ କଣ ଯିବି ? "


ଏ ଲୋକ ଏଠି ଦାଣ୍ତରେ ରାନୀ ଭାଉଜଠୁ ଗାଳି ଖାଉଥିବା ବେଳେ ତେଣେ ଖଟରେ ବସି ତ୍ରିପାଠୀ ସାର୍ ମଜା ଦେଖୁଥିଲେ l କିନ୍ତୁ ତା ପର ଦିନଠୁ ସେ ଲୋକ ଆଉ କାହାକୁ ବି " ଖଟକୁ ଆସ " ବୋଲି କହି ଡାକିବାର କେହି ଶୁଣି ନାହାନ୍ତି l


ଛାଡନ୍ତୁ ବର୍ତ୍ତମାନ ଆମେ ମୂଳ ଘଟଣାକୁ ଯିବା l ତ୍ରିପାଠୀ ସାର୍ ନିଜର ମାମଲତ୍କାର୍ ଗୁଣର ପ୍ରରୋଚନାରେ ସେ ଜମିଥିବା ଭିଡ ଭିତରେ ପଶି ସେଠାରେ ଘଟୁଥିବା ଘଟଣାର ସାମ୍ନାସାମ୍ନି ହେଲେ l ସେ ସ୍ତ୍ରୀ ଲୋକଟି ସେମିତି ରାଗିକି ତା ଝିଅର ପ୍ରେମିକକୁ ବିଧା ଗୋଇଠା ମାରୁଥାଏ l ତ୍ରିପାଠୀ ସାର୍ ବଡପାଟି କରି କହିଲେ, " କଣ ଚାଲିଛି ଏଠି ? କାଇଁ ଏ ପିଲାକୁ ମାରୁଛ ? "


ସ୍ତ୍ରୀ ଲୋକଟି ରାଗିକି କହିଲା, " ଆପଣ କିଏ ? ଆପଣଙ୍କର ଏଠି ଏ ଘଟଣାରେ ମୁଣ୍ତ ଖେଳାଇବା ଆବଶ୍ୟକ ନାହିଁ l"


ସ୍ତ୍ରୀ ଲୋକଟିର ଏଇ କେଇପଦ କଥା ତ୍ରିପାଠୀ ସାର୍ ଙ୍କ ମାମଲତ୍କାର୍ ଗୁଣକୁ ପୁରା ଛାରଖାର କରିଦେଲା ପରି ଲାଗିଲା l ସେ କିନ୍ତୁ ଖୁବ୍ ଅଭିଜ୍ଞ ଲୋକ ହୋଇଥିବାରୁ ପୂର୍ବଥର ଅପେକ୍ଷା ଏଥର ଆହୁରି ବଡ ପାଟିରେ କହିଲେ, " କଣ ହେଲା ? ଆପଣ ଏଠି କଲେଜ କାମ୍ପସରେ ଏମିତି ଡ୍ରାମା କରିବେ ଆଉ ଆମେ କଲେଜର କର୍ମଚାରୀ ହୋଇ କିଛି କହିବୁ ନାହିଁ ? କଣ ଭାବିଛନ୍ତି କି ଅାପଣ ? "


ତ୍ରିପାଠୀ ସାରଙ୍କ ଏତିକି କଥାରେ ସ୍ତ୍ରୀ ଲୋକଟି ତା ସାନ ଝିଅ ଆଡକୁ ଆଙ୍ଗୁଠି ଦେଖାଇ କହିଲା , " ସାର୍ କଣ ଆଉ କହିବି ? ଏଇ ଝିଅ ଭଲ ପଢୁଛି ବୋଲି ମୁଲ ଲାଗି ଏଠି ବଡ କଲେଜରେ ତାକୁ ସାଇନ୍ସ ପଢାଉଛି l ଏଠି ଆସି ପାଠ ନପଢି ପ୍ରେମ କରୁଛି l ଏ ବେକାର ନିଶାଡି ଟୋକା ସାଙ୍ଗରେ ପଳାଇବ ବୋଲି ମୋତେ ଫୋନ୍ କରି କହୁଛି l ମୋ କଷ୍ଟର ଫଳ କଣ ଏଇଆ ସାର୍ ? " 

 

ମୁଁ ତ୍ରିପାଠୀ ସାରଙ୍କ ଠାରୁ ସେ ସ୍ତ୍ରୀ ଲୋକର ସେଇ କେଇ ଲାଇନ୍ କଥା ଭିତରୁ ଏଇତକ କଥା - " ମୂଲ ଲାଗି ଏ ଝିଅକୁ ସାଇନ୍ସ ପଢାଉଛି " ବହୁତ କିଛି କଥା କହୁଥିଲା l ସତରେ କେତେ କଷ୍ଟକରି ବାପା ମା ମାନେ ପିଲା ମାନଙ୍କୁ ପାଠ ପଢାଇ ମଣିଷ କରିବାକୁ ନିଜ ଜୀବନକୁ ତିଳତିଳ କରି ଶେଷ କରିଚାଲନ୍ତି l କିନ୍ତୁ ପିଲାମାନେ କ୍ଷଣିକ ଉନ୍ମାଦନାରେ ବାପା ମାଙ୍କର ସମସ୍ତ ଆଶାକୁ ଧୁଳିସାତ୍ କରିବାକୁ ଟିକେ ବି ପଛାନ୍ତି ନାହିଁ l ସତରେ କେତେ ଅସହାୟ ପିଲାମାନଙ୍କ ଆଗରେ ଏଇ ବାପା ମା ମାନେ ? (କ୍ରମଶଃ )


Rate this content
Log in

More oriya story from ପ୍ରଶାନ୍ତ କୁମାର ବେହେରା

Similar oriya story from Abstract