Padmalaya Padhy

Tragedy

3  

Padmalaya Padhy

Tragedy

ଅପହଞ୍ଚ :

ଅପହଞ୍ଚ :

7 mins
250



ରୁପସୀ ଯେତେବେଳେ ବସ୍ତିରୁ ବାବୁ ମାନଙ୍କ ଘର କୁ କାମ କରିବାକୁ ବାହାରି ଆସେ ସେତେବେଳେ ତାର ଶସ୍ତା ଅତର ର ବାସ୍ନା କୁ ଚପାଇ ଶୁଖୁଆ ରୁ ବାହାରୁଥିବା ଆଇଁସିଣିଆ ଗନ୍ଧଟି ରହି ରହି କି ଅନବରତ ନିଜର ଉପସ୍ଥିତି ଜାହିର କରୁଥାଏ l ମାଛ ଧରା କୌଳିକ ବୃତ୍ତି ହେଲେ ହେଁ ରୁପସୀ କୁ ଏଇ ଗନ୍ଧ ଲାଗି କାହିଁକି ନା ହୀନ ହୀନ ଲାଗେ l


ତେଣୁ ବାପ ଅଜା ଅମଳ ରୁ ଚାଲି ଆସୁଥିବା ବୃତ୍ତି କୁ ଗୋଡ଼ ରେ ଆଡେଇ କାମବାଲୀ ହେବାକୁ ଚାହିଁଥିଲା ସେ l ହେଲେ କଣ ହେବ ଦିନ ଯାକ ବସ୍ତି ଭିତରେ ଆତଯାତ l ସେଇ ଗନ୍ଧ ତା ଦେହ ସାରା ଲେସି ହେଇ ତାକୁ ଗୋଟିଏ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥାଏ ଯାହାକୁ ସେ ପ୍ରବଳ ଘୃଣା କରେ l ନହେଲେ ମାଛ ବ୍ୟବସାୟ ରେ ବସ୍ତି ବାଲା ବେଶ ଧନ ସମ୍ପତ୍ତି ଜମେଇଲେଣି l ତା ଭଳି କାମବାଲୀ ସେଠାରେ କେହି ନାହାନ୍ତି l


--କିଲୋ ! ଆଜି ଗାଧେଇ ନାହୁଁ କି ? କଣ ସୁଗନ୍ଧି ଚାରିଆଡେ ବ୍ୟାପିଲାଣି ?

--ମିଛ କହୁନି ମ ମା ଦିନକୁ ତିନିଥର ଗାଧୋଉଛି ପରା l


ଦାଶ ବାବୁଙ୍କ ମାଙ୍କର ସବୁ ଦିନେ ସେଇ ଏକା ପ୍ରଶ୍ନ l ମିଶ୍ର ବାବୁଙ୍କ ସ୍ତ୍ରୀ ତ ଉପରୁ ତଳ ଯାଏଁ ଏମିତି ନିରେଖି ଦେଖିବେ ଯେ ଲାଗିବ ଯେମିତି ତାଙ୍କ ତୀକ୍ଷ୍ଣ ନଜର ଟି ଦେହ ଭିତରେ ପଶି ହାଡ଼ ଗୁଡିକ କଟ ମଟ କରି ଭାଙ୍ଗି ଦେଉଛି l


--ଦୁନିଆ ରେ କେତେ ପ୍ରକାର ର ମଣିଷ ଅଛନ୍ତି l ପେଟ ପୋଷିବାକୁ ହେଲେ ସମସ୍ତଙ୍କ ସହିତ ଚାଲିବାକୁ ପଡିବ ତୋତେ l ରାଜା ବୁଝାଇଥିଲା l ହେଲେ ରୁପସୀ ର ମନ ବୁଝିବାକୁ ନାରାଜ l


