Satyabati Swain

Tragedy Inspirational

3  

Satyabati Swain

Tragedy Inspirational

ଅସହାୟ ବାପା

ଅସହାୟ ବାପା

4 mins
648




ପ୍ରସବ ବେଦନାରେ ଛଟ ପଟ ହେଉଥିଲା ମା।ଏଇ ମା ହେବା ଟା ଏତେ କଷ୍ଟ ଦାୟକ ପାଖରେ ଥାଇ ଅନୁଭବ କରୁଥିଲା ବିଚରା ବାପାଟି।ମା ଠାରୁ କଷ୍ଟ ଆଣି ପାରୁ ନଥିଲା କି ମାର କଷ୍ଟ ଦେଖି ବି ପାରୁ ନଥିଲା।କି

ଯନ୍ତ୍ରଣାରେ କଲବଲ ହେଉଛି ମା ଟି!!ଓଃ ଭଗବାନ ଉଦ୍ଧାରି ଦିଅ ପ୍ରଭୁ ହାତ ଯୋଡି ବାପା କେବଳ ପ୍ରାଥନା କରୁଥିଲା।ଅସ୍ଥିର ଭାବେ ଏପଟ ସେପଟ ହେଉଥିଲା।

         ସୁ ସୁ ଘୋଟି ଆସିଲା ପବନ।ଗଛ ମାନେ ମଥା ନୋଇଁ ପ୍ରଣାମ କରୁଥିଲେ ଅବା ପ୍ରକୃତି ମା କୁ।ପୁଣି ଉଠି ଯାଉଥିଲେ ଆକାଶ ଛୁଇଁ।ଗର୍ଭିଣୀ ମା ଛଟ ପଟ ହେଉଥିଲା ବଡ଼ ଶାଳ ଗଛ ମୂଳେ।ଗଛ ଡାଳ ଗୁଡିକ ମଡ଼ ମଡ଼ ହୋଇ ଭାଙ୍ଗି ପଡୁଥିଲା।ଗର୍ଭ କଷ୍ଟକୁ ଫନି ସାମୁଦ୍ରିକ ଝଡ଼ର ପ୍ରକୋପ ଆହୁରି ଭୟଙ୍କର କରିଦେଲା ପରିବେଶ।ମା ପ୍ରସବ ବେଦନାରେ ଜରଜର।ଗଛ ମୂଳ ଦୋହଲିଲାଣି।କେଉଁ ମୁହୂର୍ତ୍ତରେ ବି ଉପରେ ପଡି ପାରେ।ମା ଟି ଘଷୁରୁ ଥିଲା ପ୍ରାଣ ବିକଳରେ।ଏଣେ ତା ଭିତର ଛୁଆ ବାହାରକୁ ଆସିବାକୁ ବ୍ୟଗ୍ର।ବାପାଟି ପ୍ରାଣ ମୂର୍ଚ୍ଛା ଟାଣୁଥିଲା ମାକୁ।ହେଲେ କେଉଁଠିକୁ ନେବ।ସବୁ ଗଛ ତ ମଡ଼ ମଡ଼ ହୋଇ ଭାଙ୍ଗି ପଡୁଛନ୍ତି।କଣ କରିବ ବାପାଟି।ପବନ ଡାଳ, ପତ୍ର ତାକୁ ବି ଠେଲି ପକାଇ ଦେଉଛନ୍ତି।

        ଥରୁଛି ଫନିରେ ଜଙ୍ଗଲ।ଜୀବନ ବିକଳରେ ଧାଁ ଦଉଡ କରୁଛନ୍ତି ସବୁ ଜୀବ।ଗୁମ୍ଫା,ପାହାଡ଼ ତଳ ଆଦି ନିରାପଦ ସ୍ଥାନକୁ ପଳେଇ ଯାଉଛନ୍ତି।