--ଏମାନେ ଖାଇଲା ବେଳେ କିଛି ନ ମିଳିଲେ ପୋଚରା ମାଛ ଶୁଖୁଆ କିଣି ଆଣି ଖାଇଯିବେ କିନ୍ତୁ ଆମ ଆଗରେ ବେଶି ସଫା ସୁତରା ଦେଖେଇ ହେଉଥିବେ l


ରୁପସୀ ର ଅଭିଯୋଗ ଶୁଣି ଶୁଣି ରାଜାର କାନ ବଧିର ହୋଇଯାଏ l ରାଜା କୁ ବି ଏଇ ମାଛ ବ୍ୟବସାୟ ଭଲ ଲାଗୁନାହିଁ l ତେଣୁ ସେ ବସ୍ତି ବାହାରେ ପାଇପ କାମ କରି ଭଲ ଦି ପଇସା ଆଦାୟ କରୁଛି l ଏବେ ପରିବାର ଗଢିବା ପାଇଁ ମନ ବଳାଇଲାଣି l ରୁପସୀ ଛଡା ଆଉ କାହା ସହ ଘର ସଂସାର କରି ପାରିବ ନାହିଁ l ରୁପସୀ ମଧ୍ୟ ରାଜାକୁ ମନେ ମନେ ପସନ୍ଦ କରୁଛି l


 ରାଜା ଦେଇଥିବା ଅତର ଶିଶି ପକାଇ ଥରେ ଦିଥର ଗଲା ଯେ ଆଉ କେହି କିଛି କହି ନଥିଲେ l କିନ୍ତୁ ଅତର ସୁବାସ ସବୁ ଦିନ ଶୁଖୁଆ ଗନ୍ଧ କୁ ଚପାଇ ପାରିଲା ନାହିଁ l କେତେ ଅତର ଛିଞ୍ଚିଲେ ବି ଭୁରୁ ଭୁରୁ ହୋଇ ଟିକେ ଟିକେ ନାକ କୁ ବାଜିବ ହିଁ ବାଜିବ l ତା ଘରେ ତ ନିତି ମାଛ କି ଶୁଖୁଆ ର ଗୋଟିଏ ତରକାରୀ କି ଭଜା ନିଶ୍ଚୟ ହେଉଥିବ l ମାଛ ଖାଇବା ତ ସେ କସ୍ମିନ କାଳେ ସେ ଛାଡି ପାରିବ ନାହିଁ l ରୁପସୀ ର ଦେହ ମନ ସବୁ ଆମିଷମୟ ହେଲେ ସେଇ ବସ୍ତି ରେ ରହିବାକୁ ମନ ହୁଏନି ଜମା l


ବାସନ ମାଜୁଥିବା ବେଳେ ପଣ୍ଡା ବାବୁଙ୍କ ଝିଅ କହିବ 

--ରୁପସୀ ତୁ ଆଉ ଅତର ପକାନା l ଅତର ସହ ମାଛ ଗନ୍ଧ ମିଶି ଗୋଟିଏ ହାଇବ୍ରିଡ଼ ବାସ୍ନା ସୃଷ୍ଟି କରୁଛି l ପେଟ ଆଉଣ୍ଡେଇ ହେଲାଣି l ଯାହା ହେଲେ ଗୋଟିଏ ଥାଉ l ଅତର ରହୁ ନହେଲେ ମାଛ l"


ଆଉ ବାବୁଙ୍କ ପୁଅ ତ ଇସ ଇସ ହେଉଥିବ ଖାଲି l କିନ୍ତୁ ଥରେ ରୁମ ଝାଡୁ କରି ଗଲାପରେ ରୁପସୀ ମଇଳା ରହିଗଲା ଆଉଥରେ ଆସି ଝାଡୁ ମାରି ଯା ବୋଲି ବାରମ୍ବାର ଡାକୁଥିବ ଓ କାମ ବେଳେ ମୁଣ୍ଡ ରୁ ଗୋଡ଼ ଯାଏଁ ଖାଲି ନିରୀକ୍ଷଣ କରୁଥିବ l