      ଯାଇ ପାରୁନି ବାପା ହାତୀଟି।କେମିତି ଯାଆନ୍ତା ଗର୍ଭିଣୀ ସ୍ତ୍ରୀ ହାତୀଟି ତାର ପ୍ରସବ ଯନ୍ତ୍ରଣାରେ ଛଟପଟ।ବିଚରା ଜଗି କି ଶୋଇ ପଡ଼ିଲା ତା ସ୍ତ୍ରୀ ହାତୀ ପିଠିକୁ ଲାଗି। ସେ ଶୁଣ୍ଢରେ ଆଉଁସି ଦେଉଥିଲା ସ୍ତ୍ରୀ ହାତୀର ସାରା ଶରୀର।ବେଦନା ଜର୍ଜରିତ ସ୍ତ୍ରୀ ହାତୀଟି କହୁଥିଲା "ତୁମେ ପଳାଅ,ନିଜ ଜୀବନ ବଞ୍ଚାଅ,ମୁଁ ଓ ଛୁଆ ଭାଗ୍ୟରେ ଯାହା ଥିବ ଦେଖା ଯିବ।ଅନ୍ତତଃ ତୁମେ ସୁରକ୍ଷିତ ରୁହ"

       ବାପା ହାତୀଟି କହିଲା"କେମିତି କଥା କହୁଛୁ ଲୋ।ମୁଁ ତୋ ପୁରୁଷ ତୋ ପେଟ ପିଲାର ବାପା।ଏ ଝଡ଼ ବର୍ଷାରେ ତୋତେ ଓ ପେଟର ଛୁଆକୁ ଏକା ମରଣ ମୁହଁରେ ଛାଡି ଚାଲିଯିବି!!!ଏ କେମିତି କଥା ଲୋ।ତୁ ଆଉ ତୋ ପେଟର ଛୁଆ ପରା ମୋ ଜିମା!ସେଥିରେ ପୁଣି ତୋ ପ୍ରସବ କଷ୍ଟ।ମୋତେ ଏଡ଼େ ସ୍ୱାର୍ଥ ପର ଭାବେନା।ଯାହା କପାଳରେ ଲେଖା ଥିବ ହେବ।ମୁଁ ତୋତେ ଛାଡ଼ି କୁଆଡେ ଜୀବିନି ଲୋ।ମଲେ ତିନି ହେଁ ମରିବା"।

   ହାତୀ ପଲ କୁହାଟ ଛାଡୁ ଥାଆନ୍ତି ପଳେଇ ଆ ହାତୀ ଭାଇ।ଜଙ୍ଗଲ ଭିତରେ ରହିଲେ ଗଛ ପଡି ମରିଯିବୁ।ଛାର ସ୍ତ୍ରୀ ଟି ପାଇଁ ନିଜ ଜୀବନ ଦେନା।ଆ ପଳେଇ ଆ।

     ସ୍ତ୍ରୀ ହାତୀ ଟି କହୁଥାଏ ଯାଅ ଯାଅ ମୋ ରାଣ।

ହାତୀ ଭାଇଏ କହୁଥାନ୍ତି ଆ ପଳେଇ ଆ।ଯେ ଯୁଆଡେ ପ୍ରାଣ ରକ୍ଷା ପାଇଁ ଜଙ୍ଗଲ ବାହାରକୁ ପଳାଇଲେ।ଏକା ରହିଗଲେ ମା ଓ ବାପା ହାତୀ।ମା ହାତୀର ଦେହ ପ୍ରସବ ଯନ୍ତ୍ରଣାରେ ନିଃସ୍ତେଜ।