ଏମିତିଆ ଲୋକଙ୍କ ମନ ର ଦୁର୍ଗନ୍ଧ ଆଗରେ ଶୁଖୁଆ ବି ପଛରେ ପଡ଼ିଯିବ l ଏମାନଙ୍କ ର ତ ମନ ରେ ବି ମଇଳା ଅଛି ଯାହାର ଦୁର୍ଗନ୍ଧ ସାତ ପୁରୁଷ ଯାଏଁ ମାଡି ଚାଲିଥିବ ଯେ ରାଜା ର ଅତର ବି କାମ ଦେବ ନାହିଁ l


 ରାଜା କୁ ବାହା ହେଲା ପରେ ଯାହା ବି ହେଉ ପ୍ରଥମେ ଏ ବସ୍ତି

 ଛାଡ଼ିବ l ସେ ଆଉ କାମବାଲୀ ହେବ ନାହିଁ l ସେ ହେବ ରାଜାର ସ୍ତ୍ରୀ ରୁପସୀ ରାଣୀ l


ଯାହା ହେଉ ଏତେଗୁଡିଏ ହୃଦୟହୀନ ଲୋକଙ୍କ ଭିତରେ ଶିବୁ ବାବୁଙ୍କ ଝିଅ ମୋନା ର ହୃଦୟବତ୍ତା କୁ ରୁପସୀ ଲକ୍ଷ୍ୟ କରିଛି l କୁମାର ପୂର୍ଣ୍ଣମୀ ହେଉ କି ଦଶହରା ଯାହା ହେଉ ପଛେ ମୋନା ଦିଦି ରୁପସୀ କୁ ସଜବାଜ ହୋଇ ଆସିବାକୁ କହନ୍ତି l ନହେଲେ ନିଜେ ବସି ରୁପସୀଙ୍କୁ ସଜାଇ ଦିଅନ୍ତି ମଧ୍ୟ ଯାହାକୁ ଦେଖିଲେ ରାଜା ବି ଚିନ୍ହି ପାରେନି l ଆଉ ତାଙ୍କ ମା ତ ଯାହା କହନ୍ତି ନା l


--ଏ ଅତରବାଲି କାମରେ ମନ ନାହିଁକି ତୋର ଆଜି l ବେଶି ଅତର ଢ଼ାଳି ଦେଇଛୁ ନା କଣ l ଏସବୁ ଶୁଣି ଶୁଣି ରୁପସୀ ର ଅଭ୍ୟାସ ହୋଇଗଲାଣି l 


ସେଦିନ ମୋନା ଦିଦି ଙ୍କର ଜନ୍ମ ଦିନ ଥିଲା l ସକାଳୁ ଦିଦିଙ୍କର କଡା ତାଗିଦ ରୁପସୀ କୁ ଯେମିତି ହେଲେ ସାଜିସୁଜି ହୋଇ ସନ୍ଧ୍ୟା ରେ ପାର୍ଟିକୁ ଆସିବାକୁ ହେବ l ଅନ୍ୟଥା ଉପାୟ ନାହିଁ l ରାଜା ଏହା ଶୁଣି ହସିଥିଲା l କହିଲା


--ଆଲୋ ତୁ ସଜେଇ ହେଲେ ମୁଁ ସିନା ଦେଖିବି ହେଲେ ସେଠି ତୋର କି କାମ ଯେ ? ଏ ବଡ଼ବଡିଆ ମାନଙ୍କୁ ତୁ ଜାଣିନୁ ବୋଲି ଭାସି

 ଯାଉଛୁ l ସେ ଛୋପରି ମୋନା ତୋତେ ଚିକ୍କଣ କଥା କହି କାମ କରାଇବା ପାଇଁ ହିଁ ଡାକିଥିବ l 


--ନାହିଁ ରେ ରାଜା ! ମୋନା ଦିଦି ସେମିତି ନୁହନ୍ତି l ସେ ସମସ୍ତଙ୍କଠାରୁ ଅଲଗା l ଆଜି ମୁଁ ସେଠି କାମ କରିବିନାହିଁ l କେବଳ ପାର୍ଟିରେ ଘିରି ଘିରି ହୋଇ ଘୁରି ବୁଲିବି l କେତେ ଫୋଟ ଉଠିବ କେତେ କଥା ହେବ ଦେଖିବୁ ରହ l ମୋନା ଦିଦିଙ୍କ ପାଇଁ କେକ୍ ଆସିଥିବ ସେ ମୋତେ କେକ୍ ଖୁଆଇ ଫୋଟ ଉଠାଇବେ ବୋଲି କହିଛନ୍ତି l


--ଆଛା କହିଲୁ କେକ୍ କେମିତି ଲାଗେ ? ତୁ କେବେ ଖାଇଛୁ ?କେକ୍ ଗୁଡିକ ପୁଣି ପାଟିରେ ପକଉ ପକଉ ମିଳେଇ ଯାଏ ପୁଣି !!


--ନାହିଁ ଲୋ ମୁଁ ବି ଖାଇନାହିଁ l ଆମେ ଯେତେବେଳେ ଘର କରିବା ଆମ ପିଲାଏ ନିଶ୍ଚୟ କେକ୍ ଖାଇବେ l ଯାହା କହ ମୁଁ ହୋଇଥିଲେ ସେଭଳି ପାର୍ଟି କୁ କେବେ ବି ଯାଇନଥାନ୍ତି l ରାଜାର ସବୁ ତେଢ଼ା କଥା l ଛାଡ଼ ତା କଥା l


ଆଠଟା ବେଳେ ପାର୍ଟି ଆରମ୍ଭ ହେବାକୁ ଥିଲା ବେଳେ ରୁପସୀ ସନ୍ଧ୍ୟା ସାତଟାରୁ ଯାଇ ମୋନା ଘରେ ହାଜର l ଆଜି ରାଜା ଆଣି ଦେଇଥିବା ମହଙ୍ଗା ବିଦେଶୀ ସାବୁନ ରେ ଗାଧୋଇ ଠିକ ମୋନା ପରି ନିଜକୁ ସଜାଇବାରେ ମନ ଦେଇଛି l ଆକାଶୀ ରଙ୍ଗର ଚୁଡିଦାର ରେ ନୀଳ ନୀଳ କାନ ର ଟପ୍ସ ସାଙ୍ଗକୁ ଧାରେ କଜ୍ଵଳ ଓ ଅଳ୍ପ ମାତ୍ରା ରେ ଲିପସ୍ଟିକ ରୁପସୀ କୁ ଅତୀବ ମନୋରମ କରି ଗଢି ତୋଳୁଥିଲା ସେଦିନ l


--ଆସିଗଲେ ମହାରାଣୀ ତେବେ l ଆଉ ଘଣ୍ଟାଏ ରହିଲା l କାମ କେତେବେଳେ ସରିବ ? ସଚି ବାବୁଙ୍କ ଚାକରାଣୀ କୁ ଡାକି କାମ କରାହେଲା l ଆମ ଚାକରାଣୀ ତ ଚାକରାଣୀ କମ ମହାରାଣୀ

 ବେଶି ନା !


 ମୋନା ର ମା ଙ୍କ କଥା ଗୁଡିକ ରୁପସୀ ଦେହରେ ଗଳି ଯାଉଛି ମାତ୍ର ଏଣେ କେତେ କାମ ପଡିଛି l ଏତେବଡ ମହଙ୍ଗା କେକ୍ ମାଗଣା ରେ ଖାଇବ ଯେତେବେଳେ କାମ ତ କରିବାକୁ ହେବ ନା ! ଝାଳ ନାଳ ହୋଇ କାମ କରି ଚାଲିଛି ସେ l ମୋନା କହିଲା "ରୁପସୀ ତୁ ମୋ ରୁମ କୁ ଯାଇ ଟିକିଏ ଫ୍ରେସ ହୋଇଯା l ପାର୍ଟି ଆରମ୍ଭ ହେଇଯିବ l"