        ବାପା ହାତୀଟି କିନ୍ତୁ ଘୁଞ୍ଚିଲା ନାହିଁ ଇଞ୍ଚେ।ମା ହାତୀ ପିଠିକୁ ଆଉଜି ସେମିତି ଶୋଇ ରହିଲା।ପ୍ରସବ ଯନ୍ତ୍ରଣା ତୀବ୍ରତର ହେଲା।ଝଡ଼ ବର୍ଷା ବି ଭୟଙ୍କର।ଦୁଲ ଦାଲ ପଡୁଥାନ୍ତି ଗଛ ଉପୁଡି,ଡାଳ ଭାଙ୍ଗି।ଭୟଙ୍କର ରଡି ଛାଡୁଥାଏ ମା ହାତୀ।ଶୁଣ୍ଢରେ ଚାପି ଧରିଥାଏ ମା ହାତୀର ପେଟକୁ ବାପା ହାତୀଟି।ସେମାନେ ଲୁଚି ଗଲେଣି ଡାଳ ପତ୍ର ଭିତରେ।ତାଙ୍କ ଆଶ୍ରୟ ସ୍ଥଳ ଶାଳ ଗଛଟି କେଉଁ ମୁହୂର୍ତ୍ତରେ ପଡି ପାରେ ତାଙ୍କ ଉପରେ।ବାପା ହାତୀଟି ଡାକୁ ଥାଏ ହେ ଭଗବାନ ଆମେ ପଶୁ ଜାତି,ପୁଣି ବିଶାଳ କାୟ।ଟେକି ତ ନେଇ ପାରିବି ନାହିଁ ଅନ୍ୟତ୍ର ମା କୁ।ମୋର ଯାହା ହେଉ ପଛେ ବଞ୍ଚେଇ ଦିଅ ମା ଛୁଆଙ୍କୁ।

    ଭୂସ୍ କରି ଶାଳ ଗଛଟି ପବନର ବେଗ ସମ୍ଭାଳି ନପାରି ପଡିଗଲା ମା ହାତୀର ମୁଣ୍ଡ ପରେ।ଠିକ୍ ସେତିକି ବେଳେ ଛୁଆଟି ଜନ୍ମ ହେଲା।ବାପା ହାତୀଟି ଛୁଆ ହାତୀଟିକୁ ସୁରକ୍ଷିତ ରଖିବା ପାଇଁ ତା ଶୁଣ୍ଢ ଭିତରେ କାନ ଘୋଡାଇ ଦେଲା।ଖୁସି ଛୁଉଁ ଥିଲା ତା ପିତୃତ୍ୱ।

      ମା ହାତୀ ଟିକୁ ଶୁଣେଇ କହୁଥିଲା ଦେଖ୍ ଆମର ଗୋଟେ ଝିଅ ହୋଇଛି।ଠିକ୍ ତୋ ପରି।ଭାରି ସୁନ୍ଦରିଆ।ତୁ ବ୍ୟସ୍ତ ହଅନା।ଏ ପବନ କମି ଗଲେ ତୋତେ ଆଣି ଖାଇବାକୁ ଦେବି।ତୁ ଉଠିବୁ।ଚିର ଖୋଜି ଛୁଆ ମୁହଁରେ ସେମିତି ଶୋଇ ଥିବା ଅବସ୍ଥାରେ ବାପା ହାତୀଟି ଧରାଇଲା।ଛୁଆ ହାତୀଟି ରକଟୁଥିଲା ମା ପହ୍ନା ଆନନ୍ଦରେ।

    ଝଡ଼ ତା ବାଟରେ ଯେମିତି ଆସିଥିଲା ସେମିତି ଚାଲିଗଲା।ବାପା ହାତୀ ଠେଲିଲା ମା ହାତୀକୁ।ଆଲୋ ଉଠ୍।ଝଡ଼ କମି ଗଲାଣି।ବାପା ହାତୀ ଗୋଟାଇ ଆଣିଲା କିଛି ଡାଳ ପତ୍ର,ଯାହା ଜନ୍ମ କଲା ପରେ ପରେ ଖାଆନ୍ତି ମା ହାତୀ ମାନେ।

    ଦିଶୁ ନଥିଲା ଡାଳ ପତ୍ରରେ ମା ହାତୀ ଟି।ବାପା ହାତୀ କହୁଥିଲା "ଗୁଡାଏ କଷ୍ଟ ସହ ଡାଳ ପତ୍ର ମାଡ଼ ଖାଇଛୁ ନା।ହାଲିଆ ହୋଇ ଯାଇଛୁ କଷ୍ଟ ନେଇ ନେଇ।ଶୋଇଥା ଧନ।ଏଣିକି ଭୟ ନାହିଁ।ତୁ ଟିକେ ସୁସ୍ଥ ହୋଇ ଉଠି ବସିଲେ ଛୁଆକୁ ସମ୍ଭାଳିବୁ,ମୁଁ ତୁମ ଦୁହିଁ ପାଇଁ ଖାଦ୍ୟ ଆଣିବି।ବୁଝିଲୁ ଜମା କହିବୁନି "ଡାଳ ପଡି ତୁମ ଦେହ ଖଣ୍ଡିଆ ଖାବରା ହୋଇ ଯାଇଛି;ତୁମେ ଛୁଆକୁ ଜଗିଥାଅ ମୁଁ ଖାଇବା ଯୋଗାଡ଼ କରି ଆଣିବି"।ବାପା ହାତୀ ଟିକେ ହସି କହୁଥିଲା ମା ହାତୀକୁ"ମୁଁ ଜାଣେ ତୁ ବା ଭାରି ଭଲ ପାଉ ମୋତେ"।