 ରୁପସୀ ଆଉ କଣ ବା ଫ୍ରେସ ହେବ l ଖାଲି ଓଠ ରେ ହାତ ମାରି ଦେଖିଲା ଲିପସ୍ଟିକ ଟି ଲିଭି ଆସିଲାଣି ତେଣୁ ତରତର ହୋଇ ସେ ମୋନା ଦିଦି ଙ୍କ ଲିପସ୍ଟିକ ଟି ଘଷି ଦେଇ ଚାଲିଆସିଲା ହଲ କୁ l


ହଲ ରେ ଭଳିକି ଭଳି ଆଲୋକସଜ୍ଜା ସାଙ୍ଗକୁ ରଙ୍ଗ ବେରଙ୍ଗ ପୋଷାକ ମେଳ ରେ ହଜି ଯାଉଥିଲା ରୁପସୀ l ବଡବଡିଆ ଙ୍କ ର ପରସ୍ପର ମଧ୍ୟରେ ଆହୁରି ଉପରକୁ ଉଠିବା ପାଇଁ ପ୍ରବଳ ପ୍ରତିଦ୍ବନ୍ଦିତା ଦେଖି ସେ ହତବାକ l


ଯେଉଁମାନଙ୍କ ଘରେ ସେ କାମ କରେ ସେମାନେ ସମସ୍ତେ ଥିଲେ କିନ୍ତୁ ତା ପରି କାମବାଲୀ ସେଠାରେ କେହି ଜଣେ ବି ନଥିଲେ l ରାଜା ବୋଧେ ସେଥିପାଇଁ ମନା କରୁଥିଲା ତାକୁ ଆସିବା ପାଇଁ l କେମିତି ଗୋଟେ ଅଡୁଆ ଅଡୁଆ ଲାଗୁଥିଲା ଆଜି l


ହଉ ମୋନା ଦିଦି ଙ୍କ କେକ୍ କଟା ହେଇଯାଉ କେକ୍ ଟିକିଏ ଖାଇସାରି ସେ ଚାଲିଯିବ ଯେ ଏଠୁ l ଘରେ ପଖାଳ ଅଛି l କେକ୍ କେମିତି ଲାଗେ ସେ ଜାଣିନାହିଁ l ମୋନା ଦିଦିଙ୍କ ସାଙ୍ଗେ କଥା ହେଲାବେଳେ ଥରେ ଏମିତି କହି ଦେଇଥିଲା ନା ତେଣୁ ଦିଦି ତାକୁ ଡାକିଲେ l ରାମ୍ବେନ ବେକେରି ରୁ କେକ୍ ଟି ଆସିଛି l ରାମ୍ବେନ ବେକେରି କେକ୍ ର ଓଡିଶା ବାହାରେ ବି ଚାହିଦା ରହିଛି l


--ଆରେ ରୁପସୀ ତୁ ସେଠି କଣ କରୁଛୁ ? ତୋ କାମ ସରିଲାଣି ନା ନାହିଁ l ଶୀଘ୍ର କାମ ସାରି ଚାଲିଯା l ମୋନା ର ମା ପାଟି କଲେ l କରୁଥାନ୍ତୁ l ସେ ତ ସବୁ ବେଳେ ବଡ଼ପାଟିଆ l ତାଙ୍କ ପାଟି ରୁପସୀ ର ଦେହସୁହା ହୋଇଗଲାଣି l କେକ୍ କଟା ହେଇଯାଉ l ମୋନା ଦିଦି ତାକୁ ଖୁଆଇ ଦେବେ ସେଥିରୁ ଖଣ୍ଡେ ପାଟିରେ ପୁରାଇ ତା ବାଟରେ ସେ ଛୁ ମାରିବ l


ରହି ରହି କି ଦାନ୍ତ ଚିପି ଚିପି କଥା କହୁଥିବା ମିସେସ ମହାନ୍ତି କହିଲେ


--ଆରେ ଏଇଟିକୁ ସିଧା ସଳଖ କିସକିନ୍ଧ୍ୟା ରୁ ଆମଦାନୀ କରିଛନ୍ତି ନା କଣ ?


--ହଁ ଇୟେ ପରା ଆମ ଫ୍ଲାଟ ରେ କାମ କରୁଛି l ମାଛୁଆ ବସ୍ତି ର କଣ ଟି ରୁପସୀ ମେନକା l କୋଉ ଦିନ କୋଉ ଶୁଖୁଆ ର ସେଣ୍ଟ ଶୁଙ୍ଘି ଶୁଙ୍ଘି ଆମେ ଅତିଷ୍ଠ l ଆଉ ଗୋଟିଏ ମିଳିଗଲେ ୟାକୁ ବାହାର କରିଦେବା କଥା l ମିସେସ ମିଶ୍ର ଯୋଡ଼ିଲେ l 


ମୋନା ସେତେବେଳକୁ ରୁପସୀ କୁ କେଂଚିବାରେ ଲାଗିଲାଣି l ରୁପସୀ କିଛି ବୁଝି ପାରୁନି l ଶେଷ ରେ ମୋନା କହିଲା ଯେ ରୁପସୀ ର ନାକ ତଳ ଯାକ ଲିପସ୍ଟିକ ବୋଳି ହୋଇଯାଇଛି l ଓଠ ରେ ଯାହା ଟିକିଏ ଘଷି ଦେଇ ଚାଲି ଆସିଥିଲା ତାହା ଏବେ ଚାରିଆଡେ ଲେସି ହୋଇ ଗଲାଣି l ଏବେ ତ ଆଉ କିଛି ହୋଇପାରିବ ନାହିଁ l କିଛି ନପାଇ ନିଜ ଓଢଣୀରେ ମୁହଁଟାକୁ ପୋଛି ପକାଇଲା ସେ l ଏବେ ଆଉ ଚିନ୍ତା ନାହିଁ ସବୁ ଠିକ ଠାକ ହେଇଗଲା l 


କେକ୍ ଟା ବହୁତ ବଡ଼ ଦେଖା ଯାଉଛି l ବେଶି ନାହିଁ ସେ ଗୋଟିଏ ଟଙ୍କିକିଆ ସାଇଜ ର ହିଁ ଚାଖିବ l ଯଦି ଭଲ ଲାଗିବ ତେବେ ରାଜାକୁ କହି ବଡ଼ ଗୋଟିଏ ମଗାଇବ l ପିଲାଟି ଦିନରୁ ତାର ଭାରି ଇଛା ଥିଲା କେକ୍ ଟିଏ ଖାଇବ ବୋଲି ଯାହା ହେଉ ମୋନା ଦିଦିଙ୍କ ଲାଗି ତାର ଇଛା ପୂରଣ ହେବାକୁ ଯାଉଛି l 


କେକ୍ କାଟିବା ସମୟ ଆସିଗଲା l ଆପାର୍ଟମେଣ୍ଟ ର ମା ମାନଙ୍କୁ ଡରି ଟିକିଏ ଦୂରରେ ଠିଆ ହୋଇଛି ରୁପସୀ l ଦିଦି କେକ୍ କାଟିଲା ବେଳେ ଡାକିଲେ ଯାଇ ଯିବ l ଏତେ ଲୋକଙ୍କ ଆଗରେ କେମିତି ଖାଇବ ସେ l ତାକୁ ତ ଲାଜ ମାଡ଼ିବ ନା l ଆଖି ବୁଜି ଖାଇଦେବ l ମନେ ମନେ କେକ୍ ଟି ର ସ୍ୱାଦ କଳ୍ପନା କରି ଛେପ ଢ଼ୋକୁଥିଲା ରୁପସୀ l ହଠାତ ହାପି ବାର୍ଥ ଡେ ବୋଲା ହେଲା ଓ ମୋନା କେକ୍ କାଟି ତା ମା ବାପା ଙ୍କୁ ଦେଇସାରି ଅବଶିଷ୍ଟ କୁ ଆଣ୍ଟି ଓ ସେମାନଙ୍କ ପିଲା ମାନଙ୍କ ଭିତରେ ବାଣ୍ଟିବାରେ ଲାଗିଲା l