       ହଉ ଉଠିଲୁ ଉଠିଲୁ,ଦେଖିବୁ ଆମ ଝିଅକୁ କହି ଡାଳ, ପତ୍ର ସବୁ ମା ହାତୀ ଉପରୁ ଉଠାଇ ଦେଲା ବାପା ହାତୀ।

   ଠା ଏ କରି ଚମକି ପଡ଼ିଲା ବାପା ହାତୀ ଟି।ଏ କଣ?? ଶାଳ ଗଛ ଟା ପଡି ମା ହାତୀ ମୁଣ୍ଡ ଦି ଫାଳ!!! ରକ୍ତରେ ଜୁଡୁ ବୁଡୁ ମାଟି!!ଆଖି ବୁଜି ସବୁ ଦିନ ଶୋଇ ପଡ଼ିଛି ମା ହାତୀ।

     ଛୁଆ ହାତୀଟି ଠିଆ ଠିଆ ହେଉଥିଲା ଓ ନଥ୍ କରି ପଡି ଗଲା ମା ହାତୀ ଉପରେ।

   ବାପା ହାତୀ ଆଖିରୁ ବୋହି ପଡ଼ିଲା ଦି ଧାର ଲୁହ।ଛୁଆ ହାତୀଟି ମା ପହ୍ନା ଖୋଜୁଥିଲା ଅଧୀର ହୋଇ।ବାପା ହାତୀଟି ଶୁଣ୍ଢରେ କୋଳେଇ ନେଲା ସଦ୍ୟ ଜାତ ଛୁଆ ହାତୀଟିକୁ।ଶେଷ ଥର ଟିକେ ଗେଲ କଲା ମା ହାତୀର ନିଥର ଦେହକୁ।ଆଉ ଟିକେ ଅନାଇଁଲା ଛୁଆ ହାତୀର ନିରୀହ କାନ୍ଦୁରା ମୁହଁକୁ।

    ଛୁଆ ହାତୀର ଶୁଣ୍ଢରେ ବାପା ହାତୀ ତା ଶୁଣ୍ଢ ପୁରେଇ ଟାଣୁଥିଲା ଓ କହୁଥିଲା ଆ ଯିବା ରେ ମା।

ଆଜିଠାରୁ ମୁଁ ତୋର ବାପା ଓ ମା।

     ଛୁଆ ହାତୀଟି ବୁଝି ପାରୁ ନ ଥିଲା କିଛି।ମା ହାତୀ ଉପରେ ନଦି ହେଉଥିଲା,ଚିର ଖୋଜୁଥିଲା।

  କାନ୍ଦୁଛି ଛୁଆ ହାତୀ କ୍ଷୀର ନଖାଇ,କିଛି ବୁଝି ନ ପାରି;

କାନ୍ଦୁଛି ବାପା ହାତୀ' ଅସହାୟ' ହୋଇ ସବୁ ବୁଝି ପାରି।।          

          ବାପା ହାତୀ ନିଜ ଶୁଣ୍ଢରେ ଛୁଆ ହାତୀ ଶୁଣ୍ଡ ଧରି ଟାଣୁଥିଲା ଓ କହୁଥିଲା ଆ ଯିବା ନଈ ଆଡେ କ୍ଷୀର ନହେଲା ନାଇଁ ପାଣି ପିଇ ବଞ୍ଚି ଯିବୁ ଲୋ ସୁନା।

   

Satyabati swain,balikuda,jagatdinghpur.


Rate this content
Log in

Similar oriya story from Tragedy