ଘୁରି ଘୁରି ରୁପସୀ ପାଖକୁ ଆସିଲା ବେଳେ ରୁପସୀ ତ ଆଖି ବୁଜି ସାରିଲାଣି l ଏ ମା କେମିତି ଖାଇବ ସେ ! ତରତର ହୋଇ ଗିଳି ପକାଇବ ନା ଧୀରେ ଧୀରେ ବଡ଼ଲୋକି ଷ୍ଟାଇଲ ରେ ଖାଇବ ! ଫୋଟ ଉଠିଲା ବେଳେ ମୁହଁ ରେ କେକ୍ ଲାଗି ନଥାଉ l ଥରେ ଖାଇଲା ପରେ ଆଉଥରେ ମାଗିବ କି ? ମୋନା ଦିଦି କିଛି ଭାବିବେନି ତ ? ଆଖି ବୁଜି ହେଇ ଆସୁଛି l ମୋନା ଦିଦି ଏତେ ସମୟ କଣ କରୁଛନ୍ତି ଯେ ? ହଠାତ କାହାର ଡାକରେ ଆଖି ଖୋଲିଗଲା l ମୋନା ଦିଦି କେତେବେଳୁ ଚାଲି ଗଲେଣି l


--ଏ ମହାରାଣୀ ଏଆଡ଼େ ଆସନ୍ତୁ l ତଳେ ଯୋଉ କେକ୍ ଗୁଡିକ ପଡିଛି କିଏ ଉଠାଇବ ? ଏଣେ ଅଇଁଠା ପ୍ଲେଟ ଗଦା ହେଲାଣି ସେପଟେ l


ଭାଗ୍ୟ ଭଲ ହଲ ରେ ଅନ୍ଧାର ଆଲୁଅ ମିଶିକି ରହିଛି l ନଚେତ ରୁପସୀ ର ଲୁହ ବୁନ୍ଦା ଗୁଡାକ ଚକ ଚକ ହୋଇ ଫ୍ଲାଟ ବାଲାଙ୍କୁ ଦିଶି ଯାଇ

ଥାନ୍ତା l ସବୁ କାମ ସାରି ବାହାରି ଆସିଲା ରୁପସୀ l ଗେଟ ବାହାରେ ରାଜା ଠିଆ ହୋଇଛି l ଲୁହ ବୁନ୍ଦା ଗୁଡିକ ଏଥର ସ୍ରୋତ ରେ ପରିଣତ ହୋଇ ବୋହି ଗଲେ l ରାଜା ଜାଣିଦେଲା ଘଟଣା କଣ ହୋଇଥିବ l କହିଲା


-- ଶୀଘ୍ର ଯା l ତୋ ପାଇଁ ଦିଟା ପିଆଜି ଆଣିଛି ପଖାଳ ଖାଇସାରି ଶୋଇଯା l ସକାଳେ ପୁଣି କାମ କରିବାକୁ ଯିବୁ ନା ନାହିଁ l ମୋତେ ବି ନିଦ ମାଡ଼ିଲାଣି l ମୁଁ ବି ମୋ ଘରକୁ ଏଥର ଚାଲିଲି l ସେଥିପାଇଁ ତୋତେ କହିଥିଲି ଯୋଉଠିକି ହାତ ପାଇବନି ତାକୁ ଛୁଇଁବାକୁ ଯିବୁ ନାହିଁ l ନହେଲେ ଡେଇଁଲା ବେଳେ ଖସି ପଡିଲେ ଖଣ୍ଡିଆ ଖାବରା ହେବା ସାର ହେବ l


Rate this content
Log in

Similar oriya story from Tragedy